Gayatri Singh

Tragedy

3  

Gayatri Singh

Tragedy

ଲିଷ୍ଟ

ଲିଷ୍ଟ

4 mins
178


ଗ୍ରୀଷ୍ମ ନୁହେଁ କି ବର୍ଷା ନୁହେଁ, ଶରତ ନୁହେଁ କି ହେମନ୍ତ ନୁହେଁ, ଶିଶିର ନୁହେଁ କି ବସନ୍ତ ନୁହେଁ | ସେ କୌଣସି ପ୍ରକୃତିର ଋତୁ ନୁହେଁ | ତା ନାଁ ହେଉଛି ଋତୁ | ସମସ୍ତଙ୍କର ପ୍ରିୟ ସେ | ତାକୁ ଦେଖିଲେ ମନେ ହୁଏ ଭଗବାନ ତାକୁ ଫୁରସତରେ ଗଢ଼ିଛନ୍ତି | ଯେ କେହି ବି ତାକୁ ଦେଖିବ ମନରେ ଗୋଟେ ଖୁସି ଆସିଯାଏ | ତା ହସରେ ସେ ଦୁନିଆକୁ ଜିତିଥାଏ | ତା କଥାରେ ମନ ଭରି ଯାଏ | ତା ମୁହଁକୁ ଚାହିଁଲେ ଲାଗେ ଯେପରି ସବୁ ସମସ୍ୟାର ସମାଧାନ ତା ପାଖରେ ଅଛି | ଛୋଟ ହେଉ କି ବଡ଼ ସମସ୍ୟା ହେଉ କଥା କହି କହି ହସି ହସି ସମାଧାନ କରି ପକାଏ | ସମସ୍ତଙ୍କର ସେ ଗେହ୍ଲି | ପାପା ମାମାର ପରୀ ରାଜକୁମାରୀ ଆହୁରି କେତେ କଣ ଯେପରିକି ଧନ ମନ ଗେଲୁ ଗୁଲୁ ...... ସକାଳୁ ସଞ୍ଜ ପର୍ଯ୍ୟନ୍ତ ପରିବାରର ସବୁ ସଦସ୍ୟଙ୍କ ପାଟିରେ ତା ନାଁ ଥିବ | ସବୁ ବିଦ୍ୟାରେ ସେ ପାରଙ୍ଗମ | ପ୍ରଚଣ୍ଡ ଧୀଶକ୍ତି, ପ୍ରଖର ସ୍ମୃତି ଶକ୍ତି ତା'ର | ପାଠ ସହିତ କରିକୁଲାର ଆକ୍ଟିଭିଟିରେ ବି ସେ ଆଗରେ | ଘରର ସବୁ ଥାକରେ ତାର ପୁରସ୍କାର ପୁରି ରହିଛି | ପାଠ ସହିତ ନାଚ, ଗୀତ, ଡିବେଟ ଆହୁରି ସ୍କୁଲର ଅନ୍ୟାନ୍ୟ କମ୍ପିଟିସନରେ ତା ନାଁ ଥିବ | କେବଳ ନାଁ ନୁହେଁ ଜିତିଥିବ ନିଶ୍ଚୟ | ସବୁଠାରୁ ବଡ କଥା ଆଉ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଲିଷ୍ଟ କରିବା | ପ୍ରତ୍ୟେକ କଥାରେ ଲିଷ୍ଟ କରିବା ତାର ଏକ ବଡ ବିଶେଷତ୍ୱ | ତାର ଦିନ ଆରମ୍ଭ ହୋଇଥାଏ ଲିଷ୍ଟରୁ | ପ୍ରତି କଥାରେ ପ୍ରତି କାର୍ଯ୍ୟକ୍ରମରେ ପ୍ରତି ପର୍ବ ପର୍ବାଣିରେ ସେ ପ୍ରଥମେ ଲିଷ୍ଟ ତିଆରି କରିଥାଏ | ତା ଅନୁସାରେ ସବୁ କାମ କରିଥାଏ | ଦିନର ଆରମ୍ଭ ସେ କୋଉ କାମରୁ କରିବ କାହା ପରେ କଣ କରିବ କାଗଜରେ ଲିଷ୍ଟ ତିଆରି କରି କାନ୍ଥରେ ଅଠା ଦେଇ ଲଗାଇ ଦେଇଥିବ | ପାପାଙ୍କ ସହିତ ମାର୍କେଟ ଗଲେ କଣ ଆସିବ ତାର ଗୋଟେ ଲମ୍ବା ଲିଷ୍ଟ ପାପାଙ୍କ ପକେଟରେ ଆଣି ପୁରେଇ ଦେଇଥିବ | ସକାଳ ହେଲେ ତାର ଅନେକ ଜିନିଷର ବରାଦ ଥିବ | ସେସବୁ ସେ ଲିଷ୍ଟ କରି ଆଣି ପାପାଙ୍କୁ ଧରେଇ ଦେବ | ପାଠ ପଢ଼ା ଲିଷ୍ଟରେ ତାର ବହି,ଖାତା,ପେନ,ପେନସିଲ,ପେନସିଲ କଲର, ୱାଟର କଲର, ଇରେଜର, ଅଠା, ଷ୍ଟାପଲର, କମିକସ ବୁକ ଇତ୍ୟାଦି | ତାପରେ ଟିଭିରେ କେଉଁ କେଉଁ କାର୍ଟୁନ ଚ୍ୟାନେଲ ରହିବ ତାର ଲିଷ୍ଟ ବି ଥିବ | କିନ୍ତୁ ପାଠ ପଢି ସାରିବା ପରେ କେବଳ ଖାଇବା ବେଳେ ଟିଭି ଖୋଲା ହେବ | ତାପରେ ସମର ଭେକେସନରେ ଦେଖା ହୁଏ | ତାକୁ କହିବାକୁ ପଡ଼େନି | ପିଲା ବେଳୁ ସେ ଭାରି ସଚେତନ | ମାର୍କେଟ ଗଲେ ଖାଇବା ଜିନିଷ କଣ କଣ ଆଣିବ ଆଉ କଣ ଖାଇବ ତାର ଲିଷ୍ଟ ତିଆରି କରି ହାତରେ ମୁଠେଇ ଥିବ | ପାପା ବାଇକ ଷ୍ଟାର୍ଟ କରିବା ପୂର୍ବରୁ ଆସି ବାଇକ ଚାରିପଟେ ଘୁରି ବୁଲୁଥିବ | ପର୍ବ ପର୍ବାଣିରେ କେଉଁ ଡ୍ରେସ ପିନ୍ଧିବ ତାର ଲିଷ୍ଟ ତିଆରି କରି ବେଡ଼ ରୁମ କାନ୍ଥରେ ଲଗେଇ ଦେଇଥିବ ଗୋଟେ ଦିନ ପୂର୍ବରୁ | ରଜ ଚାରି ଦିନ କେଉଁ କେଉଁ ଡ୍ରେସ ପିନ୍ଧିବ ଆଉ ସକାଳେ କଣ ପିନ୍ଧିବ ଅପର ଓଳି କଣ ପିନ୍ଧିବ ତାର ଲିଷ୍ଟ ବି ତିଆରି ହୋଇଥାଏ | ଦୀପାବଳିରେ କେଉଁ ବାଣ ଆସିବ ଅନେକ ଦିନ ପୂର୍ବରୁ ତାର ଗୋଟେ ଲିଷ୍ଟ ତିଆରି କରି ସବୁଦିନ ପାପାଙ୍କ କାନରେ ରେକର୍ଡ ଟା ବଜାଉଥିବ | ହୋଲି ଆସିଲେ କେଉଁ କେଉଁ ରଙ୍ଗ ଆସିବ ତାର ଲିଷ୍ଟ ବି ତିଆରି ହୋଇ ପାପାଙ୍କ ସହିତ ମାର୍କେଟ ଯିବାର ଯୋଜନା କରି ସାରିଥିବ | ପାଠ ପଢ଼ା ଖାତାରୁ କାଗଜ ଚିରି ଏମିତି ତାର ଲିଷ୍ଟ ତିଆରି ପାଇଁ ସବୁବେଳେ ସେ ଘରେ ଆଉ ମାର୍କେଟ ସବୁଠି ଚର୍ଚ୍ଚାରେ ଥାଏ | ମାର୍କେଟ ଗଲେ ପାପାଙ୍କ ପକେଟରୁ ଲିଷ୍ଟ ବାହାର କରିବା ପୂର୍ବରୁ ଦୋକାନୀ ଆଗୁଆ ଲିଷ୍ଟ ମାଗିସାରିଥିବା | ଘରେ ପରିବାର ଲୋକ ବାହାରେ ସାଙ୍ଗସାଥି ପଚାରନ୍ତି ଋତୁ ଲିଷ୍ଟ ତିଆରି କଲୁଣି | ଖୁସିରେ ହଁ ମାରି ପଢ଼ା ଟେବୁଲରେ ରଖିଥିବା ଲିଷ୍ଟକୁ ଆଣି ସମସ୍ତଙ୍କୁ ଦେଖାଇବା ସହିତ ଲିଷ୍ଟରେ କଣ କଣ ଲେଖିଛି ତାକୁ ମଧ୍ୟ ପଢି ଶୁଣାଇବ | ମାଆର ପଣତ ଆଉ ପାପା ଆଙ୍ଗୁଳି ଧରି ଚାଲୁଥିବା ଋତୁ ଧୀରେ ଧୀରେ ବଡ଼ ହେଉଛି | ସ୍କୁଲ କଲେଜ ପାଠ ପଢ଼ା ସାରି ଅଧିକ ପଢିବା ପାଇଁ ବାହାରକୁ ଗଲା | ପାଠ ପଢ଼ା ପରେ ଭଲ ଚାକିରି ମଧ୍ୟ ମିଳିଗଲା | ଏବେ ତାର ବିବାହ ବୟସ ହେଲାଣି | ଭଲ ଘର ଭଲ ବରପାତ୍ର ଦେଖି ବାହାଘର ଠିକ ହୋଇଗଲା | ବାହାଘର ଲିଷ୍ଟ ତାର ବହୁତ ଲମ୍ବା ଥିଲା | ହଳଦୀ,ମେହେନ୍ଦି,ତାର ନିଜର ମେକଅପ,ଅଳଙ୍କାର,ଘର ଡେକୋରେସନ,ବେଦି ସଜା,ଘର ଲୋକଙ୍କ ଖାଇବା, ବାହାଘର ଭୋଜି,ବରଯାତ୍ରୀଙ୍କ ଚର୍ଚ୍ଚା ସହିତ ଆଉ ଯେତେ ଆବଶ୍ୟକ ସାମଗ୍ରୀ ସବୁର ଗୋଟେ ଲମ୍ବା ଲିଷ୍ଟ କରି ସମସ୍ତଙ୍କୁ ଦାୟିତ୍ୱ ଦେଇ ଦେଇଥିଲା | ବାହାଘରରେ ଯେପରି କୌଣସି ଅସୁବିଧା ନହୁଏ | ପାପା ମାମାର ସେ ଗୋଟିଏ ଗେହ୍ଲି ଝିଅ | ପିଲା ବେଳୁ ତାର ଲିଷ୍ଟ ମୁତାବକ ସବୁ ଜିନିଷ ପୁରଣ ହେଇଛି | ବାହାଘର ବି ଧୁମଧାମରେ ହୋଇଗଲା | ବନ୍ଧୁ ବାନ୍ଧବ, ବର ପକ୍ଷ, କନ୍ୟା ପକ୍ଷ ସମସ୍ତେ ଖୁସି ଏତେ ସୁନ୍ଦର ବ୍ୟବସ୍ଥିତ ଆୟୋଜନ ଦେଖି | ଏବେ ଝିଅ ବିଦାୟୀର ବେଳ | ଘର ପରିବାର ସମ୍ପର୍କୀୟ ସମସ୍ତଙ୍କୁ ଧରି କାନ୍ଦୁଥିଲା ଋତୁ | ସମସ୍ତଙ୍କର ସେ ପ୍ରିୟ ଆଦରଣୀୟ ଥିଲା | ତା ବିଦାୟୀରେ ସମସ୍ତଙ୍କ ଆଖିରେ ଲୁହ | ଯେତେବେଳେ ପାପାଙ୍କୁ କୁଣ୍ଢେଇ ଧରି ତାଙ୍କ ଛାତିରେ ମୁହଁ ଗୁଞ୍ଜି କାନ୍ଦିଥିଲା ଉପସ୍ଥିତ ସମସ୍ତ ବରପକ୍ଷ କନ୍ୟାପକ୍ଷ ଆଖିରେ ଲୁହ ନୁହେଁ ତ ବନ୍ୟା ବହୁଥିଲା | ଲାଗୁଥିଲା ତା ବିଦାୟୀରେ ଗଛପତ୍ର ଆକାଶ ଆଖିରୁ ବି ଯେମିତି ଝରୁଥିଲା ଲୁହ | ସମସ୍ତଙ୍କର ଗେହ୍ଲି ଆଜି ସମସ୍ତଙ୍କୁ ପର କରି ଯାଉଛି | ପାପାଙ୍କ ହାତ ଛାଡି ସୁସଜ୍ଜିତ କାରରେ ବସିବା ବେଳେ ପାପାଙ୍କ ହାତକୁ ଗୋଟେ କାଗଜ ଧରାଇଦେଲା | ଉପସ୍ଥିତ ସମସ୍ତଙ୍କ ନଜର ସେହି କାଗଜ ଉପରେ ଥିଲା | ପୁଣି ଲିଷ୍ଟ ! କଣ ଲେଖା ଅଛି ସେଇ ଲିଷ୍ଟରେ | ପୁଣି ପାପା ଙ୍କୁ ତାର କଣ ବରାଦ ଅଛି | ସମସ୍ତଙ୍କ ମନରେ ଜାଣିବାକୁ ଉତ୍କଣ୍ଠା | ପାପା କାନ୍ଦି କାନ୍ଦି ପଢୁଥିଲେ ଲିଷ୍ଟକୁ | ଲିଷ୍ଟ ଉପରେ ଲୁହ ଟୋପା ଟୋପା ପଡି ଚାଲିଥିଲା | ତାଙ୍କ ହାତରୁ ଜଣକ ପରେ ଜଣେ ଲିଷ୍ଟ ନେଇ ପଢିବାକୁ ଲାଗିଲେ | ନ କାନ୍ଦିବା ଲୋକ ଆଖିରେ ବି ଲୁହ ଆସିଗଲା | ସେହି ଲିଷ୍ଟରେ କିଛି ବରାଦ ନଥିଲା କି ତାର କିଛି ଡିମାଣ୍ଡ ନଥିଲା, ଥିଲା ପାପାଙ୍କ ପ୍ରତି ତାର ସ୍ନେହ ଆଉ ଭଲ ପାଇବାର ତାଗିଦ ଲିଷ୍ଟ | ପାପା ଦେହର ଯତ୍ନ ନେବ, ଠିକ ସମୟରେ ଖାଇବ, ବେଶୀ ରାତି ଯାଏଁ ଚେଇଁବନି, ମେଡ଼ିସିନ ଠିକ ସମୟରେ ଖାଇବ, ମତେ ମନେ ପକାଇ କାନ୍ଦିବନି | ମୁଁ ଶୀଘ୍ର ଫେରିବି | ତୁମକୁ ଆଉ ମାମାକୁ ନେଇଯିବି | ଆମେ ସମସ୍ତେ ସାଙ୍ଗ ହୋଇ ରହିବା | ହାତକୁ ହାତ ହୋଇ କାଗଜଟି ପୁରାପୁରି ଭିଜି ସାରିଥିଲା | କାରଟି ଅନେକ ଦୂରକୁ ଯାଇ ସାରିଥିଲା | ଲୁହ ଭର୍ତ୍ତି ଆଖିରେ କାରଟି ଝାପସା ଦିଶୁଥିଲା |


Rate this content
Log in

Similar oriya story from Tragedy