Gayatri Singh

Drama Tragedy Classics

4  

Gayatri Singh

Drama Tragedy Classics

ଡୋରି

ଡୋରି

6 mins
393


ଶୁଭଙ୍କର ଡାଇନିଂ ଟେବୁଲ ରେ ବସି ଖାଉଛନ୍ତି କମ, ଭାବୁଛନ୍ତି ବେଶୀ । ସୁଧା' ରୋଷେଇ ଘରୁ ଅନେକ ବେଳୁ ତାଙ୍କୁ ଲକ୍ଷ୍ୟ କରୁଥିଲେ । ପାଖକୁ ଆସି କହିଲେ କଣ ଏତେ ଭାବୁଛ ଯେ । ସକାଳ ଟିଫିନ ଟା ତ ଠିକ ସେ ଖାଅ । ସକାଳ ର ଜଳଖିଆ ହିଁ ଶରୀର କୁ ପୋଷକ ତତ୍ତ୍ୱ ଯୋଗାଇ ଥାଏ । ଦିନ ସାରା ଫୁର୍ତ୍ତି ରହିବା ପାଇଁ ଶକ୍ତି ଦେଇଥାଏ । ସୁଧାଙ୍କ ଆଡକୁ ଚାହିଁଲେ ଶୁଭଙ୍କର। ସୁଧା ତମେ ପୁଣି ଟିପସ ଦେବା ଆରମ୍ଭ କରିଦେଲ । ମୁଁ କେତେ ଷ୍ଟ୍ରେସ ରେ ଅଛି ଜାଣିଛ ? ଛଅ ମାସ ହେଲା ଚାକିରୀ ରୁ ଅବସର ନେଲିଣି । ପେନସନ ମିଳିବା ବିଳମ୍ବ ହେଲାଣି । ପିଲା ମାନଙ୍କ ଉପରେ ନିର୍ଭର ହେବାକୁ ଖରାପ ଲାଗୁଛି । ଏଇ ହାତ ଦିନେ ତାଙ୍କ ପାଇଁ ଖର୍ଚ୍ଚ କରୁଥିଲା, ସେମାନଙ୍କ ହାତକୁ ଅପେକ୍ଷା ....... ଶୁଭଙ୍କର ଙ୍କୁ ଆଗକୁ କିଛି କହିବାକୁ ନଦେଇ ସୁଧା କହିଲେ ପିଲା ମାନେ କିଛି କହୁନାହାନ୍ତି କି ଭାବୁ ନାହାନ୍ତି । ବରଂ ଘରୁ ବାହାରକୁ ଗଲାବେଳେ କଣ ଆସିବ କଣ ନାଇଁ ପଚାରି ପଚାରି ଯାଉଛନ୍ତି । ତୁମେ ମିଛଟାରେ ଅଧିକ ଭାବୁଛ । ମୁଁ ଭଲ ଭାବରେ ଜାଣିଛି ପିଲାମାନେ କେବେ ବି କିଛି କହିବେନି କି ଭାବିବେନି କହିଲେ ଶୁଭଙ୍କର। ସେପରି ସଂସ୍କାର ଦେଇ ଆମେ ତାଙ୍କୁ ପାଳିଛେ । ତଥାପି ନିଜକୁ ଖରାପ ଲାଗେ ଅଯଥା ରେ ତାଙ୍କ ଉପରେ ବୋଝ ହେବା ପାଇଁ । ଦିନକୁ ଦିନ ପିଲା ମାନଙ୍କର ଜଞ୍ଜାଳ ବଢୁଛି ତା ଅନୁସାରେ ଖର୍ଚ୍ଚ ମଧ୍ୟ ବଢୁଛି । ପିଲା ମାନଙ୍କ ପାଠପଢ଼ା,ଘର ଖର୍ଚ୍ଚ ତା ଉପରେ ପୁଣି ଆମେ ଦୁଇ ଜଣ ବୋଝ ହେଇଗଲେଣି ସେମାନଙ୍କ ଉପରେ । ଶୁଭଙ୍କର ଙ୍କର ବିଷର୍ଣ୍ଣ ମୁହଁ ଦେଖି ସୁଧା କହିଲେ ଚିନ୍ତା କରନି ସବୁ ଠିକ ହୋଇଯିବ । ଜଗନ୍ନାଥ ସବୁ ଦେଖୁଛନ୍ତି ସେ ବୁଝିବେ । ବ୍ୟସ୍ତ ହୁଅନି । ସବୁବେଳେ ଜଗନ୍ନାଥ ଙ୍କ ଉପରେ ସୁଧା ଙ୍କ ଭରସା । ଶୁଭଙ୍କର ଙ୍କୁ ଦୁଃଖ ଲାଗେ ସୁଧା ଏତେ ଥର କହିବା ପରେ ମଧ୍ୟ ସେ ତାକୁ ଥରେ ହେଲେ ଶ୍ରୀଜଗନ୍ନାଥ ଧାମ ପୁରୀ ନେଇ ପାରିଲେନି । ବୋଧେ ଯୋଗ ହେଇନି, ଭଲ ବେଳା ଆସିନି କି ଜଗନ୍ନାଥ ଙ୍କ ଡୋରି ଲାଗିନି ଦର୍ଶନ ପାଇଁ । ତାଙ୍କର ଭଲ ଭାବେ ମନେ ପଡୁଛି ବାହାଘର ପରେ ସୁଧା ମନ ବଳେଇଥିଲେ ପୁରୀ ଯିବା ପାଇଁ ମନ ର କଥାକୁ ତାଙ୍କ ଆଗରେ କହିଥିଲେ ମଧ୍ୟ । ଟିକେ ପୁରୀ ଯାଇ ଚଦୁର୍ଦ୍ଧା ମୂର୍ତ୍ତି ଙ୍କୁ ଦର୍ଶନ କରି ଆନନ୍ଦ ବଜାର ରେ ମହାପ୍ରସାଦ ପାଇବା ସହିତ ସମୁଦ୍ର କୁଳ ଆଡେ ଟିକେ ବୁଲି ଆସିବା । ହେଲେ ହେଇ ପାରିଲାନି । କିଛି ଦିନ ସୁଧା ମନଦୁଃଖ କରିଥିଲେ ପୁରୀ ଯାଇ ନପାରିବା ଯୋଗୁଁ । ପୁଣି ସେଇ ବୁଝାମଣା ରୁଟିନ ଲାଇଫ । ବାହାଘର ପରେ ବାପା ମା ଦୁଇଜଣ ଯାକ ଜଣକ ପରେ ଜଣେ ଶଯ୍ୟାଶାୟୀ ହେଲେ । ତାଙ୍କ ସେବା ଶୁଶ୍ରୁଷା ରେ କେବେ ସମୟ ହେଇ ପାରିଲାନି ପୁରୀ ଯିବା ପାଇଁ । ତାପରେ ପୁଅ ଝିଅ ଜନ୍ମ ନେଲେ । ତାଙ୍କର ଲାଳନପାଳନ ପାଠପଢ଼ା, ତାଙ୍କର ଭବିଷ୍ୟତ। ତାପରେ ସେମାନଙ୍କର ବାହାଘର ରେ ସମୟ ଟା ଏତେ ଶୀଘ୍ର ଚାଲିଗଲା ଯେ ଆଉ କିଛି ଚିନ୍ତା କରିବାକୁ ତାଙ୍କ ପାଖରେ ସମୟ ନଥିଲା । ଯେମିତି ପୁରାପୁରି ମେକାନିକାଲ ଲାଇଫ । ଅଫିସ ଘର ଜଞ୍ଜାଳ ଭିତରେ ଅବସର ସମୟ ପହଞ୍ଚିଗଲା । ତଥାପି ମଝିରେ ମଝିରେ ପିଲାଙ୍କ ଛୁଟି ରେ ସୁଧା ପୁରୀ ଯିବା କଥା ମନେ ପକାଇ ଦିଅନ୍ତି । ଚାଲୁନ ପିଲା ଙ୍କୁ ନେଇ ପୁରୀ ଆଡେ ଟିକେ ବୁଲି ଆସିବା । ହେଲେ ଘର ଖର୍ଚ୍ଚ ପିଲାଙ୍କ ଖର୍ଚ୍ଚ ପରେ ଟଙ୍କା ନିଅଣ୍ଟିଆ ପଡ଼ିଯାଏ । ସୁଧା ହସି ଦେଇ ଚୁପ ରୁହନ୍ତି । ୟା ଭିତରେ ପିଲାଙ୍କ ପାଠପଢ଼ା ସରିଗଲା । ଝିଅ ବାହା ହୋଇ ଶାଶୁ ଘର ଚାଲିଗଲାଣି । ପୁଅ ଦୁଇ ଜଣ ବି ଚାକିରୀ ବାକିରି କରି ବାହାଘର ହେଲେଣି ଘରକୁ ଦୁଇଟି ବୋହୁ ଆସିଲେଣି । ପୁଅବୋହୁ ଅନେକ ଥର କହିଲେଣି ଏଥର ଛୁଟିରେ ମା ଙ୍କୁ ନେଇ କୁଆଡେ ବୁଲେଇ ଆଣିବା । ଶୁଭଙ୍କର ସେତେବେଳେ କୁହନ୍ତି ତୁମ ମା ଙ୍କ ବହୁଦିନରୁ ଇଛା ଅଛି ପୁରୀ ଯିବା ପାଇଁ ଯିବା ଯଦି ସମସ୍ତେ ମିଶି ଏଥର ପୁରୀ ଯିବା । ହେଲେ ପରିସ୍ଥିତି ଏମିତି ହୁଏ ସବୁ ସୁବିଧା ପରେ ବି ଯାଇ ହୁଏନି । କେତେବେଳେ ବୋହୁ ମାନେ ତାଙ୍କ ବାପ ଘରକୁ ଯାଇଥାନ୍ତି । ଆଉ କେତେବେଳେ ପୁଅ ମାନଙ୍କ ସହିତ ବୁଲିବା ପାଇଁ ଯାଆନ୍ତି, ତା ପୁଣି ତାଙ୍କ ନିର୍ଦ୍ଦେଶ ରେ । ପୁଅ ମାନଙ୍କୁ କୁହନ୍ତି ବୋହୁ କୁ ଟିକେ ନେଇ ବାହାରୁ ବୁଲେଇ ଆଣ । ଖାଲି ଅଫିସ ରୁ ଘର ହେଉଥିବ କି ? ଏଇଟା ତୁମ ମାନଙ୍କର ବୁଲିବା ଖାଇବା ର ବୟସ । ଏଇ ବ୍ୟସ୍ତତା ଜଞ୍ଜାଳ ଯୋଗୁଁ ତ ସେ ସ୍ୱାମୀ ସହିତ କୁଆଡେ ଯାଇ ପାରିଲେନି । ଅନ୍ତତଃ ପିଲାମାନେ ବୁଲାବୁଲି କରନ୍ତୁ । ସେମାନଙ୍କ ଖୁସି ରେ ସେ ଖୁସି । ନିଜ ପାଇଁ କେବେ କିଛି ଚାହିଁ ନାହାଁନ୍ତି। ଇଛା କୁ ହୃଦୟ ତଳେ ଚାପି ଦେଇଛନ୍ତି । ଶୁଭଙ୍କର ଙ୍କର ପେନସନ ପାଇଁ ବ୍ୟସ୍ତ ବିବ୍ରତ ଦେଖି ସୁଧା ଏବେ ବେଶୀ ବେଶୀ ଜଗନ୍ନାଥ ଙ୍କ ନାମ ନେବାରେ ସମୟ ବିତୁଛି । ହେ ପ୍ରଭୁ ତୁମ ପାଖକୁ ନ ନେଲ ନାଇଁ ଦର୍ଶନ ଟିକେ ନ ଦେଲ ନାଇଁ ମୋ ସ୍ୱାମୀ ଙ୍କ ମନରେ ଯାହା ଅଛି ତାହା ପୂରଣ କରି ଦିଅନ୍ତୁ । ଏମିତି ମନାସିବା ଭିତରେ ସମୟ ଗଡିଚାଲେ ।ଏଥର ଶୁଭଙ୍କର ସୁଧା କୁ ନେଇ ପୁରୀ ଯିବା ପାଇଁ ମନସ୍ଥ କରିଛନ୍ତି । ଆଉ କିଛି ଦିନ ପରେ ତାଙ୍କ ପେନସନ ଟଙ୍କା ବି ମିଳିଯିବ । ସୁଧା ପାଖକୁ ଲାଗି ଆସି ଶୁଭଙ୍କର କହିଲେ ଏଥର ଆମେ ଜଞ୍ଜାଳ ରୁ ମୁକ୍ତ । ଆମର କର୍ତ୍ତବ୍ୟ ସରିଗଲା । ଏଥର ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଆସିବା। ହେଲେ ହେଇ ପାରିଲାନି । ବୋହୁ ଦୁଇଜଣ ଚାକିରିଆ । ସମୟ ଅନୁସାରେ ବୋହୁ ମାନେ କାମ ସାରି ଅଫିସ ଚାଲି ଯାଆନ୍ତି । ବାକି କାମ ସୁଧା କୁ କରିବାକୁ ପଡେ । ଘରେ ରହିବାକୁ ପଡେ । କିଏ କେଉଁ ସମୟ ରେ ଆସିବେ ଅପେକ୍ଷା କରିବାକୁ ପଡେ । ସମସ୍ତଙ୍କର ଖାଇବା ପିଇବା ବୁଝିବା ସହିତ ଘର ର ଦାୟିତ୍ୱ । ତାପରେ ନାତି ନାତୁଣୀ ଙ୍କ ଜନ୍ମ । ତାଙ୍କର ଲାଳନ ପାଳନ । ବୋହୁ ମାନେ ଚାକିରୀ କୁ ଯିବା ପରେ ତାଙ୍କ ଯତ୍ନ ନେବା । ପୂର୍ବାପେକ୍ଷା ଜଞ୍ଜାଳ ଆହୁରି ବଢ଼ିଗଲା । ପୂର୍ବରୁ କେଵଳ ପୁଅ ଝିଅ ସ୍ୱାମୀ ଙ୍କୁ ନେଇ ସଂସାର ଥିଲା, ହେଲେ ଏବେ ଆହୁରି ଅଧିକ ମେମ୍ବର ବଢ଼ିଗଲେ । ତା ସହିତ ତାଙ୍କ କାମ ବି ବଢିଗଲା । ଯେତିକି ବୟସ ବଢୁଛି ସେତିକି କର୍ମଜଞ୍ଜାଳ ବଢି ଚାଲିଛି । ଦିନ ସାରା କାମ କରି କରି ସେ ଏବେ ହାଲିଆ ହେଇ ପଡୁଛନ୍ତି ।ନିଜ କଥା ଚିନ୍ତା କରିବା ପାଇଁ ତାଙ୍କ ପାଖରେ ଆଉ ସମୟ ନାହିଁ । ପାରିଲା ପର୍ଯ୍ୟନ୍ତ ସବୁ କରି ନିଅନ୍ତି । ସବୁବେକେ ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଚାହାଁନ୍ତି । ଶୁଭଙ୍କର ଏଥର ତାଙ୍କ ଉପରେ ଜୋର ଦେଇ କହୁଛନ୍ତି ପୁଅ ବୋହୂ ଙ୍କୁ ତାଙ୍କ ଦାୟିତ୍ୱ କରିବାକୁ ଦିଅ । ତୁମେ ଦିନକୁ ଦିନ ଦୁର୍ବଳ ହୋଇପଡ଼ିଲଣି । ଏତେ କାମ ଆଉ କରନି । ଏ ମୋହ ମାୟା ଜଞ୍ଜାଳ ଛାଡ଼ । ପେନସନ ବି ମିଳିଗଲାଣି ।ମୁଁ କଣ କହୁଥିଲି କି କାଲି ଡାକ୍ତର ଙ୍କ ପାଖକୁ ଯାଇ ତୁମ ଦେହ ଚେକ ଅପ କରାଇନେବା । ସୁଧା କହିଲେ ମୋର କିଛି ହେଇନି । ତମେ ଅଯଥାରେ ଅଧିକ ଚିନ୍ତା କରୁଛ । ମୋ ଦେହ ଠିକ ଅଛି। ତେବେ ସୁଧା ସ୍ୱାମୀ ଙ୍କ କଥା କାଟି ପାରିଲେ ନାହିଁ ପୁଅ ବୋହୂ ମାନେ ବି ବାପା ଙ୍କୁ କଥାରେ ସମର୍ଥନ ଜଣାଇଲେ । ପରଦିନ ଶୁଭଙ୍କର' ସୁଧା ଙ୍କୁ ନେଇ ଡାକ୍ତର ଙ୍କ ପାଖକୁ ଗଲେ। ଡାକ୍ତର ଚେକ ଅପ କରି ଔଷଧ ଲେଖି ଦେଇ ମାସକ ପରେ ଆସିବା ପାଇଁ କହିଲେ । ନିୟମିତ ଔଷଧ ଖାଇ ସମ୍ପୂର୍ଣ୍ଣ ବିଶ୍ରାମ ନେବା ପାଇଁ ଡାକ୍ତର ଙ୍କ ପରାମର୍ଶ ରେ ସୁଧା ଭାବୁଥିଲେ ତାଙ୍କ ସଂସାର ର ଜଞ୍ଜାଳ କଥା । ଶୁଭଙ୍କର କହୁଥିଲେ ବୋହୁ ମାନଙ୍କୁ ଦାୟିତ୍ୱ ଦେଇ ତୁମେ ଏବେ ବିଶ୍ରାମ ନିଅ । ସୁଧା ଭାବୁଥିଲେ ସତରେ ସେ ଦୁର୍ବଳ ହେଇପଡିଲେଣି, ବିଶ୍ରାମ ନେବା ଦରକାର । ବଡ ପୁଅ ବୋହୂ କହୁଥିଲେ ଆଗକୁ ଦ୍ଵିତୀୟ ଶନିବାର ରବିବାର ଛୁଟି ଅଛି ସମସ୍ତେ ପୁରୀ ଯିବା ଦର୍ଶନ ପାଇଁ । ପୁଅ କଥାରେ ହଁ ଭରି ଶୁଭଙ୍କର କହୁଥିଲେ ଏଥର ନିଶ୍ଚୟ ଆମେ ଯାଇ ପୁରୀ ବୁଲି ଆସିବା । ଦୁଇ ଦିନ ରହିବା । ସବୁଆଡେ ବୁଲାବୁଲି କରି ଆସିବା । ସୁଧା କିଛି ନକହି ହସିଦେଲେ। ଏମିତି ଶୁଭଙ୍କର ବହୁତ ଥର କହିଛନ୍ତି । ହେଲେ ପରିସ୍ଥିତି କୁ ସେ ଜାଣେ, ବୁଝେ । ଉଭୟ ସେହି ସମାନ ପରିସ୍ଥିତି ଦେଇ ଗତି କରୁଛନ୍ତି । ସେଦିନ ସେ ନାତି ନାତୁଣୀ ଙ୍କୁ କେତେ ଗୀତ ଗପ କହି ଖୁଆଇ ପିଆଇ ଶୁଆଇ ଦେଲେ । ବୋହୁ ମାନଙ୍କ ସହିତ ମିଶି ଖାଇବା ଆଣି ଡାଇନିଂ ଟେବୁଲ ରେ ଥୋଇଲେ । ସମସ୍ତେ ମିଶି ଡିନର କଲେ । ଦିନ ସାରା କିଏ କଣ କଲା ସବୁ ଡାଇନିଂ ଟେବୁଲ ରେ ଚର୍ଚ୍ଚା ହୁଏ । ସମସ୍ତେ ସମସ୍ତଙ୍କ କାମ ସାରି ନିଜ ନିଜ ରୁମ କୁ ଚାଲିଗଲେ । ଶେଷରେ ବାକିଥିବା ରୋଷେଇ ଘର କାମ ସାରି ସୁଧା ଶୋଇବା ଘରକୁ ଗଲେ । ସବୁଦିନ ପରି ସକାଳ ହେଲା । ସୁଧା ଉଠିବା ପୂର୍ବରୁ ଶୁଭଙ୍କର ପ୍ରତ୍ୟେକ ଦିନ ସକାଳ ଭ୍ରମଣ ରେ ବାହାରି ପଡନ୍ତି । ଘରେ ସମସ୍ତେ ଶୋଇଥାନ୍ତି । ସକାଳ ଭ୍ରମଣ ରୁ ଫେରିଲେ ପୁଣି ସମସ୍ତେ ମିଶି ସୁଧା ଙ୍କ ହାତ ତିଆରି ଚା ପିଅନ୍ତି । ସୁଧା ଚା କପ ଧରି ତାଙ୍କ ଆସିବା ବାଟକୁ ଚାହିଁ ରହିଥିବେ । ଟିକେ ଡେରି ହେଲେ ବ୍ୟସ୍ତ ହୋଇପଡିବେ । ହେଲେ ଆଜି ଏତେ ଡେରି ଯାଏ ଶୋଇଛନ୍ତି କାହିଁକି ? ଘର ଶୁନଶାନ ଲାଗୁଛି । ସମସ୍ତେ ଶୋଇଛନ୍ତି । ସୁଧା ସିନା ସକାଳୁ ସମସ୍ତଙ୍କୁ ଉଠାଏ ଚା କପ ଧରି । ଆଜି ସେ ଶୋଇଛନ୍ତି । ଦେହ ଖରାପ ଲାଗୁଛି ନା କଣ । ସୁଧା ସୁଧା ଡାକି ରୁମ ଭିତରକୁ ପଶିଗଲେ । କୌଣସି ଉତ୍ତର ନାହିଁ । ଦେହ ରେ ହାତ ମାରିଲେ । ସମଗ୍ର ଶରୀର ଥଣ୍ଡା ଲାଗୁଛି । ଜୋରରେ ହଲାଇ ଦେଲେ ସୁଧା କଣ ହେଲା ତୁମର ଉଠ । ପାଟି କରି ଡାକ ଛାଡିଲେ । ପୁଅ ବୋହୂ ନାତି ନାତୁଣୀ ସମସ୍ତେ ଆସି ଚାରି ପାଖେ ଘେରିଗଲେ । କଣ ହେଲା ମାଆ ଙ୍କର । ପୁଅ ଯାଇ ଡାକ୍ତର ଙ୍କୁ ନେଇ ଆସିଲା । ନା' ସେ ଆଉ ନାହାନ୍ତି । ହାର୍ଟ ଷ୍ଟ୍ରୋକ ହେଇଛି ତାଙ୍କର । ଶୁଭଙ୍କର ଆଉ ନିଜକୁ ସମ୍ଭାଳି ପାରିଲେନି । ତାଙ୍କ ଶରୀର ଉପରେ ମୁଣ୍ଡ ପିଟି ପିଟି କାନ୍ଦି ଚାଲିଲେ । କିଛି କହିଲନି ଚାଲିଗଲ । ତୁମର କିଛି କଥା ରଖି ପାରିଲିନି । ସବୁ ଅଧା ରହିଗଲା । ମୋତେ ଏକା କରି ଚାଲିଗଲ । ଧଡପଡ ହୋଇ ଉଠି ପଡିଲେ ଶୁଭଙ୍କର।ଆଜି ତୁମ କଥା ରଖିବି, ଆଜି ତୁମକୁ ପୁରୀ ନେଇ ଯିବି । ହଁ ଆମେ ଆଜି ଯିବା । ଆଜି ସୁଧା ପୁରୀ ଯାଉଛନ୍ତି । ସ୍ୱର୍ଗଦ୍ୱାର କୁ.....।



Rate this content
Log in

Similar oriya story from Drama