ଜଗନ୍ନାଥ ସଂସ୍କୃତି ଓ ଶ୍ରୀ ପୁରୁଷୋତ୍ତମ
ଜଗନ୍ନାଥ ସଂସ୍କୃତି ଓ ଶ୍ରୀ ପୁରୁଷୋତ୍ତମ
କଳା ସ୍ଥପତି ଭାସ୍କର୍ଯ୍ୟ ଓ ପୂଜ୍ୟ ପୁଜା ର ନିଦର୍ଶନ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ । ଜାନୁଆରୀ ସତର ତାରିଖ ରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ପରେ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟୁଛି ଶ୍ରୀକ୍ଷେତ୍ର କୁ । ସମଗ୍ର ଓଡିଶା ଜଗନ୍ନାଥ ମୟ ହୋଇ ପଡିଛି । ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଆତ୍ମା, ପ୍ରତିଟି ହୃଦୟ ର ସ୍ପନ୍ଦନ । ପ୍ରତି ଓଡ଼ିଆଙ୍କ ତୁଣ୍ଡରେ ଜୟ ଜଗନ୍ନାଥ ଧ୍ୱନି । କୋଟି ଓଡ଼ିଆ ଙ୍କର ସେ ମଉଡମଣି । କୋଟି ଓଡ଼ିଆ ଙ୍କର ସାଧନ ଓ ପୂଜାର ସମର୍ପଣ ସ୍ଥଳ ହେଉଛି ଶ୍ରୀକ୍ଷେତ୍ର । ଫଳତଃ ଶ୍ରୀ ଜଗନ୍ନାଥ ମହିମା, ଶ୍ରୀଜଗନ୍ନାଥ ଚେତନା,ଶ୍ରୀଜଗନ୍ନାଥ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରସାରିତ ହେବା ସହିତ ଭକ୍ତ ଓ ଶ୍ରଦ୍ଧାଳୁ ଟିଏ ଦିବ୍ୟ ଅନୁଭୂତି ସହିତ ପରମ ସନ୍ତୋଷ ର ମନ ଟିଏ ନେଇ ଫେରି ପାରିବ । ପରିକ୍ରମା ପ୍ରକଳ୍ପ ବିଶ୍ବସ୍ତରରେ ଆକର୍ଷଣ ର କେନ୍ଦ୍ରବିନ୍ଦୁ ହେବ । ଭକ୍ତ ଟିଏ ଭକ୍ତି ଭାବନା ସହିତ ଉତ୍କଳ ର ସୂକ୍ଷ୍ମ କାରୁକାର୍ଯ୍ୟ କଳା ସ୍ଥପତି ବିଷୟ ରେ ଜ୍ଞାନ ଲାଭ କରି ପାରିବ । ସଂସ୍କୃତି ହେଉଛି ଗୋଟିଏ ଜାତିର ପରିଚୟ । ମାନବ ସଭ୍ୟତାର ପ୍ରାଣକେନ୍ଦ୍ର ହେଉଛି ସଂସ୍କୃତି । ଉତ୍କଳର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ବାଦଦେଲେ କୌଣସି ସଂସ୍କୃତି, ସାହିତ୍ୟ,ଐତିହ୍ୟ,ବିଶ୍ୱାସ ଓ ପରିଚୟ ର କଳ୍ପନା କରାଯାଇ ପାରେନା । ଜଗନ୍ନାଥ ସଂସ୍କୃତି ହେଉଛି ସାର୍ବଜନୀନ ସଂସ୍କୃତି । ସର୍ବ ହିତୈଷୀ ସଂସ୍କୃତି । ସମଗ୍ର ମାନବ ଜାତିର ପ୍ରାଣ ହେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ପ୍ରଭୁ ଜଗନ୍ନାଥ ହେଉଛନ୍ତି ମାନଵବାଦ ର ଠାକୁର । ବିଶ୍ୱ ମୈତ୍ରୀର ଠାକୁର ସେ ମୁକ୍ତି,ସାମ୍ୟ,ମୈତ୍ରୀ ପ୍ରୀତି ର ପ୍ରତୀକ । ଯାହାର ଦାଣ୍ଡ ବଡଦାଣ୍ଡ, ଯାହାର ଦେଉଳ ବଡ ଦେଉଳ, ଯାହାର ପ୍ରସାଦ ମହାପ୍ରସାଦ, ଯିଏ ବଡ ଠାକୁର ନାମରେ ସାରା ବିଶ୍ୱରେ ପରିଚିତ ସେ ଲୀଳାମୟ କରୁଣାମୟ ଭକତ ର ସଖା ଭକତ ର ବନ୍ଧୁ ପୁରୁଷୋତ୍ତମ । ସେ ସବୁବେଳେ ଚେତେଇ ଦିଅନ୍ତି ମଣିଷ ବଡ଼ ନୁହେଁ ମଣିଷ ପଣିଆ ବଡ଼ । ଉତ୍କଳୀୟ ସାଂସ୍କୃତିକ ର ଅସ୍ମିତା ହିଁ ଶ୍ରୀ ଜଗନ୍ନାଥ । ସଂସ୍କୃତି ହେଉଛି ଜାତିର ପରିଚୟ । ଆମ ଓଡ଼ିଶାର ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି । ଜଗନ୍ନାଥ ସଂସ୍କୃତି ରେ ଆମ ଓଡ଼ିଆ ପରିଚିତ । ଯେତେ ସବୁ ଶୁଭ କାର୍ଯ୍ୟ ମାଙ୍ଗଳିକ କାର୍ଯ୍ୟ ପ୍ରାରମ୍ଭ ହୋଇଥାଏ ସେହି ଜଗନ୍ନାଥ ସଂସ୍କୃତି ରୁ । ସମଗ୍ର ମାନବ ଜାତି ର ପ୍ରାଣ ର ଅଧୀଶ୍ଵର ହେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ସେ ମାନଵବାଦ ର ଠାକୁର ।ସନାତନ ଧର୍ମ ର ମୂଳନୀତି ହେଉଛି ବସୁଧୈବ କୁଟୁମ୍ବକମ । ଉତ୍କଳୀୟ ମାନଙ୍କର ଆଧ୍ୟାତ୍ମିକ ଭାବଧାରା ସେମାନଙ୍କର ପର୍ବପର୍ବାଣୀ, ଯାନିଯାତ୍ରା,ଉପବାସ ବ୍ରତ,ପୂଜାପାଠ ରେ ଉଦ୍ଭାସିତ ହୋଇଥାଏ ଜଗନ୍ନାଥ ସଂସ୍କୃତି । ବେଦ ବେଦାନ୍ତ ରେ ବ୍ରହ୍ମ ଙ୍କର ଯେଉଁ ସ୍ୱରୂପ ବର୍ଣ୍ଣିତ ଅଛି ତାହା ଦାରୁ ରୂପରେ ନିଳାଚଳ ରେ ବିଦ୍ୟମାନ । ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାରତୀୟ ଚେତନା ର ଅଭିବ୍ୟକ୍ତି । ସକଳ ଚେତନା ମତବାଦ ଓ ସିଦ୍ଧାନ୍ତ ର ସନନ୍ବିତ ବିଗ୍ରହ ।ଭାରତୀୟ ଧର୍ମ ଓ ଦର୍ଶନ ର ପ୍ରାଣ ପ୍ରାଚୁର୍ଯ୍ୟ । ଅଲୌକିକ ତାଙ୍କର ରୂପ ଲାବଣ୍ୟ । କୋଟି ଲାବଣ୍ୟନିଧି ଙ୍କ ଆଦିଅନ୍ତ ନାହିଁ । ବିଶ୍ୱ ବ୍ରହ୍ମାଣ୍ଡମୟ ସେ । ଯାହାଙ୍କ କ୍ଷଣିକ ଇଙ୍ଗିତରେ ଶୁନ୍ୟ ବ୍ରହ୍ମାଣ୍ଡ ମଧ୍ୟରେ କୋଟି କୋଟି ସୂର୍ଯ୍ୟ ଚନ୍ଦ୍ର ତାରା ଙ୍କ ଅପୂର୍ବ ଜ୍ୟୋତି ଉଦ୍ଭାସିତ ହୋଇଉଠେ । ସେ ହିଁ ଜଗତର ନାଥ ଶ୍ରୀ ଜଗନ୍ନାଥ, ସର୍ବଧର୍ମ ର ସମନ୍ଵୟକାରୀ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କୋଟି କୋଟି ଜନତା ଙ୍କର ସେ ପ୍ରାଣ ର ଠାକୁର । ଶ୍ରୀ ଜଗନ୍ନାଥ ଙ୍କ ବିନା କାବ୍ୟ କବିତା ଭଜନ ଜଣାଣ ସୃଷ୍ଟି ଅସମୂର୍ଣ୍ଣ । ବୁଦ୍ଧ ସାହିତ୍ୟରେ ବୁଦ୍ଧଦେବ ଙ୍କୁ ଜୈନ ସାହିତ୍ୟ ରେ ମହାବୀର ଙ୍କୁ ବିଷ୍ଣୁ ପୁରାଣ ରେ କୃଷ୍ଣ ଙ୍କୁ ସାରଳା ମହାଭାରତ ରେ କୃଷ୍ଣଙ୍କୁ ଜଗନ୍ନାଥ ରୂପରେ ବର୍ଣ୍ଣନା କରାଯାଇଅଛି । ଧର୍ମ ହେଉଛି ଉପାସନା ର ପୁଞ୍ଜି କିନ୍ତୁ ଆଧ୍ୟାତ୍ମିକତା ଏକ ଦିବ୍ୟ ଚେତନା ର ମାର୍ଗ । ଆତ୍ମ ସମର୍ପଣ ଭାବ ହିଁ ଶ୍ରଦ୍ଧା, ଭକ୍ତି,ପୂଜା,ଅର୍ଘ୍ୟ, ମୈତ୍ରୀ,ପ୍ରେମ,ସାମ୍ୟ, ଏକତା,ଆନନ୍ଦର ଅମୃତ ଧାରା । ଆଜି ଭୌତିକ ଓ ବୌଦ୍ଧିକ ବିକାଶର ପ୍ରହେଳିକା ରେ ମନୁଷ୍ୟ ଦିଗହରା । ମାନସିଜ ସନ୍ତୁଳନ ହରାଇ ବସୁଛି । ଜଞ୍ଜାଳରେ ଅସ୍ତବ୍ୟସ୍ତ ହେଉଥିବା ମଣିଷ ପାଇଁ ଈଶ୍ୱରୀୟ ଚେତନା ହେଉଛି ବଞ୍ଚିବାର ମାର୍ଗ । ନୀତି ରୁ ନୈତିକତା ସତ୍ୟ ରୁ ସାତ୍ତ୍ଵିକତା ର ସୃଷ୍ଟି । ଆଧ୍ୟାତ୍ମିକତା ମାର୍ଗରେ ଅଗ୍ରସର ହେଲେ ବ୍ୟକ୍ତି ନିଜ ଜୀବନ କୁ ବନ୍ଧନମୁକ୍ତ,ଭୟମୁକ୍ତ କରି ଶାନ୍ତି ର ସହିତ ଜୀବନ ଯାପନ କରି ବଂଚିପାରେ । ସେବାରେ ତ୍ୟାଗରେ ମଣିଷ କୁ ଆନନ୍ଦ ମିଳିଥାଏ । ବିନ୍ଦୁଏ ତ୍ୟାଗରୁ ସିନ୍ଧୁଏ ଆନନ୍ଦ ମିଳିଥାଏ ।
ସମଗ୍ର ବିଶ୍ୱରେ ଏମିତି ଠାକୁର ନାହାଁନ୍ତି, ହସ୍ତ ନଥାଇ ସହସ୍ର ବାହୁ ପ୍ରସାରି ଭକ୍ତ ଠାରୁ ଶ୍ରଦ୍ଧା ଗ୍ରହଣ କରନ୍ତି, ଗୋଡ଼ ନଥାଇ ଜଗତ ଭ୍ରମଣ କରି ଲୋକଙ୍କ ଦୁଃଖ ହରଣ କରନ୍ତି, କର୍ଣ୍ଣ ନଥାଇ ଜଗତ ର ଗୁହାରୀ ଶୁଣନ୍ତି । ଭଗବାନ କେଉଁଠି ଥାଆନ୍ତି ନା ବୈକୁଣ୍ଠ ରେ ନା' ମନ୍ଦିରରେ, ଭଗବାନ ଥାଆନ୍ତି ଭକ୍ତ ର ହୃଦୟ ରେ ଭାବରେ ଭକ୍ତି ରେ ସେ ବାନ୍ଧି ହୋଇଯାଆନ୍ତି । ଭକ୍ତ ମାନଙ୍କୁ ସୁରକ୍ଷା ଦେବା ପାଇଁ ଭକ୍ତ ମାନଙ୍କୁ ଉଦ୍ଧାରିବା ପାଇଁ ଯୁଗେ ଯୁଗେ ଭଗବାନ ବିଭିନ୍ନ ରୂପରେ ଅବତୀର୍ଣ୍ଣ ହୋଇଥାନ୍ତି । ସେ ତ୍ରିଗୁଣାତୀତ, ସର୍ବବ୍ୟାପକ । କେବେ ଲଜ୍ଜ୍ୟା ନିବାରଣ କରନ୍ତି ତ କେବେ ଉଛିଷ୍ଟ ବି ତାଙ୍କୁ ସ୍ୱାଦଯୁକ୍ତ ଲାଗିଥାଏ । କେବେ ହାତ ପ୍ରସାରୀ ଦିଅନ୍ତି କେବେ ଅଭିମାନୀ ଭକ୍ତର ବକ୍ଷ ଦେଶରେ ପାଦଚିହ୍ନ ଦେଖେଇ ଦିଅନ୍ତି । କେବେ ଅହଲ୍ୟା, କେବେ କୁବୁଜା, କେବେ ଗଜ ଉଦ୍ଧାରଣ, କେବେ ସରଳ ବିଶ୍ୱାସୀ ବାଳକ ପାଇଁ ଅବତାର ନେଇଥାନ୍ତି । କେବେ କେଉଁ ଭକ୍ତ ପାଇଁ ରଥ ଅଟକାଇ ଦିଅନ୍ତି । କେବେ ମଣିଦାସ ଙ୍କ ଭକ୍ତିରେ ତ କେବେ ଜୟଦେବ ଙ୍କ ଭକ୍ତିରେ କେବେ ଦାସିଆ ବାଉରୀ ଶ୍ରଦ୍ଧାରେ ସେ ଶ୍ରୀମନ୍ଦିର ରୁ ଟାଣି ହୋଇଯାଆନ୍ତି । କେବେ ଧ୍ରୁବ କେବେ ପ୍ରହ୍ଲାଦ କେବେ ବନ୍ଧୁ ମହାନ୍ତି ପାଇଁ ସେ ଅବତାର ନିଅନ୍ତି ।
ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ଭାବ ଦିଆନିଆ ର ସମ୍ପର୍କ । ଶ୍ରୀ ଜଗନ୍ନାଥ ହେଉଛନ୍ତି ଲୋକପାଳକ ଓ ଲୋକ ଉଦ୍ଧାରକ । ସେ ପୂର୍ଣ୍ଣଜ୍ଞାନ ପୂର୍ଣ୍ଣଶକ୍ତି ଓ ପୂର୍ଣ୍ଣ ଆନନ୍ଦ ର ଆଧାର । ଯାହାଙ୍କ ଠାରୁ ଏ ସମଗ୍ର ପ୍ରାଣୀ ଜନ୍ମଗ୍ରହଣ କରନ୍ତି, ଯାହାଙ୍କ ଦ୍ୱାରା ପ୍ରତିପାଳିତ ହୁଅନ୍ତି ଏବଂ ମୃତ୍ୟୁ କାଳରେ ଯାହାଙ୍କ ଠାରେ ଲୀନ ହୁଅନ୍ତି ସେ ହିଁ ବ୍ରହ୍ମ । ଶ୍ରୀ ଜଗନ୍ନାଥ ଜଗତ ର ସମସ୍ତ ପଦାର୍ଥ ରେ ବିଦ୍ୟମାନ । କିନ୍ତୁ ଜୀବ ଠାରୁ ପୃଥକ । ସେ ସୃଷ୍ଟି ସ୍ଥିତି ଲୟ ର କାରଣ । ସେ ଅନାଦି,ଅନନ୍ତ,ଅବ୍ୟକ୍ତ ଅଦମ୍ୟ,ଅସୀମ,ଅଖଣ୍ଡ,ଅଦୃଶ୍ୟ,ଅନାମ,ଅଘଟ, ଅମାପ ଏବଂ ଅଦ୍ଵିତୀୟ । ଜୟ ଜଗନ୍ନାଥ ।
