STORYMIRROR

Lopamudra Parida

Action Inspirational

4  

Lopamudra Parida

Action Inspirational

ଶରଣାର୍ଥୀ

ଶରଣାର୍ଥୀ

6 mins
221



ଗଳ୍ପ:ଶରଣାର୍ଥୀ 

________________

ଲୋପାମୁଦ୍ରା ପରିଡା 

ଆଜିର ଦିନଟା ତାର ବଢିଆ କଟି ଥିଲା ।ଖାଲି ଆଜି ନୁହେଁ ଦି ଚାରିଦିନରୁ ତାର ବଢିଆ ଯାଉଛି ।ବିନ୍ଦାସ୍ ।ମନ ଖୋଲା ଖୁସିଟେ ଲାଖିଛି ତା ଓଠରେ । ରହମାନ୍ ।ହମିଦ୍ ରହମାନ୍ ତାର ନାଆଁ ।ରଙ୍ଗ ମିସ୍ତ୍ରୀ ।ଏବେର ପରିଚୟ ।।

ରାଜଯୋଟକରେ ସିନା ରଜା ଘରେ ଲୋକେ ଅଭିଷେକ ହୁଅନ୍ତି ,ହେଲେ ଆମର ରାଜଯୋଟକ ମାନେ କଣା ପକେଟରେ ରୋଜଗାର ସହ ପେଟରେ ଦାନା ଦି ଓଳିର ପକ୍କା ହେଇଗଲେ ହୁଏ ।

ତିନିଦିନ ହେଲାଣି ଖାଇ ପିଇ ବି ତା ' ପକେଟରେ ଦଶ କୋଡିଏ ବଳୁଛି ।କଣ କମ କଥା କି ! ସିଏ ଠଣାରେ ରଥ ଦାଣ୍ଡ ରୁ କିଣିଥିବା ସରାଗାତରେ ତାକୁ ଜମଉଛି ଗାଁ କୁ ଗଲାବେଳେ ମୁଠାଏ କଣ ଅଧିକାକି ନେଇଯିବ ତ ଝୋପଡ ଚାଳିଆଟାରେ ବି ଓଳିଏକ ପାଇଁ ପଛେ ହଉ ହସ ତ ଶୁଭିବ ।

ରହମାନ ମାନଙ୍କର ଗାଁ କଣ ମ ? ଉଠା ଯାଯାବର ପରା ।ବଂଞ୍ଜାରା। ଯୋଉଠି ଚାଉଳ ଗଣ୍ଡେ ମିଳିଲା ସେଇଠି ପେଟରା ଖୋଲ ।ଧୁଅ, ଶୁଖାଅ, ଜୀଅଁ ।

ଏବେ ଏବେ ଯୋଡା ହେଇଛି ତାର ଚାଳିଆଟା ବି ସେଇଠି ,ଯୋ'ଦିନୁ ସଲମା ( ତା ନାଆଁ ତାକୁ ଜଣା ନାହିଁ, କଥା ବି ତ କହିପାରେ ନା, ସଦମା ଯୋଗୁଁ ହଉ କି ଜନ୍ମ ରୁ .... ଏବେ ତ ଚୁପ୍ । ମତେ ସୁହାଇଲା ପରି ନାଆଁ ଟେ ମୁଁ ଦେଇଛି ତାର ।ମୋର ପୁରୁଣା ମିଠା ସ୍ମୃତି ରୁ ଚେନାଏ ଚିରି ଆକାଶ ର ସାମିଆନା ବାନ୍ଧିଛି ଯାହା ।ଉଦାସୀ ଆଖି ହଳେ ।ସେଇଥିରେ ଶୁଣେ । ତାର ମୋର ସଂପର୍କ କଣ ଆମ ଭିତରୁ କେହି ଜାଣୁନା ।କହିହୁଏନା ଅନେକ ସଂପର୍କର ନାଆଁ । )  ତା ଜୀବନ କୁ ଆସିଛି ଆଉ ପରେ ପରେ ପଲମ୍ ଟା ବି ।' ପଲମ୍ ' ଗୋଟେ କି ନାଆଁ ଭାବୁଛନ୍ତି କି ? ମନକୁ ଯାଉନି? ମତେ ସିଏ କୁଜୁରିକାଜୁରି ହେଇ ପଲମ ତଳୁ ମିଳିଥିଲା ବୋଲି ସମିନା ତା କୁ' କୋଳେଇ ନାଆଁ ଟେ ଦେଇଦେଲା ' ପଲମ୍ ' । କୁନି ଖେଳନା କଣ୍ଢେଇ ଛୁଆ ପରି ଦିଶେ ଦେଶୀ କୁକୁରଟା ହେଲେ ବି  ।ଏଇ ସମିନାଟାକୁ ବି ମୁଁ ପାଇଥିଲି ଶୀତ ରାତିରେ ଓଦା ସର ସର ଜାକିଜୁକି ଅବସ୍ଥା ରେ ପଡିଥିଲା ଓ ଓ .... ସେ ଓସ୍ତଗଛ ମୂଳେ ।ଅଚେତିଆ ହାଲତରେ ବି ' ଦାଦା, ଦାଦା' କହି ମୋ ହାତକୁ ମୁଠେଇ ଧରିଥିଲା ।ମତେ ମୋ ସାନ ସୁନା ଭଉଣୀ ଲେଉଟାଣିରେ ବିଧାତା ଫେରେଇଦେଲା ପରି ଲାଗିଥିଲା ।ଛାତି ତଳେ ସ୍ନେହ ଚାରାଟେ ଆପେ ଲଟେଇଗଲା ତ ତାକୁ କୋଳେଇ ଆଣି ଝୋପଡକୁ ଫେରି ସଲମା କୁ ଦେଲି ।ସିଏ ଖାଲି ଗୋଟେ ଶୂନ୍ୟ ଚାହାଣୀ ଟେ ଦେଇ ତାକୁ କୋଳେଇ ନେଲା ତା' ନିଜର ଝିଅ ପରି ।

ତାର ବି ବୟସ କେତେ ହବ ? ଏଇ ମୋ ଚାହିଁ ଉଣେଇଶ୍ ବିଶ୍ ।ଆଉ ମୋର ବୟସ? ହା ହା ।ବନ୍ଧନ ମୁକ୍ତ ।

ତଥାପି କହିରଖେ ଗାଁ କଲେଜରେ ଏଇବର୍ଷ ସରିଥାନ୍ତା ସ୍ନାତକ ।ଭାବିଥିଲି ହଳ ଧରିବି ଅବ୍ବୁ ସହ ।ଡିଗ୍ରୀ ଧରି ଧାଡିରେ ..... ବେରୋଜଗାର ହେବିନି ।ଗରିବ ପାଇଁ ଚାକିରି ଟା ଦଲାଲି ଚକ ତଳେ ପେଶା ।ପଙ୍କକୁ ଯିବିନି କି ଗୋଡ ଧୋଇବିନି ।ଏବେ? ଏବେ ତ ଅବ୍ବୁ ନାହିଁ କି ତା ' ବିଲ ।ଟଙ୍ଗାହେଇଥିବା ନୀଳ ଚାଦର ତଳେ ଉଦାସିଆ ଜହ୍ନ ଟା କବିତା ଲେଖାକୁ ପାଏ, ଲୁହ ପୋଛେ ଥୋଡେନା ।

ଏଠି ଆମେ ସବୁ ଗୋଟିଏ ଡଙ୍ଗାର ସବ୍ବାରୀ ।ସମସ୍ତେ ସମସ୍ତଙ୍କୁ ଆପଣାର କରିନିଅନ୍ତି ନିଃଶବ୍ଦରେ ।ଦରକାର ପଡେନି ଜାତି, ଧର୍ମ, ଆଜୁବଜୁ ।

ସମିନା କହେ ବାଲି ମାଟିରେ ଖେଳୁ ଖେଳୁ ସମୁଦ୍ର ଆଡେ ହାତ ଦେଖେଇ ," ଜାଣୁ ଦାଦା, ଏଇ ନୀଲାପାଣି ତଳେ ସରଗ ଥାଏ ।ମାଆ ଥାଏ, ବୁଆ ଥାଏ ।ଆମର ଘର ଆଉ ଗାଁ ସବୁ ୟାରି କୋଳେ ଶୁଏଛି । ତୁ ଜାଣୁ? "  

ପଚାରନ୍ତି ତାକୁ ମିଳନ୍ତା ଯଦି ସେ ବାଟେ ଘାଟେ କୋଉଠି ବି ଯିଏ ବନେଇଥିଲା ଧର୍ମ, ସରହଦ, ରିଫ୍ଯୁଜି ପରି ଶବ୍ଦ ସବୁ  ," କାଇଁ ରେ ତୋର କଣ ଅସୁବିଧା ଥିଲା, କଳି ମଞ୍ଜି ପୋତି ଆସିଲୁ ଯେ ? ଉତ୍ତର କିଏ ଦବ ? ହେଁ ।"

କଣ ମିଳେ ଏ ଦଙ୍ଗା ରୁ ? କଣ ମିଳେ ଏ ରକ୍ତ ଧାରରୁ? କେବେ ବୁଝିବା?ଭଲ ଲାଗେ କଣ ନିଜ ସ୍ବାର୍ଥ ନେଇ ବାରମ୍ବାର ନୀରିହ ମଣିଷ ସବୁଙ୍କୁ ଦଳି ଦେବାକୁ?ଈଶ୍ବର ବୋଲି କିଏ ଗୋଟେ ଯଦି ଅଛି ସିଏ କାନ୍ଦୁଛି ।ତା' ମୁଣ୍ଡ ରେ ସବୁ ଅଠା ଅଜଥାରେ ବୋଳା ଚାଲିଛି ।ହେଲେ ନିର୍ବିକାର ସେ ,ଉପାୟ ବି ତାର କାଇଁ? ଏଇ ମଣିଷ ବି ତ ସିଏ ତିଆରିଛି ।ଲହଡି ଲହଡି ଲୁହ ଢାଳି ପଶ୍ଚାତାପ କରୁଛି ।

ଏଠି କିନ୍ତୁ,  ହଁ ମ ଏଇ ବସ୍ତିରେ ମନ ଖୋଲା ହସନ୍ତି ସେମାନେ ।ନା ଚିନ୍ତା ନା ଦକ ।ନା ସଞ୍ଚା ନା ବାଦ ।କୁରୁମ ଭଳିଆ ହାଡ ଭଙ୍ଗା ଖଟି ଖଟି ଜହ୍ନ ଉଇଁଲା ବେଳକୁ ଥକିଚୁରି ଖଟିଆ ଧରୁଧରୁ ଫାଁ ।ସିଏ ଦେହ ଦରଜ ମାରିବାକୁ କୋଉ ଦିନ ନାଲିପାଣି ଚଢେଇନି ।ହଁ ଭୋକିଲା ପେଟରେ ବି ଓଦା କନା ଦେଇ ଶୋଇଛି ହେଲେ ସେପଟକୁ କୋ' ଦିନ ମନ ଝାଙ୍କିନି ।ହାଙ୍କିକି ତା ' ପକେଟରୁ ପଇସା କେହି ଛଡେଇ ନେଇନି ବି ସିଏ ଏ ପଲ୍ଲାଟାରେ ରହିଲାଦିନୁ ଗୋପାଳ ସହ ।ଏଇ ଖାଲି ତାର ଖୋଲି ସାଙ୍ଗ ନୁହେଁ ଘଣି ବି ।ସବୁ କହେ ସିଏ ତାକୁ ସକାଳୁ ଯେ ଫେରିଲା ଯାଏ ।ସିଏ ଶୁଣୁ ଶୁଣୁ ଶୋଇଗଲେ ବି ଇୟେ କହୁଥାଏ, କହିସାରି ଶୁଏ ।ଏଠି କଣ ଘର ମଣିଷ କିଏ ଅଛି ଯେ ? ସିଏ ହି ତ ସବୁ ହେଇଛି ତାର .... ବାପା, ଭାଇ,ସାଙ୍ଗ ।ଲୋଭ ,ମୋହ କାଇଁ? କାହା ପାଇଁ ବି ହବ ?ଏଇ ତିଆରି ହଉଥିବା ସଂପର୍କ ପାଇଁ ?।

ଗୋପାଳର କିନ୍ତୁ ଗୋଟେ ଗାଁ ଅଛି ।ଏଇ ପାଖ କୋଉଠି ।ଓଡିଶାରେ ।ସିଏ ରହମାନ୍ ପରି ସୁଦୂର ବଙ୍ଗଳାଦେଶ ର ରିଫ୍ଯୁଜି ଥୋଡେ ନା । ନା ତାର ବନ୍ଯା ସବୁ ଭସେଇନେଇଛି ଯେ ତାର ଗାଁ ନଥାନ୍ତା ।

ହେଲେ ବି ସିଏ ତାକୁ କୋ' ଦିନ କହିନି ତୁ ଅଜାତି ବୋଲି ଯେମିତି ତାକୁ ତାଙ୍କ ଗାଁ ର କୃଷ୍ଣ ମନ୍ଦିର ର ସେ ବରୁଣମୁହାଁ ପୂଜାରୀ କହେ ' ହେ ଦୁର୍ ଦୁର୍, ଅଛୁତ କହିଁକା ।ସକାଳ ମାରା କରିଦେଲା ' ଶଃ ପୁଣି ମୁଣ୍ଡ ବୁଡେଇ ଗାଧେଇବାକୁ ହବ ' ।

ଇଏ କାଳେ ବ୍ରାହ୍ମଣ? ଯେ ବ୍ରହ୍ମ କୁ କାଳେ ଚିହ୍ନେ ! ହା ହା ।

ତାକୁ ଟିକେ ବି ଭଲ ଲାଗେନା ରାଇଁ ଝ୍ଇଁ କଥା ହେଲେ ସିଏ ବିଷ ପରି ପିଇ ଯାଏ ।ତାକୁ ଲାଗେ ସେ ଲୋକଟାର ଜିଭ ହି ମାରା ।ବିଷଜିଭଟେ ।ଦୂରରେ ଥାଇ ବି ଚରେଇଦେଇପାରେ ରକ୍ତ ରେ ନେଳି କଣ୍ଟା ଫୁଟା ଫିଙ୍ଗା ଶବ୍ଦ ଟିରେ ।ଛିଃ ।ମଣିଷ ହେଇ ମଣିଷ କୁ ଏତେ ଘୃଣା କରିବାକୁ କଣ ଆଲ୍ଲା, ରାମ କି ରହିମ୍ କହିଛି ? କାଇଁ ଖୁଦାର କୋଉ ବହିରେ ଲେଖା ଅଛି ଦେଖେଁ ! 

ଏଇ ଗୋପାଳଟା କିନ୍ତୁ  ତା ନାଆଁ ପରି ଗୋପାଳ ହି ।ଭଲ ପାଏ ଖାଣ୍ଟି ମଣିଷ ପରି ।ମଣିଷ କୁ ମଣିଷ ବାଗେର୍ ଖାତିର୍ କରେ ,ନ ଥାଉ ... ନଥାଉ ନା ଅଧୁଲିଏ ବି ତା ପକେଟରେ ..... ଦିଲ୍ ର କିନ୍ତୁ ସେ ରାଜା ,ସେହେଜାଦା ।ମତେ ଲାଗେ ତାର ବି ତ ଅନେକ କଥା କହିବାର ଥିବ ।ସିଏ ବି ତ ଭୋଗିଥିବ,ଜୀଇଁ ଥିବ, ମରିଥିବ କିଛି ପଲ୍ ।ହେଲେ ସବୁକୁ ଛାତି ତଳ ସିନ୍ଧୁକରେ ତାଲା ଦେଇ ମହାନଦୀ ପେଟକୁ ଚାବି ଫୋପାଡି ହଜେଇ ଦେଇଛି ଯେମିତି ଜାଣି ଜାଣି।ତା ଓଠ କିଛି କହେ ହେଲେ ଆଖି ଆକାଶ ସହ କଥା ହୁଏ ।ଜମା ଧରା ନ ପଡୁ ବୋଲି କେତେ ବାହାନା କରେ ।ଯେତେ ଉଖୁରେଇଲେ ବି ସିଏ ହସିଦିଏ ସିନା ତାଲା ଖୋଲେନି ।

ଏଇ ଗୋପାଳ ହି ତାକୁ କୁଟା ଖିଅର ସାହା ବଢେଇଥିଲା ।ସେଦିନ ଆଉ କିଏ ସବୁ ବାବୁଭାୟା ଙ୍କ ଧଳା ଧୋବ ଗାଡିରେ ଫଟୋ ଉଠା ସରିଲା ପରେ ଧୋଇ ଅଞ୍ଚଳରେ ଗୋପାଳ ବାଣ୍ଟୁଥିଲା ପାଉରୁଟି ।ମୁଣ୍ଡା ପାଉରୁଟି ।ଏ ବିକଟାଳ ଅସୁର ପରି ଭୋକକୁ ଏ ବକଟେ ପାଉରୁଟି? ପାଏ? ଗୁଡେ ପାଦ ତ ଘୋସାରି ପହଞ୍ଚି ପାରି ନ ଥିଲେ ଧାଡିବାନ୍ଧିବାକୁ ।ସେଇ .... ସେଇଲାଗି ମୁଁ ଉଠେଇନେଲି ଆଉ ଦୁଇଚାରି ଯେତେଟା ହାତ କହୁଣିରେ ଜାଗା ଧରିବ ବେହିସାବ ।ପେଟ ପାଇଁ ତ ନା ,ହିସାବ କଣ ? ମୋ ହାତକୁ ଧରିନେଲା ଗୋପାଳ ମୁଠେଇକି ।ଠାଏ କରି କସିଦେଲା ଗାଲରେ ।" ଚୋରି ହାଁ, ଚୋରି କରୁଛୁ? ଲଜ୍ଜା ଅଛି? ବେଲଗାମ । " ଏତେ ବଡ ପାଟିରେ କହିଲା ଯେ ସତରେ ଲଜ୍ଜା ଆସିଲା । ସବୁ ଫେରେଇ ଦେଇ ଚାଲି ଆସିଲି ।କିନ୍ତୁ କହି ଆସିଲି " ଭୋକ ଚିହ୍ନୁ ବାବୁ? ନାଁ ଖାଲି ହାତ ଉଠେଇ ଜାଣୁ ? "

ମତେ ଖୋଜି ଖୋଜି ତାଟକା ଆଖି ତାର ଗୋଟେଇ ନେଲା ନର୍ଦ୍ଦମାରୁ ।ଯେତିକି ହଉ ରୋଜଗାର ଟେ ଦେଲା ,ଭାଇ ପରି ।ସେ ଦିନଠୁ ସେ ମୋ ଭାଇ ।

__________


ଚାଲିଥିଲା ସବୁ ।

ବସ୍ତି ଘରୁ ଦି ବଖରା ଆଜବେଷ୍ଟ ଓ ପରେ ପରେ ପକ୍କା କାନ୍ଥ କୁ ଉଠି ସାରିଥିଲି ମୁଁ ।ପାଠ ଦି'ଅକ୍ଷର ପଢା ମୋର ଢେର୍ କାମ ରେ ଆସିଲା ।ଚାକିରି ଟେ ପାଇ ସାରିଥାଲି ।ବୟସ ତା ' ବାଟରେ ଗଡୁଥିଲା ।ସଲମା, ସମିନା,ଗୋପାଳ ଭାଇ ସବୁ କେବେଠୁ ଯେଝା ବାଟରେ ଯୁଆଡେ ଯାଇ ସାରିଥିଲେ ।ଭାଗ୍ୟ ର ଖେଳ, ସାର ଗଡଉଥାଏ ।ଥିଲା ତ କେବଳ ପଲମ୍ ଟା ।ସିଏ ବି ମୋ ଭଳିଆ ଠୋକର୍ ଖାଇ ଖାଇ ବୁଢା ହେଇସାରିଥିଲା,ହେଲେ ଲାଞ୍ଜ ହଲଉଥିଲା ।ଏବେ ସିଏ ହି ଥିଲା ମୋର ସବୁ ।

ମଞ୍ଜି ଫାଟି ବୀଜପତ୍ର ଆସେ ,କଅଁଳି ଯାଏ ଆକାଶ ଛୁଆଁ ପତ୍ର ଯାଏ ନିଃଶବ୍ଦେ ।ହେଲେ ଭାଙ୍ଗି ରୁଜି ଗଲା ବେଳେ ମଡମଡ ଗର୍ଜନ କରେ ।ଛାତିଫଟା କର୍କଶ ।କଷ୍ଟ ତ ଥିଲା ହେଲେ କଷ୍ଟ ରେ ବଢିଥିବା ଦେହ ମନକୁ କଷ୍ଟ ବା କେତେ ବାଧେ !

ସରିଯାଉଥିବା ଆୟୁଷ ସହ ତାଳ ଦେଇ ସରିଯାଉଥିଲା ଜୀବନ ।ହେଲେ ଅଭିଜ୍ଞତା ସାଉଁଟୁଥିଲା ପ୍ରତି ନୂଆ ସକାଳ ରେ ।

ସେଦିନ ମୋ ଏଇ ଦଶଫୁଟର ବଖରା କାନ୍ଥ ଫଟେଇ ଚେର ମଡେଇ ଥିବା ଓସ୍ତ ଗଛ ମତେ ମନେ ପକେଇଦେଉଥିଲା ଟିକି ସମିନା କୁ , କୋଉଠୁ ଗୋଟେ ଉଡି ଆସି ଫାଟକରେ ଲାଖିଥିବା ଗୋଲାପି ଓଢଣୀ ଟେ ଓଠ କୋଣରେ ହସଟେ ଟାଙ୍ଗୁଥିଲା ,ଆଉ ପାଉରୁଟି ଯେତେବେଳେ ଦେଖୁଥିଲି ଗାଲ ଛୁଉଁ ଥିଲା ହାତ ଆପେ ଗୋପାଳ ଭାଇର ସ୍ମୃତି ରେ ।ଏମିତି ରେ ତ ହଜାରେ ଲୋକ ଆସନ୍ତି ଯାନ୍ତି ଜୀବନ ଅଧ୍ୟାୟ ରେ ହେଲେ ମନ ଲେଖି ରଖି କିଛି ଟା ନାଆଁ ଶେଷ ଯାଏ ।ସେତେବେଳର ମାଟି ଫଟା ବେଳର ଗାର ବି ଫିକା ।ପୁରା ଜୀବନ ବୁଝି ପାରିନଥିଲି ଗାର ଟାଣିବା ଲୋକର ଉଦେଶ୍ଯ ।

ଆଜି ପଲମ୍ ଟା ସକାଳୁ ଧାଉଁଛି ଯେ ଧାଉଁଛି ।ମୋ ପାଦ ଚାଟୁଛି, ଲାଞ୍ଜ ଛାଟୁଛି ।ଖୁସି ଦିଶୁଛି,ମୋ ଧୋତି ଅଗ ଦାନ୍ତରେ କାମୁଡି ଟାଣୁଛି ।କଣ ଗୋଟେ ପାଇଯାଇଛି ଯେମିତି । ଶେଷକୁ ମୁଁ ଉଠିଲି ଆଉ ଗଲି ତା' ପଛେ ପଛେ ତା' ଆଗ୍ରହକୁ ଆଦର କରି ।ଫାଟକ ଖୋଲି ଆମେ ଖଣ୍ଡେ ବାଟ ଚାଲିଲୁଣି ।

ସିଏ ଦଉଡୁ ଥାଏ ଆଗେ ଆଗେ । ଗୋଟିଏ ଯାଗାରେ ଲସର ପସର ହେଲା ଅଟକିଯାଇ, ନାକ ଘସିଲା ।ମୁଁ ପାଖକୁ ଯାଇ ଦେଖେ ଦଶ ଏଗାର ବର୍ଷ ର ପୁଅଟିଏ ଜାକି ଜୁକି ଥରୁଥାଏ ବସି ,କୋଳରେ କଅଁଳିଆ ଜୀବନ ଟେ ଜୁଳୁଜୁଳୁ କି ଚାହିଁଛି ।ଆସ୍ତେ ଛୁଇଁ ଦେଲି ତା କାନ୍ଧ କୁ ।ଚମକି ପଡି ପେଜୁଆ ଆଖିରେ ଚାହିଁଲା ସିଏ ।

ମୋତେ ମୋ ସେଇ ଅବ୍ଯକ୍ତ ଦିନ ସବୁ ଦିଶିଗଲା ।କୋଳେଇ ନେଲା ମୋ ଛିଣ୍ଡା ସ୍ମୃତି ସବୁ ମତେ ।

ଆକ୍ଷରିକ ଭାବେ ସିନା ଭୋକ ଦାଉ, ରାଜନୈତିକ,ଧର୍ମ ଯୋଗୁଁ  ଅବା ଯୁଦ୍ଧ ସ୍ଥିତିରେ ଯିଏ ବାଧ୍ଯ ହେଇ ଦେଶ ଛାଡେ , ଯିଏ  ଶରଣାର୍ଥୀ ସାଜେ.....ନ ହେଲେ ଦେଖିବାକୁ ଗଲେ କିଏ ବା ଶରଣାର୍ଥୀ ନୁହେଁ ଯେ ଜୀବନ ର ?


Rate this content
Log in

Similar oriya story from Action