ଶ୍ରୀକ୍ଷେତ୍ରର ମୁଖଶାଳା "ଅଠରନଳା
ଶ୍ରୀକ୍ଷେତ୍ରର ମୁଖଶାଳା "ଅଠରନଳା
ଶ୍ରୀକ୍ଷେତ୍ରର ମୁଖଶାଳା "ଅଠରନଳା"; ହେଉଛି ଓଡ଼ିଶା ପୁରୀ ଜିଲ୍ଲାରେ ୧୩୦୦ ମସିହାରେ ସ୍ଥାପିତ ହୋଇଥିବା ଏକ ପ୍ରାଚୀନ ପୋଲ ତଥା ଏକ ଐତିହାସିକ ସ୍ଥଳୀ । ଶ୍ରୀକ୍ଷେତ୍ର ପୁରୀରେ ପ୍ରବେଶ କରିବା ସମୟରେ ଆମକୁ ଯେଉଁ ସେତୁ ବା ପୋଲକୁ ସର୍ବପ୍ରଥମେ ଅତିକ୍ରମ କରିବାକୁ ପଡିଥାଏ; ତାହାକୁ ଲୋକମୁଖରେ "ଅଠରନଳା" କୁହାଯାଏ I "ଅଠରନଳା" ଠାରୁ ଶ୍ରୀମନ୍ଦିରର ନୀଳଚକ୍ର ଓ ଦଧିନଉତି ଦୃଶ୍ୟମାନ ହୁଏ । "ଅଠରନଳା" ପାର ହେଲା ପରେ ଶ୍ରୀଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର ଦେଖାଯାଏ ।
ଏହି "ଅଠରନଳା" ବନ୍ଧର ଦୈର୍ଘ୍ୟ ୨୯୦ ଫୁଟ । ଏହି "ଅଠରନଳା" ପୋଲରେ ୧୯ ଖମ୍ବ ରହିଥିବା ବେଳେ ପାଣି ଯିବାପାଇଁ ୧୮ଟି ନଳା ରହିଛି । "ଅଠରନଳା"ର ଲମ୍ବ ୮୫ ମିଟର ଓ ଓସାର ୧୧ ମିଟର । ମାଦଳା ପାଞ୍ଜିରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଗଣନା କଲେ ୧୩୦୦ ମସିହାରେ ଏହି "ଅଠରନଳା" ପୋଲ ନିର୍ମାଣ ହୋଇଥିବାର ଅନୁମାନ କରାଯାଏ । "ଅଠରନଳା" ପୋଲରେ ଥିବା ଖିଲଣଗୁଡ଼ିକ ୧୬ ଫୁଟରୁ ୨୭ ଫୁଟ ପର୍ଯ୍ୟନ୍ତ । "ଅଠରନଳା" ପୋଲର ମଝି ଖିଲଣଟି ବଡ଼ ଓ ଅନ୍ୟ ଖିଲଣଗୁଡ଼ିକ ଦୁଇପାଖକୁ କ୍ରମାନ୍ୱୟରେ ଛୋଟ ହୋଇଯାଇଛି । କନ୍ଦା ଓ ବାଲିଆ ପଥର ବ୍ୟବହାର କରି ଅଠର ନଳା ତିଆରି କରାଯାଇଛି ।
ପୂର୍ବେ ମାଳିନୀ ନଦୀ ପୁରୀକୁ ଦୁଇ ଭାଗ କରି ସମୁଦ୍ରରେ ମିଶୁଥିଲା । ସେଥିପାଇଁ ରଥଯାତ୍ରାରେ ମହାପ୍ରଭୁ ତିନି ରଥରେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଯାଉଥିଲେ । ସେଠାରୁ ମାଳିନୀ ନଦୀ ପାର ହୋଇ ତିନୋଟି ସାନ ରଥରେ ଗୁଣ୍ଡିଚା ମନ୍ଦିର ଯାଉଥିଲେ । ମାଳିନୀ ନଦୀ ପୋତି ଦିଆଯିବାପରେ ଛଅଟି ରଥ ନହୋଇ ତିନୋଟି ରଥରେ ଯାତ୍ରା ହେଲା । ମାଳିନୀ ନଦୀର ଏକ ଶାଖା ନଦୀ ଜଗନ୍ନାଥ ସଡ଼କର ଶେଷ ମୁଣ୍ଡରେ ଅର୍ଥାତ ପୁରୀ ନଗର ସୀମାରେ ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିଲା । ଉକ୍ତ ଶାଖା ନଦୀକୁ ମୁଷା ନଦୀ କୁହାଯାଉଥିଲା । ପୁରୀକୁ ଯାତ୍ରୀମାନେ ଆସିଲେ ନଦୀ ଘାଟରେ ଅପେକ୍ଷା କରିବାକୁ ପଡୁଥିଲା । ଯେଉଁମାନଙ୍କର କର ଦେବାରେ ସାମର୍ଥ୍ୟ ନଥିଲା ସେମାନଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନ ମାଗଣା ଯିବାର ବ୍ୟବସ୍ଥା ଥିଲା । ଯାତାୟତ ସମସ୍ୟା ଦୂର କରିବା ପାଇଁ ଗଙ୍ଗ ବଂଶର ରାଜା ଦ୍ୱିତୀୟ ନରସିଂହଦେବ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ସଡ଼କ ମଧ୍ୟରେ ସଂଯୋଗ ପାଇଁ ଏକ ପୋଲ ନିର୍ମାଣ କରିଥିଲେ ଯାହାକି "ଅଠର ନଳା" ନାମରେ ପ୍ରସିଦ୍ଧ ହୋଇଥିଲା ।
ଅନ୍ୟ ଏକ ତଥ୍ୟ ଆଧାରରେ ଗଙ୍ଗ ବଂଶର ରାଜା ଭାନୁଦେବଙ୍କଦ୍ୱାରା ଏହା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । କିମ୍ବଦନ୍ତୀ ମତରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହାକୁ ନିର୍ମାଣ କରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହେବାପରେ ନିଜର ଅଠରଜଣ ପୁଅଙ୍କୁ ନଦୀ ଜଳରେ ବଳି ଚଢ଼ାଇବା ପରେ ଏହା ତିଆରି କରିବାକୁ ସକ୍ଷମ ହୋଇଥିଲେ । ପୂର୍ବରୁ ଓଡ଼ିଶାର ରାଜା ମତ୍ସ୍ୟକେଶରୀ (ଖ୍ରୀଷ୍ଟାବ୍ଦ ୯୭୫- ୯୯୫) ମଧୁପୁର ନଦୀ (ହୁଳୁହୁଳିଆ ବା ମଙ୍ଗଳା ନଈ) ଉପରେ ଏହି ପୋଲ ନିର୍ମାଣ କରାଇଥିଲେ । ଏ ପୋଲରେ ୧୮ଟି ଫୁକାର ଅଛି ଏ ଫୁକାରମାନ ଖିଲାଣକାମ ନହୋଇ ପଥରମାନଙ୍କଦ୍ୱାରା ଲହଡ଼ିମୁଦ କରାଯାଇ ତିଆରି ହୋଇଥିଲା ।
"ଅଠରନଳା" ନାମ ହେଲା କାହିଁକି ?
------------------------------------
ଶ୍ରୀକ୍ଷେତ୍ର ପୁରୀର ମୁଖଶାଳା "ଅଠରନଳା" ଶଙ୍ଖଟିକୁ ଦେଖିବାମାତ୍ରେ ଆମ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ। ଏହାର ନିର୍ମାଣ ଶୈଳୀ ମଧ୍ଯ ବିଚିତ୍ର ଆଉ ଏଥିରେ ୧୮ଟି ନଳା କାହିଁକି ରହିଛି ? ଏହାର ଏପରି ନାମକରଣ ହେଲା କାହିଁକି ?
ରଣପୁରର ରାଜା 'ଶ୍ରୀପଦ୍ମନାଭ ସିଂହ ନରେନ୍ଦ୍ର' ଅପୁତ୍ରିକ ଥିଲେ। କିମ୍ବଦନ୍ତୀରୁ ଜଣାଯାଏ ରାଜା ସନ୍ଥ ଅଚ୍ଯୁତାନନ୍ଦ ଦାସଙ୍କୁ ତାଙ୍କର ରାଜପ୍ରାସାଦକୁ ଡକାଇ ଏ ଅପୁତ୍ରିକ ଦୋଷରୁ ମୁକ୍ତି ପାଇବା ପାଇଁ ସନ୍ଥଙ୍କ ଶରଣାପନ୍ନ ହେଲେ। ରଣପୁରରେ ରହିବା ସମୟରେ ସନ୍ଥ ଅଚ୍ଯୁତାନନ୍ଦ ଦାସ ହରିବଂଶ ପୁରାଣ ରଚନା କରିଥିଲେ। ପ୍ରତିଦିନ ରାଜା ଏହି ହରିବଂଶ ପୁରାଣ ଶ୍ରବଣ କରିବା ପରେ, ଭଗବାନଙ୍କ ଆଶୀର୍ବାଦରୁ ତାଙ୍କର ଅଠରଟି ପୁତ୍ର ସନ୍ତାନ ଲାଭ ହୋଇଥିଲା । ଏହି ପୁତ୍ରମାନେ ପରବର୍ତ୍ତୀ ସମୟରେ ଗଜପତି ମୁକୁନ୍ଦଦେବଙ୍କଠାରୁ ଅଠରଟି ଉପାଧି ଓ ଅଠରଟି ତ୍ରାସ ପାଇଥିଲେ। ସେ ଅଠରଟି ଉପାଧି ଗୁଡିକ ହେଲା - ଶ୍ରୀଚନ୍ଦନ, ଜଗଦେବ, ବିଦ୍ଯାଧର, ଛୋଟରାୟ, ରାୟ ସିଂହ, ଭ୍ରମରବର, କ୍ଷତ୍ରିବର, ବୀବବର, ମଙ୍ଗରାଜ, ହରିଚନ୍ଦନ, ଜଗତସିଂହ, ରାଜେନ୍ଦ୍ର ସିଂହ, ମର୍ଦ୍ଦରାଜ ସିଂହ, ସୁରେନ୍ଦ୍ର ସିଂହ, ମାନସିଂହ, ଗଜେନ୍ଦ୍ର ସିଂହ ଓ ପୁଥୁସିଂହ ।
ମୁକୁନ୍ଦଦେବଙ୍କ ରାଜତ୍ବ କାଳରେ କଳାପାହାଡ଼ ଓଡ଼ିଶା ଆକ୍ରମଣ କରିଥିଲା । କଳାପାହାଡ ସହ ଯୁଦ୍ଧକରି ରଣପୁର ରାଜାଙ୍କର ଯୁବରାଜ 'ପାର୍ଥ ଶ୍ରୀଚନ୍ଦନ'ଙ୍କ ବ୍ୟତୀତ ଅନ୍ୟ ସତର ଜଣ ଭାଇ ବୀରଗତି ପ୍ରାପ୍ତ ହେଲେ। ଏଥିରେ ରାଜା ପଦ୍ମନାଭ ସିଂହ ନରେନ୍ଦ୍ର ଦୁଃଖରେ ଭାଙ୍ଗି ପଡିଲେ। ପରେ ପରେ ଯୁବରାଜ ରଣପୁରର ଚଣ୍ଡେଶ୍ୱର ମହାଦେବଙ୍କ ଅଭିଶାପରୁ ଆର ପୁରର ଯାତ୍ରା ହେଲେ। ରାଜାଙ୍କର ଅଠରଟି ପୁଅର ମୃତ୍ୟୁ ତାଙ୍କୁ ବହୁତ ବ୍ଯଥିତ କଲା । ତେଣୁ ରାଜା ତାଙ୍କର ଅଠରଟି ପୁଅର ସ୍ମ୍ରୁତି ରକ୍ଷା ପାଇଁ ପୁରୀ ସହରର ଉତ୍ତର ଦିଗରେ ଥିବା ନଦୀରେ ଅଠରଟି ନଳା ଵନ୍ଧ ପକାଇଥିଲେ ଅଠର ଭାଇଙ୍କ ସ୍ମ୍ରୁତିର ସ୍ମାରକୀ ବହି ଆଜି ସେହି ଅଠରନଳା ବିଦ୍ଯମାନ । ଏହାର ପ୍ରତ୍ଯକ ନଳାର ଲମ୍ବ ୨୦ ଫୁଟ ଏବଂ ଝୁଲଣଗୁଡିକର ଓସାର ୧୨ ରୁ ୧୭ ଫୁଟ ପର୍ଯ୍ଯନ୍ତ। ମଝିରେ ଥିବା ଝୁଲଣଟି ସବୁଠାରୁ ବଡ ଏବଂ କ୍ରମାନ୍ୱୟରେ ଦୁଇ ପାଖକୁ ଛୋଟ ହୋଇ ଆସିଛି।
ଅଠରନଳା ବନ୍ଧ ସମ୍ବନ୍ଧରେ ମାଦଳାପାଞ୍ଜିରେ ଲେଖାହୋଇଛି -
'ପଦ୍ମନାଭ ନରେନ୍ଦ୍ର ଏ ରାଜାଙ୍କର ପୁତ୍ର I
ଏ ନରେନ୍ଦ୍ର ଶୌଚ ଖୋଳାଇଲେ II'
