STORYMIRROR

MANAS KUMAR KAR

Classics Fantasy Inspirational

4  

MANAS KUMAR KAR

Classics Fantasy Inspirational

ରଥଯାତ୍ରା

ରଥଯାତ୍ରା

5 mins
11


" ଦୋଳେଚ ଦୋଳଗୋବିନ୍ଦଂ, ଚାପେଚ ମଧୂସୁଧନଂ, 

ରଥେତୁ ବାମନଂ ଦୃଷ୍ଟ୍ଵା, ପୁ୍ର୍ନଃଜନ୍ମ ନଲଭ୍ଯତେ " 


   ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ l 


    ଶ୍ରୀକ୍ଷେତ୍ର ଧାମରେ ପାଳିତ ହେଉଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ତଥା ପାଳନ ବିଧିର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ପୁରାଣ ଓ ଉପପୁରାଣମାନଙ୍କରେ ଉଲ୍ଲେଖ ହୋଇଛି l ବିଶେଷ ଭାବେ ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମ ପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା, ଶାରଦା ପୁରାଣ ପ୍ରଭୃତି ଉଲ୍ଲେଖଯୋଗ୍ୟ l ଶ୍ରୀମନ୍ଦିରରେ ପାଳିତ ମୁଖ୍ୟ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ l ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ସମ୍ବନ୍ଧରେ ଯେଉଁ ଶ୍ଳୋକଟି ସର୍ବ ମୁଖ ନିଃସୃତ, ତାହା ହେଉଛି -


" ମଞ୍ଚ ସ୍ନାନଂ ରଥବରଗତିଃ ଶାୟନଂ ଚାୟନେ ଦ୍ୱେ 

ପାର୍ଶ୍ୱ ବୃତ୍ତିଃ ଶୟନ ନିବୃତ୍ତି ପାବୃତ୍ତୈ ପୁଷ୍ୟପୂଜା

ଦୋଳଯାତ୍ରା ଦମନକମହୋତାକ୍ଷ ପୂଜା ତୃତୀୟା

ଚୈକଂ ଯାତ୍ରା ବିଧନିଗଦିତା ଦ୍ୱାଦଶୈତା ନରେନ୍ଦ୍ର l "


     ମହାପ୍ରଭୁମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି l 


   ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି ରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ବା ରଥଯାତ୍ରା ଅନୁଷ୍ଠିତ ହୁଏ l ପୂର୍ବ ରାତ୍ରୀ ପ୍ରତିପଦ ରେ ଶ୍ରୀଜୀଉମାନେ ପହୁଡ ହୁଅନ୍ତି ନାହିଁ l ଶ୍ରୀମୁଖ ପୋଛା ହୋଇ ସେନାପଟା ( ବକୁଳ କାଠ ) ଲାଗିହୁଏ l ସକାଳୁ  ରଥଯାତ୍ରା ଦିନ ଠାକୁରମାନଙ୍କ ମଙ୍ଗଳ ଆଳତି , ଅବକାଶ, ଖେଚେଡି଼ ଭୋଗ (ସକାଳ ଧୂପ), ମଙ୍ଗଳାର୍ପଣ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ l ଏହି ସମୟରେ ମହାପ୍ରଭୁମାନେ ଅଣସର ପିଣ୍ଡି ବା ଭିତର କାଠ ନିକଟରେ ଚକା ଉପରେ ଉପବେଶନ କରିଥାନ୍ତି l ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିରର କୋଠ ସୁଆଁସିଆ ସେବକମାନେ ରଥରେ ଚାରମାଳ ବାନ୍ଧିଥାନ୍ତି l 


" ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରମ୍ 

ସୁଭଦ୍ରା ଚ ତତୋ ନୀତ୍ୱା ଜଗଦୀଶ ସୁରେଶ୍ୱରମ୍ । " 


          ସୁଦର୍ଶନ ଓ ସୁଭଦ୍ରା ଦଇତାପତିମାନଙ୍କ ହସ୍ତ ଓ ସ୍କନ୍ଧାବଲମ୍ବନ ପୂର୍ବକ ପହଣ୍ଡି ବିଜେ ହୋଇ ରଥାରୋହଣ କରିଥିବା ବେଳେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ପାଟ ଡୋରିରେ ବା ରଜ୍ଜୁଦ୍ୱାରା ଆକର୍ଷଣ କରି ଧିରେ ଧିରେ ପହଣ୍ଡି ବିଜେ କରାଇଥାନ୍ତି l 


       ପହଣ୍ଡି ବିଜେ ପୂର୍ବରୁ ତିନି ବାଡ଼ରେ ଯଥାକ୍ରମେ ପୂଜାପଣ୍ଡା ଜଗନ୍ନାଥଙ୍କ ବାଡ଼ରେ, ମୁଦିରଥ ବଳଭଦ୍ରଙ୍କ ବାଡ଼ରେ ଓ ପତି ମହାପାତ୍ର ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି l ଗରାବଡୁ ସେବକ ମଙ୍ଗଳାର୍ପଣର ସମସ୍ତ ଜିନିଷମାନ ନୀତି ସମ୍ପୃକ୍ତ ସେବକଙ୍କ ହାତକୁ ବଢାଇଥାନ୍ତି l ମଙ୍ଗଳାର୍ପଣ ସମୟରେ ସୁଦ୍ଧ ସୁଆର ଓ ଭଣ୍ଡାର ମେକାପ ମଧ୍ୟ ସେଠାରେ ଉପସ୍ଥିତ ଥାଇ ଉକ୍ତ ନୀତିରେ ଅଂଶଗ୍ରହଣ କରିଥାନ୍ତି l ବାଡ଼ଗ୍ରାହୀ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥାନ୍ତି l ଶ୍ରୀଜୀଉମାନଙ୍କୁ ପାଟ ଅଗଣା, ଆନନ୍ଦ ବଜାର, ଭିତର ସିଂହଦ୍ୱାର, ବାଇଶିପାହାଚ, ସିଂହଦ୍ୱାର, ଗୁମୁଟି, ଅରୁଣସ୍ତମ୍ଭ ଦେଇ ରଥ ପର୍ଯ୍ୟନ୍ତ ନିଆଯାଇଥାଏ l 


   ଶ୍ରୀବିଗ୍ରହମାନଙ୍କ ପବିତ୍ର ପହଣ୍ଡି ବିଜେ ସମୟରେ ପ୍ରଥମେ ବିଜେ କାହାଳି ବାଜିବା ପରେ ଘଣ୍ଟୁଆ , କାହାଳିଆ, ବଜନ୍ତରୀ, ଓଲାର, ଛତାର ପ୍ରମୁଖ ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ ଓ ବାଦ୍ୟ ଆଦି ତାଳ ସହକାରେ ବାଜେ l ହରିବୋଲ ଓ ହୁଳହୁଳିର ପବିତ୍ର ଧ୍ୱନିରେ ସମଗ୍ର ପରିବେଶକୁ ଆନନ୍ଦିତ ମୁଖରିତ କରିଥାନ୍ତି l ପହଣ୍ଡି ସମୟରେ ପଣ୍ଡା, ପୁଷ୍ପାଳକ ଓ ଅନ୍ୟନ୍ୟ ସେବକମାନେ ଡୋରି ଧରିଥାନ୍ତି l ଛାମୁ ଖୁଣ୍ଟିଆ, ବେହେରା ଖୁଣ୍ଟିଆ, ସେବକ ପହଣ୍ଡି ତଥା ଠାକୁରମାନଙ୍କ ଆଗରେ ବେତ ଧରି ମଣିମା, ଶ୍ରୀଅଙ୍ଗକୁ ସାବଧାନ ବୋଲି ଉଚ୍ଚାରଣ କରି ଠାକୁରମାନଙ୍କ ଆଗେ ଆଗେ ଯୋଡି଼ ବେତ ବାଡେଇ ବାଡେଅ ଚାଲିଥାନ୍ତି l 


    ଚତୁର୍ଦ୍ଧାମୂର୍ତ୍ତି ସାତ ପାହାଚ ଉପରକୁ ପରମ୍ପରା କ୍ରମେ ବିଜେ ହୋଇ ଆସିବା କ୍ଷଣି ରାଘବଦାସ ମଠ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ସୋଲ, ଜରି, ତୁଳସୀ, ଫୁଲ ଓ ବାଉଁଶ ପାତିଆରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଟାହିୟା ଠାକୁରମାନଙ୍କ ଶ୍ରୀମସ୍ତକରେ ଲାଗି କରାଯାଏ ଓ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ମଠମାନଙ୍କ ପକ୍ଷରୁ ପନ୍ତି ଭୋଗ ତଥା ଚାମର, ଆଲଟ ସେବା କରାଯାଏ l ଘଣ୍ଟୁଆ ସେବକମାନେ ତାଳରେ ଘଣ୍ଟବଜାଇବା ସହିତ ପଖାଉଜ ବାଦ୍ୟ ଓ ଆଗେ ଆଗେ ଗୋଟିପୁଅ ନୃତ୍ୟ ତଥା ଉପସ୍ଥିତ ଜନତାଙ୍କ ହରିବୋଲ, ହୁଳହୁଳି ଶବ୍ଦରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠେ l ଦଇତାପତି, ପୂଜପଣ୍ଡା, ମହାସୁଆର, ପ୍ରତିହାରୀ ପ୍ରମୁଖ ସେବକମାନେ ମୁଖ୍ୟ ବିଗ୍ରହଙ୍କ ସ୍କନ୍ଧ, ଶ୍ରୀମସ୍ତକ, ଶ୍ରୀଭୂଜ ତଳେ ରହିବା ସଙ୍ଗେ ସଙ୍ଗେ ପାଟ ଡୋରିରେ ଆଗ ଓ ପଛରେ ରହି ଧିରେ ଧିରେ ପହଣ୍ଡି ବିଜେ କରିଥାନ୍ତି l କିନ୍ତୁ ସୁଦର୍ଶନ ଓ ସୁଭଦ୍ରା ଦେବୀଙ୍କୁ ଦଇତାପତି ସେବକମାନେ ହସ୍ତ ଓ ସ୍କନ୍ଧରେ ବହନକରି ବିଜେ କରାଇଥାନ୍ତି l ସୁଦର୍ଶନ, ସୁଭଦ୍ରା ଙ୍କୁ ଦେବଦଳନ ରଥରେ ଏବଂ ବଳଭଦ୍ର ଙ୍କୁ ତାଳଧ୍ୱଜ ରେ ଓ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥ ଉପରେ ଅଧିଷ୍ଠିତ କରାଇଥାନ୍ତି l ପହଣ୍ଡି ଶେଷ ହେବାପରେ ପୁଷ୍ପାଳକ ମହାଜନମାନେ ମଦନମୋହନଙ୍କୁ ଜଗନ୍ନାଥ ରଥରେ ଓ ରାମକୃଷ୍ଣ ବିଗ୍ରହ ଦ୍ୱୟଙ୍କୁ ବଳଭଦ୍ରଙ୍କ ରଥରେ ବିଜେ କରାଇଥାନ୍ତି l ରଥ ଉପରକୁ ପହଣ୍ଡି ବିଜେ କରିବା ପରେ ରଥ ଉପରେ ଠାକୁରମାନଙ୍କ କେତେକ ବିଶେଷ ନୀତି ମୁଦିରସ୍ତ, ପତିମହାପାତ୍ର ସେବକମାନଙ୍କଦ୍ୱାରା ସମ୍ପାଦିତ ହୋଇଥାଏ l ସୋଲ, ଚିତା ଲାଗି ରୁନ୍ଧା ଇତ୍ୟାଦି ନୀତି ବଢିବା ପରେ ମୁଖ୍ୟ ବିଗ୍ରହଙ୍କ ମଇଲମ ଓ ମାଳଫୁଲ ଲାଗି ହୋଇଥାଏ l ଶ୍ରୀବିଗ୍ରହମାନେ ରଥ ଉପରେ ଅବସ୍ଥାନ କରୁଥିବା ସମୟରେ ଅନ୍ନ ଭୋଗ ନ ହୋଇ କେବଳ ଶୁଖିଲା ଭୋଗ ହୋଇଥାଏ l ଗୋପାଳବଲ୍ଲବ ଠାରୁ ଆରମ୍ଭ କରି ସମସ୍ତ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ଧୂପରେ ମୂଖ୍ୟତଃ ବଲ୍ଲଭ ଖଇ, କୋରା, ଶର୍କରା ଜାତୀୟ ଦ୍ରବ୍ୟ ଭୋଗ ହୁଏ l ସ୍ୱତନ୍ତ୍ର ଆକାରର ରଥ କୋରା ଶ୍ରୀମନ୍ଦିରରେ ନିର୍ମିତ ହୋଇ ବଡ଼ଦାଣ୍ଡରେ ରଥ ଯେଉଁ ସ୍ଥାନରେ ରହି ନୀତି ଆରମ୍ଭ ହୋଇଥାଏ, ସେଠାରେ ଏହି ଭୋଗ କରାଯାଏ l ମହାସୁଆରମାନେ ଭୋଗ ଆଣି ରଥ ଉପରେ ପନ୍ତିରେ ବାଢ଼ନ୍ତି l ପୂଜାପଣ୍ଡାମାନେ ପଞ୍ଚୋପଚାରରେ ଏହି ଧୂପ ପୂଜାଗୁଡି଼କୁ ସମାପନ କରିଥାନ୍ତି l ରଥ କୋରା, ବଲ୍ଲଭ ଖଇ, ଗଜାମୁଗ, ପାତି ନଡିଆ, ବିଭିନ୍ନ ଫଳ, ଶଙ୍ଖାକୃତି ଶାକର ଇତ୍ୟାଦି ଭୋଗ ରଥରେ ଠାକୁରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ହୋଇଥାଏ l ଏହାପରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥାଏ l


    ଗଜପତି ମହାରାଜା ଛେରା ପହଁରା ସେବା କରିବା ପାଇଁ ଆସିବା ପୂର୍ବରୁ ଶ୍ରୀନଅରର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ଶ୍ରୀନଅର ଅଗଣାରେ ରଖାଯାଇଥିବା ହାତୀଦନ୍ତ ଓ ରୌପ୍ୟ ନିର୍ମିତ ତାମଯାନ (ମେହେନା)ରେ ବିଜେ କରିଥାନ୍ତି l 


        ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରନ୍ତି l ପ୍ରଥମେ ଗରାବଡୁ ସେବକଙ୍କଠାରୁ ହାତୁଆଣି (ରାଜାଙ୍କ ହାତକୁ ଉକ୍ତ ସେବକ ପାଣି ବଢାଇଥାନ୍ତି) ନେଇ ଗଜପତି ପୁଷ୍ପାଞ୍ଜଳି ପ୍ରଦାନ କରିଥାନ୍ତି l ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକପ ରାଜାଙ୍କ ହସ୍ତକୁ ବଢାଇଥାନ୍ତି l ରାଜା ଠାକୁରଙ୍କ ସମ୍ମୁଖରେ ଆରତି କରି ସୁନା ଚାମର ଆଲଟ ସେବା କରିଥାନ୍ତି l ତତ୍ପରେ ରଥ ଉପରେ ସିଂହାସନ ତଳକୁ ଓହ୍ଲାଇଥାନ୍ତି l ପୂର୍ବରୁ ଦୟଣାମାଳି ଦେଇଥିବା ଶୁକ୍ଳ ଫୁଲ ଭଣ୍ଡାର ମେକାପ ପୂଜା ପିଙ୍ଗଣରେ ଧରିଥାଏ l ଏହି ସମୟରେ ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡି଼କା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି l ଭଣ୍ଡାର ମେକପ ରଥର ଚାରି ପାଖରେ ବୁଲି ଶୁକ୍ଳ ଫୁଲ ଆଗରେ ପକାଉଥିବେ ଓ ଗଜପତି ମହାରାଜା ସୁନା ଖଡିକା ଧରି ରଥ ଚାରି ପାଖେ ପହଁରିଥାନ୍ତି l ଏହା ପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ପାଣିକୁ ରାଜଗୁରୁ ସଂସ୍କାର କରିବାପରେ ଭଣ୍ଡାର ମେକପ ଗଜପତିଙ୍କ ହସ୍ତକୁ ବଢାଇଥାନ୍ତି l ତତ୍ପରେ ଗଜପତି ଚନ୍ଦନପାଣି ରଥ ଚାରିପଟରେ ଛିଞ୍ଚିଥାନ୍ତି l ଏହି କ୍ରମରେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ସରିଥାଏ l ଛେରା ପହଁରା ନୀତି ସରିବା ପରେ ତାମଯାନରେ ଗଜପତି ମହାରାଜା ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି l 


   ପରମ୍ପରା ଅନୁଯାୟୀ ତିନି ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ଚାରମାର (ତାଳ ଓ ନଡିଆ ଗଛ କାଠରେ ଚାରମାର ପ୍ରସ୍ତୁତ ହୋଇଥାଏ ) ଭୋଇ ସେବକମାନଙ୍କ ସହାୟତାରେ ଖୋଲା ଯାଇଥାଏ l ତତ୍ପରେ ସାରଥୀ ଓ ଅଶ୍ୱଙ୍କୁ ଆରୋହଣ ପୂର୍ବକୁ ରୂପକାର ସେବକମାନେ ଅଶ୍ୱମାନଙ୍କୁ ରଥ ଦଉଡି଼ଦ୍ୱାରା ବାନ୍ଧିଥାନ୍ତି l ଏହା ପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡ଼ିକୁ ରଥରେ ଲଗାଯାଇଥାଏ l ପ୍ରତି ରଥରେ ୪ଟି ଲେଖାଏଁ ଦଉଡି଼ ବନ୍ଧା ଯାଇଥାଏ l ରଥ ଟଣାର ଅନ୍ୟତମ ଆକର୍ଷଣ ହେଉଛି ରଥ ଦଉଡି଼ l ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି l 


   ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଟଣାଯାଏ l ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାନ୍ତି l ଡାହୁକ ରଥ ଉପରେ ଠିଆ ହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତଜନଙ୍କୁ ଆମୋଦିତ କରିଥାନ୍ତି l ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାନ୍ତି l ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ l ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ l ଏହି ରଥ ଟଣା ସମୟରେ ବିଭିନ୍ନ ମଠ, ଜାଗା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ l ଯଦି ଗୋଟିଏ ଦିନରେ ରଥ ତିନିଟି ଯାକ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚି ନ ପାରେ, ତେବେ ତହିଁ‌ପର ଦିନ ସକାଳେ ଏହି ରଥଟଣା ହୋଇ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥାଏ l

      

      ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏl ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ l ତେଣୁ ପୁରାଣମାନଙ୍କରେ କୁହାଯାଇଛି - ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ l


Rate this content
Log in

Similar oriya story from Classics