STORYMIRROR

MANAS KUMAR KAR

Inspirational Others

3  

MANAS KUMAR KAR

Inspirational Others

ଚନ୍ଦନ ଯାତ୍ରା

ଚନ୍ଦନ ଯାତ୍ରା

5 mins
5


      "ଚନ୍ଦନଯାତ୍ରା" ହେଉଛି ଶ୍ରୀମନ୍ଦିରରେ ସବୁଠାରୁ ଅଧିକ ଦିନ ଧରି ପାଳିତ ହେଉଥିବା ପର୍ବ। ପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରୁ ମୁକ୍ତି ପାଇବା ପାଇଁ ଏହି ଯାତ୍ରା କରିଥାନ୍ତି, ଯାହା ମୋଟ ୪୨ ଦିନ ଧରି ପାଳିତ ହୋଇଥାଏ। ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ, ପ୍ରଥମ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ ଦିନ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ରୂପେ ପାଳିତ ହୋଇଥାଏ।


ll ବାହାର ଚନ୍ଦନଯାତ୍ରା ll :- 


    ଦକ୍ଷିଣଘରୁ (ଅଣସର ଘରର ଦକ୍ଷିଣରେ ଥିବା ବେହରଣ ଦ୍ୱାର ମୁହଁରେ ଥିବା ଘର) ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ରାମ (ବଳରାମ) ଓ ରତ୍ନସିଂହାସନ ଉପରୁ ଦୁଇଟି ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଓ ସରସ୍ୱତୀଙ୍କର ରୌପ୍ୟ ପ୍ରତିମା ବାହାର ଚନ୍ଦନରେ ଭାଗ ନିଅନ୍ତି ।


     ଚନ୍ଦନ ଯାତ୍ରା ପଟୁଆରରେ ସମୁଦାୟ ଦଶଗୋଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେ କରିଥାନ୍ତି । ସବୁଠୁ ସୁଦୃଶ୍ୟ ବିମାନରେ ବିଜେ କରିଥାନ୍ତି ମଦନମୋହନ, ଶ୍ରୀଦେବୀ (ବା ଲକ୍ଷ୍ମୀ) ଓ ଭୂଦେବୀ (ବା ସରସ୍ୱତୀ, ବିଶ୍ୱଧାତ୍ରୀ)। ବିମାନ ପଛ ପାଲିଙ୍କିଟିରେ ବଳରାମ ଓ କୃଷ୍ଣ ଆରୋହଣ କରିଥାନ୍ତି ପୁଣି ଅନ୍ୟ ପାଞ୍ଚଗୋଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଓ ଶ୍ରୀକପାଳମୋଚନ ବିଜେ କରିଥାନ୍ତି 


" ଦେଖ ଗୋ ରାଧାମାଧବ ଚାଲି । ମଣି ବିମାନ ଆସେ ଝୁଲି ଝୁଲି । ପଦ ।

ବିବିଧ ବାଜଣା ବୀର କାହାଳୀ । ବିଜେ କଲେ ଗୋପଦାଣ୍ଡ ଉଚ୍ଛୁଳି ।। " 


   ନରେନ୍ଦ୍ର ପୁଷ୍କରିଣୀ କୁଳରେ ଏକ ଛାମୁଣ୍ଡିଆ ତିଆରି ହୋଇଥାଏ । ସେହି ଛାମୁଣ୍ଡିଆ ତଳେ ଦଶଟି ଯାକ ଚଳନ୍ତି ପ୍ରତିମାଙ୍କୁ ଅବସ୍ଥାପିତ କରାଯାଇ ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦଧୌତ କରାଯାଏ ।


      ଯୋଡ଼ିଏ ଲେଖାଁଏ ନୌକା ଯୁକ୍ତ ହୋଇ ଦୁଇ ଗୋଟି ଚାପ ପ୍ରସ୍ତୁତ ହୋଇ ଥାଏ । ଚାପ ଗୁଡ଼ିକୁ ଜରିକାମ ହୋଇଥିବା ମଣ୍ଡଣିଦ୍ୱାରା ସୁଶୋଭିତ କରାଯାଇଥାଏ । ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ବଳରାମ ଓ କୃଷ୍ଣ ଉପବେଶନ କରନ୍ତି । ଅନ୍ୟ ଚାପଟିରେ ବସନ୍ତି ପଞ୍ଚୁପାଣ୍ଡବ ରୂପେ ପରିଚିତ ମହାଦେବମାନେ । ପ୍ରତିମାମାନଙ୍କ ସହ ଚାପଦ୍ୱୟରେ ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି ସେବକ ରହିଥାଆନ୍ତି । ଚାପ ଦ୍ୱୟ ନରେନ୍ଦ୍ର ଜଳରେ ଘେରାଏ ଘେରାଏ ବୁଲି ଆସନ୍ତି ।


   ସ୍ନାନରୀତି ନିମନ୍ତେ ତିନିଗୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତ କରାଯାଏ। ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମାମାନେ । ପାଣିରେ ଅବଗାହନ ପରେ ବେଶ କରାଯାଏ ମଦନମୋହନଙ୍କୁ । ଚନ୍ଦନ ଯାତ୍ରାର ଏକୋଇଶ ଦିନରୁ କୋଡ଼ିଏ ଦିନ ମଦନମୋହନ ପ୍ରତ୍ୟେକ ଦିନ ନୂଆ ବେଶ ଧାରଣ କରନ୍ତି । ଏହାର ଅନେକଗୁଡ଼ିଏ ବେଶ କୃଷ୍ଣଲୀଳାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥାଏ ।ନୃସିଂହ ଜନ୍ମତିଥିରେ ମଦନମୋହନ କୌଣସି ପ୍ରକାର ବେଶ ହୁଅନ୍ତି ନାହିଁ । 


ll କ୍ରମାନୁଯାୟୀ ବେଶଗୁଡ଼ିକ ହେଲା ll :- 


ଅକ୍ଷୟ ତୃତୀୟା: ନଟବର ବେଶ (ତ୍ରିଭଙ୍ଗ ନୃତ୍ୟରତ ଶ୍ରୀକୃଷ୍ଣ)


ବୈଶାଖ ଶୁକ୍ଳ ଚତୁର୍ଥୀ: ହରିଜନ୍ମ ବେଶ (ବସୁଦେବଙ୍କଦ୍ୱାରା ନଦୀପାରି ବେଶ)


ବୈଶାଖ ଶୁକ୍ଳ ପଞ୍ଚମୀ: ରାଜାଧିରାଜ ବେଶ (ଦ୍ୱାରକାଧୀଶ)


ବୈଶାଖ ଶୁକ୍ଳ ଷଷ୍ଠୀ: ଖଟଦୋଳି ବେଶ (କୁଞ୍ଜରେ ଦୋଳିଖେଳ)


ବୈଶାଖ ଶୁକ୍ଳ ସପ୍ତମୀ: ଗୋମତୀ କୃଷ୍ଣ ବେଶ (ବ୍ରହ୍ମଗୋପାଳ ବେଶ)


ବୈଶାଖ ଶୁକ୍ଳ ଅଷ୍ଟମୀ: ବତ୍ସାଚାରଣ (ଗୋଚାରଣ ଗୋପାଳ)


ବୈଶାଖ ଶୁକ୍ଳ ନବମୀ: ବତ୍ସାହରଣ ବେଶ (ବ୍ରହ୍ମ ବିମୋହନ ଲୀଳା)


ବୈଶାଖ ଶୁକ୍ଳ ଦଶମୀ: ଅଘାସୁର ବଧ ବେଶ (କୃଷ୍ଣଙ୍କଦ୍ୱାରା ଅଘାସୁର ବଧ)


ବୈଶାଖ ଶୁକ୍ଳ ଏକାଦଶୀ: ଚକ୍ର ନାରାୟଣ ବେଶ (ଚକ୍ରଧାରୀ କୃଷ୍ଣ)


ବୈଶାଖ ଶୁକ୍ଳ ଦ୍ୱାଦଶୀ: ନାବକେଳି ବେଶ (ଯମୁନା କେଳି)


ବୈଶାଖ ଶୁକ୍ଳ ତ୍ରୟୋଦଶୀ: ରାହାସମଣ୍ଡଳି ବେଶ (ରାସ କ୍ରୀଡା)


ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ: (ନୃସିଂହ ଜନ୍ମ ତିଥି)ଏହି ଦିନ ବେଶ କରାଯାଏ ନାହିଁ


ବୈଶାଖ ପୂର୍ଣ୍ଣିମା: କନ୍ଦର୍ପ ରଥ ବେଶ (ଗୋପାଙ୍ଗନାଙ୍କଦ୍ୱାରା ରଥାକୃତି ପରିବେଷ୍ଟିତ କୃଷ୍ଣ)


ବୈଶାଖ କୃଷ୍ଣ ପ୍ରତିପଦା: ଷଡ଼ଭୂଜ ଗୌରାଙ୍ଗ ବେଶ (କଳିଯୁଗ ପ୍ରେମାବତାର)


ବୈଶାଖ କୃଷ୍ଣ ଦ୍ୱିତୀୟା: ରଘୁନାଥ ବେଶ (କାଣ୍ଡ କୋଦଣ୍ଡଧାରୀ ଶ୍ରୀରାମ)


ବୈଶାଖ କୃଷ୍ଣ ତୃତୀୟା: ଗିରିପୂଜା ବେଶ (ଗୋବର୍ଦ୍ଧନ ପୂଜା )


ବୈଶାଖ କୃଷ୍ଣ ଚତୁର୍ଥୀ: ଗିରିଟେକା ବେଶ (ଗୋବର୍ଦ୍ଧନ ଧାରୀ)


ବୈଶାଖ କୃଷ୍ଣ ପଞ୍ଚମୀ: ବସ୍ତ୍ରହରଣ ବେଶ (କେଳି କଦମ୍ବ ତରୁରେ ଆରୁଢ଼ କୃଷ୍ଣଙ୍କ କର୍ତ୍ତୃକ ସ୍ନାନରତା ଗୋପୀମାନଙ୍କ ବସ୍ତ୍ରହରଣ ଲୀଳା)


ବୈଶାଖ କୃଷ୍ଣ ଷଷ୍ଠୀ: ଚିନ୍ତାମଣୀ କୃଷ୍ଣ ବେଶ/ ମଦନ ମୋହନ ବେଶ (ମୂରଲୀଧର)


ବୈଶାଖ କୃଷ୍ଣ ସପ୍ତମୀ: ଗଜ ଉଦ୍ଧାରଣ ବେଶ (ଗଜକୁ କୁମ୍ଭୀର କବଳରୁ ରକ୍ଷା କରିବା)


ବୈଶାଖ କୃଷ୍ଣ ଅଷ୍ଟମୀ: କୁଞ୍ଜବିହାରୀ ବେଶ (ନିକୁଞ୍ଜରେ ଦୋଳି ଖେଳା)


    ବେଶ ପରେ ରାତ୍ର ଚାପ ରୀତି ସମ୍ପନ୍ନ କରାଯାଏ । ରାତ୍ରୀ ଚାପରେ ଦୁଇ ଚାପ ସହ ଗୋଟିଏ ବଜନ୍ତ୍ରୀ ନୌକା ଏହି ବିହରଣରେ ବ୍ୟବହୃତ ହୋଇଥାଏ । ବଜନ୍ତ୍ରୀ ନୌକାରେ ଜଣେ ଘଣ୍ଟୁଆ, ଜଣେ କାହାଳିଆ, ଜଣେ ତେଲିଙ୍ଗି ବାଜା ବାଦକ ରହିଥାନ୍ତି । ସେମାନଙ୍କ ସହ ଜଣେ ସେବାୟତ ପୋଲାଙ୍ଗ ତେଲର ଦିହୁଡ଼ୀ ଧରିଥାଏ । ଦିନ ଚାପ ଗୋଟିଏ ଘେରାରେ ଶେଷ ହେଉଥିବାବେଳେ ରାତ୍ରୀ ଚାପରେ ତିନି ଘେରା ବୁଲାଯିବାର ପରମ୍ପରା ରହିଛି ।


     ଦେବ ବିଗ୍ରହମାନେ ନରେନ୍ଦ୍ର ପୁଷ୍କରିଣିର ଚକଡା ନିକଟରେ ବିଜେ କରିବା ପରେ ଠାକୁରଙ୍କ ଜଳ ଲାଗି, ଦିଅଁ ଚାପକୁ ବିଜେ, ଚାପ ଆରମ୍ଭ, ଚାପ ଶେଷ, ଦିଅଁ ଚନ୍ଦନ କୁଣ୍ଡକୁ ବିଜେ, ଚନ୍ଦନ କୁଣ୍ଡରୁ ବାହାରିବା, ସାଧାବେଶ, ଶୀତଳଭୋଗ, ବେଶ, ମାଣ୍ଡୁଅ ଭୋଗ, ଦିଅଁ ବାହାରକୁ ବିଜେ, ବିଡିଆମଣୋହି, ବନ୍ଦାପନା, ଦିଅଁ ଚାପକୁ ବିଜେ, ଚାପ ଆରମ୍ଭ ଓ ଶେଷ, ବାହୁଡା ବିଜେ ପ୍ରଭୃତି ଦେବନୀତି ସମ୍ପାଦନା କରିବା ନିମନ୍ତେ ଦୈନିକ ପ୍ରାୟ ୪୧ଜଣ ବିଭିନ୍ନ ବର୍ଗର ସେବକଙ୍କର ଆବଶ୍ୟକତା ପଡିଥାଏ ।


    ସଙ୍ଗୀତ ଓ ନୃତ୍ୟସହିତ ଏହି ଯାତ୍ରା ଅତି ମନୋରମ ହୋଇଥାଏ । ଏହି ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ପାଳନ କରାଯାଏ।


ll ଭଉଁରୀ ll : - 


           ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିବସରେ ଭଉଁରୀଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ମଦନମୋହନ, ବଳରାମ, କୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଏ । ଭଉଁରୀ ଦିନ କେବଳ ଦିନଚାପ କରାଯାଏ, ରାତ୍ରିଚାପ କରାଯାଏ ନାହିଁ, ଦିନଚାପରେ ନରେନ୍ଦ୍ର ପୋଖରୀର ଦୀପଦାଣ୍ଡି ଚାରିପଟେ ୨୧ ଘେରା ବୁଲାଯାଇଥାଏ । ଠାକୁରମାନେ ନରେନ୍ଦ୍ର ପୋଖରୀରେ ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିଥାନ୍ତି ।


     ପରମ୍ପରା ଅନୁଯାୟୀ ଭଉଁରୀଦିନ ସକାଳଧୂପ ହେବାପରେ ପୂଜାପଣ୍ଡାମାନେ ଶ୍ରୀଜୀଉମାନଙ୍କ ଆଜ୍ଞାମାଳଧରି ରଥଖଳାକୁ ଯାଇଥାନ୍ତି । ସେଠାରେ ଶ୍ରୀଅଙ୍ଗଲାଗି ଏହି ଆଜ୍ଞାମାଳଗୁଡ଼ିକୁ ମହାରଣା ସେବକମାନେ ପାଇବାପରେ ନିର୍ମାଣାଧିନ ତିନିରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରିଥାନ୍ତି ।


      ଭଉଁରୀଯାତ୍ରା ପରଦିନ ଶ୍ରୀଜୀଉମାନଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହୋଇଥାଏ । ଏଥିରେ ଆଜ୍ଞାମାଳ ପାଇବାପରେ ବିମାନ ବିଜେକରି ଠାକୁରମାନେ ନରେନ୍ଦ୍ରପୁଷ୍କରିଣୀରେ ପହଞ୍ଚିବାପରେ କେବଳ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଚାପଡଙ୍ଗାକୁ ବିଜେକରି ହଳଦୀପାଣୀ ପିଚକାରୀ ଖେଳିଥାନ୍ତି ।


ll ଭିତର ଚନ୍ଦନ ଯାତ୍ରା ll :- 


    ପରବର୍ତ୍ତୀ ୨୧ ଦିନ ବ୍ୟାପି ଭିତର ଚନ୍ଦନ ଯାତ୍ରା ପାଳନ କରାଯାଏ। ଏହି ଅବସରରେ ବାହାର ଚନ୍ଦନ ଯାତ୍ରା ଭଳି ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସମ୍ପନ୍ନ ହୋଇଥାଏ। ଏଥି ମଧ୍ୟରୁ ଜ୍ଯେଷ୍ଠକୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ, ଓ ରୁକ୍ମିଣୀ ହରଣ ଏକାଦଶୀ ରେ, ଶ୍ରୀମଦନମୋହନ,ଶ୍ରୀଦେବୀ ଓ ଭୂଦେବୀ ରୋହିଣୀକୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରି ସେଠାରେ ସୁବାସିତ ଚନ୍ଦନ ଜଳକୁଣ୍ଡ ରେ ବିହାର କରନ୍ତି।


‌ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ନିକଟରେ ୮ଫୁଟ ପ୍ରସ୍ଥ ଓ ୧୨ଫୁଟ ଦୈର୍ଘ୍ୟ ବିଶିଷ୍ଟ ‘ଚନ୍ଦନ ଘର’ ଅଛି । ସେଠାରେ ପ୍ରତ୍ୟେକ ଦିନ ଶ୍ରୀଜୀଉମାନଙ୍କ ଲାଗି ଚନ୍ଦନ ଘୋରାଯାଇଥାଏ । ଚନ୍ଦନ ଘୋରିବା ପାଇଁ ଚନ୍ଦନ ଘରେ ଥିବା ତିନୋଟି ଶିଳକୁ ଘୋଟୁଆରୀ ସେବକମାନେ ବ୍ୟବହାର କରିଥାନ୍ତି । ସମୁଦାୟ ସାତଜଣ ଘୋଟୁଆରୀ ଚନ୍ଦନ ଘୋରିଥାନ୍ତି। ସାଧାରଣ ଦିନମାନଙ୍କରେ ଘୋଟୁଆରୀ ସେବକମାନେ ପ୍ରାୟ ୪୪୨ଗ୍ରାମ ଓଜନର ଚନ୍ଦନକାଠ ଘୋରିଥାନ୍ତି

ତେବେ ଚନ୍ଦନ ଯାତ୍ରା ବେଳେ ପ୍ରାୟ ୧କିଲୋ ଓଜନର ଚନ୍ଦନ କାଠ ଘୋରିଥାନ୍ତି। ସନ୍ଧ୍ୟାଧୂପର ଅନ୍ନଭୋଗ ଅର୍ପଣ ପରେ ଠାକୁରମାନଙ୍କ ବେଶ ଓହ୍ଲାଇ ଦିଆଯାଇ ତିନିଠାକୁରଙ୍କ ବାହୁ ଓ ସନ୍ନିକଟ ଅଙ୍ଗଦେଶରେ ଚନ୍ଦନ ପ୍ରଲେପ କରାଯାଏ । ଜଗତର ତ୍ରିତାପ (ଆଧିଦୈବିକ, ଆଧିଭୌତିକ ଓ ଆଧ୍ୟାତ୍ମିକ) ହରଣ ନିମନ୍ତେ ଠାକୁରଙ୍କୁ ଚନ୍ଦନ ଲେପନ କରାଯାଇଥାଏ ସିଂହାରୀ ସେବକମାନେ ଠାକୁରଙ୍କ ଏହି ସେବା କରିଥାନ୍ତି


 ll ପୌରାଣିକ ମତେ ll :- 


      ସତ୍ୟ ଯୁଗରେ ନୃସିଂହ ଦେବ ଏହି ଯାତ୍ରାର ଆୟୋଜନ କରିଥିଲେ । ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ପରେ ବିରାଟ ରାଜାଙ୍କ ନିକଟରେ ନିଜର ପ୍ରକୃତ ପରିଚୟ ପ୍ରଦାନ କରିଥିଲେ । ବିରାଟ ରାଜା ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାମକୃଷ୍ଣେ ରୂପରେ ପଞ୍ଚୁପାଣ୍ଡବଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛାପୂରଣ ପାଇଁ ସମ୍ମତ ହୋଇଥିଲେ । ଏହା ପରେ ଏକ ବିରାଟ ଜଳାଶୟ ସୃଷ୍ଟି କରାଯାଇ ଜଳ କେଳି ମଣ୍ଡପ ନିର୍ମାଣ କରାଯାଇଥିଲା । ଉପଲବ୍ୟ ଓ ବିଭାସ୍ତୁ ନଗରୀରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା । ସମ୍ଭବତଃ 

ଏହି କାରଣରୁ ମଦନମୋହନ, ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡା ପାଇଁ ସରୋବରକୁ ଯାତ୍ରା କରିଥାନ୍ତି ।


" ପଞ୍ଚ ମହାଦେବଙ୍କର ଶୁଣ ଏବେ ନାମ ।

ଜମ୍ବେଶ୍ୱର ଲୋକନାଥେ ମାର୍କଣ୍ଡେୟ ଜାଣ ।

ଶୁଣ ବଉଳ ଗୋ!

ନୀଳକଣ୍ଠ କପାଳମୋଚନ ପାଞ୍ଚ ଭାଇ ।

ଏହି ପାଞ୍ଚ ଭାଇ ପଞ୍ଚୁପାଣ୍ଡବ ଅଟଇ ।

ଶୁଣ ବଉଳ ଗୋ!


—ଚନ୍ଦନ ଗୀତ 


    ଚନ୍ଦନ ଯାତ ନାମରେ ଏହା ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ସୃଷ୍ଟିହୋଇ ଥିବାର ଅନୁମାନ କରାଯାଏ । ଭାରତରେ ଥିବା ସହସ୍ର ଦେବମନ୍ଦିରରେ ଗରମ ଦିନେ ଆଲଟ ପଡେ, ଚନ୍ଦନ ଲାଗି ହୁଅନ୍ତି, ମାତ୍ର ସ୍ୱତନ୍ତ୍ର ଯାତ୍ରା ତଥା ଦୈବପର୍ବ ରୂପେ ଏହା ସଂପୂର୍ଣ୍ଣ ଭାବେ ଓଡ଼ିଶାରେ ହିଁ ପ୍ରସିଦ୍ଧ । ବୈଶାଖ ଶୁକ୍ଳ ତୃତୀୟାଠାରୁ ସ୍ନାନପୂର୍ଣ୍ଣିମା ୪୨ଦିନ ଧରି ଆଚରିତ ହୁଏ ।


   ଐତିହାସିକ ତଥ୍ୟରୁ ଜଣାଯାଏ, ଗଙ୍ଗବଂଶର ରାଜାମାନଙ୍କ ସମୟରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ରାଜା ଦ୍ୱିତୀୟ ନରସିଂହଦେବଙ୍କ ଶାସନ ସମୟରେ ନଖପୋଡି ନରେନ୍ଦ୍ର ମହାପାତ୍ର ନରେନ୍ଦ୍ର ପୁଷ୍କରଣୀ ଖୋଳିଥିଲେ । ରାଜା ଚୋଡଗଙ୍ଗଦେବ ଜଗନ୍ନାଥ ବଲ୍ଲଭ ବେଣ୍ଟ ପୋଖରୀରେ ଠାକୁରଙ୍କର ନୌକାବିହାର କରାଉଥିଲେ । କୁହାଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ଭାଇ ନରେନ୍ଦ୍ର ଦେବ ନିଜର ୧୪ପୁଅଙ୍କ ସହିତ ଯୁଦ୍ଧରେ ପ୍ରାଣବଳି ଦେଇଥିବାରୁ ସ୍ମୃତି ରୂପେ ନରେନ୍ଦ୍ର ସରୋବର ଖନନ ହୋଇଥିଲା । ପରେ ଏହିଠାରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା ।


Rate this content
Log in

Similar oriya story from Inspirational