ସହରୀ ଜୀବନ 2
ସହରୀ ଜୀବନ 2
ଅନିତା ପଣ୍ଡା
ଆବେଗରେ ଭକ୍ତମାନେ ରଥ ଉପରକୁ ଚାହିଁ ରହିଛନ୍ତି । ରାଜାଙ୍କ ଦ୍ୱାରା ଛେରା ପହରା ପଦ୍ଧତି ଶେଷ ହେଲା ।
ଅନ୍ୟ ଏକପଟର ବ୍ରାହ୍ମଣ ଗୋଷ୍ଠୀଙ୍କ କଣ୍ଠରୁ ଭାସି ଆସିଲା “ଆତ୍ମାନମ୍ ରଥିନାମ ବିଧି, ଶରୀରମ୍ ରଥମେଭଟୁ, ବୁଦ୍ଧିମ୍ ତୁ ସାରଥିମ୍, ବିଧି ମନାଃ ପ୍ରଗାହ ମେବଚ ।”
ସୁଶୀନାନୀ ଭାବେ ମୁଁ ସବୁ ବୁଝିପାରେ । ୟା’ର ଅର୍ଥ ପଚାରିଲା ଠିକ୍ ଭାବେ ତ କହିପାରିବିନି । ମୋଟା ମୋଟି ଯାହା ମନେ ହୁଏ- ଶରୀର ହେଉଛି ରଥ, ଆଉ ଆତ୍ମା ହେଉଛି ରଥରେ ବିଜୟ ଭଗବାନ ।
ତା’ପରେ ଅନ୍ୟ ଏକ ଗୋଷ୍ଠୀଙ୍କର ଶ୍ଳୋକ ଗାନ ।
“ଗୁଣ୍ଡିଚା ମଣ୍ଡପମ୍ ନମାମ, ୟାତ୍ରା ହମଜମେ ପୁରା, ଅଶ୍ୱମେଧ ସହସ୍ରାୟ ମହାଦେବୀ ତତଦ୍ଭବତ୍ ।”
ଏଥର ସୁଶୀନାନୀ କିଛି ପ୍ରଶ୍ନ କରିବା ପୂର୍ବରୁ କହିଲି, “ମୁଁ କ’ଣ ସଂସ୍କୃତ ପଢ଼ିଛି । ପୁରାଣ ପଢ଼ାରୁ ଯାହା ବୁଝୁଛି କିଛି ଗୁଣ୍ଡିଚା ଘର ଆଉ ଅଶ୍ୱମେଧ ଯଜ୍ଞ କଥା କହୁଛନ୍ତି । ତତେ କଥା ଦେଉଛି, ପାଠ ପଢ଼ିଲେ ୟା’ର ସମସ୍ତ ଅର୍ଥ ତତେ ବୁଝାଇ ଦେବି ।”
ୟା’ ଭିତରେ ରଥଟଣା ପଦ୍ଧତି ଆରମ୍ଭ ହୋଇ ଯାଇଥିଲା । ସମସ୍ତେ ନିଜ ନିଜ ବସିବା ସ୍ଥାନରୁ ଉଠି ରଥଟଣା ଉପରେ ଦୃଷ୍ଟି ନିବିଦ୍ଧ କଲେ ।
ଦୁଇଟି ସନ୍ଧ୍ୟା
ବଡ଼ନନାଙ୍କର ବଦଳି । ପୁରୀ ସହିତ ମୁଁ ଏତେ ନିବିଡ଼ ଭାବେ ଜଡ଼ି ଯାଇଥିଲି ଯେ ଉଦାସ ହୋଇ ରହିବା ବ୍ୟତୀତ ଆଉ ମୋର କିଛି ଉପାୟ ନ ଥିଲା ।
ମୋ ଅପେକ୍ଷା ଆଶା ବେଶୀ ଉଦାସ ଥିଲା । କହିଲା, “ବାପା କହୁଥିଲେ ତୁ ଏ ବର୍ଷ ସ୍କୁଲ୍ରେ ନାମ ଲେଖାଇବୁ ।” କେତେ ମଜା କରିବା ମନେ ମନେ କଳ୍ପନା କରି ନେଇଥିଲି । ମାତ୍ର ସବୁ ଫସର ଫାଟିଗଲା ।
ତା’ କଥା ଶୁଣି ଉତ୍ତର ଦେବାକୁ ମୋ ପାଟିରେ ଭାଷା ନ ଥିଲା ।
ଆଜି ସନ୍ଧ୍ୟାରେ ମଉସା (ଆଶାର ବାପା) ଆମ ଘରକୁ ଆସିଥିଲେ । ଠା’ ଠା’ ପକବାନ ତିଆରି କରି ବ୍ରଜନନା ପରଶୁ ଥିଲା । ମଉସା ଅନର୍ଗଳ ଭାବେ ବଡ଼ନନାଙ୍କର ପ୍ରଶଂସା ଗାଇ ଚାଲିଥିଲେ । ଆନନ୍ଦରେ କରୁଳି ଉଠି ଲୁଚି ଲୁଚି କବାଟ ପାଖରେ ତାଙ୍କ କଥା ଶୁଣିବାକୁ କାନେଇଲି । ବହୁ ଭାଗ କଥାବାର୍ତ୍ତା ଇଂରାଜୀରେ । ତେଣୁ ବୁଝିପାରୁ ନଥିଲି । ବ୍ରଜନନା ପକୁଡ଼ି ପ୍ଲେଟ୍ଟା ନେଇ ଯାଉଥିଲା । ଲୋଭ ସମ୍ଭାଳି ପାରିଲିନି । କହି ଉଠିଲି, “ମତେ ଗୋଟେ ଦିଅନା ।” ମୋ କଥା ନ ଶୁଣି ବ୍ରଜନନା ଭିତରକୁ ଚାଲିଗଲା । ମଉସା ମତେ ଇଶାରାରେ ଡାକିଲେ । ମୁହଁ ତଳକୁ କରି ତାଙ୍କ ପାଖକୁ ଲାଗି ଛିଡ଼ା ହେଲି । ଚିନ୍ତା କରୁଥିଲି ମଉସା ନିଶ୍ଚୟ ମୋ ହାତରେ ବହୁତ ପକୁଡ଼ି ଧରାଇବେ । ମାତ୍ର ସେମିତି କିଛି ଘଟିଲାନି । ପଚାରିଲେ, “ଆମ କଥାବାର୍ତ୍ତାରୁ କ’ଣ ବୁଝିଲୁ ?”
“କିଛି ନୁହେଁ । ଇଂରାଜୀରେ ଥିଲା ।” ଖୁବ୍ ଭୟଭୀତ ହୋଇ ଖନେଇ ଖନେଇ କହିଲି ।
ମତେ ଆଉ କିଛି ନ କହି ବଡ଼ନନାଙ୍କୁ କହିଲେ, “ପିଲାଟାର ଗୋଟାଏ ବର୍ଷ ନଷ୍ଟ କରିଦେଲ । ଏଥର ଯେଉଁଠାରେ ଚାକିରୀ ଜଏନ୍ କରିବ ତା’ ନାଁ ସ୍କୁଲ୍ରେ ଲେଖାଇ ଦେବ । ଦରକାର ହେଲେ ଟିଉସନ୍ ମାଷ୍ଟରଟିଏ ମଧ୍ୟ ରଖାଇଦେବ । ଆଜିକାଲି ଦୁନିଆଁରେ ଝିଅ ପାଠ ନପଢ଼ିଥିଲେ ଯେତେ ବୁଦ୍ଧିମତୀ, ସର୍ବଗୁଣ ସମ୍ପର୍ଣ୍ଣା ହୋଇଥିଲେ ମଧ୍ୟ ସମାଜରେ ମାଡ଼ ଖାଇଯିବ ।”
ଚାହା ଶେଷ କରି ଦୁହେଁ ହାତ ଧୋଇବାକୁ ଉଠିଗଲେ । ଦଉଡ଼ିଯାଇ ହାତରେ ଖଣ୍ଡେ ସଫା ତଉଲିଆ ଧରି ଛିଡ଼ା ହୋଇ ରହିଲି ।
ଆମ ଦୁଇ ଭଉଣୀଙ୍କର ପୁରୀ ଛାଡ଼ିବା ଦିନ ପାଖେଇ ଆସୁଛି । କାକୋଲିର ବାପା ବଡ଼ନନାଙ୍କ ସହ ନନାଙ୍କୁ ରାତ୍ରିଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ । କାକୋଲୀକୁ ଦେଖି ମୁଁ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲି । ଦୁଇଦିନ ତଳେ ମତେ ଚିଠି ଲେଖିଥିଲା । ଆସିବା କଥା କି କିଛି ଲେଖି ନ ଥିଲା ।
ଏତେ ଦିନରେ ମୁଁ ତୋର ଏକାଗ୍ରତା ବିଷୟରେ ଜାଣି ପାରିଥିଲି । ତତେ ବଙ୍ଗଳା ଶିଖାଇବା ପାଇଁ ଏଇଟା ମୋର ଚାଲ୍ ଥିଲା । ଏମିତି କରିବାରୁ ମା’ ମତେ ଶିଖାଇଥିଲେ । ଆମେ ତିନି ଭଉଣୀ । ଆମର ଦାଦା କାହିଁ ? ଠାକୁମା’ଙ୍କର ଦେହାନ୍ତ ମୋ ଜନ୍ମ ପୂର୍ବରୁ ହୋଇଛି । ପରେ ପରେ ମାସୀମା ମୋ ସିଲାଇ ଆଉ ବଙ୍ଗଳା ଶିଖିବା ବିଷୟରେ ବିସ୍ତାର ଭାବେ ଆଲୋଚନା କରିଥିଲେ ।
ବଂଶୀ କକେଇଙ୍କ ସହ ଆମ ଦୁଇ ଭଉଣୀଙ୍କୁ ଟ୍ରେନ୍ରେ ବସାଇବାକୁ ବଡ଼ନନା ଷ୍ଟେସନ୍ ଆସିଥିଲେ । ଟ୍ରେନ୍ ଛାଡ଼ିବା ପୂର୍ବରୁ ମତେ କହିଲେ, “ଶୁଣୁଛି ମୋର ପ୍ରଥମ ପୋଷ୍ଟିଂ ଭଦ୍ରକ ହେବ । ସେଇଠି ତୋର ସ୍କୁଲ୍ ପଢ଼ା ଆରମ୍ଭ ହେବ ।” କୃତ୍ୟ କୃତ୍ୟ ହୋଇ ମୁଁ ନନାଙ୍କ ମୁହଁକୁ ଚାହିଁ ରହିଲି ।