ଶିଳ୍ପୀ {shiLpI}
ଶିଳ୍ପୀ {shiLpI}
-:ଶିଳ୍ପୀ:- ପୃଷ୍ଠା ୧/୨
-୧- ଉପକ୍ରମ
"ଠିକ୍ ମୋ'ରି ପରି ଗଢ଼ି ପାରିବ ତ ?"
"ସେ ବିଶ୍ଵାସ ଅଛି ରାଜକୁମାରୀ |"
"ନୟନରେ ଗାମ୍ଭୀର୍ଯ୍ୟ, ଭ୍ରୂଲତାରେ ଭଙ୍ଗିମା ଦେବ, ଆଉ ଅଧରରେ ଉଚ୍ଛ୍ଵାସ ଓ କମ୍ପନ |"
"ଆପଣଙ୍କର ସେବା ପାଇଁ... |"
"ବନ୍ଦ କର | ଆଉ ତା' ସହିତ ମୁଖମଣ୍ଡଳରୁ କେହି ଆଶା କରୁ ନ ଥିବା ଏକ ଭାବ ଯେପରି ଫୁଟି ଉଠୁ ଥିବ |"
"ଯଦି ରାଜକୁମାରୀ ଅନୁମତି ଦିଅନ୍ତି , ତେବେ କହୁଛି, କଥାଟା ପରିଷ୍କାର ହେଲା ନାହିଁ |"
କେତେଟା ମୁହୂର୍ତ୍ତ ନୀରବରେ କଟି ଗଲା | "ଏଇ ଯେପରି, ମନେକର... ରାଜକୁମାରୀ କୌଣସି ଏକ ଦୁସ୍ଥ କଳାକାରର ପ୍ରେମରେ... |"
"ଆଉ କିଛି ନିର୍ଦ୍ଦେଶନା ଆଶା କରି ପାରେ ?"
"ତୁମେ ଏତିକି ପ୍ରଥମେ ନିର୍ଭୁଲ ଭାବରେ କରି ସାର | ହଁ, ମୁଁ ସନ୍ଧ୍ୟାବେଳେ ଏଇ ଉଦ୍ୟାନରେ ପ୍ରାୟ ଥାଏ | ଶେଷ ହେଲେ ମୋତେ ଏକାକିନୀ ଦେଖି ଦେଇ ଯିବ |"
-୨- ମୂର୍ତ୍ତି ଗଢ଼ା
ପ୍ରତିମା ଗଢ଼ା ଚାଲେ | ଏ କ'ଣ ? ରଜକୁମାରୀଙ୍କ କହିବା ମତେ ମୂର୍ତ୍ତି ଯେ ହେଲା ନାହିଁ | ଭ୍ରୂଲତାରେ ଭଙ୍ଗିମା ଦେଲେ ଗାମ୍ଭୀର୍ଯ୍ୟ ରହୁ ନାହିଁ | ତେଣେ ଗାମ୍ଭୀର୍ଯ୍ୟର ସନ୍ନିବେଶ କଲେ ଭ୍ରୂଭଙ୍ଗୀ ବିନଷ୍ଟ ହେଉଅଛି | ମୁଖମଣ୍ଡଳରେ ଭାବର ବିସ୍ମୟ ଆଙ୍କିଲେ ଅଧରର କମ୍ପନ ସଙ୍ଗେ ଭ୍ରୂଭଙ୍ଗୀ କୃତ୍ରିମ ହେଉଛି | ଆୟାସଲବ୍ଧ ସମସ୍ତ ଶିଳ୍ପକଳାର ପରାଜୟରେ ଶିଳ୍ପୀର ମନ କ୍ଷୁବ୍ଧ ହୁଏ | ତଥାପି ଏକ ଆଶାର ଉଦ୍ଦୀପନାରେ ସେ କାମରେ ଲାଗେ | "ସେ ଦିନ କ'ଣ ରାଜକୁମାରୀ ମୋତେ ଲକ୍ଷ୍ୟ କରି କହିଥିଲେ ?"
ବନାନୀ ପାର୍ଶ୍ଵସ୍ଥ ଏକ କୁଟୀର ଅଙ୍ଗନରେ କେତେ ଯେ ମୂର୍ତ୍ତି ଗଢ଼ା ହେଇ ଭଙ୍ଗା ଯାଇଛି, ତା'ର ହିସାବ ରଖି ପାରିଥିବେ କେବଳ ସୂର୍ଯ୍ୟ, ଚନ୍ଦ୍ର ଓ ତାରା | "ସେ 'ଦୁସ୍ଥ କଳାକାର' ସତେ କ'ଣ ଏଇ ହତଭାଗ୍ୟ ?"
ବର୍ଷ ପରେ ବର୍ଷ ବିତିବାକୁ ଲାଗିଲା | ଶିଳ୍ପୀ ହେଲା ଲୋଳିତଚର୍ମ,ଗଳିତଦନ୍ତ; ଚଳଚ୍ଛକ୍ତି ତା'ର କ୍ଷୀଣ ହେଲା | ସେ ଦିନର ବର୍ଣ୍ଣବିଭାସିତ ଚିବୁକଦ୍ଵୟ ପ୍ରେତରୂପ ଧାରଣ କଲା |
ଅବଶେଷରେ ମୂର୍ତ୍ତି ସଂପୂର୍ଣ୍ଣ ହେଲା | ବାରମ୍ବାର ନିରୀକ୍ଷଣ ପରେ ଶିଳ୍ପୀର ଅଧରରେ କ୍ଷୀଣ ହାସ୍ୟ ଖେଳିଲା | ଅଧିକ ପ୍ରେତାୟିତ ହେଲା ତା' ରୂପ | "ବାଃ !" କେତେକ ବର୍ଷ ଶିଳ୍ପୀକୁ ପ୍ରତୀତ ହେଲା କେତେକ ଦିନ ପରି | ପାଦ ଦୁଇଟି ତା'ର ଚଞ୍ଚଳ ହେଲେ |
-୩- ରାଜ୍ୟ ଓ ରାଜକୁମାରୀ
ରାଜ୍ୟରେ ଚହଳ ପଡ଼ିଲା | ରାଜକୁମାରୀଙ୍କର ଏ କ'ଣ ହେଇଛି ? ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅବିବାହିତା ରହିବେ | କାରଣ କ'ଣ, କେହି ଜାଣିଲେ ନାହିଁ | "କେବଳ ମୁଁ ଜାଣେ," ବାସ୍, ଏତିକି |
ପୃଷ୍ଠା
ong> ୨/୨
ସମୟର ଚକ୍ର ଘୂରିବାକୁ ଲାଗିଲା | ରାଜକୁମାରୀ ଅତିଷ୍ଠ ହେଲେ |
ଯେତେବେଳେ ଦିଗନ୍ତରେ ଗୋଧୂଳି ଉଙ୍କିମାରେ, ଗିରିଶୃଙ୍ଗର ଅର୍ଦ୍ଧେକ ଆଲୋକ ଓ ଅପର ଅର୍ଦ୍ଧାଂଶ ଅନ୍ଧକାରରେ ବୁଡ଼ି ରହି ଅପୂର୍ବ ରୂପଲାବଣ୍ୟରେ ଚମତ୍କୃତ ହୁଏ, ଆଉ ଯେତେବେଳେ ରାଜକୁମାରୀଙ୍କ ମନ କାହାର ସ୍ମରଣରେ ଅସ୍ଥିର ହୁଏ, ଠିକ୍ ସେତିକିବେଳେ ଉଦ୍ୟାନର ସେହି ପୁଷ୍କରିଣୀ ତଟରେ ଏକ ନାରୀମୂର୍ତ୍ତି ଆବିର୍ଭୂତ ହୁଏ; ମନକୁ ମନ ସେ ପ୍ରଶ୍ନ କରେ, "ଶିଳ୍ପୀ କ'ଣ ଫେରିବ ନାହିଁ ?"
ସେହି ଏକ ଚିନ୍ତା, ଏକ ମନୋନିବେଶ | ସେ ଦିନୁ ରାଜକୁମାରୀ ସଂସାରର ଅନ୍ୟ କିଛି ଜାଣି ନାହନ୍ତି -- ଜାଣିବାର ଆବଶ୍ୟକତା ଅନୁଭବ କରି ନାହାନ୍ତି |
-୪- ପ୍ରତିମା ଅର୍ପଣ
ଶିଳ୍ପୀ ଆସିଛି | ପଥଶ୍ରାନ୍ତି ହେତୁ ସେ ଅବଶ | ଯଷ୍ଟି ଉପରେ ଭରା ଦେଇ କୌଣସି ପ୍ରକାରେ ସେ ଗତି କରୁଛି | ସେହି ନବାଗତକୁ ଦେଖି କେତେଟା କୁକ୍କୁର ଭୁକି ଉଠିଲେ |
ଏଇ ତ, ରାଜକୁମାରୀଙ୍କ ଉଦ୍ୟାନ | ଶିଳ୍ପୀ ଚିନ୍ତା କଲା, "ରାଜକୁମାରୀ କାହାନ୍ତି ? ଏ ବୃଦ୍ଧା କିଏ ?" ଅପେକ୍ଷା କରିବାକୁ ତା'ର ଧୈର୍ଯ୍ୟ ରହିଲା ନାହିଁ | ଶିଳ୍ପୀର ଜୀର୍ଣ୍ଣ ଅଧରରୁ ଶବ୍ଦାୟନ ହେଲା, "ବୃଦ୍ଧା ! ରାଜକୁମାରୀଙ୍କୁ ଡାକି ଦେଇ ପାରିବ ?"
ଏତେ ଦିନେ ରାଜକୁମାରୀ ନିଜ ବୟସ ବିଷୟରେ ଚିନ୍ତା କରିବାକୁ ଆବଶ୍ୟକ ମନେ କଲେ | ଚିବୁକ ଉପରେ ଅଙ୍ଗୁଳି ସଞ୍ଚାଳନ କଲେ -- କେତେ ଖଣ୍ଡି ଅସ୍ଥି ଉପରେ ଶୁଷ୍କ ଚର୍ମଟି ଲାଗି ରହିଛି | ଚକ୍ଷୁ ସମକ୍ଷରେ କେଶଗୁଚ୍ଛ ଧରି ଦେଖିଲେ -- ଦେଖି ଚମକିଲେ -- "ଏ କ'ଣ ମୋ କେଶ ? ଘନ କୃଷ୍ଣବର୍ଣ୍ଣ ଏଥିରୁ ଉଭାନ ହେଲା କେବେ ? .. ମୁଁ ତା'ହେଲେ କୁମାରୀ ନୁହେଁ, ବୃଦ୍ଧା ?"
"ରାଜକୁମାରୀଙ୍କୁ ଡାକି ଦେଇ ପାରିବ ?"
ବୃଦ୍ଧାଙ୍କର ଭାବନା ଅଟକି ଗଲା | "ମୁଁ... ମୁଁ... ରାଜକୁମାରୀ… ନିଜେ ମୁଁ |"
ଶିଳ୍ପୀର ଛାତି ଦ୍ରୂତ ସ୍ପନ୍ଦିତ ହେଲା | "ରାଜକୁମାରୀ ! ଆପଣଙ୍କର ମୂର୍ତ୍ତି -- ଏଇ, ନିଅନ୍ତୁ |"
"ତୁମେ କଣ ସେହି ଶିଳ୍ପୀ, ଯିଏ ସେ ଦିନ ଗୋଧୂଳି ସମୟରେ ମୋ'ଠାରୁ 'ଆଉ କିଛି' ବକ୍ତବ୍ୟ ଚାହିଁ ଥିଲା ?"
"ଆପଣଙ୍କର ସାକ୍ଷାତ୍ ପାଇଁ ଜୀବିତ ଅଛି ରାଜକୁମାରୀ !"
"ଶିଳ୍ପୀ !" ରାଜକୁମାରୀ ମୂର୍ଚ୍ଛା ଗଲେ | ତାଙ୍କର ମୂର୍ଚ୍ଛାଭଙ୍ଗ ହେଇ ଥିବାର କେହି ଜାଣି ନାହିଁ |
-୫- ଜନରବ
ଶ୍ରାବଣର ବନ୍ୟାରେ ପ୍ଳାବିତ ସ୍ରୋତସ୍ଵିନୀ ଆଡ଼କୁ ଦୁଇଗୋଟି ପାଦ ଓ ଗୋଟିଏ ଯଷ୍ଟିର ଚିହ୍ନ ଆଗେଇ ଯାଇଥିବା କଥା ପରଦିନ ସକାଳେ ଲୋକେ କୁହାକୁହି ହେଲେ |
"ରାଜକୁମାରୀଙ୍କ ଜୀବନଟାକୁ ଡାଆଣୀ ବୁଢ଼ୀ ନେଇ ଚାଲି ଯାଇଛି ଲୋ ନଈ ଆଡ଼େ |" ମାଆ କୋଳରେ ପୁଅ ଶୋଇଯାଏ |
[ଲଲାଟେନ୍ଦୁ କବି, କଲେଜ୍ ଜୀବନର ଲେଖା]