STORYMIRROR

Lalatendu Kabi

Others

3  

Lalatendu Kabi

Others

ପତିବ୍ରତା

ପତିବ୍ରତା

2 mins
1.2K


ପତିବ୍ରତା

—୧—

ଅତ୍ୟନ୍ତ ଉଦ୍ବେଳିତ ଥିଲା ତାରୁଣ୍ୟରେ ନବ ବିପତ୍ନୀକ ଧର୍ମାଚାରୀଙ୍କ ହୄଦୟ । ପରିବର୍ତ୍ତନ ପାଇଁ ଉଦ୍ୟାନକୁ ଗଲେ ସିନା ଜନସମାଗମ ଅତିଷ୍ଠ କରିବାରେ ଏକ ନିଭୄତ କୋଣରେ ନିକାଞ୍ଚନରେ ବସିବାକୁ ଶ୍ରେୟ ମନେ କଲେ ।


ସହସା ହୄଦୟରେ ପୁଲକ ଜାଗି ଉଠିଲା; ପ୍ରତେ ହେଲା ଯୁଗଯୁଗାନ୍ତର ସଞ୍ଚିତ ରତ୍ନ ପ୍ରାଣବଲ୍ଲଭା ସ୍ୱର୍ଗଗତା ସୁନ୍ଦରୀ ତରୁଣୀ ଧର୍ମପତ୍ନୀ ତାଙ୍କର ଖୁବ ସନ୍ନିକଟବର୍ତ୍ତୀ, ଧୀର କରସ୍ପର୍ଶରେ ଅସ୍ତିତ୍ୱର ସମସ୍ତ ପ୍ରେମ ତାଙ୍କ ଉପରେ ବର୍ଷଣ କରୁଛନ୍ତି । ସେ ଚତୁର୍ଦିଗକୁ ଇତସ୍ତତଃ ନିରୀକ୍ଷଣ କଲେ । ନା, କେହି ନାହିଁ, ସବୁ ଭ୍ରମ, ପ୍ରେମର ପ୍ରାବଲ୍ୟରୁ ଭ୍ରାନ୍ତିଦର୍ଶନ, ଆତ୍ମସମ୍ମୋହନ ମାତ୍ର ।


ସାମାନ୍ୟ ପ୍ରକୄତିସ୍ଥ ହୁଅନ୍ତେ ଶୁଣିଲେ ଶୂନ୍ୟବାଣୀ —

̎ମୋତେ ଖୁବ ଖୋଜୁଥିଲ ନା?̎


̎ହଁ, ଅହର୍ନିଶ, ଅବିରତ

̎ମୋ ଅନ୍ତିମ ଦର୍ଶନ କରି ପାରି ନଥିବାରୁ ବ୍ୟଥିତ ଅଛ?̎


̎ନିସନ୍ଦେହ, ସୀମାତିରିକ୍ତ


̎ଜାଣ, ମୄତ୍ୟୁବେଳେ ଆମକୁ ପରସ୍ପରଠୁ ଦୂର ରଖି ପରମ କୄପାମୟ ଈଶ୍ବର କେତେ ମଙ୍ଗଳ କରିଛନ୍ତି ?̎


̎ମଙ୍ଗଳ? ଏ କଣ କହୁଛ?̎


̎ହଁ କହୁଛି ଶୁଣ, ବିଦାୟର କିଛିଦିନ ପୂର୍ବେ କହି ଥିଲ ନା, ତୁମକୁ ମୋ ମୁଖଶ୍ରୀ ନ ଦେଖେଇବାକୁ, ମନେ ଅଛି?̎


̎ଓଃ! ହଁ ମନେଅଛି ! ପାପମୟ କ୍ଷଣିକ କ୍ରୋଧବଶଃ ତୁମ ପ୍ରତି ସେ ଅମାନବୀୟ ଭାଷା ପ୍ରୟୋଗ କରିଥିବାରୁ ମୁଁ ଖୁବ ଅନୁତପ୍ତ ବ୍ୟଥିତ ଓ ଲଜ୍ଜିତ ବୋଲି କେତେଥର କହିଛି । ତୁମେ କିନ୍ତୁ ମୋ ବଚନ ପାଳିବାକୁ ଯେ ଶପଥ କଲ, ସେଦିନୁ...̎


. ̎ଥାଉ ! ଆମର ଶେଷ ଦର୍ଶନ ହେଇଥିଲେ ହୁଏତ ମୋର ସେ ବଚନ ଖଣ୍ଢିତ ହୁଅନ୍ତା, ଆମ ପବିତ୍ର ଦାମ୍ଫତ୍ୟରୁ ସତ୍ୟର ତିରୋଧାନ ହୁଅନ୍ତା । ଏବେ ମୋତେ ଦେଖିବ?̎


̎ଅବଶ୍ୟ ! ମୋର ସୌଭାଗ୍ୟ ! କେଉଁଠାରେ ଲୁଚି ରହିଛ କୁହ, ଦେଖା ଦିଅ !̎


̎ଉପରକୁ ଚାହଁ ! ଏବେ ସନ୍ଧ୍ୟାଗତ, ବିଳମ୍ବ କର ନାହିଁ । ପ୍ରାଚୀ ଆକାଶକୁ ଚାହଁ


. —୨—


ଧର୍ମାଚାରୀ ଦେଖିଲେ, ପ୍ରାଚୀ ଗଗନର କୄଷ୍ଣଧବଳ ମେଘମାଳ ମଧ୍ୟରେ ରକ୍ତବର୍ଣ୍ଣ ପାଟବସ୍ତ୍ର ପରିହିତା ନାନା ଅଳଙ୍କାରସଜ୍ଜିତା ନଖ ଓ ପାଦରେ ନାଲିରଙ୍ଗରେ ସୁଶୋଭିତା ପୄଷ୍ଠଦେଶରେ ଘଞ୍ଚ ସୁଦୀର୍ଘ କୄଷ୍ଣକୁନ୍ତଳ ପ୍ରଲମ୍ବିତା ଦେଦକନ୍ୟାର ଭ୍ରମ ସର୍ଜନା କାରିଣୀ ତାଙ୍କ ସହଧର୍ମିଣୀ । ନେତ୍ରନିଃସୄତ ଜଳବିନ୍ଦୁ ଗୁଡିଏ ଟପ୍ ଟପ୍ ଖସି ପଡୁଛି ଆକାଶଗର୍ଭରୁ । ନିଜ ଶଯ୍ୟାସଙ୍ଗିନୀଙ୍କୁ ଏତେ ବର୍ଣ୍ଣବିଭାଷିତ ପରିପାଟୀରେ ବିଭା ବେଦୀ ପରେ ଅନ୍ୟ କେବେ ଦେଖିଥିବାର ସେ ମନେ କରି ପାରିଲେ ନାହିଁ । କିନ୍ତୁ ତାଙ୍କ ମୁଖ କିଞ୍ଚିଦପି ଦୄଶ୍ୟମାନ ହେଉ ନ ଥାଏ । ଅଗତ୍ୟା କହି ପକେଇଲେ,


̎ତୁମ ସମ୍ମଖ ଭାଗ ମୋତେ ଦର୍ଶନ କରେଇ ପାରିବ ?̎

ଉତ୍ତର ମିଳାଲା, ̎ହଁ ।


ସମ୍ଭ୍ରମରେ ନାରୀମୂର୍ତ୍ତିଟି ଅାକାଶରେ ବୁଲି ପଡିଲା ।ପୁଣି ନିର୍ଦେଶ, ̎ତୁମ ମୁଖରୁ ଓଢଣାଟିକୁ ହଟେଇବ ?̎


̎ହଁ ।̎ ତାହା ହିଁ ହେଲା ।


ମୁହଁରୁ କରପତ୍ର ଦୁଇଟି ହଟେଇବ କି ?̎


̎ତୁମ ପ୍ରୀତ୍ୟର୍ଥେ ଯାହା ମୋ ଦେଇ ସମ୍ଭବ କଲି ।


ଆଃ! ତଥାପି ମୁଖ ଦିଶିଲା ନାହିଁ ! ଏଥର ପୁଣି ବ୍ୟାକୁଳ ନିବେଦନ, ̎ତୁମ କେଶଗୁଚ୍ଛକୁ ମୁଖରୁ କାଢି ପୁଣି ଥରେ ପୄଷ୍ଠଦେଶରେ ରଖିବ କି? ଏ ଯାବତ ତୁମ ମୁଖଲାବଣ୍ୟ ଦର୍ଶନରୁ ବଞ୍ଚିତ ମୁଁ, ଆଉ ତୁମେ ତ କୄପାର ଜୀବନ୍ତ ପ୍ରତିମା !!̎


ଶୂନ୍ୟରୁ ଭାସି ଆସିଲା ଚାପା କ୍ରନ୍ଦନ ଭିତରେ ବିନମ୍ର ନାସ୍ତିବାଣୀ,


̎ନା । ଆଉ ପାରିବି ନାହିଁ; ସେଦିନ ପରି ଏବେ ମଧ୍ୟ ପତିବ୍ରତା ମୁଁ !̎


କହିବା ମାତ୍ରେ ସେ ନାରୀ ମୂର୍ତ୍ତିଟି ଅନ୍ତର୍ଦ୍ଧାନ ହେଇ ତା ସ୍ଥାନରେ ଆବିର୍ଭୂତ ହେଲା ବିଶାଳ ଏକ ଲେଲିହାନ ପ୍ରଦୀପ । କଳେବର କ୍ଷୁଦ୍ରରୁ କ୍ଷୁଦ୍ରତର ହେବା ସହ ଧୀରେ ଧୀରେ ତାହା ପ୍ରାଚୀ ଦିଗ୍ ବଳୟରେ ଅସ୍ତ ଗଲା । ରହି ଗଲା ଅନ୍ଧକାର ।


ସମାପ୍ତ


ଲଲାଟେନ୍ଦୁ କବି


୨୦୧୮୧୦୦୧୦୪୧୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍