ଚୋର (୨୬୯ ଶବ୍ଦରେ)
ଚୋର (୨୬୯ ଶବ୍ଦରେ)
ଶତାୟୁ ହର୍ମ୍ୟ (କୋଠା) ରାଜିକୁ ନେଇ ଏ ମହାବିଦ୍ୟାଳୟ ଚିକିତ୍ସକ ଗଢିବାରେ ନିୟୋଜିତ । ପ୍ରଦେଶରେ କଣ, ଦେଶରେ, ନା ନା ସାରା ବିଶ୍ୱରେ ସ୍ୱନାମଧନ୍ୟ। ଗ୍ରାମୀଣ କହନ୍ତି, ଏଠି ଦିଗ୍ଦିଗନ୍ତାଗତ ତରୁଣମାନେ ୬ ବର୍ଷରେ ବୈଦ୍ୟ ହୁଅନ୍ତି । ଜ୍ଞାନୀ ଜନଙ୍କର, ବିଶେଷ କରି ଶିକ୍ଷାର୍ଥୀମାନଙ୍କ ସମ୍ଭ୍ରାନ୍ତ ପିତାମାତାଙ୍କ ଭାବନାରେ ଏଠି ନର ଅର୍ଭକ (ସନ୍ତାନ)ର ଦେବତ୍ୱ ପ୍ରାପ୍ତି ହୁଏ ।
ଦେବପୁତ୍ରମାନଙ୍କ ବାସସ୍ଥଳୀ ବା ଛାତ୍ରାବାସରୁ ସେମାନଙ୍କ ବସ୍ତ୍ରହରଣ ବି ହୁଏ, ମାନେ ଗାଧୁଆ ଗାମୁଛା ଲୁଙ୍ଗି ଶୁଖୁଥିବା ଦଉଡିରୁ ଅନ୍ତର୍ଦ୍ଧାନ ହେବାର ଦୄଷ୍ଟାନ୍ତ ଅନେକ । ଯିଏ ନିଏ ସେ ଦରିଦ୍ରଜଣକ ଅନ୍ତେବାସୀଙ୍କ ଭିତରୁ ଜଣେ କେହି ରାଜକୁମାର କି ବହିରାଗତ ଶତ୍ରୁ, ଜାଣି ହୁଏ ନାହିଁ; ସନ୍ଦେହର ବିଷ ସଭିଙ୍କୁ ଆଲୋଡିତ କରେ ।
ଏକଦା ଅପରାହ୍ଣରେ ରାଜପୁତ୍ରଗଣ ବିଦ୍ୟାଧ୍ୟୟନ ସମାପନ କରି ଶ୍ରେଣୀଗୄହରୁ ଫେରିବାରେ ଦେଖିଲେ, ସେହି ଦ୍ୱିତୀୟ ତଳର ଭୌମ (ଚଟାଣ) ଉପରେ ବିଦୀର୍ଣ୍ଣ, ଓ କଳୁଷିତ ବସ୍ତ୍ର ପରିହିତ ୨୦-୨୨ ବର୍ଷୀୟ କେହି ଜଣେ ଅଜ୍ଞାତ, ନିଷ୍ପ୍ରଭ-ଚକ୍ଷୁ, ଅନାର୍ଯ୍ୟ ବର୍ବର ଯୁବକ ବସି ମଧ୍ୟେ ମଧ୍ୟେ ସ୍ୱତଃ ସ୍ମିତହାସ୍ୟ କରୁଅଛି, କାହାରି ଯାତାୟାତକୁ ତାର ଲେଶ ମାତ୍ର ଭ୍ରୂକ୍ଷେପ ନହିଁ । ପରିଚୟ ଓ ଉଦ୍ଦେଶ୍ୟ ପଚାରିବାରେ ସେହି ଉଦାସୀନତା, ସେହି ସ୍ମିତହାସ୍ୟ, ସେହି ଶୂନ୍ୟାବଲୋକନ (ଫାଙ୍କା ଚାହାଣି) ଓ ନିରୁତ୍ତରତା ।
ଯଥାର୍ଥରେ ସନ୍ଦେହ ହେଲା ଓ ସନ୍ଦେହ ସତ୍ୟ ବୋଲି ଘୋଷିତ ହେଲା — ଏହି ସେହି ବସ୍ତ୍ରଚୋର । ଆରମ୍ଭ ହେଲା ସାମୂହିକ ମୁଷ୍ଟିପ୍ରହାର ଓ ପଦାଘାତ, ତଥା ଯଷ୍ଟିକନ୍ଦୁକ (ହକି) କ୍ରୀଡାର ଯଷ୍ଟି (ଷ୍ଟିକ) ସାହାଯ୍ୟରେ ନିଦର୍ଶନାତ୍ମକ ( exemplary) ସମ୍ପ୍ରହାର (ବିଶେଷ ପ୍ରହାର) । କୋଳାହଳ ମଧ୍ୟରେ ସେ ତରୁଣର ଆର୍ତ୍ତ ଚିତ୍କାର ଅଶ୍ରୁତ ରହିଗଲା । ପ୍ରାୟ ଘଣ୍ଟାକର ତାଣ୍ତବ ପରେ ରକ୍ତସ୍ନାତ, ମୄତପ୍ରାୟ ଯୁବକକୁ ରାଜପୁତ୍ରଗଣଙ୍କ ସମୂହ ଆଦେଶରେ ଚିକିତ୍ସାଳୟର କତିପୟ ଅଧସ୍ତନ କର୍ମଚାରୀ ଘେନିଗଲେ ହତାହତ ଚିକିତ୍ସାକକ୍ଷ (କେଜୁଏଲିଟି)କୁ । ଜଣେ ଅଜ୍ଞାତ ପରିଚୟ ଧାରୀର ମୄତଦେହ ମିଳିଥିବା କଥା ଲେଖା ହେଲା ।
ଏହାର ସ୍ୱଳ୍ପ ସମୟ ଗତେ ସେହି ଛାତ୍ରାବାସକୁ ଜଣେ ୩୫ ବର୍ଷୀୟ ଯୁବକ ଧୌତି ଓ ଉର୍ଦ୍ଧ୍ୱବାସ (କାମିଜ) ପରିଧାନରେ ଆସି ସେ ମୣତ ଅର୍ବାଚୀନ ସମ୍ବନ୍ଧରେ ବହୁ ପ୍ରଶ୍ନ କରି, ତା ଦୁର୍ଦ୍ଦଶା କଥା ଶୁଣି ଅନୁନୟ କଲେ କି ସେ ଉଦାସୀନ ଯୁବକଟି ଚୋର ନୁହେଁ, ତାଙ୍କ ମାତୄ ଗର୍ଭ ସମ୍ଭୂତ ଅନୁଜ । ସେ ଔଷଧ କିଣିବାକୁ ଯାଇଥିବା ବେଳେ ମାନସିକ ରୋଗୀ ଉପଚାର ନିବାସରୁ ଖସି ଆସିଅଛି । ଏହା କହି ସେ ଏକ ଔଷଧୋପଦେଶ ପତ୍ର (prescription) ଓ କିଣି ଥିବା ଔଷଧ କିଛି ରାଜପୁତ୍ର ଗଣଙ୍କୁ ପ୍ରଦର୍ଶନ କଲେ । ଏତାଦୄଶ ଧୄଷ୍ଟ ଆଚରଣ ହେତୁ ତାହାଙ୍କୁ ଅନେକ ଗଳଦ୍ଧକା ସହନକରି ସେହି ଛାତ୍ରାବାସରୁ ବହିର୍ଗମନ କରିବାକୁପଡିଲା ।
ବାଣୀପୁତ୍ର ଲଲାଟେନ୍ଦୁ କବି
୨୦୧୮୦୯୩୦୨୦୦୭