ଶେଷରୁ ଆରମ୍ଭ
ଶେଷରୁ ଆରମ୍ଭ
ସ୍ରଷ୍ଟା ପୁରୁଷଙ୍କ ବିଚିତ୍ର ସୃଷ୍ଟିର ବୈଚିତ୍ର୍ୟ ଭିତରେ ମାନବ ଏକ ବିଚିତ୍ର ଜୀବ। ମାନବର ଆଶା-ଆକାଂକ୍ଷା, ବୁଦ୍ଧି, ବିବେକ, ବିଚାର, ବୋଧକତା, ଉତ୍ସାହ, ଆନନ୍ଦ ତଥା ପ୍ରବୃତ୍ତି ମଧ୍ୟରେ ଆତ୍ମସୁଖ ଲାଭ, ଆତ୍ମୋନ୍ନତିର ମାର୍ଗ ଅନ୍ୱେଷଣ କରିଛି ମାନବ। ଆପେ କିପରି ଭଲରେ ବଞ୍ଚିବ, ଅନ୍ୟର ଜିଇଁବା କଥା କେବେ ବି ଚିନ୍ତା କରିନଥାଏ। ଦରକାର ବେଳେ ନିଜ ପରିବାର ମଧ୍ୟ ନିଜକୁ ଦୂରେଇ ଦେଇ ଥାଏ।
କିନ୍ତୁ ଏଭଳି ଦୁଇଟି ଜୀବନ ଆଜି ନିଜ ସ୍ୱପ୍ନକୁ ପୁରଣ କରିବାକୁ ଯାଇ କାହାର ପ୍ରତିରୋଧ ନ ସାଜି ଉଭୟ ଉଭୟଙ୍କୁ ଆପଣାଇ ନେଇଛନ୍ତି। ଯେଉଁଠି ମଣିଷ ବଞ୍ଚିବାର ଆଶା ଛାଡି ଦେଉଛି, ସେଇଠୁ ଜୀବନ ଆରମ୍ଭ କରିଛନ୍ତି ସେମାନେ। ସମାଜ ଆଡ ଆଖିରେ ଦେଖିଲେ ବି ସେମାନଙ୍କର ବି ବଞ୍ଚିବାର ଓ ସୁନେଲି ସ୍ୱପ୍ନ ଦେଖିବାର ଅଧିକାର ରହିଛି।
ଓଡିଶା ରାଜ୍ୟର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଯତ୍ନ ଗୃହ। ସେଇଠି ଚାଲିଥିଲା ଏକ ବିବାହ ଆୟୋଜନ। ଏହି ବାହାଘରକୁ ନେତୃତ୍ବ ନେଇଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୁତା କୁଲାଙ୍ଗେ। ଏବଂ ସେହିଠାରେ ଉପସ୍ଥିତ ଥିଲେ ଅନେକ ନାମିଦାମୀ ଲୋକ। ତନ୍ମଧ୍ୟରୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବି.ଏମ୍.ସି. କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ପ୍ରୋଜେକ୍ଟ ଡାଇରେକ୍ଟର ଡୁଡା ସୁଦାମ, ଚରଣ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ଲାଗୁଥିଲା ଯେମିତି ଏହା ଏକ କୌଣସି ରାଜନୈତିକ ନେତାଙ୍କ ସନ୍ତାନ ସନ୍ତତିଙ୍କ ବିଭାଘର। ତା'ଠୁ ଥିଲା ମଧ୍ୟ ଉଚ୍ଚ କୋଟୀର।
ହଁ, କାହିଁକି ନହେବ କାରଣ ଏହା ଥିଲା ସମାଜ ପାଇଁ ପ୍ରେରଣାଦାୟୀ କାରଣ। ପ୍ରସିଦ୍ଧ ଦାର୍ଶନିକ ଡେକାର୍ଟ କହିଥିଲେ ମୁଁ ଚିନ୍ତା କରି ପାରୁଛି ମାନେ ମୁଁ ଅଛି। ଏହି ଅଭିବ୍ୟକ୍ତ କହିଥାଏ ଯେ ମନୁଷ୍ୟର ଅସ୍ତିତ୍ବର ମୂଳ ଉପାଦାନ ହେଉଛି ତା'ର ବିଚାରଶୀଳତା। କିନ୍ତୁ ମନୁଷ୍ୟ ଭିତରେ ଥିବା ଅହେତୁକ ଭୟ ଏବଂ ଏ ବିରାଟ ସୃଷ୍ଟିରେ ତା'ର ଉପସ୍ଥିତ ବା ଅସ୍ତିତ୍ବର ନଗଣ୍ୟତା ବା ତା ସାମର୍ଥ୍ୟର ସୀମିତତା ତା'କୁ ଦୁର୍ବଳ କରିଦିଏ।
ମନ ଭିତରେ ଭୟ ସୃଷ୍ଟି କରେ କ୍ଷତ ଆଉ କ୍ଷତି। ପୁରାଣ, ଇତିହାସରୁ ମିଳେ ଏହାର ଦୃଷ୍ଟାନ୍ତ। ଆମ ମନରେ ଥିବା ଭୟ ଆମର ଶତ୍ରୁ ସହ ସମାନ। ତେଣୁ ଶତ୍ରୁ ସହ ସଂଗ୍ରାମ କରିବା ଅର୍ଥାତ୍ ନିଜ ମନରେ ଅଶାନ୍ତି ସଞ୍ଚାର କରିବା। ତେଣୁ ସମାଜକୁ ନଡରି ପରସ୍ପରକୁ ହାତ ବଢାଇଥିଲେ ଦୁଇଟି ନିର୍ଭିକ ପ୍ରେମିକ ଓ ପ୍ରେମିକା।
୨୦୦୮ ମସିହାର କଥା। ସେତେବେଳେ ସେମାନେ ଥା'ନ୍ତି କୋମଳମତି ଶିଶୁ। ଏ ଦୁନିଆ ଦେଖିବା ପୂର୍ବରୁ ତାଙ୍କ ଜୀବନ ଆକାଶରେ ଢାଙ୍କି ଦେଇ ଥିଲା ଅଦିନ କୁହୁଡି। ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳର ଗୋଟିଏ ଶିଶୁ ସନ୍ତାନର ହଠାତ୍ ଶରୀର ଅସୁସ୍ଥ ହୋଇ ପଡିଲା। ବାପା ମାଆ ତାଙ୍କୁ ଡାକ୍ତରୀ ଚିକିତ୍ସା କରିଥିଲେ। ରୋଗ ନିଦାନ ପରୀକ୍ଷାରୁ ଜଣାପଡିଲା ସେ HIV ସଂକ୍ରମିତ। ଯଦ୍ୱାରା ପରିବାର ତା' ହାତ ଛାଡିଦେଇ ତାକୁ ଆଣି ଛାଡି ଦେଇଥିଲେ ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଯତ୍ନ ଗୃହରେ। ସେଇଠି ବିତିଥିଲା ତା' ଦୁଃଖର ଦିନ ଗୁଡିକ। ଅନୁରୂପ ଭାବରେ ଏହି ଭଳି ଅବସ୍ଥା ମଧ୍ୟ ଘଟିଥିଲା କୁକୁଡାଖଣ୍ଡି ଅଞ୍ଚଳର ଜଣେ ଝିଅ ସହିତ। ସେ ମଧ୍ୟ ଆସି ସେଇଠି ରହୁଥାଏ। ସମୟ କ୍ରମେ ସେମାନେ ବଢିବାକୁ ଲାଗିଲେ। ଯେତେବେଳେ ଯୌବନରେ ପାଦ ଦେଲେ ତାଙ୍କ ଭିତରେ ଗଢି ଉଠିଲା ପ୍ରେମ ସଂପର୍କ। ପରସ୍ପର ପ୍ରତି ସେମାନେ ଆକର୍ଷିତ ହୋଇଥିଲେ।
ତାଙ୍କ ମନରେ ଜାଗ୍ରତ ହେଲା ଆଶାର କିରଣ। ଦୁଇଟି ବେସାହାରା ଜୀବନ ପ୍ରତିଜ୍ଞା ନେଲେ ଏକ ସୁତ୍ରରେ ବନ୍ଧା ହେବା ପାଇଁ। କଥାରେ ଅଛି ଯାହାକୁ ଯିଏ ବିରିକି ଚାଉଳ ମିଶେଇଦିଏ।
ଭଗବାନ ସମସ୍ତଙ୍କ ପାଇଁ କିଛି ନା କିଛି ବାଟ ରଖିଥା'ନ୍ତି। ଆଜି ଏହାର ସଠିକ ପ୍ରମାଣ ଦେଖିବାକୁ ମିଳିଛି ଏଇ ଦୁଇଟି ନିରୀହ ଜୀବନର ବିବାହକୁ ଦେଖି। ବାପା ମାଆ ତାଙ୍କ ପାଖରେ ଆଶୀର୍ବାଦ ଦେବା ପାଇଁ ନଥିଲେ। କିନ୍ତୁ ତାଙ୍କୁ ମିଳିଥିଲା ପ୍ରଶାସନିକ ସେବା। ଉପସ୍ଥିତ ଥିଲେ ଜିଲ୍ଲାପାଳ ତଥା ଅନ୍ୟାନ୍ୟ ବରିଷ୍ଠ ସଭ୍ୟ।
ପରିଶେଷରେ ଆଶୀର୍ବାଦ ଦେଇଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ। ଏହାଠାରୁ ଆଉ କ'ଣ ବଡ ହୋଇପାରେ। ତେଣୁ ଯାହାର କେହି ନଥା'ନ୍ତି ତା' ପାଖରେ ଭଗବାନ ସବୁବେଳେ ଥାଆନ୍ତି।
ଏହା ଦେଖି ମୁଁ କଳ୍ପନା କରିଥିଲି ଦୁଇଟି ଭଙ୍ଗା ଦର୍ପଣ ଆଜି ଏକ ହୋଇ ସମାଜକୁ ଏକ ନୂତନ ପ୍ରତିବିମ୍ବ ଦେଇଛନ୍ତି। ସେଇ ବିଭାଘରଟି ଥିଲା ଯେମିତି ପଶ୍ଚିମ ଆକାଶରେ ଅସ୍ତମିତ ସୂର୍ଯ୍ୟର କ୍ଷଣିକ ମନଲୋଭା ଦୃଶ୍ୟ
