ଶେଷଦେଖା
ଶେଷଦେଖା
ଦେଓମାଳି ଜିଲ୍ଲାର କୋଟିଆ ଗ୍ରାମର ରେଭିନ୍ୟୁ ରେକର୍ଡ ଯାଞ୍ଜ କରିବାପାଇଁ ପାଞ୍ଚଜଣିଆ ସରକାରୀ ଦଳ ଗସ୍ତରେ ଥିଲୁ l ଭବିଷ୍ୟତ ରେ କାଳେ ଆନ୍ଧ୍ର ନିଜର କହି ଏ ସ୍ଥାନଟିକୁ ଅକ୍ତିଆର କରିବ, ସେଥିପାଇଁ ରାଜ୍ୟସରକାର ଚିନ୍ତିତ ଥିଲେ l
ସମ୍ପର୍କ ହେଉ ବା ରାଜନୀତି...ନିଜର ବୋଲି ଭାବୁ ଭାବୁ କେଜାଣି କେମିତି ହାତ ପା'ନ୍ତାରୁ ଅପସରି ଯାଉଥିବା ଅଂଶବିଶେଷକୁ ଭୟରେ ଆହୁରି ଅଧିକ ଆବୋରି ବସିବାକୁ ଇଛାହୁଏ l ଏ ସମୟ ହୁଏତ ହୋଇପାରେ ବିଛିନ୍ନ ହେବାର ଅନ୍ତିମ ସମୟ କିମ୍ବା ହୋଇପାରେ ସବୁଦିନ ପାଇଁ ଏକାକାର ହୋଇଯିବାର ମହାର୍ଘ୍ୟ ମୁହୂର୍ତ୍ତ l ଅତି ଯତ୍ନ ଏବଂ ସତର୍କତାର ସହ ସେଠିକାର ବାସିନ୍ଦା ମାନଙ୍କ ସୁରକ୍ଷା ତଥା ସୁବିଧା ଅସୁବିଧା କଥା ବୁଝି କାମ କରିବାକୁ ପଡୁଥିଲା l ସରକାରୀ ଯୋଜନା ମାଧ୍ୟମରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଥିଲା ଗ୍ରାମଟିରେ l
ଖୁବ କାମଭିତରେ ବି ଦିଗବଳୟକୁ ଘେରିରହିଥିବା ପ୍ରକୃତିକ ସୌନ୍ଦର୍ଯ୍ୟର ଛିଟା ମନ୍ତ୍ରମୁଗ୍ଧ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ ଥିଲା l ମନେ ହେଉଥିଲା ଯେମିତି ସ୍ଥାୟୀରୂପେ ସେଠି ବସତି ସ୍ଥାପନ କରିନେଲେ ହୁଏତ ମଣିଷ ଜୀବନଟା ସଫଳ ହୋଇଯିବ l ସେ ମାଟି ପାଣି ପବନର ଏକ ଅହେତୁକ ଆକର୍ଷଣ ଯାହାକୁ ଏଡିବା କଷ୍ଟ l ହେଲେ ଯାଯାବର ମାନଙ୍କର ବା କଣ ସ୍ଥାୟୀତ୍ବ? ଯାହା ନିୟତି ଆମକୁ ମାନିନେବାକୁ ପଡେ l କାମ ଭିତରେ ଛୁଟିଦିନ ଦେଖି ପାଖାପାଖି ଅଞ୍ଚଳ ବୁଲାବୁଲି କରିବାକୁ ଯୋଜନା କଲୁ l
ଜୟପୁର ବିଶାଖାପାଟଣା ହାଇୱେ ଦେଇ ମାଛକୁଣ୍ଡ ଟାଉନରେ ପହଞ୍ଚିଲା ପରେ ଆମେ ସମସ୍ତେ ଟିକେ ସମୟ ପାଇଁ ଗେଷ୍ଟହାଉସରେ ବିଶ୍ରାମ ନେଲୁ l ସେଠୁ ଅନ୍ୟସମସ୍ତେ ଜିପରେ ଗଲେ ଡୁଡୁମା ଜଳପ୍ରପାତ l ହେଲେ ମୁଁ ହାଲିଆ ଲାଗିବା ବାହାନାରେ ରହିଗଲି l ପାଖରେ କୁନ୍ଦୁଳି ନାମକ ଅନ୍ୟ ଏକ ଗାଁ ଭିତରକୁ ଚାଲିଚାଲି ଯିବାକୁ ସ୍ଥିରକଲି l ପାହାଡ଼ କଡେ କଡେ ଅଙ୍କାବଙ୍କା ରାସ୍ତା ଦେଇ ପାଖା ପାଖି ଦଶ କିଲୋମିଟର ଦୂରରେ ମୁଖିଆ ପଞ୍ଚାନନ ବାବୁଙ୍କ ଘର l ଲାଗିଲା ଛାଡି ଯାଇଥିବା ପାଦଚିହ୍ନ ଉପରେ ପୁଣିଥରେ ପାଦଥାପିଲା ପରି l
ବେଳେବେଳେ ଜୀବନର ସହଜ ସରଳରେଖାରୁ ନିବୃତ ହୋଇ କାହିଁ କେଜାଣି ମନ ଜଟିଳ ଅଙ୍କାବଙ୍କା ରାସ୍ତାଦେଇ ଆଗେଇ ଯାଏ? ବୁଦ୍ଧି କହେ ଏକ କଥାତ ମନ କହେ ଆରେକ କଥା l ବୁଦ୍ଧିର ସାହାଯ୍ୟ ନେଲେ ମଣିଷ ଠିକ ବାଟରେ ଚାଲେ l କିନ୍ତୁ ସବୁବେଳେ ଏହା ସମ୍ଭବ ହୁଏନି l ହୁଏତ ମନକୁ କେତେବେଳେ କେମିତି ଆକଟ କରିବା ବହୁତ କଷ୍ଟକର ହୋଇପଡେ l
କୁନ୍ଦୁଳି ଗ୍ରାମକୁ ନେଇ ମନେ ପଡୁଥିଲା କିଛି ସ୍ମୃତି l ସୌନ୍ଦର୍ଯ୍ୟର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନି l ଅତୀତରେ ମୁଁ ସେଠି କିଛିଦିନ ଅତିବାହିତ କରିବାକୁ ଯାଇଥିଲି l ସେତେବେଳେ ମୁଁ ଟୁରିଜିମ ଆଣ୍ଡ ହସ୍ପିଟାଲିଟି ମ୍ୟାନେଜମେଣ୍ଟର ଛାତ୍ର l ପାଖାପାଖି ଗାଁର ବୋଲି ମୁଖିଆ ପଞ୍ଚାନନ ବାବୁ ମୋ ବାବାଙ୍କ ପିଲାଦିନର ସାଙ୍ଗ l ତାଙ୍କ ଘରେ କିଛିଦିନ ରହଣି କାଳରେ ସେ ମୋତେ ପୁଅ ପରି ଅତି ନିଜର କରିନେଇଥିଲେ l ସେତେବେଳେ ବୟସ ମୋର ସତେଇସ ଅଠେଇସ ହୋଇଥିବ l
ପଞ୍ଚାନନ ବାବୁଙ୍କର ଯୌଥ ପରିବାର l ଘରକାମ କରିବାକୁ ଆସୁଥିବା ଗ୍ରାମୀଣ ଝିଅଟିଏ, କୁସୁମ l ଖୁବ ଶାନ୍ତ,ସରଳ ଅମାୟିକ ସ୍ଵଭାଵର l ଖୁସିମନରେ ପାଇଟିକରେ, ଜୀବନକୁ ଖୁବ ସରଳ ଭାବେ ଜିଁଏ ଆଉ ମନଭରି ଉପଭୋଗ କରେ l
ମୋତେ ଗାଁର ଗାଳି କନ୍ଦି, ପୋଖରୀ, ଝରଣା, କ୍ଷେତ, ବିଲରୁ ଫେରୁଥିବା ଚାଷୀଭାଇ, ତାଙ୍କ ପଛେ ପଛେ ପିଲା କାଖେଇ, ବାସନ ବୋଝ ମୁଣ୍ଡେଇ ଗୀତ ଗାଇ ଗାଇ ଚାଲିଥିବା ସେମାନଙ୍କ ସ୍ତ୍ରୀ ମାନଙ୍କ ଧାଡି ସହ ତାଳ ମେଳାଇ ଚାଲିବାକୁ କହେ l ମଝିରେ ମଝିରେ ଗଛ ଛାଇରେ ମୁଁ ବସିପଡି ଥକ୍କା ମାରିଲେ, ବଣ ଭିତରୁ କଣ୍ଟେଇ କୋଳି, କରମଙ୍ଗା, ପାଚିଲା ପିଜୁଳି, ଖଜରା ଯାହା ପାଏ ଆଣି ଦେଇଯାଏ l ମୁଁ ଜାଣି ପାରେନି ଏତେସବୁ ଖାଇବି କିପରି? ଖାଲି ଏତିକି ଜାଣେ, ଜଣେ ଖୁବ ସ୍ନେହରେ ଦେଇଚାଲିଛି l ତା'ମନ ରଖିବା କଣ ମୋର କର୍ତ୍ତବ୍ୟ ନୁହେଁ? ଅନେକ ସମୟରେ ଆମେ ସୌଜନ୍ୟତା ବଶତଃ ଅଧିକ ଭାବୁ l ନାହିଁ ନାହିଁ କରି ଅନେକ ଥର ଅନ୍ୟର ଅନୁରୋଧକୁ ଟାଳିଦେଉ l ହେଲେ ଅଧିକ ସୌଜନ୍ୟତା ନିମିଷକେ ଲୋକଟିକୁ ପରକରିଦିଏ l ଲକ୍ଷ୍ମଣ କଣ ବୁଝି ପାରିଥିଲେ ଶବରୀର ଆନ୍ତରିକତା? ସେସବୁ ବୁଝିବାକୁ ହେଲେ ସ୍ୱୟଂକୁ ରାମ ହେବାକୁ ପଡେ l
ବାଟରେ ଘାଟରେ କିଏବି ଦେଖାହେଲେ ଗପେ, କାହା ଛୁଆକୁ ବୋଧକରିବାଠୁଁ ଆରମ୍ଭ କରି ବୁଢା ବୁଢ଼ି ଲୋକଙ୍କ ବୋଝ ମୁଣ୍ଡରେ ଲଦି ତାଙ୍କ ଘରଯାଏ ଚାଲିଯାଏ କୁସୁମ l
ଦିନେ ତା ବା' ପିଇକରି ମାତାଲ ହୋଇ ଆସିଥିଲା ବୋଲି ଡେ଼କଚି, କଡେଇ, ଢାଳ, ଗରା ସବୁ ବାହାରକୁ ଫିଙ୍ଗି ଦେଇଥିଲା l
ମୁଁ ଓଠ କାମୁଡି ହସୁଥାଏ l ଦେଖୁଥାଏ ପ୍ରକୃତି କେବେବି ଛନ୍ଦ କପଟ କରେନାହିଁ l ଖୁସି ହେଲେ ଚତୁର୍ଦିଗରେ ଶୋଭା ବିଞ୍ଚିଦିଏ ଆଉ ରାଗିଲେ ଅସହ୍ୟ ବ୍ୟୁତ୍ପାତ ଘଟାଏ l କୁସୁମ ମୁହଁରେ ପ୍ରତିକ୍ରିୟା ଯେମିତି ସବୁ ସତ ସତ ଲେଖାଥାଏ l
ଦିନେ ମୋ ସହ କଥା ହେଉ ହେଉ ସବୁକିଛି ପଚାରି ବୁଝିନେଲା ମୋ ଘର ବିଷୟରେ l ମୁଁ ଜାଣେ, ମୋ ଗପିବା ବେଳେ ହାତରେ ପୋଇ ମଞ୍ଜି ଚିପି ମୋ ନାଁ ଲେଖିଥିଲା... ମୁଁ ଦେଖାଇବାକୁ କହିବାରୁ ହାତ ମୁଠିନ ଫିଟେଇ ଲାଜେଇ ଚାଲିଗଲା l ମୁଁ କେଜାଣି କେମିତି ଶିକାର ହୋଇଯାଉଥିଲି ତାର ଯାଦୁରେ l ଦିନେ କେହି ନଥିବା ବେଳେ ତାକୁ ପଚାରିଦେଲି, କୁସୁମ, ତୁ କେବେ ମୋ ସାଥିରେ ଘର ସଂସାର କରିବାକୁ ଭାବିଛୁ?
କୁସୁମ ମୋତେ ଚାହିଁ ସ୍ତବ୍ଧ ହୋଇଗଲା l କହିଲା,
"ବାବୁ... ତୁ ଏ କଣ କହୁଚୁରେ ?
"ସତ କହୁଛି, ମୋ ଦେଇ ଆଉ ପଢା ପଢି ହେବନାହିଁ ଲୋ l ମୁଁ ପଢା ପଢି ଛାଡି ଭାବିଛି ତୋ ସହ ଏଇଠି ରହିଯିବି l ଏଇ ଗାଁରେ l ବିଲ, ବାଡ଼ି,ଚାଷ, ବାସ କରିବି l ତୋତେ ଖୁସିରେ ରଖିବି l ତୋର କଣ୍ଢେଇ ପରି ଚେହେରାକୁ ଦେଖି ଦେଖି ଜୀବନ କାଟିଦେବି l କହ, ମୋ ସହ ଘର କରିବୁ ? "
- "ତୁଇ କି ଜାଣୁ ଘର ସଂସାର ମାନେ? ପିଲାଳିଆମୀରେ ଅନେକ କିଛି କହିହୁଏ l ନିଭାଇବାକୁ ପରିପକ୍ୱତା ଦରକାର ହୁଏ l ତୁଇ କହୁଥିଲୁ ନା, ତୋର ମା ତୋତେ କେତେ ବିଶ୍ୱାସରେ ବଡ଼ କରିବାର l ସାଇ ପଡିଶା ଗପସପ, ଜାନି ଯାତରା ସବୁ ଭୁଲି ସବୁବେଳେ ଚାରିକାନ୍ଥ ଭିତରେ l ମା ' ତୋତେ କେଡ଼େ କଷ୍ଟ ସହି ଖୁଆଇ ପିଆଇ ମଣିଷ କରିବାର l ବାବା ତୋର ତୋତେ ନେଇ କେତେ ସ୍ବପ୍ନ ଦେଖିବାର l ତୁଇ ଚାକିରୀ କରିବୁ, ତାର କାନ୍ଧରେ କାନ୍ଧ ମିଶାଇ ସଂସାର ବୋଝ ବୋହିବୁ l ମା ' ଖଣ୍ଡେ ନୂଆ ଲୁଗା ପିନ୍ଧି ନାଇ ନଥିବ l ତୋତେ ଭଲ ଦରବ ଖୁଆଇବା ଲାଗି ବାବା ତୋର ଅଧା ଖିଆ ହୋଇ କେତେଥର ଖାଇବା ପାଖରୁ ଉଠିଯାଇଥିବ l
ମୋ କଥା ବୁଝ l ତୁ ବୁଲାବୁଲି କରବାର ଲାଗି ଏଠିକି ଆସିଛୁ l ଏଇଟା ତୋର ଠିକଣା ନୁହେଁରେ ବାବୁ l ତୁ ପଢାପଢ଼ି ବନ୍ଦ କରନା,ଆହୁରି ପରିଶ୍ରମ କର l ତୋର ମା ଆଉ ବାବା କେମିତି ସହିବେ ଏସବୁ ଭାବିଛୁ? ମୋତେ ଲୋକହସା କରନା l ତୁ ଅଧା ପଢି ରହିଗଲେ ମୋତେ ଖୁବ କଷ୍ଟହେବ l ତୋ ଉପରେ ସମସ୍ତେ ଆଖି ଜମେଇ ବସିଛନ l ତୁ ବଡ଼ ସରକାରୀ ଅଫସର ହ ଆଉ ଆମ ଗାଁ ର ଟେକ ରଖ l ମୁଇ ମେନକା ସାଜି ବିଶ୍ଵାମିତ୍ର ତପ ଭାଙ୍ଗିବାକୁ ଏ ଧରାକୁ ଆସିନାହିଁ l ମୁଇ ସାଙ୍ଗହୋଇ ସବୁବେଳେ ତୋର ପାଖରେ ଥିବାର ଆଉ ତୋ ପାଇଁ ମହାପ୍ରୁ କୁ ଡାକୁଥିବାର, ଯା, ଏସବୁ ପ୍ରିୟା ପ୍ରୀତି ଛାଡ଼ ଆଉ ଆଗେଇ ଚାଲ " କୁସୁମ ଆଖିରେ ଢଳ ଢଳ ହେଉଥିଲା କିନ୍ତୁ ଦି ବୁନ୍ଦା ଲୁହ l ମୁଁ ଜାଣିଗଲି, ସେ ବାଟଭାଙ୍ଗି ଚାଲି ଯାଉଥିଲା ମୋତେ ଅବାଟରେ ଯିବାରୁ ରୋକିବା ପାଇଁ l ଯଦି ସେ ମୋ ଭଲ ପାଇବାକୁ ଅନ୍ତରରେ ସ୍ୱୀକାର କରୁ ନଥାନ୍ତା, ତେବେ ତା ଆଖି ଭିଜିଲା କେମିତି?
ତା'ପରଠାରୁ ଆଉ ଦେଖା ହେଇନି କେବେବି କୁସୁମ l କେଜାଣି ସେ କୁଆଡୁ ମୋ ଜୀବନରେ ଆସିଥିଲା କୁଆଡେ ଚାଲିଗଲା ମୁଁ ଜାଣେନି l ହେଲେ ଦିନଟିଏ ଭୁଲିନି ମୁଁ ତାକୁ l ତାର ପ୍ରତ୍ୟେକ କଥା ଭିତରେ ଭିତରେ ଅନୁଶୀଳନ କରି ଲାଗିଛି ମୁଁ l ସେ କଣ ସତରେ ମୋତେ ଭଲ ପାଇନଥିଲା? ଏ ଭିତରେ ମୋର ଚାକିରୀ ଆଉ ଘର ସଂସାର କରିବାର ପନ୍ଦର ବର୍ଷ ପୁରି ଗଲାଣି l
ପାହାଡ଼ ତା ଛାତିରେ ବାଦଲକୁ ଜାବୁଡି ଧରିବାକୁ ଚାହିଁଲେବି ଅଟକାଇ ପାରେନାହିଁ l ପାହାଡ଼ର ମନ କଣ ବିଚଳିତ ହୁଏନି? ହେଲେ ପାହାଡ଼କୁ ଉଚ୍ଚତା ଲଭିବା ପାଇଁ ହେଲେ ଦୃଢ଼ ରହିବାକୁ ପଡେ l ଛୋଟ ବଡ଼ ଝଡ଼ ଝଞ୍ଜାକୁ ପାଶୋରିବାକୁ ପଡେ l ସେଦିନ ଭାବପ୍ରବଣ ହୋଇ କୁସୁମ ଯଦି ମୋ କଥାରେ ରାଜି ହୋଇଥାନ୍ତା ତେବେ ସରକାରୀ ଚାକିରୀ କରି ବା ମୋ ପାଇଁ ସ୍ବପ୍ନ ହୋଇ ଯାଇଥାନ୍ତା l ଏକ ପ୍ରକୃତ ସାଙ୍ଗର କର୍ତ୍ତବ୍ୟ ତୁଲାଇ ନିଜ ସ୍ବପ୍ନକୁ ଜଳାଞ୍ଜଳି ଦେଇ କୁସୁମ ମୋତେ ଋଣୀ କରିଦେଇଛି l ଏତେ ବର୍ଷ ପରେ ସୁଯୋଗ ମିଳିବାରୁ ମୁଁ ତାର ହାଲଚାଲ ବୁଝିବା ପାଇଁ ଚାଲି ଆସିଲି l
ଏ ଭିତରେ ସଞ୍ଜ ନଇଁ ଆସିଲାଣି l ସାମ୍ନାରେ ଗାଁ ମୁଖିଆଙ୍କ ଘର l କବାଟ ଖୋଲି ମୋତେ ଟର୍ଚ୍ଚ ମାରି ଦେଖିଲେ ତାଙ୍କ ପୁଅ l ପ୍ରଥମେ ପ୍ରଥମେ ଅଚିହ୍ନା ପାଇଲେ l ବାବାଙ୍କ ପରିଚୟ ଦେଲାଠୁ ଭିତରକୁ ଡାକିଲେ l ଜାଣିବାକୁ ପାଇଲି ମୁଖିଆ ଆଉ ନାହାନ୍ତି l ହେଲେ ଅବିକଳ କୁସୁମର ଚେହେରା, ସେଇ ଏକା ପ୍ରକାର କଥା କୁହା କଣ୍ଡେଇଟିଏ ଘରେ କାମ କରୁଥିବାର ଦେଖିଲି l ନାଁ ପୁଷ୍ପା l ବୟସ ବାର ତେର ବର୍ଷ ହେବ l
କଥା ଛଳରେ ଘର ବିଷୟରେ ପଚାରିଲି l କହିଲା, ତା ଘର ଆର ଗାଁରେ l ବାପା ପୋଷ୍ଟ ପିଅନ l
ହେଲେ ମା' ଏଇ ଗାଁର ଝିଅଥିଲା l ନାଁ ତାର କୁସୁମ ବୋଲି, ଆରପାରିରେ, ବାପ ଆଉଥରେ ବା'ହେଇ ଗଲାଠୁ ମାମୁଁଘରେ ବାର ଘର ପାଇଟି କରି ଚଳୁଛି l
ମୋ ମୁଣ୍ଡ ଘୁରେଇ ଦେଉଥିଲା ଆଉ ପାଦ ଏଠି ସେଠି ପଡୁଥିଲା l କାନ୍ଥ ଅଣ୍ଡାଳି ଧରିଲି ... ପୋଇଲଟା ଉପରେ ହାତ ପଡିଲା l ମଞ୍ଜି ମୋ ହାତରୁ ଚିପିହୋଇ କିଛି ଛିଟା ହାତ କାନ ମୁହଁ ଆଖିରେ ପଡିଲା l ମୋ ଆଖିକୁ ସବୁ ଜାଲଜାଲୁଆ ଆଉ ଅନ୍ଧାର ଦିଶୁଥାଏ , ଛାତିରେ ଅସହ୍ୟ ଯନ୍ତ୍ରଣା l ମୋ ଆତ୍ମା ନିରବରେ ତାକୁ ଖୋଜୁଥିଲା ଆଉ ଚିତ୍କାର କରିଉଠୁଥିଲା,
"କୁସୁମ ଶେଷଥର ଆଉ ଦେଖାହେବା ଆମ ଭାଗ୍ୟରେ ନାହିଁ?"
ମୋତେ ଡାକ୍ତରଖାନା ଆସିବା ଆଗରୁ ଶୁଭୁଥିଲା "ମଉସା, ମଉସା".....
ମୁଁ ଶୁଣୁଥିଲି ଅବିକଳ ତାରି କଣ୍ଠସ୍ୱର, ନିରାଶାର ବିପର୍ଯୟ ସହି ସମ୍ପର୍କର ବୃକ୍ଷ ଯେଉଁଠି ଝାଉଁଳି ପଡେ , ଆଶାର ଚାରା କିନ୍ତୁ ସେଇଠି ଭୂଇଁ ବିଦାରି ଗଜୁରେ l ମୋତେ କୁସୁମ ତା ଋଣ ଶୁଝିବାର ସୌଭାଗ୍ୟଟିଏ ଦେଇ ଯାଇଥିଲା l

