Lalita Mohan Mishra

Drama Tragedy Others

3  

Lalita Mohan Mishra

Drama Tragedy Others

ଶ୍ବେତାମ୍ବରୀ କାଶତଣ୍ଡୀ

ଶ୍ବେତାମ୍ବରୀ କାଶତଣ୍ଡୀ

3 mins
201



ମୃଦୁ ସମୀରଣର ମହକରେ ମହକାୟିତ ହୁଏ ଶ୍ଵେତାମ୍ବରୀ କାଶତଣ୍ଡୀ । ଶରତର ସମ୍ଭାରରେ ଶିକ୍ତ କାକରର ଗହୀର ମଥାର ମଣି କାଶତଣ୍ଡୀ । ସ୍ନିଗ୍ଧ ଜୋଛନାର ନିର୍ମଳ ଗଗନରେ ଚନ୍ଦ୍ରକିରଣର ସ୍ନାତ ତୁ । ତୋର ଶ୍ୱେତବର୍ଣ୍ଣା ରୂପରଜି ତୋରଣରେ ସାଜସଜ୍ଜା ହେଲା ପରି ଶୋଭା ପାଉଛି ତଟିନୀ । କାଶତଣ୍ଡୀର ଅପରୂପ ସୌନ୍ଦର୍ଯ୍ୟରେ ସଭିଏଁ ବିମୋହିତ । ମେଢ ସଜା ହେବ ,ମାଆ ଆସିବେ ଧରା ପୃଷ୍ଠକୁ । ସବୁଠି କୋଳାହଳ ଚାଲେ ମାସକ ଆଗରୁ । ମୂର୍ତ୍ତି ଗଢିବାରେ ମଗ୍ନ ହୁଏ ମୂର୍ତ୍ତିକାର । ଆଉ ପେଣ୍ଡାଲ୍ ସଜେଇବାରେ ବ୍ଯସ୍ତ ରୁହନ୍ତି ସାଇ ପିଲେ । ନଈ ପଠାରୁ କାଶତଣ୍ଡୀର ହସ, ଆଉ ସଞ୍ଜ ପହରେ ସଜ ଶେଫାଳୀର ମହକ ଜଣେଇ ଦିଏ ଦୂର୍ଗାପୂଜାର ଆଗମନ । ଭସା ବାଦଲଟା ଆକାଶେ ଭ୍ରମିତ, ନିର୍ବିକାର ଚିତ୍ତରେ, ଧବଳ ଚାମରରେ, ଶୁଦ୍ଧ ଦିବ୍ୟ ଭାବର ମାତାଙ୍କୁ ସ୍ବାଗତ କରେ । କାଶତଣ୍ଡୀର ଆୟୁଷ କ୍ଷଣିକ। କିନ୍ତୁ ଶାନ୍ତିର ପ୍ରକାଶ ଏବଂ ବିକାର ରହିତ ମନ, ଜୀବନ ଯୌବନ ନିର୍ମଳ ଭାବର ସତେକି ସେ ଦିବ୍ୟ ଉତ୍ସବ । ରେ କାଶତଣ୍ଡୀ ! ତୁ ଥରେ କହିବୁକି ଶୁଭ୍ରବେଶ କାହାପାଇଁ ? ତପସ୍ବିନୀ ପ୍ରାୟ ସବୁ ତ୍ୟାଗକରି ଆହ୍ଲାଦ ଦେଉଛୁ ତୁ କାହିଁକି ? ବହୁ ଆକାଂକ୍ଷିତ ଦିନଟି ଆସେ, ପାର୍ବଣର ଛନ୍ଦେ ଛନ୍ଦେ । ମୁଗ୍ଧ ବିଭୋର ଭାବଟି ଜମାଟ ବାନ୍ଧି ହୋଇଯାଏ ପାର୍ବଣର ଆଗମନରେ । ପାର୍ବଣ ଯେତେଶୀଘ୍ର ଆସେ, ସେତେଶୀଘ୍ର ଚାଲିଯାଏ । ମାଆ ଆସନ୍ତି କ୍ଷଣିକ ପାଇଁ । ଦଶହରା ପରେ ପରେ ମାଆଙ୍କ ବିସର୍ଜନ । ବେଳକୁ ବେଳ ଚାରି ପଟେ ଭସାଣୀର ରବ ଶୁଭେ । ମାଆଙ୍କୁ ଆଉ ଭସେଇ ନଦେଇ ଉପାୟ ନାହିଁ । ଏତେ ଭାବ ,ଏତେ ଭଲ ପାଇବା କଣ ବେଶୀ ସମୟ ସମ୍ଭାଳି ରଖିପାରେ ଛାତିକୁ !!ସେଇ ଗୁଡାକ ହିଁ ଭସେଇ ଦେବାକୁ ହୁଏ ଭସାଣୀରେ । ତା ସାଥୀରେ ଝୁରିବା ପଣଟିଏ ଝରୁଥାଏ, ହୃଦୟର କୋଣରୁ ଆର ବର୍ଷକୁ ଆଉ ଥରେ ଭେଟ ହେବା ପାଇଁ । ସମୟ ସୁଅରେ କେତେ କଣ ଭାସି ଯାଉଛି । ହେତୁ ହେଲା ଦିନୁ ଗୋଟିଏ ଦିନର ଆୟୁଷ ଭାସି ଯାଉଛି । ସ୍ମୃତିଟିଏ ହାତରେ ଧରେଇ ଦେଇ, କୋଉ ଅଥଳ ସାଗର ଭିତରକୁ ଚାଲିଯାଏ । ମନ ଭିତରଟା ଖାଲି ଗୋଳେଇ ଘାଣ୍ଟି ହୁଏ । ସେତିକି ଅନୁଭବକୁ ଭୁଲି ହୁଏନି ବୋଲି । ହେଲେ ଆଉ ଥରେ ଭୋଗିବାକୁ ଫେରେନି ସେଇ ଦିନଟି । ସୁଖର ହଉ କି ଦୁଃଖର ହଉ । ଜୀବନର ତ ପାଳି ଚାଲିଛି, ପ୍ରତି ନିୟତ ଭସାଣୀ ଉତ୍ସବ ।


ଧୋବା ମାଆର ଝିଅ ଦିଟା । ସାନ ଝିଅଟା ପେଟରେ ଥିଲା ବେଳୁ ତା ବାପା କାମ କରିବାକୁ ଯାଇଛି ରେଙ୍ଗୁନ୍ ଯେ, ଆଉ ଫେରିଲାନି । ଆଉ ଗୋଟେ ସ୍ତ୍ରୀ ରଖି, ସେ ସେଇଠି ରହିଲା ବୋଲି ଗାଁ ଲୋକେ ଟୁପୁରୁ ଟାପର ହୁଅନ୍ତି । ଦୁଃଖ ସତେକି ଅଜାଡି ହୋଇ ପଡିଲା ତା ମୁଣ୍ଡରେ । କଞ୍ଚା ବୟସରେ ବିଧବା ନ ହୋଇ ବି ବିଧବା ଭଳି ବଞ୍ଚିଲା । ହେଲେ ଜୀବନ ପ୍ରତି ଅଭିଯୋଗ କଲାନି । ସମୟ ସୁଅରେ ଭାସିଗଲା ବେଳେ କିଏ କେତେ କଥା କହିଲେ । ଶୁଣି ନ ଶୁଣିଲା ପରି ଦିନ ଦିନ କରି ଦୁଃଖକୁ ଭସେଇ ଚାଲିଲା । ତା ସ୍ତ୍ରୀ ଲୋକପଣିଆ ପ୍ରତି ଆସିଥିବା ପ୍ରଶ୍ନବାଚୀକୁ ଉପଯୁକ୍ତ ଉତ୍ତରରେ ସଜେଇଲା । ନିଜ ଦୁଇ ଝିଅଙ୍କ ବ୍ଯକ୍ତିତ୍ବରେ । ସମୟ ଭସେଇ ନେଲା ତା ଦିନକୁ । ଆଉ ଝିଅମାନଙ୍କୁ ଭଲ ଘର ଆଉ ବର ଦେଖି ବାହା କରେଇବାର ଯୋଗ୍ଯତା ସେ ହାସଲ କଲା । ସମୟର ଗୋଟେ ବିରାଟ ପରୀକ୍ଷାରେ ସତେ ଅବା ସେ ଉତ୍ତୀର୍ଣ୍ଣ ହେଇଗଲା । ଝିଅମାନେ ଏବେ ତାର ଭଲରେ ଅଛନ୍ତି । ଧୋବାମାଆ ଏବେ ଭଲରେ ଅଛି । ତଥାପି ସେ ସମୟକୁ ଦୋଷ ଦିଏ । କାରଣ ସମୟଟା ସତରେ ; ସବୁ କିଛି ଭସେଇ ନେଇ ଯାଇଛି । ତାର ଭସାଣୀ ପ୍ରତିଦିନ ଚାଲିଛି । ହେଲେ ମାଆଙ୍କର ଆବିର୍ଭାବ ଆଉ ବିସର୍ଜନ ପରି ତାର ଜୀବନ ବିସର୍ଜ୍ଜନର ସମ୍ମୁଖରେ । ଲାଗେ ସତେ କାଶତଣ୍ଡୀ ପରି ଏ ମଣିଷ ଯେ ଯାହାର ସୁଖ ଦୁଃଖରେ ଜୀବନ ନିର୍ବାହ କରୁଛନ୍ତି । ମାଆଙ୍କର ଧରା ପୃଷ୍ଠରୁ ଅବତରଣ ପରି କାଶତଣ୍ଡୀର ବିଲୀନ । ଧୋବା ମାଆର ଜୀବନ ବି ସେହି କାଶତଣ୍ଡୀ ପରି....



Rate this content
Log in

Similar oriya story from Drama