STORYMIRROR

Minati Rath

Romance

2  

Minati Rath

Romance

ଶାଶ୍ୱତ ପ୍ରେମର ରଙ୍ଗ

ଶାଶ୍ୱତ ପ୍ରେମର ରଙ୍ଗ

3 mins
314

ପୁଅଘର ଆଜି ଆସିବେ ଉଷାକୁ ଦେଖିବାକୁ। ବାପାବୋଉଙ୍କର ମନ କୋଉଠି ଲାଗୁନି। ସବୁକାମ ଯେମିତି ସୁରୁଖୁରୁରେ ହେବ ସେଥିପାଇଁ ସେମାନେ ସବୁ ପ୍ରକାର ଆୟୋଜନ କରିବାରେ ବ୍ୟସ୍ତ। ସେମାନେ କୋଉଠି ବସିବେ, କ'ଣ ଖାଇବେ, ଉଷା କୋଉଠି ବସିବ ସେ ନେଇ ବହୁତ ଆଲୋଚନା ହେଲ ପରେ ଆଜି ପରୀକ୍ଷା ଦେଲା ପରି ଲାଗୁଛି ବାପାବୋଉଙ୍କୁ । ବୋଉ ବାରମ୍ବାର ଆସି ଉଷାକୁ ବୁଝାଇ ଦେଉଛନ୍ତି ସେ କେମିତି ଆସିବ, କେମିତି ବସିବ, ପଚାରିଲେ କେମିତି ଉତ୍ତର ଦେବ ଇତ୍ୟାଦି ଇତ୍ୟାଦି। ଉଷାର ମୁଣ୍ଡରେ କିନ୍ତୁ ଏସବୁ କିଛି ପଶୁନି । ସେ ବିରକ୍ତ ହେଉଛି ମନେ ମନେ । ତା'କୁ ଦରକାର ରାଜକୁମାର ପରି ବର। ଠିକ୍ ଯେମିତି ଜେଜେମା କହନ୍ତି ।

ରଙ୍ଗ ଗୋରା, ଡେଙ୍ଗା, ସୁନ୍ଦର ମୁଁହ, ଗହଳିଆ କେଶ ଥିବା ପୁଅ। ମନେ ମନେ ଭାବି ରଖିଛି, "ଯଦି କଳାରଙ୍ଗ ଅଉ ଅସୁନ୍ଦର ଚେହେରା ହୋଇଥିବ, ମୁଁ ସିଧା ମନା କରିଦେବି। ସେ ଚାକିରୀ ଯାହା କରିଥାଉ ଯୋଡ଼ି ମାନିବା ଦରକାର।" ଉଷା ତ ରୂପରେ ଭାରି ସୁନ୍ଦରୀ ଆଉ ପାଠରେ କି ଗୁଣରେ ବି କିଛି କମ୍ ନୁହେଁ। ତେଣୁ ସେ ତା' ନିଜ ପାଇଁ ବର ଚୟନ କରିବାରେ ଏସବୁ ସର୍ତ୍ତ ରଖିବା ସ୍ଵାଭାବିକ।

ଅବଶ୍ୟ ଏଇଟା ତାଙ୍କର ପ୍ରଥମ ଝିଅ ଦେଖା ନୁହେଁ। ଆଗରୁ ଏମିତି ତିନି ଚାରି ଥର ଆସିଛନ୍ତି। କିଏ ଉଷାର ମନ ପସନ୍ଦର ଚେହେରା ନେଇ ଆସିଥାଏ ଅଥଚ କଥାବାର୍ତ୍ତା ଭଲ ଲାଗିନଥାଏ। ଆଉ କାହାକୁ ଉଷା ପସନ୍ଦ ଆସି ନଥାଏ। ବାପା ମାଆ ମଧ୍ୟ ବହୁତ ଥର ଜାଣିବାକୁ ଚେଷ୍ଟା କରିଥିଲେ କାଳେ ସେ ନିଜେ କାହାକୁ ମନେ ମନେ ଠିକ୍ କରିଥିବ। କିନ୍ତୁ ଉଷାର ସେ ସ୍ୱପ୍ନର ରାଜକୁମାର ବୋଧହୁଏ ତା' କଲେଜରେ ମିଳିବା କଷ୍ଟ ଥିଲା।

ଫୋନ୍ ଆସିଲା। ପୁଅଘର ଆସି ଏଇ ପାଖ ଛକରେ ପହଞ୍ଚି ଗଲେଣି। ବାପା ଗଲେ ତାଙ୍କୁ ବାଟ ଦେଖାଇ ଆଣିବାକୁ। ସମସ୍ତଙ୍କ ହୃଦ୍ ଗତି ଦ୍ରୁତ ହେଉଥାଏ। ଝରକା ପଟୁ ଉଷା ଆଉ ତା' ଭାଇ ଦେଖିଲେ ସେମାନେ କାର୍ ରୁ ଓହ୍ଲାଉଛନ୍ତି। ପୁଅ ଓ ତା'ର ବାପା ମାଆ । ଅତି ସଧାରଣ ପରିବାରର ଭଳି ଜଣା ପଡୁଥାନ୍ତି। ଉଷାକୁ ନିରାଶ କରିବା ଭଳି ଥିଲା ପୁଅର ରଙ୍ଗ ଆଉ ଚେହେରା। ମନଟା ତ ତା'ର ସେଇଠି ମରିଯାଇଥିଲା। ସେ ଭାବୁଥିଲା ସେ ପୁଅ ସହିତ ତା'ର ଫଟୋ କେମିତି ଦେଖାଯିବ? ଠିକ୍ ତା' ଜେଜେ ମା' ଜେଜେ ବାପାଙ୍କ ଯୋଡ଼ି ଭଳି। ଲୋକଙ୍କ କଥା ଛାଡ଼, ତା' ସାଙ୍ଗମାନେ କ'ଣ କହିବେ? ସେ ପିଲାଦିନେ ଅନେକ ଥର ଜେଜେ ମା'ଙ୍କୁ ପଚାରିଛି, "ମା', ତୁମେ ଜେଜେଙ୍କୁ ପସନ୍ଦ କେମିତି କଲ? ସେ ତ ପୁରା କଳା ଆଉ ତୁମେ ଏତେ ସୁନ୍ଦରୀ!" ଜେଜେ ମା' କହିଲେ, "ସେତେବେଳେ କ'ଣ ଆମର ପସନ୍ଦ ନାପସନ୍ଦର କିଛି ପ୍ରଶ୍ନ ଥିଲା? ବାହାଘର ସରିବା ଯାଏଁ ମୁଁ ତ ତୋ ଜେଜେଙ୍କ ମୁଁହ ଦେଖିନଥିଲି। କିନ୍ତୁ ରଙ୍ଗରେ କ'ଣ ଥାଏ ଝିଅ? ସବୁକିଛି ଥାଏ ସ୍ୱଭାବରେ। ମୁଁ ଲକ୍ଷ୍ମୀ ହେଲେ ତୋ ଜେଜେ କ'ଣ ଜଗନ୍ନାଥଙ୍କଠୁଁ କମ୍?" ହସିଦିଅନ୍ତି ସମସ୍ତେ।

ପୁଅଘର ଆସିଲେ। ସର୍ବତ୍, ଚା', ଜଳଖିଆ ଦିଆଗଲା। ଉଷାକୁ ସେମାନେ କିଛି ପ୍ରଶ୍ନ ପଚାରିଲେ ତା'ର ଭବିଷ୍ୟତ ଯୋଜନା ସମ୍ପର୍କରେ। ତାଙ୍କ ହାବଭାବରୁ ସବୁକିଛି ଠିକ୍ ହେଲ ଭଳି ଲାଗୁଥିଲା। ବାପା ବୋଉ ଟିକେ ଆଶ୍ୱସ୍ତ ଲାଗୁଥିଲେ। କିଛି ସମୟର କଥାବାର୍ତ୍ତା ପରେ ବିଦାୟ ନେଲେ ଶିଶିର ଆଉ ତାଙ୍କ ବାପାମାଆ। ଉଷା ମଧ୍ୟ ଆଉ ଦୋ' ଛକିରେ ନ ଥିଲା। ରଙ୍ଗ ଆଉ ଚେହେରାକୁ ପଛରେ ଛାଡ଼ି ଆସିଥିଲା। ଶିଶିରଙ୍କ ଚାହାଣୀ, କଥାବାର୍ତ୍ତା, ଶାଳୀନତା, ବ୍ୟବହାର ସବୁ ଯେମିତି ତା' ମନକୁ ଆବୋରି ବସିଥିଲା, ଯଦିଓ ସେ ବିଶେଷ କିଛି କଥା ହୋଇନଥିଲେ । ତା' କଲେଜର ଚକୋଲେଟ ବୟ ମାନଙ୍କଠାରୁ ସେ ଅନେକ ଗୁଣରେ ଭଲ ଲାଗୁଥିଲେ ତାକୁ। ତା' ମନ ଭିତରେ ରହିଥିବା ରାଜକୁମାରର ଚେହେରା ମଧ୍ୟ ସେତେବେଳକୁ ବଦଳି ଯାଇଥିଲା। ସେମାନେ ଗଲା ବେଳେ ଉଷା ଚାହିଁ ରହିଥିଲା। ତା' କାନରେ ଶୁଭୁଥିଲା ଜେଜେ ମା'ଙ୍କ କଥା, "ସବୁ ବାଧା ବନ୍ଧନକୁ ସହି ସମୟର କଷଟି ପଥରରେ ଜୀବନକୁ ଉପଭୋଗ କରିଥିବା ପତି ପତ୍ନୀଙ୍କ ପ୍ରେମ ହିଁ ତ ହୁଏ ଚିର ଶାଶ୍ୱତ, ଅମର।" ଉଷା ତୁଳନା କରୁଥିଲା ରାଧାକୃଷ୍ଣ, ଲକ୍ଷ୍ମୀ ଜଗନ୍ନାଥଙ୍କ ସହିତ ଜେଜେ ମା' ଜେଜେ ବାପା ଆଉ ଉଷା ଓ ଶିଶିରଙ୍କୁ। ସେ ଭାବୁଥିଲା, "ସବୁ ରଙ୍ଗକୁ ନିଜ ଭିତରେ ହଜାଇ ଦେଉଥିବା ଏଇ କଳା ରଙ୍ଗ ବୋଧହୁଏ ଶାଶ୍ୱତ ପ୍ରେମର ରଙ୍ଗ"


Rate this content
Log in

Similar oriya story from Romance