ପ୍ରକୃତ ବନ୍ଧୁ - ପ୍ରକୃତି ବନ୍ଧୁ
ପ୍ରକୃତ ବନ୍ଧୁ - ପ୍ରକୃତି ବନ୍ଧୁ


ସକାଳୁ ସକାଳୁ ଘର ପଛପାଖ ପାର୍କରେ ଚର୍ଚ୍ଚା ଜୋର ଧରିଥିଲା। ବିରଂଚି ବାବୁଙ୍କ ପୁଅ ବାହାଘର, ଖର୍ଚ୍ଚ ପରିମାଣ, ଆୟୋଜନ ଓ ବ୍ୟଞ୍ଜନକୁ ନେଇ ଚାଲିଥିଲା ଚର୍ଚ୍ଚା। ଚର୍ଚ୍ଚାରେ ଭାଗ ନେଇଥିଲେ ବିରଂଚି ବାବୁଙ୍କ କିଛି ବନ୍ଧୁ, କିଛି ଘନିଷ୍ଠ ବନ୍ଧୁ ତଥା 'ପ୍ରକୃତି ବନ୍ଧୁ କ୍ଲବର ସଦସ୍ୟମାନେ। ସମସ୍ତେ ଗତକାଲିର ଭୋଜିରେ ଉପସ୍ଥିତ ଥିଲେ କେବଳ ମୁର୍ମୁ ବାବୁଙ୍କୁ ଛାଡ଼ି।
"ସାଧାରଣ ଫୋନ୍ କଲରେ ଏମିତି ଅନ୍ତିମ ସମୟରେରେ ଡକରା ହେଲେ ତାକୁ କଣ ନିମନ୍ତ୍ରଣ କହନ୍ତି? " ମୁର୍ମୁ ବାବୁ ମନ ଦୁଃଖ କରି କହିଲେ।
"ଫୋନ୍ ତ କରିଥିଲେ ନା! ଏତେବଡ଼ ଆୟୋଜନ ଭିତରେ ମଣିଷର ଟିକେ ଭୁଲ ତ ରହିଯାଏ। ଆପଣ ଆସିଯିବା କଥା ଥିଲା। ଭାରି ଖୁସି ହୋଇଥାନ୍ତେ ସେ", ମିଶ୍ରବାବୁ କହିଲେ କଥାଟିକୁ ସାରିବା ପାଇଁ।
ବିରଂଚି ବାବୁଙ୍କ ପଡୋଶୀ ବିଶ୍ବବାବୁ କହିଲେ, "ବାହାଘର ମାନେ ତ ଆୟୋଜନ। ଏଇଟା ଜାଣିବା କଥା ଆଉ ଏଇଟା ସମସ୍ତଙ୍କୁ କରିବାକୁ ପଡେ଼। ସେ ଆଉ ଅଧିକ କଣ କରିଥିଲେ କି? ମୁଁ ଵି ତ କିଛି ମାସ ତଳେ ମୋ ଝିଅ ବାହାଘର କରିଥିଲି। ସମସ୍ତଙ୍କୁ ବ୍ୟକ୍ତିଗତ ନିମନ୍ତ୍ରଣ କାର୍ଡ଼ ସହିତ ଯାଇ ଦେଖା କରିଛି। ଏଇଟାକୁ କହନ୍ତି ରେସ୍ପେର୍ଟ ।ସେ ଏମିତି ଭୂଲିଯିବାଟା ସତରେ ମୋର ମଧ୍ୟ କାହିଁକି ହଜମ ହେଉନି।"
କଥାରେ ଖିଅ ଯୋଡ଼ିବାକୁ ଯାଇ ଅନନ୍ତବାବୁ କହିଲେ, "ଏପଟେ କହୁଛନ୍ତି ବ୍ଲଡ଼ ପ୍ରେସର ବଢ଼ିଚାଲିଛି, ଦେହ ଖରାପ, ସେପଟେ ଏତେ ଦେଖେଇ ହୋଇ ଆୟୋଜନ କରିବାକୁ କିଏ କହିଥିଲା?"
"ଛାଡ଼ ମ! ସେସବୁ କୁମ୍ଭୀର କାନ୍ଦଣା। ମଣିଷ ଟିକେ ଭଲରେ ରହିଲେ, ଅଖିଗୁଡା଼କ ମଧ୍ୟ ଉପରକୁ ଉଠିଯାଏ।" ବିରକ୍ତରେ କହିଲେ ମୁର୍ମୁ ବାବୁ।
"ହଁ, ତା' ନୁହେଁ ତ ଆଉ କଣ। ଭଗବାନ ସମସ୍ତଙ୍କୁ କିଛି ନା କିଛି ଦେଇଛନ୍ତି। ସେତିକିକୁ ନେଇ ଯଦି ଆମେ ଏତେ ଗର୍ବ କରିବା, ତା' ହେଲେ ପରିସ୍ଥିତି ଯାହା ହେବ।" ଏତିକିବେଳେ ମୁହଁ ଖୋଲିଲେ ବିରଂଚି ବାବୁଙ୍କ ଅତି ଘନିଷ୍ଠ ବନ୍ଧୁ ବୋଲାଉଥିଵା ବିନାୟକବାବୁ।
ତା'ପରେ ଚାଲିଲା ଆହୁରି ଅନେକ ଆଲୋଚନା, ପର୍ଯ୍ୟାଲୋଚନା, ବର୍ଣ୍ଣନା ଆଉ ତୁଳନା। ତାଙ୍କୁ ଚାକିରୀ ଜୀବନ, ପୁଅଝିଅଙ୍କ ପାଠପଢ଼ା, ରୁପରଙ୍ଗ ଏପରିକି ବୋହୂର ପରିବାର ପର୍ଯ୍ୟନ୍ତ। ୱାକିଙ୍ଗ, ଏକ୍ସରସାଇଜ ପରେ ମଧ୍ୟ ବେଞ୍ଚରେ ବସି କିଛି ସମୟ କଥା ହେଲେ ସେମାନେ।
ପୁଅ ବାହାଘରର ବ୍ୟସ୍ତତା ଯୋଗୁଁ ପାର୍କରେ ଆଜି ଅନୁପସ୍ଥିତ ଥିଲେ। ସେ ମଧ୍ୟ ପ୍ରକୃତି ବନ୍ଧୁ କ୍ଲବ୍ ର ଜଣେ ସଦସ୍ୟ।
ଆଲୋଚନା ସାରି ଅନ୍ୟମାନଙ୍କଠୁଁ ବିଦାୟ ନେଇ ଘରମୁହାଁ ହେଲେ ବିଶ୍ବବାବୁ ଓ ବିନାୟକବାବୁ। ସେଠି ଦେଖିଲେ ଜଣେ ଅଚିହ୍ନା ଲୋକ ପ୍ଲାଷ୍ଟିକ କପ୍, ଗ୍ଳାସ୍ ଆଉ ଆବର୍ଜନା ସବୁ ହାତରେ ଉଠାଇ ନେଇ ଡଷ୍ଟବିନ୍ ରେ ପକାଇବାରେ ବ୍ୟସ୍ତ। ବିଶ୍ବ ବାବୁ କହିଲେ, "ଏଇଠି ତ ଆମେ କାଲି ଖାଇକି ସେ ଗ୍ଲାସ୍, କପ୍ ସବୁ ଫୋପାଡ଼ି ଥିଲୁ। କିନ୍ତୁ ଇଏ ତ ଆମ ସୋସାଇଟିର ସଫେଇବାଲା ନୁହଁ।"
ପାଖକୁ ଯାଇ ଦେଖିଲେ ଯେ ପାର୍କକୁ ଆସିବା ଆଗରୁ ଯେଉଁଠି କୁଢ଼ କୁଢ଼ ଆବର୍ଜନା ପଡ଼ିରହିଥିଲା ସେହି ଜାଗାରୁ ପ୍ରାୟ ସେ ନିଜେ ସଫା କରିସାରିଲେଣି। ସେମାନେ ମାନେ ପକାଇପାରୁନଥିଲେ ସେ ଲୋକକୁ କେଉଁଠି ଦେଖିଛନ୍ତି। ସୋସାଇଟିର ନୁହଁ କି ବିରଂଚିବାବୁଙ୍କ ପରିବାର କିମ୍ବା ବନ୍ଧୁମାନଙ୍କ ମଧ୍ୟରୁ କେହି ନୁହଁ, ଏତିକି ତ ନିଶ୍ଚିତ ଥିଲେ।
"ଆପଣ କିଏ ଭାଇ?" ପଚାରିଲେ ବିଶ୍ବ ବାବୁ।
ଭଦ୍ର ବ୍ୟକ୍ତି ମୁଣ୍ଡ ଉଠାଇ ଦେଖିଲେ। ଅଳ୍ପ ହସି କହିଲେ, "ଆଜ୍ଞା, ମୁଁ ସଫେଇବାଲା - ପ୍ରକୃତିର। ଏଇଟା ମୋର ଜୀବିକା ନୁହେଁ, ମୋ ଜୀବନ। ଏଇ ଲୋକମାନେ ସବୁ ବାହାରେ ଭଲ ଭଲ କାଠ କୁହନ୍ତି, କିନ୍ତୁ କାମରେ କରନ୍ତିନି। ଯେଉଁମାନେ ଏହିପରି ଭୋଜିର ଆୟୋଜନ କରନ୍ତି ସେମାନେ ପ୍ରକୃତରେ ଭୁଲିଯାନ୍ତି ଯେ ଘନିଷ୍ଠ ଭାବି ଯେଉଁମାନଙ୍କୁ ନିମନ୍ତ୍ରଣ କରନ୍ତି ସେମାନେ କେବଳ ଆସି ଖାଆନ୍ତିନି, ପଛରେ ପୁଣି ତାଙ୍କ ବିରୁଦ୍ଧରେ ଗାଆନ୍ତି। କିନ୍ତୁ ଏଇ ପ୍ରକୃତି ମାଆ ଯାହାର କୋଳରେ ସେମାନେ ଏତେ ଉପଦ୍ରବ ରଚିଯାଆନ୍ତି, ସେଟା ନିସ୍ୱାର୍ଥ ଭାବରେ ଦେଇଚାଲେ, ଦେଇଚାଲେ ଆଉ ଦେବାକୁ ବାଧ୍ୟ ହୁଏ ସେମାନେ ଯେତେବେଳେ ଯାହା ଚାହାନ୍ତି। ଆଉ ଦେଇ ସାରିଲା ପରେ ଏଇ ମଣିଷମାନେ ତାକୁ ଏମିତି ପୁରସ୍କାର ଦେଇ ତାକୁ ହତଶ୍ରୀ କରିଦିଅନ୍ତି। ହୁଁ.., କଣ କହିବ ଏମାନଙ୍କୁ!" ଏତିକି କହି ସେ ପୁଣି କାମରେ ଲାଗିଗଲା।
ପ୍ରକୃତି ବନ୍ଧୁର ସଦସ୍ୟ ଦୁଇଜଣ ଭାବୁଥିଲେ, " ସେ ଲୋକ ଯାହା କହିଗଲା ସତକଥା।" ମନେ ମନେ ଲଜ୍ଜିତ ଅନୁଭବ କରୁଥିଲେ। ନିଜକୁ ପରଖୁଥିଲେ ବିରଂଚି ବାବୁଙ୍କ ପ୍ରକୃତ ବନ୍ଧୁ ରୁପରେ ଆଉ ପ୍ରକୃତି ବନ୍ଧୁ ରୁପରେ।