ତ୍ୟାଗର ରଙ୍ଗ
ତ୍ୟାଗର ରଙ୍ଗ


ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଶୋଭନ ବାବୁ ବାହାରିଛନ୍ତି ଝିଅ ଘରକୁ। ଏତେ ଦିନର ଅଭିମାନ, ଅନ୍ତର୍ଦ୍ୱନ୍ଦ ଓ ଆତ୍ମଗ୍ଲାନି ଭିତରୁ ବାହାରି ଜୀବନ ପୁସ୍ତିକାରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ। ଏକମାତ୍ର ଗେହ୍ଲେଇ ଝିଅ ଶୁଭର କନ୍ୟାଦାନ କରିବା ପରେ ପ୍ରଥମ ଥର ପାଇଁ ସେ ଯାଉଛନ୍ତି ତା' ଘରକୁ। ସ୍ୱାଭିମାନ, ଅହଂକାର ଆଉ ଦାୟିତ୍ଵର ବୋଝ ତଳେ ଦବିଯାଇଛି ହସ ତାଙ୍କର। ଭାରି ଗମ୍ଭୀର ଜଣା ପଡୁଛନ୍ତି ସେ। ପୁଅ ରୋହନ କୋଚିଂ କ୍ଲାସ୍ କୁ ଚାଲି ଗଲାଣି। ଶୁନଶାନ ଘରଟା ଯେମିତି ଆଜି ମୁଖରିତ ହୋଇଉଠିଛି। ମିଠା ଯାହା ସବୁ ବରାଦ ହୋଇଥିଲା ଦୋକାନୀ ଆଣି ଦେଇଯାଇଛି। ସ୍ତ୍ରୀ ସୁନିତା ଆଜି ଭାରି ଖୁସି ଲାଗୁଛନ୍ତି। ଶୁଭକୁ ଯାହା ଯାହା ସବୁ ଖାଇବାକୁ ଭଲ ଲାଗେ ସବୁ ବନେଇ ଦେଇଛନ୍ତି ସେ। ତା' ମନ ପସନ୍ଦର ଦୁଇଟି ଶାଢ଼ୀ, ଶାଶୁ ଶ୍ୱଶୁରଙ୍କ ପାଇଁ ଲୁଗାପଟା ସବୁ ସେ ଆଗରୁ କିଣି ଆଣିଥିଲେ। ଡ୍ରାଇଭର ହାତରେ ସବୁ ଜିନିଷ ଗୋଟି ଗୋଟି କରି ଗଣି ଗଣି ଗାଡ଼ିରେ ରଖାଉଛନ୍ତି। ଶୋଭନ ବାବୁଙ୍କ ଏକା ଜିଦ୍ ସେ ଆଜି ଏକା ଯିବେ। ଠାକୁର ଘରେ ମୁଣ୍ଡିଆଟିଏ ମାରି ଘଣ୍ଟାରେ ସମୟ ଦେଖି ଡ୍ରାଇଭରକୁ ନେଇ ବାହାରିଗଲେ ଝିଅ ଶାଶୁଘର ଗାଁ ଅଭିମୁଖେ। ଗେଟ୍ ପାଖରୁ ବିଜୟର ଏକ ନିଶ୍ୱାସ ନେଇ ଫେରିଲେ ସୁମିତ୍ରାଦେବୀ। ଶୁଭ ପାଖକୁ ଥରେ ଫୋନ୍ କରିବେ ଭାବିଲେ। କିନ୍ତୁ ମନ କହିଲା, " ଝିଅକୁ ଏକ ସରପ୍ରାଇଜ୍ ମିଳୁ"। ରୋଷେଇ ଘରକୁ ଚାଲିଗଲେ ସେ।
ଗାଡ଼ିରେ ବସି ବସି ଶୋଭନବାବୁ ହଜିଯାଇଥିଲେ ଶୁଭର ପିଲାଦିନର ସ୍ମୃତିରେ। ଘରର ବଡ଼ପୁଅ ବଡ଼ବୋହୂ ଶୋଭନ ଆଉ ସୁମିତ୍ରାଙ୍କର ଯେତେବେଳେ ଝିଅଟିଏ ହେଲା ସମସ୍ତେ କହିଲେ ଘରକୁ ଲକ୍ଷ୍ମୀ ଆସିଲେ। ଜେଜେମା' କିନ୍ତୁ କହିଲେ, "ପୁଅଟିଏ ହୋଇଥିଲେ ଘରକୁ ଲକ୍ଷ୍ମୀ ଆଣିଥାନ୍ତା, ଏ ଝିଅ ତ ଘରୁ ଲକ୍ଷ୍ମୀଙ୍କୁ ନେଇଯିବ"। ଶୋଭନବାବୁ କହିଥିଲେ, "ମୋ' ଝିଅ ଦିନେ ଆମ ଘରର ନାଁ ରଖିବ।" ତା' ପରେ ପରେ ଶୋଭନବାବୁଙ୍କ ପଦୋନ୍ନତି, ଭୁବନେଶ୍ୱରରେ ଜାଗା ଆଉ ଘରଟିଏ, ପୁଅ ରୋହନର ଜନ୍ମ ଏ ସବୁ ଭିତରେ ଶୁଭ ପ୍ରତି ସମସ୍ତଙ୍କର ଏକ ଅଲଗା ଆକର୍ଷଣ ରହିଗଲା।
ଶୁଭ ଯେତେବେଳେ ସ୍କୁଲ ପଢ଼ାସାରି କଲେଜ ଯିବାକୁ ବାହାରିଲା ନାନା ଆଶା ଆଶଙ୍କାରେ ଥିବା ସୁମିତ୍ରାଦେବୀ ତାକୁ ବୁଝାଇଥିଲେ, "ତୁ ଝିଅପିଲା, ରାସ୍ତାରେ ଘାଟରେ ସାଙ୍ଗ ମାନଙ୍କ ସହ ବେଶି ମିଳାମିଶା କରିବୁନି, ୟା ତା' ନାଆଁରେ କିଛି ଆଲୋଚନା କରିବୁନି। ଘରୁ କଲେଜକୁ ଆଉ କଲେଜରୁ ଘରକୁ। ବାସ୍, ତା'ପରେ ମୁଁ ଯେମିତି ଆଉ କୌଣସି କଥା ନ ଶୁଣେ।" ଶୋଭନବାବୁ ଗର୍ବରେ ତାଙ୍କୁ କହିଥିଲେ, " ଓହୋ ସୁମିତ୍ରା, ତୁମେ ଏତେ ବ୍ୟସ୍ତ ହେବା ଦରକାର ନାହିଁ। ସେ ମୋ' ଝିଅ, ତା' ପାଇଁ ତା' ବାପାର ଇଜ୍ଜତ ସବୁଠୁ ମୂଲ୍ୟବାନ। ଏକଥା ସେ ଜାଣେ।
ବର୍ଷେ, ଦୁଇବର୍ଷ, ତିନିବର୍ଷ କଟିଗଲା। ଶୁଭର ବ୍ୟବହାର, ଚାଲିଚଳନରେ ସୁମିତ୍ରାଦେଵୀ ଧୀରେ ଧୀରେ ପରିବର୍ତ୍ତନ ଲକ୍ଷ୍ୟ କାଲେ। ତା'କୁ କିଛି ପଚାରିଲେ କାଳେ ଖରାପ ହେବ ଭାବି ସେ ସ୍ବାମୀଙ୍କୁ କହିଥିଲେ। ପରେ ବନ୍ଧୁ ସୁଶାନ୍ତଙ୍କଠାରୁ ମଧ୍ୟ ଶୋଭନବାବୁ ଶୁଣିଲେ ଯେ ଶୁଭ କଲେଜ ଆଗରେ ଜଣେ ପୁଅ ସହ ବୁଲୁଥିଲା। ବାସ୍। ତା'ପରେ ତାଙ୍କ ପୁରୁଷପଣିଆ ଅକ୍ତିଆର କରିଥିଲା ତାଙ୍କ ବାପା ମନକୁ। ଝିଅର ସବୁ ଗତିବିଧି ଉପରେ ନଜର ରଖିଲେ ସେ। ତାଗିଦ୍ କଲେ। ନିଜେ ତାକୁ ନେଇ କଲେଜରେ ଛାଡ଼ିଲେ ଆଉ କଲେଜରୁ ଘରକୁ ଆଣିଲେ। ଏତିକି କଷ୍ଟ ସତ୍ତ୍ୱେ ଗ୍ରାଜୁଏସନରେ ବହୁତ କମ୍ ନମ୍ବର ରଖି ପାସ୍ କଲା ଶୁଭ। ନିଜର ସମ୍ମାନ, ସ୍ୱାଭିମାନରେ ଆଞ୍ଚ ନ ଆଣିବା ପାଇଁ ଶୋଭନବାବୁ ଝିଅପାଇଁ ବରଖୋଜା ଆରମ୍ଭ କରିଦେଲେ। ଚାକିରୀ ନେଇ ତାଙ୍କର ଆଉ କିଛି ସର୍ତ୍ତ ନଥିଲା। ଛଅମାସ ଭିତରେ ଶୁଭର ବାହାଘର ହୋଇଗଲା ବ୍ରାହ୍ମଣ ପରିବାରର ପୁଅ ଦିନେଶ ସହିତ। ସେ ଥିଲା ଜଣେ ପ୍ରାଇଭେଟ କଲେଜର ଅଧ୍ୟାପକ। ଅନିଚ୍ଛାସତ୍ତ୍ୱେ ବିନା ପ୍ରତିବାଦରେ ବାପାଙ୍କ ସମ୍ମାନ ରକ୍ଷା କରିଥିଲା ଶୁଭ। "ଝିଅଜ୍ୱାଇଁଙ୍କ ଯୋଡ଼ି ଖୁବ୍ ସୁନ୍ଦର"। ଅତିଥିମାନଙ୍କର ଏଇ କଥାରେ ନିଜେ ନିଜକୁ ଅଭିନନ୍ଦନ ଜଣାଉଥିଲେ ଶୋଭନବାବୁ।
ୟା ଭିତରେ ତିନି ବର୍ଷ ବିତିଗଲାଣି। ଝିଅ ତାଙ୍କର ଦିନେ ମଧ୍ୟ କହିନି ଶ୍ୱଶୁର ଘର ବିରୁଦ୍ଧରେ। ଝିଅର ନଣନ୍ଦ ବାହାଘରରେ ସେ ଯାଇଥିଲେ ଅତିଥି ହୋଇ ମଣ୍ଡପକୁ। କନ୍ୟାଦାନ କରିଥିବାରୁ ସେ ତା' ଘରକୁ ଯାଇନାହାନ୍ତି। ଯେତେଥର ଯିବାକୁ ପଡ଼ିଛି ସ୍ତ୍ରୀ ତାଙ୍କର ପୁଅକୁ ନେଇ କାମ ଚଳାଇ ଦେଇଛନ୍ତି। ଅନ୍ୟ ସମୟରେ ଝିଅଜ୍ୱାଇଁ ଆସି ବୁଲିଦେଇ ଯାଆନ୍ତି। କିନ୍ତୁ ଏବେ ଜ୍ୱାଇଁଙ୍କର ଚାକିରୀ ଛାଡ଼ିବା ଖବର ଶୁଣି ତାଙ୍କୁ ବହୁତ ଖରାପ ଲାଗୁଛି। କେମିତି ଚଳିବ ଝିଅ ତାଙ୍କର? ତାଙ୍କ ନିଷ୍ପତ୍ତି କ'ଣ ସତରେ ଭୁଲ ଥିଲା? ସୁଶାନ୍ତବାବୁଙ୍କ ଝିଅ ତ ପୁଣି ତା' ଅଫିସର ଜଣେ ପୁଅକୁ ଭଲ ପାଇ ବାହା ହେଲା! ସତରେ କ'ଣ ସେ ଅନ୍ୟାୟ କରିଛନ୍ତି ଶୁଭ ସହିତ? ବାପା ମନଟା ତାଙ୍କର ପୁଣି ଥରେ ଗେହ୍ଲା ଝିଅ ପାଇଁ ଛଟପଟ ହେଉଥିଲା। ଏଥର ସେ ଯାଉଛନ୍ତି ଶୁଭକୁ ଦେଖିବେ, ତା' ଘର ଦେଖିବେ ଆଉ ମନେ ମନେ ଭାବିଛନ୍ତି ଝିଅଜ୍ୱାଇଁଙ୍କୁ ରାଜି କରାଇଦେବେ ଭୁବନେଶ୍ୱରରେ ଘରଟିଏ ନେଇ ରହିବା ପାଇଁ।
ଶୁଭର ଶାଶୁଘର ଆଗରେ ଗାଡ଼ି ରହିଲା। ଜ୍ୱାଇଁ ଦିନେଶ ଘରେ ଥିଲେ। ତାଙ୍କୁ ଦେଖି ବାହାରି ଆସି ନମସ୍କାର କଲେ। ଘର ଭିତରକୁ ପାଛୋଟି ନେଲେ। ସମୁଦି ସମୁଦୁଣୀ ଟିଭି ଦେଖା ବନ୍ଦ କରି ଶୁଭକୁ ଡାକ ପକାଇଲେ। ରୋଷେଇରେ ବ୍ୟସ୍ତ ଥିବା ଶୁଭ ବାପାଙ୍କୁ ଦେଖି ଖୁସିରେ କାନ୍ଦି ପକାଇଲା। କୁଣ୍ଢାଇ ଧରିଲା। ଡାକିନେଲା ତା' ଘର, ବଗିଚା, ନଡ଼ିଆ ଗଛ ଆଉ ଗଡିଆର ମାଛ ଦେଖାଇବାକୁ। ଅତି ଖୁସିରେ ଶୁଭ ବାପାଙ୍କୁ ସବୁ ଦେଖାଉଥିବା ବେଳେ ଶୋଭନବାବୁଙ୍କ ଆଖି କିନ୍ତୁ ଅଟକି ଯାଇଥିଲା ତା' ଶୁଖିଲା ମୁହଁ ଉପରେ। କାମ କରି କରି ଝିଅ ତାଙ୍କର ଥକି ଯାଇଛି। ତଥାପି ତାଙ୍କୁ ଜଣେଇ ନ ଦେବା ପାଇଁ ପ୍ରଚେଷ୍ଟା କରୁଛି। ଆଖି ତା'ର ଚମକୁଛି ଏକ ଅଦ୍ଭୁତ ଖୁସିରେ।
"ତୁ ଏଠି ସତରେ ଖୁସିରେ ଅଛୁ, ଶୁଭ?" ଆଖି ଛଳଛଳ ହୋଇଯାଇଥିଲା ଶୋଭନବାବୁଙ୍କର ଏତିକି ପଚାରିଲାବେଳେ। ଶୁଭ ତାଙ୍କୁ ଜାବୁଡ଼ି ଧରି କହିଥିଲା, "ମୁଁ ତୁମ ଝିଅ ବାପା, ତୁମ ଆଶୀର୍ବାଦରୁ ଏଇଠି ଅଛି ଆଉ ଦୁଇଜଣ ବାପମା'ଙ୍କୁ ନେଇ। ଦେଖୁଛ ତ ତୁମ ଝିଅ ବୋଲି ମୋର ଏଠି କେତେ ଇଜ୍ଜତ ଅଛି!" ଗର୍ବରେ କହିଲା ଶୁଭ। ଚୁପ୍ ରହିଲେ ଶୋଭନବାବୁ। ଘରର ସମସ୍ତଙ୍କ ସହିତ କଥା ହେଲାବେଳେ ମଧ୍ୟ ଶୁଭ ତାଙ୍କ ପାଖରେ ବସି ତାଙ୍କ ମୁଣ୍ଡକୁ ଆଉଁସି ଦେଉଥିଲା ଠିକ୍ ଯେମିତି ସେ ଛୋଟବେଳେ କରିଦେଉଥିଲା।
ଗାଡ଼ିରେ ବସି ଭୁବନେଶ୍ଵର ଫେରିବାବେଳେ ସେ ତୁଳନା କରୁଥିଲେ ତାଙ୍କ ବାପା ମନ ସହ ଝିଅର ମନକୁ। ତ୍ୟାଗର ପରିଭାଷାକୁ ଏତେ ଶୀଘ୍ର କେମିତି ବୁଝିନେଲା ତାଙ୍କ କୁନି ଝିଅ ଶୁଭ? ଅଥଚ ସେ ନିଜେ ତାଙ୍କର ଅଭିମାନ ଛାଡ଼ି ପାରି ନଥିଲେ ବାପା ହୋଇ। ସେ ମା' ହେଉ କି ସ୍ତ୍ରୀ ହେଉ କି ଝିଅ, ପ୍ରତିଟି ରୂପରେ ନାରୀଟିଏ ହିଁ ନିଜ ପରିବାରର ମଙ୍ଗଳ ପାଇଁ ସହଜରେ ରଙ୍ଗେଇ ହୋଇଥାଏ ତ୍ୟାଗର ରଙ୍ଗରେ। ଗାଡ଼ିର ଝରକା ଖୋଲି ଆକାଶକୁ ଅନାଇ ଭାବୁଥିଲେ, "ଶୁଭ ହେଉ ଅବା ସାବିତ୍ରୀ, ଏଇ ତ୍ୟାଗ ପାଇଁ ହିଁ ଆଜି ସେମାନେ ମହାନ ହୋଇଯାଇଛନ୍ତି ମୋ' ଆଗରେ"।