Minati Rath

Tragedy

5.0  

Minati Rath

Tragedy

ସ୍ତ୍ରୀ

ସ୍ତ୍ରୀ

3 mins
677


"ସେ ବୋଧହୁଏ ଥିଲା ମୋ' ଜୀବନର ସବୁକିଛି। ଅଥଚ ମୁଁ ତାକୁ ଛାଡ଼ି ଅନ୍ୟ ସବୁକୁ ଜୀବନରେ ଗୁରୁତ୍ୱ ଦେଇଥିଲି। ଦିନେ ଵି ମୁଁ ତାକୁ ହସଖୁସିରେ କଥା ପଦେ କହି ନଥିବା ବେଳେ ସେ କେମିତି ବିନା ପ୍ରତିବାଦରେ ମୋ'ର ସବୁ ସୁବିଧା ଅସୁବିଧା ବୁଝୁଥିଲା? ସକାଳ ଚା'ରୁ ଆରମ୍ଭ କରି ରାତିର କ୍ଷୀର ଗ୍ଲାସ୍ ପର୍ଯ୍ୟନ୍ତ କୌଣସିଥିରେ କେବେ ଖିଲାଫ୍ କରିନି। ତଥାପି କେବେ କୌଣସି ଜିନିଷରେ ଟିକେ ଭୂଲ ଦେଖିଲେ ମୁଁ ଭୂଲିଯାଉଥିଲି ସେ ମୋ ସ୍ତ୍ରୀ ବୋଲି। କେବଳ ଏତିକି ମାନେ ଥିଲା ଯେ ମୁଁ ତାର ସ୍ୱାମୀ।"


କଲେଜ ବେଳର ବନ୍ଧୁ ସୁନୀଲଙ୍କୁ ଏତିକି କହୁ କହୁ ଆଖି ଭରି ଆସିଲା ପଙ୍କଜ ବାବୁଙ୍କର। ଅନେକ ବର୍ଷ ପରେ ଲୁହବୁନ୍ଦା ସବୁ ଝରିଆସିଲା। ପକେଟରେ ହାତ ମାରିଲେ। ରୁମାଲ ପାଇଲେ ନାହିଁ। ରଖିବାକୁ ଭୂଲି ଯାଇଛନ୍ତି। ଅଭ୍ୟାସ ନାହିଁ। ଲୁହ ସବୁ ଗାଲ ଦେଇ ତଳକୁ ବହିଗଲା। ପିନ୍ଧିଥିବା ସଫା ଧଳା ସାର୍ଟଟିକୁ କିଛିକାଂଶରେ ଭିଜାଇ ଦେଲା। କୋହ ସମ୍ଭାଳି ପାରିନଥିଲେ ପଙ୍କଜ ବାବୁ। ତାଙ୍କର ପୃଥିବୀଟା ଓଲଟପାଲଟ ହୋଇଯାଇଛି। ଯାହା ସେ କେବେ କଳ୍ପନା କରିନଥିଲେ ତାହା ସବୁ ଘଟିଯାଇଛି। ପୁଅଝିଅ ବାହାହୋଇ ବାହାରେ ରହିଲେଣି କିଛି ବର୍ଷ ହେଲା। କିନ୍ତୁ ସେ କେବେ ଏକାକୀ ଅନୁଭବ କରିନାହାଁନ୍ତି ସେମାନଙ୍କ ଅନୁପସ୍ଥିତିକୁ ନେଇ। ବୋଧହୁଏ ଆବଶ୍ୟକ ନଥିଲା ସେମିତି। ହଁ, ତାଙ୍କର ସବୁ କଥାବାର୍ତ୍ତା, ବ୍ୟବହାର, ଚାଲିଚଳନ ସବୁକିଛିର କେନ୍ଦ୍ର ଥିଲା ଆବଶ୍ୟକତା। ପଡୋଶୀମାନେ ତାଙ୍କୁ କହନ୍ତି ଅସାମାଜିକ। ଅଫିସରେ କିଛି କହନ୍ତି ସେ ସ୍ପଷ୍ଟବାଦୀ, ଆଉ କିଛି କହନ୍ତି ବଦ୍ରାଗୀ। କେହି କେହି ତାଙ୍କୁ practical ବୋଲି ମଧ୍ୟ କହନ୍ତି। ସତରେ ସେ ଭାରି practical । କିନ୍ତୁ କିଛିଟା କଥାରେ ପାନରୁ ଚୂନ ଖସିଗଲେ ସେ କେତେ ଯେ ଭୟଙ୍କର ହୋଇଯାଆନ୍ତି ସୁଲେଖା ଦେବୀଙ୍କୁ ଛାଡିଦେଲେ ବୋଧହୁଏ ଆଉ କେହି ଜାଣିନଥିବେ। ଖାଇବାରେ ସେ କାଳେ ଭାରି ସୁକୁମାର। ଯେମିତି ମଟନ ତରକାରୀ ବିନା ରବିବାରଟା ରବିବାର ଭଳି ଲାଗେନି ଆଉ ତାଙ୍କ ମୁଡ୍ ଵି ସେଦିନ ଭଲ ରହେନି। ଯଦିଓ ଏମିତି ଦିନ ବହୁତ କମ୍ ଥିଲା ତାଙ୍କ ଜୀବନରେ ଏ ଯାବତ। ରହିଥାନ୍ତା ବା କେମିତି? ଏ ସବୁର ହିସାବ ରଖିବା ପାଇଁ ତ ଭଗବାନ ତାଙ୍କୁ ଦେଇଥିଲେ ଜଣେ ସ୍ତ୍ରୀ। ଚିକେନ, ମଟନ ତରକାରୀରେ କେତିକି ଧନିଆ ପତ୍ର ପଡ଼ିବ, ଅଣ୍ଡା ଅମଲେଟରେ କେତେ ପିଆଜ ପଡ଼ିବ, ଆଇରନ କଲାବେଳେ ପ୍ୟାଣ୍ଟର ଭାଙ୍ଗଟା କେମିତି ରହିବ ବା ଧଳା ସାର୍ଟରୁ ମଇଳା ଦାଗ କେମିତି ଛଡାଇ ପୁଣି ନୂଆ ଭଳି କରାଯିବ ସେସବୁ ସେ ସୁଲେଖା ଦେବୀଙ୍କୁ ଭଲଭାବରେ ଶିଖାଇ ଦେଇଥିଲେ, ଯଦିଓ ସେ ନିଜେ ଜାଣିନଥିଲେ। ତାଙ୍କର ଗୋଟିଏ ଚିତ୍କାର ହିଁ ଯଥେଷ୍ଟ ଥିଲା ଏ ସବୁ ଶିଖାଇବାକୁ। ତାଙ୍କୁ ବାହାହୋଇ ଘରକୁ ଆସିବା ପରେ ଘରସଜା ଠାରୁ ଆରମ୍ଭ କରି ମନ ପସନ୍ଦର ବ୍ୟଞ୍ଜନ ପରଶିବା ଯାଏଁ ସବୁକିଛି ବହୁତ କମ୍ ଦିନରେ ଶିଖିଯାଇଥିଲେ ସୁଲେଖା ଦେବୀ। ମୁଣ୍ଡରେ ଓଢ଼ଣା ଦେଵା ବା କାନି ଘୋଡେଇ ଶାଢ଼ୀ ପିନ୍ଧିବା ଏ ସବୁ ତାଙ୍କଠାରୁ ଅଧିକ ଆଉ କିଏ ଜାଣିବ?


ଝିଅ ବାହାଘର ପରେ ଯେବେ ପ୍ରଥମଥର ଡ୍ରେସ୍ ପିନ୍ଧିଥିଲା ତା' ଶାଶୁଘର ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ ପଙ୍କଜ ବାବୁଙ୍କ ପ୍ରତିକ୍ରିୟା ଦେଖି। " ବାହାଘର ପରେ ତ ଝିଅମାନେ ସ୍ତ୍ରୀ ହୁଅନ୍ତି ଆଉ ସ୍ତ୍ରୀ ମାନଙ୍କର ଗୋଟେ ସୀମାରେଖା ଥାଏ ଯାହା ସ୍ୱାମୀମାନେ ହିଁ ନିର୍ଦ୍ଧାରଣ କରିଥାଆନ୍ତି। ତା'ହେଲେ .... ଏ ନିୟମର ଉଲ୍ଲଂଘନ କରିବା ପାଇଁ ଲୋକ କେମିତି ଅନୁମତି ଦିଅନ୍ତି?" ପୁଅ ବାହାଘର ପରେ ବୋହୂ ଏକଥା ଶୁଣି ସିଧାସିଧା କହିଦେଲା, "ମୁଁ ଏତେ restriction ଭିତରେ ଏ ଘରେ ରହିପାରିବିନି। ବାସ। ତା'ପରେ ଘର ଅଲଗା ହୋଇଯାଇଥିଲା। ବାହାର ଲୋକ କିଏ କଣ କହିଥିବେ ସୁଲେଖା ଦେବୀଙ୍କୁ ଜଣା। ପଙ୍କଜ ବାବୁ କେବେ ସେକଥା ଭାବି ନାହାନ୍ତି କି ତାଙ୍କୁ ପଚାରିନାହାନ୍ତି। ନିଜ ଜିଦ୍ ରେ ଅଟଳ ରହିଛନ୍ତି।

ଅବସର ଗ୍ରହଣ ପାରେ ସାତ ଆଠ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କ ଦୈନନ୍ଦିନ ଜୀବନରେ ସେମିତି କିଛି ପରିବର୍ତନ ହୋଇନାହିଁ। ଖାଲି ଯାହା ତାଙ୍କର ରକ୍ତଚାପ ଓ ଆଣ୍ଠୁଗଣ୍ଠି ଜନିତ କିଛି ସମସ୍ୟା ବାହାରିଯାଇଛି। ତଥାପି ସ୍ତ୍ରୀ କେବେ ତାଙ୍କର ସେବାରେ ଅବହେଳା କରିନାହାଁନ୍ତି। ସେ ତ ସ୍ତ୍ରୀ ଲୋକ। ତାଙ୍କର ଏସବୁ ପାଇଁ କୁଆଡେ ବହୁତ ଶକ୍ତି ଥାଏ। ଏକଥା ସେ ତାଙ୍କ ବାପାଙ୍କଠୁ ଶୁଣିଥିଲେ। ତେଣୁ ସେ କେବେ ଭାବିନଥିଲେ ସ୍ତ୍ରୀ ମାନଙ୍କର ମଧ୍ୟ ଦେହ ଖରାପ ହୋଇପାରେ ବୋଲି। ବୋଧହୁଏ ସେଇଠି ତାଙ୍କର ଭୂଲ ହୋଇଯାଇଥିଲା।

ପୁଅ ବୋହୂ, ଝିଅ ଜ୍ୱାଇଁ ନାତି ନାତୁଣୀଙ୍କୁ ଦେଖିଲେ ସ୍ତ୍ରୀ ତାଙ୍କର ଭାରି ଖୁସି ହୁଏ। ସେମାନଙ୍କ ସହିତ ଚୁପିଚୁପି କେତେ କଣ କଥା ହୁଏ।


ଏଇ ଚାରି ମାସ ତଳେ ସୁଲେଖା ଦେବୀଙ୍କ ଦେହ ଭଲ ନଥିଵା ଶୁଣି ସେ ଟିକେ ରାଗି ଯାଇଥିଲେ। ଡାକ୍ତର ପାଖକୁ ଯିବାକୁ ସେ ଆଦୌ ପସନ୍ଦ କରନ୍ତିନି। ଅବଶ୍ୟ ସୁଲେଖା ଦେବୀ ଏକଥା ଭଲ ଭାବରେ ଜାଣନ୍ତି। ତେଣୁ ସେ ନିଜେ କିଛି ଡ଼ାକ୍ତରୀ ବହି ଆଣି ସେଥିରୁ ପଢ଼ି ଚିକିତ୍ସା ଆରମ୍ଭ କରିଦେଇଥିଲେ। ତାଙ୍କ ଜୀବନରେ ଯେମିତି କୌଣସି ଜିନିଷରେ ପରିବର୍ତନ ନ ହେଉ ସେଥିପ୍ରତି ସେ ବିଶେଷ ସତର୍କ ଥିଲେ। ଧିରେ ଧିରେ ସ୍ତ୍ରୀଙ୍କ ଦେହ ଅଧିକ ଖରାପ ହେବାରୁ ପୁଅଝିଅଙ୍କ କଥା ଅନୁସାରେ ସେ ଅନନ୍ୟୋପାୟ ହୋଇ ତାଙ୍କୁ ଡ଼ାକ୍ତରଖାନା ନେଇଥିଲେ। ମାରାତ୍ମକ ଯକୃତ କ୍ୟାନସର ର ଶେଷ ପର୍ଯ୍ୟାୟରେ କିଛିଦିନ ଜୀବନ ସହ ସଂଗ୍ରାମ କରି ମୃତ୍ୟୁକୁ ଆପଣାଇଥିଲେ ସୁଲେଖା ଦେବୀ। ଆଖି, ନାକ, ମନ ସବୁ ଓଦା ହୋଇଯାଇଥିଲା ପଙ୍କଜ ବାବୁଙ୍କର।

"ଗଲାବେଳେ ପାଦେ କଥା ମଧ୍ୟ କହିଲାନି। ରୁଷିଥିଲା ବୋଧହୁଏ। " ତାଙ୍କୁ ପାଟିରୁ ବାହାରିଗଲା।

ସୁନୀଲ ବାବୁ ସାନ୍ତ୍ଵନା ଦେଇ କହିଲେ, " ଭାଗ୍ୟରେ ଥିଲେ ଏମିତି ନିସ୍ୱାର୍ଥ ପତ୍ନୀ ମିଳିଥାଏ। ଛାଡ଼, ଯିଏ ଯାଏ ସେ କଣ ଆଉ ଫେରିଆସେ? ତୁମକୁ ତ ପୁଣି ବଞ୍ଚିବାକୁ ହେବ।"

ଦୁଇଜଣ ଉଠି ଘରମୁହାଁ ହେଲେ ଧୀରେ ଧୀରେ।


Rate this content
Log in

Similar oriya story from Tragedy