The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Minati Rath

Tragedy

5.0  

Minati Rath

Tragedy

ନିରୁଦ୍ଦିଷ୍ଟ ପ୍ରେମ

ନିରୁଦ୍ଦିଷ୍ଟ ପ୍ରେମ

3 mins
176


ଶିବ ମନ୍ଦିରର ପାହାଚ ଉପରେ ଅନେକ ବେଳୁ ବସିଛି ସ୍ୱାତୀ। ଅପେକ୍ଷା କରିଛି ତା' ବହୁ ପ୍ରତୀକ୍ଷିତ ମୁହୂର୍ତ୍ତକୁ। ରାଣୀ ସାଜିବ ସେ ଆଜି। ସତସତିକା ରାଣୀ। ତା' ଆଖିର ସ୍ବପ୍ନମାନଙ୍କରେ ପରସବୁ ଲଗାଇଦେଇଛି ତା' ମନର ରାଜକୁମାର - ମୋହନ।


କିନ୍ତୁ ଘଣ୍ଟାଏ, ଦୁଇଘଣ୍ଟା ବିତିଗଲାଣି। ଏ ପର୍ଯ୍ୟନ୍ତ ମୋହନଙ୍କର ଦେଖାନାହିଁ। ବୋଧହୁଏ ସେ ହିଁ ଶୀଘ୍ର ଆସି ଯାଇଥିଲା। ଘଣ୍ଟାକୁ ଦେଖିଲା। "ନା, ଦିନ ଦଶଟା ହେଲାଣି। ସେମାନେ ଠିକ୍ ନଅଟାରେ ମନ୍ଦିରରେ ଦେଖାହେବାକୁ କଥା ହୋଇଥିଲେ। କଥା ଥିଲା ସ୍ୱାତୀକୁ ସବୁଦିନ ପାଇଁ ତା' ଘର ଛାଡ଼ି ସହର ବାହାରେ ଥିବା ଏ ଶିବ ମନ୍ଦିରକୁ ଆସିବାକୁ ହେବ ଯେଉଁଠି ମୋହନ ତା' ପାଇଁ ଅପେକ୍ଷା କରିଥିବ। ସେ ଆଗରୁ ସବୁ ଆୟୋଜନ କରି ରଖିଥିବ। ପଣ୍ଡିତ, ଫୁଲମାଳ, ସିନ୍ଦୁର ଆଉ ତା' ମନ ପସନ୍ଦର ମଙ୍ଗଳସୂତ୍ର ସହିତ ଗୋଲାପୀ ରଙ୍ଗର ବାହାଘର ଶାଢ଼ୀ। ସକାଳେ ମନ୍ଦିରରେ ପହଞ୍ଚିଲା ପରେ ସେସବୁ ସେ ସ୍ୱାତୀକୁ ଦେବ ଓ ତାକୁ ବାହାହୋଇ ନିଜ ସହିତ ନେଇଯିବ ତା' ଘରକୁ।


ସ୍ୱାତୀ ଅଧୈର୍ଯ୍ୟ ହୋଇ ଉଠୁଥିଲା। କୋଡିଏ ବର୍ଷର ସ୍ୱାତୀ ମୋହନ ପାଇଁ ତା' ଘର, ପରିବାର, ତା' ମା'ବାପାଙ୍କୁ ଛାଡ଼ିଥିଲା। ତିନି ବର୍ଷର ଦେଖାସାକ୍ଷାତ ଆଉ ସମ୍ପର୍କରେ ତା'ର ଭରିଯାଇଥିଲା ବିଶ୍ୱାସ। ମୋହନ ବହୁତ ବଡ଼ ଘରର ପିଲା। ତା'ର ବାପା ସହରର ଜଣେ ବହୁତ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟ। ସେ କେବେ ସ୍ୱାତୀ ଭଳି ମିଡିଲ କ୍ଲାସ୍ ଝିଅକୁ ତାଙ୍କର ବୋହୂ ସ୍ୱୀକାର କରିନଥାନ୍ତେ। କିନ୍ତୁ ମୋହନର କଥା ଅନୁସାରେ ସେମାନେ ଥରେ ବିବାହ ବନ୍ଧନରେ ଆବଦ୍ଧ ହେଲା ପରେ ସେମାନଙ୍କ ସମ୍ପର୍କକୁ ସ୍ୱୀକାର କରିବା ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ଚାରା ନଥିବ। ସ୍ୱାତୀ ପାଇଁ ମଧ୍ୟ ସହଜ ନ ଥିଲା ଘରେ ମୋହନ ବିଷୟରେ କହିବା। ସାନ ଭଉଣୀର ପାଠ ପଢାରେ କୌଣସି ବାଧା ସୃଷ୍ଟି ହେଉ ଏକଥା ସେ ଚାହୁଁ ନଥିଲା। କାରଣ ତା' କଥା ଶୁଣିଲା ପରେ ବାପା ତା'ର ଓ ସାନ ଭଉଣୀର ଘରୁ ବାହାରିବା ବନ୍ଦ କରିଦେଇଥାନ୍ତେ। ସ୍ୱାତୀ କିନ୍ତୁ ଆଉ ଅପେକ୍ଷା କରିପାରିନଥାନ୍ତା। ମୋହନକୁ ପାଇବା ପାଇଁ ତା' ଇଚ୍ଛା ପ୍ରବଳରୁ ପ୍ରବଳତର ହେଉଥିଲା। ସେ ଚାହୁଁଥିଲା ଏକ ସୁନ୍ଦର ରଙ୍ଗଭରା ଜୀବନ, ଇନ୍ଦ୍ରଧନୁ ଭଳି।

କୈଶୋରରେ ପଦାର୍ପଣ କରିବା ପରେ ସ୍ୱାତୀର ମନ ପ୍ରଜାପତି ପରି ଉଡ଼ି ବୁଲୁଥିଲା। ଖୋଜୁଥିଲା କାହାର ମଧୁର ସ୍ପର୍ଶ ଆଉ ଏଇ ତିନି ବର୍ଷ ତଳେ ସେ ପାଇଯାଇଥିଲା ସବୁକିଛି ମୋହନ ପାଖରେ। ଦୁହେଁ ମିଶି ଅନେକ ସ୍ବପ୍ନ ଗଢିଥିଲେ। ନିରୋଳାରେ ପାର୍କରେ ବସି ଅନେକ ରଙ୍ଗ ଭରିଥିଲେ ସେ ସ୍ବପ୍ନମାନଙ୍କରେ। ସ୍ୱାତୀର ସାଙ୍ଗମାନେ ବୋଧହୁଏ ସେମାନଙ୍କ ସମ୍ପର୍କକୁ ଈର୍ଷା କରୁଥିଲେ। ତା'କୁ ବାରମ୍ବାର କହୁଥିଲେ ମୋହନ ସହିତ କଥା ନ ହେବାକୁ। ସେ କାଳେ ଭଲପିଲା ନୁହେଁ। ବିଶ୍ୱାସଯୋଗ୍ୟ ନୁହେଁ। ଆହତ ହେଉଥିଲା ସ୍ୱାତୀ ସେମାନଙ୍କ କଥାରେ। ତେଣୁ ଧୀରେ ଧୀରେ ସେ ଦୂରେଇଗଲା ତା' ସାଙ୍ଗମାନଙ୍କଠୁ ମୋହନ ପ୍ରେମରେ। ଆଉ ଆଜି...... ସେ ଦୂରେଇଯାଇଛି ସମସ୍ତଙ୍କଠାରୁ କେବଳ ମୋହନ ପାଇଁ। ଘରୁ କିଛି ଟଙ୍କା ଆଉ କିଛି ଗହଣା ନେଇ ଚାଲିଆସିଛି ସବୁଦିନ ପାଇଁ ମୋହନ ପାଖକୁ।

କିନ୍ତୁ ମୋହନ କାହିଁ? ଭୋକରେ ଅପେକ୍ଷା କରିଥିବା ସ୍ୱାତୀ ଘଣ୍ଟାକୁ ଦେଖିଲା। ଦିନ ବାରଟା ବାଜିଲାଣି। ମନ୍ଦିରର ପହଡ଼ ପଡ଼ିଗଲାଣି। ସକାଳେ କିଛି ନଖାଇ ଚାଲିଆସିଥିଲା। ବାହାଘର ନ ସରିବା ଯାଏଁ ଉପବାସ ରହିବାକୁ ହୁଏ। ସେକଥା ସେ ଜାଣିଛି। ବାପାବୋଉ, ଶାଶୁଶ୍ୱଶୁରଙ୍କ ଅନୁପସ୍ଥିତିରେ ହେଉଥିବା ବାହାଘରରେ ସେ କୌଣସି ବାଧାବିଘ୍ନ ଚାହୁଁନଥିଲା। କିନ୍ତୁ କ'ଣ କରିବ? ପେଟର ଭୋକକୁ ଇନ୍ଧନ ଯୋଗାଉଛି ତା'ର ଅସହାୟତା। ଲୋକମାନେ ମନ୍ଦିରରୁ ଫେରିଗଲାବେଳେ ପାହାଚରେ ଏକାକୀ ବସିଥିବା ସ୍ୱାତୀକୁ ଦୟାର ଚାହାଣୀଟିଏ ଦେଇ ଚାଲିଯାଉଛନ୍ତି। ସେ କିଛି ଖାଇବ ନା ଓପାସ ରହିବ ଜାଣିପାରୁନି। ତା' ମୁଣ୍ଡ ଆଉ କାମ କରୁନି। ଘରଲୋକ ସକାଳୁ ତା'କୁ ନପାଇ ଖୋଜାଖୋଜି ଆରମ୍ଭ କରିଦେଇଥିବେ। ବାପା ପୋଲିସରେ ଖବର ଦେଇସାରିଥିବେ। ଧରା ନ ପଡ଼ିବାପାଇଁ ସେ ତା ମୋବାଇଲଟିକୁ ମଧ୍ୟ ଘରେ ଛାଡ଼ିଆସିଛି। ସେଥିରେ ମୋହନର ଫଟୋ ଦେଖି ସେମାନେ ସବୁ ବୁଝିସାରିଥିବେ। ସେ ବଦନାମ ହୋଇ ସାରିଥିବ। ବୋଉ କାନ୍ଦୁଥିବ। ବାପା ରାଗିଥିବେ। ସ୍ମୃତି ତାକୁ କିନ୍ତୁ ବହୁତ ଖୋଜୁଥିବ। କିନ୍ତୁ ଏବେ ସେ କରିବ କ'ଣ? କୋଉଠି ଖୋଜିବ ମୋହନକୁ? ଆଖିର ଲୁହରେ ତା'କୁ ଦୁନିଆଟା ଝାପସା ଦେଖାଯାଉଥିଲା। କାନରେ ବାଜୁଥିଲା ବୋଉର କାନ୍ଦ, ବାପାଙ୍କ ଗାଳି ଅଉ ସାହିପଡିଶାଙ୍କ ଟାହିଟାପରା। ସାଙ୍ଗମାନଙ୍କ ଉପଦେଶ ମଧ୍ୟ ମନେ ପଡ଼ିଯାଉଥିଲା। ଉଠି ଠିଆହେଲା। ସାହସ କରି ପାଖ ନଡିଆ ଦୋକାନକୁ ଯାଇ ଫୋନ୍ କରିବାକୁ ମୋବାଇଲ ମାଗିଲା। ଦୋକାନୀ ତାକୁ ଟିକେ ସନ୍ଦେହ କରି ମୋବାଇଲ ଦେଲା। ମୋହନର ନମ୍ବର ତା'ର ଜିଭ ଅଗରେ। ନମ୍ବର ଲଗାଇଲା। ରିଙ୍ଗ ହେଲାବେଳେ ତା' ମନରେ ବିଶ୍ୱାସ ପୁଣି ଥରେ ଜାଗିଉଠୁଥିଲା। ସେପଟୁ ମୋହନ ସ୍ୱର ଶୁଣି ଖୁସିରେ ବିଭୋର ହୋଇଗଲା। କହିଲା, "ମୁଁ ଅନେକ ବେଳୁ ଏଠି ଅପେକ୍ଷା କରିଛି ମୋହନ, ତୁମେ ଆସିଲନି କାହିଁକି? କିଛି ଅସୁବିଧା ହେଲା କି? କେତେବେଳେ ଆସିବ?" ସେପଟୁ ଶୁଭିଲା, " ହାଲୋ, କିଏ କହୁଛନ୍ତି?" "ମୁଁ ସ୍ୱାତୀ କହୁଛି, ମୋହନ"। "ସ୍ୱାତୀ କିଏ? ରଂଗ ନମ୍ବର"। ମୋହନର ସ୍ୱର ଚିହ୍ନିବାରେ ଭୁଲ ନଥିଲା ସ୍ୱାତୀର। ବରଂ ତା'କୁ ଚିହ୍ନିବାରେ ବିଳମ୍ବ ହୋଇ ଯାଇଥିଲା। ରଙ୍ଗୀନ ଜୀବନର କଳ୍ପନାରେ ଭିଜୁଥିବା ସ୍ୱାତୀ ପାଇଁ ପ୍ରତାରଣାର ଏ ରଙ୍ଗ ଅସହ୍ୟ ଥିଲା। ତା ସ୍ନାୟୁସବୁ ଦୁର୍ବଳ ହୋଇଯାଉଥିଲା। ସେ ଧୀରେ ଧୀରେ ଅଚେତ୍ ହୋଇ ଯାଉଥିଲା।

ପରଦିନ ଖବରକାଗଜରେ ସ୍ୱାତୀର ଫଟୋ ବାହାରିଥିଲା ନିରୁଦ୍ଦିଷ୍ଟଙ୍କ ମଧ୍ୟରେ।


Rate this content
Log in

More oriya story from Minati Rath

Similar oriya story from Tragedy