indira Satpathy padhi

Romance

3  

indira Satpathy padhi

Romance

ଶାନ୍ତିର ସ୍ମୃତି

ଶାନ୍ତିର ସ୍ମୃତି

4 mins
571



            ପ୍ରଦୋଷ ପ୍ରଥମ ପ୍ରହରୀର ପ୍ରତିଛବିଟି ପ୍ରତିଫଳିତ ହୁଏ ଝରକା ଖୋଲିଲେ । ସନ୍ଧ୍ୟାର ପ୍ରାରମ୍ଭରେ ଝରକାକୁ ଆଉଜି ହୋଇ ପ୍ରକୃତିକୁ ତାର ସୌନ୍ଦର୍ଯ୍ୟରରହସ୍ୟ ସମ୍ବନ୍ଧରେ ଅନଗଳ ପ୍ରଶ୍ନ ପଚାରି ଚାଲେ ।ପଶ୍ଚିମ ଅମ୍ବରର ଦୂର ଦିଗ୍ ବଳୟକୁ ଚାହିଁଲେ ଲାଗେ ଯେମିତି ଅପୂର୍ବ ଆଦିତ୍ୟ ନିଜ ହୃଦୟରାଣୀଙ୍କ ସିନ୍ଥିରେ ଲୋହିତ ସିନ୍ଦୂର ଦେଇ ତାଙ୍କ ଐଶ୍ୱର୍ଯ୍ୟକୁ ଦ୍ଵିଗୁଣା କରୁଛନ୍ତି ।କ୍ଲାନ୍ତ ଦିବାକର ସ୍ତ୍ରୀଙ୍କ କୋଳରେ ମୁଣ୍ଡ ଥୋଇ ଯେମିତି ବିଶ୍ରାମ ନେଉଛନ୍ତି ।ବିଳମ୍ବିତ ବିହଙ୍ଗ ଗଣ ତରବର ହୋଇ ଯେଝା ନୀଡ଼କୁ ପ୍ରତ୍ୟାଗମନ କରୁଛନ୍ତି। ଦିବାର କୋଳହରୁ ମୁକ୍ତି ପାଇଁ ସନ୍ଧ୍ୟାର ଆଗମନକୁ ମୁଁ ସ୍ବାଗତ କରୁଛି ।ଏହି ଶୀତଳ ସମୀରେ ବୋହି ଆସୁଛି ଶାନ୍ତିର ମହ ମହ ବାସ୍ନା। 

    ଆହାଃ କି ଶାନ୍ତି............

ଏତିକି ବେଳେ ମୋ ବିପରୀତ ଝରକା କୋଣରୁ ଶୁଣାଗଲା,

   " ଶାନ୍ତି.... ଶାନ୍ତି...... ଶାନ୍ତି..... କପେ ଚା ' ପାଇଁ ମନ ଚଞ୍ଚଳିତ ହୋଇ ଉଠୁଛି,କୁଆଡ଼େ ଗଲ.. ତୁମ ବିଳମ୍ବତା ବ୍ୟଗ୍ର କରୁଛି....."


      ଏମିତି ପ୍ରେମଭରା ଅନେକ ଅସୁମାରୀ କଥା ମୋ ପାଖକୁ ବୋହି ଆସୁଥିଲା । ଚେୟାରରେ ବସିଥିବା ବ୍ୟକ୍ତି ଜଣକ ଝରକା ଫାଙ୍କରେ ଝାପସା ଦେଖା ଯାଉଥିଲେ। ବୋଧହୁଏ ସେ ଆଜି ବହୁତ୍ ଖୁସି ଅଛନ୍ତି ।ନିଜ ସ୍ତ୍ରୀଙ୍କ ହାତ ତିଆରି ଚା ' କପ୍ର ପ୍ରତୀକ୍ଷାରେ ବସିଛନ୍ତି ।

କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଲି ଯେ ପନ୍ଦର କୋଡ଼ିଏ ମିନିଟ୍ ପରେ ବି ତାଙ୍କ ସ୍ତ୍ରୀ କି ଚା ' କପ୍ କିଛି ଆସିଲେନି........

ମୋ ସ୍ବାମୀ ଅଫିସରୁ ଫେରି ମୋତେ ଡାକିବାରୁ ମୁଁ ପାଣି ଗ୍ଲାସ୍ ଟି ନେଇ ତାଙ୍କ ପାଖକୁ ଗଲି ।ପାଣି ପିଉ ପିଉ ସେ ମୋ ମୁହଁରେ ଖେଳି ଯାଉଥିବା ଅସ୍ଥିରତାର କାରଣ ପଚାରିଲେ ।


   "ଅଞ୍ଜନା! ତୁମକୁ ଦେଖି ସ୍ପଷ୍ଟ ଜଣା ପଡ଼ୁଛି ଯେ , ନିଶ୍ଚୟ କିଛି ପ୍ରଶ୍ନର ଉତ୍ତର ପାଉନ, କଣ ହେଇଛିକୁହ? ପାଞ୍ଚଦିନ ହବ ନୂଆ କରି ଅଜଣା ସ୍ଥାନକୁ ଆସିଛ, ମନରେ ଯାହା ଉଙ୍କି ମାରୁଛି ପଚାର............"


        ଶୁଣ ଆମ ଝରକା ସାମ୍ନାରେ ଯେଉଁ ଦମ୍ପତି ଦୁଇ ଜଣ ଅଛନ୍ତି, ପରସ୍ପରକୁ ବହୁତ୍ ଭଲ ପାଆନ୍ତି.... ବୋଧହୁଏ ବ୍ୟକ୍ତି ଜଣକ ଅଜଣା ଯେ ତାଙ୍କ ସ୍ତ୍ରୀ ଘରେ ନାହିଁ ବୋଲି, ତେଣୁ ସେ ବାରମ୍ବାର ଡାକି ଚାଲି ଛନ୍ତି।


- ଅହୋଃ..... ତୁମେ ତେବେ ସେଇ ସ୍ନେହଭରା ସ୍ୱର ଟିକୁ ଶୁଣିଛ ।ପ୍ରଶ୍ନର ଉତ୍ତର ପାଇବା ପାଇଁ ମୋ ସହ ଚାଲ.....

- କିନ୍ତୁକୁଆଡ଼େ?

- ଆରେ ଆସ ମୋ ସହ , ଡରୁଛ କି?


 - ମୁଁ ପରା ତୁମ ସ୍ତ୍ରୀ। ଜୀବନ ଚଲାପଥେ ଯେତେ କଣ୍ଟା ପଡ଼ିଲେ ବି ବିଶ୍ୱାସ ଓ ଭରସାର ମଲମ ଘେନି ତୁମ ହାତ ଧରି ନିଶ୍ଚୟ ଅବଶିଷ୍ଟ ବାଟ ଅତିକ୍ରମ କରିବି। ଚାଲ ଯିବା......


    ଆମେ ସେହି ବାବୁ ଜଣଙ୍କ ଘରେ ଯାଇ ପହଞ୍ଚିଲୁ। ଆମକୁ ଦେଖି ସେ ଖୁସିରେ ମୋ ସ୍ବାମୀ ଙ୍କୁ କହିଲେ ,

   " ଖୁସି ଲାଗିଲା ମହାନ୍ତି ବାବୁ , ଆପଣଙ୍କ ସ୍ତ୍ରୀଙ୍କୁ ନେଇ ଘରକୁ ଆସିଲେ, ହଉ ବସାନ୍ତୁ ନା ପ୍ଲିଜ୍......."


    ସେତେବେଳେ ସେ କିଛି ଲେଖୁଥିଲେ ବୋଧେ, ଡ୍ରୋଇଂରୁମ୍ରେ ଆମକୁ ବସାଇ ଚା ' କରିବାକୁ ଗଲେ। ଟେବୁଲ୍ ଉପରୁ ଖାତାଟିକୁ ଉଠେଇ ଦେଖିଲି, ସେଥିରେ କିଛି ସୁବାସିତ ପ୍ରସୂନ ସଦୃଶ ଶବ୍ଦର ମାଳ ଟିଏ ଗୁନ୍ଥା ହୋଇଥିଲା,

   " ନିରୋଳା ନିଶିରେ ନିରିମାଖି ଆଖି ଦୋ' ଟି ଜଳ ଜଳ ହୋଇ ଭାସି ଉଠୁଛି ମୋ ନୟନ ଯୁଗଳରେ। ମୋ ଭାବନାର ଭୁବନରେ ପାଟରାଣୀ ସାଜି ଥିଲ, ଅଛ ଆଉ ଥିବ । ନା ତୁମେ ମୋ କଳ୍ପନା ନା ଅଚିହ୍ନା,

ତୁମେ ମୋ ହୃଦୟର ପ୍ରିୟତମା। ସିନ୍ଥିରେ ସିନ୍ଦୂର, ମୁଣ୍ଡରେ ଓଢଣା ଦେଇ ଯେବେ ଲାଜରେ କଣେଇ ଚାହଁ, ତୁମ ପ୍ରେମର ଇଶାରାକୁ ମୁଁ ଠିକ୍ ବୁଝି ପାରେ । ତୁମ କୋଳେ ପ୍ରୀତିର ପରଶେ ପ୍ରଣୟରେ ମୁଁ ହଜିଯାଏ ଗୋଲାପି ଓଧର ଦେଶରୁ ଝରା ମଧୁ ଟିକକ ପାଇଁ ........"ଏମିତି ପ୍ରେମ ପୂର୍ଣ୍ଣ ବହୁତ୍ କଥା। ଆହାଃ କି ସୁନ୍ଦର୍ ଲେଖିଛନ୍ତି ସେ........ ପଢ଼ିଲା ବେଳେ ମୁଁ ହଜି ଯାଇଥିଲି ତାଙ୍କ ଶବ୍ଦରାଇଜରେ । ସେପଟୁ ତିନି କପ୍ 

ଚା ' କପ୍ ନେଇ ଆସିଲେ ବାବୁ ଜଣଙ୍କ ,

   " ଏଇ ପିଅନ୍ତୁ, ଶୀତୁଆ ସନ୍ଧ୍ୟାରେ କପେ ଗରମ୍ ଚା ' ।"


     ଆମେ ତିନି ଜଣ ଚା ' ପିଉଥିଲା ବେଳେ ତାଙ୍କ ଲେଣ୍ଡ୍ ଫୋନ୍ ଟି କ୍ରିଂ.... କ୍ରିଂ..... କ୍ରିଂ....... ହୋଇ ବାଜି ଉଠିଲା । ବାବୁ ଜଣକ ଯାଇ ଫୋନ୍ ଗ୍ରହଣ କଲେ ଆଉ ହସି ହସି ବୋଧହୁଏ ତାଙ୍କ ସ୍ତ୍ରୀଙ୍କ ସହ କଥା ହେଉଥିଲେ, " ହଁ ହଁ ମୋ ଦେହ ଭଲ ଅଛି ଶାନ୍ତି, ମୁଁ ଚା ' ପିଇଛି। ତୁମେ ଜମା ବ୍ୟସ୍ତ ହୁଅନା, ଖୁବ୍ ଶୀଘ୍ର ତୁମ ପାଖକୁ ଯାଉଛି ସାଥୀ......"


     ଆମେ ତାଙ୍କଠୁ ବିଦାୟ ନେଇରୁମ୍କୁ ଫେରି ଆସିଲୁ। କିନ୍ତୁ ମୋ ପ୍ରଶ୍ନର ସଠିକ୍ ଉତ୍ତର ପାଇଲିନି ।ଏକ ଲୟରେ ମୋ ସ୍ବାମୀ ଚାହିଁରହି ଥାନ୍ତି, ଆଉ ପଚାରିଲେ," ଉତ୍ତର ପାଇଲ ଅଞ୍ଜନା !"

- ନା ' ପ୍ରିୟ....


     ଆଜିକୁ ପ୍ରାୟ ପାଞ୍ଚ ବର୍ଷ ହେବ ମହାପାତ୍ର ବାବୁଙ୍କ ସ୍ତ୍ରୀ ଶାନ୍ତି ଦେବୀ ବିବାହ ବାର୍ଷିକରେ ନୀଳଗିରିରୁ ଫେରିଲା ବେଳେ ସଡ଼କ ଦୁର୍ଘଟଣାରେ ଆର ପାରିକୁ ଚାଲି ଯାଇଛନ୍ତି । ସୌଭାଗ୍ୟ କି ଦୁର୍ଭାଗ୍ୟ ବଶତଃ ମହାପାତ୍ର ବାବୁଙ୍କର କିଛି କ୍ଷତି ନ ହେଇ ବି ସର୍ବସ୍ବ ହରେଇ ଦେଇଛନ୍ତି। ଏ ପର୍ଯ୍ୟନ୍ତ ଶାନ୍ତି ଦେବୀଙ୍କ ବିୟୋଗକୁ ଗ୍ରହଣ କରି ପାରି ନାହାନ୍ତି। ଅହେତୁକ ପ୍ରେମ ଥିଲା ଦୁହିଁଙ୍କ ମଧ୍ୟରେ ।ମୋ ଆଖି ଦେଖିଛି, କିଛି ଦିନ ଧରି ମହାପାତ୍ର ବାବୁ ଜ୍ଵରରେ ବିଛଣା ଶଯ୍ୟା ହୋଇଗଲେ। ଖୁବ୍ କଷ୍ଟ ଭୋଗିଛନ୍ତି ସେ, ହୁଏତରୋଗ ଶଯ୍ୟାରେ ଶୟନ କରି ସେ ଯେତିକି ଯନ୍ତ୍ରଣା ପାଉ ନଥିଲେ, ତା ' ଠୁ ଦଶ ଗୁଣା ଅଧିକ ଯନ୍ତ୍ରଣା ହେଉଥିଲା ତାଙ୍କ ସ୍ତ୍ରୀ ଙ୍କୁ ।କାନ୍ଦି କାନ୍ଦି ଅସ୍ଥିର ହୋଇ ପଡୁଥିଲେ । କେତେ ମନ୍ଦିର ଯାଇଛନ୍ତି, କେତେ ଦେବାଦେବୀ ଅର୍ଚ୍ଚନା କରିଛନ୍ତି ତାଙ୍କ ଶଙ୍ଖା ସିନ୍ଦୂର ପାଇଁ ।ଶେଷରେ ସଫଳ ମଧ୍ୟ ହେଲେ ।ଦୁହିଁଙ୍କ ପ୍ରେମର ପ୍ରତୀକ ଭାବେ ପୁଅ ଟିଏ ଅଛି କିନ୍ତୁ ସେ ଏବେ ବାଙ୍ଗାଲୋରରେ ସ୍ତ୍ରୀକୁ ନେଇରହୁଛି । ବାପାଙ୍କ କଥା ବୁଝିବାକୁ ତାକୁ ସମୟ ନିଅଣ୍ଟ ।


- କିନ୍ତୁ ସେ ଫୋନ୍ କଲ୍....

       ହଁ ସେଇଟା କାହା ଫୋନ୍ ଥିଲା ମୁଁ ଜାଣିନି, କିନ୍ତୁ ବେଳେ ବେଳେ ସେ ଶାନ୍ତି ଦେବୀ ଭାବି ବହୁତ୍ କଥା ହୁଅନ୍ତି। ଦୁଃଖକୁ ତାଙ୍କ ପ୍ରେୟସୀ ପାଖରେ ପ୍ରକାଶ କରନ୍ତି। ଛାତି ଥରି ଉଠେ ତାଙ୍କ ନିଃସ୍ଵାର୍ଥପର ପ୍ରେମକୁ ଦେଖି ।ସତରେ ଅଞ୍ଜନା, ଶାନ୍ତିର ସ୍ମୃତିରେ ସେ ଭିଜନ୍ତି, ହଜନ୍ତି, ହସନ୍ତି ଆଉ କାନ୍ଦନ୍ତି........ ଯେତେ ପରିଶ୍ରମ ହେଉ ଘରକୁ ଫେରିଲେ ସ୍ତ୍ରୀର ଦୁଇ ପଦ କଅଁଳିଆ କଥାରେ ସବୁ କ୍ଲେଶ ଦୂର ହୋଇଯାଏ ।ମନର ମାନବି ଟିଏ ପାଖରେ ଥିଲେ ହୃଦୟର ବ୍ୟଥାକୁ ନିଗାଡ଼ି ଦିଅନ୍ତି ସବୁ ସ୍ବାମୀ । ପରିବାରର ମଙ୍ଗଳ ମନାସି ସକାଳ ସନ୍ଧ୍ୟା ବୃନ୍ଦାବତୀଙ୍କ ପାଖରେ ସଳିତା ଜାଳନ୍ତି ସବୁ ସ୍ତ୍ରୀ ।ସମସ୍ତଙ୍କ କଥା ବୁଝୁ ବୁଝୁ ନିଜ କଥା ଗଣ୍ଠିଲିରେ ବାନ୍ଧି ଦିଅନ୍ତି, ସତରେ ସ୍ତ୍ରୀ ସତୀ ସାବିତ୍ରୀ। ଯେମିତି ମୋ ପାଇଁ ତୁମେ................


   ମୋ ସୌଭାଗ୍ୟ ଯେ ତୁମକୁ ଉପହାର ସଦୃଶ ପ୍ରଭୁ ଙ୍କ ଠୁ ପାଇଛି। ଏମିତି ସର୍ବଦା ତୁମେ ମୋ ସିଁଥିର ସିନ୍ଦୂର ଓ ହାତର ଶଙ୍ଖ ହୋଇ ଝଲସି ଉଠୁଥିବ.......


- ସ୍ରଷ୍ଟା ଙ୍କ ସୃଷ୍ଟିରେ ସ୍ତ୍ରୀ ଚରିତ୍ର ଟି ଖୁବ୍ ନିଆରା.....


     ପଅର ଦିନ ପ୍ରତ୍ୟୁଷର ଦ୍ଵିତୀୟ ପ୍ରହରିରେ ଇଏ ଅଫିସ୍ ପାଇଁ ଗଲା ବେଳେ ମୁଁ ଟିଫିନ୍ ବକ୍ସ୍ ଟିକୁ ନେଇ ବାଟେଇବାକୁ ଗଲି। ଫେରିଲା ବେଳେ ମହାପାତ୍ର ବାବୁଙ୍କ ଉପରେ ନଜର ପଡ଼ିଲା। ସେ କହୁଥିଲେ,

    " ଶାନ୍ତି ଟିଫିନ୍ ବକ୍ସ୍ ଆଣିବାରେ ଏତେ ବିଳମ୍ବିତ କିଆଁ, ଜାଣିନ ବୋଧେ ତୁମକୁ ନ ଦେଖିବା ଯାଏ ମୁଁ ଓଫିସ୍ ଯାଏନି..............


                     


Rate this content
Log in