indira Satpathy padhi

Tragedy

3  

indira Satpathy padhi

Tragedy

ମୁଠାଏ ଭାତ

ମୁଠାଏ ଭାତ

5 mins
444


       

          ଦୂର ଦିଗ୍ ବଳୟ ଗର୍ଭେ ଲୁଚକାଳି ଖେଳୁଥିବା ଭାସ୍କର ପାଦେ ପାଦେ ଆଗକୁ ଆସି ସୁନେଲି କିରଣେ ଜୀବମଣ୍ଡଳକୁ ଭିଜେଇବାରେ ବ୍ୟସ୍ତ ।ସେହି କିରଣରେ ଝଲସି ଉଠୁଥିବା ପ୍ରଭାତ ଓ ପାରାବାରଟି ଖୁବ୍ ନିଆରା ଲାଗେ ।ପଶ୍ଚିମ ଦିଶାରୁ ନିଡ଼େ ନିଘୋର ନିଦେ ଶୋଇଥିବା ବିହଙ୍ଗ ଗଣ ନୀଳ ଆମ୍ବର ରାଜପଥକୁ ଛୁଇଁଥିବା ଶ୍ବେତ ଗ୍ରାମପଥରେ ସୂକ୍ଷ୍ମ ଡେଣାରେ ସମୀରକୁ ତରଙ୍ଗାୟିତ କରି ଖାଦ୍ୟ ସଂଗ୍ରହ ଅବକାଶେ ଅଗ୍ରସର ହେଉଛନ୍ତି । କ୍ଷୀର ସକାଶେ ବନ୍ଧନରେ ଥିବା ବାଛୁରୀଟି ତା ' ମାଆ ଠୁ ଘୁଟେ ଅମୃତ ପାଇଁ ଆକୁଳ ଓ ଅସ୍ଥିର ହେଉଛି । ଦି ' ମୁଠା କଣ ତୁଣ୍ଡରେ ପକାଇ ବାପା କ୍ଷେତକୁ ତରବରିଆ ହୋଇ ବାହାରିଗଲେ। ଭାଇ ଦୁଇ ଜଣ ପାଠ ଭୟରେ ଭୋକର ବାହାନା କରି ମାଆଙ୍କ ପାଖକୁ ଧାଇଁ ଯାଆନ୍ତି। ତାଙ୍କ ବିକଳତା ଦେଖି ମା ମନ ତରଳି ଉଠେ , ଆଉ ସରଧା ସୁଆଗରେ ଦୁଇ ପଦ କହି ପକାନ୍ତି;

  

   "ହଁ ରେ ବାବା , ପ୍ରଥମେ ପେଟ ତା ପରେ ଯାଇ ପାଠ! ଗଲ , ଯାଅ ଜଲଦି ଦାନ୍ତ ଘସି ଖାଇବ ଆସ ।"


   ମାଆ ମନ ,ପିଲାଙ୍କ କଁଅଳିଆ କଥାରେ ତରଳି ଉଠେ , ମାଆଙ୍କୁ ସନ୍ତାନର ଅଭିନୟ ପ୍ରତିବଦଳରେ ଜଳଜଳ ହୋଇ ଦିଶେ ତାଙ୍କ ବେଦନା । ମୁଁ ଯେତେ କହିଲେ ବି ମୋ ଭାଇଙ୍କ ମିଛ ଅଭିନୟ ବିଷୟରେ ସେ ମୋତେ ତୁନି ହେବାକୁ କୁହନ୍ତି,

      " ମୁଁ ଜାଣେ ସେମାନେ ମିଛଟାରେ ଦୁଷ୍ଟାମି କରୁଛନ୍ତି, କିନ୍ତୁ ମୁଁ କେବଳ ତାଙ୍କ ଭୋକକୁ ହିଁ ଅନୁଭବ କରି ପାରୁଛି, ଅନ୍ୟ ସବୁ ଅଦୃଶ୍ୟ ହେଇଯାଉଛି ।"


        ଗଲାକାଲିର କିଛି ବଳକା ଗଣିତ କଷିଲା ବେଳେ ମୋତେ ଏସବୁ ଦୃଶ୍ୟ ଝାପସା ଦିଶି ଉଠୁଛି। ହଠାତ୍ ମୋ ପେଟ କଇଁ କଇଁ କାନ୍ଦି ଉଠିଲା, ସେତେବେଳେ ଭୋକକୁ ଅନୁଭବ କରି ପାରିଲି। ଗଣିତ କଷାରେ ମନ ଲାଖି ଦେଇ ଭୋକ ଭୁଲି ଯାଇଥିଲି। ଭୋକ ହେଲେ ମା ' ଅଧିକ ମନେ ପଡ଼ନ୍ତି । ଆଖି ଆଗରେ ନଦେଖି ଡାକିବାରେ ଲାଗିଲି,

  " ମାଆ, ମାଆ କୁଆଡ଼େ ଗଲ, ଜୋରରେ ଭୋକ ଲାଗିଲାନି..."


          ବୁଝି ପାରିଲିନି ପେଟ କାନ୍ଦୁଛି ନା ମୁଁ କାନ୍ଦୁଛି। ଏଠି ରାତି ପାହିଲେ ପେଟ ଭୋକ ଜ୍ୱାଳାରେ କାନ୍ଦି ବୋବେଇ ନାଟ କରେ ।ସତରେ ଭୋକ ଏତେ ମାରାତ୍ମକ, ବିନା ଅସ୍ତ୍ରରେ ଆଘାତ ଦେଇଚାଲେ ।

      - ରୋଷେଇ ଘରୁ ମଧୁର ସ୍ଵରରେ ମା କହି ଉଠିଲେ,

   " ହଁ ହଁ ଖାଇବୁ ଆସେ, କଲେଜ ଯିବା ପାଇଁ ବିଳମ୍ବ ହେଇଯିବ।"


      

        ନ' ଟା ବସ୍ ମଧୁସୂଦନ ରେ ଗଲେ ଯାଇ ଠିକ୍ ସମୟରେ କ୍ଲାସ୍ କରିପାରିବି। ଆଗ ଷ୍ଟପେଜ୍ ର ପ୍ରତୀକ୍ଷା ରେ ଅଧୈର୍ଯ୍ୟ ହୋଇଯାଏ, କାରଣ ସେ ଷ୍ଟପେଜ୍ ରେ ମୋ ପ୍ରିୟ ବାନ୍ଧବୀ ସୁମି ଆସିବ। ଦୁହିଁଙ୍କ ବନ୍ଧୁତ୍ୱ ଡୋରି ଟି ଦୃଢ଼ ଓ ମଜ୍ ଵୁତ୍ । ସାଙ୍ଗ ହୋଇ କଲେଜ୍ ଯିବା, କଲେଜ୍ ଫାଟକ ସାମ୍ନା ରେ ଗୁପଚୁପ୍ ଖାଇବା ଏବଂ ଫୁଲ ସହ ସାକ୍ଷାତ କରିବା ଆମ ନିତଦିନିଆ କଥା। ଫୁଲ ସହ ଦୁଇ ପଦ କଥା ନହେଲେ ଭାରି ବିକଳ ହୋଇ ଉଠେ ଏଇ ଅବୁଝା ମନ ।ସେ ଆମ ଉଦ୍ୟାନର ଗୋଲାପଟିଏ , ଫୁଲକୁ ଆମେ ସ୍ନେହ ମମତାର ପାଣି ଓ ଖାଦ୍ୟ ଦେଇ ସାଇତି ରଖିଛୁ, କେବେ ବି ମଉଳିବାକୁ ଦବୁନୁ ।


          ଛଅ ସାତ ବର୍ଷର କଳିକା ଟିଏ ' ଫୁଲ ' । ରଙ୍ଗରେ ବେଶି ଗୋରା ନୁହଁ, କିନ୍ତୁ ତାକୁ ଯିଏ ଦେଖିବ ଘଡ଼ିଏ ଚାହିଁ ରହିବ । ଯେମିତି କରୁଣାମୟ ସ୍ନେହର ରଙ୍ଗଟି ଫୁଲ ଶରୀରେ ଲେପି ଦେଇଛନ୍ତି।


ପିଲାଦିନୁ ମା ' ଛେଉଣ୍ଡା ଫୁଲ ବୁଢୀମା କୋଳରେ ବଢ଼ିଛି। ବାପା ତାର ପାଣି ବଦଳରେ ମଦ ପିଏ। ଅଭାବ ଅନଟନ ର ସୁଖ ଦୁଃଖ ସୂଅ ଟି ତାଙ୍କୁ ସମୟ ନଦୀରେ ଭସେଇ ନେଇଚାଲିଛି । ବୁଢୀମାର ବାର୍ଦ୍ଧକ୍ୟ ଭତ୍ତା ଟଙ୍କାରେ ତିନୋଟି ପେଟ ଭୋକ ନିବାରଣ ପାଇଁ ମୁଠାଏ ଭାତ ପାଇଥାନ୍ତି, ବ୍ୟଞ୍ଜନ ତ ସ୍ବପ୍ନ। ଖେଳ ,କୁଦ, ନାଚ,ପାଠରେ ଖୁବ୍ ନିପୂଣା।କିନ୍ତୁ ବହିପତ୍ର କି ଖାତା କଲମ ତାକୁ ଜୁଟେନି। ନାଚିବାକୁ ତାର ଭାରି ଆଗ୍ରହ । କିନ୍ତୁ କଣ ଅବା କରି ପାରିବ? 

 

  " ବଣରେ ପ୍ରସ୍ଫୁଟିତ ବଣ ମଲ୍ଲୀ ଟି ସିଏ, ନା ତା ବାସ୍ନା ଅନ୍ୟ ପାଖରେ ପହଞ୍ଚି ପାରୁଛି, କେବଳ ଫୁଟିଥିବା ସ୍ଥାନ କୁ ତା ସୁବାସିତ ବାସ୍ନା ରେ ମହକାଇ ଦେଉଛି ।"


      ଏମିତି କିଛି ଦିନ ବିତି ଗଲା। ଗ୍ରୀଷ୍ମ ଛୁଟି ପରେ କଲେଜ୍ ଖୋଲିଲା। ଆମେ ତାକୁ ବହୁତ୍ ଦିନରୁ ଦେଖିନୁ, ଆଖି ଖୋଜୁଥିଲା ଏହି ନିରିମାଖି ଝିଅ ଫୁଲକୁ। ଥରୁଟିଏ ଦେଖିଲେ ଆଖି ତୃପ୍ତି ପାଇବ। ସେଦିନ ଆମେ ବ୍ୟଗ୍ରହତାର ସହକାରେ ଧାଇଁ ଯାଇଥିଲୁ ସେଇ ଛପରକୁ....

କିନ୍ତୁ ଫୁଲକୁ ଦେଖିବାକୁ ନ ପାଇ ଅସ୍ଥିର ହୋଇ ସୁମି ଡାକି ଉଠିଲା,


      "ଫୁଲ ! ଫୁଲ ! ଫୁଲ ! ଏ ଫୁଲ !"

  

  ମନରେ ବହୁତ୍ ଆଶା ସେ ଧାଇଁ ଆସି ଆମକୁ ଆଲିଙ୍ଗନ କରିବ ।


        ଦୁଃଖ, କଷ୍ଟ ଓ ଅଭାବର ମାଟି ,ବାଉଁଶ ଓ ନଡ଼ାରେ ନିର୍ମିତ ଛୋଟ କୁଡ଼ିଆରୁ ଅନୀଳ ସ୍ରୋତରେ ବୋହି ଆସିଲା ଜଣେ ବୃଦ୍ଧାଙ୍କ କରୁଣ ସ୍ୱର,


     "ମୋ ବଗିଚାର କୋମଳ ଗୋଲାପ ଫୁଲକୁ ଅନ୍ୟ କିଏ ତା ଉଦ୍ୟାନକୁ ନେଇ ଗଲା, କିନ୍ତୁ ମୁଁ ମାଳି ଟିଏ ହୋଇ ମଧ୍ୟ ତାକୁ ଅଟକାଇ ପାରିଲିନି । ଆଜି ମୁଁ ନିରୁପାୟ.... ନିଃସହାୟ.....।"


 - ଏ ବୁଢୀମା... (ଏକା ସାଙ୍ଗରେ ଦୁଇ ଜଣ କହି ଉଠିଲେ) ଏମିତି କଣ କହୁଚ୍ଛ? ଆମ ଫୁଲର କଣ ହେଇଛି? ତାକୁ ଥରୁଟେ ଡାକ, ଆମେ ଆଖି ପୁରେଇ ଆମ କଣ୍ଢେଇକୁ ଦେଖିବୁ.........


- ମୁଁ ମାଳିଟିଏ ସତ, କିନ୍ତୁ ମୋ ଗଲପା ମୂଳରେ ଆବଶ୍ୟକ ଖାଦ୍ୟ, ସର କି ପାଣି ଦେଇ ପାରିଲିନି। ସେ ଭୋକରେ ଛଟପଟ ହୋଇ ମଉଳି ଯିବାର କେମିତି ଦେଖିଥାନ୍ତି? 


- ଅସ୍ଥିର ଲାଗୁଛି ବୁଢୀମା, ଫୁଲ ସହ ଦୁଇ ପଦ କଥା ହେବାକୁ....


        ଭୋକରେ ଛଟପଟ ହେଉଥିବା ଫୁଲର ବ୍ୟାକୁଳ ସ୍ୱର ରଜନୀର ନିସ୍ତବ୍ଦ ଗାଢ଼ ତିମିରରୁ ଭାସି ଆସୁଥିଲା,

   

      " ଏ ବୁଢୀମା ଭୋକର ବିଭୀଷିକା ମୁଠାଏ ଭାତରେ ହୁଏତ ତୁନି ହୋଇ ଶୋଇ ପଡ଼ିବ, ଏହି ଜ୍ଵାଳାରେ ମୁଠାଏ ଭାତର ମଲମ ଲେପି ଦିଅ। ମୁଁ ଅସହ୍ୟ ହୋଇଯାଉଛି ବୁଢ଼ିମା.... ମୋତେ ମୁଠାଏ ଭାତ ଦିଅ......... ମୁଠାଏ ଭାତ......।"


      ମୋ କୁଳାଙ୍ଗାର ପୁଅ ମଦ ନିଶା ପାଇଁ ଘରୁ ସବୁ ଚାଉଳ ପତ୍ର ବିକ୍ରି କରି ତା ତୃଷ୍ଣା ମେଣ୍ଟାଏ। କିଛି ବି ରଖେନି ଘରେ, ଫୁଲ କଥା ଥରେ ବି ଭାବେନି। ସେଦିନ ମଦ ପିଇଵ ବୋଲି ପଇସା ପାଇଲାନି, ତେଣୁ ଘରେ ଗଣ୍ଡାକ ଚାଉଳ ଥିଲା , ସେସବୁ ନେଇ ବିକ୍ରି କରି ଦେଇ ମଦ ପିଇଲା। ପନ୍ଦର ଦିନ ହବ ରୋଗ ଶଯ୍ୟାରେ ମୁଁ ପଡ଼ି ରହିଥିଲି, ବାହାରକୁ ଯାଇ କାମ କରି କିଛି ଖାଦ୍ୟ ଆଣି ପାରୁ ନଥିଲି...... ମୋ ଫୁଲର ମୁଁହ ଟି ଝାଉଁଣି ପଡ଼ିଥିଲା, କଳା କାଠ ପଡ଼ି ଯାଇଥିଲା ସେ। ତଥାପି ପାଣି ଘୁଟେ ପିଇ ଶୋଇ ଯାଉଥିଲା ସେ ସୂକ୍ଷ୍ମ କଣ୍ଢେଇଟି।ମୁଁ ଆଉ ଏସବୁ ଦେଖି କି ସହି ପାରିଲିନି। କେତେ ଦିନ ଆଉ ମନ୍ଦାଏ ପାଣି ପିଇ ବଞ୍ଚିବ? ମୋ ପୁଅକୁ ଏସବୁ କହିବାରୁ ସେ କିଛି କରିବ ବୋଲି ମୋତେ ଭରସା ଦେଲା ।


     ଦୁଇ ଦିନ ପରେ ସେ ଜଣେ ସାହେବ୍ କୁ ସାଙ୍ଗରେ ଧରି ପହଞ୍ଚିଲା।ମୋତେ ଆଶ୍ଚର୍ଯ୍ୟ ଲାଗିଲାରୁ ମୁଁ ପଚାରିଲି, ସେ କହିଲା,

 "ଆରେ ମା ଏ ବାବୁ ତ ନାତୁଣୀକୁ ନେବାକୁ ଆସିଛନ୍ତି, ତାକୁ ସେ ଭଲରେ ରଖିବେ, ସେଠାରେ ତ ନାତୁଣୀ କାମ କରି ତା ପେଟ ତ ପୋଷି ପାରିବ । ଆମର ଆଉ ଚିନ୍ତା ଗଲା, ଗଲୁ ଯାଆ; ଫୁଲ କୁ ନେଇ ଆସିବୁ..."


     

      ମୋ ମୁଣ୍ଡ ଝିମ୍ ଝିମ୍ ହୋଇ ଗଲା,ଘର ଖୁଣ୍ଟଟି ଧରି ତଳେ ବସି ପଡ଼ିଲି, ମୋ ଚତୁଃପାର୍ଶ୍ଵରେ ତିମିର କାଳିମା ବିସ୍ତାରି ଗଲା ।ଭାବିଲି ଇଏ ତା ବାପା ନା ରାକ୍ଷସ, କିଛି ପଇସା ଲୋଭରେ ଆମ ଅଗଣାର କଳିକାକୁ ବିକ୍ରି କରିବାକୁ ବସିଛି ।


   ଆଖି ଖୋଲି ଦେଖେ ତ ମୋ ଫୁଲକୁ ଆଉ ସେଇ ବଡ଼ବଡି଼ଆ ବାବୁ ତୋଳି ନେଇ ଚାଲି ଗଲେ ସବୁଦିନ ପାଇଁ । ଧିକ୍ ମୋ ଜୀବନ.. ମୁଠାଏ ଭାତ ପାଇଁ ଆଜି ମୋ ଫୁଲ ଆଉ କାହା ଘରେ କ୍ରୀତଦାସୀ ହୋଇ ରହିଲା । କେବଳ ଭୋକ ର ମୃତ୍ୟୁ ପାଇଁ ସେ ଆଜି.......।


      କାନ୍ଦି କାନ୍ଦି ବୁଢୀମା କହି ଚାଲି ଥିଲେ ଫୁଲ କଥା । ନୟନ ଦେଶରୁ ଝରି ଆସୁଥିବା ଲୋତକ ବିନ୍ଦୁ ଟି ଓଷ୍ଠକୁ ସ୍ପର୍ଶ କଲାରୁ ମୁଁ ପ୍ରକୃତିସ୍ଥ ହେଲି ଓ ମନକୁ ବୁଝେଇବାକୁ ଚେଷ୍ଟା କଲି ଯେ ଭୋକ ର ଯନ୍ତ୍ରଣାରେ ଆଜି କୋମଳ ଫୁଲଟି ବଳି ପଡ଼ି ଯାଇଛି। ହୁଏତ ଆଉ କେବେ ବି ଫୁଲ ସହ ଭେଟ ହବନି। କିନ୍ତୁ ସୁମି ଏସବୁ ସହଜରେ ଗ୍ରହଣ କରି ପାରିଲାନି। ଫୁଲର ବାପା କୁ ବହୁତ୍ ଗାଳିଲା, କିନ୍ତୁ ଏମିତି କଲେ ଫୁଲ କଣ ଫେରି ଆସିବ? ସବୁଦିନ ପାଇଁ ତା ଠିକଣା ଆମେ ହଜେଇ ଦେଲୁ। କ୍ଲାସ୍ ନକରି ଘରକୁ ଫେରି ଗଲୁ ।


      ଆଉ କଲେଜ୍ ଆସିବାକୁ ମନ ଲାଗିଲାନି। ପନ୍ଦର ଦିନ ପରେ ଆସି ଶୁଣିବାକୁ ପାଇଲୁ ଯେ ଫୁଲକୁ ଝୁରି ଝୁରି ତା ବୁଢୀମା ସବୁଦିନ ପାଇଁ ଆଖି ବୁଜିଦେଲେ..... ।

  

              



Rate this content
Log in

Similar oriya story from Tragedy