indira Satpathy padhi

Others

1  

indira Satpathy padhi

Others

ଟିକି ଚିଠି

ଟିକି ଚିଠି

3 mins
252


ପୂଜନୀୟା,

       ମୋ ମାଆ

            ପ୍ରଥମେ ତୁମ କୋମଳ ପାଦ ଦୋଟିରେ ତୁମ ସ୍ନେହୀ ଗେହ୍ଲି ଝିଅ ର ଅନ୍ତରରୁ ଭକ୍ତିର ପ୍ରସୂନ ସଦୃଶ ବିନମ୍ର ପ୍ରଣାମ ଗ୍ରହଣ କରିବ। ଗୁରୁଜନ ମାନଙ୍କ ଆଶୀର୍ବାଦ ଆଉ ମୋ ମାଆ ଙ୍କ ସ୍ନେହ ପାଇଁ ମୁଁ କୁଶଳ ରେ ଅଛି। ଜୀବନ ର ଏଇ ଅଙ୍କା ବଙ୍କା କ୍ଳିଷ୍ଟ ବାଟରେ ମୁଁ କ୍ଲାନ୍ତ ହୋଇ ପଡ଼ିନି ମାଆ, ସତ୍ୟ, ଧର୍ମ , ନ୍ୟାୟ କୁ ସାଥୀ କରି ଚାଲିଛି ଆଉ ଚାଲୁଥିବି ଶୂନ୍ୟ ଗଗନ କୁ ସ୍ପର୍ଶୁଥିବା ଦୂର ଦିଗ୍ ବଳୟ ପାଖକୁ, ଯେ ପର୍ଯ୍ୟନ୍ତ ମୋ ମାଆ ର ପଣତ ର ଛାଇ ଆଉ ଆଶୀର୍ବାଦ ର ହାତ ଟି ମୋ ସହ ଥିବ। 

    

     କିଛି ଦିନ ହେଲା ମା ତୁମକୁ ଦେଖିନି, ତେଣୁ ଅସ୍ଥିର ଲାଗୁଛି ଥରୁଟିଏ ତୁମ ପଣତ ରେ ଘୋଡ଼େଇ ହେବାକୁ, ଥରୁଟିଏ ତୁମ କୋଳରେ ମୁଣ୍ଡ ଥାପି ଶୋଇବାକୁ, ମୋ ଦୁଇ ବାହୁରେ ତୁମକୁ ଆଲିଙ୍ଗନ କରିବାକୁ, ମୋ ଲଲାଟ ଦେଶରେ ଥରୁଟେ ମୋ ମାଆର କୋମଳ ଓଷ୍ଠ ରୁ ଶୀତଳ ଚୁମ୍ବନ ଟିଏ ନେବାକୁ । କିନ୍ତୁ ମୁଁ ନିରୁପାୟ, ଯେତେ ଚାହିଁଲେ ବି ମୁଁ ଧାଇଁ ଯାଇ ପାରୁନି ମାଆ ତୁମ କୋଳକୁ, କାରଣ ତୁମେ ତ ମୋତେ ଶଙ୍ଖ ରେ ନୀର ସମ କରି କନ୍ୟାଦାନ କରି ମହାପୂର୍ଣ୍ୟ ଅର୍ଜନ କରିଛ। ସ୍ୱଅଧିକାର ରୁ ବଞ୍ଚିତ କରି ସାତ ସମୁଦ୍ର ତେର ନଈ ସେପାରି ର ସଂସାର କୁ ଚିର ଦିନ ପାଇଁ ନିଜଠୁ ଅଲଗା କରି ବିଦା କରିଛ। କର୍ତ୍ତବ୍ୟ କୁ ପାଳନ କରିବା କୁ ଯାଇ ଛାତି ତଳ ର ଅଦୃଶ୍ୟ କୋହ କୁ ସମାଧି ଦେଇ ଧୈର୍ଯ୍ୟ ର ଏ କେମିତି ଅଗ୍ନି ପରୀକ୍ଷା ମାଆ? ଦେହର ଛାଇ କୁ ନିଜଠୁ ଅଲଗା କରି ହୁଏନି ସତ, କିନ୍ତୁ ମୋତେ କାହିଁକି ମେଘ ତଳର ଅଦୃଶ୍ୟ ଗଗନ କୁ ସମର୍ପି ଦେଲ? ତୁମ ଝିଅ ଆଜି ଅଭିମାନ ରେ କେତେ ପଦ କହି ଦେଉଛି, ଜାଣିଛି ମୋ ମା ମୋ ଅଭିମାନ କୁ ନିଜ ପଣତ ରେ ସ୍ନେହ ରେ ସ୍ଵେଦ ପୋଛି ତାଙ୍କ ଛାତି ରେ ଜାବୁଡ଼ି ଧରିବେ, ସେଥି ପାଇଁ ତ ଆଜି ମନ ତଳର ଅକୁହା କଥା କୁ ମୋର ଏଇ ଟିକି ଚିଠି ମାଧ୍ୟମ ରେ ଜଣାଇବାର ଇଚ୍ଛା ଆଉ ଉତ୍କଣ୍ଠା...........


      ପବିତ୍ର ବର୍ଗାକାର ବେଦୀ ଅନ୍ତସ୍ଥ ହୋମାଗ୍ନି କୁ ସାକ୍ଷୀ ରଖି ନିଜର ଅମୂଲ୍ୟ ସମ୍ପତ୍ତି ଖଣ୍ଡକ ଅନ୍ୟ ଜଣଙ୍କୁ ନାମରେ ନାମିତ କରିଦେଲ, ଆଉ ସିଏ ବି ମୋ ସିନ୍ଥିରେ ଟୋପାଏ ସିନ୍ଦୂର ଦେଇ ତାଙ୍କ ଜୀବନର ଅଂଶୀଦାର କରିଦେଲେ । ଦିନ ଟିଏ ଯେଉଁ ଝିଅ ତା ପିତାମାତା ଙ୍କ ଠୁ ଦୂରରେ ରହି ପାରିନି, ଚିରଦିନ ପାଇଁ ତାକୁ ଦୂରେଇ ଦେଲ, କିନ୍ତୁ କାହିଁକି? ସଂସାର ରୂପୀ ଜୁଇ ରେ ଜୀବନ୍ତ ଜଳିବାକୁ........


      ଜାଣିଛ ମା, ଆଜି ମୋ ବାବାଙ୍କ କଥା ଭାରି ମନେ ପଡ଼ୁଛି। ଗେହ୍ଲ ରେ ତାଙ୍କ " ଛୁଆ" ଡାକ ରାତି ପାହିଲା ପରେ ମୋ ବିଛଣା ଯାଏଁ ଲଂଘି ଯାଉଛି, କିନ୍ତୁ ଟିକେ ଅଳସୁଆମି ହୋଇ ,

    " ବାବା, ମୋତେ ଆଉ କିଛି ସମୟ ଶୋଇବାକୁ ଦିଅ" କହିବାକୁ ସାହାସ ନାହିଁ। ଭାରି ମନେ ପଡ଼ୁଛି ଭାଇ ଭଉଣୀ ଙ୍କ ଗହଳି ଚହଳି, ଦିଦି ଦିଦି କହି ମୋ ପଛରେ ଧାଉଁଥିବା ମୋ କୁନି କଣ୍ଢେଇ ମାନଙ୍କ ଅଝଟିଆ ସ୍ନେହ। ଝୁରି ହେଉଛି ମୋ ଜେଜେ ଜେଜେମା ଙ୍କ କଅଁଳିଆ ଆଦେଶ।


       ମାଆ ତୁମ ହାତ ଗଢ଼ା ପୃଷ୍ଠା ରେ ଖାଇଲା ବେଳେ ଏଇଟା ଖାଇବିନି, ସେଇଟା ଖାଇବିନି... ଆଉ ସେହି ସମୟ ରେ କକା ନାକ କାନ୍ଦୁରି କହି ଚିଡ଼ାଉଥିବେ, କିନ୍ତୁ ତୁମେ ମୋ ଅଝଟ କୁ କେତେ ସହଜ ରେ ସହି ଯାଉଥିଲ। ମୋ ପସନ୍ଦ ର ଖାଦ୍ୟ ସ୍ନେହ ରେ ପରଶୁ ଥିଲ। କିନ୍ତୁ ଆଜି ସେଇ ଅଝଟ ଯଦି କରେ ତେବେ ତାହା ଜିଦ୍ ବୋଲି ପ୍ରମାଣିତ ହୋଇ ଯାଉଛି। ମୋ ଅଳି ଅର୍ଦ୍ଦଳି କୁ ଉପହାସ କରୁଛନ୍ତି ସଭିଏଁ... 


       ଜାଣିଛି ସନ୍ତାନ ବିପଦ ରେ ପଡ଼ିଲେ ମା ଯେଉଁଠି ଥିଲେ ବି ତାଙ୍କ ମନ ଅସ୍ଥିର ହୋଇ ଉଠେ। ଯଦି କେବେ ଝୁଣ୍ଟି ପଡ଼େ, ଏଇ ଖସଡ଼ା ବାଟ ରେ ଯଦି କେବେ ମୋ ପାଦ ଖସି ଯାଏ, ହାତରେ କଣ୍ଟା ଟିଏ ଫୁଟିଲେ, ପ୍ରଥମେ ମୁଁ ମା ଗୋ କହି ଉଠେ। ଯଦି ମାତା ଆଉ ସନ୍ତାନ ମଧ୍ୟରେ ଏତେ ନିବିଡ଼ ଅତୁଟ ବନ୍ଧନ, ତେବେ ବିଦା କଲ କିଆଁ?


     ଯେବେ ଭୋକ ରେ ପେଟ ବିକଳ ହୋଇ କାନ୍ଦି ଉଠେ ନା , ତୁମ କଥା ଭାରି ମନେ ପଡ଼େ, ଇଚ୍ଛା ହୁଏ ପୂର୍ବ ପରି ମୋ ମା ଆସି ନିଜ ହାତରେ ଖାଦ୍ୟ ପରସନ୍ତେ କି? କିନ୍ତୁ ସେମିତି ସୌଭାଗ୍ୟ ମୋର କାହିଁ?


     ଛାତିର ଅମୃତ ଦେଇ ସମାଜ ରେ ମଣିଷ ଟିଏ କରି ଗଢ଼ି ତୋଳିଲ, ମୋ ହାତ ଧରି ଚାଲି ଶିଖାଇଲ, କିନ୍ତୁ ଆଜି ଯେତେ ଚାହିଁଲେ ବି ତୁମ ପାଖରେ ମୁଁ ରହି ପାରୁନି। କାହିଁକି ନା ମୁଁ ଝିଅ ଟିଏ ଆଉ ତୁମେ ମୋ ମାଆ। ମା ମୋ ଶେଷ ନିଃଶ୍ୱାସ ଯାଏ ଏମିତି ଝୁରି ହେଉଥିବି ପ୍ରତି ମୁହୁର୍ତ୍ତ ରେ.......


     ଯେତେ ଲେଖିଲେ ବି ହୁଏତ ଶବ୍ଦ ନିଅଣ୍ଟ ହବ, କିନ୍ତୁ ମୋ ମା ପାଇଁ ଭାବନା ର ପରିସମାପ୍ତି ଘଟିବନି। ଯଦି ଆଉ କେବେ ମନୁଷ୍ୟ ଜନ୍ମ ନିଏ ତେବେ ତୁମ କୋଳରେ ପୁତ୍ର ଟିଏ ହୋଇ ଜନ୍ମିତ ହେବାକୁ କରୁଣା ମୟଙ୍କ ପାଦ ପଦ୍ମ ରେ ବିନମ୍ର ଗୁହାରି.....


    ମୋ ପାଇଁ କେବେ ଦୁଃଖ ପ୍ରକାଶ କରିବନି ମୋ ମାଆ। ମୁଁ ବହୁତ୍ ଖୁସିରେ ଅଛି । ମନରେ ଗୋଟିଏ ଆଶା ଯେ ଦିନଟିଏ ତୁମ କୋଳରେ ମୁଣ୍ଡ ଥୋଇ ଶୋଇବି, ଆଉ ତୁମେ ମୋ ମୁଣ୍ଡ ଟିକୁ ହାତରେ ଆଉଁସି ଦେଉଥିବ, ପଣତ ରେ ମୋତେ ଘୋଡ଼ାଇ ଦେଉଥିବ........ ଏତିକି ଇଚ୍ଛା ମୋର।


    ଶେଷରେ ମା ତୁମ ପାଦପଦ୍ମ ରେ ଚୁମ୍ବନ ଟିଏ ଦେଇ ଆଶୀର୍ବାଦ କାମନା କରୁଛି। ମୋର ଏଇ ଟିକି ଚିଠି ଟିଏ ପାଇଲେ ନିଶ୍ଚୟ ଦୁଷ୍ଟ ଝିଅ ଟିକୁ ଚିଠି ଟିଏ ଦେବ। ଇତି।

               ତୁମର ଗେହ୍ଲି ଝିଅ

                  ଇନ୍ଦିରା


Rate this content
Log in