indira Satpathy padhi

Tragedy

2  

indira Satpathy padhi

Tragedy

ସିନ୍ଦୂର ଫରୁଆ

ସିନ୍ଦୂର ଫରୁଆ

7 mins
201


        ସମୟ ର ଚକ ଟି ମାନବ ରୂପୀ ରଥ କୁ ଆଗକୁ ନେଇଚାଲେ ସତ, କିନ୍ତୁ ପଥ ବିଚ୍ୟୁତି ପାଇଁ ବହୁ ପ୍ରତିବନ୍ଧକ ବନ୍ଧୁତ୍ୱର ହାତ ବଢ଼ାଏ । ତଥାପି ମାନବ ସେସବୁ ସାମ୍ନା କରି ଆଗକୁ ଆଗେଇ ଚାଲେ। ଜୀବନ ଯମୁନାର ନାଆଁ ଟି ଲୁହ ର ଲହୁ ରେ ବାରମ୍ବାର ଭିଜିଲେ ମଧ୍ୟ ସେ କଣ କୂଳ ଲଙ୍ଘିବା କଥା ଭୁଲି ପାରିବ? ତା ଧର୍ମ ପରା ସେ ଏ ପାରିରୁ ସେ ପାରିକୁ ନିଶ୍ଚୟ ଯିବ, ଯେତେ ବାଧା ବିଘ୍ନ ଆସୁ ନା କାହିଁକି.. ଏମିତି କେତେ ଶବ୍ଦ ଅନ୍ତର ର କବାଟ ଖୋଲି ପ୍ରକୃତି କୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଛି, କିନ୍ତୁ ମୁଁ ତାକୁ ଟିକେ ସାନ୍ତ୍ଵନା ଦେଇ କହେ, " ଶୀତ ରାତିରେ ତୁ ରେଜେଇ ଘୋଡ଼େଇ ହୋଇ ଶୋଇ ଯାଆ...।"


                ସେଦିନ ମୁଁ ନାଇଟ୍ ବସ୍ ରେ କଟକ ମୋ ପିଉସୀଙ୍କ ଘରକୁ ଯାଇଥାଏ। ଶୀତୁଆ ରାତିରେ ନୀଳ ରଙ୍ଗର ସାଲ୍ ଟିକୁ ସାଥୀ କରି ମୋ ଯାତ୍ରା ଆରମ୍ଭ କଲି । ମୋ ପାଖ ସିଟ୍ ରେ ବସିଥିବା ନୀଳ ରଙ୍ଗର ପାଟ ଶାଢ଼ୀ ପରିହିତା ନାରୀ ଜଣଙ୍କ ଖୁବ୍ ଭିନ୍ନ ଲାଗୁଥିଲେ। ଯେମିତି ସ୍ଵର୍ଗର ଅପସରୀ ବାଟ ଭୁଲି ଧରିତ୍ରୀ କୁ ଆସିଛନ୍ତି ଆଉ ତାଙ୍କ ଠିକଣା ରେ ପହଞ୍ଚିବା ପାଇଁ ବାଟ ଖୋଜୁଛନ୍ତି। ହାତରେ ନାଲି ଶଙ୍ଖା କୁ ସିନ୍ଥିର ସିନ୍ଦୂର ଝଲସି ଉଠୁଛି, ଆଖିରେ ଗାଢ଼ କଜ୍ଜଳ କୁ ଗୋଲାପି ଓଷ୍ଠ ର ସୌନ୍ଦର୍ଯ୍ୟ ଇନ୍ଦ୍ରଧନୁ ଠୁ ସୁନ୍ଦର। ଏକ ଲୟରେ ମୁଁ ସେଇ ମହିଳା ଜଣଙ୍କୁ ଚାହିଁ ରହିଥାଏ। ଆଖିର ପଲକ ଟି ତାଙ୍କ ଠାରେ ଲାଖି ଗଲା। ତାଙ୍କ ହାତରେ ନାଲି କପଡା ରେ ଆବୃତ କିଛି ଗୋଟାଏ ଯତ୍ନ ରେ ଧରି ଥିବାର ଦେଖିଲି। ଆଶ୍ଚର୍ଯ୍ୟ ର କଥା ଏତେ ଶୀତ ରେ ତାଙ୍କ ଶରୀରରେ କୌଣସି ଶୀତବାସ ନଥିଲା। ଶୀତରେ ମୁଁ କୁଙ୍କୁଡ଼ି ହେଉଥିଲା ବେଳେ ସେ ଏକ୍ ଦମ୍ ସ୍ଥିର ବସିଥିଲେ। ମୋର ତ ଗୋଡ଼ ହାତ ପାଣି ଫୁଟି ଯାଉଥିଲା କିନ୍ତୁ ସେ ବିନା ଶୀତବାସ ରେ ସ୍ଥିର କେମିତି ବସିଥିଲେ? ମହିଳା ଜଣଙ୍କୁ ଦେଖି ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ଥକମକ ହୋଇ ତାଙ୍କୁ ପଚାରିଲି,

  " ଅପା, କୁଆଡେ଼ ଯିବ କି? " କିନ୍ତୁ କିଛି ଉତ୍ତର ମିଳିଲାନି। ତାଙ୍କ ବିଷୟରେ ଜାଣିବାର ଆଗ୍ରହତା ଟି ମୋତେ ପୁନର୍ବାର ପଚାରିବାକୁ ବାଧ୍ୟ କଲା, 

    " ଅପା, କୁଆଡେ଼ ଯିବ କି?"

   ମୋତେ ଉତ୍ତର ମିଳିଲା ସତ କିନ୍ତୁ ବସ୍ ଭିତର ଗହଳି ଚହଳି ପାଇଁ ମୁଁ କିଛି ବୁଝି ପାରିଲିନି। ମନ ଦୁଃଖ ହେଲା.. ବାସ୍ ଚୁପ୍ ଚାପ୍ ବସିଲି ଆଉ ତାଙ୍କୁ ଦେଖୁଥିଲି। କିଛି ସମୟ ପରେ ସେ କହି ଉଠିଲେ,

 " ଭଉଣୀ ତୁମ ପର୍ଷ୍ ଟି ତଳେ ପଡ଼ି ଯାଇଛି, ତାକୁ ଉଠାଇ ଯତ୍ନ ରେ ରଖ। ହୁଏତ ସେଥିରେ କିଛି ମୂଲ୍ୟବାନ ଜିନିଷ ଥିବ, ଯାହା କୁ ହରାଇ ତୁମେ ଭବିଷ୍ୟତ ରେ ଝୁରିବ...."

       

      ଏତିକି କଥାରେ ତାଙ୍କ ସଂସ୍କାର ସ୍ପଷ୍ଟ ଜନା ପଡ଼ି ଯାଇଥିଲା, ଆଉ ସେ ନିଶ୍ଚୟ ଜଣେ ସ୍ନେହଶିଳା ନାରୀ ଟିଏ। କିନ୍ତୁ ସେ ଯେମିତି କୌଣସି କାରଣରୁ ଚିନ୍ତାରେ ଭାଙ୍ଗି ପଡ଼ି ଛନ୍ତି। ଅନ୍ୟମନସ୍କ ରହିବାର ମଧ୍ୟ ମୁଁ ଅନୁଭବ କରି ପାରିଲି । ତାଙ୍କୁ ପଚାରିବା ପାଇଁ ମନରେ ଅନେକ ପ୍ରଶ୍ନ ଆସୁଥିଲା, କିନ୍ତୁ ସଙ୍କୁଚିତ ହୋଇ ମୁଁ କିଛି ପଚାରି ପାରିଲିନି। କିଛି ଅଦୃଶ୍ୟ ଶକ୍ତି ତାଙ୍କ ଆଡ଼କୁ ମୋତେ ଆକର୍ଷିତ କରିଥିଲା। ଏମିତି ଅନେକ କଥା ଭାବୁ ଭାବୁ ଆଖି ଟିକେ ଲାଗି ଯାଇଥିଲା ବୋଧେ, "ସେପଟୁ ହେଲ୍ପର୍ ର ଡାକ , ଭଦ୍ରକ... ଭଦ୍ରକ... ଭଦ୍ରକ..." ରେ ମୁଁ ଚେଇଁ ଉଠିଲି ଆଉ ଦେଖିଲି, ମହିଳା ଜଣଙ୍କ ବସ୍ ରୁ ଓହ୍ଲାଇ ଗଲେ। ଦୁଃଖ ହେଲା କାରଣ ତାଙ୍କ ଉଦାସତା ର କାରଣ ଜାଣିବାରେ ନିଷ୍ଫଳ ହେଲି।


      ପରିବାର ଠୁ ଦୂରରେ ରହିଲେ ମନର ଅସ୍ଥିରତା ବେଗ ବୃଦ୍ଧି ଘଟେ ଥରୁଟିଏ ପରିବାର ପାଖକୁ ଫେରି ଯିବାକୁ। ପନ୍ଦର ଦିନ ପରେ ଘରକୁ ଫେରିଲି। ସେଦିନ କଲେଜ୍ ଯିବା ବାଟରେ ଅର୍ଚ୍ଚନା ସହ ଦେଖା ହେଲା। ତା ଘରଠୁ ଆମ ଘର ପ୍ରାୟ ବାର ତେର କିଲୋମିଟର ଦୂର ହେବ। ଏତେ ଦିନ ପରେ ତାକୁ ଦେଖି ମୁଁ ଖୁବ୍ ଖୁସି ହୋଇ ଗଲି। କିନ୍ତୁ ତା ମୁଁହ ରେ ସ୍ପଷ୍ଟ ଦିଶୁଥିଲା ଯେ ସେ ତାର କିଛି ଗୋଟାଏ ଅମୂଲ୍ୟ ଜିନିଷ ହରେଇ ଦେଇଛି। ଏତେ ଦିନ ପରେ ମୋତେ ଦେଖି ମଧ୍ୟ ସେ ଚୁପ୍ ରହିଲା। ତାର ସ୍ଥିରତା ମୋତେ ଅସ୍ଥିର କରି ପକେଇ ଥିଲା। ତା ଓଠ ରେ ସେଇ ଗୋଲାପି ହସରେ କାହାର ନଜର ଲାଗିଗଲା? କଲେଜ୍ common room ରେ ଦୁହେଁ ବସିଲୁ, ମୁଁ ମୋ ସାମ୍ନା ରେ ତାକୁ ବସାଇଲି, ଆଉ ପଚାରିଲି,

   " ଅର୍ଚ୍ଚନା ତୋର କଣ ହେଇଛି, ଏମିତି ଝାଉଁଣୀ ପଡିଛୁ କିଆଁ? ମୋତେ ଜମା ଭଲ ଲାଗୁନି ତୋର ଏମିତି ନିସ୍ତବ୍ଦତା..."


   ସବୁ ଶେଷ ହେଇଗଲା ପ୍ରମିଳା। ଆଜି ମୁଁ ସମ୍ପୂର୍ଣ ଏକା ହେଇଗଲି,

ମୋ କାନ୍ଧରୁ ସାହାସ ର ହାତ ଟି ସବୁଦିନ ପାଇଁ ତଳକୁ ଖସି ପଡ଼ିଲା।

ମୋ ଜୀବନର ଅବଶିଷ୍ଟ ବାଟ ଅତିକ୍ରମ ପାଇଁ ମୋତେ ଦେଉଥିବା ଭରଷା ର ମୁହଁ ଟି ତୁନି ହେଇ ଗଲା ଲୋ... ( ଜୋର୍ ରେ କାନ୍ଦି ଉଠିଲା)

  

      କଣ ହେଇଛି ସ୍ପଷ୍ଟ ଭାବରେ ନ କହିଲେ ମୁଁ କେମିତି ବୁଝିବି କହିଲୁ? ମୋ ସାମ୍ନା ରେ ତୁ ଏମିତି ଲୁହ ଗୁଡ଼ାକ ପିଇ ଯାନି ରେ ଅର୍ଚ୍ଚନା.. ମୁଁ ସହି ପାରୁନି।


  - ମୋ ବିନ୍ଦୁ ଅପା କୁ ମୁଁ ହଜେଇ ଦେଇଛି...


 - ମାନେ , ବନ୍ଦନା ଅପା................


      ହଁ ମୋର ଠିକ୍ ମନେ ଅଛି, ସେଦିନ ଶ୍ରାବଣ ମାସ ର ଶେଷ ସୋମବାର ଥିଲା, ତୁହା କୁ ତୁହା ବର୍ଷା ଲାଗି ଥାଏ, ଅମ୍ବର ବୁକୁରେ ବିଜୁଳି ର ତାଣ୍ଡବ ବସୁନ୍ଧରା କୁ ବାରମ୍ବାର ଭୟ ର ଭୂଷଣ ରେ ଆବୃତ କରି ଦେଉଥାଏ। ପାଖ ଶିବ ମନ୍ଦିରରୁ ସମୀର ସୁଅରେ ଭାସି ଆସୁଥାଏ ବୋଲ୍ ବମ୍ ଙ୍କ ବିଭିନ୍ନ ପ୍ରକାର ଭକ୍ତି ପୂର୍ଣ୍ଣ ସ୍ୱର। ଅମାବାସ୍ୟା ତିଥିର ଯାମିନୀ ତିମିର ପାଟ ଶାଢ଼ୀ ପରିଧାନ କରି ତୁନି ହୋଇ ଶୋଇବାକୁ ଗଲା ବେଳେ ହାଠାତ୍ କବାଟ ରେ ' ଠକ୍ ' ' ଠକ୍ ' ଶୁଭିଲା। ତିନି କି ଚାରି ଥର ଏମିତି ଶବ୍ଦ ଶୁଣି ବୋଉ ଉଠି ଗଲେ କବାଟ ଖୋଲିବାକୁ ।

ମୁଁ ମଧ୍ୟ ଆଖି ମଳି ମଳି ବୋଉ ସହ ଗଲି। କବାଟ ଖୋଲିଲା ପରେ ଆମେ ଦୁହେଁ ଆଶ୍ଚର୍ଯ୍ୟ ହୋଇ ଗଲୁ। ଜାଣିଛୁ ସେଦିନ ଆମ ବାରଣ୍ଡାରେ ଜଣେ ଅଳ୍ପ ବୟସ୍କା ନାରୀ ଥିଲେ। କଞ୍ଚା ହଳଦୀ ରଙ୍ଗର ଶାଢ଼ୀ ଟିଏ ପିନ୍ଧି ଥିଲେ ଆଉ ତାଙ୍କ ପଣତ ଟି ଭୂମି ବୁକୁ କୁ ସ୍ପର୍ଶୁ ଥିଲା। ଅଣ୍ଟା ଯାଏ ଲମ୍ବି ଥିବା ମୁକୁଳା କେଶ ଟି ବର୍ଷାରେ ଭିଜି ନିସ୍ତବ୍ଧ ହୋଇଥିଲା। ଭୟ କୁ ଭାଙ୍ଗି ଯେମିତି ସାହାସ ର ସ୍ରୋତ ରେ ସେ ଆମ ଘର ଯାଏ ଭାସି ଆସିଛନ୍ତି। ସାଥୀରେ ନାଲି ରଙ୍ଗର କପଡ଼ା ରେ କିଛି ଗୋଟାଏ ଘୋଡ଼ାଇ ଆଣିବା ବ୍ୟତୀତ ତାଙ୍କ ପାଖରେ ଆଉ କିଛି ନ ଥିଲା।


      -  କିନ୍ତୁ ସେ ମହିଳା ଜଣଙ୍କ କିଏ ଥିଲେ?

  

         ସେଇ ହତଭାଗିନି ମହିଳା ଜଣଙ୍କ ମୋ ବିନ୍ଦୁ ଅପା ଥିଲେ। ପ୍ରେମ ର ପବିତ୍ର ପାରାବାରେ ଭିଜି ବିବାହ ର ବନ୍ଧନରେ ବାନ୍ଧି ହୋଇଥିଲେ ଆକାଶ ଭାଇଙ୍କ ସହ। ମୁକ୍ତ ଗଗନ ର ଲମ୍ବା ପଥରେ ସୂକ୍ଷ୍ମ ଡେଣା ଟିକୁ ଝାଡ଼ି ଖୋଜି ପାଇଥିଲେ ସ୍ନେହ ର ନୀଡ଼ ଟିଏ। ଆଖିଏ ସ୍ବପ୍ନ ର ସାକାର ସକାସେ ହଜି ଯାଇଥିଲେ ତାଙ୍କ ପ୍ରେମ ର ପୋୟଧିରେ ।

ବିଶ୍ୱାସ ଓ ଭରସା ର ହାତ ଧରି ନବ ବୋଧୁ ସାଜି ଯାଇଥିଲେ ଏକ ଅଜଣା ନିକେତନ କୁ। ସଭିଙ୍କର ଭାରି ପ୍ରିୟ ଥିଲେ ସେ। ଆକାଶ ଭାଇ ତାଙ୍କୁ ଘଡ଼ିଏ ନ ଦେଖିଲେ ପାଗଳ ହୋଇ ଯାଉଥିଲେ। କିଛି ଦିନ ପରେ ତାଙ୍କ ମାଆ ହେବା କଥା ଶୁଣି ପରିବାର ଆନନ୍ଦ ରେ ନାଚି ଉଠୁଥିଲା। ଶାଶୁ ଶଶୁରଙ୍କ ଅଲି ଅଳି ବୋହୂ ଥିଲେ ମୋ ଅପା......


- କିନ୍ତୁ ଆଜି ଅପାଙ୍କୁ ହତଭାଗିନି ବୋଲି କାହିଁକି ଆଖ୍ୟା କରୁଛୁ?


       ତାଙ୍କ ହସ ଖୁସିର ସଂସାର ଉପରେ ନଜର ଲାଗି ଗଲା ଲୋ। ପୁତ୍ର ଟିଏ ଜନ୍ମ ଦେଲେ ସତ କିନ୍ତୁ ସେ ମୃତ ଥିଲା। ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୋ ଅପା ତାଙ୍କ ମାତୃତ୍ଵ ହରେଇ ବସିଲେ। ଆକାଶ ଭାଇ ମଧ୍ୟ ତାଙ୍କ ଦୁଃଖରେ ଅଂଶୀଦାର ଥିଲେ। ସମୟାନୁକ୍ରମେ ସଭିଏଁ ପରିବର୍ତ୍ତନ ହେବାକୁ ଲାଗିଲେ ବା ନିଜ ଛଳନା ଚେହେରା ଉପରୁ ସଚ୍ଚୋଟ ର ମୁଖା ଟିକୁ ବାହାର କରିଦେଲେ। ସେମାନଙ୍କ ଅନୁସାରେ ମୋ ଅପା ଯଦି ବଂଶ ରକ୍ଷା କରି ପାରିବେନି ତେବେ ସେ କାହିଁକି ସେ ଘରେ ରହିବେ? ସେମାନଙ୍କ ପାଇଁ ବୋଝ ପାଲଟି ଗଲେ ମୋ ଅପା । ଆକାଶ ଭାଇ ମଧ୍ୟ ନିଶାରେ ବହୁତ୍ ପିଟିଲେ । ତଥାପି ସେ ସବୁ ଲୁହ କୁ ପିଇ ଯାଇ ସେ ଘରେ ଚାକରାଣୀ ହୋଇ ରହିବାକୁ ଅନୁରୋଧ କଲା। ଯେତେବେଳେ ତା ରକ୍ଷକ ଭକ୍ଷକ ସାଜିଛି, ଆଉ ସେ ବର୍ଷା ରାତିରେ ବାହାର କରି ଦେଲା। ସେ ଆଉ କେମିତି ପଡ଼ି ରହିବ କହିଲୁ ସେ ଘରେ? 

ସେ ସ୍ନେହ ପ୍ରେମରେ ଗଢ଼ି ଥିବା ନୀଡ଼ ଟି ଭୟଙ୍କର ବାତ୍ୟା ରେ ଭାଙ୍ଗିଗଲା... ଭାଙ୍ଗିଗଲା..............


    ହଁ ରେ , ଏ ସମାଜ ରେ ବିଭିନ୍ନ ମୁଖାଧାରୀ ମନୁଷ୍ୟ ରୂପୀ କଳାକାର ମାନେ ଅଛନ୍ତି, ଯେଉଁମାନଙ୍କ ଅନ୍ତର ଆଉ ବାହାର ର କଥା ସମାନ୍ତରାଳ ରେଖା ଟି ପରି। ମିଠା ମିଠା କଥା କହି ନିଜ ସ୍ବାର୍ଥ କୁ ହାସଲ କରନ୍ତି। ଯଦି ସ୍ବାର୍ଥ ରେ ବାଧା ଆସେ ନିଜର ଅଭିନୟ ଭୁଲି ବାସ୍ତବ ଦୁନିଆ କୁ ଆସି ଥାନ୍ତି। ଧିକ୍ ସେମିତି ଜୀବନ.. ଶ୍ରେଷ୍ଠ ଜୀବନ ମାନବ ଜନ୍ମ ପାଇ ମଧ୍ୟ ଘୃଣ୍ୟ କର୍ମ କରିବାକୁ ପଛଘୁଂଚା ଦିଅନ୍ତିନି|


   କିନ୍ତୁ ଏମିତି କଣ ମୋ ଅପା ସହ ଘଟିବାର ଥିଲା? ଜାଣିଛୁ ସେ ଗୋଟିଏ ପଥର ପାଲଟି ଯାଇଥିଲେ। ଭୋକ, ଶୋଷ ସବୁ ଭୁଲି ଯାଇଥିଲେ। କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହେଇ ଗଲା। ନା ତାଙ୍କ ଆଖିରୁ ଟୋପାଏ ଅଶ୍ରୁ ଝରୁଥିଲା ନା ଓଠ ରେ ଖିଲିଏ ହସ ଫୁଟିଥିଲା। ବାସ୍ ଗୁମସୁମ୍ ହୋଇ ବସି ରହୁଥିଲେ ସବୁବେଳେ। କିଛି ଦିନ ପରେ ଖବର ଆସିଲା ଆକାଶ ଭାଇ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଆଉ ଚିଠି ଟିଏ ଅପା ଙ୍କୁ ଦେଇଥିଲେ। ସେଥିରେ ଲେଖା ଥିଲା,

  " ତୁମକୁ ଦେଇଥିବା ମୋ ପ୍ରଥମ ଉପହାର ଟି ଖୁବ୍ ମୂଲ୍ୟବାନ, ଭୁଲରେ ତାହା ତୁମ ପାଖରେ ରହି ଯାଇଛି। ମୋ ବାହାଘର ପୂର୍ବରୁ ମୋ ବହୁମୂଲ୍ୟ ଉପହାର ଟିକୁ ଫେରାଇଲେ ମୁଁ ଖୁସି ହୁଅନ୍ତି। ଯଦି ତୁମେ ନ ଫେରେଇବ ତେବେ ପୁନର୍ବାର ପୋଲିସ କାନ ପର୍ଯ୍ୟନ୍ତ କଥା ଯିବାକୁ ମୁଁ ପସନ୍ଦ କରୁନି..."


       


        - ତୁ କଣ ଜାଣି ପାରିଲୁ ସେ ଉପହାର ବିଷୟରେ? 


    ହଁ, ସେତେ ବେଳକୁ ବହୁତ୍ ବିଳମ୍ବ ହୋଇ ଯାଇଥିଲା

 ସେଦିନ ସନ୍ଧ୍ୟାରେ ଅପା ସଜବାଜ ହୋଇ କୁଆଡେ଼ ଯିବାକୁ ବାହାରିଲେ। ଏତେ ଦିନ ପରେ ତାଙ୍କର ଏମିତି ବେଶ ଦେଖି ମୋ ନଜର ପଡିବା ପୂର୍ବରୁ ମୁଁ ତାଙ୍କ କାନ ପାଖରେ ଟିକେ କଜ୍ଜଳ ଲଗେଇ ଦେଲି। ତାଙ୍କ ହାତରେ ଶ୍ରାବଣ ରାତିର ସେଇ ନାଲି କପଡ଼ା ର ଜିନିଷ ଟିକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଗଲି। ଆଜି ମୁଁ ପ୍ରଶ୍ନ ପଚାରିବା ପୂର୍ବରୁ ମୋ ଉତ୍ତର ଓ ଆକାଶ ଭାଇଙ୍କ ପ୍ରଥମ ଉପହାର ଟିକୁ ତାଙ୍କ ହାତରେ ଦେଖାଇଲେ। ଯଦିଓ ମୁଁ ବାରମ୍ବାର ପୂର୍ବରୁ ପଚାରି ମଧ୍ୟ ଉତ୍ତର ପାଇନି....କିଛି ନ କହି ବୋଉ ଙ୍କ ଠୁ ଆଶୀର୍ବାଦ ଓ ମୋ ମୁଣ୍ଡରେ ହାତ ବୁଲାଇ, ମୋ ଗାଲରେ ଚୁମା ଟିଏ ଦେଇ ଚାଲିଗଲେ........


    - କିନ୍ତୁ ସେଇ ମୂଲ୍ୟବାନ ଉପହାର ଟି ଏମିତି କଣ ଥିଲା କି?


       " ସୁନାର ସିନ୍ଦୂର ଫରୁଆ " ଟିଏ ଥିଲା । ଯେଉଁ ଫରୁଆ ରୁ ମୋ ଅପା ସବୁଦିନ ତାଙ୍କ ସିଁଥିରେ ସିନ୍ଦୂର ଲଗା ଉଥିଲେ। ସେଦିନ ସେ ଭଦ୍ରକ ଯାଇଥିଲେ ଆକାଶ ଭାଇଙ୍କ କଥା ଅନୁସାରେ ବିବାହ ପୂର୍ବରୁ ତାଙ୍କ ଉପହାର ଫେରେଇବାକୁ। ସେ ପହଞ୍ଚିବା ବେଳକୁ ବିବାହ କର୍ମ ଆରମ୍ଭ ହୋଇ ସାରିଥିଲା ଆଉ ଏହି ମୂଲ୍ୟବାନ ଫରୁଆରୁ ଆକାଶ ଭାଇ ତାଙ୍କ ଦ୍ଵିତୀୟ ସ୍ତ୍ରୀ ସିଁଥିରେ ସିନ୍ଦୂର ଲଗେଇ ଦେଲେ। କେମିତି ସହି ପାରନ୍ତା ମୋ ଅପା । ଫେରିବା ବାଟରେ ଅନ୍ୟମନସ୍କତା ପାଇଁ ସଡ଼କ ଦୁର୍ଘଟଣାରେ ମୋ ଅପାର ପ୍ରାଣ ବାୟୁ ଟି ଉଡ଼ି ଗଲା.... 


   ଆଜି ତାଙ୍କୁ ଦେଖିବାକୁ ଭାରି ଇଚ୍ଛା ହଉଛି ରେ ଅର୍ଚ୍ଚନା। ତୋ ପାଖରେ ନିଶ୍ଚିତ ତାଙ୍କର କିଛି ଫଟ ଥିବ। ( ଅର୍ଚ୍ଚନା ମୋବାଇଲ ରୁ ବନ୍ଦନା ଅପାଙ୍କ ଫଟ ଦେଖି) ମୁଁ ନିସ୍ତବ୍ଦ ହେଇ ଗଲି କିଛି ମୁହୂର୍ତ୍ତ ପାଇଁ। ଆଖିରୁ ଅଶ୍ରୁ ଧାରା ଟି ଗାଲ ପଥେ ଝରି ଯିବାରୁ ମୁଁ ପ୍ରକୃତିସ୍ଥ ହୋଇ ଉଠିଲି ଆଉ ନିଜକୁ କହିବାରେ ଲାଗିଲି,

 

  "ସେଦିନ କଟକ ଯିବା ବେଳେ ମୋ ପାଖ ସିଟ୍ ରେ ବସିଥିବା ଅପସରୀ ଜଣଙ୍କ ବନ୍ଦନା ଅପା ଥିଲେ, ଅନ୍ୟ କେହି ନୁହେଁ। ଆଉ ତାଙ୍କ ହାତରେ ଥିଲା ସେଇ ମୂଲ୍ୟବାନ ଉପହାର ' ସିନ୍ଦୂର ଫରୁଆ ' ।  

                    


Rate this content
Log in

Similar oriya story from Tragedy