Lopamudra Parida

Action Classics Inspirational

3  

Lopamudra Parida

Action Classics Inspirational

ସେବା

ସେବା

3 mins
147



ଏଇ ସହରେ ପଢାବଢା ।ଦେଖା ହୁଏ ସନାତନୀ ସହ ମୋର ।ମିତ୍ରତା, ଭରସା ପରେ ଭଲପାଇବା ଟା ଆପେ ଚେରମଡେଇ ସାରିଥାଏ ଆମ ଅଜାଣତେ ।ପ୍ରେମମୟ ଦିଅଁ ଆମର ପରା, ନିତ୍ଯରାସେ ବୃନ୍ଦାବନେ ଆନନ୍ଦ ବୁଣନ୍ତି ।

ବନ ନିଆଁ ପରି ବ୍ଯାପିଗଲା କଥା । ସେଦିନ ଘରେ ପହଞ୍ଚି ଦାଣ୍ଡ ପିଣ୍ଢା ରେ ବୋଉର ଉତ୍ତୁରା ମୁହଁ ଆଉ ନନାଙ୍କ ବ୍ରହ୍ମାଗ୍ନି ନୀରବତା ଦେଖି ମତେ ଆଉ କିଛି ଅବୁଝା ନଥିଲା ।ଧରିଥିବା ହାତ ଛାଡିବାର ବି କୋଉ ଥିଲା ଯେ ! ବୈଧବ୍ଯଧବଳ ବୋଳା ପୀଉସୀନାନୀ ସଂକୁଚିତ ସ୍ବରରେ ପଚାରିଲା, " ଆରେ କିଏ ସେ କିରେ ସିଏ ?ଆମ ସେବାୟତ ଘର ପିଲାଟି ? "

ମୋ ଭିତରେ ଏତେ ଦମ୍ଭ କିଏ ଖୁନ୍ଦିଲା କେଜାଣି ! ବ୍ଯାଗରେ ଦିଖଣ୍ଡ ଲୁଗାପଟା ସହ ନନାବୋଉଙ୍କର ବନ୍ଧେଇ ଫଟୋଟେ ପୁରୋଉ ପୁରୋଉ କହିଲି, " ନାଇଁ,ମଣିଷ ଜାତି । ମିଶିନାରୀ ।ଇସାଇ ଝିଅ । ଆମ ଦିଅଁ ଙ୍କ ପ୍ରତି ଭାରି ଶ୍ରଦ୍ଧାଭକ୍ତି ତାର ।ବିଭୋର କଲାପରି ।ବିଶ୍ବାସେ ମିଳନ୍ତି ହରି ପରା ।"

ମୁହଁ ପୋତି ବସିଥିବା ନନା ପଦୁଟେ କହାଲେନି, " ରହିଯା, କୁଆଡେ ବାହାରିଲୁ? " ବୋଲି ।ବୋଉ କୋକନ୍ଦି ମୋକନ୍ଦି କାନ୍ଦୁଥିଲା ଠଣା ଝରକା ଠି ।ପାଣି ଝରିଆଟେ ଗଡି ପଡିଥିଲା ଅଗଣାକୁ ।ନନାଙ୍କ ଛାତିରେ ପାଦରଖି ବାହାରିଆସିଲା ପରି ବୋଧ ହଉଥିଲା ମତେ ।କାନ ,ପାଦ ଥିରପଥର ଥିଲେ କାଳେ ପଛରୁ ବୋଉ କି ନନା ଡାକିଦେବେ ,ହେଲେ ଏ କଥାକୁ ଯୁଗଟେ ଗଲାଣି 

ପରେ ଶୁଣିଥିଲି କାଳେ ମୋର ଅଜାତି ରେ ପାଣିଗ୍ରହଣ ନେଇ ନନାଙ୍କ ଚୁଲି ବଡଦେଉଳୁ ଉଠିଗଲା ।ସେବା ବାସନ୍ଦ ହେଲା ।ନନା ଜଉମୁଦ ଦିଆ ତାଲା ପକେଇଦେଲେ ପାଟିରେ ।ବୋଉ ମୂର୍ତ୍ତି ପରି ଚଳିଲା । ମୋ ଜାତକ ନନାଙ୍କ ପାଞ୍ଜି ତାଳ ଥାକରୁ ତେଜ୍ଯ ହେଇସାରିଥିଲା ।

ସବୁର ଭାର ଭାରି ଓଜନିଆ ଥିଲା । ହେଲେ କାରଣ ଟି ଖୋଜି ପାଉନଥିଲି ।ଯୋଉ ଜଗନ୍ନାଥେ ନିମା ନାମେ ସିପୁଟି, ଯେ ଜାତିରେ ଗୋଲକ ତାର ଘରେ ଅନ୍ନଭକ୍ଷ କଲେ ।ଯିଏ ଶବରୀ ର ଶଙ୍ଖୁଡିକୁ ପ୍ରସାଦ ପରି ପାଇ ଶବରବିଟାଳ ହେଲେ, ଯିଏ ସାଲବେଗ ପାଇଁ ରଥ ରୋକିଦେଲେ, ଯିଏ ଶଲଭା ହାତୁ ଶାଗ ଚାଖିଲେ, ଯିଏ ବାଉରୀ ଠୁ ନଡିଆ ନୈବେଦ୍ଯ ଘେନିଲେ, ଯିଏ କୋଟି କୁଟୁମ୍ବ ର ମଉଡମଣି, ଯାହାର ଗଉଡ ପିଲେ ମିତ, ଯାହା କଥା କହି କହି ନସରିବ, ଯିଏ ବୋଇରାଣୀ ହାତ ବୁଣା ପିନ୍ଧିଲେ,ବିଶ୍ବାବସୁ, ଶ୍ରୀୟା,ନିଷାଦ, ଜାମ୍ବବନ୍ତ, ଆଦି ଆଦି ସଭିଁଙ୍କ ଭକ୍ତି କୁ ଆଦରିଲେ, ଯାହାଙ୍କୁ ନାନକଙ୍କଠୁ ଗଣପତିଭଟ୍ଟ, ଶଙ୍କରାଚାର୍ଯ୍ଯ ଯାଏ ପୂଜିଲେ, ମଥାନତ କଲେ, ଲମ୍ବ ଦଣ୍ଡବତ ବାଢିଲେ ସିଏ କଣ ମଣିଷ କୁ ମଣିଷ ରେ ନ ଗଣି ଜାତିରେ ଗଣିବେ ? ଦଣ୍ଡ ଠାଣିବେ, ଚକ୍ର ପେଶିବେ?

ମୋ ମନ କାଇଁ ମାନୁନଥିଲା ।ଭାରି ଗୋଳେଇ ଘାଣ୍ଟି ଲାଗୁଥିଲା ।ନନାଙ୍କ ମୁହଁ ଟା ଆଖି ଆଗକୁ ଭାସିଆସିଲେ ଦୋଷୀପଣଟେ ବି ଆବରୁଥିଲା ।ଯୋଉ ସେବା ନେଇ ଆମେ ପରିଚିତ, ତା ' ବିନା ।

ସମାଜର ନିୟମ ଖୁବ୍ କଡା ।

କୋଉଠି ଆଶ୍ରା ନିଅନ୍ତୁ ଦିହେଁ ।କିଏ ବା ଚିହ୍ନା ଥିଲା ।ଷ୍ଟେସନ, ବଜାର ହେଇ ଦି ଦିନ ଗଲା । ପକେଟରୁ ବି ଲକ୍ଷ୍ମୀ ଖସୁଥିଲେ ହାଲକେଇ।ଭଡାରେ ଘରଟେ ଆଗେ ନେବା ସ୍ଥିର କଲୁ ।ନୂଆ ସହର ।ରେଳ ଆଣି ଯୋଉଠି ପହଞ୍ଚେଇଦେଇଛି ।

ସାଧାରଣ ଦିଶୁଥିବା ଘରଟିଏ ର ଫାଟକ ରେ ଝୁଲୁଥିଲା " ଭଡା ଦିଆଯିବ" ର ବିଜ୍ଞାପନ ।ପରସ୍ତେ ଆସ୍ବସ୍ତ ହେଇ ପରସ୍ପରକୁ ଚାହିଁଲୁ ଆମେ ।ସନାତନୀ କବାଟ ବାଡେଇବା ଆଗୁ ଫିଟିଲା ଦରଜା ।ଚମକିପଡିଲି ମୁଁ ।ସତେକି ଅବିକଳ ନନା ମୋ ଆଗରେ ଉଭା ।ପ୍ରାକୃତିସ୍ଥ ହେଲି ସନାତନୀର ଆଖି ଠାରରେ ।

ବୈଠକରେ ବସେଇ ଭିତରକୁ ଗଲେ ।ଅଳ୍ପ ସମୟ ରେ ବୃଦ୍ଧ ଦମ୍ପତି ଉଭା ହେଲେ ଆମ ସାମ୍ନାରେ ।କିଛି ବାକ୍ଯ ବିନିମୟ ଓ କିଛି ନୀରବତା ପରେ କହିଲେ ," ହୁଁ ଘର ଦେବା ଆଗରୁ ଗୋଟିଏ ସର୍ତ୍ତ ଅଛି ।"ଆଶା ମିଶା ଭୟାର୍ତ୍ତ ଦୃଷ୍ଟି ଆମର ।ହସ ହସ ମୁହଁ ବୃଦ୍ଧ ଦମ୍ପତିଙ୍କର ।

" ଆସ ଆମ ପଛରେ ।"

ଅଟକିଲୁ ବନ୍ଦ ଥିବା ଏକ ବଖରା ବାହାରେ ।ଏକତାଲା ଉପରେ ।ପେଲିଦେଲେ କବାଟ ବୃଦ୍ଧ ।

" ଆଜିଠୁ ୟାଙ୍କୁ ସେବିବ ଯଦି ତେବେ ଏଇ ରହିଲା ଘର ଚାବି । ୟାଙ୍କ ଦାୟିତ୍ବ ତମର ।"

ମାର୍ବଲ ଥାକରେ ହସୁଥିଲେ ନୀଳମଣି ଲାଲିଚାନ୍ଦ ହସ, ନନାଙ୍କ ଅଭୟ ମୁହଁ ଟି ପରି ।

ପୁରୀ ଛାଡି ସିନା ସେଦିନ କୋଉ ଶକ୍ତି ବଳରେ ସନାତନୀର ହାତ ଧରି ବାହାରିଆସିଥିଲି ହେଲେ ମୋ ଦିଅଁ ଯେ ମୋ ପଥେ ପଥେ ଥିଲେ ଏ କଥା ଏତେବେଳେ ବୁଝିଲି ।ଅଗତି ର ଗତି ସ୍ବୟଂ ମହାବାହୁ ।



Rate this content
Log in

Similar oriya story from Action