ସ୍ବପ୍ନର ଅଳକାପୁରୀ
ସ୍ବପ୍ନର ଅଳକାପୁରୀ
ଆସିଛୁ ଏକା ଯିବୁ ବି ଏକା, କଥାଟି ଏକଦମ ସତ ତଥାପି ଶୂନ୍ୟରୁ ଆସି ଶୂନ୍ୟରୁ ମିଳାଇଯିବା ଭିତରେ କେତେ ମୋହ ମାୟା ମମତା.। ସ୍ତ୍ରୀ ଚାଲିଗଲା ପରେ ଆନମନା ହୁଅନ୍ତି ବିବେକ.। କେତେ ସ୍ବପ୍ନ ଦେଖିଥିଲେ ନନ୍ଦିକା, ଆଉ ପୁରଣ କରିଥିଲେ ଅନେକ କିଛି.। ପୁଅ ଝିଅ ଆଜି ସମାଜରେ ପ୍ରତିଷ୍ଠିତ କେବଳ ନନ୍ଦିକାଙ୍କ ଯୋଗୁଁ.। ଟୁର ଚାକିରୀରେ ସବୁବେଳେ ବ୍ୟସ୍ତ ରହୁଥିବା ବିବେକ ଘରକଥାରେ ଆଦୌ ମୁଣ୍ଡ ପୁରାନ୍ତି ନାହିଁ.। ସମୟର ଅଭାବ କହି ସେ ଖସିଯାଆନ୍ତି କେବଳ ଯୋଗ୍ୟା ସୁଗୃହିଣୀ ନନ୍ଦିକାଙ୍କ ପାଇଁ.। ଗାଁରୁ ବିବେକଙ୍କ ପିତା ମାତା ମଧ୍ୟ ଆସି ରୁହନ୍ତି ବିବେକଙ୍କ ପାଖେ.। ଛୁଆ ଦୁଇଟାଙ୍କ ସହ ଶାଶୁ ଶଶୁରଙ୍କ ସେବାଯତ୍ନରେ କେବେ ବି ଅବହେଳା କରିନାହାଁନ୍ତି ନନ୍ଦିକା.। ବିବେକଙ୍କ ଚାକିରୀ ସମୟ ଭିତରେ ପୁଅ ଝିଅଙ୍କ ଉଚ୍ଚଶିକ୍ଷା, ବିବାହ ପୁଣି ପିତାମାତାଙ୍କ ଯତ୍ନ ସହ ଶୁଦ୍ଧି କ୍ରିୟା ପର୍ଯ୍ୟନ୍ତ ସବୁକିଛି ନନ୍ଦିକା କରିଛନ୍ତି.।
ଆଜି ଅବସର ପରେ ବିବେକ ଖୋଜୁଛନ୍ତି ନନ୍ଦିକାଙ୍କ ସାହାଚର୍ଯ୍ୟ, ଯିଏ ଶୁନ୍ୟରେ ମିଳାଇ ଯାଇଛନ୍ତି.। ଠାକୁର ଘରେ ଜଳୁନି ଅଖଣ୍ଡ ଦୀପ, ତୁଳସୀ ମୂଳେ ପାଣି ନାହିଁ.। ଫୁଲକୁଣ୍ଡ ସବୁ ଶୁଖି ଯାଇଛି ନନ୍ଦିକାଙ୍କ ସ୍ପର୍ଶ ବିନା.। ଏଇ ସହରରେ ପୁଅ ବୋହୁ ନାତି ରହୁଥିଲେ ବି ବିବେକ ମାୟା ମୋହରେ ବାନ୍ଧି ହୋଇଯାଇଛନ୍ତି ନିଜ ହାତ ତିଆରି ଘରେ, ଯୋଉଠି ନନ୍ଦିକାଙ୍କ ସ୍ମୃତି ସାଉଁଟି ଶୂନ୍ୟରେ ମିଳେଇବା ପର୍ଯ୍ୟନ୍ତ ଶାନ୍ତିରେ ବଞ୍ଚି ଯାଇ ପାରିବେ.। ପୁଅ ଝିଅଙ୍କ ସଂସାରରେ ଅନେକ ଥର କୁଣିଆ ହୋଇ ଯାଇଥିଲେ ବି କୋଉଠିନା କୋଉଠି ଏକେଲା ପଣ ତାଙ୍କୁ ଜାବୁଡି ବସେ, ଫେରିଆସନ୍ତି ପେନସନ ପେପେର କାମ ଅଛି କହି.।
ଏଥର କିନ୍ତୁ ନାତି ନଛାଡେ.। ତା ଜନ୍ମଦିନ ଢେର ପୂର୍ବରୁ ଜେଜେ ଆସିବେ ଓ ପୂର୍ବ ଓ ପର ପ୍ରସ୍ତୁତି ସବୁ ତଦାରଖ କରିବେ.। ଠିକ ସେମିତି ସବୁ କରିବା ଭିତରେ ବିବେକ ବାବୁ ନନ୍ଦିକାଙ୍କ ଫଟୋଟି ରଖିଦେଇଥିଲେ କାନ୍ଥରେ. ତାଙ୍କ ଅନୁପସ୍ଥିତିରେ ଏଇ ଫଟୋଟି ତାଙ୍କର ଏକମାତ୍ର ପ୍ରେରଣା ଓ ଉଦ୍ଦୀପନା କହିଲେ ଭୁଲ ହେବନି.। ତା ଛଡା ପିଲାଙ୍କ ଜନ୍ମଦାତ୍ରୀ ସେ. ଲାଳନ ପାଳନ ଓ ଆଶୀର୍ବାଦ ଦେବାରେ କୋଉଥିରେ ଭୁଲ କରିଛନ୍ତି କି ସେ, କିନ୍ତୁ ପୁଅ ବୋହୁ ଏମିତିକି ନିଜ ଝିଅ ମାଆର ସେ ଫଟୋଟା ସେଠି ଠିକ ଲାଗୁନି କହି ସ୍ଥାନାନ୍ତର କରିଦେବା ପରେ କି ମାୟାରେ କେଜାଣି, ବିବେକ ବାବୁ ସେ ଫଟୋ ସହ ନିଜ ଘରକୁ ଫେରି ଆସିଲେ.। ସେ ନିଜେ ବି ବୁଝି ପାରୁନଥିଲେ କାରଣ.ତାଙ୍କ ହାତ ଗଢ଼ା ଏ ଘରଟା ପୁଅ ବୋହୁଙ୍କର ପସନ୍ଦ ନୁହେଁ ହେଲେ ନନ୍ଦିକାଙ୍କର ତ ଏଇଟା ଅଳକାପୁରୀ. ଏଇଠି ରହି ଜୀବନର ଶେଷ ଅଙ୍କର ବିଜୟୀ ନାୟିକା ସାଜିବାର ସ୍ବପ୍ନଙ୍କୁ ତାଙ୍କର ବିବେକ ନିଶ୍ଚୟ ପୁରଣ କରିବେ.। ନନ୍ଦିକାଙ୍କ ଫଟୋ ଧରି ସେ ଠାକୁର ଘରେ ପ୍ରବେଶ କରି କହୁଥିଲେ ମତେ କ୍ଷମା କର ନନ୍ଦିକା ତୁମ ଅଳକାପୁରୀରୁ ତୁମକୁ ସ୍ଥାନାନ୍ତର କରିବା ଅପରାଧ ମୋର କ୍ଷମା କର.। ପଛରେ ପୁଅ ବୋହୁ ଝିଅ ଜୋଇଁ ନାତି ନାତୁଣୀ, ସମସ୍ତେ ଅଶ୍ରୁ ନିଗାଡି ସେ ଦୃଶ୍ୟରେ ବିଭୋର ହେଉଥିଲେ.। ବିବେକଙ୍କୁ ପ୍ରଥମ ଥର କାନ୍ଦିବା ଦେଖି ହତବାକ ପରିବାର ପିତାଙ୍କ ଗୋଡ଼ ଧରି କ୍ଷମା ପ୍ରାର୍ଥନା କରିବା ସତ୍ୱେ ସେ ତାଙ୍କ ଘର ଛାଡ଼ି ଆଉ କୁଆଡେ ଯିବେନାହିଁ କହିଥିଲେ.। ଶିକ୍ଷିତ ପୁଅ ବୋହୁ, ନନ୍ଦିକାଙ୍କ ଆଦର୍ଶରେ ଗଢ଼ା ପିଲାମାନଙ୍କ ସଂସ୍କାରୀ ମନ ଓ ଚେତନା ପୁଣି ତାଙ୍କୁ ବାପାଙ୍କ ପାଖକୁ ଫେରେଇ ଆଣିଥିଲା ଅଢେଇ ଦିନର ସଂସାର ଖେଳ ନିଭେଇବା ପାଇଁ.। ଝିଅ ସଜାଡୁ ଥିଲା ଘର ମାଆ ମନମୁତାବକ, ସ୍ୱପ୍ନର ଅଳକାପୁରୀ.।