Sunanda Mohanty

Romance Tragedy Classics

4  

Sunanda Mohanty

Romance Tragedy Classics

ହୃଦୟ ଠାକୁର

ହୃଦୟ ଠାକୁର

5 mins
13


ବୋଉ ଯେବେ ଡାକେ ରାଧା ଲୋ ଏ ମା ରାଧା ଉଠୁ ଉଠୁ ମାଆ କାଉ କେତେବେଳୁ ରାବି ରାବି ଗଲାଣି. ବେଳ ଦିଘଡି ହେଲାଣି, ଉଠିବୁନି କି ମା ଆଜି? ଆଜି ପରା ରବିବାର ବୋଉ.ସ୍କୁଲ ଛୁଟି ପୁଣି ଟ୍ୟୁସନ ବି ଛୁଟି. ବୋଉର ମନଟା ପୁରା ଖୋଲା ତ ବୋଉ କହେ ହଉ ହଉ ମୋ ଝିଅ ଆଉ ଦୁଇ ଘଡି ଶୋଇ ଅଳସୁଆ ହୋଇ ନଯାଉ. ବୋଉ କଥାରେ କି ମିଠା ଥାଏ ଉଠିଯାଇ ବୋଉ ବେକରେ ହାତ ଛନ୍ଦି ରାଧା ପଚାରେ ମୋ ନାମ ରାଧା କାହିଁକି ରଖିଲୁ ବୋଉ?କି ସୁନ୍ଦର ହସଟିଏ ହସିଦେଇ ବୋଉ ଖୋଲା ମନରେ କହେ କାରଣ ତୁ ଜନ୍ମ ପରେ ସବୁ ସୁବିଧା. କି ସୁବିଧା ବୋଉ?କି ସୁବିଧା କହିବି ମାଆ ତତେ ଆଉ, ବାପାଙ୍କ ସରକାରୀ ଚାକିରି ଲାଗିଲା, ଘର ଦୁଇବଖରା ଛାତ ପଡିଲା. ଗାଈ ନେତର ଦୁଇ ଦୁଇଟା ମାଈ ବାଛୁରୀ ଜନ୍ମ ହେଲା. ଭାଇ ସାଙ୍ଗକୁ ତୁ ମୋ ଜୀବନର ପରିପୂର୍ଣ୍ଣତା ମୋ ରାଧା କହି ବୋଉ ଗେଲ କଲାବେଳେ ରାଧା ମନ କୁଣ୍ଢେମୋଟ ହୋଇଯାଏ. ସେତେବେଳେ ସେ ମନେପକାଏ ସାଙ୍ଗମାନେ ତାକୁ ଚିଡ଼ାନ୍ତି କାହିଁକି କହି ଆଲୋ ରାଧା.. ବେଗି ଗାଧା.. ସବୁଥିରେ ତୁ ଅଧା. ସେ ସାଙ୍ଗ ମାନଙ୍କ ମୁହଁରେ ନିଆଁ ତା ବୋଉ ତ କହେ ସେ ରାଧା, ତା ଯୋଗୁଁ ତାର ନାହିଁ ଘରେ ବାହାରେ କିଛି ଅସୁବିଧା. ବଡ଼ ହେଲାପରେ କେବେ ସାଙ୍ଗ ମାନେ ଯେବେ କଲେଜରେ ଚିଡ଼ାନ୍ତି ତୁ କାହ୍ନୁର ନା ଶ୍ୟାମର ନା ତୁ କୃଷ୍ଣର ନା ବଂଶୀର? ସେ କିଛି ଉତ୍ତର ନଦେବା ପୂର୍ବରୁ ସେମାନେ ହସି ହସି ଲୋଟି ପଡି କହନ୍ତି ତୁ ରାଧା, ସମସ୍ତଙ୍କର ହୋଇଯା ଅଧା ଅଧା. କିନ୍ତୁ ସମସ୍ତଙ୍କ ଅଜଣାତରେ ସେ ବଂଶୀର ହୋଇଯାଇଥିଲା ନିଜ ଅଜଣାତରେ କିନ୍ତୁ ଅଧା ନହୋଇ ସେଇ ବଂଶୀର ହୋଇଗଲା ଧର୍ମପତ୍ନୀ ପରିବାର ସହମତିରେ. ବୋଉ ସୁଉଁ ସୁଉଁ ହୋଇ ତା କାନ ପାଖେ କହିଥିଲା ମୋ ରାଧା ଯୋଉଠି ତା ପାଦ ପଡିବ ସବୁ ସୁବିଧା. ଦୂର ହେବ ତାର ସବୁ ଅସୁବିଧା ।

    ବଡ ହେଲା ପରେ ସେ ଜାଣିସାରିଥିଲା ରାଧାଙ୍କ ଚରିତ୍ର ଓ ସେ କିପରି କାହ୍ନୁଙ୍କ ପ୍ରେମରେ ବାୟାଣୀ ହୋଇ ଶାଶୁ ନଣନ୍ଦଙ୍କ ଗଞ୍ଜଣା ସହି ଓ ସ୍ୱାମୀ ଚନ୍ଦ୍ରସେଣାଙ୍କୁ ପ୍ରତ୍ୟାଖ୍ୟାନ କରି କାହ୍ନୁଙ୍କ ବଂଶୀ ଶୁଣି ଅଧୀର ହେଉଥିଲେ. ଯମୁନା କୂଳେ,କଦମ୍ବ ମୂଳେ ରାସ ରଚୁଥିଲେ. ରାଧା ବୋଲି ସେ ଚରିତ୍ରକୁ ମଣିଷ ତା ନିଜ ଦୃଷ୍ଟିରେ ଯେମିତି ବି ଲେଖୁ, ଆଙ୍କୁ କି ବଖାଣୁ କିନ୍ତୁ ରାଧା ନାମରେ ପରିପୂର୍ଣ୍ଣତା. ରାଧା ଏକ ଐଶ୍ବର୍ଗୀକ ପ୍ରେମ ସମ୍ମୋହନ, ପ୍ରେମ ଭକ୍ତିର ଚରମ ନିଦର୍ଶନ ବୋଲି ଓଡ଼ିଆ ଭାଷାରେ ପି. ଏଚ. ଡି କଲାବେଳେ ସେ ବୁଝିଯାଇଥିଲେ ବି ରାଧା ନାମ୍ନୀ ସେ ତ ଏକ ମଣିଷ ମାତ୍ର ତା ଛଡା ବଂଶୀଙ୍କ ପ୍ରେମରେ ପଡିବା ଓ ତାଙ୍କୁ ପତି ରୂପେ ପାଇବା ଏସବୁ ସଂଯୋଗ ମାତ୍ର. ତେଣୁ ନିଜ ନାମ ରାଧାକୁ ନେଇ ସେ ଗର୍ବ କରନ୍ତି. ରାଧା କେବେ ଅଧା ନୁହଁନ୍ତି. ଶ୍ୟାମସୁନ୍ଦର ନଟବର କାହ୍ନା ଗୋପ ଛାଡ଼ି ଚାଲିଗଲା ପରେ ବି ମଣିଷ ଆଖିକୁ ମଣିଷ ଭାବନାରେ ରାଧା ବିରହୀଣୀ ମନେ ହେଉଥିଲେ ମଧ୍ୟ ସେ ସ୍ଥୁଳବାଦୀ ଚିନ୍ତାଧାରା ଉର୍ଦ୍ଧରେ ସୁକ୍ଷ୍ମ ଅବୟବରେ ଶ୍ରୀକୃଷ୍ଣଙ୍କ ସଙ୍ଗେ ଐଶ୍ବର୍ଗୀକ ଭାବ ଭକ୍ତିରେ ଅଧା ଅଧା ହୋଇ କାହ୍ନା ସଙ୍ଗେ ତଥା ଶ୍ରୀକୃଷ୍ଣଙ୍କ ପାଖେ ପାଖେ ହିଁ ଥିଲେ. ଏହି ଭାବଧାରା ଯୋଗୁଁ ସେ ପରବର୍ତ୍ତୀ ସମୟରେ ନଣନ୍ଦମାନଙ୍କର, ଆଈଶାଶୁ ବା ଜେଜିଶାଶୁ ମାନଙ୍କର ଟୀକ୍କା ଟିପ୍ପଣୀରେ ବିଚଳିତ ହୁଅନ୍ତି ନାହିଁ. ବରଂ ଗର୍ବ କରନ୍ତି. ନିଜ ନାମ ପାଇଁ ନିଜକୁ ଧନ୍ୟ ମନେକରନ୍ତି. ଅଁଳାନବମୀରେ ଠାକୁରାଣୀ ରାଧାଙ୍କ ଓଡ଼ିଆଣୀ ବେଶ ଦିନେ ହୁଏ ମନ୍ଦିରରେ ହେଲେ ସେ ସବୁଦିନ ଓଡ଼ିଆଣୀ ହୋଇ ଅଳତା ସିନ୍ଦୁରରେ ନିଜକୁ ସଜାଇ ହୁଅନ୍ତି. କିନ୍ତୁ ଏତେ ସବୁ ପରିପୂର୍ଣ୍ଣତା ଭିତରେ ସେ ମାଆ ହୋଇପାରିନାହାଁନ୍ତି ଏଯାଏଁ. ଏବେ ଏବେ ସେ ନିଜକୁ ଭାବୁଛନ୍ତି ସତରେ କଣ ସେ ରାଧା ନାମ ପାଇ ଅଧା! ନଣନ୍ଦମାନଙ୍କ ସହ ସେଇ ଆଈ ଜେଜେମାଙ୍କ ଥଟ୍ଟା ଏବେ ତାଙ୍କୁ ଦ୍ଵନ୍ଦରେ ପକାଇଲା ବେଳେ ତାଙ୍କ ନିଜ ନାମ ତାଙ୍କୁ ଘୃଣା ଦେଲା ବେଳେ ସ୍ୱାମୀ ବଂଶୀ ଡାକୁଥାଆନ୍ତି ରାଧା... ରାଧେ... ରାଧିକା. ଧଡ଼ପଡ଼ ଉଠିବାସନ୍ତି ରାଧା. କିଏ କହିଲା ସେ ମାତୃତ୍ୱରୁ ବଞ୍ଚିତ. ଘଡିଏ କି ଦଣ୍ଡେ ସ୍ବାମୀ ତାଙ୍କ ବିନା ଚଳିପାରନ୍ତି ନାହିଁ. ଏହାଠାରୁ ଅଧିକା ସନ୍ତାନ ସୁଖ କଣ ଥାଇପାରେ!ସ୍ବାମୀ ବୁଝିଯାଇଛନ୍ତି କିନ୍ତୁ ଦୁନିଆଁ ବୁଝିବା ସହଜ ନୁହେଁ. ବଂଶୀ ତଥାପି ଖୋଲା ମନ ହୃଦୟରେ ଡାକ ଛାଡୁଥିଲେ ରାଧା... ରାଧେ.. ରାଧିକା ଗୋ. ରାଧାଙ୍କୁ ସେ ଡାକ ଶୁଭୁଥିଲା ମାଆ... ମା.. ମାଗୋ ।

       ମନେପଡୁଥିଲା ରାଧାଙ୍କର ପିଲାଦିନେ ସେଦିନ ଯେବେ ସେ ବୋଉକୁ ପଚାରିଥିଲେ ଜଗନ୍ନାଥଙ୍କ ହାତ କାହିଁକି ନାହିଁ ବୋଉ ?ବୋଉ କହିଥିଲାକି ଭଗବାନ ସିଏ. ମଣିଷ ପରି ସବୁ ହାତରେ କରୁଥିଲେ ମଧ୍ୟ ଅଦୃଶ୍ୟରେ କରି କରାଉଥାଆନ୍ତି ହରି ବୋଲି ହାତ ନାହିଁ ତାଙ୍କରି .ଦିବ୍ୟାଙ୍ଗ ରୂପ ଧାରଣ କରିଛନ୍ତି ସେଈଥିପାଇଁ . ଆଉ ଗୋଡ଼ କାହିଁକି ନାହିଁ ବୋଉ ? ଠିକ ସେହି ଏକା ଉତ୍ତର ବୋଉର. ସମସ୍ତଙ୍କୁ ରକ୍ଷା କରିବାକୁ ସେହି ଗୋଡ଼ରେ ଚାଲି ଚାଲି ପହଞ୍ଚିଥାଆନ୍ତି କିନ୍ତୁ ଗୁପ୍ତରେ ତେଣୁ ଅପାଦ ସେ. କିଛି ବୁଝେ କିଛି ବୁଝେନା ରାଧା .ହାତରେ ପ୍ରଜାପତି ଧରିଲା ବେଳେ, ସେଇ ହାତରେ ଫୁଲ ତୋଳିଲା ବେଳେ ପୁଣି ଜୀବନ ତମାମ ସେଇ ହାତ ଉପରେ ନିର୍ଭର କରି ରାଧା ଭାବେ ଜଗନ୍ନାଥ ତାଙ୍କ ପିଲାଦିନେ କେବେ ପ୍ରଜାପତି ଧରି ନାହାଁନ୍ତି କି ଖଟାଆମ୍ବରେ ଲୁଣ ଲଙ୍କା ମନ୍ଥି ଖାଇନାହାଁନ୍ତି ନିଶ୍ଚୟ. କେମିତି ଖାଇଥିବେ ଯେ ତାଙ୍କର ତ ହାତ ନାହିଁ!କିନ୍ତୁ ଭଲ ହୋଇଛି ତାଙ୍କୁ ଖଡ଼ି ସିଲଟ ଧରି ବ୍ରହ୍ମା ବିଷ୍ଣୁ ମହେଶ୍ବର ରୂପେ ତିନିଶୂନ ଲେଖୁ ଲେଖୁ କେତେ କଣ ଲେଖିବାକୁ ପଡିଥାନ୍ତା ନହେଲେ ପରୀକ୍ଷା ପରେ ପରୀକ୍ଷା ଦେଇ ଦେଇ ଫେଲ ହୋଇ ମୁହଁ ଲୁଚେଇଥାଆନ୍ତେ କୋଉଠି?ବୋଉ ସିନା ଗାଳିଦେବା ଭଙ୍ଗିକରି କହେ ରାଧାକୁ ଆଲୋ ସେ ପରା ନିଜେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର, କୃଷ୍ଣ. କିଛି ବୁଝିନପାରି ସେ ଭାବେ ତାର ହେଲେ ହାତ ନଥାନ୍ତା!ଏତେ କାମ ଓ ଶ୍ରମ ନଥାନ୍ତା ଜୀବନ ତମାମ.ପୁଣି ବଡ଼ ହେଲା ପରେ ବୁଝିଯାଇଥିଲା ହାତ ନଥିଲେ ସେ ଖାଆନ୍ତା କିପରି? ଶବ୍ଦ ସବୁ ଯୋଡି କବିତା ଲେଖନ୍ତା କେମିତି?

   ବଂଶୀର ବଧୂ ହେଲା ପରେ ତାକୁ କେବଳ ଚାଲିବାକୁ ପଡିନି ଦଉଡିବାକୁ ହୋଇଛି. ହାତ ଦୁଇଟିକି ବରଗଛ ଓହଳ କରି ସ୍ୱାମୀ, ଶାଶୁ, ଶଶୁର ଇତ୍ୟାଦିଙ୍କ ପାଇଁ ସାହାରା ହେଉ ହେଉ ସେମାନଙ୍କୁ ପକ୍ଷୀ ପରି ଆଶ୍ରା ଦେଇଛନ୍ତି ଏଇ ହାତରେ, ପୁଣି ଦଉଡିଛନ୍ତି ଅଫିସରୁ ଘର.. ପୁଣି ଘରୁ... ଅଫିସ,ବଜାର ତ କେବେ ହସ୍ପିଟାଲ, କେବେ ପୋଷ୍ଟାଲ କେବେ ବ୍ୟାଙ୍କ ତ କେବେ ପୁଣି ହାତ ଲମ୍ବି ଯାଇଛି ଘର ଓ ଅଫିସର ଯାବତୀୟ କାମରେ. ଜଗନ୍ନାଥଙ୍କ ଉପରେ ଅଭିମାନ ଆସେ. ହାତ ଗୋଡ଼ ନଥାଇ ତୁମେ କେଡେ ଆରାମରେ ଅଛ ଠାକୁର!ଧୂପ ଦେଲାବେଳେ ସଂଜେ ଓ ସକାଳେ ଲାଗେ କୋଉ କାମରେ କାହାର ଲାଗିବ ତୁମେ କେଜାଣି?ତୁମର ତ ହାତ ଗୋଡ଼ ନାହିଁ. ବୋଉଟା ସବୁବେଳେ ମନ୍ଦିର ଯାଇ ଯାଇ କଣ ପାଇଲା? ବାପା ସିନା ମନବୁଝିବାକୁ କହିଦେଲେ ବାସି ମଡ଼ା ହେଲାନି, ସଧବା ସିନ୍ଦୁର ପିନ୍ଧି ଆଗେ ଚାଲିଗଲା ହେଲେ ରାଧା ଭାବେ ବୋଉଟା ଭାରି ସ୍ୱାର୍ଥପର. ବାପା, ଶାଶୁ, ଶଶୁରଙ୍କର ଏତେ କରୁଛି ସେ ଏକା ଏକା.ହାତ ବଟେଇ ଦେବାକୁ ବୋଉ ଥିଲେ ସିନା ତା ହାତ ଟିକେ ସାହା ରାହା ହୋଇ ଆହା କରିଥାଆନ୍ତା, ଚାଲିଗଲା ଆଗୁଆ . ଖାଲିକଣ ସେତିକି? ସ୍ବାମୀ ବଂଶୀ ଙ୍କ ପିଲାଳିଆମି ପ୍ରକୃତି ଯୋଗୁଁ କାମ କରି କରି ତା ଦେହ ହାତ ଗୋଡ଼ ଆଜି ଅବଶ. କେବଳ ଏତିକି ଭାଇ ବିଦେଶରେଥିବାରୁ ନିଜ ବାପାଙ୍କୁ ପାଖରେ ରଖିଛି. ବାପା ଓ ଶାଶୁ ତଥା ଶଶୁର ନିଜେ ନିଜ ହାତ ଗୋଡ଼ ଚଳେଇ ନିଜ କାମ କରିପାରୁଛନ୍ତି. ନହେଲେ କଣ ଯେ ଅବସ୍ଥା ହୁଅନ୍ତାଣି ତା ହାତ ଗୋଡ଼ର!ପିଲାଟିଏ ଥିଲେ ଅଧିକା ଆଉ କଣ ହୁଅନ୍ତା ବୋଲି ରାଧା ସିନା ମନକୁ ବୁଝେଇ ଦିଏ. ଏଇ ତା ବାପା ଓ ଶାଶୁ, ଶଶୁର ଓ ସର୍ବୋପରି ତା ସ୍ୱାମୀ ବଂଶୀ ତ ତାର ପିଲା. ଦୁନିଆଁ ବୁଝେନା ବୋଲି ଅଭିମାନ ଆସେ ରାଧାର ହାତ ଗୋଡ଼ ଥିବା ଠାକୁର କୃଷ୍ଣଙ୍କ ଉପରେ ଯେତିକି ହାତ ଗୋଡ଼ ନଥିବା ଜଗନ୍ନାଥଙ୍କ ଉପରେ ସେତିକି. ଦିନ ଗାଡିଯାଏ ବୋଉ କଥା ମନେ ପଡ଼େ କୃଷ୍ଣ ଯିଏ ଜଗନ୍ନାଥ ସିଏ. ସେଇଥି ପାଇଁ ତ ତାକୁ ଲାଗେ ତା ପାଖରେ ସିନା ଅଳି ଅଝଟ କରିବାକୁ ପୁଅ ଝିଅ ନାହାଁନ୍ତି କିନ୍ତୁ ଦୁଇ ବାପା ଓ ଶାଶୁଙ୍କ ସେବାଯତ୍ନ କରିବାକୁ ତା ହାତ ଓ ଗୋଡ଼ ଦେଇଛନ୍ତି ଭଗବାନ. ପୁଣି ସ୍ୱାମୀଙ୍କ ସେହି ଡାକ ରାଧା... ରାଧେ... ରାଧିକା ଭିତରେ ଜୀବନ ଗଡିଚାଲିଛି.

   ସେଦିନ ବାପା,ଶାଶୁ ଓ ଶଶୁରଙ୍କ ସମୂହ ଅସ୍ଥି ନେଇ ଗଙ୍ଗାରେ ବିସର୍ଜ୍ଜନ କରି ଟ୍ରେନରେ ଫେରୁଥାଆନ୍ତି ସ୍ୱାମୀ ସ୍ତ୍ରୀ ଦୁହେଁ.ବାଟରେ ଗୋଟେ ଷ୍ଟେସନରେ ଓଲ୍ହେଇ ପଡି ଦୁହେଁ କିଛି କିଣାକିଣି କରୁଥାନ୍ତି ହଠାତ ଟ୍ରେନ କିଛି ବାଟ ଗଡିଯାଇ ବିରାଟ ଶବ୍ଦ କରି ବଗି ସବୁ ଅଲଗା ହୋଇଗଲା. ତା ଭିତରେ ତାଙ୍କ ବଗି ଖୋଜି ଖୋଜି ଉଠି ଯାଇ ସେ ଯେଉଁ ଲୋମଟାଙ୍କୁରା ଦୃଶ୍ୟ ଦେଖିଲେ ଛାତି ଫାଟିଗଲା. କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ. ତାଙ୍କର ମଧ୍ୟ ଏମିତି ହୋଇଥାନ୍ତା ତେବେ କିଏ ରକ୍ଷା କଲା ତାଙ୍କୁ?ଜଗନ୍ନାଥଙ୍କ ହସିଲା ମୁହଁ ଆଖି ଆଗରେ ନାଚୁଥିଲା ବେଳେ ଷ୍ଟ୍ରେଚରରେ ବୁହା ହେଉଥିଲେ ଲୋକ ତ ରାଧା କହୁଥିଲେକି ପ୍ରଭୁହେ ରକ୍ଷା କର. ତାଙ୍କର ତ ହାତ ଗୋଡ଼ ନାହିଁ ସେ କେମିତି ରକ୍ଷା କରିବେ କହୁଥିଲେ ସ୍ୱାମୀ ତ ରାଧାଙ୍କ ଉତ୍ତର ଥିଲା ଯେମିତି ଆମକୁ ରକ୍ଷା କଲେ. ରକ୍ତ ଜୁଡୁବୁଡୁ ମୁର୍ମୁଷୁମାନଙ୍କୁ ଦେଖି ମୂର୍ଛା ଯାଉ ଯାଉ ଖୋଲା ହୃଦୟର ସ୍ୱାମୀ ବଂଶୀଙ୍କ ହାତ ଧରିନେଇଥିଲା ରାଧାଙ୍କୁ ।



Rate this content
Log in

Similar oriya story from Romance