Sunanda Mohanty

Tragedy Classics Inspirational

4  

Sunanda Mohanty

Tragedy Classics Inspirational

ଦୃଶ୍ୟପଟ

ଦୃଶ୍ୟପଟ

5 mins
15


ଜୀବନ ସିନେମାର ପ୍ରଥମ ଅଙ୍କ ଷଠିଘରୁ ଆରମ୍ଭ ହୁଏ. ଝିଅ ଟିଏ ହୋଇଛି ଶୁଣି କି ଖୁସି ସେଦିନ ତାଙ୍କ ବାପା,ମାଆ,ଜେଜେ ଓ ଆଇମା. ବାପା ଭାବିଥାଆନ୍ତି ନାମ ଦେବେ ରେବା. ଏହି ନାମକରଣ ପଛରେ ମଧ୍ୟ ଅନେକ କିମ୍ବଦନ୍ତୀ.ସେତେବେଳେ ଯୌଥ ପରିବାର. ପରିବାରର ସଦସ୍ୟଙ୍କ ଭିତରେ ଖୁବ ସୁସମ୍ପର୍କ. ଘରର ଉପର ବଡ଼ଭାଇ ଓ ଭଉଣୀମାନଙ୍କ ନାମ ସାଙ୍ଗକୁ ଖାପ ଖୁଆଇଲା ଭଳି ନାମକରଣ କରାଯାଏ ନବଜାତକର. ଏହି ପିଢ଼ିରେ ଥିବା ବା ପୂର୍ବ ପିଢ଼ିର ଥିବା ବନ୍ଧୁ ବାନ୍ଧବଙ୍କ ପିଲାଙ୍କ ନାମ ରଖିବା ଯେପରି ନିଷିଦ୍ଧ ଥିଲା ସେପରି ଉପର ଭାଇଭଉଣୀଙ୍କ ନାମ ସଙ୍ଗେ ମିଶିଲା ଭଳି ନାମକରଣ କରାଯାଉଥିଲା. ଖାଲି ବାପାଙ୍କ ଘରର ଭାଇଭଉଣୀମାନଙ୍କ ପିଲାମାନଙ୍କ ନାମ ସହ ସାମଞ୍ଜସ୍ୟ ନୁହେଁ ବରଂ ମାତୃକୁଳର ମାମୁଁ ଓ ମାଉସୀମାନଙ୍କ ପିଲାମାନଙ୍କ ନାମକୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିଲା. ତେଣୁ ବଡ଼ମାମୁଁଙ୍କ ପ୍ରଥମ ପୁଅ ରୁବା ଭାଇଙ୍କ ପରେ ବାପା ବଡ଼ଶଳାଙ୍କ ପୁଅ ନାମ ସହିତ ଖଞ୍ଜି ତାଙ୍କ ନାମ ରେବା ରଖିଥିବା କଥା ଅନେକ କହୁଥିଲା ବେଳେ,ବାପା କୌଣସି ଏକ ସର୍କସରେ ରେବା ଦୀକ୍ଷିତ ନାମକ ସର୍କସ ପରିଚାଳିକାଙ୍କ ରୂପର ସୌନ୍ଦର୍ଯ୍ୟ, ବାଘ ବାଘୁଣୀଙ୍କ ସହ ସର୍କସରେ କୌଶଳ ପଦର୍ଶନ, ସର୍କସ ପରିଚାଳନା ସହ ହସି ହସାଇବାର କ୍ଷମତା ଦେଖି ତାଙ୍କରି ନାମରେ ପ୍ରଥମ ଝିଅର ନାମ ବାଛିଥିଲେ ରେବା.ଏମିତିକି ରେବା ବାହାହୋଇସାରି ପୁତ୍ର ସନ୍ତାନର ଜନନୀ ହେବା ପରେ ମଧ୍ୟ ବାପା ନିଜ ଦାଣ୍ଡକବାଟରେ କଲିଂ ବେଲ ନବଜାଇ ଦୁଆର ଶିକୁଳି ଝଣ ଝଣ କରି ଡାକୁଥିଲେ ରେବା... ରେବା... ରେବାରେ ତ ବୋଉ ଦୁଆର ଖୋଲୁଥିଲା ରେବାର ଦ୍ୱିତୀୟ ସନ୍ତାନଟି ଝିଅ ହେଲାବେଳେ ବାପାଙ୍କର ଯୋଉ ଖୁସି. କହିଥିଲେ ମୋ ଝିଅ ରେବାର ଏକୋଇଶିଆ ତା ଆଈମାଆ ଖୁବ ଧୁମଧାମରେ କରିଥିବା ଓ ତା ଜେଜେ ତାର ମାସିକିଆ କରି ଓକିଲ ମୋହରିର ତଥା ମହକିଲମାନଙ୍କୁ ଖୁଆଇ ନୂତନ ପରମ୍ପରା ସୃଷ୍ଟି କରିଥିଲେ. ମୁଁ ମୋ ନାତୁଣୀ ନାମ ରିଟୁ ହିଁ ରଖିବି କହି ଯୋଉ ବୁନ୍ଦିଆ ଲଡ଼ୁ ବାଣ୍ଟିଥିଲେ ଖାଇଥିବା ଲୋକ ଏଯାଏଁ ଭୁଲିନାହାଁନ୍ତି. ରିଟୁର ଜେଜେମା ମଧ୍ୟ ଏକୋଇଶିଆ କରିବା ସହ ଜାଚଜ୍ଞା ଅନୁଯାୟୀ ପଞ୍ଚଗାଦି ପୀରଜାହାନିଆଁଙ୍କ ପାଖେ ପ୍ରଥମ ଚୁଟି କଟାଇଥିଲେ.

   ଏବେ ରିଟୁର ପ୍ରଥମ ସନ୍ତାନ ଝିଅଟିଏ ହୋଇଥିବାରୁ ସମସ୍ତେ ଏତେ ବ୍ୟସ୍ତ ବିବ୍ରତ କାହିଁକି ଭାବି ରେବା ଅର୍ଥାତ ଆଈମାଆ ମନ ଦୁଃଖ କରୁଥାନ୍ତି ତ ତାଙ୍କ ଝିଅ ବୁଝେଇଦେଇଥିଲା ଦେଖ ମାଆ କାହା କଥା, ଭାବନା, ଚିନ୍ତା ଚେତନାରୁ କଣ ମିଳିବ. ଆଜିର ସମାଜରେ ଝିଅକୁ ବୋଝ ଭାବୁଥିବାରୁ ସମାଜରେ ଝିଅମାନଙ୍କ ପ୍ରତି ଗୋଟେ ଦୁସ୍ଥ ମାନସିକତା ବ୍ୟାପିଛି ସତ କିନ୍ତୁ ମୁଁ ଖୁସି ଏଇଥି ପାଇଁ ଆମ ବାପା ମାଆଙ୍କୁ ଆଉ ପୁଅ ବୋହୁଙ୍କ ପାଖରେ ଚଳିବାକୁ ବା ସେମାନଙ୍କ ଦ୍ୱାରା ଅନାଥାଶ୍ରମକୁ ବିତାଡିତ ହେବାକୁ ପଡିବ ନାହିଁ. ସେତେବେଳକୁ ରେବାଙ୍କ ବଡ଼ ସନ୍ତାନ ପୁଅର ପୁଅଟିଏ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ଦୁହେଁ ପୁଅର ପୁଅଟିଏର ଜେଜେ ଜେଜେମା ଓ ଝିଅର ଝିଅଟିର ଆଈ ଅଜା ହୋଇ ଖୁସି ଥିଲା ବେଳେ ଝିଅର ଦ୍ୱିତୀୟ ସନ୍ତାନ କଣ ହେବ? ତଥା କଣ ହେଲେ ସମସ୍ତେ ଖୁସି ହେବେ ଏକ ଚିନ୍ତାର ବିଷୟ ଥାଏ. ଝିଅ ରିଟୁ ବାପା ମାଆଙ୍କୁ ତା ଶାଶୁ ଘରକୁ ଯେତେ ଡାକିଲେ ମଧ୍ୟ ରେବା ଯିବାକୁ ରାଜି ହୁଅନ୍ତି ନାହିଁ. କାହିଁକିର କାରଣରେ ରେବା ସେଦିନ ତାଙ୍କ ମନର ଖୋଲା କଥା ପ୍ରକାଶ କରିଦେଇଥିଲେ. କହିଥିଲେ କାରଣ.ଝିଅର ଅଭିମାନ ଥିଲା ମାଆ ତୁ ବାପାଙ୍କ ସହ ଭାଇ, ଭାଉଜ ଓ ତୋ ନାତି ପାଖକୁ ବୁଲିବାକୁ ଯାଇ କିଛି ଦିନ ରହୁଛୁ ତ ମୁଁ ଡାକିଲେ କାହିଁକି ମନା କରୁଛୁ?ପ୍ରଶ୍ନରେ ରେବା କହିଥିଲେ ଆରେ ମାଆ ତୋ ଶାଶୁ ଶଶୁର ତୋ ପାଖେ ରହିଲେ ସୁନ୍ଦର. ଆଉ ତୁ ମୋର ଗେଲ୍ଲୀ ଝିଅ ବୋଲି ତୋ ପାଟିକୁ ଯାହା ଆସିବ ତୁ ମାଆ ବାପାଙ୍କୁ କହିପାରିବୁ ଯେଉଁଟା ଶାଶୁଙ୍କୁ କହିପାରିବୁନି. ଠିକ ସେମିତି ଆମ ବୋହୁ ମାନେ ତୋ ଭାଉଜ ଓ ମୁଁ ଆମକୁ ଯେତେ କଷ୍ଟ ଲାଗୁ ବା ନଲାଗୁ ମୁହଁ ଉପରେ କିଛି କେହି କାହାକୁ ନକହି ନୀରବତା ଅବଲମ୍ବନ କରିବୁ.ସେତିକି ତ ସବୁ ମାନ, ଅଭିମାନ, ମନାନ୍ତର ଓ ମତାନ୍ତର ସୁଧୁରି ଯିବାର ଏକମାତ୍ର ସୂତ୍ର. ଝିଅ ରିଟୁ ଚାହିଁଲା ମାଆ ରେବାଙ୍କ ମୁହଁକୁ ଆଉ ଶାଶୁଘର ଫେରିଗଲାବେଳେ ମାଆ ରେବାଙ୍କୁ କହିଲା ମାଆ ତୁ ଜୀବନ ସିନେମାର ଏତେ ପୃଷ୍ଠା କେବେ କାହାଠୁ ପଡ଼ିଲୁ? ରେବା କହୁଥିଲେ ମୋ ମାଆ ବାପାଙ୍କଠୁ. ତ ରିଟୁ କହିଲା ମାଆ ପୀରଜାହାନିଆଁଙ୍କ ପାଖେ ମାନସିକ ରଖ ଏଥର ପୁଅଟିଏ ହେଉ ମୋର. ମାଆ ରେବା କହିଲେ ପୁଅ କଣ ଝିଅ କଣ?ସନ୍ତାନ ସବୁବେଳେ ସନ୍ତାନ. ତେବେ ଏସବୁ ଟିକିଏ ଆଗରୁ ଯାହା କହୁଥିଲୁ?ଆରେ ସେସବୁ ଦାଣ୍ଡ ସୁନ୍ଦର କଥା ମାତ୍ର. ରିଟୁ କିଛି ବୁଝିନପାରି କହୁଥିଲା ଅଜା ତତେ ଯେତିକି ଭଲପାଆନ୍ତି ତୁ ମତେ ସେତିକି ଭଲ ପାଉ ନା ମାଆ? ରେବା କହୁଥିଲେ ଭାଇ ଯେତିକି ତୁ ସେତିକି ମୋ ଝିଅ ମୋ ମାଆ. ରିଟୁ ତଥାପି ସନ୍ଦେହରେ ଚାହିଁଥିଲା ରେବାଙ୍କୁ.ରେବା କହିଥିଲେ ତୁ ପହଁଚିଲା ପରେ ମୋର ବାପାଙ୍କର ପହଁଚିଯିବୁ ଝିଅ. ମନଦୁଃଖ କରନା.କିଛି ଦିନ ପରେ ରିଟୁର ପୁଅଟିଏ ହେବା ଖବରରେ ଅଜା ବୁନ୍ଦିଆଲଡ଼ୁ ବାଣ୍ଟୁଥିଲେ ଆଉ କହୁଥିଲେ ମୋ ଝିଅ କୋଳକୁ ତା ସଂସାର ବାଘ ଆସିଯାଇଛି.ରିଟୁ କିନ୍ତୁ ବୁଝିସାରିଥିଲା ଜୀବନ ସିନେମାର ଅଙ୍କ ପରେ ଅଙ୍କ.

   ତା ଝିଅର ବାହାଘର ବେଳକୁ ନା ଥିଲେ ଅଜା ଆଈ ନା ଥିଲେ ଜେଜେ ଜେଜେମା. ସେଥିରେ ପୁଣି ଜୀବନ ସିନେମାରେ ସମାଜର ମୁଖ୍ୟ ଭୂମିକା ଥିଲା ତ ରିଟୁ ଝିଅର ଶାଶୁ ଘରେ କେହି ଡୁଗୁର ଝିଅ ହେବାକୁ ପସନ୍ଦ କରୁନଥିଲେ.ଡୁଗୁ କିନ୍ତୁ ଯେଉଁ ଝିଅକୁ ଜନ୍ମ ଦେଇ ମାଆ ଦୁର୍ଗାଙ୍କ ସହାୟତାରେ ବଡ଼ କରିଥିଲା ସେ ଡ଼କ୍ଟର କୃପାଳିନୀ ଆଜି ପକ୍ଷୀମାନଙ୍କ ପାଇଁ ଦେବୀ ପାଲଟି ଯାଇଛନ୍ତି. ପିଲାଦିନେ ଗୋଡ଼ ଭାଙ୍ଗିଯାଇଥିବା, ପକ୍ଷ ଚିରିଯାଇଥିବା କି ଥଣ୍ଟ ଭାଙ୍ଗି ଯାଇଥିବା ଚଢେଇ ଦେଖିଲେ ସେ କାନ୍ଦି ପକାନ୍ତି. ତାଙ୍କ ମାଆ ରିଟୁ କୁହନ୍ତି ଜନ୍ମ ହେବା ପରେ ଘରେ କେହି ଖୁସି ନଥିଲେ କାରଣ ଝିଅଟିଏ ହୋଇଛି ବୋଲି କହି ଘୃଣା କରୁଥିଲେ ସମସ୍ତେ.ତାଙ୍କ ମାଆ ଡୁଗୁ ଏକା ଗର୍ଭବେଦନା ସହି ପ୍ରଥମ ସନ୍ତାନକୁ ବୁକୁ ଭରି ଗେଲ କରୁଥିଲେ କିନ୍ତୁ ନର୍ସ ସେତକ ବି କରେଇ ଦେଇନଥିଲେ କାରଣ ଥିଲା କନ୍ୟା ସନ୍ତାନ କାନ୍ଦୁନଥିଲା କି କୌଣସି ପ୍ରତିକ୍ରିୟା ନଥାଇ ଯେମିତି ଜଡ଼ ପାଲଟି ଯାଇଥିଲା. ନର୍ସ ଦିଦି ଜବରଦସ୍ତ ଶିଶୁକନ୍ୟାଟିକୁ ମାଆ ଡୁଗୁଙ୍କ ବୁକୁରୁ ଛଡ଼ାଇ ନେଲାବେଳେ ମାଆ ଡୁଗୁ ଖାଲି କହୁଥିଲା ମାଆ ଦୁର୍ଗା ଦୁର୍ଗତିନାଶିନୀ ମାଆ ମୋ ଝିଅକୁ ବଞ୍ଚେଇଦେ ମାଆ. ମୃତବତ ପଡିରହିଥିବା ଶିଶୁ କନ୍ୟାକୁ ଫିଙ୍ଗି ନଦେଇ ପୋତି ଦେବା ପାଇଁ ଝୁଲାରେ ଶୁଆଇବାର ସେଇ କେଇ ମିନିଟ ଭିତରେ କିଛି ଘଟିଗଲା ଚମତ୍କାରୀତା. ଝରକା ଦେଇ ବାଇଚଢେଇ ଥରକୁ ଥର ଆସି ଶିଶୁକନ୍ୟାଟିର ଛାତିକୁ ଖୁମ୍ପି ଲାଗିଥିଲା. ଘର ଲୋକ ଆସି ନିଷ୍ଠୁର ଭାବେ କନ୍ୟାକୁ ନେଇଯିବାକୁ ବସିବା ପୂର୍ବରୁ କାନ୍ଦିଉଠିଥିଲା ଶିଶୁକନ୍ୟା. ମାଆ ଡୁଗୁର କି ଖୁସି. ମୋ ଝିଅ ମାଆ ଦୁର୍ଗାଙ୍କ କୃପା କରୁଣାରୁ ବଞ୍ଚିଗଲା କହି କୋଳକୁ ନେଲାବେଳେ କହୁଥିଲା ଚଢେଇ ରୂପରେ ଆସି ମାଆ ଦୁର୍ଗା ନିଜେ ନିଜର ମଣିଷ ଜନ୍ମକୁ ସାର୍ଥକ କରିବାକୁ ମୋ ଝିଅ ରୂପେ ମୋ କୋଳକୁ ଆସିଛନ୍ତି. ସମସ୍ତେ ମୁହଁ ବୁଲେଇ ଫେରିପଡୁଥିଲା ବେଳେ ମାଆ ଡୁଗୁ ଜାବୁଡି ଧରିଥିଲେ ସନ୍ତାନକୁ. ନାମ କରଣ କରିଥିଲେ କୃପାଳିନୀ.

  ସେଦିନ ଝିଅ ତା ରୁମରେ ଶୋଇ ପାଠ ପଢୁଥିଲା ବେଳେ ଦେଖିଲା ବାଇ ଚଢେଇଟିଏ କୁଟା କାଠି ଧରି ଝରକାରେ ବସି ଫ୍ୟାନକୁ ଚାହିଁ ରହିଛି. କୃପା ପଢା ଛାଡ଼ି ଦେଖିଲା ଫ୍ୟାନ ଉପରେ ଚଢେଇ ବସା କରିଛି. ଛୁଆ କରିବ ବୋଲି ମାଆ ଚଢେଇର କି ଯତ୍ନ ଆଉ ପ୍ରଚେଷ୍ଟା! ଉଠିଲା କୃପା, ବନ୍ଦ କଲା ଫ୍ୟାନ. ଦେଖିଲା ଚଢେଇ ଉଡ଼ିଗଲା ଫ୍ୟାନ ଉପରକୁ ଆଉ ନୀଡ଼ ଗଢୁଥିଲା ପରିପୂର୍ଣ୍ଣ କୌଶଳରେ ତ କୃପା ସବୁଦିନ ପାଇଁ ଫ୍ୟାନରୁ ଇଲେକ୍ଟ୍ରି ସଂଯୋଗ କାଢ଼ିଦେଲା. ଝାଳନାଳ ହୋଇ ପାଠ ପଢିବା ବେଳେ ମାଆ ପଚାରିଥିଲେ ଫ୍ୟାନ କାହିଁକି ବୁଲୁନି ଝିଅ?ତ କୃପା ଦେଖେଇଦେଇଥିଲା ବାଇ ଚଢେଇ ପେଟତଳେ ଅଣ୍ଡା ଜାକି ବସିଛି. ଏସବୁ ଦେଖି ମାଆ ଡୁଗୁ ଖୁସି ହୋଇ କୃପାକୁ ତା ଜନ୍ମ ବେଳର କଥା କହିଥିଲେ କିନ୍ତୁ ଝିଅକୁ ଅନ୍ୟ ଘରକୁ ନେଇଯାଇଥିଲେ.।

  ସେଦିନ ବାପାଙ୍କ ପୁରୁଣା ବନ୍ଧୁଙ୍କ ପାଇଁ ରହିବା ବ୍ୟବସ୍ଥା କରିବାକୁ ଯାଇ ସେହି ଘରଟିକୁ ବାପା ବନ୍ଧୁଙ୍କ ପାଇଁ ସଜାଡୁ ସଜାଡୁ ଫ୍ୟାନରେ ଇଲେକ୍ଟ୍ରି ସଂଯୋଗ ଦେଇ ସୁଇଚ ଟିପିଦେଲେ ତ ଚଢେଇ ସହ ତାର ତିନୋଟି ଛୁଆ ତଳକୁ ଖସିପଡିଲେ. ମାଆ ଡୁଗୁଙ୍କ ସଙ୍ଗେ କୃପା ଦଉଡି ଆସିଥିଲା ସେ ଘରକୁ. ଛୁଆମାନେ ବଞ୍ଚିଗଲେ ମଧ୍ୟ ମାଆ ଚଢେଇଟି ମରିଗଲା. ଛୁଆ ତିନୋଟି ବଞ୍ଚି ଗଲେ ମଧ୍ୟ ବିକଳାଙ୍ଗ ଥିଲେ. ଗୋଟିଏ ଲେଖାଏଁ ଗୋଡ଼ ହରାଇ ସେମାନେ କଷ୍ଟରେ ଚଳ ପ୍ରଚଳ କରୁଥିଲେ. ତାଙ୍କ ସବୁ କାମ କରୁ କରୁ କୃପା ପ୍ରତିଜ୍ଞା କଲା ପକ୍ଷୀ ବିଶେଷଜ୍ଞ ହେବ ଓ ତାଙ୍କୁ ବିକଳାଙ୍ଗ ହେବାରୁ ରକ୍ଷା କରିବ. ସତକୁ ସତ ଆଜି କୃପା ତା ଲକ୍ଷରେ ପହଞ୍ଚି କେତେ ଆହତ ପକ୍ଷୀଙ୍କୁ ଠିକ କଲାବେଳେ, ତାଙ୍କ ଗୋଡ଼, ପକ୍ଷ, ଥଣ୍ଟର ପ୍ରତିରୋପଣ କଲାବେଳେ ସେଦିନର ସେଇ ପକ୍ଷୀ ତିନୋଟିଙ୍କ କଥା ମନେ ପକାଏ. ଉଚ୍ଚ ଶିକ୍ଷା ପାଇଁ ବିଦେଶରେ ଥିଲା ବେଳେ ପକ୍ଷୀ ତିନିଗୋଟି ଆସି ତାକୁ ଅନ୍ୱେଷଣ କରି ବସି ରହନ୍ତି. ମାଆ ଡୁଗୁ ଖାଇବାକୁ ଦେଲେ ନଖାଇ ଚୁପ ଚାପ ଉଡିଯାଆନ୍ତି. ଏବେ ତାଙ୍କ ଗୋଡ଼ ଠିକ କରିବାକୁ କୃପା ଚାହିଁ ରହିଥିଲେ ମଧ୍ୟ ସେମାନେ ବା ସେମାନଙ୍କ ଭିତରୁ କାହାର କେବେ ଦେଖା ନାହିଁ. ମାଆ ଡୁଗୁ ସେମାନଙ୍କୁ ଦୁର୍ଗାଙ୍କ ରୂପ କହୁଥିଲା ବେଳେ ମନବୁଝେନା କୃପାର ତ ସେ ଚାହିଁ ରହେ ନୀଳ ଆକାଶକୁ. ଶୁନ୍ୟରୁ ମହାଶୁନ୍ୟକୁ. ସେଠି ପକ୍ଷୀ ନଥାଏ କିନ୍ତୁ ଦୁର୍ଗାଙ୍କ ଦିବ୍ୟରୂପ ପ୍ରକଟ ହୁଏ ତା ଆଖି ସାମ୍ନାରେ.।


Rate this content
Log in

Similar oriya story from Tragedy