ପୁରା ଚୁପ
ପୁରା ଚୁପ
ରୁନି ଯେତେବେଳେ ପିଲାଥିଲେ ବାପା କହୁଥିଲେ ବଡ଼ମଣିଷ ହେବାକୁ ହେଲେ କେତେଗୁଡିଏ ନିୟମ ମାନି ଚଳିବାକୁ ପଡିବ ଝିଅ ଯଥା ସକାଳୁ ଉଠିବା, ବ୍ୟାୟାମ କରିବା, ସତ କହିବା ସଙ୍ଗେ ବିନୟ ବଚନ କହି ଜନ ମନ ତୋଷିବା, ଆଜି କାମ ବର୍ତ୍ତମାନ କରିନେବା, ଗୁରୁ ଗୁରୁଜନମାନଙ୍କୁ ଭକ୍ତି କରିବା ସହିତ ଇଶ୍ୱରଙ୍କ ସତ୍ତା ପାଇବାକୁ ପ୍ରତ୍ୟେହ ଭଜନ ଓ ଜଣାଣ କରିବା ଇତ୍ୟାଦି.ତା ଭିତରୁ ସଅଳ ଶୋଇ ସଅଳ ଉଠିବା କଥାଟାକୁ ବୋଉ ମଧ୍ୟ ଗୁରୁତ୍ୱ ଦିଏ. ପରବର୍ତ୍ତୀ ଜୀଵନ ପାଇଁ ଚଞ୍ଚଳ ଉଠିବା ନିହାତି ଜରୁରୀ ବୋଲି ବାପା ଓ ବୋଉ ଦୁହେଁ ଶିଖେଇଥାଆନ୍ତି. ରୁନି ଟିକେ ଅଳସୁଆ ଥାଆନ୍ତି ପିଲାଦିନେ ତ ବାପା କେତେବେଳେ ଅଳସୁଆ ଦୁଃଖ ପାଏ କହି ପିମ୍ପୁଡି ଓ ଝିଣ୍ଟିକା କାହାଣୀ କହନ୍ତି ତ କେତେବେଳେ ରୁନିଙ୍କ ସମସାମୟିକ ସାଙ୍ଗ ମାନଙ୍କୁ ଡାକି ଆଣି ଦେଖେଇ କହନ୍ତି ତୁମେ ମାନେ ସୁନାଝିଅ ବୋଲି ସକାଳୁ ଉଠି ନିତ୍ୟକର୍ମ ସାରି ପାଠ ପଢିବାକୁ ବାହାରିଲଣି ହେଲେ ଆମ ଝିଅ ଶୋଇଛି ଦେଖୁନ ଏଯାଏଁ . ବୋଉ ମଧ୍ୟ ଯୋଡିଦିଏ ବଡ଼ ହୋଇ ଯେତେ ପାଠ ପଢ଼ ଝିଅପିଲା ଚୁଲିମୁଣ୍ଡକୁ. ପିଲାଦିନୁ ଏମିତି ଶୋଇବା ଅଭ୍ୟାସ ଥିଲେ ପରବର୍ତ୍ତୀ ଜୀବନରେ ସକାଳୁ ଉଠିଲେ ଦିନସାରା ରାତିଅନିଦ୍ରା ପରି ଲାଗୁଥିବ ତ କାହାର କଣ କରିବ କି ସେବା! ନା ଶାଶୁ ଶାଶୁରଙ୍କର ନା ସ୍ୱାମୀ ଦିଅର ଦେଢ଼ଶୁରଙ୍କର ନା ସନ୍ତାନସନ୍ତତିଙ୍କର ନା ନିଜର!ସେଇଦିନୁ ରୁନି ଆଉ ଡେରିରେ ଉଠିବା କେହି ଦେଖିନି. ପିତା ମାତାଙ୍କ ମୃଦୁ ଗାଳି ତାଙ୍କୁ ସଂସ୍କାର ଶିଖେଇଛି ସଂସ୍କୃତି ଆପଣେଇ ଆଗକୁ ବଢ଼େଇଛି ତ ସେ କେତେ ପରିମାଣରେ ଆଦର୍ଶ ଝିଅ ଓ ବୋହୁ କି ସ୍ତ୍ରୀ ଅବା ନାରୀ ବନିଛନ୍ତି ତାହା ତାଙ୍କ ସଙ୍ଗେ ମିଶୁଥିବା ଓ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକ କହିବେ କିନ୍ତୁ ନିଜେ ସେ ଅନୁଭବ କରିଛନ୍ତି ଗୁରୁଙ୍କ କଥା ମାନି ଅଳ୍ପ ବା ସ୍ୱାନ ନିଦ୍ରା, ଅଳ୍ପ ଆହାର, ପ୍ରବାସୀ ହେବା , ଶୀଘ୍ର ସ୍ନାନ ତଥା ନିତ୍ୟକର୍ମ ସାରିବା ଓ ଅଳ୍ପ କଥା କହିବା ଦ୍ୱାରା ପାଠ ପଢ଼ାରେ ଆଗେଇବା ସହ ଚାକିରୀ କ୍ଷେତ୍ରରେ ପ୍ରସଂଶିତ ହୋଇ ଗୁରୁଦାଇତ୍ୱ ନିଭେଇବା ସହ ସ୍ୱାମୀଙ୍କ ସଙ୍ଗେ ପାଦ ମିଳେଇ ଚାଲିବା ବେଳେ ଦୁଇ ପୁତ୍ର କନ୍ୟାଙ୍କୁ ମଣିଷ ପରି ମଣିଷ କଲାବେଳେ ଭୁଲି ଯାଇଛନ୍ତି ନିଦ ବା ଅଳସୁଆମି.ତା ଭିତରେ ପୁଅ ଝିଅ ବାହାଚୋରା ହୋଇ ତାଙ୍କର ଯଥାକ୍ରମେ ନାତି ଓ ନାତୁଣୀ ଦେଖି ଅବସର ପରେ ସ୍ୱାମୀଙ୍କ ସହ ଜୀଵନ ସାରା ପାଇନଥିବା ସୁଖ ଅର୍ଥାତ କୁଆଡେ ଟିକେ ବୁଲିବାକୁ ଯିବା, ହୋଟେଲରେ ଖାଇବା, ସମୁଦ୍ରକୂଳେ ଘଡିଏ ବସିବା, ଜୀବନର ଅନୁଭୂତିକୁ ଗଳ୍ପ କବିତାରେ ପରପିଢ଼ି ପାଇଁ କିଛି ବାର୍ତ୍ତା ଛାଡିଯିବା ପ୍ରୟାସରେ ନିଦ ହଜିଯାଇଛି ଆଖିରୁ.
ପୁଅର ପୁଅ ନାତି ଜନ୍ମ ହେଲାବେଳେ ହେଉ ବା ଝିଅର ଝିଅ ନାତୁଣୀ ଜନ୍ମ ବେଳେ ହେଉ ରୁନି ଚାକିରୀ କରୁଥିଲେ ବି କଥାରେ କଥାରେ ଝିଅ ବୋହୁଙ୍କୁ ଜଣେଇଦେଇଥିଲେ ଯେ ସେ ନିଜ ପୁଅ ଝିଅଙ୍କୁ ମଣିଷ କରିବାରେ ସବୁ ସମୟ ସରିଛି ତାଙ୍କର ଏଣିକି ତୁମ ସନ୍ତାନମାନଙ୍କୁ ତୁମେ କିପରି ମଣିଷ କରିବା ସହ ସଂସାର ଓ ଚାକିରୀର ସ୍ଥାୟୀତ୍ବ ରକ୍ଷାକର ତ ସେତେବେଳେ ହସରେ ଉଡେଇ ଦେଇଥିବା ଝିଅ ଓ ବୋହୁ ଅଭିଯୋଗ ବାଢ଼ନ୍ତି ରୁନିଙ୍କ ପାଖରେ ଯେ ଟିକେ ବି ଶୋଇପାରୁନୁ ମାଆ. ଦ୍ୱିତୀୟ ସନ୍ତାନ କରିବା ସମ୍ଭବ ନୁହେଁ. ଆପଣ କେମିତି ଯେ ଦୁଇଟି ସନ୍ତାନ କରିପାରିଲେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ତ ନିଶ୍ଚୟ ଆପଣଙ୍କ ଶାଶୁ , ନଣନ୍ଦ, ଯାଆ ବା ଆଈ ଆପଣଙ୍କୁ ସାହାଯ୍ୟ କରିଥିବେ ତ ରୁନି କହିଥିଲେ ନା ସେମିତି ସୁଯୋଗ ନଥିଲା. ଯୌଥ ପରିବାରର ସୁଯୋଗ ଥାଇ ମଧ୍ୟ ଚାକିରୀ କରୁଥିବାରୁ ଦୂରରେ ରହିବାକୁ ପଡୁଥିଲା ଆଉ ଶାଶୁଙ୍କୁ ସେ ଦାଇତ୍ୱ ଦେବାର ସାହାସ ନଥିଲା କାରଣ ବୋହୁ ଆସିବା ପରେ ଶାଶୁ ଶଶୁରଙ୍କ ସେବା କରିବା କଥା.ସେତକ ଯେତେବେଳେ ଚାକିରିଆ ବୋହୁ ହିସାବରେ ଦେଇ ପାରୁନେ ତାଙ୍କ ବୟସର ଅପରାହ୍ନରେ ତାଙ୍କୁ ଖଟେଇବା ଉଚିତ ମଣୁ ନଥିଲୁ ଆମେ. ତ କେମିତି ସବୁ ସମ୍ଭାଳି ପାରିଲେ ମା ପଚାରନ୍ତି ଝିଅ ଓ ବୋହୁ ଦୁହେଁ. ନିଶ୍ଚୟ ଲୋକ ରଖିଥିବେ. ନା ବାପା ତୁମର ଲୋକ ରଖିବା ସପକ୍ଷରେ ନଥିଲେ ତା ଛଡା ଆମେ ଯେଉଁ ଜାଗାରେ ରହୁଥିଲୁ ସେଠାରେ ସ୍ତ୍ରୀ ଲୋକମାନେ ମୁଣ୍ଡିଆରୁ କାଠ ହାଣିବେ, କଂକ୍ରିଟ ଘର ତୋଳା ପାଇଁ ସାହାୟିକା ହେବେ ପଛେ କାହା ଘରକୁ ଯାଇ ବାସି ପାଇଟି କରିବା ବା ଛୁଆ ସମ୍ଭାଳିବା କାମ କରୁନଥିଲେ. ତାଙ୍କର ମଧ୍ୟ ପୁଅ ଝିଅ ସଂସାର ଥିଲା ନା. ପିଠିରେ ଛୁଆକୁ ବାନ୍ଧି ମୁଣ୍ଡରେ ଇଟା ବୋହିବା ଦୃଶ୍ୟରେ ପ୍ରେରଣା ମିଳେ. ତଥାପି କେମିତି ପାରିଲେ ଆପଣ ପଚାରନ୍ତି ଦୁହେଁ ତ ରୁନି ଗପ କୁହନ୍ତି.
ତୁମେ ଦୁହେଁ ଶୁଣିଥିବ ଜଣେ ରାଜାଙ୍କ ମନରେ ପ୍ରଶ୍ନ ଉଠିଲା ସବୁଠାରୁ ପ୍ରକୃଷ୍ଠ ସମୟ କୋଉଟା, ଅନେକ କାର୍ଯ୍ୟ ଭିତରୁ କୋଉ କାମ ପ୍ରଥମେ କରିବା
ଉଚିତ ପୁଣି କୋଉ ଵ୍ୟକ୍ତି ତୁମର ସବୁଠୁ ପାଖ ଲୋକ? ଏ ତିନିଟି ପ୍ରଶ୍ନର ଉତ୍ତର ବିଜ୍ଞ ଲୋକମାନେ ଠିକ ଠିକ ଭାବେ ଦେଇପାରିନଥିବାରୁ ସେଦିନ ରାଜା ଅଶ୍ଵାରୋହଣ କରି ଜଙ୍ଗଲରେ ଥିବା ସାଧୁଙ୍କ ପାଖକୁ ଯାଇ ସଠିକ ଉତ୍ତର ପଚାରିବାକୁ ପହଁଚିଲା ବେଳକୁ ସାଧୁ ଉତ୍ତୋରତ୍ତର ବୟସରେ ମଧ୍ୟ ମାଟି ହାଣି, ମଞ୍ଜି ବୁଣି, ଗଛ ଲଗାଇ କିଆରୀରେ ପାଣି ଦେଉଥିଲେ. ରାଜାଙ୍କ ପ୍ରଶ୍ନ ଶୁଣି ମଧ୍ୟ କିଛି ଉତ୍ତର ନଦେବାରୁ ରାଜା ଅଶ୍ୱଟିକୁ ଗଛରେ ବାନ୍ଧି ସାଧୁଙ୍କ କାମରେ ହାତବଟେଇବାକୁ ଲାଗିଲେ. ଏମିତି ଏମିତି ସନ୍ଧ୍ୟା ହୋଇଆସିବାରୁ ଏବଂ ସାଧୁଙ୍କ ଠାରୁ କୌଣସି ଉତ୍ତର ନପାଇବାରୁ ରାଜା ଫେରିବାକୁ ବସିଛନ୍ତି ଜଣେ ଵ୍ୟକ୍ତି ପହଁଚିଲେ. ତାଙ୍କ ପିଠିରୁ ରକ୍ତ ଝରୁଥିଲା. ସେ ରାଜାଙ୍କ ଗୋଡ଼ ପାଖେ କଚାଡି ହୋଇ ପଡିଗଲେ ତ ସାଧୁଙ୍କ ସଙ୍ଗେ ମିଶି ରାଜା ସେହି ବ୍ୟକ୍ତିଙ୍କୁ ଭିତରକୁ ଟେକି ନେଇ ତାଙ୍କ ଶୁଶୃଷାରେ ଲାଗିପଡିଲେ. ଲୋକଟି ସାଷ୍ଟାଙ୍ଗ ହୋଇ ବିଶ୍ରାମ କରିବା ବେଳକୁ ରାତି ଓ ରାଜା ହାଲିଆ ହୋଇ ସେଇଠି ଶୋଇ ପଡିଲେ. ସକାଳୁ ଲୋକଟି ରାଜାଙ୍କୁ କହୁଥିଲା ଆପଣ ମୋ ଭାଇକୁ ଫାଶୀ ଦଣ୍ଡ ଦେଇ ମାରିଥିବାରୁ ଆପଣଙ୍କୁ ଅନୁସରଣ କରି ମାରିବାକୁ ଆସିଥିଲି ହେଲେ ଆପଣଙ୍କ ଦେହରକ୍ଷୀମାନେ ଆପଣଙ୍କ ଶତ୍ରୁ ବୋଲି ଜାଣିପାରି ମତେ ଆକ୍ରମଣ କଲେ ସତ ହେଲେ ଆପଣଙ୍କ ଯୋଗୁଁ ମୋ ଜୀଵନ ବଞ୍ଚିଗଲା ମହାଭାଗ. ଆପଣଙ୍କ ଋଣ ଶୁଝି ପାରିବି ନାହିଁ. ସାଧୁ କହିଲେ ରାଜା ଏଥର ବୁଝିଲତ ଉପଯୁକ୍ତ ସମୟ କୋଉଟା ଓ ଉପଯୁକ୍ତ କାମ କୋଉଟା ଓ ପ୍ରକୃଷ୍ଠ ଵ୍ୟକ୍ତି କିଏ? ରାଜା ଅବୁଝା ଆଖିରେ ଚାହିଁଥିଲା ବେଳେ ସାଧୁ କହିଲେ କାଲି ମୋ ସହ କାମରେ ସାହାଯ୍ୟ ନକରି ଫେରିଯାଇଥିଲେ ଏହି ଵ୍ୟକ୍ତି ତୁମର ପ୍ରାଣ ନେଇଥାଆନ୍ତା. ସେ ସମୟରେ ମତେ ସାହାଯ୍ୟ କରିବା ତୁମର ପ୍ରକୃଷ୍ଠ ସମୟ ଥିଲା ଓ ମୋ କାମ ଓ ମୁଁ ଥିଲି ଉପଯୁକ୍ତ କାର୍ଯ୍ୟ ଓ ଵ୍ୟକ୍ତିବିଶେଷ . ଦ୍ୱିତୀୟ ପର୍ଯ୍ୟାୟରେ କ୍ଷତାକ୍ତ ବ୍ୟକ୍ତିକୁ ସାହାଯ୍ୟ କରିବା ଓ ସେବା ଯୋଗାଇଦେବା ଥିଲା ପ୍ରକୃଷ୍ଠ ସମୟ ସହିତ ସେବା ଉପଯୁକ୍ତ କାର୍ଯ୍ୟ ଓ କ୍ଷତାକ୍ତ ଵ୍ୟକ୍ତି ହିଁ ତୁମର ଉପଯୁକ୍ତ ଵ୍ୟକ୍ତି.ରାଜା ହୋଇ ତାର ସେବା କରିବା ଦ୍ୱାରା ଶତ୍ରୁ ମଧ୍ୟ ମିତ୍ର ହୋଇପାରିଲା. ରାଜା କହିଲେ ବୁଝିଲି ମହାଭାଗ ସମୟ ଅନୁସାରେ ଯେତେବେଳେ ଯୋଉ କାମ କରିବା କଥା ତାହା ଶ୍ରେଷ୍ଠ ଓ ଯେତେବେଳେ ଯୋଉ ଵ୍ୟକ୍ତି ପାଖରେ ଥାଏ ସେତେବେଳେ ସେ ଵ୍ୟକ୍ତି ହିଁ ଉପଯୁକ୍ତ ଵ୍ୟକ୍ତି ତା ପାଇଁ.
ଗପଟି ଶୁଣି ଝିଅ ଓ ବୋହୁ କହୁଥିଲେ ଏ ଗପ ଆପଣ ପଢ଼େଇଥିବେ ନିଶ୍ଚୟ ଶ୍ରେଣୀରେ କାରଣ ଆମେ ଦୁହେଁ ମଧ୍ୟ ପଢିକି ବୁଝିଛୁ ହେଲେ ପିଲାଙ୍କ ଲାଳନ ପାଳନ ପାଇଁ ଏ ଗଳ୍ପ କେତେଦୂର ସାହାୟକ ମାଆ!ଏଥର ରୁନି କହିଲେ ପାଖରେ ଥିବା ପଡୋଶୀ, ପାଖରେ ଥିବା ଦୂର ସମ୍ପର୍କୀୟଙ୍କ ମନ ଜିତି ସମ୍ପର୍କ ଯୋଡି ସମୟ ସାଥିରେ ପରଙ୍କୁ ଆପଣାର କରିପାରିଲେ ପିଲା ଲାଳନ ପାଳନ କଣ ସବୁ କାର୍ଯ୍ୟ ସଫଳ ହୁଏ. ଏତିକି ବେଳେ ଝିଅ କହୁଥିଲା ବହୁତ ଦିନ ହେଲାଣି ଶୋଇନି ମାଆ. ସେଇଥିପାଇଁ ଦଶହରା ଛୁଟିରେ ତୋ ପାଖକୁ ଆସିଛି ଶାଶୁଙ୍କ ପାଖେ ଝିଅକୁ ଛାଡି ଟିକେ ଶୋଇବି ବୋଲି. ମତେ କାଲି ସକାଳୁ ଡାକିବୁନି ମୁଁ ମନକୁ ଉଠିବି. ବୋହୁ ବି କହୁଥିଲା ଆପଣଙ୍କ ନାତି ମତେ ଜମା ଶୁଆଇ ଦେଉନି ସେଇଥିପାଇଁ ତାକୁ ତା ଆଈ ପାଖେ ଛାଡିକି ଆସିଛି ଶାନ୍ତିରେ ଶୋଇବି ବୋଲି. ତା ଆରଦିନ ରୁନି ଉଠି ଟିଫିନ ସାରି ଲଞ୍ଚ ଯୋଗାଡ଼ କରିସାରିଥିଲେ ବି ଝିଅ ଓ ବୋହୁ ଦୁହିଁଙ୍କ ଦୁଆର ଫିଟି ନଥିଲା. ରୁନିଙ୍କ ଆଖିକୁ କିନ୍ତୁ ନିଦ ନଥିଲା, ଦଶହରା ଆସୁଛି ପରେ ପରେ କୁମାରପୂର୍ଣ୍ଣମୀ. କୋଉ ପିଠା କରିବେ, କେମିତି ସଜ ବସେଇବେ, ଚାନ୍ଦ ଚକଟିବେ ଇତ୍ୟାଦି ଭାବୁ ଭାବୁ ଛୁଟି ସରିଯାଇଥିଲା. ଝିଅ ବୋହୁ ଫେରିବା ପରେ ବି ଅଳସ ଆଖିପତା ବୁଜିଦେବାକୁ ସମୟ ନଥିଲା ବାତ୍ୟା ଦାନା ଆସୁଛି. ତା ପରେ ପରେ ଦୀପାବଳୀର ପୟା ଶ୍ରାଦ୍ଧ ସାଙ୍ଗକୁ କାଳୀପୂଜା. ଏଥର ଝିଅ ବୋହୁ ଫୋନ କରି ପଚାରୁଥିଲେ ମାଆ ଦୀପାବଳୀକୁ ଆମେ ଯାଉଛୁ ରୁନି ହଁ କି ନାହିଁ କହିବା ଦୂରେ ଥାଉ ଏକଦମ ଚୁପ ଥିଲେ ତାର ଅର୍ଥ କଣ ସ୍ୱାମୀ ବିସ୍ଲେସଣ କରି ବୁଝିନପାରି ଫୋନ ଧରିଥିଲେ ତ ଝିଅ କହୁଥିଲା ମାଆକୁ କିଛି ଦିନ ମୋ ପାଖକୁ ଛାଡ଼ ବାପା ତା ଦେହ ମନ ଭଲ ରହିବ. ବୋହୁ ମଧ୍ୟ କହୁଥିଲା ମୋ ପୁଅ ମାଆଙ୍କୁ ବହୁତ ଖୋଜୁଛି ମାଆ ଟିକେ ଆସିଲେ ପୁଅ ତାଙ୍କ ପାଖେ ରହିଲେ ମୁଁ ଅଫିସ ଯାଆନ୍ତି କାରଣ ତାକୁ ଦେଖାଶୁଣା ତଥା ଜଗାରଖା କରିବା ପାଇଁ ନିଯୁକ୍ତି ପାଇଥିବା ଝିଅଟା ଆସୁନି ତା ଦେହ ଖରାପ ବୋଲି. ସ୍ୱାମୀ କହୁଥିଲେ କଣ କହୁଛ ରୁନି ଝିଅ ପାଖକୁ ଯିବ ନା ବୋହୁ ପାଖକୁ? ରୁନି ଏକଦମ ବା ପୁରା ଚୁପ ଥିଲେ ଏଯାବତ.ବର୍ଷା କିନ୍ତୁ ପଡୁଥିଲା ଟୁପୁରୁ ଟୁପୁରୁ କାରଣ ବାତ୍ୟା ଦାନା ବସା ବାନ୍ଧିଆସୁଥିଲା ।