ପକ୍ଷୀ ରୂପେ ଦେବୀ
ପକ୍ଷୀ ରୂପେ ଦେବୀ
ଝିଅ ଡୁଗୁର ବାହାଘର ବେଳକୁ ନା ଥିଲେ ଅଜା ଆଈ ନା ଥିଲେ ଜେଜେ ଜେଜେମା. ସେଥିରେ ପୁଣି ଜୀବନ ସିନେମାରେ ମୁଖ୍ୟ ଭୂମିକା ଥିଲା ସମାଜ ତ ରିଟୁ ଝିଅ ଡୁଗୁର ଶାଶୁ ଘରେ କେହି ଡୁଗୁର ଝିଅ ଜନ୍ମ ହେବାକୁ ପସନ୍ଦ କରୁନଥିଲେ.ଡୁଗୁ କିନ୍ତୁ ନିଜ ଝିଅକୁ ଜନ୍ମ ଦେଇ ଦେବୀମାଆଙ୍କ କରୁଣାରେ ଯାହାକୁ ବଡ଼ କରିଥିଲା ସେ ଡ଼କ୍ଟର କୃପାଳିନୀ ଆଜି ପକ୍ଷୀମାନଙ୍କ ପାଇଁ ଦେବୀ ପାଲଟି ଯାଇଛନ୍ତି. ପିଲାଦିନେ ଗୋଡ଼ ଭାଙ୍ଗିଯାଇଥିବା, ପକ୍ଷ ଚିରିଯାଇଥିବା କି ଥଣ୍ଟ ଭାଙ୍ଗି ଯାଇଥିବା ଚଢେଇ ଦେଖିଲେ ସେ କାନ୍ଦି ପକାନ୍ତି. ତାଙ୍କମାଆ ଡୁଗୁ କୁହନ୍ତି ସେ ଜନ୍ମ ହେବା ପରେ ଘରେ କେହି ଖୁସି ନଥିଲେ କାରଣ ଝିଅଟିଏ ହୋଇଛି ବୋଲି କହି ଘୃଣା କରୁଥିଲେ ସମସ୍ତେ.ତାଙ୍କ ମାଆ ଡୁଗୁ ଏକା ଗର୍ଭବେଦନା ସହି ପ୍ରଥମ ସନ୍ତାନକୁ ବୁକୁ ଭରି ଗେଲ କରୁଥିଲେ କିନ୍ତୁ ନର୍ସ ସେତକ ବି କରେଇ ଦେଇନଥିଲେ କାରଣ ଥିଲା କନ୍ୟା ସନ୍ତାନ କାନ୍ଦୁନଥିଲା କି କୌଣସି ପ୍ରତିକ୍ରିୟା ନଥାଇ ଯେମିତି ଜଡ଼ ପାଲଟି ଯାଇଥିଲା. ନର୍ସ ଦିଦି ଜବରଦସ୍ତ ଶିଶୁକନ୍ୟାଟିକୁ ମାଆ ଡୁଗୁ ବୁକୁରୁ ଛଡ଼ାଇ ନେଲାବେଳେ ମାଆ ଡୁଗୁ ଖାଲି କହୁଥିଲା ମାଆ ଦୁର୍ଗା ଦୁର୍ଗତିନାଶିନୀ ମାଆ ମୋ ଝିଅକୁ ବଞ୍ଚେଇଦେ ମାଆ. ମୃତବତ ପଡିରହିଥିବା ଶିଶୁ କନ୍ୟାକୁ ଫିଙ୍ଗି ନଦେଇ ପୋତି ଦେବା ପାଇଁ ଝୁଲାରେ ଶୁଆଇବାର ସେଇ କେଇ ମିନିଟ ଭିତରେ କିଛି ଘଟିଗଲା ଚମତ୍କାରିତା. ଝରକା ଦେଇ ବାଇଚଢେଇ ଥରକୁ ଥର ଆସି ଶିଶୁକନ୍ୟାଟିର ଛାତିକୁ ଖୁମ୍ପି ଲାଗିଥିଲା. ଘର ଲୋକ ଆସି ନିଷ୍ଠୁର ଭାବେ କନ୍ୟାକୁ ନେଇଯିବାକୁ ବସିବା ପୂର୍ବରୁ କାନ୍ଦିଉଠିଥିଲା ଶିଶୁକନ୍ୟା. ମାଆ ଡୁଗୁର କି ଖୁସି. ମୋ ଝିଅ ମାଆ ଦୁର୍ଗାଙ୍କ କୃପା କରୁଣାରୁ ବଞ୍ଚିଗଲା କହି କୋଳକୁ ନେଲାବେଳେ କହୁଥିଲା ଚଢେଇ ରୂପରେ ଆସି ମାଆ ଦୁର୍ଗା ନିଜେ ନିଜର ମଣିଷ ଜନ୍ମକୁ ସାର୍ଥକ କରିବାକୁ ମୋ ଝିଅ ରୂପେ ମୋ କୋଳକୁ ଆସିଛନ୍ତି. ସମସ୍ତେ ମୁହଁ ବୁଲେଇ ଫେରିପଡୁଥିଲା ବେଳେ ଡୁଗୁ ଜାବୁଡି ଧରିଥିଲେ ସନ୍ତାନକୁ. ନାମ କରଣ କରିଥିଲେ କୃପାଳିନୀ.।
ସେଦିନ ଝିଅ ତା ରୁମରେ ଶୋଇ ପାଠ ପଢୁଥିଲା ବେଳେ ଦେଖିଲା ବାଇ ଚଢେଇଟିଏ କୁଟା କାଠି ଧରି ଝରକାରେ ବସି ଫ୍ୟାନକୁ ଚାହିଁ ରହିଛି. କୃପା ପଢା ଛାଡ଼ି ଦେଖିଲା ଫ୍ୟାନ ଉପରେ ଚଢେଇ ବସା କରିଛି. ଛୁଆ କରିବ ବୋଲି ମାଆ ଚଢେଇର କି ଯତ୍ନ ଆଉ ପ୍ରଚେଷ୍ଟା! ଉଠିଲା କୃପା, ବନ୍ଦ କଲା ଫ୍ୟାନ. ଦେଖିଲା ଚଢେଇ ଉଡ଼ିଗଲା ଫ୍ୟାନ ଉପରକୁ ଆଉ ନୀଡ଼ ଗଢୁଥିଲା ପରିପୂର୍ଣ୍ଣ କୌଶଳରେ ତ କୃପା ସବୁଦିନ ପାଇଁ ଫ୍ୟାନରୁ ଇଲେକ୍ଟ୍ରି ସଂଯୋଗ କାଢ଼ିଦେଲା. ଝାଳନାଳ ହୋଇ ପାଠ ପଢିବା ବେଳେ ମାଆ ଡୁଗୁ ପଚାରିଥିଲେ ଫ୍ୟାନ କାହିଁକି ବୁଲୁନି ଝିଅ?ତ କୃପା ଦେଖେଇଦେଇଥିଲା ବାଇ ଚଢେଇ ପେଟତଳେ ଅଣ୍ଡା ଜାକି ବସିଛି. ଏସବୁ ଦେଖି ମାଆ ଡୁଗୁ ଖୁସି ହୋଇ କୃପାକୁ ତା ଜନ୍ମ ବେଳର କଥା କହିଥିଲେ କିନ୍ତୁ ଝିଅକୁ ଅନ୍ୟ ଘରକୁ ନେଇଯାଇଥିଲେ.।
ସେଦିନ ବାପାଙ୍କ ପୁରୁଣା ବନ୍ଧୁଙ୍କ ପାଇଁ ରହିବା ବ୍ୟବସ୍ଥା କରିବାକୁ ଯାଇ ସେହି ଘରଟିକୁ ବାପା ବନ୍ଧୁଙ୍କ ପାଇଁ ସଜାଡୁ ସଜାଡୁ ଫ୍ୟାନରେ ଇଲେକ୍ଟ୍ରି ସଂଯୋଗ ଦେଇ ସୁଇଚ ଟିପିଦେଲେ ତ ଚଢେଇ ସହ ତାର ତିନୋଟି ଛୁଆ ତଳକୁ ଖସିପଡିଲେ. ମାଆ ଡୁଗୁଙ୍କ ସଙ୍ଗେ କୃପା ଦଉଡି ଆସିଥିଲା ସେ ଘରକୁ. ଛୁଆମାନେ ବଞ୍ଚିଗଲେ ମଧ୍ୟ ମାଆ ଚଢେଇଟି ମରିଗଲା. ଛୁଆ ତିନୋଟି ବଞ୍ଚି ଗଲେ ମଧ୍ୟ ବିକଳାଙ୍ଗ ଥିଲେ. ଗୋଟିଏ ଲେଖାଏଁ ଗୋଡ଼ ହରାଇ ସେମାନେ କଷ୍ଟରେ ଚଳ ପ୍ରଚଳ କରୁଥିଲେ. ତାଙ୍କ ସବୁ କାମ କରୁ କରୁ କୃପା ପ୍ରତିଜ୍ଞା କଲା ପକ୍ଷୀ ବିଶେଷଜ୍ଞ ହେବ ଓ ତାଙ୍କୁ ବିକଳାଙ୍ଗ ହେବାରୁ ରକ୍ଷା କରିବ. ସତକୁ ସତ ଆଜି କୃପା ତା ଲକ୍ଷରେ ପହଞ୍ଚି କେତେ ଆହତ ପକ୍ଷୀଙ୍କୁ ଠିକ କଲାବେଳେ, ତାଙ୍କ ଗୋଡ଼, ପକ୍ଷ, ଥଣ୍ଟର ପ୍ରତିରୋପଣ କଲାବେଳେ ସେଦିନର ସେଇ ପକ୍ଷୀ ତିନୋଟିଙ୍କ କଥା ମନେ ପକାଏ. ଉଚ୍ଚ ଶିକ୍ଷା ପାଇଁ ବିଦେଶରେ ଥିଲା ବେଳେ ପକ୍ଷୀ ତିନିଗୋଟି ଆସି ତାକୁ ଅନ୍ୱେଷଣ କରି ବସି ରହନ୍ତି. ମାଆ ଡୁଗୁ ଖାଇବାକୁ ଦେଲେ ନଖାଇ ଚୁପ ଚାପ ଉଡିଯାଆନ୍ତି. ଏବେ ସେମାନଙ୍କ ଗୋଡ଼ ଠିକ କରିବାକୁ କୃପା ଚାହିଁ ରହିଥିଲେ ମଧ୍ୟ ସେମାନେ ବା ସେମାନଙ୍କ ଭିତରୁ କାହାର କେବେ ଦେଖା ନାହିଁ. ମାଆ ଡୁଗୁ ସେମାନଙ୍କୁ ଦୁର୍ଗାଙ୍କ ରୂପ କହୁଥିଲା ବେଳେ ମନବୁଝେନା କୃପାର ତ ସେ ଚାହିଁ ରହେ ନୀଳ ଆକାଶକୁ. ଶୁନ୍ୟରୁ ମହାଶୁନ୍ୟକୁ. ସେଠି ପକ୍ଷୀ ନଥାଏ କିନ୍ତୁ ଦୁର୍ଗାଙ୍କ ଦିବ୍ୟରୂପ ପ୍ରକଟ ହୁଏ ତା ଆଖି ସାମ୍ନାରେ.।