STORYMIRROR

Annu Samal

Romance

3  

Annu Samal

Romance

ସ୍ବପ୍ନ ର ଇନ୍ଦ୍ରଧନୁ

ସ୍ବପ୍ନ ର ଇନ୍ଦ୍ରଧନୁ

3 mins
145

ମୁଁ ସେଠାକୁ କେମିତି ଯାଇଥିଲି ଆଉ କାହିଁକି ଯାଇଥିଲି ଜାଣିନି ଅବଶ୍ୟ ଜାଣିନି ବୋଲି କହିଲେ ଭୁଲ୍ ହେବ କାରଣ ମୋର ମନେ ନାହିଁ। କିନ୍ତୁ ସେ ସ୍ଥାନ ର ସ୍ମୃତି କୁ ମୁଁ ଭୂଲି ବି କେବେ ଭୁଲି ପାରିବିନି । ପିଲାଦିନେ ଜେଜେମା ଯେଉଁ ପରୀ ରାଇଜ ର କାହାଣୀ କୁହେ ଠିକ୍ ପରୀ ରାଇଜ ପରି ଲାଗୁଥିଲା ମୋତେ । କିଛି ସମୟ ପୂର୍ବରୁ ବର୍ଷା ହୋଇ ଛାଡି ଯାଇଥିଲା । ପଶ୍ଚିମ ଦିଗ ରେ ପାହାଡ ସେପଟେ ଅସ୍ତଗାମୀ ଙ୍କ ସୂର୍ଯ୍ୟ ସୂନେଲୀ କିରଣ ରେ ଘାସ ଗାଲିଚା ଉପରେ ପଡିଥିବା ବର୍ଷା ଟୋପା ଗୁଡ଼ିକ ଚିକଚିକ୍ କରି ହୀରା ର ଭ୍ରମ ସୃଷ୍ଟି କରୁଥିଲେ। ପୂର୍ବ ଦିଗରେ ସୂର୍ଯ୍ୟ ଙ୍କ ସୂନେଲି କିରଣ ପ୍ରତିଫଳିତ ହେଉଥିଲା ଇନ୍ଦ୍ରଧନୁ । ଉଦ୍ୟାନ ରେ ଥିବା ରଙ୍ଗ ବେରଙ୍ଗୀ ଫୁଲ ଗୁଡ଼ିକ ଶୀତଳ ପବନ ରେ ନାଚି ଉଠୁଥିଲେ। ପକ୍ଷୀ ମାନେ କିଚିରି ମିଚିରି ଶବ୍ଦ କରି ବସା କୁ ଫେରୁଥିଲେ। ପୁଷ୍ପ ଉଦ୍ୟାନ ର ଅଦୂର ରେ ଦିଶୁଥିଲା ଅଗନା ଅଗନି ବନସ୍ତ। ଉଦ୍ୟାନ ମଧ୍ୟରେ ପାଞ୍ଚ ଛଅ ଟି ଠେକୁଆ ଖେଳିବାରେ ବ୍ୟସ୍ତ ଥିଲେ ଖେଳୁ ଖେଳୁ ଅଜାଣତରେ କେବେ କେବେ ମୋ ପାଦ ଉପରେ ଚଢ଼ି ଯାଉଥିଲେ ମୋତେ ଖୁସି ଲାଗୁଥିଲା ସେମାନଙ୍କ ଖେଳ ଦେଖି । ଝରଣା କୂଳ ରେ ଥିବା ଗଛ ଡାଳରେ ଶୁଆ ଶାରୀ ନିଜ ନିଜ ଭିତରେ ପ୍ରେମ ରେ ବୁଡିଯାଇଥିଲେ । ଏକ ସୁନ୍ଦର ହରୀଣୀ ଟିଏ ଆସି ଝରଣା ରେ ପାଣି ପିଉଥାଏ । ମୁଁ ହରୀଣୀ ପାଖକୁ ଯିବାରୁ ସେ ଡରି ଯାଇ ଜଙ୍ଗଲ ଭିତରକୁ କୁ ଦୈାଡି ଗଲା । ମୁଁ ନିରାଶ ହୋଇ ଝରଣା ପାଣି ରେ ଗୋଡ଼ କୁ ବୁଡାଇ ବସି ଇନ୍ଦ୍ରଧନୁ ର ସାମ୍ନାରେ ଥିବା ଶୁଆ ଶାରୀ ଙ୍କୁ ଦେଖିବାକୁ ଲାଗିଲି । ସେ ଦୁହିଁଙ୍କ ମଝିରେ ଥିବା ଫାଙ୍କ ରେ ଇନ୍ଦ୍ରଧନୁ ଆହୁରି ସୁନ୍ଦର ଲାଗୁଥିଲା । 


ପୁଣି କୋଇଲି ର କୂଜନ ଶୁଭିଲା। ସ୍ବର ଆସୁଥିବା ଦିଗରେ ଯାଇ ଜଙ୍ଗଲ ଭିତରକୁ ଚାଲିଗଲି ସିନା କିନ୍ତୁ କୋଇଲି କୁ ପାଇଲି ନାହିଁ। ପୁଣି ବଂଶି ର ସ୍ଵର ଶୁଣାଗଲା ଅଳତା ଲଗା ପାଦରେ ଧାଇଁ ଆସିଲି ସେ ସ୍ଵର ପାଖକୁ ଯେମିତି କୃଷ୍ଣ ଙ୍କ ବଂଶି ସ୍ବର ରେ ରାଧା ଧାଇଁ ଆସୁଥିଲେ ପାଗଳି ସାଜି। ବଂଶୀ ର ସ୍ଵର ପାଖକୁ ଆସି ମୋ ପାଦ ଦୁଇଟି ସ୍ଥିର ହୋଇ ଗଲା। ଏବେ ମୁଁ ପୁଣି ଥରେ ସେ ପୁଷ୍ପ ଉଦ୍ୟାନ ମଧ୍ୟରେ ଥିଲି । ଆଉ ପ୍ରଜାପତି ଆସି ଫୁଲ ରୁ ମଧୁ ସଂଗ୍ରହ କରୁଥିଲା। ମୁଣ୍ଡ ଉପରେ ବାଦଲ ଗୁଡ଼ିକ ଭାସି ଯାଉଥିଲେ । ଗଛ ଡ଼ାଳ ରେ ପକ୍ଷୀ ଟିଏ କିଚିରୀ ମିଚିରୀ ଶବ୍ଦ କରୁଥିଲା। 


ହାତ ରେ ବଂଶୀ ଧରି ସେ ପୁଷ୍ପ ଉଦ୍ୟାନ ମଧ୍ୟରେ ସେ ଇନ୍ଦ୍ରଧନୁ କୁ ଚାହିଁ ଛିଡ଼ା ହୋଇ ଥିଲେ ମୁଁ ବି ତାଙ୍କ ପଛରେ ଛିଡ଼ା ହୋଇ ଇନ୍ଦ୍ରଧନୁ କୁ ଦେଖୁଥିଲି କିନ୍ତୁ ତାଙ୍କ ଚେହେରା ଦେଖିପାରୁ ନ ଥିଲି । ମୋ ପାଉଁଜି ର ଶବ୍ଦ ରୁ ସେ ମୋ ଉପସ୍ଥିତି ଜାଣି ପାରିଲେ ବୋଧେ ହୁଏ। ସେମିତି ସ୍ଥିର ହୋଇ ଛିଡା ହୋଇ କହିଲେ ତମେ ଆସିଗଲ। ମୁଁ ହୁଁ ବୋଲି ସଂକ୍ଷିପ୍ତ ଉତ୍ତର ଦେଇ ଭାବିବାକୁ ଲାଗିଲି ଏ ଚିହ୍ନା ଚିହ୍ନା ସ୍ଵର କାହାର? ଇଏ ତ ବିନୟ ଙ୍କ ସ୍ବର।

ପଛକୁ କୁ ବୁଲି ଚାହିଁଦେଲେ ସେ। ଆରେ ବିନୟ ତମେ ଏଠି ଲାଜେଇ ଗଲି । ମୁରୁକି ମୁରୁକି ହସୁଥିଲେ ସେ। ହାତରେ ଥିଲା ଏକ ସୂର୍ଯ୍ୟମୁଖୀ ଫୁଲ ର ମୁଦି ଟିଏ ଧରି ସେ ମୋ ପାଖକୁ ଆସି ସାମ୍ନାରେ ଆଣ୍ଠୁ ମାଡ଼ି ବସିପଡିଲେ ।


     - ଅନୁ।


     - ହୁଁ ।


     -ଏ ଅନୁ।


  ‌     - ହଁ କୁହ।

    

   ହଠାତ୍ ମୋ ଉପରେ କିଏ ପାଣି ଢ଼ାଳି ଦେଲା ମୁଁ ଆଖି ଖୋଲି ଦେଖେ ମୋ ମା ମୋ ସାମ୍ନାରେ ପାଣି ଧରି ଛିଡା ହୋଇଛି। ଧେତ୍ ମୁଁ ସ୍ବପ୍ନ ଦେଖୁଥିଲି ।ମୋ ମା କହୁଥିଲା ଶୀଘ୍ର ଫ୍ରେସ୍ ହେଇ ତଳକୁ ଆସେ ତୋ ସାଙ୍ଗ ବିନୟ ଆସି ତଳେ ବସିଛନ୍ତି।


   ‌‌- ସେ କାହିଁକି ସକାଳୁ ସକାଳୁ ଆସିଛି?


    - ସକାଳ ! ସକାଳ ଆଉ ଅଛି ? ଟିକିଏ ଘଣ୍ଟା ଦେଖିଲ ଆଳି ରାଜାଙ୍କ ରାଜ ଜେମା ଦିନ ଆସି ଦଶଟା ବାଜିଲାଣି। 


   ମୋର ମନେ ପଡିଲା ବିନୟ ଙ୍କର କିଛି ବହି ରହିଯାଇଥିଲା ମୋ ପାଖରେ । ସେ ବହି ପାଇଁ ଆସିଥିବେ। ମୁହଁ ଧୋଇ ବହି ଗୁଡିକ ଧରି ତଳକୁ ଆସିଲି।


  ମୁଁ ଆସିବା ବେଳକୁ ମୋ ମା ବିନୟ ଙ୍କୁ ଜଳଖିଆ ଦେଇ ଚର୍ଚ୍ଚା କରୁଥିଲା। ମୋତେ ଦେଖୁ ଦେଖୁ ବିନୟ କହିଲେ "ଏଇତ ଗଧୁଣୀ ଆସିଗଲା ,ଦିନଟାରେ ଶୋଇ କାହା ସ୍ବପ୍ନ ଦେଖୁଥିଲୁ କି ଲୋ? ମୁହଁ ରେ ଇନ୍ଦ୍ରଧନୁ ର ସାତ ରଙ୍ଗ ଲାଗିଯାଇଛି।


   ମୁଁ ଭାବୁଥିଲି ଏ ପାଗଳ ବିନୟ ଙ୍କୁ କେମିତି କହିବି ମୁଁ ସ୍ବପ୍ନରେ ତାଙ୍କୁ ହିଁ ଦେଖୁଥିଲି।




Rate this content
Log in

Similar oriya story from Romance