ଶାଗବଲି ବୁଢ଼ୀ
ଶାଗବଲି ବୁଢ଼ୀ
ଶାଗ ନେବ .... ଶାଗ..... ଲେଉଟିଆ , କୋଶଳା , ଖଡା, ପାଳଙ୍ଗ । ଶାଗ ନେବ ...... ଶାଗ...........। ଏମିତି ଡାକି ଡାକି ବୁଢ଼ୀ ପ୍ରାୟ ପ୍ରତିଦିନ ଗଳି ଭିତରେ ଯାଏ । ଆଉ କେବେ କେବେ ହାଟ ରେ ଶାଗ ପାଛିଆ ଧରି ବସେ। ବୁଢ଼ୀ ର ରଙ୍ଗ ଗୋରା ହେଲେ ବି ଚମ ଧୁଡ଼ ଧୁଡ ହୋଇଯାଇ ତା ବାର୍ଦ୍ଧକ୍ୟ କୁ ପ୍ରକାଶ କରୁଥିଲା। କି ଶିତ କି ଖରା କିଛି ନ ମାନି ବୁଢ଼ୀ ସବୁ ଦିନ ଶାଗ ବିକିବାକୁ ଯାଏ । ବାଡ଼ି ପଟେ ପୋଟାଳି କରି କେତେ ରକମ ଶାଗ ଲଗେଇଛି ବୁଢ଼ୀ । ସବୁବେଳେ ବୁଢ଼ୀ ବାଡ଼ି ପଟ ଶାଗ କିଆରୀ ରେ ଥିବ କେତେବେଳେ ଶାଗ କିଆରୀ ରୁ ଘାସ ବାଛେ ତ କେତେବେଳେ ଶାଗ କିଆରୀ ରେ ପାଣି ଦିଏ । ବୁଢ଼ୀ ପାଖରୁ ଶାଗ ରଖିଲେ କୁଆଡେ ବେଶୀ ବଛା ବଛି କରିବାକୁ ପଡେନି, ସେଥି ପାଇଁ ହାଟ ରେ କିଛି କମ୍ ଡିମାଣ୍ଡ ନାହିଁ ବୁଢ଼ୀ ଶାଗ ର। ସକାଳୁ ସକାଳୁ ଉଠି ବୁଢୀ ଦାଆ ଟିଏ ଶାଗ କାଟିବାକୁ ଚାଲିଯାଏ ତାକୁ ଧୋଇ ଧାଇ ନେଇ ବଜାର ରେ ବିକେ ତ କେବେ ପୁଣି ସାହି ସାହି ବୁଲିକି ବିକେ। ବେପାର ରୁ ଫେରି କଣ ଦି ଟା ଫୁଟେଇ ଖାଇ ଦେଇ ଗଡ ପଡ ହୁଏ ତା ଚାଳିଆ ଭିତରେ । ବେଳବୁଡ଼ କୁ ଉଠି ଲାଗିଯାଏ ତା ଶାଗ କିଆରୀ ରେ। ସନ୍ଧ୍ୟା ଘଣ୍ଟି ବାଜିଲେ ଅଗଣା ର ତୁଳସୀ ମୂଳ ରେ ଦୀପ ଟିଏ ଜାଳି ଦେଇ ଦାଣ୍ଡ ପଟ ପିଣ୍ଡା ରେ ବସିଯାଏ। କାହା ବାଟ ଚାହିଁ ବସେ କେଜାଣି । ବେଳେ ବେଳେ ସେଇ ଦାଣ୍ଡ ପିଣ୍ଡା ରେ ବସୁ ବସୁ ସୋଇପଡେ଼ ବୁଢ଼ୀ।
ଗାଁ ସାରା ଲୋକ ଙ୍କ ର ପକ୍କା ଘର ବୁଢୀ ର ଏକା ଗୋଟିଏ ଚାଳ ଘର ରାଜହଂସ ଭିତରେ ବତକ ପରି ବାରି ହୋଇ ପଡେ। ଗାଁ ଲୋକେ ବୁଢ଼ୀ କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବିଜୁ ପକ୍କା ଘର ଯୋଜନା କେତେ କଣ ମିଳୁଛି ସୁମି ଅପା (ବୁଢ଼ୀ ର ନାମ) ତମେ ଏଥର ଖଣ୍ଡେ ଘର କରିଦିଅ ସରକାର ଟଙ୍କା ଦେବେ ।କିନ୍ତୁ ବୁଢ଼ୀ ର କିଏ ଅଛି ଏସବୁ ବୁଝିବାକୁ ।ଦିନେ ଗାଁ ସରପଞ୍ଚ ପାଖକୁ ଯାଇ ଥିଲା ସରପଞ୍ଚ କହିଲା ମୋତେ ପାଞ୍ଚ ହଜାର ଟଙ୍କା ଦିଅ ମୁଁ କରିଦେବି। ବୁଢୀ ର ମନ ଘର ଧରିଗଲ ଆଉ ଦିନେ ସେ ସରପଞ୍ଚ ଘରକୁ ଯାଇନି। ତା ଚାଳ ଘର ଟି ତା ପାଇଁ ସ୍ବର୍ଗ।
ସେଦିନ ରାତିରେ ବି ସେମିତି ବୁଢ଼ୀ ଦାଣ୍ଡ ପିଣ୍ଡା ରେ ବସିଥାଏ । ଗୋଟିଏ ବଡ ଗାଡ଼ି ଆସି ବୁଢ଼ୀ ର ଘର ଆଗରେ ଛିଡା ହେଲା ଗାଡ଼ି ଗାଡ଼ି ଭିତରୁ ବାହାରି ଆସିଲେ ଜଣେ ଶୁଟ ବୁଟ୍ ପିନ୍ଧା ବାବୁ। ରାତି ହେଲେ ବୁଢ଼ୀ କି ଟିକିଏ ଭଲ ଦେଖା ଯାଏନି। ବୁଢୀ ଉଠି ଛିଡ଼ା ହେଲା । ସେ ସୁଟ୍ ବୁଟ୍ ପିନ୍ଧା ବାବୁ ଜଣକ ସିଧା ଆସି ବୁଢୀ ଗୋଡ଼ ଧରି କାନ୍ଦିବା କୁ ଲାଗିଲେ। ବୁଢ଼ୀ ନିଜ ଦୁଇ ପାପୁଲି ରେ ତାଙ୍କ ମୁହଁ କୁ ଟେକି ଦେଖି ଚମକି ପଡ଼ିଲା। ବୁଢ଼ୀ ବି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା।
- ମାେ ବାବୁ ରେ ମାେ ଧନ ରେ କୋଉଠି ଥିଲୁ ଆଜି ଯାଏଁ ।ମାଆ କଥା କଣ କେବେ ମନେ ପଡେନି ତୋର?
ମାଆ ପୁଅ ଘଡ଼ିଏ ବସି କଥା ହେଲେ ।
ଶେଷରେ ପୁଅ କହିଲା -ମୁଁ ତତେ ନେବା ପାଇଁ ଆସିଛି ତୁ ବହାରିକି ଥିବୁ ମୁଁ କାଲି ରାତିରେ ଆସିବି ତତେ କଲିକତା ନେଇଯିବି ଆମେ ଦୁହେଁ ଭଲ ରେ ରହିବା। ମୁଁ ସେଇଠି ଗୋଟେ ବଡ କମ୍ପାନୀ ରେ ମାଲିକ । ଆଗରୁ ଯୋଉ ମାଲିକ ଥିଲେ ତାଙ୍କର ପୁଅ ଝିଅ କିଛି ନଥିଲା ସେ ମରିବା ଆଗରୁ ମୁଁ ତାଙ୍କ ବିଶ୍ଵସ୍ତ ଥିବାରୁ ମାେ ନା ରେ ସବୁ ଲେଖିଦେଇ ଯାଇଛନ୍ତି।
- ଧନ ରେ ଏବେ ଆସିଥିଲୁ ପୁଣି ଚାଲିଯିବୁ ?
- ହଁ ମା ମୋର କିଛି କାମ ଅଛି ସାରିଦେଇ କାଲି ରାତିରେ ଆସିବି।
- କଣ ଦି ଟା ଖାଇ ଦେଈ ଯା । କହି ବୁଢ଼ୀ ଘର ଭିତର କୁ ପଶିଗଲା ।ଦେଖିଲା ବେଳକୁ ଘରେ କିଛି ନାହିଁ । ରାନ୍ଧିଥିଲେ ତ ରହିବ।
ମାଆ କଥା ବୁଝି ପାରି ପୁଅ କହିଲା -ମାଆ ଡେରି ହେଲାଣି ମୁଁ ଆସୁଛି କାଲି ପଖାଳ ରଖିଥିବୁ ଆସିଲେ ତୋ ହାତ ରେ ଖୁଆଇ ଦେବୁ।
ପର ଦିନ ସକାଳୁ ବୁଢୀ ମନ ଭାରୀ ଖୁସି ଆଉ ଶାଗ ବିକି ଗଲାନି। ଭଲ ଲୁଗା ଖଣ୍ଡେ ପିନ୍ଧି ଶାଗ ବିକି ସଞ୍ଚିଥିବା ଟଙ୍କା ଧରି ବାହାରି ପଡ଼ିଲା ହାଟ କୁ। ବାଟରେ ଯୋଉ ଚିହ୍ନା ଲୋକ ଦେଖା ହେଉଥାଏ ତାକୁ ବୁଢୀ କହୁଥାଏ ଆଜି ମାେ ପୁଅ ଆସିବ ମୋତେ କଲିକତା ନେଇଯିବ। ବଜାର ରେ ତା ପାଖରେ ମାଛ ଆଉ ପରିବା ବିକୁଥିବା ଲୋକ ମାନେ ତାକୁ ଦେଖି ଚାହିଁ ରହିଥାନ୍ତି ଆଜି ବୁଢ଼ୀ ର ଶାଗ ପାଚ୍ଛିଆ କୁଆଡେ ଗଲା। ବୁଢ଼ୀ ପାଖକୁ ଆସି ମାଛ ବାଲି ଉଦ୍ଦେଶ୍ୟ ରେ କହିଲା "ଆଲୋ ଏ ମିନତି ହାଁ ଟା କରି ଚାହୁଁଛୁ କଣ ବା? ଦେଲୁ ଦେଲୁ ତାଜା ମାଛ ଅଧ କିଲୋ ଦେଲୁ।"
ବୁଢ଼ୀ ପାଖରେ ବସି ପରିବା ବିକୁଥିବା ନାରଣା କହିଲା "ଆଲୋ ସୁମୀ ଅପା ତୋ ଶାଗ ପଛିଆ କୁଆଡେ ଗଲା କି ଲୋ ? ତୁ କଣ ଆଜି ଗରାଖ ହେଇ ଆସିଛୁ।
- ମୁଁ ଆଉ ଶାଗ ବିକିବିନି ରେ ନାରଣା । ମାେ ପୁଅ ଆଜି ଆସୁଛି ମୋତେ ତା ସହ କଲିକତା ନେଇଯିବ। ମାେ ପୁଅ ଏବେ ବଡ଼ ବାବୁ ହେଇଯାଇଛି।(ଫୁଲେଇ ହେଇ ବୁଢ଼ୀ ଏତିକ କହି ପକେଇଲା)
-ତୋ ଦୁଃଖ ତ ଜାଣେ ଗଲା ଲୋ ସୁମି ଅପା। (ବୁଢ଼ୀ ହାତ କୁ ମାଛ ବଢେଇ ଦେଉ ଦେଉ କହିଲା ମିନତି)
- ଆଲୋ ସୁମି, ତୋ ପୁଅ ଯିଏ ପିଲାଦିନେ ତା ବାପା ର ଖୁନି କୁ ମାରି ପୁଲିସ୍ ଡର ରେ କଲିକତା ପଳେଇଥିଲା ସେଇ ଆସିଛି?( ପାଖରେ ବସି ଜହ୍ନି ବିକୁଥିବା ବୁଢି ପଚାରିଲା।)
ବୁଢ଼ୀ ମୁଁହ ର ସେ ହସ ଟିକେ କମି ଆସିଥାଏ କିନ୍ତୁ ଲିଭି ନ ଥାଏ। "ହଁ ଅପା" ସଂକ୍ଷିପ୍ତ ଉତ୍ତର ଦେଲା ବୁଢୀ।
ତର ତର ହୋଇ ବୁଢ଼ୀ ବଜାର ରୁ ବାହାରି ଆସିଲା ଭାତ ମୁଠେ ରାନ୍ଧି ପଖାଳି ଦେଲା। ମାଛ କୁ ଭାଜି ରଖିଲା। ବାଡ଼ି ପଟକୁ ଯାଇ ଶାଗ ତୋଳି ଆଣି ଲେଉଟିଆ କୁ କଦଳୀ ପକେଇ ଭାଜିଲା, ଖଡା ରେ ବଡ଼ି ଟିକେ ପକେଇ ଖରଡ଼ି ଦେଲା, ଗୋଟା ଭେଣ୍ଡି ମସଲା ପୁରେଇ ଭାଜି ରଖିଲା, ବାଇଗଣ ଟିଏ ପୋଡ଼ି ପିଆଜ ଆଉ ସୋରିଷ ତେଲ ବୁନ୍ଦେ ପକେଇ ଚକଟି ଦେଲା, ବାଡ଼ି ପାଟ ଗଛ ରୁ କଞ୍ଚା ଆମ୍ବ ଟିଏ ତୋଳି ଆଣି ପଖାଳ ଭାତ ରେ ଆମ୍ବନଶି ପକେଇଲା, ବଡ଼ି ଚାରି ଟା, ରସୁଣ ଦି କୋଲା, କଞ୍ଚା ଲଙ୍କା ଟିଏ ଆଉ ଧନିଆ ପତ୍ର ଶିଳ ପାଖରେ ଆଣି ଥୋଇଦେଲା ପୁଅ ଆସିଲେ ଚୁରିବ ବୋଲି । ବୁଢ଼ୀ ର କାମ ସରିଲା ବେଳକୁ ସନ୍ଧ୍ୟା ହେଲାଣି । ଲୁଗା ବଦଳେଇ ତୁଳସି ମୂଳ ରେ ସଞ୍ଜ ବତୀ ଟିଏ ଜାଳି ବୁଢ଼ୀ ଦାଣ୍ଡ ପଟ ପିଣ୍ଡା ରେ ବସିଗଲା ପୁଅ କୁ ଅନେଇ।
ସଞ୍ଜ ଯାଇ ରାତି ହେଲା, ରାତି ଯାଇ ପୁଣି ସକାଳ ହେଲା ବୁଢ଼ୀ ଆଖି ପଲକ ନ ପକେଇ ସେମିତି ବସି ରହିଛି। ଆମ୍ବୁଲାନ୍ସ ଟିଏ ଆସି ଦୁଆର ମୁଁହ ରେ ଲାଗିଲା । ଗାଁ ଲୋକେ ଦୋୖଡି ଆସିଲେ କଥା କଣ ଜାଣିବା ପାଇଁ । ଜଣେ ପୋଲିସ୍ ଇନ୍ସପେକ୍ଟର କହିଲେ କାଲି ରେ ସ୍ପିଡ୍ ରେ ଗାଡି ଚଲୋଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ ଗାଡି ପିଟିଦେଇଥିଲେ । ସ୍ପଟ୍ ଡେଥ୍ ହେଇଯାଇଥିଲା । ତଦନ୍ତ ପରେ ଜଣା ପଡିଲା ଇଏ କୋଲକାତା ରେ ଜଣେ ବଡ଼ ବ୍ୟବସାୟୀ ର ଆଉ ୟାଙ୍କ ପୈତୃକ ଗ୍ରାମ ଏଇଟା । ବୁଢ଼ୀ ଏଯାଏଁ ବି ବାରଣ୍ଡାରେ ସେମିତି ବସି ଥାଏ। କେହି ଜଣେ ବୁଢୀ କୁ ଡାକି ତା କାନ୍ଧ ଉପରେ ହାତ ରଖି ଦେବାରୁ ବୁଢ଼ୀ ସେଇଠି ପଡ଼ିଗଲା। ମଶାଣି ରେ ଏକା ସାଙ୍ଗରେ ଦିଟା ଜୁଇ ଜଳିଗଲା।
