Annu Samal

Romance

4  

Annu Samal

Romance

ଅକୁହା କଥା

ଅକୁହା କଥା

7 mins
345


ଜୀବନର ଭିନ୍ନ ରଙ୍ଗକୁ ଯୋଡ଼ି କାହାଣୀର ରୂପ ଦିଏ ସେଥିପାଇଁ କେହି କେହି ମୋତେ କାହାଣୀକାର କୁହନ୍ତି । ବାପା ଙ୍କ ର ମୁଁ ଅଳସ କନ୍ୟା ଆଉ ମା ର ଫୁଲେଇ ଫୁଲ । ଜେଜି କୁହେ ମୁଁ ତା ଗୁରୁବାର ର ସେର ମାଣ । କିନ୍ତୁ ତୁମର ମୁଁ କିଏ ? କେଉଁ ଅଧିକାର ରେ ତୁମେ ମୋ ଛାତି ତଳେ ୧୧.୪ ସେଣ୍ଟି ମିଟର ଜାଗା ଦଖଲ କରି ବସିଛ? କିଛି ଉତ୍ତର ଅଛି ତୁମ ପାଖରେ ? କିଏ ? କିଏ ତୁମେ ? କଣ ତୁମର ଆକାଂକ୍ଷା ? କାହିଁକି ତୁମକୁ ଲେଖିଲେ ମୋ କଲମ ଅଟକି ଯାଏ , କାଗଜ ଓଦା ହୁଏ ?ଅଜଣା ରୁ ଦିନେ ତୁମେ ମୋର ଆପଣାର ହୋଇଥିଲ ପୁଣି ଏ ଭିଡ ଭିତରେ ବି କାହିଁକି ଏକା କରି ଦେଲ ? 


ନିର୍ଜନ ରାତିର ଅନ୍ଧକାର ଯେବେ ମୋତେ ଡରାଏ ମୁଁ ତୁମକୁ ଖୋଜେ। ମୋ ଆତ୍ମା ଆଜି ବି ସେଇ ମୋଡ଼ ରେ ଛିଡ଼ା ହୋଇଛି ଯେଉଁଠୁ ଆମ ଦୁଇ ଜଣଙ୍କ ରାସ୍ତା ବିପରୀତ ଦିଗ କୁ ଗତି କରିଥିଲା । ସେ ମୋଡ଼ ରେ ପଛ କୁ ଗଲେ ଦେଖା ହୁଏ ତୁମ ସହ । ତୁମ ଚେହେରା ରେ ଏବେ ଅନେକ ପରିବର୍ତ୍ତନ ହୋଇ ସାରିଥିବ । କିନ୍ତୁ ଅତୀତ କୁ ଯାଇ ମୁଁ ଗୋଟିଏ ବାଇଶି ବର୍ଷ ର ଯୁବକ ଆଖି ରେ ମୋ ପାଇଁ ଭରି ରହିଥିବା ପ୍ରେମ କୁ ଦେଖେ। ପ୍ରେମିକା କୁ ଥରୁ ଟିଏ ଦେଖିବା ପାଇଁ ଡିସେମ୍ବର ମାସ ର ସକାଳ ର ଶିତ କୁ ଭୟ ନ କରି ମର୍ଣିଂ ୱାକ୍ ବାହାନା ରେ ରାସ୍ତା ରେ ଏକଡ ସେକଡ ହେଉଥିବା ପ୍ରେମିକ କୁ ଦେଖେ। ସତରେ କେତେ ସୁନ୍ଦର ଥିଲା ସେ ଦିନ ଯେବେ ତୁମେ ମୋତେ ଦୂରରୁ ଟିକିଏ ଦେଖି ଖୁସି ହୋଇଯାଉ ଥିଲ । ଆଉ ତୁମ ମୁହଁ ରେ ସେଇ ହସ ଟିକକ ରୁ ମୋତେ ବାହାନା ମିଳି ଯାଉଥିଲା ଦିନ ସାରା ଅନ୍ୟମନସ୍କ ରହିବା ପାଇଁ ।ସେ ଦିନ ଗୁଡ଼ିକ ସେଇଠି ରହିଯାଇଥନ୍ତା କି । ଜୀବନ ର ସେଇ ରାସ୍ତା ରେ ତମେ ସେମିତି ରାସ୍ତା କଡ ରେ ଛିଡ଼ା ହୋଇ ମୋତେ ଦେଖୁଥିବା ଏକତରଫା ପ୍ରେମିକ ଟିଏ ହୋଇ ରହିଯାଇଥାନ୍ତା ଯଦି ନା ହୃଦୟ ର ଏଈ କ୍ଷତ ଟି ଏତେ ଗଭୀର ହୋଇ ନ ଥାନ୍ତା । ଏତେ ଗୁଡ଼ାଏ ବାଟ ଏକାଠି ଚାଲି ଅଲଗା ହେବା ର କଷ୍ଟ କଣ ଜଣା ପଡି ନ ଥାନ୍ତା ।


ଆଜି ବି ମନେ ପଡିଲେ ହସ ଲାଗେ , କଳା ରଙ୍ଗ ମୋର ପ୍ରିୟ ବୋଲି ମୋର ଜଣେ ସହପାଠୀ ଠାରୁ ଶୁଣି ତୁମେ ସବୁଦିନ ସେଇ କଳା ରଙ୍ଗ ର ସାର୍ଟ ଟା ପିନ୍ଧୁଥିଲ । ଆଉ ନାଲି ବଦଳ ରେ କଳା ଗୋଲାପ ଦେଇ ମୋତେ ପ୍ରେମ ନିବେଦନ କରିଥିଲ । କଲେଜ୍ ଯିବା ସମୟରେ ଶ୍ମଶାନ କଡ ରେ ଥିବା ସେ ନିଛାଟିଆ ରାସ୍ତା ଟିକକ ଅତିକ୍ରମ କରିବା ସମୟ ରେ ମୋତେ ଡର ଲାଗେ । ସେଥିପାଇଁ ତମେ ପ୍ରତିଦିନ ମୁଁ ସୁରକ୍ଷିତ ରେ ସେ ସ୍ଥାନ ଅତିକ୍ରମ ନ କରିବା ଯାଏ ଛିଡା ହୋଇ ରୁହ।କାହିଁକି ଏତେ ଭଲ ଲାଗିଥିଲ ତୁମେ ମୋତେ ? ତାହା ପ୍ରେମ ଥିଲା ନା ସମ୍ମୋହନ ? ଗୋଟିଏ ନଜର ରେ ତୁମେ ମୋ ହୃଦୟ କୁ ଅନେକ ବାର ଜିତି ଯାଉଥିଲ । କେତେ ସରଳ ଲାଗୁଥିଲା ତୁମେ ? ପ୍ରେମ ନାମକ ରଣ ଭୂମି ରେ ନିଜ ସରଳତା କୁ ଅସ୍ତ୍ର କରି ତୁମେ ବାର ବାର ମୋ ହୃଦୟ ଉପରେ ଆକ୍ରମଣ କରି ଚାଲିଥିଲ । ମୁଁ ଚଣ୍ଡାଳୁଣୀ ଯୁଦ୍ଧ ରେ ପରାହତ ହୋଇ ସନ୍ଧି ଅନୁସାରେ ମୋ ହ୍ରୁଦୟ କୁ ଅର୍ପଣ କରିଦେଇଥିଲି ତୁମ ନିକଟ ରେ । ପ୍ରତିଦାନ ସ୍ୱରୂପ ତୁମେ ମୋତେ ପ୍ରେମ ପଞ୍ଜୁରୀ ରେ ବନ୍ଦୀ କରି ବିରହ ନିଆଁ ରେ ଜଳିବାକୁ ଛାଡ଼ି ଦେଇଗଲ !!!


  ତୁମେ ଶାନ୍ତ , ସ୍ଥିର , ଅଟଳ ପର୍ବତ ପରି ଥିଲ । ଆଉ ମୁଁ କଳ କଳ ନାଦ କରି ବିଲ, ବଣ ଡେଇଁ ଝରି ଯାଉଥିବା ଚଗଲୀ ଝରଣା ଟିଏ ଥିଲି । ତୁମେ ଥିଲ ନମ୍ର ଓ ଅମାୟିକ ମୁଁ ଫୁଲେଇ ବଦରାଗି । "ଏତେ ପାର୍ଥକ୍ୟ ଥାଇ ବି ଆମେ ଏକାଠି କେମିତି ?"- ମୁଁ ଯେବେ ବାଳିକା ସୁଲଭ ଗୁଣ ରେ ପ୍ରଶ୍ନ କରି ଉଠେ, ତୁମେ ମଥା ଆଉଁଶି ଦେଇ କୁହ - " ପାଗେଳୀ ଇଶ୍ଵର ପ୍ରକୃତି ଓ ପୁରୁଷ ଙ୍କୁ ଅଲଗା ଅଲଗା କରି ଗଢ଼ିଛନ୍ତି ପୁଣି ପ୍ରେମ ର ସୃଷ୍ଟି କରିଛନ୍ତି ଦୁହିଁ ଙ୍କ ମିଳନ ନିମନ୍ତେ । "ପ୍ରେମ ହିଁ ଦୁଇଟି ହୃଦୟ , ଶରୀର ଓ ଆତ୍ମା କୁ ଏକାଠି କରେ। " ମୁଁ ବୋକି ଙ୍କ ପରି ଚାହିଁ ରୁହେ । ତୁମେ ମୋ ଅସହାୟତା ବୋଧ କୁ ବୁଝି ମୋତେ ସରଳ ଭାଷାରେ ବୁଝେଇ ଦିଅ "ମୁଁ , ଶାନ୍ତ, ସ୍ଥିର ତୁମେ ଚଗଲି ଆଉ ଗପୁଡ଼ି , ସାରା ଜୀବନ ତମେ କହିବ ଆଉ ମୁଁ ଶୁଣିବି ସେଥିପାଇଁ ଭଗବାନ ଆମକୁ ଏକାଠି କରିଛନ୍ତି ଯେମିତି କି ତମେ ଭଲ ସେ ମୋ ଭେଜା ଫ୍ର୍ଯାଇ କରି ପାରିବ ।" ତୁମ କଥା ଶୁଣି ମୁଁ ମିଛି ମିଛିକା ରାଗି ଯାଏଁ ଆଉ ତମେ ମୋ ମିଛ କ୍ରୋଧ କୁ ଶାନ୍ତ କରିବା କୁ ଲାଞ୍ଚ ସ୍ଵରୂପ କେତେ ମିଠା ମିଠା କଥା କୋହୁଥିଲ ସତରେ ଠିକ୍ ତ କୋହୁଥିଲ । ତମେ ହିଁ ତ ଏକା ଥିଲ ଯିଏ ମୋ ପାରି ଗପୁଡି ର କଥା ଶୁଣୁଥିଲ। ସାଙ୍ଗ ସାଥି ଘର ଲୋକେ ଯେବେ ମୁଁ କିଛି କଥା ଆରମ୍ଭ କଲେ କାମ ବାହାନା ଦେଖେଇ ଦୂରେଇ ଯାଆନ୍ତି ତୁମେ କେମିତି ଶୁଣ ସେସବୁ ଆଜ୍ୟ ବାଜ୍ୟ ଅବାନ୍ତର କଥା ଗୁଡ଼ିକୁ ? ମୋ ଭିତ୍ତିହିନ ପ୍ରଶ୍ନ ଗୁଡିକର ଉତ୍ତର ତୁମକୁ କେଉଁଠୁ ମିଳେ । କାହିଁକି କେବେ ବିରକ୍ତି ପ୍ରକାଶ କରନାହିଁ ମୋ କଥା ଶୁଣି ? ସାରା ଜୀବନ ମୋ ଗପ ଶୁଣିବ ବୋଲି କଥା ଦେଇ କୁଆଡେ ଚାଲିଗଲ ? ଏବେ କାହାକୁ କହିବି ମୁଁ ମୋ ମନ ର ଅକୁହା କଥା ? ଭୁଲ ତୁମର ଥିଲା ? ନା ଦୋଷ ମୋର ଥିଲା ?କାହିଁକି ରହିଗଲା ଏ କାହାଣୀ ଅଧା ? 


ସେଦିନ ମୁଁ କଲେଜ୍ ରୁ ଫେରିବା ସମୟ ରେ ଅଦିନିଆ ଝଡ଼ ବର୍ଷା ହେଉଥିଲା। ମୁଁ ଭାବିଥିଲି ଏ ଝଡ଼ି ବର୍ଷା ରେ ତୁମେ ଆସି ନଥିବ ମୋତେ ଦେଖା କରିବାକୁ । କିନ୍ତୁ ଯେବେ ମୁଁ ସେ ଶ୍ମଶାନ ପାଖ ରାସ୍ତା ଅତିକ୍ରମ କଲି ତୁମେ ମୋ ଭାବନା କୁ ଭୁଲ୍ ସାବ୍ୟସ୍ତ କରି ଛିଡ଼ା ହୋଇ ରହିଥିଲ, ସେ ଆମ୍ବ ଗଛ ମୂଳ ରେ । ନିଷ୍ଠାବାନ ପ୍ରେମିକ ଟିଏ ପରି ତୁମେ ଭିଜୁଥିଲ ବର୍ଷା ରେ । ତାହା କ'ଣ ଅଭିନୟ ଥିଲା ତୁମର ?


ଅଦିନ ବର୍ଷା ସେଦିନ ସହାୟ ହୋଇଥିଲା ଆମ ଦୁହିଁଙ୍କୁ ନିକଟତର କରିବାରେ । ବର୍ଷା ରୁ ରକ୍ଷା ପାଇବା ପାଇଁ ମୁଁ ଛିଡା ହୋଇ ଗଲି ସେଇ ଗଛ ମୂଳେ ତୁମ ନିକଟ ରେ। ଦୁଷ୍ଟ ବର୍ଷା ଓଦା କରୁଥିଲା ଆମ ଦୁହିଁଙ୍କ ପ୍ରତେକ ଟି ଅଙ୍ଗ କୁ । ତୁମେ ବୋଧ ହୁଏ କିଛି କହିବାକୁ ଚାହୁଁଥିଲ ! କିନ୍ତୁ ମୁଁ ସୁଯୋଗ ଦେଲି କେତେବେଳେ ? ତମକୁ ଦେଖୁ ଦେଖୁ ମୋ ଗପ ର ପେଡ଼ି ଖୋଲି ଦେଇଥିଲି । ଗପୁ ଗପୁ ଦେଖିଲି ତୁମେ ଆପଲକ ନୟନ ରେ ଚାହିଁ ରହିଛ ମୋତେ। କାହିଁକି କେଜାଣି ଲାଜ ଲାଜ ଲାଗିଲା ଆଉ ତମ ମୁଁହ କୁ ଚାହିଁ ପାରିଲିନି। ସେଦିନ ତଳକୁ ମୁଁହ ପୋତି ଛିଡ଼ା ହୋଇ ମୁଁ ମାପୁ ଥିଲି ତୁମ ହୃଦ ସ୍ପନ୍ଦନ ର ତୀବ୍ରତା , ତୁମ ନିଃଶ୍ୱାସ ର ଉଷ୍ମତା । ତୁମେ କେବେ ନିକଟ ରୁ ନିକଟତର ହୋଇ ଯାଇଥିଲ ମୋତେ ଜଣା ନ ଥିଲା । ଯେବେ ମୋ ଗୋରା ତକ୍ ତକ୍ ମାଂସାଳ ବାହୁ ଉପରେ ତୁମ ପାପୁଲି ର ସ୍ପର୍ଶ ପାଇଲି ,ମୋ ଚେତନା ଫେରିଥିଲା। ତୁମ ଓଠ ମୋ ଓଠ ର ଅତି ନିକଟ ରେ ଥିଲା । ତୁମକୁ ଠେଲି ଦେଇ ଚାଲି ଆସିଥିଲି ମୁଁ ବର୍ଷା ରେ ଭିଜି ଭିଜି। ପଛ କୁ ଫେରି ଥରୁଟିଏ ବି ଚାହିଁ ପାରି ନ ଥିଲି ଲାଜ ରେ । ଘର କୁ ଆସିବା ପରେ ତିନି ଦିନ ଜ୍ୱର ରେ ପଡ଼ିଥିଲି ।ଜ୍ଵର ଯେତିକି କଷ୍ଟ ଦେଉ ନ ଥିଲା ତା ଅପେକ୍ଷା ବେଶି କଷ୍ଟ ଦେଉ ଥିଲା ତମ ନମ୍ବର ନଟ ରିଚେବଲ ଆସିବା । ମନ ଟା ଗୋଳେଇ ଘାଣ୍ଟି ହେଉ ଥିଲା, ଭାବିଲି ତୁମ ସହ ଦେଖା ହେଲେ ସବୁ ଠିକ୍ ହେଇଯିବ। ହେଲେ ନା ହଠାତ୍ ଯେମିତି କୁଆଡେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲ ତୁମେ। ବୋହୁତ ଖୋଜିଲି କିନ୍ତୁ ପାଇଲି ନାହିଁ ।


 ପ୍ରାୟ ପନ୍ଦର ଦିନ ପରେ ଦିନେ କଲେଜ୍ ରୁ ଫେରିବା ସମୟ ରେ ସେଇ ଛୋଟ ସହର ର ଏକ ଛକ ପାଖରେ ଦେଖିଲି ତୁମେ ପୋଲିସ୍ ଜିପ୍ ରେ ବସିଛ , ତୁମ ହାତ ରେ ହାତ କଡ଼ି ଥିଲା ।ଲୋକ ମାନେ କଥା ହେଉଥିଲେ ସାଇବର ଚୋର ଟା । ପୋଲିସ ଅନେକ ଦିନ ଧରି ଖୋଜୁ ଥିଲା ଆଜି ଧରା ପଡ଼ିଛି। ନିଜ ଆଖି କୁ ମୁଁ ବିଶ୍ବାସ କରି ପାରୁ ନ ଥିଲି ।ଆଜି ବି ତୁମ ଆଖି ନୀରିହ ନୀରିହ ଲାଗୁଥିଲା । ଏମିତି କଣ ଅଭାବ ଥିଲା ? ଇନଫୋସିସ ର ସଫ୍ଟୱେର ଇଞ୍ଜିନିୟର ଗୋଟେ ଚୋର ପାଲଟି ଗଲା ! ଆଉ କିଛି ଶୁଣା ଯାଉ ନ ଥିଲା ମୋତେ ଚାରିଆଡ଼େ ଅନ୍ଧକାର ପାଲଟି ଗଲା କିଛି ସମୟ ମଧ୍ୟ ରେ । ଇଚ୍ଛା ହେଉଥିଲା ଚିତ୍କାର କରି କାନ୍ଦିବାକୁ । କିନ୍ତୁ ପାରୁନଥିଲି । ଲୁହ ସବୁ କୋହ ହୋଇ ଜମାଟ ବାନ୍ଧୁଥିଲା । ସେ କୋହ ଆଜି ବି ଅଛି ଛାତି ଭିତରେ। ନା କାହାକୁ କହି ପାରୁଛି ନା ଛାତି ଭିତରେ ଚାପି ପାରୁଛି । 


  ଜାଣିଛ ସେଦିନ ର ସେ ଘଟଣା ପରେ ତୁମର ରେଡିଓ ଚକଲେଟ ପୁରା ଚୁପ୍ ହୋଇଯାଇଛି ।ସେ ଘଟଣା ପରେ ତୁମ କୁ କେବେ ଖୋଜି ନାହିଁ । ତୁମ ସହ କିଛି ସମ୍ପର୍କ ରଖିବାକୁ ଚାହୁଁ ନ ଥିଲି ମୁଁ ।କିଛି ଦିନ ମଧ୍ୟରେ ସ୍ନାତକ ସାରିବା ପରେ ମୁଁ ସେ ସହର ଛାଡ଼ି ଦେଇଥିଲି । ହାତ ଗଣତି କେତେଟା ସାଙ୍ଗ ସହ କୌଣସି ଯୋଗାଯୋଗ ରଖିବାକୁ ଚାହିଁ ନ ଥିଲି ମୁଁ ।ବାପା ଙ୍କ ଅନ୍ୟତ୍ର ବଦଳି ପରେ ସେ ସହର ସହ ସମ୍ପର୍କ ଏକ ପ୍ରକାର ଛିଡି ସାରିଥିଲା। ତାପରେ ଆଉ ତୁମର କୌଣସି ଖବର ନାହିଁ ମୋ ପାଖରେ। ଅନେକ ପ୍ରଚେଷ୍ଟା ପରେ ମଧ୍ୟ ମୋ ହୃଦୟ ରୁ ତୁମ ଭାବନା କୁ ତଡ଼ିବା ରେ ମୁଁ ବିଫଳ ହୋଇଛି । ତୁମ ପ୍ରତ୍ୟାବର୍ତ୍ତନ ର କ୍ଷୀଣ ଆଶା ଟିକକ ଏବେ ବି ଜୀବିତ ଅଛି ଛାତି ତଳେ । ତୁମେ ମୋ ହୃଦୟରେ ଏକ ଅକୁହା କୋହ ହୋଇ ରହି ଯାଇଛ। ଲୁହ ବନ୍ୟା ରେ ନା ସେ କୋହ କୁ ଭସେଇ ପାରୁଛି ନା ଛାତି ତଳେ ଚାପି ଅସହ୍ୟ ଯନ୍ତ୍ରଣା କୁ ସହି ପାରୁଛି ।  


ଭାବୁକ ହୋଇ ବେଳେ ବେଳେ ଭାବି ବସେ ସେଦିନ ମୁଁ ଦେଖିଥିବା ସେ ମଣିଷ ଟି ତମେ ନ ହୋଇ ତୁମ ପରି ଚେହେରା ର ଆଉ କିଏ ହୋଇଥିବ ।କେବେ ପୁଣି ଭାବେ ତୁମେ ସେ ଛୋଟିଆ ସହରର ରବିନ୍ ହୁଡ୍ ପାଲଟି ଯାଇଛ । ଚୋରି କରି ଆଣୁଥିବା ଧନ ସବୁ ଗରିବ ଜନତା ଙ୍କ ମଧ୍ୟରେ ବଣ୍ଟନ କରୁଛ।କିନ୍ତୁ ଅବଶୋଷ ଏ ସବୁ ମୋର ଅର୍ଥହୀନ ବ୍ୟର୍ଥ ଭାବନା । ଆଜି ବି ବିଶ୍ଵାସ ହୁଏନି ସ୍କୁଲ୍ ଆଉ କଲେଜ୍ ଟପ୍ପର ସେ ଶାନ୍ତ, ସରଳ ଓ ନିରୀହ ପିଲା ଟି ଗୋଟିଏ ସାଇବର ଅପରାଧୀ । ଦୁନିଆଁ ଅଖି ତୁମେ ଚୋର ହୋଇ ପାର ମୋ ପାଇଁ ତୁମେ ମୋ ପ୍ରଥମ ପ୍ରେମ। ପ୍ରେମର ପଞ୍ଜୁରୀରେ ମତିଭ୍ରମ କୋପତୀ ଟିଏ ପରି ମୁଁ ଖାଲି ଝୁରୁଛି ତୁମକୁ ନିଶାନ୍ତ ନିଶବ୍ଦତା କୁ ଚାହିଁ ଚାହିଁ ଚାପି ଧରି ମନ ଭିତରେ ଅକୁହା କୋହକୁ। ଆଜି ବି ଅପେକ୍ଷା କରିଛି ତୁମେ ଆସିବ, ଏ ସ୍ୱାର୍ଥବାଦି ଦୁନିଆଁ ଠୁଁ ଦୂରରେ , ସବୁଜିମା ଭରା ପାହାଡ଼ ଉପରେ ,ସୁନେଲି ଝରଣା କୁଳ ରେ ,ମୋ ପାଇଁ ତୁମେ ଏକ କୁଡିଆ ତୋଳି ଦେବ । ଜହ୍ନ ଆଲୁଅ ରେ ତାରା ଫୁଲ ମେଳ ରେ ତୁମ ପ୍ରଶସ୍ତ ବାହୁ ରେ ମୋତେ ଶୁଆଇ ଦେଇ ମୋ ମନ ର ଅକୁହା କଥା ଶୁଣିବ।



Rate this content
Log in

Similar oriya story from Romance