Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Lalita Mohan Mishra

Drama Romance Tragedy


3  

Lalita Mohan Mishra

Drama Romance Tragedy


ସ୍ବୀକାରୋକ୍ତି

ସ୍ବୀକାରୋକ୍ତି

10 mins 175 10 mins 175

ବେଳେ ବେଳେ ମନୁଷ୍ଯ ଅନ୍ୟର କଥାକୁ ଅତିଶୀଘ୍ର ସ୍ବୀକାର କରେ । ଅନ୍ଯର କେତେ ଗୁଡ଼ିଏ କଥାକୁ ଗଣ୍ଠି କରି ଧରେ । ଆଉ ନିରବତା ଅବଲମ୍ବନ କରେ ସତେ ଯେମିତି ସେ କିଛି ଜାଣି ନାହିଁ। ସେହି ନିରବତା ମନୁଷ୍ଯର ଅସ୍ତିତ୍ବକୁ ଧ୍ବଂସ କରିଦିଏ । ନିଜକୁ ଜାଣିବା ପାଇଁ ମଣିଷର ପ୍ରକୃଷ୍ଠ ସମୟ ନିରବ ମୂହୁର୍ତ୍ତ ହେଲେ ମଧ୍ୟ... । ପରିପକ୍ବ ଋତୁ ପରି ନିରବତା ଉଜାଡି ଦେଇଥିଲା ପ୍ରଚେତା ଜୀବନରେ । ପ୍ରତାରଣା କ'ଣ କେବେ ପ୍ରେମକୁ ଅକ୍ଲେଶରେ ଧୋଇ ଦେଇପାରେ ? ? ?


ଜୀବନଟା ଏତେ ସହଜ ସରଳ ନୁହେଁ ? ସାମାନ୍ୟ ଘଟଣା ଦୁର୍ଘଟଣାକୁ ନେଇ ଗଣ୍ଠିକରି ବସିଲେ..... କ'ଣ ଜୀବନ ସଫଳ ହେବ ? ମାନ ଅଭିମାନ କ୍ଷଣିକ ହେବା ଦରକାର । ଚିରସ୍ଥାୟୀ ହେଲେ ନିଶ୍ଚିତ ଘର ସଂସାର ଉଜାଡି ଦେବ । କୁଆଡେ ଗଲା ପ୍ରଚେତାର ସ୍ଥିତପ୍ରଜ୍ଞ ଆଉ ପ୍ରତିସ୍ବନର ପ୍ରତିଶ୍ରୁତି ।


କେତେଦିନ ହେବ ସୁଜାତା ଦେବୀଙ୍କ ପାଖରେ ରହୁଛି ଝିଅ ପ୍ରଚେତା । ବିବାହ ପୂର୍ବରୁ ଚାକିରୀ କରିବାର ଇଚ୍ଛା ନ ଥିଲା । ପରବର୍ତ୍ତୀ ସମୟରେ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇ ବ୍ଯାଙ୍କ ମ୍ୟାନେଜର ପଦବୀ ପାଇଛି । ଜ୍ବାଇଁ ପ୍ରତିସ୍ବନଙ୍କ ସହିତ କୌଣସି ନା କୌଣସି କଥାରେ ତାର ମନୋମାଳିନ୍ୟ। ତେଣୁ ପ୍ରଚେତା ଆଉ ପ୍ରତିସ୍ବନଙ୍କ ପାଖକୁ ଯିବାକୁ ଇଛା କରୁନାହିଁ । ସୁଜାତାଙ୍କର ଏକ ମାତ୍ର କନ୍ୟା ପ୍ରଚେତା । ପ୍ରଚେତାର ବିବାହ ପରେ ବିମ୍ବାଧର ବାବୁ ହୃଦ୍ଘାତରେ ଆରପାରିକୁ ଚାଲିଗଲେ । ଏତେ ବଡ ଘରଟିରେ ଚାକର ବାକରଙ୍କୁ ନେଇ ଏକା ରହୁଥିଲେ ସୁଜାତା ଦେବୀ । ଏବେ ପ୍ରଚେତା ଆସି ରହୁଛି ।


ପ୍ରତିସ୍ବନଙ୍କ କଥା କହିଲେ ଚିଡି ଚିଡି ହେଉଛି । କ'ଣ ହୋଇଛି କେଜାଣି ? ସେ ବି ଦିନେ ଆସୁ ନାହାଁନ୍ତି ? ତାଙ୍କୁ ଫୋନ୍ ଲଗାଇଲେ ଏହି ନମ୍ବରଟି କାହାକୁ ଦିଆଯାଇ ନାହିଁ କହୁଛି । ପ୍ରଚେତାକୁ ଫୋନ୍ ନମ୍ବର ମାଗିଲେ ନାହିଁ କହୁଛି । ଅଧିକ ପଚାରିଲେ ବିରକ୍ତ ହୋଇ କହୁଛି “ତୁ ବ୍ୟସ୍ତ ହୁଅନା, ସେ ଆସିବେ ଆପେ ଆପେ । ଏହା ଭିତରେ ”ଏକ ବର୍ଷ ବିତି ଗଲାଣି । ଧର୍ମସଂକଟରେ ପଡିଛନ୍ତି ସୁଜାତା ଦେବୀ । ଝିଅ ଘରେ ରହିବାରେ କୌଣସି ଆପତ୍ତି ନାହିଁ । ପ୍ରତିସ୍ବନଙ୍କ ଠାରୁ ଅଲଗା ରହିବାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ସତରେ,ଏ ଝିଅଟା ତାଙ୍କ ପାଇଁ ସବୁକିଛି । ଝିଅକୁ ତା ବାପାଙ୍କ ଆଦର୍ଶରେ ଗଢିବାକୁ ଚେଷ୍ଟାକଲେ । ତାକୁ ଶିଖାଇଲେ ଚାଲିବାକୁ ନିଜ ଗୋଡରେ । ମାଟି ତାଡିବାକୁ ନିଜ ଶିଂଘରେ । ଝିଅ ମଧ୍ୟ ବଞ୍ଚିଲା ତା ନିଜ ଆଦର୍ଶରେ । ସରଳ ଜୀବନଚର୍ଯ୍ୟା କିନ୍ତୁ ଉଚ୍ଚଭାବନା । ସୀମିତ ଆଶା, ସୀମିତ ସ୍ୱପ୍ନ । କାହା ପାଖରେ ଅନୁନୟ ନାହିଁ । ଦେବତା ବା ଭାଗ୍ୟ ପାଖେ ସମର୍ପଣ ନାହିଁ । ତେବେ ବେଳେବେଳେ ଡରହୁଏ ସୁଜାତା ଦେବୀଙ୍କର ।


ଏତେ ସରଳତା ଏବଂ ଖୋଲାପଣ ନେଇ କଣ ବଞ୍ଚିପାରିବ ? ଏ ଜଟିଳ ଦୁନିଆରେ ? ବାହାଘରର ବର୍ଷେ ପର୍ଯ୍ୟନ୍ତ ସବୁ ଚାଲିଲା ଠିକ୍‌ରେ । ମନେ ମନେ ଖୁସୀ ହୁଅନ୍ତି ସୁଜାତା ଦେବୀ । ମଝିରେ ମଝିରେ ଦୁଇଜଣ ଯାକ ଆସନ୍ତି ଘରକୁ । ଖୁସୀରେ ଉଛୁଳି ଉଠେ ଘର । ମାଆ ମାଆ ବୋଲି ତାଙ୍କର ପିଛା ଛାଡନ୍ତିନି ପ୍ରତିସ୍ବନ। ତେବେ କଣ ହେଲା କେଜାଣି, ଦିନେ ଝଡ ଭଳି ଆସି ପହଞ୍ଚିଲା ପ୍ରଚେତା । ମାଆକୁ ଶୁଣାଇ ଦେଲା, ସେ ନିକଟ ଭବିଷ୍ୟତରେ ଯିବନାହିଁ ପ୍ରତିସ୍ବନଙ୍କ ପାଖକୁ । ସମୟ ଗଡିଚାଲେ , ପ୍ରତିସ୍ବନ ଆସନ୍ତିନି । ତଥାପି ଆଶା ରଖନ୍ତି ନିଶ୍ଚୟ ପ୍ରତିସ୍ବନ ଦିନେ ଆସିବେ । ଆଉ ନେଇ ଯିବେ ପ୍ରଚେତାକୁ ତାଙ୍କ ସାଙ୍ଗରେ ।


ଏହା ଭିତରେ ଅନେକ ଦିନ ବବିତିଗଲାଣି । କଥାରେ ଅଛି - ବିନାଶ୍ରୟେ ନ ବର୍ତନ୍ତେ... କବିତା ବନିତା ଲତା । ପ୍ରଚେତା ନିଜ ଗୋଡ଼ରେ ଠିଆ ହେବ ବୋଲି ପ୍ରତିଜ୍ଞା କଲା । ହେଲେ ସମାଜ ପରିବେଶ ପରିସ୍ଥିତି କ'ଣ ନିଜ ଗୋଡ଼ରେ ଠିଆ କରେଇ ଦେଉଛି । ଲୋକ ମାନଙ୍କର ଡାହାଣିଆ ଆଖି ଗୁଡିକ ପଡୁଛି ପ୍ରଚେତା ଉପରେ । ମନେପଡେ ସେଦିନର କଥା -ନୂଆ ନୂଆ କରି ବିମ୍ବାଧର ବାବୁଙ୍କ ଅଫିସ୍ ରେ ଚାକିରୀ ପାଇଥିଲେ ପ୍ରତିସ୍ବନ । ସେତେବେଳେ ଏମ୍ ବିଏ ଫାଇନାଲ୍ ପ୍ରଚେତାର । ବିମ୍ବାଧର ବାବୁଙ୍କ ସାଥିରେ ଥରେ ଥରେ ପ୍ରତିସ୍ବନ ଆସନ୍ତି ଘରକୁ । ବିମ୍ବାଧର ବାବୁଙ୍କ ତାଙ୍କୁ ବହୁତ ଭଲ ପାଆନ୍ତି । କିଛି ଦିନ ଭିତରେ ସତେକି ଘରର ଜଣେ ସଦସ୍ୟ ହୋଇଗଲେ । ବିମ୍ବାଧର ବାବୁଙ୍କୁ  ପ୍ରତିସ୍ବନ ଭାରି ସମ୍ମାନ କରନ୍ତି । ଘରେ ବେଳେ ବେଳେ ଖିଆ ପିଆ କରନ୍ତି । ଘରର ଗାଡି ନେବା, ସୁଖ ଦୁଃଖରେ ସେ ବିମ୍ବାଧର ବାବୁଙ୍କ ସହଯୋଗୀ ।


ଏହା ଭିତରେ ପ୍ରତିସ୍ବନଙ୍କ ସରଳତା ଏବଂ ସହୃଦୟତା ଲାଗି ମୁଁ ମନେ ମନେ ଭଲ ପାଇ ବସିଲା ପ୍ରଚେତା। ଏ କଥା ମଧ୍ଯ ଅଛପା ରହିଲା ନାହିଁ ପ୍ରତିସ୍ବନଙ୍କୁ । ଦୁହେଁ ଦୁହିଁଙ୍କୁ ଲୁଚି ଲୁଚି ଭଲ ପାଉଥିଲେ । କିଏ କାହାକୁ ଭାଷାରେ ବ୍ୟକ୍ତ କରି ପାରୁ ନ ଥିଲୁ । ଦିନକର ଘଟଣା ପ୍ରଚେତାର ମାଉସୀ ଝିଅ ଭଉଣୀର ବିବାହ ଥାଏ । ପ୍ରଚେତାର ବାପା ମାଆ ଆଗରୁ ପଳାଇ ଯାଇଥିଲେ । ପ୍ରଚେତାର ସେଦିନ ପରୀକ୍ଷା ଥାଏ । ପରୀକ୍ଷା ଦେଇ ଫେରିଲା ବେଳକୁ ପାଞ୍ଚଟା ହୋଇ ଯାଇଥିଲା । ବିମ୍ବାଧର ବାବୁ ପ୍ରତିସ୍ବନଙ୍କୁ କାର୍ ଚାବି ଦେଇ ଯାଇଥିଲେ । ପ୍ରଚେତାକୁ ନେଇ ସାଥୀ ହୋଇ ଆସିବାକୁ କହିଥିଲେ । ପ୍ରଚେତାକୁ ଅପେକ୍ଷା କରି ଥିଲେ ପ୍ରତିସ୍ବନ ।


ପ୍ରଚେତା ପରୀକ୍ଷା ଦେଇ ଆସିଲା ପରେ ସାଥି ହୋଇ ଯାଇଥିଲେ କାର୍ ରେ । ସନ୍ଧ୍ୟା ହୋଇ ଆସୁଥାଏ । ଦୁହେଁ ନିରବ, ଅଧା ରାସ୍ତା ପରେ ଗୋଟେ ସଟକଟ୍ ରାସ୍ତା ଅଛି । ନିଛାଟିଆ ରାସ୍ତା । ସନ୍ଧ୍ୟା ପରେ ସେ ରାସ୍ତାରେ ସେତେ କେହି ଯାଆନ୍ତି ନାହିଁ । ସେଇ ରାସ୍ତାରେ ପ୍ରତିସ୍ବନ ଗାଡି ମୁହାଁଇଲେ । ପ୍ରଚେତା ଅସ୍ତ ବ୍ୟସ୍ତ ହୋଇ କହିଲା - ଇଆଡ଼େ କୁଆଡେ ଯାଉଛ । ପ୍ରତିସ୍ବନ ଗାଡି ଚଲାଇ ପଛକୁ ଅଧା ଚାହିଁ କହିଲେ - ଏମିତି ବ୍ୟସ୍ତ ହେଉଛ କାହଁକି ? 


ମୁଁ ତୁମ ପାଇଁ ଅଜଣା ନା.... ତୁମେ ମୋ ପାଇଁ... । ସେ ଶୂନଶାନ ରାସ୍ତାରେ ଫାଙ୍କା ଜାଗା ଦେଖି ଗାଡି ରଖିଲେ । ପ୍ରଚେତା ଭାବିଲା ଗାଡି ରଖିଲେ - ବୋଧହୁଏ ପାସ୍ ଯିବେ । ଦୁହେଁ ଚୁପ ଚାପ ଗାଡିକୁ ଆଉଜି ଜହ୍ନ କୁ ଚାହିଁଥାଉ । ଦୁହେଁ ପରସ୍ପର କୁ ସ୍ପର୍ଶ ନକରି ମଧ୍ୟ ଦୁହେଁ ମୃଦୁ କମ୍ପନ ରେ ବିଚଳିତ । ପ୍ରଚେତା ଚାହିଁ ପାରୁନି ପ୍ରତିସ୍ବନ କୁ । କିଏ କାହାକୁ ନିଜ ମନର କଥା କହି ନାହାଁନ୍ତି । କେତେ ଦିନର ସମ୍ପର୍କ । ଶରୀର ନୁହେଁ ଆତ୍ମା ର । ପ୍ରତାରଣା ର ନୁହେଁ ଶାଶ୍ୱତ ପ୍ରେମର । କେହି କାହାରିକୁ କେବେ ଛୁଇଁ ନାହାଁନ୍ତି । ଉଭୟ ଙ୍କ ନିଶ୍ୱାସ ପ୍ରତିମୁହୂର୍ତ୍ତ ରେ ଉଭୟ ଙ୍କୁ ସ୍ପର୍ଶ କରେ । କେତେ ମହାନ୍ ସ୍ବର୍ଗୀୟ ପ୍ରେମ । ଗଭୀର ବିଶ୍ୱାସ, ନିଶବ୍ଦ ପ୍ରତିଶୃତି, ଅକମ୍ପ ଆକର୍ଷଣ, ଆକଳନ୍ତା ଭଲ ପାଇବା । ସମସ୍ତ ଙ୍କ ଅଜାଣତରେ ହୁଏ ସେମାନଙ୍କ ଆତ୍ମା ର ମିଳନ । ପାଟି ଖୋଲି କଥା ନହେଲେ ମଧ୍ୟ ଉଭୟ ଉଭୟ ଙ୍କ ଆଖିରେ ବୁଝି ଯାଉଥିଲେ ହୃଦୟ ର ଭାଷା ଯାହା ଚିରନ୍ତନ। କାହିଁକି ନାଁ ହୃଦୟ କେବେ ମିଛ କହେନି କି ଆଖି କେବେ ଭୁଲ ବୁଝେନି । 


ଆଜି ଶୂନଶାନ ରାସ୍ତା ର ନିସ୍ତବ୍ଦ ରାତିରେ ଦୁହେଁ ପାଖା ପାଖି । ଗାଡି କୁ ଆଉଜି କଇଁ ଫୁଲିଆ ଜହ୍ନ କୁ ଚାହିଁଛନ୍ତି । ଅଛି ଖଣ୍ଡ ଖଣ୍ଡ କଳା ବାଦଲ ଜହ୍ନ କୁ ଲୁଚେଇ । ଏମାନଙ୍କୁ ଅନ୍ଧାର ରେ ଛାଡି ଦେଇଛି । ସେ ଅନ୍ଧାର ରେ ପ୍ରତିସ୍ବନ ପ୍ରଚେତା କୁ ଚାହୁଁଛି । ଝାଉଁ ଗଛ ର ଶିରି ଶିରି ଶବ୍ଦ ସାଙ୍ଗକୁ ସୁଲୁସୁଲିଆ ଶୀତଳ ପବନ । ଉଷ୍ମ ହୋଇ ସେମାନଙ୍କୁ ଆହୁରି ଉଷ୍ମ କରି ଦେଉଛି । କେହି କାହାରିକୁ ସ୍ପର୍ଶ ନକଲେ ମଧ୍ୟ ଉଭୟ ସ୍ନାୟବିକ ଉତେଜନା ରେ ଅସ୍ତବ୍ୟସ୍ତ । ପ୍ରତିସ୍ବନ ପ୍ରଚେତା କୁ ଏତେ ପାଖରେ କେବେ ଦେଖି ନଥିଲା । ସେ ବାରମ୍ବାର ପ୍ରଚେତା କୁ ଚାହୁଁ ଥାଏ ।


ପ୍ରଚେତା ଅନ୍ଧାର ରେ ଜହ୍ନ ଠୁ ବି ଉଜ୍ୱଳ ଦେଖା ଯାଉଛି । ପ୍ରତିସ୍ବନ ଧୀରେ ନିଜ ବାଁ ହାତ କୁ ପ୍ରଚେତା ର ଡାହାଣ ହାତର ପାପୁଲି କୁ ସ୍ପର୍ଶ କରେ । ପ୍ରଚେତା ଚି଼ଇଙ୍କି ଉଠି ହାତ ଛାଟି ନେଲା । ନିଜକୁ ସଜାଡ଼ିଲା ପରି ଛିଡା ହୋଇ କହିଲା ଚାଲ ଯିବା । ଏଠି କେହି ନାହାନ୍ତି । ଏତେ ରାତି ହେଲାଣି । ତା ପାଟିରୁ କଥା ଛଡେଇ ନେଇ ପ୍ରତିସ୍ବନ କହିଲେ - ମୁଁ ତ ଅଛି । ତୁମକୁ କ'ଣ ଡର ଲାଗୁଚି । ନାଁ ମୋ ଉପରେ ତୁମର ବିଶ୍ୱାସ ନାହିଁ । ପ୍ରଚେତା ର ଡାହାଣ ହାତ ପାପୁଲି କୁ ଆଣିଲା । ନିଜ ଦି ପାପୁଲି ର ଆଙ୍ଗୁଠି ଭିତରେ ଛନ୍ଦି କହିଲେ - ମାନୁଛି ! ମୁଁ ତୁମକୁ ଆଜିଯାଏ କହି ପାରିଲିନି । କି ମୁଁ ତୋତେ ପାଗଳ ଙ୍କ ପରି ଭଲ ପାଏ ବୋଲି । ପ୍ରଚେତା ସ୍ଥିର ହୋଇ ସବୁ ଶୁଣୁଥିଲା । ଶେଷରେ କହିଲା ଚାଲ ଯିବା ବାପା ମାଆ କ'ଣ ଭାବିବେ... ସତରେ ବାପା ମାଆଙ୍କ ମନରେ ସେଦିନ ଏକ ଭାବନା ସୃଷ୍ଟି ହୋଇଥିଲା ।


ଦିନେ ରାତିରେ ମାଆ ବାପାଙ୍କୁ ଧୀରେ ଧୀରେ କହୁଥିଲେ - ଶୁଣୁଛ ! ଆମ ଝିଅ ପ୍ରତିସ୍ବନକୁ ଭଲ ପାଉଛି । ବାପା ହସିହସି କହିଲେ ତୁମେ ମା ହେଲେ ମୁଁ ବାପା ପରା। ହଁ ମତେ ବି ସେୟା ଲାଗୁଛି। ନ ହେଲେ ଦେଖୁନ ପ୍ରଚେତା ଲୁଚି କରି ତାର କଥା ଶୁଣୁଛି ଏବଂ ବାରମ୍ବାର ଦେଖୁଛି । ଦୁହିଁଙ୍କ ଭିତରେ ସତରେ ପ୍ରେମ ହୋଇଗଲାଣି । ଆଉ କିଛି ହେବା ଆଗରୁ ଆମେ ଦୁହିଁଙ୍କୁ ଛନ୍ଦି ଦେଲେ କେମିତି ହୁଅନ୍ତା ? ମାଆ କହିଲା - ଆମେ ତାଙ୍କ ଘରକୁ ଯାଇ ପ୍ରସ୍ତାବ ରଖିବା । ଆଶା ତାଙ୍କ ଘରେ ନିଶ୍ଚିତ ରାଜି ହେବେ। 


ବାପା କହିଲେ .. ଧୀରେ ଧୀରେ କୁହମ ! ଝିଅ ଶୁଣୁଥିବ । ମୋ ମନ ଖୁସିରେ ଶିହରି ଗଲା। ରାତିରେ ନିଦ ହେଲାନି ମୋ କାନରେ ଖାଲି ଯୋଡ଼ି ମହୁରୀ ର ଶବ୍ଦ। ଆଉ ଆଶାର ତାଜମହଲ । ମୁଁ ତୁମ ଭିତରେ ଏକ ସରଳ ନିଷ୍କପଟ ପୁରୁଷକୁ ଆବିଷ୍କାର କରୁଥିଲି। ଆମର ବିବାହର ହୋଇଗଲା ।


ବିବାହ କରି ସୁଖରେ କିଛି ଦିନ ବିତାଇବା ପରେ ମନୋମାଳିନ୍ୟ । ସାମାନ୍ୟ କେତେଗୁଡିଏ ଫଟୋକୁ ନେଇ ଦୁଇ ଜଣକୁ ଅଲଗା କରିଦେଲା । ଦୁଇଜଣ ଙ୍କର ସମ୍ମାନ ଅଛି, ପ୍ରତିପତ୍ତି ଅଛି । ସମାଜରେ ଅନ୍ୟ ମାନଙ୍କ ଠାରୁ ପ୍ରଶ୍ନ ବାଣର ଶୀକାର ହେଉଛନ୍ତି । ଦୁଇଜଣ ଯାକ ମନକୁ ବୁଝାଇ ପାରୁ ନାହାଁନ୍ତି । ଅଲଗା ହେବା କଥା କିମ୍ବା ଦ୍ବିତୀୟ ବିବାହ କରିବା କଥା ମନକୁ ଆସୁନାହିଁ । ପ୍ରଚେତା ବ୍ୟାଙ୍କ ମ୍ୟାନେଜର ସଦା ବ୍ୟସ୍ତ । ଏପଟେ ପ୍ରତିସ୍ବନ ପ୍ରମୋଶନ ପାଇ ବ୍ଲକ୍ କୃଷି ଅଧିକାରୀ । ଦୁଇ ଜଣ ଦୁଇଜଣଙ୍କ ପାଇଁ ସମର୍ପିତ ହେଲେ ମଧ୍ୟ ମିଶିବାର ସାହସ କରି ପାରୁ ନାହାଁନ୍ତି । ଏହା ଭିତରେ ପାଞ୍ଚବର୍ଷ ବିତିଗଲାଣି । ଅଭିମାନ, ସ୍ବାଭିମାନ, ଉଚ୍ଚ ସମ୍ମାନ, ପଦ ପଦବୀ ଦୁଇଜଣଙ୍କୁ କ୍ଷତାକ୍ତ କରୁଛି । ସ୍ତ୍ରୀ ର ଅହଂକାର ପୁରୁଷର ସ୍ବାଭିମାନ ଦୁହିଁଙ୍କୁ ମିଶାଇ ଦେଇ ପାରୁ ନାହିଁ ।


 ଦିନେ ହଠାତ୍ ଦୁଇ ଜଣ ଦୁଇଜଣଙ୍କୁ ଦେଖାହେଲେ ଏକ ସପିଂ ମଲ୍ ରେ । ପ୍ରଚେତାଙ୍କର ସାଥିରେ ଥାଆନ୍ତି ସୁଜାତା ଦେବୀ । ଶାଶୁ ମାଆଙ୍କୁ ଦେଖି ପାଦ ସ୍ପର୍ଶ କରି ଅଭିବାଦନ ଜଣାଇଲେ ପ୍ରତିସ୍ବନ । ଅଭିମାନରେ ପଛକୁ ଘୁଞ୍ଚି ଗଲା ପ୍ରଚେତା । ସୁଜାତା ଦେବୀ ଜୋଇଁ ପୁଅକୁ କେତେ କ'ଣ ତୁନି ତୁନି କହିଲେ । ଶେଷରେ ତାଙ୍କର ଆଖିରୁ ଲୋତକର ଧାର ବହିଗଲା । କିଛି ସମୟ ପାଇଁ ଶାଶୁମାଆଙ୍କ ହାତରେ କଥାବାର୍ତ୍ତା । ତାପରେ ପ୍ରଣାମ ଜଣାଇ ମଲ୍ ରୁ ଚାଲିଯାଇଥିଲେ ପ୍ରତିସ୍ବନ । ଘରକୁ ଫେରିବା ବାଟରେ ପ୍ରଚେତାକୁ ବହୁତ ବୁଝାଇ ଥିଲେ ସୁଜାତା ଦେବୀ ।


ପ୍ରଚେତା ନିଜକୁ ଅନୁତପ୍ତ ଅଗ୍ନିରେ ଦଗ୍ଧୀଭୂତ ହେଉଥାଏ । ପଶ୍ଚାତାପ କରୁଥାଏ କେଉଁଠି ନା କେଉଁଠି ମୋର ଭୁଲ୍ ରହିଗଲା । ଦୁଇ ଦିନ ପରେ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଲା । ରାତି ସେତେବେଳକୁ ଆଠ ନଅ ହେବ । ଫୋନ୍ ଉଠାଇବାକୁ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ଯ ହୋଇ ଉଠାଇଲା । ସେପଟରୁ ଭାସି ଆସିଲା ମଧୁର କଣ୍ଠ - ପ୍ରଚେତା ! ! ! 

ଜଣା ଶୁଣା କଣ୍ଠ ଲାଗୁଥିଲେ ମଧ୍ୟ ପୁରୁଣା । କିଏ କହୁଥିଲେ ପ୍ରଶ୍ନ । ସେପଟରୁ ନିରବତା । ବାରମ୍ବାର କିଏ କହୁଥିଲେ... ଶେଷରେ ସେପଟରୁ ଉତ୍ତର ଆସିଲା ! ମୁଁ ପ୍ରତିସ୍ବନ...


ଏହା ଭିତରେ ପ୍ରତିସ୍ବନର କଣ୍ଠ ମଧ୍ଯ ଭୁଲି ଗଲେଣି ପ୍ରଚେତା । କିଛି ସମୟର ନିରବତା । ଉଭୟ ଉଭୟଙ୍କୁ କ'ଣ କହିବେ କେଉଁଠୁ ଆରମ୍ଭ କରିବେ..... ଶଙ୍କା ରେ ପଡିଥାନ୍ତି । ଆରମ୍ଭ କଲେ ପ୍ରତିସ୍ବନ - ମୋତେ ତୁମେ ଭୁଲ୍ ବୁଝିଛ ପ୍ରଚେତା । ଆମ ଭୁଲ୍ ବୁଝାମଣା ଯୋଗୁଁ ଏହା ଭିତରେ ପାଞ୍ଚ ଛଅ ବର୍ଷ ବିତିଗଲାଣି। ଜୀବନର ଅପରାହ୍ନ ଆଡକୁ ଗତି କରୁଅଛେ । ତୁମ ପ୍ରେମର ସ୍ମୃତି କୁ ଧରି ମୁଁ ଆଉ ବିବାହ କରି ପାରିଲିନି। ମୋ ବାପା ଦୁଇବର୍ଷ ତଳେ ଚାଲିଗଲେ । ଭଉଣୀ ବାହାହୋଇ ତା ସୁଖ ସଂସାରରେ ରହିଛି। ବୋଉ ମୋର ତୁମକୁ ମନେ ପକାଉଛି । ମୁଁ ବର୍ତ୍ତମାନ ବ୍ଲକ୍ କୃଷି ଅଧିକାରୀ । ବୋଉ ରହୁଛି ମୋ ପାଖରେ । କାଲି ମଲ୍ ରେ ତୁମକୁ ଦେଖିଲା ପରେ ତୁମେ ଅନୁତପ୍ତ ଥିବା ଲକ୍ଷ୍ୟ କଲି । ସେଥିପାଇଁ ତୁମକୁ ଆଜି ଫୋନ୍ କଲି । ଆଶା... ତୁମ ମନରେ ସନ୍ଦେହ ଘୃଣା ଅବିଶ୍ବାସ ଆଉ ନ ଥିବ ବୋଲି । ଏ ଘର ଏ ହୃଦୟ ତୁମ ଛଡ଼ା ଆଉ କାହାକୁ ଗ୍ରହଣ କରିପାରିନି। ଖୋଲା ପଡ଼ିଛି ତୁମ ପାଇଁ ଏସବୁ। ତୁମର ମନ....


କିଛି ସମୟର ନିରବତା ପରେ ପ୍ରଚେତା କହିଲା - ଅପରାଧୀ ପରି ସତ୍ୟକୁ ସାମ୍ମନା କରିବାକୁ ସାହସ ନାହିଁ । ପାଞ୍ଚ ଛଅ ବର୍ଷଧରି ମୁଁ ଯେଉଁ ଆତ୍ମଗ୍ଲାନିରେ ଯନ୍ତ୍ରଣା ପାଉଛି । ତାକୁ ତୁମକୁ କହିବାକୁ ଆଜି ସୁଯୋଗ ମିଳିଛି। ମନର ସବୁ କଥା ଫୋନରେ କହି ପାରିବିନି ତଥାପି କହିବି । ଯେଉଁ ଚିତ୍ରପଟକୁ ପାଞ୍ଚ ବର୍ଷ ହେଲା ଛାତିରେ ଧରି ରଖିଛି । ଯାହାଙ୍କ ପାଖରେ ଅକ୍ଷମଣୀୟ ଭୁଲ୍ କରିଛି । ସେଇ ଅହଂ ମିଶା ସ୍ବାଭିମାନୀ ଆଶାର କେବେଠାରୁ ମୃତ୍ୟୁ ହେଇଯାଇଛି । ଗୁମୁରି ଗୁମୁରି କାନ୍ଦୁଛି ସେଇ ଅହଂକାରୀ ଝିଅଟା ।


ମନେପଡେ ସେଦିନ କଥା - ତୁମର ସାଙ୍ଗ ଅରୁନ୍ଧତୀ କୁ ବଜାରରେ ମିଶିଥିଲି । ସେ ପ୍ରଥମେ ତୁମ ବିଷୟରେ ଭଲ ମନ୍ଦ ପଚାରିଲା । ତା'ପରେ ତାଙ୍କର ଘରକୁ ଡାକିନେଲା । ଘରକୁ ଯିବା ଭିତରେ ଭାବୁଥିଲି । ଏ ମୋ ପାଇଁ ସୌଭାଗ୍ୟ ଆଣିବ ନା ଦୁର୍ଭାଗ୍ୟ ? ତାଙ୍କର ଘରେ ବସି ବହୁ ସମୟ କଥା ହେଲୁ । ସେ ତୁମକୁ ଭଲ ପାଉଥିଲା ବୋଲି କହିଲା । ବିଭିନ୍ନ ପୋଜରେ ଫଟୋ ଉଠାଇ ଥିବାର ଦେଖାଇଲା । ଶେଷରେ କେତୋଟି ଅସଞ୍ଜତ ଅବସ୍ଥାରେ ଥିବା ଫଟୋ ଦେଖାଇଲା । ଫଟୋସବୁ ଦେଖି ମୋ ମୁଣ୍ଡ ଗରମ ହେଇଗଲା। କ୍ରୋଧ ମୋର ତାଳୁରୁ ତଳିପା ପର୍ଯ୍ୟନ୍ତ ସଞ୍ଚରିଗଲା। ହିତାହିତ ଜ୍ଞାନ ଲୋପ ଭୁଲିଗଲଟି । ତୁମ ପ୍ରତି ପ୍ରଚଣ୍ଡ ଘୃଣା ଆସିଲା । ଭାବିଲି ତୁମେ ମୋ ସାଙ୍ଗରେ ପ୍ରବଞ୍ଚନା କଲ । ତୁମେ ଜଣେ ଠକ ପ୍ରତାରକ । ମୋ ସହିତ ପ୍ରେମ ଅଭିନୟ କରିଥିବା ଧାରଣା ଦୃଢ଼ୀଭୂତ ହେଲା। ଚିନ୍ତା କରିବା ଶକ୍ତି ହରାଇ ଦେଲି । ନାରୀର ଯାହା ସ୍ବାଭାବିକ ଲକ୍ଷଣ ତାହା ମୋ ଠାରେ ଦେଖାଗଲା । କାରଣ ନାରୀ ସବୁ ସହିପାରେ । ନିଜର ପ୍ରେମିକା ବା ସ୍ବାମୀ........ ପର ସ୍ତ୍ରୀ ସାଥିରେ ସମ୍ପର୍କ ରଖିବା କେବେ ସହ୍ୟ କରିପାରେ ନାହିଁ । 


ମୁଁ କେତେବଡ଼ ଭୁଲ୍ କଲି ଆଜି ଚିନ୍ତା କରୁଛି । ସେତେବେଳେ ଯଦି ଏତିକି....। ସଦା ନିଃସଙ୍ଗତା ହେତୁ ମାଆ ଦିନେ ରାଣ ପ୍ରମାଣ କରି ସବୁକଥା ପଚାରିଲା । ମନର କଥା ମନରେ କେତେ ଦିନ ଲୁଚାଇ ରଖିପାରିବି ? ମାଆକୁ ବାଧ୍ଯ ହୋଇ ସବୁ କଥା କହିଲି । ସମସ୍ତ ଫଟୋ ମଧ୍ୟ ଦେଖାଇଲି । ମାଆ ସେସବୁ ଫଟୋ ଦେଖି ମୋତେ କହିଲା । ଝିଅ ମୋତେ ଲାଗୁଛି - ଏଥିରେ ଏସବୁ କ୍ୟାମେରା ବାହାଦୂରୀ । ଅଥବା କମ୍ପୁଟରର ଚାତୁରୀ । ତୁ ଏତେ ରାଗିଲେ ଚଳିବ ? ରାଗି ପାଇଲୁ କ'ଣ ? ମୁଁ କିନ୍ତୁ ମୋ ନିଷ୍ପତ୍ତିରେ ଅଟଳ ଥିଲି । "କ୍ରୋଧ ସୁଦୁର୍ଜୟ ଶତ୍ରୁ" ....... କ୍ରୋଧ ରୂପକ ଶତ୍ରୁକୁ ବିଜୟ ଲାଭ କରିବା ଏତେ ସହଜ ନୁହେଁ । ଶାନ୍ତ ହୁଅ । ଧୀର ସ୍ଥିର ଚିତ୍ତ ଶାନ୍ତ ମନରେ ଚିନ୍ତା କର.... ଭଲ କ'ଣ ଖରାପ କ'ଣ ? 


ସବୁ ପାଇଲି କିନ୍ତୁ ଜୀବନଟା ନିଃସଙ୍ଗତା ଭିତରେ ବିତୁଛି। ତୁମ ପାଖରେ କ୍ଷମା ମାଗିବାକୁ ସାହାସ ନାହିଁ ମୋର। ଯଦିପାର କ୍ଷମା କରିଦେବ।ବୟସର କୃଷ୍ଣଚୂଡ଼ା ଫିକା ପଡି଼ଆସୁଛି, ହାତରେ ମେହେନ୍ଦି ସଜାଇବା ଆଶାଟିଏ ଆଶା ଭିତରେ ପୁଣି ଉଙ୍କି ମାରୁଛି ଆଜି। ତୁମ ଶୂନ୍ୟତାରେ ପୁଣି ବସନ୍ତର ରଙ୍ଗ ଭରିବାକୁ ମନ ଚାହୁଁଛି। କ'ଣ ସୁଯୋଗ ଦେବ ନା ? ?

ଉତ୍ତର ପୁରୁଷ ପାଇଁ ଗ୍ୟାରେଣ୍ଟି ଦେଇ ପାରୁନି ? ସ୍ଥାନଟିଏ ଚାହୁଁଛି ତୁମ ହୃଦୟରେ । ସ୍ବପ୍ନଟିଏ ଚାହୁଁଛି ତୁମ କୋଳରେ। ଆତ୍ମଗ୍ଲାନିର ଯନ୍ତ୍ରଣା ଆଉ ସହିପାରିବିନି।


ସେଦିନ ରାତିରେ ତୁମ ଘରକୁ ବୋହୁ ହୋଇ ଯିବା । ମଧୁଶଯ୍ୟାର ଦୃଶ୍ୟ, ତୁମ ବାହୁ ବନ୍ଧନରେ ମୋର ଦେହ । ତୁମର ଅନୁରାଗ ବୋଳା ଚୁମ୍ବନ ... ଭାବୁଥିଲି ରାତିଟା ଆଉ ଟିକିଏ ଲମ୍ବା ହୁଅନ୍ତା କି ? ଯାହାର ସତ୍ୟତା ଏବେ ଉପଲବ୍ଧି କରୁଛି। ଛନ୍ଦାୟିତ ଝରଣାପରି ମୋ ଯୌବନର ଚଉହଦିକୁ ତୁମେ ଅନୁରାଗ ବାରିରେ ପ୍ଲାବିତ କରିଦେଇଥିଲ।ତୁମର ପ୍ରଥମ ଚୁମ୍ବନ ଆଜି ବି ମୁଁ ସାଇତି ରଖିଛି ମନ ସିନ୍ଦୁକରେ। ତୁମ ଚୁମ୍ବନ ରେ ଏକ ଶୀହରଣ ବିଜୁଳି ପରି ଖେଳି ଯାଇଥିଲା ମୋ ଦେହରେ। ମନରେ ଶତ କଦମ୍ବର ରୋମାଞ୍ଚ ।ଆଉ ତୁମ ଗାଲରେ ସ୍ବୀକୃତି ଦେଇଥିଲା ମୋ କମ୍ପିତ ଓଠ। ରାତିସାରା ପ୍ରେମର ଶୀହରଣରେ ଶୋଇ ପାରି ନ ଥିଲି। ଏବେ ବି ସେ ଅଭୁଲା ସ୍ମୃତି ମନ ଭିତରେ ରୋମନ୍ଥନ ହେଉଅଛି । 


ଆଶା ରଖିଛି..  ଆମ ସମ୍ପର୍କରେ କିଛି ଦିନ ପାଇଁ ପାଚେରୀ ଉଠିଗଲା । ସେ ପାଚେରୀ ଭାଙ୍ଗି ଆମେ ପୁଣି ନୂତନ ଘର କରିବା । ମୁଁ ପରେ ମୋର କେତେକ ବାନ୍ଧବୀଙ୍କ ଠାରୁ ଅରୁନ୍ଧତୀ ବିଷୟରେ ଜାଣିଥିଲି । ସେ ଏକ ନଷ୍ଟ ଚରିତ୍ରର ଝିଅ । ପର ଘର ଭାଙ୍ଗିବା ତାର ସ୍ବଭାବ । ପଛ କଥା ପଛରେ ଥାଉ । ଆମେ ମିଶି ପୁଣି ଆମର ଘର ସଂସାର କରି ପାରିବା ନା..... ପ୍ରତିସ୍ବନ ସେପଟରୁ କୋହ ଆବେଗଭରା କଣ୍ଠରେ କହିଥିଲେ ତୁମେ ଚାହିଁଲେ ସବୁ ସମ୍ଭବ....


Rate this content
Log in

More oriya story from Lalita Mohan Mishra

Similar oriya story from Drama