Banabihari Mishra

Others Thriller

3  

Banabihari Mishra

Others Thriller

ସଭା

ସଭା

4 mins
539


ସେଦିନ ଗାଁଟା ଯେମିତି ଚଳଚଞ୍ଚଳ ହୋଇ ପଡୁଥିଲା ଆଉ ଉଠୁଥିଲା, ସେଥିରୁ ଜଣେ ସହଜରେ ଜାଣିନେବ ଯେ କେହି ଜଣେ ବଡବଡିଆ ଆସୁଛନ୍ତି ହରିପୁରକୁ। ଯଦିଓ ସରକାରୀ ଖାତାରେ ହରିପୁର ଗୋଟେ ଗାଁ, ତଥାପି ସେଇଟା ଗୋଟିଏ ଛୋଟକାଟିଆ ସହର କହିଲେ ଅତ୍ୟୁକ୍ତି ହେବନି। ଏଠି ମଝି ରାସ୍ତାରେ ଶଗଡ ଚାଲିବା ସଙ୍ଗେ ସଙ୍ଗେ ଅତ୍ୟାଧୁନିକ ମୋଟରଯାନ ମଧ୍ୟ ଚାଲେ। ପ୍ୟାଣ୍ଟ-ସାର୍ଟ-କୋଟ ପିନ୍ଧା ଲୋକ ଦେଖିବାକୁ ମିଳନ୍ତି ଆଉ ସମାନ ସମୟରେ ଅଧଲଙ୍ଗଳା ମାଇପି କୋଉଠି କୋଉଠି ଝାଡା ଫେରିଥିବା ଛୋଟଛୁଆଙ୍କ ଶୌଚ କରାଯାଉଥିବାର ମଧ୍ୟ ଦେଖାଯାଏ। ଗାଁର ନିହାତି ଗାଉଁଲୀ ଜିନିଷ ଦୋକାନ ମାନଙ୍କରେ ମିଳିବା ସହିତ ସହରରେ ମିଳୁଥିବା ଆଧୁନିକତା ପାଇଁ ଆବଶ୍ୟକ ସବୁ ଜିନିଷ ମଧ୍ୟ ମିଳିଥାଏ। ଛଣଛପର ହେଇଥିବା ମାଟିଘରର ମଥାନକୁ ତାତ୍ସଲ୍ୟ କରୁଥିବା ସୁଦୃଶ୍ୟ ଅଟ୍ଟାଳିକା, ଗାଁର କଂକ୍ରିଟ୍ ରାସ୍ତାରେ ଧାନ ଆଉ ଗୋବର ଘଷି ଶୁଖୁଥିବାର ମଧ୍ୟ ଦେଖାଯାଏ । ଆଜି କିନ୍ତୁ ଚାରିଆଡେ ସଫାସୁତୁରା କରାଯାଉଛି । ଚାରିଆଡେ ପୋଷ୍ଟର ଲାଗିଗଲାଣି । ମନ୍ତ୍ରୀ ଆସୁଛନ୍ତି । ସ୍ଥାନୀୟ ବିଧାୟକ ସିଏ। ଏଇ ଗାଁରୁ ଗତ ନିର୍ବାଚନ ବେଳେ ଅଧିକ ଭୋଟ ମିଳିଥିଲା । ଏଇ ଗାଁରେ ତାଙ୍କର କର୍ମୀ ସଂଖ୍ୟା ମଧ୍ୟ ଅଧିକ । ନିର୍ବାଚନରେ ଜିତି ମନ୍ତ୍ରୀ ହେଲାପରେ ଏଇଟା ଏ ଅଞ୍ଚଳକୁ ତାଙ୍କର ପ୍ରଥମ ଗସ୍ତ ।

ସଭା ହେବ। ସଭା ପାଇଁ ସୁଦୃଶ୍ୟ ମଞ୍ଚ ମଧ୍ୟ ପ୍ରସ୍ତୁତ । ଫୁଲମାଳରେ ମଞ୍ଚ ଭଲଭାବରେ ସଜାହୋଇଛି। ଆଖପାଖର ଦଶ ପନ୍ଦର ଖଣ୍ଡ ଗାଁରୁ ଟ୍ରକ ଆଉ ଟ୍ରାକ୍ଟରରେ କେତେ ପିଲା ବୁଢା ମାଇପି ସବୁ ବୁହାହୋଇ ଆସିଲେଣି। ସେଇମାନଙ୍କ ଭିତରେ ଦୁଃଖା ବି ଆସିଛି । ମନରେ ତାର ଭାରି ଉତ୍ସାହ । ଦିନ ମଜୁରିଆ ଦୁଃଖା। ମଜୁରି ଲାଗିଲେ ତା ପରିବାରର ପେଟକୁ ଦାନା ଯାଏ। ହେଲେ ସେଦିନ ଦୁଃଖା ମଜୁରି ଖଟିବାକୁ ଯାଇନି। ଆଜି କୁଆଡେ ବିନା କାମରେ ମଜୁରି ମିଳିବ। ପୁଣି ତା ସାଙ୍ଗକୁ ବଢିଆ ଖାନା। ଭାବିରଖିଛି ଦୁଃଖା, ନିଜେ ତ ପେଟ ପୁରେଇ ଖାଇବ, ପୁଣି ଘର ପାଇଁ ବି ମାଗିକି ନେଇଯିବ। 

ସଭା ଜାଗାରେ ଦୁଃଖା ଆଗ ଧାଡିରେ ବସିଲା । ତଳେ ଦରି ପଡିଥାଏ । ତମ୍ବୁ ଟଣା ହେଇଥାଏ। ସେ ପାଖରେ ପ୍ଲାଷ୍ଟିକ ଚେୟାର ସବୁ ପଡିଥାଏ। ହେଲେ ସେ ଚେୟାରରେ ବସିବାକୁ ଦୁଃଖାର ସାହସ କୁଳେଇଲାନି। ସେଗୁଡାକ ବଡବଡିଆ ମାନଙ୍କ ପାଇଁ । ତା ପରି ମଳିମୁଣ୍ଡିଆ ପାଇଁ ନୁହେଁ । ଆହୁରି ଢେର ଲୋକ ତା'ଭଳି ଦରିରେ ବସିଥିଲେ ।

ଏ ପର୍ଯ୍ୟନ୍ତ ମନ୍ତ୍ରୀ ଆସିନାହାନ୍ତି। କୋଉ ସକାଳ ପହରୁ ଦୁଃଖା ଆସିଛି । ସକାଳେ ଘରୁ ଆସିଲାବେଳେ ଟିକେ କମ୍ କରି ଖାଇଥିଲା। ଏଠି ଭୋଜିଭାତ ଖାଇବାର ଅଛି ଯେ; ପେଟଟା ପୁରା ଥିଲେ ଭୋଜି ଖାଇପାରିବନି। କିନ୍ତୁ ବେଳ ଆସି ଦି'ପହର ହେଲାଣି । ଦିନ ମୁଣ୍ଡ ଉପରୁ ଟିକେ ଢଳି ପଡିଲାଣି। ଭୋକରେ ପେଟ ଜଳିଲାଣି। ତଥାପି ଦୁଃଖା ବସି ରହିଛି। ମନ୍ତ୍ରୀ ଆସିବେ ପରା । ତା'ପରେ ଭୋଜି ଖାଇ ସେ ଘରକୁ ଯିବ। ହଁ, ସୁଯୋଗ ମିଳିଲେ ମନ୍ତ୍ରୀଙ୍କୁ ତା ଗୁହାରି ଜଣେଇବ। ଗଲାଥର ଭୋଟ ବେଳକୁ ତା ଗାଁକୁ ଆସିଥିଲେ । କେତେ ଆଦରରେ ତା ପିଠି ଥାପୁଡେଇ ଦେଇଥିଲେ । ଏବେ ତାକୁ ଦେଖିଲେ ନିଶ୍ଚେ ଚିହ୍ନିବେ। ମନେମନେ ଦୁଃଖା ଆହୁରି କେତେ କ'ଣ ଭାବି ଯାଉଥିଲା ।

ସେତିକିବେଳେ କେହି ଜଣେ କହି ଉଠିଲା, "ମନ୍ତ୍ରୀ ଆସିଗଲେ। ହେଇ ଦେଖୁନ, ନାଲିବତୀ ଗାଡି"। ସମସ୍ତେ ଠିଆ ହେଇପଡିଲେ ଆଉ ସେଇ ଆଡକୁ ଚାହିଁଲେ । ଦୁଃଖା ବି ଠିଆ ହେଲା। ଲମ୍ବା ଚଉଡା ପାଞ୍ଚହାତିଆ ମରଦଟାଏ। ଶିରାଳ ହାତର ବେଣ୍ଡି ପଡିଥିବା ପାପୁଲିକୁ ବଜେଇ ଦୁଃଖା ଚିତ୍କାର କରୁଥିଲା, ତାକୁ ଯାହା ଶିଖେଇ ଦିଆଯାଇଥିଲା "ଜିନ୍ଦାବାଦ୍ ଜିନ୍ଦାବାଦ୍"। ମନ୍ତ୍ରୀଙ୍କର ଜିନ୍ଦାବାଦ୍ କରୁକରୁ ତା ପେଟର ଭୋକ ତାକୁ ଚେତେଇ ଦେଉଥିଲା 'ଖାଇବା ସରିଯିବନି ତ?'

ମନ୍ତ୍ରୀ ଭାଷଣ ଦେଲେ। ଦୁଃଖା ଆଗରେ ବସିଥିଲେ ବି ଯେତେ ପ୍ରକାର ଚିତ୍କାର କରି ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଥିଲେ ବି ତା ଉପରେ ମନ୍ତ୍ରୀଙ୍କର ଆଖି ପଡି ନଥିଲା । ସେଇ ଜିନ୍ଦାବାଦ୍ ଆଉ କରତାଳି ଭିତରେ ମନ୍ତ୍ରୀଙ୍କର ଭାଷଣ ସରିଲା। ସେତେବେଳକୁ ବେଳ ଆସି ରତରତ ହେଲାଣି । ମାହାପୁରୁ ଯିବାକୁ ବସିଲେଣି । ଦୁଃଖା ବସିବା ଜାଗାରୁ ଉଠିଲା । ଖାଇବା ସରିଯିବ ଯେ। ଆଉ ପୁଣି ଥଣ୍ଡା ହେଇଯିବ କାଳେ । କେତେଦିନ ପରେ ଆଜି ଗରମ ଗରମ ଗଣ୍ଡେ ଖାଇବ ।

ଭିଡ ଭିତରୁ ଦୁଃଖା ବାହାରି ଆସିଲା। ଏଇ ସେପଟେ ଭିଡ ଲାଗିଛି, ଖାଇବାକୁ ସେଇଠି ମିଳୁଛି ବୋଧେ । ଦୁଃଖା ସେଇ ଆଡକୁ ଗଲା। ଭିଡ ଭିତରେ ଠେଲିପେଲି ଆଗକୁ ଗଲା। ହାତ ବଢେଇ ଆଣିଲା ଗୋଟିଏ ଛୋଟିଆ ପ୍ୟାକେଟ୍ । ଆଉ ଗୋଟିଏ ତା ଘର ପାଇଁ ମାଗିଲା ଯେ ଶୁଣିଲା କଡାମିଠା ଦି'ପଦ। ଧକାପେଲାରେ ସିଏ ପୁଣି ପଛକୁ ଚାଲି ଆସିଥିଲା । ଆଉ ତା ଭାଗରେ କି ଭାଗ୍ୟରେ ନାହିଁ । କାନମୁଣ୍ଡ ଆଉଁସି ସେଇ ଗୋଟିଏ ପ୍ୟାକେଟ୍କୁ ଗଣ୍ଠିଧନ କରି ଆସିଲା । ଭାବୁଥିଲା ମନ୍ତ୍ରୀଙ୍କୁ ଯାଇ ଗୁହାରି କରିବ। କିନ୍ତୁ ମନ୍ତ୍ରୀ ସେତେବେଳକୁ ସଭା ସାରି ତାଙ୍କ ନାଲିବତୀ ଗାଡିରେ ଯାଇ ସାରିଥିଲେ । ଅତି ଦୁଃଖରେ ଦୁଃଖା ସେଇ ଗୋଟିଏ ପ୍ୟାକେଟ୍ ଧରି ଭାବିଲା ଖାଇବାକୁ ନ ମିଳୁ ପଛେ, ପଇସା ଗଣ୍ଡାକ ନେଇକି ଘରକୁ ଯିବ। ଆଜି ତ ମଜୁରି ଖଟିବାକୁ ଯାଇନି, ଘରେ ଖାଇବେ କ'ଣ? ତାକୁ ଯିଏ ଡାକି ଆଣିଥିଲା ତାକୁ ସିଏ ଖୋଜିଲା ।

କେତେ ବେଳ ପରେ ଯାଇ ତାକୁ ସିଏ ପାଇଲା। ସେ ପୁଣି ସମ୍ପୂର୍ଣ୍ଣ ନିଶାରେ । କେତେ କାକୁଡି ମିନତି ହୋଇ ଦୁଃଖା ତାକୁ ମାଗିଲା ତାକୁ, "ବାବୁ, ତେମେ ଆପଣ କହିଥିଲ ପା। ଏବେ ଦୋଉନ କାହିଁକି? ବେଳ ହେଲାଣି ଯେ। ଆମ ଗାଡି ପଳେଇବ।" 

ଗଲର ଗଲର କଣ୍ଠରେ ଖନି ମାରୁଥିବା ସ୍ୱରରେ ନାନା ଅପଶବ୍ଦ ନାନାକୁ ବିଶେଷଣ ଦେଇ ସେ ବାବୁ ଜଣକ କେତେ ଗାଳି ଫଜିତ୍ କଲେ। ତଥାପି ଦୁଃଖା ଛାଡୁ ନଥିଲା ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ତାକୁ ଦି'ଟା ଚଟକଣା ଦେଇ ଧକ୍କା ମାରି ବିଦା କରି ଦିଆ ନ ଗଲା।

ସେତେବେଳକୁ ମାଈସଞ୍ଜ ହେଇଗଲାଣି। ଆକାଶରେ କୁଆଁତାରାଟା ଯେମିତି ମିଟିମିଟି ହୋଇ ତାକୁ ଖତେଇ ହେଉଛି । ଦୁଃଖା ସଭା ଜାଗାରୁ ବାହାରି ଆସିଲା । କିନ୍ତୁ ସିଏ ଯୋଉ ଟ୍ରାକ୍ଟରରେ ଆସିଥିଲା ସେଇଟା କେତେବେଳୁ ଯାଇ ସାରିଥିଲା। ଅଗତ୍ୟା ଅମଙ୍ଗ ପାଦ ଦି'ଟାକୁ ଜୋର ଜବରଦସ୍ତି ଘୋଷାରି ଘୋଷାରି ଗାଁ ଆଡେ ମୁହେଁଇଲା। ତା ଗାଁ ଏଠୁ କୋଶେ ଦୂର। ଆଖି ପାଉନି । ତଥାପି ଦୁଃଖା ଚାଲିଲା ଧୀରେଧୀରେ ଚାଲି ଚାଲି ଘରେ ପହଞ୍ଚିବା ବେଳକୁ ଅଷ୍ଟମୀର ଘଡିମାରି ଆସୁଥିବା ଜହ୍ନଟା ତା ଫାଳିକିଆ ମୁଁହ ଦେଖେଇଲାଣି।

ତାଟିକବାଟ ଠେଲି ଘରେ ପଶିଲା ବେଳକୁ କଅଁଳା ଛୁଆଟା ତା ମା'ର ଶୁଖିଲା ଥନକୁ ଚୁଷି ଚୁଷି ଶୋଇପଡିଲାଣି। ଆଉ ତା ମା' ବି ଦରନିଦୁଆ ଆଖିରେ ବାଟ ଚାହିଁ ବସିଛି ତା ଗିରସ୍ତର ଫେରନ୍ତା ବାଟକୁ । ସିଏ ଖାଇବା ଆଣିକି ଆସିବ।

ଦୁଃଖା ହାତରୁ ପ୍ୟାକେଟ୍ ଟିକୁ ନେଇ ଖୋଲି ବସିଲା ସିଏ। ଦି'ଟା ସିଙ୍ଗଡା, ଗୋଟେ ବରା ଆଉ କାଚବାଟି ପରି ଗୋଟେ ରସଗୋଲା ।

ବଡ ନିରିମାଖୀ ଆଖିରେ ଦିହେଁ ଦିହିଁଙ୍କୁ ଚାହିଥିଲେ। ଦିହେଁ ଦିହିଁଙ୍କର ବିବଶତାକୁ ଖୁବ୍ ଅନୁଭବ କରୁଥିଲେ ।

ସେତେବେଳକୁ ପ୍ୟାକେଟ୍ ଭିତରେ ବରା ସିଙ୍ଗଡା ଲାଳ ଧରି ଆସିଲାଣି । ତଥାପି ସେଇଆକୁ ଖାଇ ପାଣି ଦି'ଢୋକ ପିଇ ଦି ପ୍ରାଣୀ ଶୋଇପଡିଲେ । ସେଗୁଡାକ ଖରାପ ହେଇ ଯାଇଥିଲେ ବି ଗରିବର ପେଟରେ ସହଜପାଚ୍ୟ।

ଡାହାଣ ହାତ ଉପରେ ମୁଣ୍ଡ ରଖି ଦୁଃଖା ଶୋଇବାକୁ ଚେଷ୍ଟା କରୁକରୁ ପେଟର ଜ୍ୱାଳାକୁ ମର୍ମେମର୍ମେ ଅନୁଭବ କରୁଥିଲା । ଭୋକ ଆଉ ରାଜନୀତିର ଏ ପ୍ରହେଳିକା ତାକୁ ଶୋଇବାକୁ ଦେଉ ନଥିଲା । ଓଲାରି ହେଇଯାଇଥିବା ଚାଳକର ଫାଙ୍କରେ ଅଷ୍ଟମୀର ଅଧା ଜହ୍ନକୁ ନିର୍ନିମେଷ ଆଖିରେ ଚାହିଁ ରହି ଦୁଃଖା ଭାବୁଥିଲା ଆଉ କୌଣସି ନେତା ଫେତାଙ୍କ କଥା ସିଏ ଶୁଣିବନି। 

କିନ୍ତୁ ହାୟ, ଏଇଟା ଗୋଟେ ବଡ ବିଡମ୍ବନା । ସବୁଥର ଧୋକା ଖାଇସାରିଲା ପରେ ବି, ଧୋବି ପଛାଡ କଚଡା ଖାଇସାରି ଏ ମଣିଷ ଗୁଡାକ ଚେତନ୍ତିନି। ପୁଣି ପାଞ୍ଚବର୍ଷ ବେଳକୁ ସବୁକିଛି ଭୁଲିଯାଇ ନୂଆ ଆଶା ନୂଆ ଭରସା ନେଇ ପୁଣି ସେଇ ପଙ୍କରେ ଗୋଡ ଖସେଇ ଦିଅନ୍ତି ।


Rate this content
Log in