ସାଥି
ସାଥି
ରାତି ଏଗାରଟା ପଇଁତିରିଶ, ଟିଭିରେ ଏକ ସିରିୟଲ ଦେଖୁ ଦେଖୁ ଆଖିପତା ମାଡି ଆସିଲା କଳ୍ପନାଙ୍କର, ଉପର ଘରେ ଏକାନ୍ତ ବାସ ରେ ସ୍ୱାମୀ, ଗତ ଚାରି ଦିନ ହେବ ମହାମାରୀ କରୋନା ରେ ଆକ୍ରାନ୍ତ ହୋଇ ସେ ଶଯ୍ୟାଶାୟୀ, ପାଖରେ ଥାଇ ବି କିଛି କରିପାରୁନଥିବାର ଅଭାବବୋଧକୁ ଯେମିତି ଅନୁଭବ କରୁଛନ୍ତି, ତା ଠାରୁ ଅଧିକା ସାମାଜିକ ବାସନ୍ଦ, ଘର ସାମ୍ନା ରେ ନାଲି ରଙ୍ଗର ରିବନ ବନ୍ଧା ହେବା ପରଠୁ ଲାଗୁଛି ଯେମିତି ସେମାନେ ଏଵେ ନିହାତି ଏକୁଟିଆ ହୋଇଯାଇଛନ୍ତି l
କଳ୍ପନା ଶୋଇବାକୁ ଯାଉଛନ୍ତି, ହଠାତ ତାଙ୍କ ମୋବାଇଲ ବାଜି ଉଠିଲା, ଏ ରାତି ଅଧରେ କାହାର ଏ କଲ !ଦେଖିଲା ବେଳକୁ ସ୍ୱାମୀଙ୍କର, ଡାକ୍ତର ଆଉ ସ୍ବେଛାସେବୀ କରୋନା ଯୋଦ୍ଧାମାନେ ମନା କରିଦେଇ ଯାଇଛନ୍ତି ସ୍ବାମୀଙ୍କ ଠାରୁ ଦୁରେଇ ରାହିବାକୁ ଏକ ରକମ ଚେତାବନୀ ଦେଇଯାଇଛନ୍ତି, ଉପର ଘରେ ସବୁ ଅଛି, ଫ୍ରୀଜ଼, ଟିଭି, ଗ୍ୟାସ, ଗିଜର, ସୋଫା, ଇତ୍ୟାଦି ସବୁ ସବୁ ଥିଲେବି ତଳୁ ସବୁ କରି କଳ୍ପନା ଦେଇଆସନ୍ତି ସ୍ୱାମୀଙ୍କୁ, ଏକୁଟିଆ ଲାଗିବ ବୋଲି ଥାକ ଥାକ ଆଧ୍ୟାତ୍ମିକ ବହିଠୁ ଆରମ୍ଭ କରି ଗଳ୍ପ, ଉପନ୍ୟାସ କବିତା ତଥା ଜୀବନ ଦର୍ଶନ ପୂର୍ଣ୍ଣ ବହିଠାରୁ ଆରମ୍ଭକରି ରାମାୟଣ, ମହାଭାରତ, ଭାଗବତ, ଗୀତା ସହ ସବୁଦିନର ସମାଜ ସମ୍ବାଦ ଦେଇଆସନ୍ତି, ଯାହା ଦୂରରୁ ଗୋଟେଇ ଆଣନ୍ତି କଳ୍ପନା, ତା ସହ ଡାଇନିଙ୍ଗ ଟେଵଲ ଉପରେ ସଜାଡି ରଖିଛନ୍ତି ଯାବତୀୟ ମନପସନ୍ଦ ର ଫଳ, ସବୁଦିନ ନିଜେ ଯାଇ ବେଡ଼ସିଟି, ଟରକିସ, ଇତ୍ୟାଦି ବଦଳେଇଲେ ସ୍ୱାମୀ ମନା କରନ୍ତି, ସୋଫା ରେ କିଛି ସମୟ ବସି ଏଣୁ ତେଣୁ ଗପିଲେ ବିରକ୍ତ ହୁଅନ୍ତି, ଫଳ କାଟି ଦେଲେ ବି ଚିଡି ଉଠୁଥାନ୍ତି, ତଥାପି ମନ ବୁଝେନା କଳ୍ପନାଙ୍କର, ତ ଥରକୁ ଥର ଉପର ତଳ ହୋଇ କଣ ଦରକାର ବୁଝିବା ସହ ଗରମପାଣି ଓ ମେଡ଼ିସିନ ଦେଇ ଅପେକ୍ଷା କରନ୍ତି କାଳେ କିଛି ଦରକାର ଥିବ ଅନିମେଷଙ୍କର, ହେଲେ ନିର୍ବିକାର ଭାବେ ସ୍ୱାମୀ ଟିଭି ଖୋଲି ଯାତ୍ରା ଦେଖୁଥାନ୍ତି, ଅଧିକା କିଛି ପଚାରିଲେ ବିରକ୍ତ ହୁଅନ୍ତି, ସ୍ୱାମୀଙ୍କର ଏହି ସ୍ଵଭାଵ ତାଙ୍କୁ ମନେପକାଇଦିଏ ଆଦ୍ୟ ବିବାହ ବର୍ଷ ର କିଛି ସ୍ମୃତି ଅନୁଭୂତି l
ସହରୀ ଝିଅ କଳ୍ପନା ଯେବେ ବୋହୁ ହୋଇ ନିପଟ ମଫସଲ ଗାଁ କୁ ବୋହୁ ହୋଇ ଆସିଥିଲେ ଶାଶୂଘରକୁ, ଦିନ ବେଳା ସ୍ବାମୀଙ୍କ ମୁଁହ ଦେଖିବା ଖାଲି ସମ୍ଭବ ନୁଁହ ନିଷିଦ୍ଧ ଥିଲା, ଆଉ ଅନେକ ଅନେକ କଟକଣା ଭିତରୁ ଥରେ, ବାହାଘର କୁ ମାସେ ଅତିକ୍ରମ କରିବା ପରେ ବଡଯାଆ ଯେତେବେଳ ତାଙ୍କ ବେଡ଼ରୁମରେ ସ୍ବାମୀଙ୍କ ପାଇଁ ଭାତ ବାଢି ଲାଇନ ନଥିବାରୁ ପାଖରେ ବସି ତାଳପତ୍ର ବିଞ୍ଚଣା ରେ ବିଞ୍ଚି ଦେବାକୁ କହିଥିଲେ ତ, ତାଙ୍କ କଥାମାନି ସେମିତି କରିଥିଲେ ତ, ଉପର ଖଞ୍ଜା ରୁ ଶାଶୁ ଚିଲେଇଥିଲେ, "ବାହାଘର ଦୁଇ ଦିନ ନଯାଉଣୁ କୋଉ ସ୍ତ୍ରୀ ସ୍ୱାମୀ ର ଗୁଣ୍ଡା ଗଣିବ " କହି ରଡ଼ି କରିଥିଲେ ତ ସେ ସ୍ତବ୍ଧ, କକ୍ଷ୍ୟଚ୍ୟୁତ ଉଲକା ଟିଏ ପରି ଆକାଶରୁ ଖସିପଡିଥିଲେ ସେ ସେଦିନ ଯେମିତି l
ତା ପରଠୁ ନିଜକୁ ଯେତେ ସଂଯତ, ଶୃଙ୍ଖଳିତ, କର୍ତ୍ତବ୍ୟବୋଧତା ଭିତରେ ହାତେ ମାପି ଚାଖଣ୍ଡେ ବାଟ ଚଳୁଥିଲେ ବି ବିନା କାରଣ ରେ ବା ଗ୍ରାମ୍ୟ ପ୍ରଥା ସହ ସଂଶ୍ଲିଷ୍ଟ ନଥିବା କଳ୍ପନା, କଳ୍ପନା କରିପାରୁନଥିଲେ, ନିଜ ଯୋଗ୍ୟତା ର ମାପକାଠି, ସମୟ ସୁଅ ରେ ଅତୀତ ଆଜି ଝାପ୍ସା, ତ ସୁଯୋଗ ପାଇ ମନରେ ଥିବା ସେହି ଉଦବେଗ କୁ ଯେବେ ଉଚ୍ଚଶିକ୍ଷିତ ସ୍ବାମୀଙ୍କ ଆଗରେ ଉପସ୍ଥାପନ କରିଛନ୍ତି ଭିର୍ନ୍ନ ଶୈଳୀ ରେ ତଥାପି ଶକ୍ତ ଚାପୁଡ଼ା ଖାଇବାଠୁ ବଳକା ଲାଗିଛି ତାଙ୍କୁ ସ୍ୱାମୀଙ୍କ ଠୁ, ଯେବେ ସ୍ୱାମୀ ଅନିମେଷ କହିଥିଲେ, "ମୋ ମାଆ ମୋ ଖାଇବା ପାଖରେ ବିଲେଇ ପିଲା ବି ଆସିବାକୁ ଦିଏନି, " ସେହିଦିନଠାରୁ ସ୍ୱାମୀଙ୍କୁ ଚିହ୍ନିଛନ୍ତି ସିଏ, ବଳି ପକେଇଛନ୍ତି ନିଜକୁ ଯୌଥ ପରିବାର ର ଅନେକ କଟକଣା, ଶୃଙ୍ଖଳା ଭିତରେ, ହେଲେ ଆଜି !ସବୁ ଅତୀତ ର ଗୋଟେ ଗୋଟେ ଛୀର୍ଣ୍ଣପୃଷ୍ଠା ସାଜି ସମୟ ସୁଅ ରେ ବିଲୁପ୍ତ, ହେଲେ ବଦଳିନାହାଁନ୍ତି ସ୍ୱାମୀ l
ପୁଣି ଥରେ ସ୍ବାମୀଙ୍କ ଫୋନ, ଧଡପଡ଼ ହୋଇ ଉପରକୁ ଗଲେ କଳ୍ପନା, ଡହଳ ବିକଳ ହୋଇ ସ୍ୱାମୀ କହୁଥିଲେ, ମୋ ପାଖେ ଟିକେ ରୁହ କଳ୍ପନା, ତ ଏତେ ଦିନ ପରେ ପ୍ରେମ କ'ଣ ର ସଂଜ୍ଞା ଖୋଜୁଥିବ କଳ୍ପନା ଭୁଲିଗଲେ କରୋନା ର ଭୟାଭୟତା, ଆଉଁସି ଦେଲେ ସ୍ୱାମୀଙ୍କୁ, ପାଦରେ ଘଷିଦେଲେ ଗରମ ରସୁଣଫୁଟା ସୋରିଷ ତେଲ, ଆଉଁସି ଦେଲେ ମୁଣ୍ଡ, ଲଗାଇଦେଲେ ତାଙ୍କର ଅତିପ୍ରିୟ ନବରତ୍ନ ଆଉ ସ୍ୱାମୀଙ୍କୁ ଦେଲେ ଗରମ ପାଣି, ମେଡ଼ିସିନ ଆଉ ରେଜେଇ ଘୋଡେଇ ଫେରି ପଡ଼ୁ ପଡ଼ୁ ସ୍ୱାମୀ ଭିଡି ଧରିଥିଲେ ହାତ, ସମ୍ମୋହନ ଓ ସମ୍ବେଦନ ଲୁହ ଭିତରେ ଆତ୍ମହରା କଳ୍ପନା ସୁଦୁରରେ ରହୁଥିବା ପୁଅ ଝିଅଙ୍କୁ ଫୋନ କରି ବାପାଙ୍କ ଅସୁସ୍ଥତା କଥା ଜଣେଇ ଜଡାଇ ଧରିଥିଲେ ସ୍ୱାମୀଙ୍କୁ, କେଉଁ କାଳର ଅଭିଳାଷ ସତେ ଯେମିତି ତାଙ୍କର ଏଇ ମାତ୍ର ପୂରଣ କରିଛନ୍ତି ଭଗବାନ l
ଦୁଇଦିନ ପରେ, ସକାଳୁ ଅନେକ କଲିଙ୍ଗ ଵେଲ ବାଜିଥିଲେ ବି ଖୋଲି ନଥିଲା କବାଟ, ଶେଷକୁ ପୁଅ ଝିଅ ଜୋଇଁ ବୋହୁ ଙ୍କ ଉପସ୍ଥିତି ରେ ପୋଲିସ ଶବ ଦୁଇଟି ଜବତ କରିଥିଲେ, କରୋନା ପାଇଁ କେହି ଛୁଇଁଲେ କି ନାହିଁ ସେତ ଥିଲା ଅଲଗା କଥା ହେଲେ କଳ୍ପନା ଙ୍କ ଶୁଭ୍ର ମୁଁହରେ ନିଆରା ଆଭା ପୁଅଝିଅଙ୍କ ଦୃଷ୍ଟି ରୁ ବାଦ ପଡ଼ିନଥିଲା l

