Sambit Srikumar

Abstract Classics Inspirational

4.0  

Sambit Srikumar

Abstract Classics Inspirational

ସ୍ଵାଧୀନତାର ପରିଭାଷା

ସ୍ଵାଧୀନତାର ପରିଭାଷା

8 mins
188



ତାରିଖ: ୧୦ ମାର୍ଚ୍ଚ୍, ୨୦୦୦ ମସିହା। ସ୍ଥାନ: ରାଜଧାନୀ ଭୁବନେଶ୍ଵରର ବକ୍ଷସ୍ଥଳିରେ ଅବସ୍ଥିତ ଓଡ଼ିଶା ପ୍ରଦେଶର ସର୍ବପୁରାତନ ବିଶ୍ବବିଦ୍ୟାଳୟ ବାଣୀପୀଠ, ଉତ୍କଳ ବିଶ୍ବବିଦ୍ୟାଳୟର ସୁରମ୍ୟ ସମ୍ମୀଳନୀ କକ୍ଷ। ରାଜ୍ୟ ସ୍ତରୀୟ ଆନ୍ତଃ ବିଶ୍ବବିଦ୍ୟାଳୟ କୁଳାଧିପତି ବକ୍ତୃତା ପ୍ରତିଯୋଗୀତାର ସ୍ଵର୍ଣ୍ଣିମ ଅବସର। ବିଭିନ୍ନ ପର୍ଯ୍ୟାୟରେ ଦୀର୍ଘ ଦିନ ଧରି ଚାଲିଥିବା ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ଚୁଡାନ୍ତ ପର୍ଯ୍ୟାୟରେ ଆସି ଉପନୀତ ହୋଇଛି। ଆଜି ହିଁ ଚୟନ କରାଯିବ ଏହି ବର୍ଷର କୃତି ବିଜେତାଙ୍କୁ ଏବଂ ପରବର୍ତ୍ତୀ ସମୟରେ ବର୍ଣ୍ଣାଢ୍ଯ ସମାରୋହରେ ସମ୍ମାନିତ କରାଯିବ। ରାଜ୍ୟର ମାନ୍ଯଗଣ୍ଯ ପ୍ରମୁଖ ପ୍ରବୁଦ୍ଧ ବୁଦ୍ଧିଜୀବୀଙ୍କ ଉପସ୍ଥିତରେ ବିଭିନ୍ନ ସ୍ବନାମଧନ୍ଯ ଶିକ୍ଷାନୁଷ୍ଠାନର ମନୋନୀତ କୃତି ପ୍ରତିଯୋଗୀମାନେ ଗୋଟିଏ ଛାତ ତଳେ ଗୋଟିଏ ମଞ୍ଚରେ ଏକତ୍ରୀତ ହୋଇଥାନ୍ତି ପରସ୍ପର ସହିତ ଶବ୍ଦର ପ୍ରତିସ୍ପର୍ଦ୍ଧା କରିବା ନିମନ୍ତେ। ନିରବତାର ଅଖଣ୍ଡ ରାଜତ୍ବ ମଧ୍ଯରେ ସମବେତ ପ୍ରତିଯୋଗୀମାନଙ୍କ ଜ୍ଞାନ ଦୀପ୍ତ ମୁଖମଣ୍ଡଳରେ ଅପରିମିତ ଆତ୍ମ ପ୍ରତ୍ୟୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥାଏ।

ବକ୍ତୃତାର ବିଷୟଟି ଥିଲା ଯେତିକି ପୂରାତନ ସେତିକି ଆଧୁନିକ, ସବୁକାଳରେ ପ୍ରାସଙ୍ଗିକ, ବେଶ୍ ରୋଚକ ଏବଂ ସାରଗର୍ଭକ। "ଏକବିଂଶ ଶତାବ୍ଦୀରେ ସ୍ବାଧୀନତାର ପରିଭାଷା!" ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର୍ ଡକ୍ଟର୍ ସୁନୀଲ ଶେଖର ଶତପଥୀଙ୍କ ଆହ୍ବାନ କ୍ରମେ ଜଣକ ପରେ ଜଣେ କୃତି ପ୍ରତିଯୋଗୀ ପୋଡିୟମ୍ ଉପରକୁ ଯାଇ ସ୍ବକୀୟ ବୁଦ୍ଧିମତ୍ତା ଏବଂ ବାକ୍ ଚାତୁରୀର ଅନବଦ୍ୟ ନୈପୁଣ୍ୟ ପ୍ରଦର୍ଶନ କରୁଥାଆନ୍ତି। ନିର୍ଦ୍ଧାରିତ ଚାରି ମିନିଟ୍ ସମୟ ସୀମା ମଧ୍ୟରେ ନିଜ ନିଜର ଅକାଟ୍ଯ ଯୁକ୍ତି ସମ୍ବଳିତ ବକ୍ତବ୍ୟ ସମାପ୍ତ କରି ଆସନକୁ ପ୍ରତ୍ଯାଗମନ କରୁଥାନ୍ତି। ସ୍ବାଧୀନତାର ସଂଜ୍ଞା ଓ ପ୍ରକାରଭେଦ ସମ୍ବନ୍ଧୀୟ ଅନେକ ନୂତନ ଏବଂ ପ୍ରାଚୀନ ଗବେଷଣାତ୍ମକ ତଥ୍ୟ ପ୍ରତିଯୋଗୀମାନେ ଅବତାରଣା କରୁଥାଆନ୍ତି। ରାଜନୈତିକ ସ୍ବାଧୀନତା ଠାରୁ ଆରମ୍ଭ କରି ବାକ୍ ସ୍ୱାଧୀନତା, ବ୍ୟକ୍ତିର ଅଧିକାର ଓ କର୍ତ୍ତବ୍ୟ, ସ୍ବାଧୀନତାର ସୁରକ୍ଷାରେ ଜନଗଣର ଭୂମିକା, ସାମାଜିକ-ଅର୍ଥନୈତିକ ସ୍ବତନ୍ତ୍ରତା, ସାମାଜିକ ସୁରକ୍ଷା ଏବଂ ସଂରକ୍ଷଣବାଦ, ସାମ୍ବିଧାନିକ ବିଧିବିଧାନ, ନ୍ଯାୟିକ ବ୍ୟବସ୍ଥା ଏବଂ ଆଧ୍ୟାତ୍ମିକ ଚେତନାରେ ମୁକ୍ତିର ବାର୍ତ୍ତା ସମ୍ବଳିତ ବିଭିନ୍ନ ତଥ୍ଯ ପ୍ରାସଙ୍ଗିକ ଯୁକ୍ତି ଦର୍ଶାଇ ଉପସ୍ଥାପନା କରୁଥାନ୍ତି। 

କେହି କେହି ବେଡି, କଡି, ଶିକୁଳି ଆଦି ସ୍ଥୂଳ ଲୌକିକ ଦୃଶ୍ୟମାନ ଶୃଙ୍ଖଳରୁ ମୁକ୍ତ ହେବାକୁ ସ୍ବାଧୀନତା ବୋଲି ଦର୍ଶାଉଥିବା ବେଳେ ଅନ୍ୟ କେତେକ ଅଦୃଶ୍ୟ ମହାଜାଗତିକ ଶୃଙ୍ଖଳରୁ ମୁକ୍ତ ହୋଇ ନିର୍ବାଣ ମୋକ୍ଷ ପ୍ରାପ୍ତିକୁ ବାସ୍ତବ ସ୍ବାଧୀନତା ବୋଲି ବିବେଚନା କରି ଗୁରୁତ୍ବାରୋପ କରୁଥାନ୍ତି। ସଭିଏଁ ବିଶ୍ବର ବରେଣ୍ୟ ମହାନ୍ ଦାର୍ଶନିକମାନଙ୍କର ବିଭିନ୍ନ ଉକ୍ତକୁ ଉଦ୍ଧୃତି ପୂର୍ବକ ନିଜ ନିଜର ପକ୍ଷକୁ ସୁଦୃଢ଼ କରି ଗଢିତୋଳିବାକୁ ଉଦ୍ୟମ କରୁଥାନ୍ତି। ଆଉ କେତେକ ସ୍ବାଧୀନତା ନାମରେ ଊଚ୍ଛୃଙ୍ଖଳତା ଅଥବା ସ୍ବେଚ୍ଛାଚାରିତା ଆଦୌ ଗ୍ରହଣୀୟ ନୁହେଁ ବୋଲି ମତ ପୋଷଣ କରୁଥାନ୍ତି। ପୁଣି ଆଉ କିଏ ଦେଶ ଜାତିର ଭୌଗୋଳିକ ସୀମାରେଖାର ଶୃଙ୍ଖଳକୁ ଅତିକ୍ରମ କରି ମୁକ୍ତପ୍ରାଣ ବିହଙ୍ଗମଟିଏ ହୋଇ ସମଗ୍ର ବିଶ୍ବ ବ୍ରହ୍ମାଣ୍ଡକୁ ଗୋଟିଏ ପରିବାର ମଣିବାକୁ ଆହ୍ବାନ ଦେଉଥାନ୍ତି। ଅତଏବ ଭିନ୍ନ ଭିନ୍ନ ପ୍ରତିଯୋଗୀ ଭିନ୍ନ ଭିନ୍ନ ଚିନ୍ତା ଓ ଚେତନାର ଅବତାରଣା କରୁଥାନ୍ତି ସ୍ବାଧୀନତାକୁ ନେଇ। କିଛି ଉଲ୍ଲେଖନୀୟ ପ୍ରତିଯୋଗୀଙ୍କ ମର୍ମସ୍ପର୍ଶୀ ବକ୍ତବ୍ୟ ନିମ୍ନରେ ପ୍ରଦତ୍ତ କରାଗଲା। 

କଟକରୁ ଆସିଥିବା ଦର୍ଶନଶାସ୍ତ୍ର ସ୍ନାତକୋତ୍ତର ବିଭାଗର ଛାତ୍ର ଶ୍ରୀମାନ୍ ଅଂଶୁମାନ ମହାପାତ୍ରଙ୍କ ବକ୍ତବ୍ୟ ଅତ୍ୟନ୍ତ ଭାବୋଦ୍ଦୀପକ ଥିଲା। ତାଙ୍କ ମତରେ ଏଇ ମିଛମାୟାର ଅଳିକ ଦୁନିଆ ବୁକୁରେ ସ୍ବାଧୀନତା ଏକ ଭ୍ରମ ମାତ୍ର। ମଣିଷ ତ ସ୍ବାଧୀନ ଭାବେ ଜନ୍ମ ଗ୍ରହଣ କରିଥାଏ କିନ୍ତୁ ଏଇ ଦୁନିଆ ପାଦେ ପାଦେ ପ୍ରତିଟି କ୍ଷେତ୍ରରେ ତା'ର ପାଦ ଦୁଇଟିରେ ପରାଧିନତାର ବେଡି ବାନ୍ଧି ଦେଇଥାଏ। ରୋଗ, ଶୋକ, ଇଛା ଆକାଂକ୍ଷା, ଆସକ୍ତି, ମାୟା, ମୋହର ଶୃଙ୍ଖଳ ମଣିଷକୁ ଆଜୀବନ କବଳିତ କରି ରଖିଥାଏ। ଏଣୁ ମଣିଷ ଅଥବା ନାଗରିକଟିଏ ରାଜନୈତିକ ଦୃଷ୍ଟିକୋଣରୁ ସ୍ବାଧୀନତା ହାସଲ କରିଥିଲେ ମଧ୍ୟ ସୂକ୍ଷ୍ମ ଦୃଷ୍ଟିରେ ଚିରଦିନ ପରାଧିନତାର ଶୃଙ୍ଖଳରେ ବନ୍ଦୀ ହୋଇ ରହିଥାଏ। ସ୍ବଇଚ୍ଛାରେ ନିଜେ ନିଜର ଦାସତ୍ବ ଗ୍ରହଣ କରିଥାଏ। କେବଳ ହିଁ କେବଳ ମୃତ୍ୟୁ ହେଉଛି ସ୍ବାଧୀନତା, ମୁକ୍ତିର ମହାମାର୍ଗ। ପାର୍ଥିବ ଏବଂ ନୈସର୍ଗିକ ଭାବରେ ମୃତ୍ୟୁ ହିଁ ଶାଶ୍ୱତ ସ୍ବାଧୀନତା। ଅଖଣ୍ଡ ପ୍ରଶାନ୍ତିର ଉତ୍ସ। 

ପରବର୍ତ୍ତୀ ପ୍ରତିଯୋଗୀ ଭାବେ ବାଲେଶ୍ବରରୁ ଆସିଥିବା ବାଣିଜ୍ୟ ବିଭାଗର ଛାତ୍ର ଶ୍ରୀମାନ୍ ସୁବୋଧ କୁମାର ପଟ୍ଟନାୟକ, ପୂର୍ବ ପ୍ରତିଯୋଗୀଙ୍କ ଏହି ଉକ୍ତିକୁ ଦୃଢ଼ ବିରୋଧ କରିଥିଲେ। ଏହାକୁ କପୋଳକଳ୍ପିତ ତଥା ଅତିରଞ୍ଜିତ ଭାବେ ଆଖ୍ୟାୟିତ କରି ଜୀବନ ବିନା ସ୍ବାଧୀନତା ନିରର୍ଥକ ବୋଲି ମତବ୍ୟକ୍ତ କରିଥିଲେ। ତାଙ୍କ ମତାନୁସାରେ ବ୍ୟକ୍ତି ଜୀବିତାବସ୍ଥାରେ ଦୁର୍ବାର ଆଶା ଆକାଂକ୍ଷାରୁ ମୁକ୍ତି ପାଇବା ହିଁ ହେଉଛି ପ୍ରକୃତ ସ୍ବାଧୀନତା ଏବଂ ନିର୍ବାଣର ସନ୍ମାର୍ଗ। ମନୁଷ୍ୟର ମୃତ୍ୟୁ ପରେ ତାହାର କୌଣସି ଅସ୍ତିତ୍ବ ରହେନାହିଁ। ଜୀବିତାବସ୍ଥାରେ ସ୍ବାଧୀନ ଜୀବନଯାପନ କରିବା ସଭିଙ୍କର ଧେୟ ହେବା ଉଚିତ୍। ମଣିଷ ବିନା ଦେଶ ଜାତି ସମାଜର ସ୍ଥିତି ଅକଳ୍ପନୀୟ। ଏଣୁ ମଣିଷର ମୃତ୍ୟୁ ହେଲେ ହିଁ ସେ ସ୍ବାଧୀନତା ପ୍ରାପ୍ତ ହେବା କଥା କହିବାଟା ହିଁ ଅଯୌକ୍ତିକ ମନେହୁଏ। ମଣିଷ ବିନା ସ୍ବାଧୀନତାର ଅସ୍ତିତ୍ବ ନାହିଁ। ସ୍ବାଧୀନତା କେବଳ ମଣିଷର ଜନ୍ମସିଦ୍ଧ ଅଧିକାର ନୁହେଁ ସଚରାଚର ବିଶ୍ୱରେ ସମସ୍ତ ଜୀବିତ ପ୍ରାଣୀଙ୍କର ମଧ୍ୟ। ଏହି ତର୍କରେ କୌଣସି ପ୍ରାଣୀକୁ ନିଜର ସ୍ବାର୍ଥ ପାଇଁ ବନ୍ଦୀ କରି ରଖିବା ଅନ୍ଯାୟୋଚିତ କାର୍ଯ୍ୟ। 

ସମ୍ବଲପୁରରୁ ଆସିଥିବା ପଦାର୍ଥ ବିଜ୍ଞାନର ଛାତ୍ର ଶ୍ରୀମାନ୍ ଅପୂର୍ବ ରଞ୍ଜନ ମିଶ୍ରଙ୍କ ମତରେ ମାନସିକ ଦାସତ୍ବରୁ ମୁକ୍ତିଲାଭ କରିବା ହିଁ ବାସ୍ତବ ସ୍ବାଧୀନତା। ବାହ୍ୟ ରୂପରେ ମଣିଷ ହୁଏତଃ ସ୍ବାଧୀନ ଏବଂ ସ୍ବତନ୍ତ୍ର ହୋଇପାରେ କିନ୍ତୁ ଯଦି ତାହାର ଚିନ୍ତା ଓ ଚେତନା ଅନ୍ଯ ଦ୍ବାରା ବଶୀଭୂତ, ଅନ୍ୟ ଦ୍ବାରା ଅନୁପ୍ରାଣିତ, ଅନ୍ୟ ଦ୍ବାରା ଆର୍ଥିକ ଭାବେ ଅନୁଗ୍ରହିତ, ଅନ୍ୟର ପ୍ରଲୋଭନରେ ପ୍ରଲୁବ୍ଧ, ଅନ୍ୟର ବାହୁବଳରେ ସଂରକ୍ଷିତ ତେବେ ସେ କେବେ ବି ନିଜକୁ ବାସ୍ତବରେ ସ୍ବାଧୀନ ବୋଲି କହିପାରିବ ନାହିଁ। ସ୍ବାଧୀନ ମତବ୍ୟକ୍ତ କରିପାରିବ ନାହିଁ। ନ୍ଯାୟ ଅନ୍ଯାୟର ସଠିକ୍ ବିଚାର କରିବା ଶକ୍ତି ତା'ର ନାହିଁ। ଅନ୍ଯର ଗୋଡ଼ାଣିଆ ହୋଇ, ପର ପଦଲେହନ କରି ଜଣେ ହୁଏତଃ ସମ୍ଭ୍ରାନ୍ତ ହୋଇପାରେ କିନ୍ତୁ ସ୍ବାଧୀନ ନୁହେଁ। ପରାଙ୍ଗପୁଷ୍ଟ, ପରାନ୍ନଭକ୍ଷୀ, ପରଜୀବି, ପରଭୋଜି, ପରମୁଖାପେକ୍ଷୀ, ପଳାୟନ ପନ୍ଥୀ ମାନସିକତା ସମ୍ପର୍ଣ୍ଣ ବ୍ଯକ୍ତି କଦାପି ସ୍ବାଧୀନ ହୋଇନପାରେ। ସ୍ବାଧୀନତା ଏକ ଶବ୍ଦ ମାତ୍ର ନୁହେଁ। ଏହା ଏକ ମହାର୍ଘ ଅନୁଭବ, ସୂକ୍ଷ୍ମାତିସୂକ୍ଷ୍ମ ଅନୁଭୂତି। ବିକାର ବିହୀନ, ଦାସତ୍ବ ରହିତ ବିଶୁଦ୍ଧ ମାନସିକତା ହିଁ ସ୍ବାଧୀନତା। 

ବ୍ରହ୍ମପୁରରୁ ଆସିଥିବା ପ୍ରତିଯୋଗୀ ସୁଶ୍ରୀ ମନସ୍ବିନୀ ବେହେରା ନାରୀ ସ୍ବାଧୀନତା ଏବଂ ସଶକ୍ତିକରଣ ଉପରେ ଗୁରୁତ୍ଵାରୋପ କରିଥିଲେ। ତାଙ୍କ ମତରେ ଆଜି ବି ଏକବିଂଶ ଶତାବ୍ଦୀରେ ନାରୀଟିଏ ସ୍ବାଧୀନ ହୋଇପାରି ନାହିଁ। ଶଣ୍ଠଣା ଓ ଆଭୂଷଣର ଆଢୁଆଳରେ ଆଜି ମଧ୍ୟ ନାରୀ ବନ୍ଦିନୀ ପରି ଜୀବନଯାପନ କରିବାକୁ ଏକରକମ ବାଧ୍ୟ। ଏହା ହିଁ ତା'ର ଜୀବନର ନିର୍ବିବାଦୀୟ ବାସ୍ତବତା। ନିଜର ଇଛା ବୋଲି ତା'ର କିଛି ବୋଲି କିଛି ନାହିଁ। ଜନନୀ ଜଠରରୁ ହିଁ ତା'ର ଏଇ ପରାଧୀନତାର ଶିକୁଳି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନ୍ଯର ଆଧିପତ୍ୟକୁ ସହ୍ଯ କରି କରି ସ୍ବକୀୟ ଅସ୍ତିତ୍ବ ଅସ୍ମିତା ଏବଂ ସ୍ବାଧୀନତାକୁ ନାରୀଟିଏ ହସି ହସି ବଳି ପକାଇ ଦିଏ। ଅନ୍ୟର ସୁଖ ସ୍ବାଛନ୍ଦ୍ୟ ପାଇଁ ନିଜକୁ ସଳିତା ତିଳ ତିଳ କରି ଦଗ୍ଧ କରିଦିଏ ନିର୍ବିରୋଧରେ କିନ୍ତୁ ପ୍ରତିଦାନରେ ସେ ପାଏ କଣ? କେବଳ ଲାଞ୍ଛନା ପ୍ରତାରଣା ତାଡ଼ନାର ଉପହାର! ଆଞ୍ଜୁଳା ଆଞ୍ଜୁଳା ଲୁହର ପୁରସ୍କାର! କେବେ ଯୌତୁକର ନିଆଁରେ ଜଳିପୋଡ଼ି ଯାଏ ତ କେବେ ପୁଣି ପୁରୁଷପ୍ରଧାନ ସମାଜର କପଟ ପଶାପାଲିରେ ଇଜ୍ଜତ ମହତ ହରାଏ। ଏଣୁ ଏବେବି ନାରୀ ସ୍ବାଧୀନ ହେବା ତ ଦୂରର କଥା, ମଣିଷର ପଦବାଚ୍ୟ ବି ନୁହେଁ ଆମର ସାମାଜିକ ବିଧିବ୍ଯବସ୍ଥାରେ। ସମାଜର ଅର୍ଦ୍ଧାଙ୍ଗ ନାରୀ ଯେତେବେଳେ ପରାଧୀନତାର ଶୃଙ୍ଖଳାରେ କବଳିତ, ଅସୂର୍ଯ୍ୟମପଶ୍ଯା, ସେତେବେଳେ ତଥାକଥିତ ସ୍ବାଧୀନତାର କୌଣସି ମୂଲ୍ୟ ନାହିଁ। 

ନାରୀବାଦୀ ଅଧିବକ୍ତାଙ୍କ ବକ୍ତବ୍ୟ ଶେଷ ହେବା ପରେ, ବଲାଙ୍ଗୀରରୁ ଆସିଥିବା ସମାଜବାଦୀ ଚିନ୍ତାଧାରାରେ ଉଦବୁଦ୍ଧ ଛାତ୍ର ଶ୍ରୀମାନ୍ ଶକ୍ତିକାମ ମେହେରଙ୍କ ମତରେ, ଯେପର୍ଯ୍ୟନ୍ତ ସମାଜର ସମସ୍ତ ବର୍ଗଙ୍କୁ ସମାନ ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ନାହିଁ, ସେପର୍ଯ୍ୟନ୍ତ କୌଣସି ଦେଶ ନିଜକୁ ସ୍ବାଧୀନ ଓ ସାର୍ବଭୌମ ରାଷ୍ଟ୍ର କହିବାକୁ ନୈତିକ ଅଧିକାର ନାହିଁ। ଶତାଦ୍ଦୀ ଶତାଦ୍ଦୀ ଧରି ଦଳିତ, ପୀଡିତ, ନିଷ୍ପେଷିତ, ଶୋଷିତ ବର୍ଗର ଲୋକଙ୍କ ସାମାଜିକ, ଆର୍ଥିକ, ରାଜନୈତିକ ଏବଂ ସାମଗ୍ରିକ ଉତ୍ଥାନ ବିନା, ସମାଜରେ ଶ୍ରେଣୀବାଦର ବିଲୋପ ବିନା ଆମେ ବାସ୍ତବରେ ସ୍ବାଧୀନତା ହାସଲ କରିନାହୁଁ। ଜାତିବିହୀନ, ଶ୍ରେଣୀବିହୀନ ସମାନତା ହିଁ ବାସ୍ତବରେ ସ୍ବାଧୀନତା। ଆଜି ସ୍ବାଧୀନତା କେବଳ କତିପୟ ରାଜନେତାଙ୍କ କ୍ଷମତା ହାସଲର ମାଧ୍ୟମ ପାଲଟିଛି ଯାହା, ସମାନତା ହୋଇଯାଇଛି ସ୍ବାହା! "ସର୍ବଜନ ହିତାୟ ସର୍ବଜନ ସୁଖାୟ" ବିନା ସ୍ବାଧୀନତା ମୂଲ୍ଯହୀନ। 

ବେଳକୁ ବେଳ ବେଶ୍ ରମଣୀୟ ହୋଇ ଉଠୁଥାଏ ସମ୍ମୀଳନୀ କକ୍ଷର ବୌଦ୍ଧିକ ବାତାବରଣ। ସ୍ବାଧୀନତାର ପରିଭାଷାକୁ ନେଇ ଭିନ୍ନ ଭିନ୍ନ ମତବାଦ, ଭିନ୍ନ ଭିନ୍ନ ଚିନ୍ତାଧାରା, ଭିନ୍ନ ଭିନ୍ନ ବ୍ଯାଖ୍ଯାନ। "ମୁନୀନାଂଚ ମତିଭ୍ରମ - ଯେତେ ମୁନୀ ସେତେ ମତ!" ସମସ୍ତ ପ୍ରତିଯୋଗୀଙ୍କ ଭାଷଣ ଭାଷିବାର ଶୈଳୀ ମଧ୍ଯ ଭିନ୍ନ ଭିନ୍ନ, ଏକ ଆରେକ ଠାରୁ ଢେର୍ ପୃଥକ। କେହିବି ସ୍ବାଧୀନତାକୁ ଗୋଟିଏ ନିର୍ଦ୍ଦିଷ୍ଟ ପରିଭାଷା କିମ୍ବା ସଂଜ୍ଞାରେ ପରିଭାଷିତ କରିବାକୁ ଆଦୌ ପ୍ରସ୍ତୁତ ନଥାନ୍ତି। ତୁହାକୁତୁହା କରତାଳିରେ ପ୍ରେକ୍ଷାଳୟ ପ୍ରକମ୍ପିତ ହେଉଥିବା ବେଳେ ପ୍ରାଜ୍ଞ ବୁଦ୍ଧିଜୀବୀଗଣ ଓଡିଆ ଜାତିର ଭବିଷ୍ୟତ କର୍ଣ୍ଣଧାରମାନଙ୍କ ବୁଦ୍ଧିମତ୍ତା ଏବଂ ମନସ୍ତତ୍ତ୍ୱକୁ ନେଇ ବେଶ୍ ଉତଫୁଲ୍ଲିତ ଥିବା ପରି ପ୍ରତୀୟମାନ ହେଉଥାଏ। 

ଏହି ଅନନ୍ୟ ଅବିସ୍ମରଣୀୟ ଅଦ୍ବିତୀୟ ବୌଦ୍ଧିକ ବାତାବରଣର ଅନ୍ତିମ ପ୍ରତିଯୋଗୀ ଯେବେ ବିଳ୍ପବର ରାଗିଣୀ ଗାଇ ମଞ୍ଚକୁ ଆରୋହଣ କଲେ ସତେଯେପରି ସ୍ବୟଂ ବିଜୁଳିକନ୍ଯା ମର୍ତ୍ତ୍ୟଲୋକରେ ଅବତରଣ କରିବା ପରି ଅନୁଭୂତ ହେଉଥିଲା। ସୁଦୂର କୋରାପୁଟ ଜିଲ୍ଲାରୁ ଆସିଥିବା ଅଗ୍ନିଶିଖା ସଦୃଶ ତେଜୀୟାନ୍ ସୁଶ୍ରୀ ସୋନାଲି ଶୁଭଦର୍ଶିନୀ ସାହୁ। ବେଶ୍ ପରିମାର୍ଜିତ ଏବଂ ସମ୍ଭାନ୍ତ ରୂପଚର୍ଯ୍ଯା, ଅଙ୍ଗଭଙ୍ଗୀ। ନିଜର ଗୃହ ଜିଲ୍ଲା କୋରାପୁଟର ସୁପ୍ରସିଦ୍ଧ କୋଟପାଡ଼ ପାଟଶାଢ଼ୀ ପରିହିତା କ୍ଷୀଣକାୟା ସୁଦର୍ଶନା ତରୁଣୀଙ୍କ ମର୍ମସ୍ପର୍ଶୀ ଅଭିବ୍ୟକ୍ତି ଉପସ୍ଥିତ ସଭିଙ୍କୁ ବିମୋହିତ କରିଦେଇଥିଲା। ତାଙ୍କ ପୂର୍ବରୁ ନିଜର ବକ୍ତବ୍ୟ ସମାପନ କରିଥିବା ସମସ୍ତ କୃତି ପ୍ରତିଯୋଗୀମାନେ ଯାହା ସ୍ବପ୍ନରେ ସୁଦ୍ଧା ଚିନ୍ତା କରିନଥିଲେ ସେହି ବିଷୟକୁ ଉତ୍ଥାପନ କରି ପ୍ରବୁଦ୍ଧ ବୁଦ୍ଧିଜୀବୀଙ୍କୁ ଆଚମ୍ବିତ କରିବା ସହିତ ଏହି ବିଷୟରେ ଚିନ୍ତା କରିବା ଲାଗି ଏକରକମ ବାଧ୍ୟ କରିଦେଇଥିଲେ। 

"କ୍ଷୁଧା ମୁକ୍ତ ବିଶ୍ବ ବିନା ରାଜନୈତିକ, ଅର୍ଥନୈତିକ, ସାମାଜିକ, ବ୍ଯକ୍ତିଗତ ଏବଂ ସାମଗ୍ରିକ ସ୍ବାଧୀନତା ଅର୍ଥହୀନ। କେବଳ ଅନ୍ତଃସାର ଶୂନ୍ଯ ବାହ୍ୟ ଆଡ଼ମ୍ବର ମାତ୍ର। ଖାଦ୍ୟ ହିଁ ମାନବ ଜାତିର ପ୍ରଧାନ ଏବଂ ପ୍ରଥମ ମୌଳିକ ଆବଶ୍ୟକତା ଏବଂ ଅଧିକାର। ଦାରିଦ୍ର୍ୟ, ଅନାହାର, ଅପପୁଷ୍ଟି ଓ ଅପମୃତ୍ୟୁରୁ ସ୍ବାଧୀନତା ପାଇବା ହିଁ ବାସ୍ତବ ସ୍ବାଧୀନତା, ଯାହା ଏକବିଂଶ ଶତାବ୍ଦୀରେ ମଧ୍ୟ ଅନେକଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଛି। କାଗଜକଲମର ସ୍ବାଧୀନତା ଅନାହାରରେ ସଢୁଥିବା ଜନତା ପାଇଁ କୁଠାର ବିଦ୍ରୁପ ସହିତ ସମାନ। ଯେଉଁ ଦେଶରେ ଯେଉଁ ସମାଜରେ ଗୋଟିଏ ହେଲେ ବି ଲୋକ ଯଦି କ୍ଷୁଧାରେ ଜର୍ଜରିତ ତେବେ ସେହି ଦେଶକୁ ସେହି ସମାଜକୁ ବିଶ୍ବଶକ୍ତି କିମ୍ବା ବିଶ୍ବଗୁରୁ ବୋଲାଇବାର କୌଣସି ଯଥାର୍ଥ ଯୌକ୍ତିକତା ନାହିଁ। ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ବିଶ୍ବର ବିଭିନ୍ନ ରାଷ୍ଟ୍ରଗୁଡ଼ିକ ଯେଉଁ ପରିମାଣରେ ଅର୍ଥ ବ୍ୟୟ କରୁଛନ୍ତି ତାହାର କିଞ୍ଚିତ ମାତ୍ରା ବ୍ୟବହାର କରି ବିଶ୍ବକୁ କ୍ଷୁଧା ମୁକ୍ତ କରାଯାଇପାରିବ। ଏକବିଂଶ ଶତାବ୍ଦୀରେ ଯେତେବେଳେ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ଯାପକ ଅଗ୍ରଗତି ଘଟିଛି, ସେହି ସମୟରେ ବିଶ୍ବର ଅନେକାଂଶରେ ଲୋକେ ଖାଦ୍ଯାଭାବ ହେତୁ ଅନାହାରରେ ମୃତ୍ୟୁ ବରଣ କରିବା କୌଣସି ସଭ୍ୟ ସମାଜ ପକ୍ଷେ ଶୋଭନୀୟ ନୁହେଁ। ଏଥିପାଇଁ ଇଥିଓପିଆ ଯିବା ଦରକାର ନାହିଁ ଆମର କାଶିପୁର, କଳାହାଣ୍ଡିର ଉଦାହରଣ ଯଥେଷ୍ଟ।"

ଏହିପରି ନିରପେକ୍ଷ, ନିର୍ଭିକ ଏବଂ ସୁସ୍ପଷ୍ଟ ମତବ୍ୟକ୍ତ କରି ସୁଶ୍ରୀ ସୋନାଲି ଶୁଭଦର୍ଶିନୀ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ଅଗ୍ରାଧିକାର ଦେବାକୁ ବିଶ୍ବନେତୃବୃନ୍ଦଙ୍କୁ ଦୃଢ଼ ଆହ୍ବାନ ଦେଇଥିଲେ। ଉପସ୍ଥିତ ସଭିଏଁ ମନେ ମନେ ଚିନ୍ତା କରିବାକୁ ଲାଗିଥିଲେ ଯେ, ସତରେ ଅନାହାର ଜନିତ ଅକାଳ ମୃତ୍ୟୁ ବନ୍ଦ ନହେବା ପର୍ଯ୍ୟନ୍ତ କୌଣସି ବି ଦେଶ ଆପଣାକୁ ସ୍ବାଧୀନ, ସ୍ବତନ୍ତ୍ର ଏବଂ ସାର୍ବଭୌମ ବୋଲି ଦାବି କରିବା ନିହାତି ଅଯୌକ୍ତିକ। ଏହା ଏକ ହାସାସ୍ପଦ ବ୍ଯାପାର। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନ୍ଯ ପ୍ରତିଯୋଗୀମାନେ ମନେ ମନେ ଭାବୁଥାନ୍ତି, "ସେମାନେ କିପରି ଏହି ବିଷୟକୁ ଭୁଲିଗଲେ ବୋଲି?" 

ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯିବା କେବଳ ଏକ ଔପଚାରିକତା ହିଁ ହୋଇ ରହିଯାଇଥିଲା। ପରଦିନର ସମସ୍ତ ଅଗ୍ରଣୀ ସମ୍ବାଦପତ୍ରର ଶିରୋନାମାରେ ସଚିତ୍ର ପ୍ରକାଶିତ ହୋଇ ସାରା ରାଜ୍ୟରେ ପ୍ରସଂଶା ସାଉଁଟିଥିଲେ ସୁଶ୍ରୀ ସୋନାଲି ଶୁଭଦର୍ଶିନୀ ସାହୁ। ନିଜ ଜନ୍ମମାଟି କୋରାପୁଟରେ ନାଗରିକ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଥିଲା ତାଙ୍କୁ। ଗାଁରୁ ସହର ସବୁଠି ତାଙ୍କୁ ରାଶି ରାଶି ସମ୍ମାନରେ ସମ୍ମାନିତ କରାଯାଇଥିଲା ଏହି ବିରଳ କୃତିତ୍ବ ଅର୍ଜନ କରିଥିବା ହେତୁ। 

ସେଦିନର ସ୍ବାଧୀନଚେତା କୃତି ପ୍ରତିଯୋଗୀ, ପ୍ରଖର ବକ୍ତା, ବାଗ୍ମୀ ପ୍ରବିଣା, ମାନବାଧିକାର କର୍ମୀ ସୋନାଲି ଶୁଭଦର୍ଶିନୀ ଆଜିର ଦିନରେ ଗୃହବନ୍ଦୀ! କିବା ତାଙ୍କର ଅପରାଧ? ମାମୁଲି ଅପରାଧ ନୁହେଁ। ଦେଶଦ୍ରୋହର ସଙ୍ଗୀନ୍ ଅଭିଯୋଗ ଆସିଛି ତାଙ୍କ ନାମରେ! ଜାତୀୟ ସ୍ତରର ବିଭିନ୍ନ ତଦନ୍ତକାରୀ ସଂସ୍ଥା ରାଜ୍ୟ ପୋଲିସ୍ ବାହିନୀର ସହଭାଗିତାରେ ଚଳାଇଛନ୍ତି ତୋଫାନୀ ତଦନ୍ତ। କଥା କଣ କି, ନିୟମଗିରି ଅଞ୍ଚଳରେ ବିଦେଶୀ କମ୍ପାନୀ ଦ୍ଵାରା ସ୍ଥାପିତ ହେବାକୁ ଥିବା ଆଲୁମିନା କାରଖାନା ଦ୍ବାରା ବ୍ୟାପକ ପରିବେଶ କ୍ଷୟ ହେବା ସହିତ ଶତାବ୍ଦୀର କୁଖ୍ୟାତ ବିସ୍ଥାପନ ସମସ୍ଯା ସୃଷ୍ଟି ହୋଇଛି। ଏହା ବିରୋଧରେ ନିଜର ସ୍ୱର ଉତ୍ତୋଳନ ପୂର୍ବକ ନିରୀହ ଆଦିବାସୀଙ୍କୁ ମତାଇ ସରକାରଙ୍କ ବିରୁଦ୍ଧରେ ମେଳି ରକ୍ତାକ୍ତ ସଂଘର୍ଷରେ ସଂଶ୍ଳିଷ୍ଟ ହେବାର ଅଭିଯୋଗ ଆସିଛି ତାଙ୍କ ନାମରେ।

ସାମାଜିକ ଗଣମାଧ୍ୟମରେ ମଧ୍ଯ ଲାଗିଛି ବାଛନ୍ଦ। କଦବା କ୍ବଚିତ୍ ଏଠି କିଛି ବି ମତାମତ ଦେଲେ "ସହରୀ ନକ୍ସଲପନ୍ଥୀ" ଭାବେ ତାଙ୍କର ନାମରେ କୁତ୍ସାରଟନା କରାଯାଉଛି ସରକାରୀ କଳର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ। ଅସାମାଜିକ ବ୍ୟକ୍ତି ସମସ୍ତ ମର୍ଯ୍ୟାଦା ଭୁଲି ତାଙ୍କର ଚରିତ୍ର ସଂହାର ରୀତିମତ କରୁଛନ୍ତି ରାସ୍ତାରେ ଘାଟରେ ବାଟରେ ହାଟରେ। ଆଦିମ ଆଦିବାସୀଙ୍କର ସଂରକ୍ଷିତ ଅଞ୍ଚଳରେ ଥିବା ଜମି - ଜଳ - ଜଙ୍ଗଲ ଉପରେ ଥିବା ପୁରୁଷାନୁକ୍ରମିକ ଅଧିକାରକୁ ସାମ୍ବିଧାନିକ ବ୍ୟବସ୍ଥାର ଲକ୍ଷ୍ମଣରେଖା ମଧ୍ଯରେ ଥାଇ ସୁରକ୍ଷା ଦେବାଟା ହେଉଛି ତାଙ୍କର ଧର୍ତ୍ତବ୍ୟ ଅପରାଧ। ଶୋଷିତ ପୀଡିତ ବଞ୍ଚିତ ଲାଞ୍ଛିତ ବ୍ୟକ୍ତିବିଶେଷଙ୍କ ଅଧିକାର ସୁରକ୍ଷା ଦେବାଟା କାଳେ ଦେଶଦ୍ରୋହ କାର୍ଯ୍ୟ। ଏଇ ଯେମିତି ନୂଆ ନିୟମ ବାବଦରେ ନଜାଣିବାଟା ହିଁ ତାଙ୍କର ଗର୍ହିତ ଅପରାଧ। ସରକାରୀ କଳର ଚରମ ବିଫଳତାକୁ ସମାଲୋଚନା କରିବା ଏବେ ଦେଶଦ୍ରୋହ। ଏଥିପାଇଁ ଦେଶଦ୍ରୋହ ଆଇନ ବଳରେ ତାଙ୍କ ବିରୁଦ୍ଧରେ ମକଦ୍ଦମା ଚାଲିଛି ବିଭିନ୍ନ ଅଦାଲତରେ। ତାଙ୍କ ଚତୁର୍ଦ୍ଦିଗରେ ଅହର୍ନିଶି ସରକାରୀ କଳର ସୁଦୃଢ଼ ପ୍ରହରା। ଅତ୍ଯାଧୁନିକ ପ୍ରଯୁକ୍ତି ସମ୍ପର୍ଣ୍ଣ ଡ୍ରୋନ୍ କ୍ଯାମେରା ଅନବରତ ମାରୁଛି ପଇଁତରା।

ନା ସେ ବାହାରକୁ ଆସି ପାରିବେ ନା କେହିବି ତାଙ୍କୁ ଘରେ ଭେଟି ପାରିବ। ସଭାସମିତିରେ ଭାଷଣ ଦେବା ତ ଦୂରନ୍ତ ସ୍ଵପ୍ନ। ପରିସ୍ଥିତି ଏପରି ହୋଇଛି ଯେ, ନା ସେ ନିଜ ଇଚ୍ଛାରେ ଜୀଇଁ ପାରିବେ ନା ମରି ପାରିବେ! ସ୍ବାଧୀନ ରାଷ୍ଟ୍ରର ସ୍ବାଧୀନ ନାଗରିକ ସେ କିନ୍ତୁ ସ୍ବାଧୀନ ମତବ୍ୟକ୍ତ କରିବା ଉପରେ ଲାଗିଛି ନ୍ଯାୟିକ ପ୍ରତିବନ୍ଧକ। ତାଙ୍କର ଉତ୍ତେଜନାମୂଳକ ଭାଷଣ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଏପରି ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରାଯାଇଛି। ନିଜ ଘରର ପରିଧି ଭିତରେ ବନ୍ଦୀ ହୋଇ ଚିର ଇପ୍ସିତ ମୁକ୍ତିର କାମନା କରୁଥିବା ସୋନାଲି ଶୁଭଦର୍ଶିନୀ ଆଜି ମର୍ମେ ମର୍ମେ ଅନୁଭବ କରୁଛନ୍ତି ମହାର୍ଘ ସ୍ବାଧୀନତାର ବାସ୍ତବ ଅର୍ଥକୁ। 

ତାଙ୍କର ଏହିପରି ପିଞ୍ଜରାବଦ୍ଧ ପରିସ୍ଥିତିରେ ସ୍ବାଧୀନତାର ଭିନ୍ନ ଭିନ୍ନ ପରିଭାଷାକୁ ସ୍ପର୍ଦ୍ଧିତ ବ୍ଯାଖ୍ଯାନ କରୁଥିବା ଦେଶବିଦେଶରେ ଉଚ୍ଚ ପଦପଦବୀରେ ସୁପ୍ରତିଷ୍ଠିତ ପ୍ରଜ୍ଞାବାନ ବୁଦ୍ଧିଜୀବୀଗଣ ସାଜିଛନ୍ତି ନିରବ ଦର୍ଶକ। ରାଷ୍ଟ୍ରବାଦ ଓ ରାଷ୍ଟ୍ରଦ୍ରୋହର ଦୋଘାଇରେ ଆଜିବି ସେମିତି ତିମିରରେ ରହିଯାଇଛି ଭୋକର ଭୂଗୋଲକ, ଅନାହାର ମୃତ୍ୟୁକୁ ଅପେକ୍ଷା କରି କରି। ସୁନେଲି ସୂର୍ଯ୍ୟୋଦୟ ପାଲଟିଛି ପ୍ରହସନ। ପୌନଃପୌନିକ ପ୍ରତାରଣାର ଚୋରାବାଲିରେ ହଜିଯାଇଛି ମଧୁର ପ୍ରତିଶ୍ରୁତିର ନଭଶ୍ଚୁମ୍ବୀ ସୁରମ୍ୟ ସୌଧ। ହୃଦବୋଧ ହେଉଛି ସତରେ ଆଜିକାଲି ସ୍ବାଧୀନତାର ପରିଭାଷା ସମ୍ପୂର୍ଣ୍ଣ ବଦଳି ଯାଇଛି, ଏଇ ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ... 



Rate this content
Log in

Similar oriya story from Abstract