ରୋଲ୍ ନଂ 63
ରୋଲ୍ ନଂ 63


ଅଭିରାମ ରାଜ୍ୟ ସେକ୍ରେଟାରିଏଟ୍ରେ ଷ୍ଟେନୋ ଚାକିରି କରିଥାନ୍ତି । ଚାକିରୀ ଦଶବର୍ଷ ହେଲାଣି, ହେଲେ ସରକାରୀ ଆବାସଟିଏ ମିଳିନଥାଏ । ରାଜଧାନୀରେ ଅତ୍ୟଧିକ ଘରଭଡା ଯୋଗୁଁ ନିର୍ମଳା ଗାଁରେ ରହୁଥିଲେ । ସାଧାରଣତଃ ଅଭିରାମ ଶନିବାର ଦିନ ସନ୍ଧ୍ୟାରେ ଗାଁ’କୁ ଆସନ୍ତି ଓ ସୋମବାର ସକାଳୁ ଅଫିସ କରିବାପାଇଁ ଭୁବନେଶ୍ୱର ଯାଆନ୍ତି ।
ଏହିପରି ଭାବରେ ସେମାନଙ୍କର ଜୀବନଚକ୍ର ଗଡ଼ି ଚାଲିଥାଏ । କହନ୍ତି ଜଗତ ନିତ୍ଯ ନୂତନ । ସମୟ କ୍ରମେ ସମସ୍ତଙ୍କ ଜୀବନ ଇତିହାସରେ ନୂଆ ନୂଆ ଫର୍ଦ୍ଦ ଯୋଡ଼ି ହୋଇଯାଏ । ଅନେକ ଦିଅଁ ଦେଉଳ ଦର୍ଶନପରେ ଅଭିରାମ ଓ ନିର୍ମଳାଙ୍କ ଜୀବନର ମଧ୍ଯ ନୂତନ ଅଧ୍ଯାୟ ଆରମ୍ଭ ହୋଇଥିଲା । ବିବାହର ଛ’ବର୍ଷ ପରେ ନିର୍ମଳାଙ୍କ କୋଳକୁ ପିଲାଟିଏ ଆସିଲା । ଶାଶୁ ଶ୍ୱଶୁର ଖୁସି ନଥିଲେ । କହୁଥିଲେ, “ଏତେ ଡ଼େରିରେ ପିଲାଟିଏ ହେଲା ଯେ, ପୁଅଟିଏ ହେଲେ ହୋଇଥାନ୍ତା ।” ମାତ୍ର ଅଭିରାମ ଏବଂ ନିର୍ମଳା ବହୁତ ଖୁସିଥିଲେ । ଆନନ୍ଦରେ ଅଧୀର ହୋଇ ଅଭିରାମ ତ ନିଜ ନାମ ଓ ନିର୍ମଳାଙ୍କ ନାମକୁ ମିଶାଇ ଝିଅଟିର ନାମ ଅନୀତା ଓ ଡ଼ାକନାମ ରାନୀ ରଖିଥିଲେ । ରାନୀ ପାଞ୍ଚ ବର୍ଷର ହେଲାଣି, ସ୍କୁଲ ଯିବ । ବାପା ମା’ ଦୁଇଜଣ ବହୁତ ଚିନ୍ତିତ ଥାନ୍ତି ।
ଥରେ ଅଭିରାମ ଶନିବାର ବଦଳରେ ବୁଧବାର ଦିନ ଘରେ ପହଁଞ୍ଚି ଗଲେ । ପନ୍ଦର ଜଣର ସୁଖୀ ଯୁଗ୍ମ-ପରିବାର । ସମସ୍ତେ ଗୋଟାଏ ଗୋଟାଏ ପାହାଳ ରସଗୋଲା ଖାଇ ଆନନ୍ଦିତ ହେଲେ, ସସ୍ତାହ ମଝିରେ ଘରକୁ ଆସିବାର କାରଣ କେହି ପଚାରି ନଥିଲେ । ମାତ୍ର ନିର୍ମଳା କଥାଟା ହଜମ କରିପାରିଲେ ନାହିଁ । ଅଭିରାମ ଯେତେବେଳେ ଡ୍ରେସ୍ ବଦଳି ଲୁଙ୍ଗି ଗେଞ୍ଜି ପିନ୍ଧିବାକୁ ନିଜ ରୁମ୍ ଭିତରକୁ ପଶିଲେ ନିର୍ମଳା ତାଙ୍କ ପଛେ ପଛେ ଆସିଲେ । ନିର୍ମଳାକୁ ଡରାଇବାପାଇଁ ଅଭିରାମ ଆଉ ଟିକିଏ ମୁହଁ ଲଟକାଇଦେଲେ । ନିର୍ମଳା ଅତ୍ୟନ୍ତ ଉଦ୍ବେଗରେ ପଚାରିଲେ, “କ’ଣ ହେଲାକି? ଚାକିରିରେ କିଛି ଅସୁବିଧା ହେଲା କି?”
ଅଭିରାମ ନିର୍ମଳାକୁ କୁଣ୍ଢେଇ ଧରି ହସି ହସି କହିଲେ,”ଯାର ସ୍ତ୍ରୀ ଏତେ ସୁନ୍ଦର, ତାର ଭାଗ୍ୟ ସବୁବେଳେ ଉଜ୍ଜ୍ୱଳ । ଅସୁବିଧା କ’ଣ ହେବ?” “କ’ଣ ହୋଇଛି କୁହ ମ,” ମୁହଁ ଫୁଲେଇ ନିଜକୁ ଅଭିରାମଙ୍କ ବାହୁ ବନ୍ଧନରୁ ଅଲଗା କରୁ କରୁ ନିର୍ମଳା କହିଲେ ।
ସଙ୍ଗେ ସଙ୍ଗେ ଛିଡ଼ାହୋଇ ନିର୍ମଳାର ନାକରେ ପ୍ରାୟ ନାକ ଲଗେଇ ଅଭିରାମ ଚିପା କଣ୍ଠରେ କହିଲେ, ”ମ୍ୟାଡାମ୍ ଏବେ ରାଜଧାନୀ ଯିବେ । ସରକାରୀ କ୍ୱାଟର୍ସ ମିଳିଛି । ଗତ ସନ୍ଧ୍ୟାରେ ଘର ଧୁଆଧୋଇ କରେଇ ଦେଇଛି । ରବିବାର ସକାଳ ବସ୍ରେ ଯିବା । ବସ୍ କଣ୍ଡକ୍ଟରକୁ କହିଦେଇଛି, ଗୋଟେ ଡବଲ୍-ଖଟ, ସୋଫାସେଟ୍, ଆଉ ଦୁଇ ତିନିଟା ବାକ୍ସ ବସ୍ ଛାତଉପରେ ଚଢ଼େଇ ନେବାପାଇଁ ।”
ନିର୍ମଳା ବହୁତ ଖୁସି ହୋଇଗଲେ । ସଙ୍ଗେ ସଙ୍ଗେ ପୂର୍ବଦିଗକୁ ମୁହଁ କରି ମା ପିତାବଳୀ ଠାକୁରାଣୀଙ୍କୁ ମୁଣ୍ଡିଆଟିଏ ମାରିଲେ । କହିଲେ, “ଏବେ ରାନୀର ପାଠପଢ଼ା ଚିନ୍ତା ଗଲା । ମା’ ହେଲେ ମୋ ଝିଅକୁ ଭଲ ମଣିଷଟିଏ କରେଇ ଦିଅନ୍ତେ ।”
ଧୁଆ ଗେଞ୍ଜିଟାକୁ ସିଧାକରି ପିନ୍ଧୁପିନ୍ଧୁ ଅଭିରାମ କହିଲେ, “ମା’ଙ୍କ ଦୟା । ସବୁ ଠିକ୍ ହେବ ।”
ଗାଁ ଗହଳିରେ ଯୁଗ୍ମ-ପରିବାରରୁ ଗୋଟିଏ କୁଳବଧୁ ଘରଛାଡ଼ି ସହର ଯିବାଟା ଏକ ଜଟିଳ ସମସ୍ୟା । ସଞ୍ଜବେଳେ ଖାଇବା ସମୟରେ ଅବସର ଦେଖି ମା’ଙ୍କ ଆଡ଼କୁ ଚାହିଁ ଅଭିରାମ କହିଲେ, “ମା’! ରାନୀର ପାଠପଢ଼ା ସମୟ ହେଲା । ରାଜଧାନୀରେ ଗୋଟେ ସରକାରୀ ଘର ମିଳିଛି । ଘର ପାଖରେ ଭଲ ସ୍କୁଲ୍ଟିଏ ଅଛି । ତେଣୁ ତୁମେ ଯଦି କହିବ, ରାନୀ ଆଉ ନିର୍ମଳାକୁ ନେଇ ରବିବାର ଦିନ ଭୁବନେଶ୍ୱର ଯାଆନ୍ତି ।”
ଟିକିଏ ଅସନ୍ତୁଷ୍ଟ ସ୍ୱରରେ ଅଭିରାମ ମୁହଁକୁ ସିଧା ନ ଚାହିଁ ମା’ କହିଲେ, “ରାନୀ ଗାଁ ସ୍କୁଲରେ ପଢ଼ିଲେ ହେବ ନି? ଝିଅ ଜନମ ପରଘରକୁ, ତା ଲାଗି ପୁଣି ଏତେ ଚିନ୍ତା? ଆଉ ତୁ ଯଦି ଠିକ୍ କରିଛୁ, ଯିବୁ, ଆମକୁ ପଚାରୁଛୁ କ’ଣ?”
ବାପା କଥାର ମର୍ମ ଠିକ୍ ବୁଝିଗଲେ । ସମୟ ଓ ସ୍ରୋତ ଦି’ଟାଯାକ କେମିତି ସୁରୁଖୁରୁରେ ବହିଯାଉ, କଥାଟାକୁ ଟିକେ ପତଳା ପକାଇବା ପାଇଁ କହିଲେ, “ରାନୀ ବାରିଷ୍ଟର୍ ହେବ, ମଧୁବାବୁ ସଙ୍ଗେ ଲଢ଼ିବ, ଭୁବନେଶ୍ୱରରେ ଜେଜେ ଜେଜେମାକୁ ଗାଡ଼ିରେ ବୁଲେଇବ।” ସମସ୍ତେ ହସିଉଠିଲେ, ହସରେ ହସରେ ପୁରା ପରିବାରର ସମ୍ମତି ମିଳିଗଲା । ଅଭିରାମ ଓ ନିର୍ମଳା ମନେ ମନେ ଆଶ୍ୱସ୍ତି ବୋଧକଲେ ।
ରାଜଧାନୀରେ ଆରମ୍ଭହେଲା ରାନୀର ପାଠପଢ଼ା । ବାପା ଏବଂ ମା’ ଉଭୟେ ରାନୀର ପାଠପଢ଼ା ପ୍ରତି ବହୁତ ଯତ୍ନବାନ ଥା’ନ୍ତି । ସମସ୍ତ ବିଷୟରେ ବଛା ବଛା ଶିକ୍ଷକଙ୍କ ପାଖରେ ଟିଉସନ୍ ଦେଇ ରାନୀ କେତେ ନମ୍ବର ରଖୁଛି, କେତେ ଅଧିକ ବ୍ୟବଧାନରେ ଶ୍ରେଣୀରେ ପ୍ରଥମ ହେଉଛି, ଏ ପରୀକ୍ଷାରେ ନମ୍ବର କାହିଁକି ଟିକେ କମିଗଲା, ସମ୍ପୃକ୍ତ ଟିଉସନ ସାରଙ୍କୁ ଚା’ ପିଇବାକୁ ଡାକି କିପରିଭାବେ ତାଙ୍କୁ ପ୍ରୋତ୍ସାହନ ଦେବା, ଇତ୍ୟାଦିରେ ବେଶ୍ ଧ୍ୟାନ ଦେଇଥାନ୍ତି । ଏକାଦଶ ବୋର୍ଡ଼ ପରୀକ୍ଷାରେ ରାନୀକୁ ବେଷ୍ଟ ଟେନ୍ଥର ତୃତୀୟ ସ୍ଥାନ ମିଳିଲା । ପରୀକ୍ଷାଫଳ ଆସିଲାଦିନ ନିଜେ ପ୍ରିନ୍ସିପାଲ ମହୋଦୟ କେତେଜଣ ଶିକ୍ଷକଙ୍କୁ ନେଇ ଅଭିରାମଙ୍କ ଘରକୁ ଆସିଥିଲେ । ଶିକ୍ଷକମାନଙ୍କ ପ୍ରସ୍ଥାନପରେ ନିର୍ମଳା ନିଜ ଗାଁ ଆଡ଼କୁ ମୁହଁକରି ଗାଁ’ର ସମସ୍ତ ଠାକୁର ଠାକୁରାଣୀ ମାନଙ୍କୁ ମୁଣ୍ଡିଆ ମାରିପକାଇଲେ । କିଛି ସମୟ ପରେ ଟିଭିବାଲା, କେତେକ ସମ୍ବାଦପତ୍ରର ପତ୍ରକାରମାନେ ଆସି ପହଁଞ୍ଚି ଗଲେ । ଫଟୋ ସେଶନ୍ ହେଲା । ପରଦିନ ଟିଭି, ଖବରକାଗଜ ଇତ୍ୟାଦିରେ ରାନୀର ଫଟୋ ଆସିଲା, ସଂକ୍ଷିପ୍ତ ଜୀବନୀ ଆଦି ଚର୍ଚ୍ଚାହେଲା । ଅଭିରାମ ଓ ନିର୍ମଳା ତ ଆନନ୍ଦସାଗରରେ ଭାସୁଥିଲେ, ତାଙ୍କ ସଙ୍ଗେ ସଙ୍ଗେ ସାହିପଡୋଶି, ଗ୍ରାମବାସୀମାନେ ମଧ୍ୟ ଖୁସିହେଲେ । ସନ୍ଧ୍ୟାବେଳକୁ ରାନୀର ଜେଜେବାପା ଗାଁ’ର ପିତାବଳୀ, କମଣ୍ଡେଇ, ବ୍ରାହ୍ମଣଦେଈ ଓ ଭାଗବତଘରେ ନଡିଆ ଭୋଗ ଲଗାଇ ଅଲଗା ଅଲଗା ବ୍ୟାଗରେ ଭୋଗ, ପୂଜାଫୁଲ ଓ ତୁଳସୀପତ୍ର ଧରି ରାଜଧାନୀରେ ପହଞ୍ଚିଗଲେ । ରାନୀମୁଣ୍ଡରେ ହାତରଖି ଆଶୀର୍ବାଦ ଦେଉ ଦେଉ କହିଲେ, “ମୁଁ ଜାଣିଛି ପରା, ମୋ ନାତୁଣୀ ବାରିଷ୍ଟର୍ ହେବ ।”
ରାଜଧାନୀ କାହିଁକି, ସାରା ପ୍ରଦେଶର ପ୍ରଖ୍ୟାତ ମହାବିଦ୍ୟାଳୟରେ ରାନୀର ନାମଲେଖା ହେଲା । ହେଲେ ନିର୍ମଳା ଟିକିଏ ଚିନ୍ତିତ ଥିଲେ । ଏ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀରେ ରାନୀର ରୋଲ୍ ନଂ ୧ ରହୁଥିଲା, କାରଣ ସେ ସବୁବେଳେ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରୁଥିଲା । କିନ୍ତୁ କଲେଜରେ ରାନୀର ରୋଲ୍ ନମ୍ବର ୬୩ । “ଏଇଟା କ’ଣ ଗୋଟାଏ ରୋଲ୍ ନମ୍ବର? ଗାଁ ଖଡୀରତ୍ନେ କହନ୍ତି – ୧ରେ ଈଶ୍ୱର ଦିଅନ୍ତି ବର । ୧ ରୋଲ୍ ନଂ ରେ ରହି ଏ ପର୍ଯ୍ୟନ୍ତ ରାନୀ ଈଶ୍ୱରଙ୍କ କୃପାଲାଭ କରୁଥିଲା । ଏବେ ରୋଲ୍ ନମ୍ବର ୬୩, କ’ଣ ହେବ କିଏ ଜାଣେ?” ମନେ ମନେ ଗୁଣୁଗୁଣୁ ହେଉଥାନ୍ତି ନିର୍ମଳା । ଖଡୀରତ୍ନ ମହାଶୟେ କହୁଥିବା ଆଗ ଦୁଇ ତିନି ଧାଡ଼ି ମନେପକାଇଲେ । ‘ଏକରେ ଈଶ୍ୱର ଦିଅନ୍ତି ବର, ଦ୍ୱିତୀୟେ ନାସ୍ତି କରୁଣାକର । ତୃତୀୟେ ଇନ୍ଦ୍ରପଦ ପାଇ, ଚତୁର୍ଥ ଖଡି ବିଳମ୍ବରେ ଯାଇ ।‘ ଯଦିଓ ୬୩ରେ ୬ର ଖଡିମୂଲ୍ୟ ସେ କେବେ ଖଡୀରତ୍ନଙ୍କ ମୁଖରୁ ଶୁଣି ନାହାନ୍ତି, ତେବେ ମଧ୍ୟ ତାହା ଜାଣିବାକୁ ମନସ୍ଥ କଲେ ନାହିଁ, କାଳେ କ’ଣ ଓଲଟା ହୋଇଥିବ । ତେଣୁ ମନକୁ ସାନ୍ତ୍ୱନା ଦିଅନ୍ତି, ରୋଲ୍ ନମ୍ବର ୬୩ର ଥିବା ୩ଟା ରାନୀପାଇଁ ଇନ୍ଦ୍ରପଦ ଆଣିଦେବ । ନିର୍ମଳାଙ୍କର ଏ ସବୁ ବିଚାରଧାରାରେ ଅଭିରାମ ବିଶ୍ୱାସ ରଖନ୍ତି ନାହିଁ । ମାତ୍ର ପ୍ରତିବାଦ କଲେ କାଳେ ନିର୍ମଳାଙ୍କ ମନରେ କଷ୍ଟହେବ, ତେଣୁ ଏକ ଅନ୍ତରଙ୍ଗ ହସ ମାଧ୍ଯମରେ ମନର ଭାବନାକୁ ଲୁଚାଇ ଦିଅନ୍ତି ।
ରାନୀ ସାଇକେଲ ଯୋଗେ କଲେଜ ଯାଏ । ସକାଳ ୯ଘ୩୦ମି ବେଳଜୁ କଲେଜ ଯିବାକୁ ପଡ଼େ । ଦ୍ୱିପ୍ରହରରେ ମଧ୍ୟାହ୍ନଭୋଜନ କଲେଜ କ୍ୟାଣ୍ଟିନ୍ରେ ଓ ଫ୍ରି ପିରିୟଡ଼ ଲାଇବ୍ରେରୀରେ କଟିଥାଏ । ଫେରୁ ଫେରୁ ସନ୍ଧ୍ୟା ୫ଘ ପରେ ହୋଇଯାଏ । ଘରେ ପହଁଞ୍ଚିବା ମାତ୍ରେ ରାନୀ ସାଇକେଲଟାକୁ ଅଗଣା ପାଚେରୀରେ ଡେରିଦେଇ ସିଧା ଡ୍ରଇଙ୍ଗରୁମ୍ ଭିତରକୁ ଧାଇଁଯାଏ ଓ ବହିଖାତାଗୁଡାକ ଟି-ପଏ ଉପରକୁ ପ୍ରାୟ ଫୋପାଡିଦେଇ ଗାଲିଚା ଉପରେ ବସିପଡେ । ଆଗରୁ ଅଭିରାମବାବୁ ଗୋଟିଏ ସିଙ୍ଗଲ୍ ସୋଫା ଉପରେ ସଜେଇହୋଇ ବସିଥାନ୍ତି । ତାଙ୍କ ଆଣ୍ଠୁଉପରେ ମୁଣ୍ଡରଖି ଶୋଇଯାଏ । ରାନୀ ବିଶ୍ରାମ ନେବାର ଠିକ୍ ପଚିଶ ମିନିଟ ପରେ ନିର୍ମଳା ଚା’ ଜଳଖିଆ ଆଣି ଟି-ପଏ ଉପରେ ରଖି ଦିଅନ୍ତି । ବାପା ଓ ଝିଅ ଦିନସାରା ଘଟିଥିବା ଘଟଣା ଗୁଡିକର ବିବରଣି ଦିଅନ୍ତି । ଜାଣିଶୁଣି ଅଭିରାମ ତାଙ୍କ କଥାଟି ଛୋଟ ରଖନ୍ତି । ରାନୀର କଲେଜ ଓ ପଢ଼ା ଉପରେ ସବିଶଦ ଚର୍ଚ୍ଚାହୁଏ । ସେ ସମୟରେ ଏହାଥିଲା ତାଙ୍କଘରର ନିତିଦିନିଆ କାହାଣୀ । କେବେ କେବେ ଅଭିରାମ କାର୍ଯ୍ୟାଳୟରୁ ବିଳମ୍ବରେ ଫେରିଲେ ସୋଫା ଉପରେ ନିର୍ମଳା ସଜେଇହୋଇ ବସିଥାନ୍ତି । କାର୍ଯ୍ୟାଳୟରୁ ଫେରି ଅଭିରାମ ଚା’ ଜଳଖିଆ ବନ୍ଦୋବସ୍ତ କରନ୍ତି । ଯାହା ହେଉ ନା କହିଁକି ରାନୀର ଗାଲିଚାରେ ବସି ବାପା କିମ୍ବା ମା କୋଳରେ ମୁଣ୍ଡ ରଖି ବିଶ୍ରାମ ନେବାରେ କେବେ ବ୍ୟତିକ୍ରମ ହୁଏ ନାହିଁ । କେବେ ଏକାନ୍ତରେ କଥା ହେଲାବେଳେ ନିର୍ମଳା ଅଭିରାମଙ୍କୁ କଲେଜ ବିଷୟରେ ରାନୀକୁ ସବୁକିଛି ପଚାରିବାକୁ ଆକଟ କରନ୍ତି, କହନ୍ତି, “ରାନୀ ଏବେ ବଡପିଲା ହୋଇଗଲାଣି, ଖୋଳିତାଡି ତାକୁ ସବୁକିଛି ପଚାରିବ ନାହିଁ ।“
ରାନୀ ଆଇ.ଏସ୍.ସି ପରେ ବି.ଏ. ଓ ତା’ପରେ ଲ’ ପାଶ୍ କଲା । ପୁଣି ଗୋଟିଏ ଦିନ ଆସିଲା, ଘରେ ଟିଭି, ଖବରକାଗଜ ଆଦିର ରିପୋର୍ଟରମାନେ ଭିଡ ଜମେଇଲେ । ଚାରିଆଡେ ପ୍ରଚାର ହୋଇଗଲା, ରାନୀ ଓରଫ୍ ଅନୀତା ମାନସିଂହ ଓ.ଜେ.ଏସ୍.ରେ ଟପର୍ । ପରଦିନ ସକାଳୁ ଗାଁରୁ ଜେଜେବାପା ଗାଁ’ର ଠାକୁର ଠାକୁରାଣୀଙ୍କଠାରେ ଭୋଗ ଲଗାଇ ଅଲଗା ଅଲଗା ବ୍ୟାଗରେ ଭୋଗ, ପୂଜାଫୁଲ ଓ ତୁଳସୀପତ୍ର ଧରି ପହଁଞ୍ଚିଗଲେ। ଏଥର କିନ୍ତୁ ସାଥିରେ ଜେଜେମା ଥିଲେ । ରାନୀମୁଣ୍ଡରେ ହାତରଖି ଆଶୀର୍ବାଦ ଦେଉ ଦେଉ ଜେଜେମା କହିଲେ, “ମୋ ମା’ଟାକୁ ମୁଁ ଚିହ୍ନି ପାରି ନଥିଲି ପରା, ମୋ ନାତୁଣୀ ତ ବାରିଷ୍ଟର୍ ଠାରୁ ବି ବଡ ହୋଇଗଲା । କ’ଣ ସବୁ କହୁଛନ୍ତି ତୁ କାଳେ ଜଜ୍ ହେବୁ“ କହୁ କହୁ ରାନୀକୁ କୁଣ୍ଢେଇ ଧରି ବହେ ଗେଲକରି ପକାଇଲେ ।
ଜେଜେବାପା ଓ ଜେଜେମାଙ୍କର ପାଦ ଛୁଇଁ ଆଶୀର୍ବାଦ ନେଉ ନେଉ ରାନୀ ଚିତ୍କାର କରି ଉଠିଲା,” ମୋ ଜେଜେବାପା ଓ ଜେଜେମା ଆଶୀର୍ବାଦରୁ ପରୀକ୍ଷାରେ ଫାର୍ଷ୍ଟ ହୋଇଗଲି ।” ତା’ପରେ ଦୁଇ ଜଣଙ୍କୁ ଦୁଇ ହାତରେ କୁଣ୍ଢେଇ ପକେଇଲା । ବାପା ଓ ମା’ଙ୍କର ପାଦ ଛୁଇଁ ଅଭିରାମ ଓ ନିର୍ମଳା ପାଖରେ ଛିଡା ହୋଇଥିଲେ, ଦୁଇଜଣଙ୍କର ଆଖିରୁ ଅନବରତ ଅନନ୍ଦାଶ୍ରୁ ଗଡି ଚାଲିଥିଲା । ନିର୍ମଳା କୋହ ସମ୍ଭାଳି ନପାରି ପାଣି ଆଣିବା ବାହାନାରେ ରୋଷେଇ ଘରକୁ ଗଲେ । ସେଠାରେ ଗାଁ’ ଆଡକୁ ମୁହଁକରି ବାରମ୍ବାର ମୁଣ୍ଡିଆ ମାରିପକାଉଥିଲେ । ପାଦ ଚିପିଚିପି ଅଭିରାମ ପହଞ୍ଚି ନିର୍ମଳାର ସୁଢ଼ଳ ମୁଖମଣ୍ଡଳକୁ ଦୁଇ ହାତରେ ତୋଳିଧରି ଚପା କଣ୍ଠରେ କହିଲେ, “ତୁମେ ଭାବୁଛ ନା? ରାନୀ ରୋଲ୍ ନମ୍ବରରେ ଥିବା ୩, ଅର୍ଥାତ୍ ତୃତୀୟ ଖଡି ରାନୀକୁ ଇନ୍ଦ୍ରପଦ ଆଣିଦେଲା?” ସମ୍ମତି ପ୍ରକାଶ କରି ଆଖିରୁ ଲୁହ ପୋଛିବାପାଇଁ ପଣତକାନିକୁ ହାତ ବଢ଼ଉଥିବା ବେଳେ ରାନୀ ଆସି ତା’ର ବାପା ଓ ମା’କୁ କୁଣ୍ଢେଇ ଧରିଲା । ନିର୍ମଳା ମୁଣ୍ଡଟେକି ଦେଖିଲେ, ବାପା ମଧ୍ୟ ରୋଷେଇଘରେ ଥିବା ଫିଲ୍ଟରରୁ ଗ୍ଲାସରେ ପାଣି ବାହାରକରି ମା’ଙ୍କୁ ଦେଉଛନ୍ତି । ଏମିତି ପ୍ରତୀୟମାନ ହେଲା, ସତେ ଯେମିତି ଉପସ୍ଥିତ ସମୟଟି ସମସ୍ତଙ୍କୁ ଆନନ୍ଦରଜ୍ଜୁରେ ନିବିଡଭାବରେ ବାନ୍ଧି ରଖିଛି ।
ପରଦିନ ଅଭିରାମ ପୁରା ଡିପାର୍ଟମେଣ୍ଟରେ ମିଠା ବାଣ୍ଟିଲେ । ମଧ୍ୟାହ୍ନଭୋଜନର ଦୁଇ ଘଣ୍ଟାପରେ ଡିପାର୍ଟମେଣ୍ଟସାରା ଆଉଥରେ ମିଠା ବଣ୍ଟାହେଲା । ଏଥର ମିଠାଟା ଥିଲା ସ୍ୱୟଂ ସେକ୍ରେଟାରୀ ସାରଙ୍କ ତରଫରୁ । ସେକ୍ରେଟାରୀ, ଡ: ନାରାୟଣ ଚନ୍ଦ୍ର ରାୟ, ଆଇ.ଏ.ଏସ୍., କଡା ଶାସକ ହେଲେ ମଧ୍ୟ ଜଣେ ହୃଦୟବାନ୍ ବ୍ୟକ୍ତି । ବଡବାବୁ କହିଲେ, “ଯାହାହେଲେ ସେକ୍ରେଟାରୀ ସାର୍ ଡିପାର୍ଟମେଣ୍ଟର ହର୍ତ୍ତାକର୍ତ୍ତା, ମା’ବାପ । ସାର୍ ଅଭିରାମବାବୁଙ୍କର ଝିଅର କୃତିରେ ଖୁସିହୋଇ ମିଠା ବାଣ୍ଟିଛନ୍ତି । ଅଭିରାମବାବୁ! ଏଠି ବସିଛନ୍ତି କ’ଣ? ଯାଅ, ସାର୍ ଙ୍କୁ ଧନ୍ୟବାଦ ଦେଇଆସ ।“ ଏକ ସ୍ୱତନ୍ତ୍ର ମିଠା ପ୍ୟାକେଟ୍ ନେଇ ଅଭିରାମ ସେକ୍ରେଟାରୀ ସାର୍ ଙ୍କ ଚାମ୍ବରକୁ ଗଲେ । ରାନୀର ଭୁରିଭୁରି ପ୍ରଶଂସା ଶୁଣି ଓ ସାର୍ ଙ୍କୁ ଅଶେଷ ଧନ୍ୟବାଦ ଦେଇ ଅଭିରାମ ଆନନ୍ଦରେ ଗଦ୍ଗଦ୍ ହୋଇ ଫେରିଥିଲେ ।
ଦୁଇଦିନ ପରେ ବଡବାବୁ ଅଭିରାମଙ୍କୁ ଖବର ଦେଲେ ଯେ ସାର୍ ତାଙ୍କୁ ଅଫିସ୍ ସମୟପରେ ମିଳିବାକୁ ଚାହାନ୍ତି । ଅଭିରାମ ସାର୍ ଙ୍କ ଡାକରାକୁ ଅପେକ୍ଷା କରିଥାନ୍ତି । ଡିପାର୍ଟମେଣ୍ଟର ସମସ୍ତେ ଅଫିସ୍ ଛାଡିଲେଣି, ଏତେବଡ ଫ୍ଲୋରଟାରେ ତାଙ୍କୁ ଖାଁ ଖାଁ ଲାଗୁଥାଏ । ହଠାତ୍ ସାର୍ ତାଙ୍କ ଆଡକୁ ଆସୁଥିବାର ଦେଖିଲେ । ଅଭିରାମ ହଡବଡେଇଯାଇ ଛିଡା ହୋଇପଡିଲେ । ସେ କିଛି କହିବା ପୂର୍ବରୁ ଚଉକିଟାଏ ଟାଣି ଆଣି ସାର୍ ଅଭିରାମଙ୍କ ଟେବୁଲ୍ ସାମନାରେ ବସିପଡିଲେ ଓ ଅଭିରାମଙ୍କୁ ବସିବାକୁ କହିଲେ । ନିଜ ଚଉକିଟାକୁ ଟିକିଏ ପଛକୁ ଟାଣିନେଇ ଅଭିରାମ ଅତି ସନ୍ତର୍ପଣରେ ବସିପଡିଲେ ।
ସାର୍ ଆରମ୍ଭ କଲେ, “ଅଭିରାମବାବୁ, କୌଣସି ଅଫିସ୍ କାମ ନୁହେଁ, ଗୋଟିଏ ବ୍ୟକ୍ତିଗତ କାମରେ ମୁଁ ଆସିଛି । ଆପଣ ଜାଣି ନଥିବେ, ମୋର ଗୋଟିଏ ପୁଅ ଆଉ ଗୋଟିଏ ଝିଅ । ଝିଅ ବହୁତ ସାନ । ଏବେ ଆଇ.ଏସ୍.ସି. ପ୍ରଥମ ବର୍ଷରେ ପଢୁଛି । ପୁଅର ମେଡିସିନ୍ ରେ ପିଜି ଶେଷହେଲା । ମୁଁ ଭାବୁଥିଲି ମୋ ପୁଅ ସହିତ ଆପଣଙ୍କର ଝିଅର ବିବାହ ପ୍ରସ୍ତାବ ରଖିଲେ କେମିତି ହୁଅନ୍ତା?”
ଅଭିରାମ ଧଡ୍ କରି ଯୋଡହସ୍ତରେ ଛିଡା ହୋଇପଡିଲେ । ପାଟିରୁ ତାଙ୍କର ବାହାରିଗଲା, “ସାର୍, କାହିଁ ଆପଣଙ୍କ ଷ୍ଟାଟସ୍, ଆଉ କାହିଁ .....”
ଅଭିରାମବାବୁଙ୍କ ହାତଧରି ବସାଇ ଦେଉ ଦେଉ ତାଙ୍କ ମୁହଁରୁ କଥାଟା ଛଡେଇନେଇ ସାର୍ କହିଲେ, “ଦେଖନ୍ତୁ, ଷ୍ଟାଟସ୍ ରେ ମୁଁ ବିଶ୍ୱାସ କରେନାହିଁ । ଉତ୍ତମ ଶିକ୍ଷା, ସଂସ୍କାର ଓ ଉତ୍ତମ ବୁଝାମଣା ମାଧ୍ୟମରେ ପିଲାମାନଙ୍କର ସୁଖମୟ ଜୀବନଯାପନ ହିଁ ଜୀବନର ସାର୍ଥକତା ପ୍ରତିପାଦନ କରିଥାଏ ।“
“ପ୍ରଜାପତିଙ୍କ ଅପାର କରୁଣାରୁ ଯଦି ଏ ବିବାହଟି ସମ୍ପନ୍ନ ହୁଏ, ତେବେ ଆମେ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେକରିବୁ । କିନ୍ତୁ ସାର୍, ଗୋଟିଏ ପ୍ରାର୍ଥନା, ଆମେ ଆଗେଇବା ପୂର୍ବରୁ ପୁଅ ଓ ଝିଅ ଟିକିଏ ଦେଖାସକ୍ଷାତ ହେଲେ ଭଲ ହୁଅନ୍ତା“. ଅଭିରାମ ଭଗବାନଙ୍କ ଉଦ୍ଦେଶ୍ୟରେ ହାତଯୋଡି ସାର୍ ଙ୍କୁ କହିଲେ ।
ସାର୍ ସମ୍ମତି ପ୍ରକାଶ କରି କହିଲେ, “ନିଶ୍ଚୟ, ଆସନ୍ତା ରବିବାର ସନ୍ଧ୍ୟା 5ଟା ବେଳେ ମୁଁ ଓ ମୋର ପରିବାର ଆପଣଙ୍କ ଘରକୁ ଆସିଲେ କେମିତି ହୁଅନ୍ତା?”
ଅଭିରାମ କହିଲେ, “ଠି
କ୍ ଅଛି ସାର୍ ! ଆମେମାନେ ଆପଣମାନଙ୍କୁ ଅପେକ୍ଷା କରିବୁ ।“
ସାର୍ ଙ୍କୁ ଅଧାବାଟ ଯାଏ ବିଦାୟ ଦେଇ ଅଭିରାମ ସିଟ୍ କୁ ଫେରିଲେ । ଦେଖିଲେ ଯେ ସେ ଗୋଟାପଣେ ଝାଳରେ ଭିଜି ଯାଇଛନ୍ତି । ପେଡେଷ୍ଟାଲ ଫ୍ୟାନ୍ ଟାକୁ ପାଖକୁ ଟାଣି ଆଣିଲେ, ହେଲେ ଭୟ ମିଶ୍ରିତ ଆନନ୍ଦ ତାଙ୍କ ଶରୀରକୁ ସ୍ୱେଦମୁକ୍ତ କରି ପାରି ନଥିଲା ।
ରାତିରେ ଶୋଇବାକୁ ଯିବା ସମୟରେ ଅଭିରାମ ସମସ୍ତ ଘଟଣା ନିର୍ମଳାକୁ ପ୍ରାଞ୍ଜଳ ଭାବରେ ବତାଇଲେ । ଏତେବଡ଼ ଘରର ଆଦବ କାୟଦା ସହିତ ପାଦ ମିଳାଇ ରାନୀ ଚାଲି ପାରିବ କି ନାହିଁ ତାଙ୍କ ମନରେ ଆଶଙ୍କା ସୃଷ୍ଟି ହେଉଥିଲା । ତଥାପି ଶିକ୍ଷା କ୍ଷେତ୍ରରେ ରାନୀର ସଫଳତା ମନରେ ଏକ ସାହସ ସଞ୍ଚାର କରୁଥିଲା । କହିଲେ, “ଉଭୟେ ଦେଖାସାକ୍ଷାତ ହୁଅନ୍ତୁ, କଥାବାର୍ତ୍ତା ହୁଅନ୍ତୁ । ତା’ପରେ ସେମାନେ ଠିକ୍ କରନ୍ତୁ ।“
ପରଦିନ ସକାଳର ଚା’ ପିଇବା ସମୟରେ ଅଭିରାମ ନିର୍ମଳା ଆଡକୁ ଚାହିଁ କହିଲେ,” ଆମ ରାନୀ ପାଇଁ ମୁଁ ଗୋଟେ ରାଜକୁମାର ଠିକ୍ କରିଛି ।“
ରାନୀ ଚିହିଁକି ଉଠିଲା, “ୟେ କ’ଣ ବାପା! ମୋ କ୍ୟାରିଅର ଆରମ୍ଭ ନ ହେଉଣୁ ବିବାହ? “
ନିର୍ମଳା କହିଲେ, “ତୁ ଏତେ ବ୍ୟସ୍ତ ହେଉଛୁ କହିଁକି? ବିବାହ କ’ଣ ସଙ୍ଗେ ସଙ୍ଗେ ହୋଇଯାଉଛି? ଘରେ ବିବାହଯୋଗ୍ୟ ପୁଅ ଝିଅ ଥିଲେ ଏମିତି ଦେଖାଦେଖି ହୁଏ । ସେମାନେ ଆସନ୍ତା ରବିବାର ଦେଖିବାକୁ ଆସିବେ ବୋଲି କହିଛନ୍ତି, ଆସନ୍ତୁ । ସେଥିପାଇଁ ବ୍ୟସ୍ତ କାହିଁକି? “ ରାନୀ ଚୁପ୍ ରହିଲା ।
ରବିବାର ଦିନ ଠିକ୍ ଅପରାହ୍ନ ୫ଟା ବେଳେ ରାୟ ପରିବାର ଅଭିରାମଙ୍କ ଘରେ ପହଁଞ୍ଚିଗଲେ । ସେକ୍ରେଟାରୀ ସାର୍ ଅଭିରାମ ଓ ନିର୍ମଳାଙ୍କୁ ନିଜର ପରିବାରର ପରିଚୟ ଦେବାକୁଯାଇ କହିଲେ, “ଇଏ ମୋର ସ୍ତ୍ରୀ ସୁନନ୍ଦା, ପୁଅ ହରିଶ୍, ଡ: ହରିଶ୍ଚନ୍ଦ୍ର ରାୟ, ଆଉ ଇଏ ଝିଅ, ଲିପ୍ସା, ଏଇ ବର୍ଷ କଲେଜ ଯାଇଛି ।“
ଅଭିରାମ ଓ ନିର୍ମଳା ସମସ୍ତଙ୍କୁ ସାଦରେ ସୋଫାରେ ବସାଇଦେଇ ସୋଫାସେଟ୍ ସମ୍ମୁଖ ଚଉକିରେ ବସିପଡିଲେ । ବସୁ ନ ବସୁଣୁ ନିର୍ମଳା ଭିତରକୁ ଯାଇ ରାନୀକୁ ନେଇ ଆସିଲେ । ରାନୀ ଟି-ପଏ ଉପରେ ପଣିଗ୍ଳାସ୍ଭରା ଟ୍ରେ ରଖିଦେଇ ସମସ୍ତଙ୍କୁ ପ୍ରଣାମ କଲା ଓ ଲିପ୍ସାକୁ ହସହସ ମୁଖରେ ସ୍ୱାଗତ ଜଣାଇଲା । ସୁନନ୍ଦା ମ୍ଯାଡ଼ାମ ରାନୀକୁ ପାଖରେ ବସିବାକୁ କହିଲେ । ସାମାନ୍ୟ ଜଳଯୋଗ ପରେ ସୁନନ୍ଦା ମ୍ଯାଡାମ ନିର୍ମଳାକୁ ଅନୁରୋଧଭରା କଣ୍ଠରେ କହିଲେ, “ଇଏ ଦୁଇଜଣ କେଉଁଠି ବସି କିଛି ସମୟ ଏକା ଏକା କଥା ହୁଅନ୍ତୁ ।“
ଆଗରୁ ରାନୀର ରୁମ୍ରେ ବନ୍ଦୋବସ୍ତ ହୋଇଥିଲା । ନିର୍ମଳା ରାନୀ ଓ ହରିଶ୍ଙ୍କୁ ନେଇ ସାମ୍ନା ସାମ୍ନି ଚଉକିରେ ବସେଇଦେଇ ଡ୍ରଇଂରୁମ୍କୁ ଫେରି ଆସିଲେ । ଚାରିଜଣ ଉଭୟ ପରିବାର ବିଷୟରେ କଥିବାର୍ତ୍ତା ହେଉଥାନ୍ତି । ଲିପ୍ସା ସବୁ ଶୁଣୁଥାଏ । କେତେବେଳେ ଚୁପ୍ଚାପ୍ ସେଠାରୁ ଖସିଯାଇ ରାନୀରୁମ୍ର ଡୋର୍ସ୍କ୍ରୀନ୍ ପାଖରେ ଛିଡାହୋଇଥାଏ ।
ରାନୀକୁ ମନେ ହେଉଥାଏ ଯେମିତି ହରିଶ୍ଙ୍କୁ କେଉଁଠି ଦେଖିଲାପରି । ମନେମନେ ଭାବୁଥାଏ ଇଏ କ’ଣ ହରିଆ? ପୁଣି ଭାବୁଥାଏ ନା, ଇଏ ହରିଆ ନୁହେଁ, ଏତେବଡ ଅଫିସର୍ର ପୁଅ, ଏତେ ସାଧା ସିଧା ବ୍ୟବହାର, ସମସ୍ତଙ୍କ ସାଙ୍ଗରେ ଘୋଳିମିଳି ଯାଏ, ପାଠ ପଢ଼ାରେ ଅତି ଉତ୍ତମ ହେଲେ ମଧ୍ୟ ସବୁବେଳେ ସମସ୍ତଙ୍କ ସାଙ୍ଗରେ ହସ-ମଜାକ୍ କରୁଥାଏ, ଶ୍ରେଣୀର ପ୍ରାୟ ସମସ୍ତେ ତାର ବନ୍ଧୁ । ଇଏ ତ ଗମ୍ଭୀର ଦେଖାଯାଉଛନ୍ତି ।
ଏହି ସମୟରେ ହରିଶ୍ ଆରମ୍ଭ କଲା, କହିଲା,”କ’ଣ ଭାବୁଛ, ଚୁପ୍ଚାପ୍ ବସିଛ?”
ଆବାଜରୁ ରାନୀ ଜାଣିପାରିଲା, କହିଲା,”ତମେ....।‘ “ହଁ, ମୁଁ ହରିଆ, ଆମେ ସାଥି ହୋଇ ଆଇ.ଏସ୍.ସି. ପଢୁଥିଲେ” ସେହି ପୁରୁଣା ହସହସ ମୁହଁରେ ହରିଶ୍ କହିଲା । କହୁ କହୁ ଡୋର୍ସ୍କ୍ରୀନ୍ ତଳେ ଦୁଇଟି ପାଦ ଦେଖିବାକୁ ପାଇ ଧୀରେ ଧୀରେ ଯାଇ ଲିପ୍ସାର କାନଧରି ଟାଣି ଆଣି ପାଖରେ ବସେଇଲା ହରିଶ୍ । କହିଲା, “ଲୁଚିଲୁଚି କାହିଁକି, ଏଇଠି ବସି ସବୁ ଶୁଣ୍ ।“
“କ’ଣ ଟୁପୁରୁଟାପର ହେଉଛ? ଆଗରୁ ଦିହେଁଦୁହିଁକୁ ଜାଣିଛ କି?” ଲିପ୍ସା ଦୁଷ୍ଟାମୀଭରା କଣ୍ଠରେ ପ୍ରଶ୍ନ କଲା ।
ରାନୀ ପୂର୍ବସନ୍ଧ୍ୟାରେ ଶାଢୀ ପିନ୍ଧି ଦର୍ପଣ ଆଗରେ ଛିଡାହୋଇ ପୁରା ୪ ଘଣ୍ଟା କସରତ କରି ମା’ଙ୍କ ଶାଢୀଗୁଡିକ ଭିତରୁ ଫିକା ସିମେଣ୍ଟ ରଙ୍ଗର ଗାର୍ଡେନ ସିଲ୍କ ଶାଢୀ ବାଛିଥିଲା । ମା’ଙ୍କର ସେହି ଶାଢୀପାଇଁ ମ୍ୟାଚିଙ୍ଗ୍ ବ୍ଲାଉଜ୍ଟିକୁ ଭିତରକଡୁ ଧାଗାମାରି ନିଜପାଇଁ ଫିଟିଙ୍ଗ୍ କରିଦେଇଥାଏ । ତା’ର ହଳଦିଆ ଗୋରା ଦେହରେ ଶାଢିଟି ଅପୂର୍ବ ଶୋଭା ସୃଷ୍ଟି କରୁଥାଏ । ଜୋର୍ରେ ହସିଲେ କାଳେ ଗଣ୍ଡଦେଶରେ ଡିମ୍ପଲ୍ଟା ବଡ ଆକାର ଧାରଣ କରିବ, ତେଣୁ ଲଜ୍ଜାବନତ ବଦନରେ ମୃଦୁ ମୃଦୁ ହସି ସେ ଆରମ୍ଭ କଲା, “ହଁ, ଆମେ ସାଥିହୋଇ ଆଇ,ଏସ୍.ସି ପଢ଼ୁଥିଲୁ । ଆମ ଶ୍ରେଣୀରେ ପ୍ରଥମ ଦୁଇଟା ବେଞ୍ଚ୍ରେ ଛାତ୍ରୀମାନେ ବସନ୍ତି । ମୁଁ ଦ୍ୱିତୀୟ ବେଞ୍ଚ୍ରେ ମଧ୍ୟଭାଗରେ ବସେ ଓ ତୁମ ଭାଇ ଠିକ୍ ମୋ ପଛ ସିଟ୍ରେ ବସନ୍ତି ।“
ଲିପ୍ସା ତାଗିଦ୍ କଲା,”କାହିଁକି ଭାଇ ତାଙ୍କ ପଛରେ ବସୁଥିଲ? ଲାଇନ୍ ମାରୁଥିଲ କି?”
ହରିଶ୍କୁ ଜବାବ ଦେବାକୁ ପଡିଲା,”ରାନୀ ବେଷ୍ଟ ଟେନ୍ଥ ଛାତ୍ରୀ ତ, ପାଖରେ ବସିଲେ କିଛି ଶିଖିବାକୁ ମିଳିବ ବୋଲି ମୁଁ ତା ପଛରେ ବସେ ।“
ଉତ୍ତରରେ ସନ୍ତୁଷ୍ଟ ନ ହୋଇ ଲିପ୍ସା କହିଲା, “ଭାଇ! ମିଛ କାହିଁକି କହୁଛ, ସିଧା ତ କହିବ ସୁନ୍ଦରୀ ବୋଲି ଲାଇନ୍ ମାରୁଥିଲ ।“
ସମସ୍ତେ ଜୋର୍ରେ ହସି ଉଠିଲେ । ଆଉ ଟିକିଏ ଲାଜେଇ ଯାଇ ରାନୀ କହିଲା, “ମୁଁ କ’ଣ ଜାଣିଥିଲି କି? ଷାଣ୍ମାସିକ ପାରୀକ୍ଷା ନିମନ୍ତେ ନୋଟିସ୍ବୋର୍ଡ୍ରେ ଉପସ୍ଥାନ ସ୍ଥିତି ଲଗାଯାଇଥିଲା। ମୁଁ ଦେଖିଲି ମୋର ଶତ ପ୍ରତିଶତ ଉପସ୍ଥାନ ଅଛି । ମୋତେ ଆଶ୍ଚର୍ଯ୍ୟ ଲାଗିଲା । ମନେ ମନେ ଭାବିଲି, ପେଟ ଯନ୍ତ୍ରଣା ଯୋଗୁଁ ମୁଁ ପ୍ରତି ମାସରେ ଦିନେ କିମ୍ବା ଦୁଇଦିନ ଅନୁପସ୍ଥିତ ରହେ, ପୁଣି ଶତ ପ୍ରତିଶତ ଉପସ୍ଥାନ ହେଲା କେମିତି? ଦୁଇ ତିନି ମାସପରେ ଜଣେ ଯୁବା ପ୍ରଫେସର୍ ତୁମ ଭାଇଙ୍କୁ ଧରା ପକେଇଲେ ।“
ରାନୀ ହରିଶ୍ର ହସହସ ମୁହଁ ଦେଖି ତାହା ତାର ସମ୍ମତି ବୋଲି ଧରିନେଇ ଲିପ୍ସାକୁ କହିଚାଲିଲା. “କଥା କ’ଣ କି ତୁମ ଭାଇଙ୍କ ରୋଲ୍ ନଂ ୬୦ ଥିଲା ଓ ମୋର ଥିଲା ୬୩ । ମୁଁ ଅନୁପସ୍ଥିତ ଥିବାଦିନ ମୋ ରୋଲ୍ ନଂ ପ୍ରଫେସର୍ ଡାକିଲା ବେଳେ ସେ ସ୍ୱର ବଦଳାଇ ପ୍ରକ୍ସି ମାରିଦିଅନ୍ତି । ମାତ୍ର ସେଦିନ ଧରା ପଡିଗଲେ ଓ ବିଚରା ସାରା ପିରିୟଡ୍ କାଳେ କ୍ଲାସ୍ରୁମ୍ ବାହାରେ ଛିଡା ହୋଇଥିଲେ ।“
ସମସ୍ତେ ଜୋର୍ ଜୋର୍ରେ ହସି ଉଠିଲେ । ଲିପ୍ସା ଉଚ୍ଚସ୍ୱରରେ କହିଲା, “ଆଛା, ତୁମ ଦୁଇଜଣଙ୍କର ସେଦିନୁ ଯଦି ଚକ୍କର ଚାଲିଛି, ତେବେ ଆଉ ଡେରି କାହିଁକି? ମୁଁ ଯାଏ, ସମସ୍ତଙ୍କୁ ଖୁସି ଖବରଟା ଶୁଣେଇଦିଏ ।“ ସେ ଦ୍ରୁତ ଗତିରେ ରୁମ୍ରୁ ବାହାରି ଦୁଇଜଣ ରାଜି ବୋଲି ଜଣାଇ ଦେଲା ।
କିଛି ଦିନ ଭିତରେ ହରିଶ୍ ଓ ରାନୀର ବିବାହ ହୋଇଗଲା । ଉଭୟ ନିଜ ନିଜର କର୍ମକ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଚାଲିଲେ । ସାଂସାରିକ ଜୀବନକୁ ମଧ୍ୟ ଉତ୍ତମ ବୁଝାମଣା ମଧ୍ୟରେ ଆଦର୍ଶ ଓ ମଧୁମୟ କରିଥିଲେ । ଦୁଇ ପକ୍ଷର ବାପା ଓ ମା’ଙ୍କର ସରଳ ଓ ନୀରାଡମ୍ବର ଜୀବନଯାପନର ପ୍ରତିଛବି ହରିଶ୍ ଓ ରାନୀର ଜୀବନରେ ମଧ୍ୟ ପରିଲକ୍ଷିତ ହେଲା । ବିବାହର ଚାରିବର୍ଷ ପରେ ପୁଅର ଜନ୍ମ୍, ତାର ବାଲ୍ୟଜୀବନ, ପାଠପଢ଼ା, ଡାକ୍ତର ହେବା, ବିବାହ, ନିକଟବର୍ତ୍ତୀ ସହରରେ ନିବାସ, ଇତ୍ୟାଦି ଉଭୟ ହରିଶ୍ ଓ ରାନୀ ପାଇଁ ଗୋଟିଏ ଗୋଟିଏ ‘କେଶ୍’ ଭଳି ସୁଚାରୁରୂପେ ନିର୍ବାହିତ ହୋଇଯାଇଥିଲା ।
ସେଦିନ ହରିଶ୍ ଅନବରତ ରୋଗୀସେବା କରି ବହୁତ କ୍ଳାନ୍ତ ହୋଇପଡିଥାନ୍ତି । ଘରେ ପହଁଞ୍ଚି କବାଟଟାକୁ ଦରଆଉଜା କରି ସୋଫା ଉପରେ ଲଥ୍ କରି ବସିପଡିଲେ । କ୍ଳାନ୍ତିରେ କେତେବେଳେ ତାଙ୍କ ଆଖି ଲାଗିଯାଇଛି । କିଛି ସମୟ ପରେ ରାନୀ ଆସି ଚିରାଚରିତ ରୀତିରେ କଳା କୋର୍ଟ୍ଟାକୁ ଟି-ପଏ ଉପରକୁ ଫୋପାଡିଦେଇ ହରିଶ୍ଙ୍କ ଆଣ୍ଠୁଦୁଇଟା ଉପରେ ମୁଣ୍ଡରଖି ଗାଲିଚା ଉପରେ ବସିପଡିଲା । ତାକୁ ମଧ୍ୟ ନିଦ ଆସିଯାଇଛି । ଡ୍ରଇଂରୁମ୍ର କବାଟ ସେମିତି ଦରଆଉଜା ରହିଥାଏ । ହରିଶ୍ ଭଲପାଉଥିବା ଛୋଟମାଛ ବେସର ନିର୍ମଳା ଗୋଟିଏ ଟିଫିନ୍-କ୍ୟାରିୟର ଯୋଗେ ଅଭିରାମ ହାତରେ ପଠାଇଥାଏ । ଅଭିରାମ ହରିଶ୍ ଘରକୁ ଯାଇ ଦେଖିଲେ ମୁଖ୍ୟ କବାଟ ଖୋଲାଅଛି । ରାନୀ, ରାନୀ ଦୁଇଥର ଡାକି ଘରଭିତରେ ପ୍ରବେଶକଲେ । ଦୁଇଜଣଙ୍କୁ ଏଭଳି ଅବସ୍ଥାରେ ଦେଖି ସେ ଟିକେ ଲଜ୍ଜାବୋଧ କଲେ ଓ ନ ଦେଖିଲା ଭଳି ଟିଫିନ୍-କ୍ୟାରିୟରଟି ଡାଇନିଂ ଟେବଲ୍ ଉପରେ ରଖିଦେଇ ବାହାନାକରି ୱାସିଂ ବେସିନ୍ରେ ମୁଖ ପ୍ରକ୍ଷାଳନ କରିବାକୁ ଲାଗିଲେ ।
ଇତିମଧ୍ୟରେ ହରିଶ୍ର ନିଦ୍ରା ଭଙ୍ଗ ହୋଇଯାଇଥିଲା । ନିଜକୁ ସଜାଡ଼ି ନେବାରୁ ରାନୀ ମଧ୍ଯ ସଜାଗ ହୋଇଗଲା । ଆଖି ମଳି ମଳି କହିଲା, ବାପା! ବସନ୍ତୁ, ମୁଁ ଚା’ କରୁଛି ।“
“ନାହିଁ ହରିଶ୍, ମା ଅପେକ୍ଷା କରିଥିବେ, ତୁମେ ଦୁଇଜଣ ବିଶ୍ରାମ କର, ମୁଁ ସେଠି ଚା’ ପିଇବି ।“ ଅଭିରାମଙ୍କ ମନଭିତରେ ଏକ ଅପୂର୍ବ ଆନନ୍ଦ ଖେଳିଯାଉଥିଲା । ସେ ମୁହଁପୋତି ଦ୍ରଇଂ ରୁମ୍ରୁ ବାହାରି ଆସି ତୁରନ୍ତ ନିଜ ସ୍କୁଟର୍ଯୋଗେ ଗୃହାଭିମୁଖୀ ହେଲେ । ସମଗ୍ର ରାସ୍ତାରେ ରାନୀ ହରିଶ୍ର ଆଣ୍ଠୁ ଉପରେ ମୁଣ୍ଡରଖି ଶୋଇବାର ଦୃଶ୍ୟଟି ତାଙ୍କ ଆଖିଆଗରେ ଭାସିଉଠୁଥାଏ । କଲେଜରୁ ଆସି ରାନୀ କିପରି ତାଙ୍କ କୋଳରେ ମୁଣ୍ଡରଖି ବିଶ୍ରାମନିଏ ଓ ସେହି ବସିବା ଦୃଶ୍ୟର ଗରିମା ତାଙ୍କୁ କିପରି ଆନନ୍ଦାଭିଭୂତ କରୁଥିଲା, ତାହା ଭାବି ଖୁସିରେ କୁରୁଳି ଉଠୁଥିଲେ । ନିଜ ଝିଅର ଅତ୍ୟନ୍ତ ନିଶ୍ଚିନ୍ତ ଓ ତନ୍ମୟଭରା ଜୀବନ ତାଙ୍କୁ ଏକ ସ୍ୱର୍ଗୀୟ ଶାନ୍ତି ପ୍ରଦାନ କରୁଥିଲା । ସେହି ତନ୍ମୟତା ଭିତରେ ସେ ଯେମିତି ଅନୁଭବ କରୁଥିଲେ ଯେ ସତରେ ବାତ୍ସଲ୍ୟ ପ୍ରେମ ହିଁ ସର୍ବୋପରି । ଘରେ ପହଁଞ୍ଚୁ ପହଁଞ୍ଚୁ ଏତେ ଆନନ୍ଦବିହ୍ୱଳ ହୋଇ ଯାଇଥିଲେ ଯେ ସେ ନିଜକୁ ସମ୍ଭାଳି ପାରି ନଥିଲେ । ନିର୍ମଳାର ମୁହଁକୁ ଦୁଇ ହାତରେ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦି ପକାଇଲେ । ନିର୍ମଳା ଉଦ୍ବିଗ୍ନ ହୋଇ କିଛି ପଚାରିବା ପୂର୍ବରୁ ସେ କହି ପକାଇଲେ, “ସତରେ ତୁମର ମୁଖଟି ଯେଊଁପରି ସୁନ୍ଦର, ତୁମର ତୁଣ୍ଡଟି ମଧ୍ୟ ସେହିଭଳି ସୁତୁଣ୍ଡ । ରାନୀ ରୋଲ୍ ନଂ ୬୩ର ୩, ଅର୍ଥାତ୍ ତୁମର ତୃତୀୟ ଖଡି ଆମ ରାନୀକୁ ଇନ୍ଦ୍ରପଦରେ ବସେଇଥିବାର ମୁଁ ଆଜି ସ୍ୱଚକ୍ଷୁରେ ଦେଖିଛି ।“ ତା’ପରେ ସେ ସମସ୍ତ ବିଷୟ ବର୍ଣ୍ଣନା କଲେ । ଉଭୟଙ୍କ ଆଖିରୁ ଆନନ୍ଦାଶ୍ରୁ ଝରି ପଡୁଥିଲା । ଚିରାଚରିତ ରୀତିରେ ନିର୍ମଳା ଗାଁ ଆଡକୁ ମୁହଁକରି ବହେ ମୁଣ୍ଡିଆ ମାରି ପକାଇଲେ ।
ଏଇମିତି ବର୍ଷ ପରେ ବର୍ଷ ଗଡିଚାଲିଲା । କର୍ମବହୁଳ, ସଚ୍ଚୋଟ, ଶୃଙ୍ଖଳିତ ଓ ସୁଖମୟ ଜୀବନରେ ସମୟ ଖୁବ୍ ଶୀଘ୍ର ହିଁ ଗଡିଚାଲେ । ଉଭୟ ରାନୀ ଓ ହରିଶ୍ଙ୍କ ପିତାମାତା ଇହଧ୍ୟାମ ତ୍ୟାଗ କଲେଣି । ପୁତ୍ର ଓ ପୁତ୍ରବଧୁ ନାତି ନାତୁଣୀକୁ ନେଇ ସୁଦୂର ସହରରେ ରହନ୍ତି ଓ କେବଳ ଦରକାର ବେଳେ ଦେଖାସକ୍ଷାତ ହୁଏ ।
ଇତିମଧ୍ୟରେ ରାନୀ ଓ ହରିଶ୍ ଅବସରପ୍ରାପ୍ତ ହେବାର ଦଶ ବର୍ଷ ବିତିଗଲାଣି । କର୍ତ୍ତବ୍ୟ କର୍ମ ନିଭାଇବାରେ ହଜାଇ ଦେଇଥିବା ଯୁବାବସ୍ଥାର ନିବିଡମୟ ସାନିଧ୍ୟ ଗୁଡିକ ପୁନରୁଦ୍ଧାର କରିବାରେ ଉଭୟେ ବେଶ୍ ତତ୍ପର ଥାନ୍ତି । ସେ ଦିନ ସନ୍ଧ୍ୟାର ହରିଶ୍ କୋଳରୁ ମୁଣ୍ଡ ଉଠାଇ ଗାଲିଚା ଉପରେ ଛିଡାହେଲାବେଳକୁ ରାନୀ ଅସୁସ୍ଥ ବୋଧକଲା । ହରିଶ୍ ନିଜେ ଜଣେ ଡାକ୍ତର । ତଥାପି ସେ ରାନୀକୁ ନିକଟସ୍ଥ ଡାକ୍ତରଖାନାରେ ଏମର୍ଜେନ୍ସିରେ ତୁରନ୍ତ ଦାଖଲ କରିଥିଲା । ହୃତ୍ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ ସେ ରାତିରେ ରାନୀକୁ ଡାକ୍ତରଖାନାରେ ନିରୀକ୍ଷଣରେ ରଖିଲେ । ଯେହେତୁ ହରିଶ୍ ଜଣେ ସୁପ୍ରସିଦ୍ଧ ଡାକ୍ତର, ତାଙ୍କପାଇଁ ଏକ ସ୍ୱତନ୍ତ୍ର ଏମର୍ଜେନ୍ସି ରୁମ୍ର ବନ୍ଦୋବସ୍ତ ହେଲା । ଜୀବନର ସମସ୍ତ ସୁଖମୟ ମୁହୂର୍ତ୍ତ ଗୁଡିକର ରୋମନ୍ଥନ କରି ଉଭୟେ ସେହି ସନ୍ଧ୍ଯାରେ ଡାକ୍ତରଖାନା ରହଣୀର ଯନ୍ତ୍ରଣାକୁ ଭୁଲିବାକୁ ଚେଷ୍ଟାକରିଥିଲେ । ଔଷଧର ପ୍ରଭାବରେ ରାନୀ କେତେବେଳେ ଶୋଇଯାଇଥିଲା । ମାତ୍ର ହରିଶ୍କୁ ନିଦ ଆସୁ ନଥାଏ । ଚଉକିଟାକୁ ରାନୀର ବେଡ୍ପାଖକୁ ଟାଣିଆଣି ବସିପଡ଼ିଲା । ରାନୀର ଦେହକୁ ଲଗାଇ ବେଡ୍ଉପରେ ମୁଣ୍ଡରଖି ବିଶ୍ରାମ ନେଲା । ମନଟା ତାଙ୍କର ଅତ୍ୟନ୍ତ ଅସ୍ଥିର ଥିଲା । ବହୁତ କସମ୍କସ ଭିତରେ ତାଙ୍କୁ ମଧ୍ଯ କେତେବେଳେ ନିଦ ଲାଗିଯାଇଥିଲା ।
ନିଦ୍ରାବସ୍ଥାରେ ସେ ଏକ ଭୟଙ୍କର ସ୍ୱପ୍ନ ଦେଖିଲା । କଲେଜର କ୍ଲାସ୍ରୁମ୍ ଭିତରେ ସେ ଠିକ ରାନୀର ପଛ ସିଟ୍ରେ ବସିଛି । ଜଣେ ପ୍ରଫେସର୍ ଆସି ପହଁଞ୍ଚିଲେ । ନୁଆ ପ୍ରଫେସର ବୋଧହୁଏ, ବଡ଼ ଭୟଙ୍କର ଦେଖାଯାଉଥାନ୍ତି । ୟେ କ’ଣ? ତାଙ୍କ ପଛେ ପଛେ ଚାରିଜଣ ପିଅନ ଆସି ପହଁଞ୍ଚିଲେ । ସେମାନଙ୍କ ହାତରେ ଖଣ୍ଡେ ଖଣ୍ଡେ ଦଉଡ଼ି । ପ୍ରଫେସର୍ କହିଲେ, “ଆଜି ମୁଁ ସମସ୍ତଙ୍କ ରୋଲ ନଂ ଡାକିବି ନାହିଁ । ଯା’ର ନଂ ଡାକିବି, ତାକୁ ମୋ ସାଥିରେ ଯିବାକୁ ହେବ । ସ୍ୱଇଛାରେ ନ ଆସିଲେ ବାନ୍ଧିକରି ନେଇଯିବି ।“ ସମସ୍ତ ବିଦ୍ୟାର୍ଥୀଙ୍କ ମନରେ ଭୟ ଖେଳିଗଲା । କିଛି ସିଟ୍ତଳେ ଲୁଚିବାକୁ ଚେଷ୍ଟାକଲେ । ହରିଶ୍ର ଇଛା ହେଉଥାଏ ରାନୀର ମୁଣ୍ଡରେ ହାତ ଦେଇ ତାକୁ ସିଟ୍ତଳେ ଲୁଚେଇଦେବ । ହଠାତ୍ ପ୍ରଫେସର୍ ଚିତ୍କାର କରି ଡାକିଲେ, “ରୋଲ୍ ନଂ ୬୩” । ସେ ତୁରନ୍ତ ରାନୀର ମୁଖରୋଧକରି ନିଜେ ଛିଡାହୋଇ ପ୍ରକ୍ସି ମାରିବାକୁ ଚେଷ୍ଟା କଲା । ମାତ୍ର ତାର ମୁଖରୁ ଆବାଜ ବାହାରୁ ନଥାଏ । ପ୍ରଫେସର୍ ରାନୀକୁ ନେଇ ଚାଲି ଯାଉଥିଲେ ।
ଏ ଭୟଙ୍କର ଦୁଃସ୍ୱପ୍ନରେ ହରିଶ୍ର ନିଦ୍ରାଭଙ୍ଗ ହେଲା । ନିଜ ମୁଣ୍ଡଊପରେ ଥିବା ରାନୀର ହାତଟି ତାକୁ ବହୁତ ଓଜନ ଲାଗୁଥିଲା । ହାତରେ ରାନୀର ହାତଟିକୁ ଉଠାଇ ଦେଖିଲେ ରାନୀର ହାତଟି ବହୁତ ଥଣ୍ଡା ଲାଗୁଥିଲା । ରାନୀର ସମଗ୍ର ଶରୀରଟି ଥଣ୍ଡା ପଡି ଯାଇଥିଲା । ଡାକ୍ତର ହରିଶ୍ ଅବସ୍ଥା ଜାଣିପାରି ଲୋତକପୂର୍ଣ ଚକ୍ଷୁରେ କଲିଙ୍ଗ୍ବେଲ୍ଟି ବଜାଇଲା । ଡାକ୍ତର ଆସି ରାନୀକୁ ମୃତ ଘୋଷଣା କଲେ । ରାନୀ-ବିନା ଜୀବନ କଳ୍ପନା କରି ନପାରି ହରିଶ୍ କିଂକର୍ତ୍ତବ୍ୟବିମୂଢ ହୋଇପଡି ସ୍ଥାଣୁ ପାଲଟି ଯାଇଥିଲା । କେବଳ ଆଖିର ଲୁହଗୁଡିକ ଅନବରତ ଗଡି ଚାଲିଥାଏ ।
ସକାଳେ ବହୁତ ବନ୍ଧୁବାନ୍ଧବ ଓ ପଡୋଶୀ ରାନୀର ଶେଷଦର୍ଶନ ପାଇଁ ଆସିଲେ । ଜଣେ ବୃଦ୍ଧା କହୁଥିବାର ଶୁଣାଗଲା, “ରାନୀଟା ଆମର ବହୁତ ଭାଗ୍ୟବତୀ । ପୁଅ ନାତି ଦେଖି ସଧବାରେ ଚାଲିଗଲା, ସ୍ୱୟଂ ଇନ୍ଦ୍ରରାଜା ତାକୁ ସ୍ୱର୍ଗରେ ସ୍ୱାଗତ କରୁଥିବେ ।“
*******