ଯୋଗୀ ସାହୁଙ୍କ ସାହିତ୍ଯ ଶିକ୍ଷା
ଯୋଗୀ ସାହୁଙ୍କ ସାହିତ୍ଯ ଶିକ୍ଷା


ଗାଁ ଠାରୁ ଅଧମାଇଲି ଦୂରରେ ରାଜରାସ୍ତା । ରାଜରାସ୍ତାରେ ଅଳପ ବାଟ ଗଲାପରେ ବସଷ୍ଟାଣ୍ଡ୍। ଏହି ବସଷ୍ଟାଣ୍ଡ୍ରେ ସହରୀ ବସଷ୍ଟାଣ୍ଡ୍ ଭଳି ସେଡ୍ ନ ଥାଏ । ରାସ୍ତାକଡ଼ରେ ଆମ୍ବଗଛଟାଏ, ଗଛ ତଳେ ଗୋଡ଼ିଆ ମାଟିର ଚାରିକଣିଆ ଉଚ୍ଚ ଜାଗାଟିଏ, ଆଉ ତା ଉପରେ ପାଞ୍ଚଟା ଉଚ୍ଚା ଉଚ୍ଚା ପଥର । ରାଜରାସ୍ତାରେ ସହର ଆଡ଼ୁ ଯାଆ ଆସ କରୁଥିବା ଦୁଇଟା ସରକାରୀ ବସକୁ ଲୋକମାନେ ଏଇ ପଥର ଉପରେ ବସି ଅପେକ୍ଷା କରନ୍ତି, ଜାଗା ନମିଳିଲେ ତଉଲିଆଟେ ବିଛେଇଦେଇ ତଳେ ବି ବସିପଡ଼ନ୍ତି । ସେଦିନ ବସଷ୍ଟାଣ୍ଡ୍ରେ ଟିକିଏ ଗହଳିଥାଏ । ସବୁଠାରୁ ଉଚ୍ଚା ପଥରଟା ଉପରେ ସାହୁ ମହଶୟେ ବସିଥାନ୍ତି ।
ଜଣେ ନବାଗତ ଯାତ୍ରୀ ତାଙ୍କୁ ଦେଖି ହଠାତ୍ କହିଲେ, “ନମସ୍କାର ସାହୁଏ ଆଜ୍ଞା! ଆପଣ କ’ଣ ଜାତିଆଣ ସଭାକୁ ଏଯାଏ ଯାଇନାହାଁନ୍ତି ?”
ପ୍ରତିନମସ୍କାର ଜଣେଇ ସାହୁ ମହାଶୟେ କହିଲେ, “ନାହିଁରେ ଭାଇ! ଏତେ ବଡ଼ ବଡ଼ ଲୋକ ଥାଉଁ ଥାଉଁ ସେଠାରେ ମୁଁ ଯାଇ କଣ କରିବି?
‘ଶିଳ ଶିଳପତା ଗଗନେ ଉଡ଼ନ୍ତି,
ତୁଳା କହୁଅଛି ରଖ ହେ ମୋତେ
ହାତୀ ଛତି ଯହିଁ ବୁଡ଼ି ଯାଉଛନ୍ତି
ଛେଳି କହେ ପାଣି ଏଠାରେ କେତେ?’
ମୁଁ କେଉଁ ଗାଈର ଗୋବର ଯେ ସଭାରେ ବସିବି?”
ସାହୁ ମହାଶୟଙ୍କ ଏ କଥାକୁ ଲୋକେ କିନ୍ତୁ ଆଡ଼େଇ ଦେଲେ । ଆଉଜଣେ କହି ଉଠିଲେ,“ ଆଜ୍ଞା ! ଆପଣ ଏ ଖଣ୍ଡମଣ୍ଡଳରେ ଜାଣିବା ଶୁଣିବା ଲୋକ । ଆପଣଙ୍କ ଭଳି ଜ୍ଞାନୀଲୋକ ସଭାକୁ ଗଲେ ସିନା ସଭାର ଶୋଭା ବଢ଼ିବ।”
ପାଖରେ ବସିଥିବା ସମସ୍ତ ଯାତ୍ରୀମାନେ ଏକସ୍ଵରରେ କହି ଉଠିଲେ, “ଠିକ କଥା ।”
ଆଉଜଣେ ଯାତ୍ରୀ କହିଲେ, “ଇଏ କଅଣ ଆଜ୍ଞା ! ଆପଣ ଏଠି ବସି ରହିଲେ ସଭା କାମ ଚାଲିବ କେମିତି?”
ପ୍ରକୃତରେ ସାହୁ-ସମାଜର ଜାତିୟାନ୍ ସଭାରେ ଯୋଗଦେବା ନିମନ୍ତେ ସାହୁ ମହାଶୟେ ଘରୁ ବାହାରିଥିଲେ । ଆମ୍ବଗଛ ତଳ ବସଷ୍ଟାଣ୍ଡ୍ରେ ବସି ଟିକିଏ ଥକ୍କା ମେଣ୍ଟାଉଥିଲେ ।
ସମସ୍ତଙ୍କ କଥା ଶୁଣି ସେ ଉଠିଲେ । କହିଲେ, “ହଉ, ସମସ୍ତେ ଯେତେବେଳେ କହିଲଣି, ଯିବାକୁ ପଡ଼ିବ।”
ପୁଣି ତାଙ୍କ ମୁହଁରୁ ସ୍ଵତଃ ଗୀତପଦଟିଏ ବାହାରିପଡ଼ିଲା ।
“ନୌକରି ନକରି ଶିଖି ନପାରନ୍ତି,
କାର୍ଯ୍ୟକ୍ଷମ ଜାତି ହୋଇବ କାହିଁ
କାନ୍ଧରେ ପଡ଼ିଲେ ବଜେଇ ଶିଖନ୍ତି
କୂଳେ ଥାଇ କେହି ପହଁରେ ନାହିଁ ।
ଦେଖାଶିଖା ଦୁନିଆଁ । ଯିବା, ନଗଲେ କିଛି ଶିଖିବା କେମିତି?” ଏଇଆ କହି ସାହୁ ମହାଶୟେ ଜାତିୟାନ୍ ସଭା ଉଦ୍ଦେଶ୍ୟରେ ଆଗେଇଲେ । ଯାତ୍ରୀମାନେ ଆନନ୍ଦ ମନରେ ତାଙ୍କର ସାହିତ୍ୟଜ୍ଞାନର ଭୂରିଭୂରି ପ୍ରଶଂସା କରିବାକୁ ଲାଗିଲେ ।
ବଡ଼ଭାଇ ଚାକିରିଆଡୁ ଛୁଟିରେ ଆସିବେ । ତେଣୁ ତାଙ୍କୁ ପାଛୋଟି ଆଣିବାକୁ ମୁଁ ବସଷ୍ଟାଣ୍ଡ୍ ଯାଇଥାଏ । ରାଜରାସ୍ତାର ଅନ୍ୟ ପାଖରେ ଠିକ ବସଷ୍ଟାଣ୍ଡ୍ ସାମନାରେ ଥିବା ଜଳଖିଆ ଦୋକାନରେ ବସି ଜଳଯୋଗ କରୁ କରୁ ଗଛମୂଳରେ ଚାଲିଥିବା କଥୋପକଥନକୁ ମୁଁ ଏକ ଲୟରେ ଶୁଣୁଥାଏ । ସାହୁ ମହାଶୟଙ୍କ କଥା କଥାକେ ପଦେ ଦିପଦ ଗୀତ ଗାଇବାର ଦକ୍ଷତା ପ୍ରତି ମୁଁ ଆକୃଷ୍ଟ ହେଉଥିଲି ।
ମହାଶୟେ ହେଉଛନ୍ତି ଶ୍ରୀ ଯୋଗେନ୍ଦ୍ର ସାହୁ । ଗାଁ ଲୋକେ ତାଙ୍କୁ ଯୋଗୀ ସାହୁ ବା ଯୁଗୀ ସାହୁ ବୋଲି କୁହନ୍ତି, ଗାଁର ଜାଣିବା ଶୁଣିବା ଲୋକମାନେ ସାହୁଏ, ସାହୁ ମହାଶୟ, ସାହୁ ଆଜ୍ଞା ବୋଲି ସମ୍ବୋଧନ କରିଥାନ୍ତି । ସେ କାଳର ତୃତୀୟ ଶ୍ରେଣୀ ଯାଏ ପାଠ ପଢ଼ିଥାନ୍ତି । ମାତ୍ର ସାହୁ ମହାଶୟେ ମହାଜ୍ଞାନୀ ଥିଲେ ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ଓଡ଼ିଆ ଭାଷାରେ କାବ୍ଯ, କବିତା, ପୁରାଣ, ଶାସ୍ତ୍ର, ଗ୍ରନ୍ଥାବଳୀ, ଦେବନାଗିରୀ ଭାଷାରେ ରାମଚରିତ ମାନସ ତଥା ବଙ୍ଗଳା ଭାଷାରେ ରବୀନ୍ଦ୍ର ସଙ୍ଗୀତ ଆଦି ଅଧ୍ୟୟନ କରି ଅନେକ ଗୁଡ଼ିଏ ଉଦ୍ଧୃତାଂଶ କଣ୍ଠସ୍ଥ କରିଥାନ୍ତି । କେବଳ ସେତିକି ନୁହେଁ, ଉଦ୍ଧୃତାଂଶ ଗୁଡ଼ିକ ଉପଯୁକ୍ତ ସ୍ଥଳବିଶେଷରେ ପରିବେଷଣ କରି ନିଜର ବାକ୍-ଚାତୁରୀର ପରାକାଷ୍ଠା ଦର୍ଶାଇଥାନ୍ତି ।
ମୋ ଘର ବି ସାହୁ ମହାଶୟଙ୍କ ଗାଁରେ, ତିନିଶହ ରୁ ଚାରିଶହ ମିଟର ବ୍ୟବଧାନରେ । ମୁଁ ସେତେବେଳକୁ ସପ୍ତମ ଶ୍ରେଣୀରେ ପଢ଼ୁଥାଏ । ଭଲ ପାଠପଢ଼ୁଛି ବୋଲି ମୋତେ ବହୁତ ଆଦର କରନ୍ତି । ବୟସରେ ମୋ ଠାରୁ ପ୍ରାୟ ଷାଠିଏ ବର୍ଷ ହେବ ବଡ଼ ହେଲେ ମଧ୍ୟ ବାଟେଘାଟେ ଯେଉଁଠି ଦେଖିଲେ ଦୁଇପଦ ଉପଦେଶ ଦେଇ ଥା’ନ୍ତି । ପରଦିନ ସଞ୍ଜବେଳେ ସାହୁ ମହାଶୟଙ୍କ ପାଖକୁ ଯାଇଥିଲି । ବାଟଘରେ ଥିବା ତାଙ୍କ ଲାଇବ୍ରେରୀରେ ବସିବାକୁ କହିଲେ । ପଚାରିଲି, “ମହାଶୟେ! କାଲି ସଭାରେ କ’ଣ ହେଲା?”
“କଅଣ ଆଉ ହେବ?” ଏଇଆ କହି ମହାଶୟେ ଚିରାଚରିତ ରୀତିରେ ତାଙ୍କର ପଦ୍ୟର ପେଟି ଖୋଲିଦେଲେ ।
“ଭବିତବ୍ୟ ଯାହା ଅବଶ୍ୟ ଘଟିବ
କିଏ ତା କରିବ ଆନ,
କିଏ ଅବା ଏହି ଜ୍ୟୋତିଶ୍ଚକ୍ର ଗତି
ରୋଧିବାକୁ ବଳବାନ ।
ଯାହା ହେବାର ଥିଲା ହେଲା । ସବୁବର୍ଷପରି ଏ ବର୍ଷ ମଧ୍ୟ ସେହିସବୁ କଥା, ଝଗଡ଼ାଝାଟି, ନ୍ୟାୟନିଶାପ, କେତେଜଣ ପୁଅ ଝିଅ ମାନଙ୍କର ଅନ୍ୟଜାତିରେ ବିବାହ, ଦୋଷ ନିମନ୍ତେ ଜୋରିମନା, ଇତ୍ୟାଦି, ଇତ୍ୟାଦି ।
ପୁଅ ! ସେ କଥା ଛାଡ୍, ତୁ ଭଲ ପାଠ ପଢ଼ୁଛୁ, ଭଲ କଥା । କିନ୍ତୁ ସାହିତ୍ୟ ପ୍ରତି ବିଶେଷ ଧ୍ୟାନ ଦେବୁ । ସାହିତ୍ୟ ମଣିଷର ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ । ଆଶା ଓ ଭାଷା ମଣିଷକୁ ବଞ୍ଚେଇ ରଖେ । ଭାଷା, ଅର୍ଥାତ ସାହିତ୍ୟ । ସାହିତ୍ୟରେ ଗଦ୍ୟ ହେଉଛି ଲେଖକର ଅଭିନବ ସୃଜନ, ଆଉ ପଦ୍ୟ ହେଉଛି କବିର ସୁସଜ୍ଜିତା ଦିବ୍ୟ ମାନସ କନ୍ୟା । ଗଦ୍ୟ ହେଉ କିମ୍ବା ପଦ୍ୟ ହେଉ, ସାହିତ୍ୟ ହିଁ ମନୁଷ୍ୟ ମନରେ ଦିବ୍ଯ ଭାବନାର ଧାରା ସୃଷ୍ଟି କରେ, ସ୍ନେହ, ଶ୍ରଦ୍ଧା, କ୍ଷମା, ସମ୍ମାନ, ପ୍ରେମ, ବନ୍ଧନ ଆଦି ନୈସର୍ଗିକ ଗୁଣ ଉତ୍ପନ୍ନ କରେ”, ସାହୁ ମହାଶୟେ ସାହିତ୍ୟର ଏକ ଏଜେଣ୍ଟ ଭଳି ମୋ ଆଗରେ ସାହିତ୍ୟର ଗୁଣଗାନ କରି ଚାଲିଲେ । ତାଙ୍କର ଅଗାଧ ସାହିତ୍ୟପ୍ରେମ ମୋ ଆଖିଆଗରେ ନାଚି ଉଠୁଥିଲା । ସେ କହି ଚାଲିଥିଲେ,
“ମାତୃଭୂମି ମାତୃ- ଭାଷାରେ ମମତା
ଯା ହୃଦେ ଜନମି ନାହିଁ
ତାକୁ ଯେବେ ଜ୍ଞାନି- ଗଣରେ ରେ ଗଣିବା
ଅଜ୍ଞାନ ରହିବେ କାହିଁ?”
ପଦ୍ୟାବୃତ୍ତି କରୁ କରୁ ମହାଶୟେ ତାଙ୍କ ଲାଇବ୍ରେରୀରୁ ପୁସ୍ତକଟିଏ ବାହାର କରି ମୋତେ ଦେଲେ ଏବଂ କହିଲେ, “ଏହା ହେଉଛି ଚିନ୍ତାମଣି ଗ୍ରନ୍ଥାବଳୀ, ପାଠପଢ଼ାରୁ ସମୟ ମିଳିଲେ ପଢ଼ିବୁ । ପଢ଼ିସାରି ବହିଟି ମୋତେ ଫେରାଇ ଦେବୁ।”
ସାହୁ ମହାଶୟଙ୍କ ଘର ଗାଁର ମଝାମଝି । ତାଙ୍କ ଘରପାଖକୁ ଲାଗି ଦୋକନଘରଟିଏ । ଦିନ ଦ୍ୱିପ୍ରହରରେ ଦୋକାନଘର ସମ୍ମୁଖରେ ଥିବା ବିସ୍ତିର୍ଣ୍ଣ ବାରଣ୍ଡାରେ ପୁରାଣ ପାଠ ହୁଏ । ସକାଳବେଳାର ଚାଷକାମ ସାରି ଲୋକମାନେ ପୁରାଣ ଶୁଣିବାକୁ ସେଠାକୁ ଆସନ୍ତି । ମାତ୍ର ସାହୁ ମହାଶୟେ ସେଠାକୁ ପ୍ରାୟ ଯାଆନ୍ତି ନାହିଁ, କାରଣ ଲୋକମାନେ କେବଳ ପୁରାଣ ଆବୃତ୍ତି ଶୁଣନ୍ତି, କୌଣସି ପ୍ରକାରର ସାହିତ୍ୟ ଚର୍ଚ୍ଚା କରନ୍ତିନାହିଁ । ତେଣୁ ଗାଁର ପ୍ରାୟ ଚାରିଶହ ପରିବାରରୁ ସେତେବେଳେ ଯେଉଁ ଦଶ ପନ୍ଦର ଜଣ ବାଳକମାନେ ଗାଁ’ଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା ମଧ୍ୟ-ଇଂରାଜୀ ସ୍କୁଲ ଏବଂ ହାଇସ୍କୁଲରେ ପଢ଼ୁଥାନ୍ତି, ସାହୁ ମହାଶୟେ ସେମାନଙ୍କ ମଧ୍ୟରୁ ମେଧାବୀ ଛାତ୍ରମାନଙ୍କୁ ସାହିତ୍ୟ ଶୁଣାଇବାକୁ ଆଗ୍ରହ ପୋଷଣ କରିଥାନ୍ତି । ତାଙ୍କର ବିଶ୍ୱାସ, ମେଧାବୀ ଛାତ୍ରମାନେ ଆଜ୍ଞାବହ ହୋଇଥିବେ, କଥା ମାନିବେ, ସାହିତ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବେ । ଦୋଳପୂର୍ଣ୍ଣିମାକୁ ଗାଁରେ ପାଞ୍ଚରାତି ବାଦୀପାଲା ହୁଏ । ମହାଶୟେ ତାଙ୍କର ତଥାକଥିତ ଶିଷ୍ୟମାନଙ୍କୁ ପାଲା ଦେଖିବାକୁ ଉତ୍ସାହିତ କରନ୍ତି । କାରଣ ପାଲାରେ ଉତ୍ତମରୂପେ ସାହିତ୍ୟ ଚର୍ଚ୍ଚା ହୁଏ । ଏମିତି ଲାଗେ ସତେ ଯେମିତି ସେ ଠିକାନେଇଛନ୍ତି ସାହିତ୍ୟର ପ୍ରସାର ପରମ୍ପରାକୁ ଗ୍ରାମରେ ବଜାୟ ରଖିବେ ।
ସଂସାରର ଜଞାଳ ମଧ୍ୟରେ ରହି ମଧ୍ୟ ମହାଶୟେ ସର୍ବଦା ସାହିତ୍ୟରେ ନିଜର ମନକୁ ନିମଜ୍ଜିତ କରି ରଖୁଥିଲେ । ସେଦିନ ରବିବାର ଥାଏ । ଆମ ଘରଠାରୁ ଅଳ୍ପ ଦୂରରେଥିବା ତାଙ୍କର ଏକ ଚାଷଜମିରେ ମଜୁରିଆମାନେ ଚାଷକାମ କରୁଥାନ୍ତି । ସକାଳୁ ଆସି ସେ କାମ ତଦାରଖ କରୁଥାନ୍ତି । ଜମିହିଡ଼ ଉପରେ ଭେଟ ହୋଇଗଲା । କହିଲେ, “ପୁଅ ଦେଖୁଛୁ, ହିଡ଼ଉପରେ କେତେ କାକରବିନ୍ଦୁ ପଡ଼ିଛି, ସେଥିପାଇଁ ବସିହେଉନାହିଁ । ଜାଣିଛୁ, ଏହି କାକର ବହୁମାତ୍ରାରେ ପଡ଼ିଲେ ପଦ୍ମବନ ନଷ୍ଟ ହୋଇଯାଏ । ସ୍ୱଭାବକବି ଗଙ୍ଗାଧର ମେହେର ପ୍ରକୃତିର ଏହିସବୁ ନିୟମଗୁଡ଼ିକୁ ଲକ୍ଷ୍ୟକରି ବହୁତ ସୁନ୍ଦର ପଦ୍ୟରଚନା କରିଛନ୍ତି ।
ଭାନୁ ଯମାଳୟ ଗମନ ଦେଖି ପଦ୍ମିନୀ ସତୀ
ବିଷ୍ଣୁପଦସୃତ ଜଳରେ ଝାସଦେଲା ଝଟତି ।
ତପବଳେ ଏବେ ସୁନ୍ଦରୀ ନବ ଜନମ ଲଭି
ଧୃବସମୁଖୀନ ପତିଙ୍କ ହେଲା ପ୍ରିୟ ବଲ୍ଲଭୀ ॥”
ତାପରେ ନିତିଦିନ ପରି ସେଦିନ ମଧ୍ୟ ସରଳ ଭାବରେ ବ୍ୟାଖ୍ୟା ଆରମ୍ଭ ହୋଇଗଲା । ବ୍ୟାଖ୍ୟା କଲାବେଳେ ଏକ ଅନାବିଳ ଆନନ୍ଦର ଆଭା ତାଙ୍କ ମୁଖମଣ୍ଡଳରେ ପ୍ରସ୍ଫୁଟିତ ହେଉଥିଲା । ସେହି ଆନନ୍ଦ ପ୍ରଭାବରେ ମୁଁ ମଧ୍ୟ ବିଶେଷରୂପେ ଆନନ୍ଦିତ ହେଉଥିଲି । ତାଙ୍କଠାରୁ ଶୁଣିଥିବା ମାତୃଭାଷାପ୍ରତି ମମତା ଉଦ୍ଦେଶ୍ୟରେ ପଦଟି ମନେପଡ଼ିଯାଉଥିଲା । ମନମଧ୍ୟରେ ତାଙ୍କପ୍ରତି ସମ୍ମାନ ଓ ଶ୍ରଦ୍ଧା ବୃଦ୍ଧି ପାଉଥାଏ ।
ତାଙ୍କ ଲାଇବ୍ରେରୀ ବ୍ୟତୀତ ବାଟେଘାଟେ ସବୁଠାରେ ମହାଶୟେ ସ୍ଥାନ କାଳ ପାତ୍ର ଦେଖି ଦୁଇପଦ ଆବୃତି କରି ଦିଅନ୍ତି, ପଦଗୁଡ଼ିକର ସରଳାର୍ଥ ମଧ୍ୟ ଉପସ୍ଥାପନ କରନ୍ତି । ଉପସ୍ଥିତ ଗ୍ରାମବାସୀମାନେ ବେଶ୍ ଖୁସି ହୁଅନ୍ତି । ଗ୍ରାମବାସୀଙ୍କର କଳିକଜ୍ୟା ଠାରୁ ସେ ବହୁତ ଦୂରରେ ଥା’ନ୍ତି । କହନ୍ତି, “ପୁଅ! ଲୋକ ଦେଖି କଥାହେବୁ । ଅପାତ୍ରରେ ଦାନ ଠିକ ନୁହେଁ । ମାଙ୍କଡ଼ ହସ୍ତେ ଶାଳୀଗ୍ରାମ, ନଚେଇ ନଚେଇ ନେଲା ପ୍ରାଣ ।“
ସେଦିନ ହାଇସ୍କୁଲ ବୋର୍ଡପରୀକ୍ଷାପରର ଗ୍ରୀଷ୍ମଛୁଟି ରବିବାର ଦ୍ୱିପ୍ରହର ଥାଏ । ତାଙ୍କ ବାଟଘରେ ଚାରି ପାଞ୍ଚ ଜଣ ଶ୍ରୋତାଙ୍କ ସହିତ ସାହୁଙ୍କର ସାହିତ୍ୟ ଅସର ଜମିଥାଏ । “ଯେତେହେଲେ ଭଞ୍ଜସାହିତ୍ୟ ଅତି ଉଚ୍ଚକୋଟିର”, କବିସମ୍ରାଟଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ମହାଶୟେ ଆରମ୍ଭ କଲେ ।
“ସ୍ୱଳ୍ପ ପଦ ମଧ୍ୟରେ ସମ୍ପୂର୍ଣ୍ଣ ଗଳ୍ପଟି ବର୍ଣ୍ଣନା କ
ରିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଏକ ବିଶେଷତ୍ୱ ଥିଲା । ଶୁକ ଓ ଶାରଣ ନାମକ ଦୁଇ ରାକ୍ଷସଙ୍କୁ ଶ୍ରୀରାମଚନ୍ଦ୍ରଙ୍କ ସୈନ୍ୟ କଳନା ପାଇଁ ରାବଣ ପଠାଇଥିଲା । ସେହି ବୃତ୍ତାନ୍ତଟି ମାତ୍ର ଦୁଇଟି ପଦରେ ଅତି ସୁନ୍ଦରଭାବରେ ବର୍ଣ୍ଣନା କରିଛନ୍ତି :
ବିତରଣେ ସାଗର କି ପାଞ୍ଚ ପଚାରିଲା
ବିହେ ରାମ କୁଶଶଯ୍ୟା ପ୍ରତ୍ୟୁତ୍ତର ଦେଲା ।
ବିରସକୁ ମନ୍ଦ କରି ମନ୍ଦହାସ ଜନ୍ମେ
ବୋଲେ କି କରିବ ଏଡ଼େ ହୀନ ପରାକ୍ରମେ ।
ଆଉ ସତରେ କୁହାଯାଇଛି ‘ଉପମା ଭଞ୍ଜବୀରସ୍ୟ... । କେବଳ ଉପମା ନୁହଁ, ଭଞ୍ଜଙ୍କ କବିତା ମଧ୍ଯ ରସମୟ । ଶୁକ ଓ ଶାରଣ ପ୍ରଭୁ ଶ୍ରୀରାମଙ୍କର ସୈନ୍ୟ ଆକଳନ କରି ବର୍ଣ୍ଣନା କରୁଛନ୍ତି :
ବୀରତରୁ ସମ ସାମାନ୍ୟ ବାନର ଗିରିଷମ ଗିରି ସମ
ବଡ଼ ବଡ଼ ଯେହୁ ଯୁଥପତି ସେହୁ କୋପ ଅନଳ ଜନମ
ବୋଲେ ଦଶାସ୍ୟ ତୁ କବି
ବକ୍ଷୋରୁହେ ମେରୁ ଭାବି ।
ଶବ୍ଦଯୋଜନାରେ କବିସମ୍ରାଟ ଅତୁଳନୀୟ । ବୈଦେହୀଶ ବିଳାସର ଯେ କୌଣସି ପଦକୁ ନିଅନ୍ତୁ, କି ସୁନ୍ଦର ଶବ୍ଦଯୋଜନା ସତେ!
ବିଚକ୍ଷଣ ଲକ୍ଷ୍ମଣ ବୋଲେ ସେ କ୍ଷଣ କ୍ଷଣଦାରେ ଆଜ ସ୍ୱପ୍ନ ବିକ୍ଷଣ
ବ୍ୟସ୍ତକେଶ ଲଙ୍କେଶସୁତ ଚଢ଼ି ମହିଷ ମହିମ ଇଛିଣ ଦକ୍ଷିଣ
ସେ ବଳୀସ୍ନେହ, ବିଲେପନରେ ଜରଜର
ସେ ବଳୀସ୍ନେହ, ବିଷ ଭକ୍ଷେ ଲୌହପାତ୍ରର
ବିଭୂଷା ରଙ୍ଗବାଣେ ଭୁଷାଯିବ ମୋ ବାଣେ ଏ ରଣେ ଶରଣ କେ ତା’ର?”
ଆମେମାନେ ମନ୍ତ୍ରମୁଗ୍ଧହୋଇ ତାଙ୍କର ସୁନ୍ଦର ବୋଲି ସହିତ ପ୍ରାଞ୍ଜଳ ବ୍ୟାଖ୍ୟାକୁ ଉପଭୋଗ କରୁଥିଲୁ । ସେ ଅନବରତ ଭାବରେ ଆମମାନଙ୍କୁ ବୁଝାଇ ଚାଲିଥାନ୍ତି । ତାଙ୍କ ମୁଖମଣ୍ଡଳରେ ଏକ ସନ୍ତୁଷ୍ଟିର ଆଭା ଝଲସି ଉଠୁଥାଏ । ସେ ଆଭାରେ ଆମେମାନେ ସମ୍ପୂର୍ଣ୍ଣରୂପେ ସଂକ୍ରମିତ ଥିଲୁ । ମହାଶୟଙ୍କ ପ୍ରତି ଆମମାନଙ୍କ ମନରେ ଶ୍ରଦ୍ଧା ଓ ସମ୍ମାନ ଦ୍ୱିଗୁଣିତ ହେଉଥାଏ । ଓଡ଼ିଆ ସାହିତ୍ୟରେ ତାଙ୍କର ଗଭୀର ପ୍ରବେଶ ଆମମାନଙ୍କୁ ଭାଷା ଓ ଭାଷାମାଧ୍ୟମରେ ସାବଲୀଳ ଭାବାବେଶର ଅପୂର୍ବ ଅବତାରଣା ପ୍ରତି ଆକର୍ଷଣ କରୁଥିଲା ।
ଦିନେ ଏକାନ୍ତରେ ତାଙ୍କୁ ପଚାରିଥିଲି, “ମହାଶୟେ ! ଆପଣ ଓଡ଼ିଆ ଭାଷାରେ ବହୁତ ପୁସ୍ତକ ଅଧ୍ୟୟନ ଏବଂ ଗଭୀର ଗବେଷଣା କରିଛନ୍ତି । ବିଭିନ୍ନ ପରିସ୍ଥିତିକୁ ଯୁଝିଲା ଭଳି ସୁନ୍ଦର ପଦ୍ୟାଂଶ ଉପସ୍ଥାପନା କରିପାରୁଛନ୍ତି । ତେବେ ଆପଣ ଲେଖାଲେଖି କାହିଁକି କରୁନାହାଁନ୍ତି?” ସାହୁଏ ଅଳ୍ପ ହସି ଜବାବ ଦେଲେ, “ବହୁତ ଚେଷ୍ଟା କରିଛି, ମାତ୍ର ସଫଳ ହୋଇନାହିଁ । ବୋଧହୁଏ କବି ହେବା କପାଳରେ ଲେଖାନାହିଁ ।
କପାଳରେ ତ ହୋଇଅଛି ଲେଖା
କରମର୍ଦ୍ଦକ ଯୋଗ୍ୟ ତୋର ଶିଖା
ହର ମଉଳି ଯୋଗ୍ୟ ଚମ୍ପକକୁ
ଭରମରେ ବୃଥା ପଡ଼ି ଯା ଟାକୁ
ଜଗତେ କେବଳ
ଜନେ ହସିବେ ଏହି ତହୁଁ ଫଳ ॥
ତେଣୁ ଲେଖିବାର ପ୍ରଚେଷ୍ଟା ଛାଡିଦେଲି । ତୁମମାନଙ୍କ ସାଥିରେ ଏହିଭଳି ଚର୍ଚ୍ଚାରେ ସମୟ କଟିଲେ ମୁଁ ବହୁତ ଆନନ୍ଦିତ” । ମୁଁ ଆଶ୍ୱସ୍ତହେଲି, ମୋର ଏ ଅବାଞ୍ଛିତ ପ୍ରଶ୍ନଟି ସାହୁଙ୍କ ମନରେ ଲେଶମାତ୍ର ଗ୍ଳାନି ସୃଷ୍ଟି କରିନଥିଲା ।
ସେ କହି ଚାଲିଲେ, “ଦେଖ୍ ପୁଅ ! ମୋ ମତରେ ଗଦ୍ୟ ହେଉ ବା ପଦ୍ୟ ହେଉ, ରଚନା କରିବା ଯେଉଁଭଳି ଭାଷାର ଏକ ପବିତ୍ର ସେବା, ସାହିତ୍ୟ ଚର୍ଚ୍ଚା ମଧ୍ୟ ସେହିଭଳି ଏକ ସେବା । ମା ବୀଣାପାଣିଙ୍କ ଅପାର କରୁଣାରୁ ଏତେଗୁଡ଼ିଏ ପୁସ୍ତକ ଓ ଗ୍ରନ୍ଥାବଳୀ ପଢ଼ି ସେଥିରୁ କିଛି କିଛି ସାର ସଂଗ୍ରହ କରି ତୁମମାନଙ୍କ ଆଗରେ ପରିବେଷଣ କାରିପାରୁଛି, ସେଥିପାଇଁ ମୁଁ ନିଜକୁ ଧନ୍ୟ ମନେକରେ । ବାଦିପାଲା ସମୟରେ ପାଲା ଗାୟକମାନଙ୍କୁ ପ୍ରଶ୍ନ ପଚାରିବାପାଇଁ ଲୋକମାନେ ମୋତେ ଅନୁରୋଧ କରନ୍ତି । ବଡ଼ ବଡ଼ କବିଙ୍କର ସୁନ୍ଦର ସୁନ୍ଦର ଛାନ୍ଦ ଓ କାବ୍ୟାଂଶ କିଛି ଲୋକମାନଙ୍କ ଆଗରେ ପରିବେଷଣ ହେଉ, ତେଣୁ ମୁଁ ଗ୍ରନ୍ଥାବଳୀଗୁଡ଼ିକ ପଢ଼ିଲାବେଳେ ଚିହ୍ନଣ୍ଟକରି ରଖିଥାଏ । ପାଲାଗାୟକମାନଙ୍କୁ ସେଗୁଡ଼ିକ ଆଲୋଚନା କରିବାକୁ କହେ । ସେମାନେ ମଧ୍ୟ ବିଭିନ୍ନ ପ୍ରସଙ୍ଗ ମୋ ସହିତ ଆଲୋଚନା କରି ବେଶ୍ ଆନନ୍ଦିତ ହୁଅନ୍ତି । ମୁଁ ଜାଣେନାହିଁ, କାହିଁକି କିଏଜାଣେ, ଏ ସବୁ କରିବାରେ ମୁଁ ଏକ ନୈସର୍ଗିକ ସୁଖ ଅନୁଭବ କରେ ।” ଏହା କହିଲା ବେଳେ ସାହୁ ମହାଶୟଙ୍କ ଉଲ୍ଲସିତ ମୁଖମଣ୍ଡଳକୁ ମୁଁ ଅବାକ୍ ହୋଇ ଚାହିଁ ରହିଥାଏ । ଭାବୁଥାଏ, ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ସାହୁ ମହାଶୟ ସାହିତ୍ୟପ୍ରେମକୁ ପାଥେୟ କରି ନିଜର ଅଧ୍ୟବସାୟ ବଳରେ ଓଡ଼ିଆ ସାହିତ୍ୟରେ ଯେଉଁ ଉଚ୍ଚକୋଟିର ଜ୍ଞାନ ଅର୍ଜ୍ଜନକରି ପାରିଛନ୍ତି, ତାହା ନିଶ୍ଚୟରୂପେ ଏକ ଘୋର ତପସ୍ୟା ଦ୍ୱାରା ପ୍ରାପ୍ତ ସିଦ୍ଧି ଅଟେ । ଉଚ୍ଚଶିକ୍ଷାପ୍ରାପ୍ତ ତଥା ଓଡ଼ିଆ ଭାଷାରେ ଗବେଷଣା କରିଥିବା ପାଲାଗାୟକମାନଙ୍କୁ ମଧ୍ୟ ସେ ମାର୍ଗଦର୍ଶନ କରାଇ ପାରୁଛନ୍ତି । ମନେ ମନେ ତାଙ୍କର ମହାନତା ପ୍ରତି କୋଟି କୋଟି ପ୍ରଣାମ କରୁଥାଏ ।
ସମଗ୍ର ଗ୍ରୀଷ୍ମଛୁଟିର ପ୍ରାୟ ସମସ୍ତ ଦ୍ୱିପ୍ରହର ଗୁଡ଼ିକ ସାହିତ୍ୟଚର୍ଚ୍ଚାର ଆନନ୍ଦଲହର ମଧ୍ୟରେ ଅତିବାହିତ ହେଲା । ସ୍ୱନାମଧ୍ୟେୟ ଓଡ଼ିଆ କବି, ଯଥା କବିସମ୍ରାଟ ଊପେନ୍ଦ୍ର ଭଞ୍ଜ, କବିବର ରାଧାନାଥ ରାୟ, ସ୍ୱଭାବକବି ଗଙ୍ଗାଧର ମେହେର, ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର, ପଲ୍ଲିକବି ନନ୍ଦକିଶୋର ବଳ, ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର, କବିସୂର୍ଯ୍ୟ ବଳଦେବ ରଥ, ଗଣକବି ବୈଷ୍ଣବ ପାଣି, କବିଶେଖର ଚିନ୍ତାମଣି ମହାନ୍ତି, ମଞ୍ଜୁଳକବି ଜୟକୃଷ୍ଣ ମିଶ୍ର ତଥା ସନ୍ଥକବି ଭୀମଭୋଇଙ୍କର ପୁସ୍ତକ ଓ ଗ୍ରନ୍ଥାବଳୀ ଗୁଡ଼ିକରୁ ଅନେକ ଉଦ୍ଧୃତାଂଶ ବ୍ୟାଖ୍ୟାସହ ସାହୁ ମହାଶୟେ ଆମମାନଙ୍କୁ ଅତି ସୁନ୍ଦର ଭାବରେ ବୁଝାଇଥାନ୍ତି । ନିଜର ଲାଇବ୍ରେରୀରେ ଥିବା ଏ ସମସ୍ତ ପୁସ୍ତକ ଗୁଡ଼ିକ ଆମକୁ ପଢ଼ିବା ପାଇଁ ଅକୁଣ୍ଠିତଚିତ୍ତରେ ପ୍ରଦାନ କରିଥାନ୍ତି ।
ଗ୍ରୀଷ୍ମଛୁଟି ଶେଷହେଲା । କଲେଜ ଉଦ୍ଦେଶ୍ୟରେ ଗାଁ ଛାଡ଼ିବାକୁ ପଡିଲା । କଲେଜପରେ ଚାକିରିରେ ଯୋଗଦେଲି । ତେଣୁ ଏଣିକି ଛୁଟିରେ ଗ୍ରାମକୁ ଆସିଲେ ସାହୁଙ୍କସଙ୍ଗେ କେବେ କେମିତି ଦେଖାହୁଏ । ଦେଖାହେଲେ କିନ୍ତୁ ସାହିତ୍ୟଚର୍ଚ୍ଚା ଅବଶ୍ୟ ହୁଏ ।
ଏକ ରବିବାର କାର୍ଯ୍ୟାଳୟ ଛୁଟିରେ ଗ୍ରାମକୁ ଆସିଥାଏ । ସାହୁ ମହାଶୟଙ୍କୁ ଦେଖା କରିବାକୁ ଗଲି । ମହାଶୟେ ଅତି ଉତ୍ସାହର ସହିତ ମଞ୍ଜୁଳକବି ଜୟକୃଷ୍ଣ ମିଶ୍ରଙ୍କ ବିଷୟରେ କହିଚାଲିଲେ । “ସାର୍ ସର୍ବସାଧାରଣରେ ମଧ୍ୟ ନିଜର ଅସୀମ ଜ୍ଞାନର ପରିପ୍ରକାଶ କରିପାରୁଥିଲେ । ସେ ଥରେ ଗୁଡ଼ିଆକାଟେଣୀ ଛକରେ ରାସୋଳ ଯିବାପାଇଁ ବସ୍ କୁ ଅପେକ୍ଷା କରିଥାନ୍ତି । ଗୋଟିଏ ଚା ଦୋକାନକୁ ଯାଇ କହିଲେ, “ବାବୁରେ, କପେ ସାଦା ଚା ଦେବୁ ।“
ଚା’ବାଲା ସାର୍ ଙ୍କୁ ଚିହ୍ନିଥାଏ । ସାର୍ ଙ୍କ କଥା ବୁଝିନପାରି ପଚାରିଲା,”ସାର୍, ପାନ ଦରକାର କି? ସାଧା ପାନ ସିନା ମିଳେ, ଆଣିଦେବି କି?”
ସାର୍ ଟିକିଏ ଉଚ୍ଚ କଣ୍ଠରେ କହିଲେ, “ସାଦା ଚା କହିଲେ ଅଦା ସହିତ ଚା । ସ+ଅଦା= ସାଦା”।
ଚା’ବାଲା ମନେ ମନେ ଖୁସିହୋଇ ଅଦା ପକାଇ ଚା କଲା ଓ ଗରମ ଚା କପ୍ ଟି ସାର୍ ଙ୍କ ପାଖରେ ରଖିଦେଲା । ଠିକ୍ ସେହି ସମୟରେ ବସ୍ ଆସି ପହଞ୍ଚିଲା । ସାର୍ ଚା’ବାଲାକୁ କହିଲେ, “ତୋ ଚା ଆଉ କ’ଣ ପିଇବି? ଚା କହୁଛି ବସ୍, ଆଉ ବସ୍ କହୁଛି ଚା ।
ଅର୍ଥାତ ଚା କହୁଛି ଯେ ବସିପଡ଼, ଟିକିଏ ଥଣ୍ଡା ହେଲେ ପିଇବୁ, ଆଉ ସରକାରୀ ବସ୍ କହୁଛି ସମୟ ହେଲା, ଶୀଘ୍ର ଚାଲ୍, ଯିବା ।“
ସାହୁଏ କହିଚାଲିଲେ, “ପୁଅ! ଘର ସଂସାର, କାମ କେତେବେଳେ ଛିଣ୍ଡେ ନାହିଁ । ଠିକ୍ ଗରମ ଚା ପିଇ ନହେବା ଭଳି ନିର୍ଦ୍ଧାରିତ ସମୟ ପୂର୍ବରୁ କୌଣସି କାର୍ଯ୍ୟ ସମାପ୍ତ ହୁଏ ନାହିଁ । ଚା ପିଇବାପାଇଁ ପ୍ରବଳ ଇଛାଥିଲେ ମଧ୍ୟ କାଳରୂପି ବସ୍ ଟି କହେ, ସମୟ ହେଲାଣି, ଏବେ ଚାଲ ଯିବା । କେତେବେଳେ ସେ ଶେଷ ବସ୍ ଛାଡ଼ିବ, କିଏ ଜାଣେ? ସମସ୍ତଙ୍କୁ ଯିବାକୁ ହେବ ।
ରହି ନାହିଁ କେହି ରହିବେ ନାହିଁଟି
ଭବରଙ୍ଗ ଭୂମି ତଳେ
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡ଼ିବେ କାଳବଳେ ।”
ସେଦିନ ଦ୍ୱିପ୍ରହର ବେଳେ ନିଦ୍ରା ଅବସ୍ଥାରେ ସାହୁ ମହାଶୟ ଚାଲିଗଲେ । ସକାଳର ସାହିତ୍ୟ ଚର୍ଚ୍ଚା ସମୟରେ ହୁଏତ ସେ ନିଜ ଅଭିନୟ ପରିସମାପ୍ତିର ପୂର୍ବାଭାଷ ଦେଇଥିଲେ । ଗ୍ରାମବାସୀ ତଥା ବିଶେଷଭାବରେ ତାଙ୍କର ତଥାକଥିତ ସାହିତ୍ୟ ଶିଷ୍ୟମାନେ ଏକ ପ୍ରତିଭାବାନ ମହାନ୍ ଆତ୍ମାକୁ ହରାଇ ଦୁଃଖରେ ମ୍ରିୟମାଣ ହେଲେ । ଗ୍ରାମର ସାହିତ୍ୟ ବାତାବରଣରେ ପଦ୍ୟ ପଦ୍ୟାଂଶ ବ୍ୟାଖ୍ୟାର ହର୍ଷୋଲ୍ଲାସଭରା ସେହି ସ୍ୱର ଆଉ ପ୍ରତିଧ୍ୱନିତ ହୁଏ ନାହିଁ । ତାଙ୍କର ଶିଷ୍ୟମାନେ ସାହିତ୍ୟ ଚର୍ଚ୍ଚା ସମୟରେ ତାଙ୍କୁ ମନେପକାଇ ଦୁଃଖ ପ୍ରକାଶ କରନ୍ତି । ବାଦୀପାଲା ସମୟରେ ସାହୁ ମହାଶୟଙ୍କ ଅନୁପସ୍ଥିତି ଚର୍ଚ୍ଚାର ପରିସରକୁ ଆସେ । ବ୍ୟକ୍ତିଗତ ଭାବରେ ମୁଁ ଜଣେ ହିତୈଷୀ ଗୁରୁଜନ, ଦକ୍ଷ ଉପଦେଷ୍ଟା ଓ ପ୍ରାତଃସ୍ମରଣୀୟ ସାହିତ୍ୟପ୍ରେମୀ ଶିକ୍ଷକଙ୍କୁ ହରାଇ ବସିଲି ।
ଏବେ ତିନି ଦଶନ୍ଧିପରେ ବି ସାହୁ ମହାଶୟଙ୍କ ଘର ଅତିକ୍ରମ କଲାବେଳେ ନଜରଟା ତାଙ୍କ ବାଟଘର ଉପରେ ଆପେ ଆପେ ପଡ଼ିଯାଏ ଏବଂ ସରଳ ଭାଷାରେ ସାହିତ୍ୟ ଚର୍ଚ୍ଚାରତ ଏକ ଦିବ୍ୟ ମୁଖମଣ୍ଡଳର ଆଭା ସ୍ଵତଃ ଭାବନା ଖିଅରେ ଯୋଡି ହୋଇଯାଏ । ଶୋକାଭିଭୂତ ମନଭିତରେ ତାଙ୍କର ଅନୁପସ୍ଥିତି ଅବଶ୍ୟ ଅନୁଭୂତ ହୁଏ ।
[ଲେଖାଟି ସତ୍ୟ ଘଟଣା ଉପରେ ଆଧାରିତ । ଶ୍ରୀ ଯୋଗେନ୍ଦ୍ର ସାହୁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସବ୍ ଡିଭିଜନ ଅନ୍ତର୍ଗତ ଠୋକର ଗ୍ରାମର ବାସିନ୍ଦା ଥିଲେ । ୧୮୯୦ ଦଶକରେ ଜନ୍ମ ଗ୍ରହଣ କରି ଏହି ମହାନ୍ ସାହିତ୍ଯପ୍ରେମୀ ଆମାୟିକ ବ୍ଯକ୍ତି ଜଣଙ୍କ ୮୭ ବର୍ଷ ବୟସରେ ଈହଲୀଳା ସମ୍ବରଣ କରିଥିଲେ । ଶିକ୍ଷାଗତ ଯୋଗ୍ୟତା ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଥିଲେ ମଧ୍ୟ ଓଡ଼ିଆ ସାହିତ୍ୟରେ ତାଙ୍କର ଗଭୀର ପ୍ରବେଶ ଥିଲା । ଗ୍ରାମ୍ୟଜୀବନକୁ ଆଖିଆଗରେ ରଖି ବିଭିନ୍ନ ଘଟଣାଗୁଡିକ ବର୍ଣ୍ଣନା କଲାବେଳେ ଓଡ଼ିଶାର ପ୍ରସିଦ୍ଧ କବିମାନଙ୍କର କାବ୍ୟକବିତାରୁ ଉଦ୍ଧୃତ ସୁନ୍ଦର ଓ ପ୍ରଯୂଜ୍ୟ ପଦଗୁଡିଏ ଉତ୍ତମ ସ୍ୱରରେ ଆବୃତ୍ତି କରି ସେ ସମସ୍ତଙ୍କର ମନୋରଞନ କରିପାରୁଥିଲେ । ସେ ମନେକରୁଥିଲେ ଯେ ସାହିତ୍ୟ ହିଁ ମନୁଷ୍ୟକୁ ଉତ୍ତମ ଜୀବନଶୈଳୀ ପ୍ରଦାନ କରିପାରିବ । ତେଣୁ ସାହିତ୍ୟ ଚର୍ଚ୍ଚା ତାଙ୍କ ଜୀବନର ଏକ ଲକ୍ଷ୍ୟ ବୋଲି ସେ ସ୍ଥିର କରି ନେଇଥିଲେ । ଏହି ଲେଖାଟି ହେଉଛି ତାଙ୍କଠାରୁ ପ୍ରାପ୍ତ ଶିକ୍ଷା ଓ ତାଙ୍କ ସହିତ ଅଲୋଚନାର ଏକ ଝଲକ]