Bibhutibhusan Majhi

Classics Inspirational Others

4.5  

Bibhutibhusan Majhi

Classics Inspirational Others

ବାପାଙ୍କ ସୁନା

ବାପାଙ୍କ ସୁନା

10 mins
414


ବାପା କହିଲେ, “ସ୍କୁଲ ସମୟରେ ପାଠ ପଢ଼ିବ, ବାକି ସମୟରେ ମୋ ହାତ ବଟେଇବ” । କିନ୍ତୁ ମା କୋମଳ କଣ୍ଠରେ ପ୍ରତିବାଦ କରି କହିଲେ, “ବଡ଼ ପୁଅକୁ ଚାକିରୀ ଆଡ଼େ ପଠେଇଲ, ସାନପୁଅ ବି ପାଠପଢ଼ି ଚାକିରୀ କରୁ। ସେ କାହିଁକି ପାଣି କାଦୁଅରେ ଘାଣ୍ଟି ହେବ?”


ଗାଁ ଚାହାଳୀରେ ବାପା ଶୁଣିଥିଲେ, ପିତା ମାତା ସୁକୃତରୁ ପୁତ୍ର ହୁଏ ସୁଖୀ । ତେଣୁ ପିଲାଙ୍କ ଭବିଷ୍ଯତ ପାଇଁ ସେ ମା’ଙ୍କ କୌଣସି କଥା କେବେ ଅଣଶୁଣା କରନ୍ତି ନାହିଁ ।ବାପା ବୁଝେଇକରି କହିଲେ, “ଦେଖ, ଅନନ୍ତ କଥା ଅଲଗା । ମାସେ ଭିତରେ ବସନ୍ତରେ ୪ଟା ପୁଅଝିଅ ଚାଲିଗଲେ ବୋଲି ମୁଁ ଅନନ୍ତକୁ କିଛି କହି ପାରିଲି ନାହିଁ । ଅତି ଗେଲବସରରେ ବଢ଼ିଲା, ପାଠ ପଢ଼ିଲା ନାହିଁ । ଦାୟୀତ୍ୱ ଆସିବ ଭାବି ଷୋହଳ ବରଷରେ ବିବାହ କରାଇ ଦେଲି । ମାତ୍ର ମୋତେ ଲୁଚିକରି ଗଡ଼କୁ ପଳେଇଲା, ପୋଲିସରେ ବାହିଲି ହୋଇଗଲା । ଜୟନ୍ତ ଚାକିରୀ କଲେ ଆମର ଯେଉଁ ୫/୭ ଏକର ଜମି ଅଛି, ସେଥିରେ ଚାଷବାସ କଥା ବୁଝିବ କିଏ? ତୁମେ ଜାଣ, ପରିବାରର ଭରଣପୋଷଣପାଇଁ ମୁଁ କାହାଉପରେ ନିର୍ଭର କରେ ନାହିଁ। ଧାନ, ସୁଆଁ, ଶାରିଆ, ମାଣ୍ଡିଆ, ମକ୍କା, ବାଜରା ଆମ ଜମିରେ ହୁଏ। ଡ଼ାଲି ନିମନ୍ତେ ହରଡ଼, ମୁଗ, କୋଳଥ, ଚଣା, ଆଉ ପିଠା ନିମନ୍ତେ ବିରି ଆମ ଜମିରୁ ମିଳେ । ତେଲ ନିମନ୍ତେ ସୋରିଷ, ବାଦାମ, ରାଶି, ଟୋଲ, କୁସୁମ ଏ ସବୁର ଚାଷ ହେଉ ବା ସଂଗ୍ରହ ହେଉ ଆମେ ନିଜ କ୍ଷେତରୁ, ନିଜ ତୋଟାରୁ କରଥାନ୍ତି । ପନିପରିବା ତିନି ତିନିଟା ବାଡିରୁ ଯାହା ହୁଏ ତାହା ଢେର୍ । ବାପା ଜେଜେ ଅମଳର ଏତେ ବଡ଼ ତୋଟା କେତେ ଯତ୍ନରେ ରଖିଛନ୍ତି, ଆମ୍ବ, ଆମ୍ବୁଲ, ଆମ୍ବସଢ଼ା, ଚମ୍ପଉତର ଅଭାବ ନାହିଁ । ଜାଳେଣୀ କାଠ ମଧ୍ଯ ଯୋଗାଡ଼ ହୋଇଯାଏ । ଏସବୁ ସମ୍ପୂର୍ଣ୍ଣ ରୂପେ ହଳିଆ ମୂଲିଆ ହାତରେ ତ ଟେକି ଦେବା ନାହିଁ ।ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀ ଯାଏ ଅଛି । ଜୟନ୍ତ ସେଇଯାଏ ପଢ଼ୁ, ହିସାବ କିତାବ ଶିଖିବ, ଭାଗବତ ଘର ପାଳିରେ ନିଜେ ଭାଗବତ ବହି ପଢ଼ିବ । ଗାଁରେ ରହିବ, ଚାଷକାମ, ବାଡ଼ି ବଗିଚା ସବୁ ସମ୍ଭାଳିବ” ।


ବାପା ଓ ମା’ଙ୍କ କଥାବାର୍ତ୍ତା ଶୁଣୁଥାଏ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ସାନପୁଅ ଜୟନ୍ତ । ଏକା ଦେଖି ମା’ଙ୍କୁ ପଚାରିଲା, “ବାପା କ’ଣ ମୋତେ ପାଠ ପଢ଼େଇବେ ନାହିଁ?”


ସେତେବେଳେ ଗାଁ’ର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଭଲରେ ଗଣ୍ଡେ ଖାଇ, ଭଲ ପିନ୍ଧି, ପୁରାଣ ଶାସ୍ତ୍ର ପଢି, ଧନ, ଜନ, ଗୋପ, ଲକ୍ଷ୍ମୀର ଯଥାସମ୍ଭବ ପ୍ରାପ୍ତି ହିଁ ଉତ୍ତମ ଜୀବନଯାପନ ବୋଲି ଲୋକେ ଭାବି ନେଉଥିଲେ । ସ୍ୱାସ୍ଥ୍ଯ ତଥା ଅନ୍ଯାନ୍ଯ ସୁଖ ସ୍ୱାଛନ୍ଦ୍ଯ ପ୍ରାପ୍ତି ପ୍ରତି ସମ୍ପୂର୍ଣ୍ଣ ଭାଗ୍ଯବାଦୀ ଥିଲେ । ସୀମିତ କାମନା ଓ ବାସନା ଜୀବନକୁ ସରଳ କରୁଥିଲା । ଅଭାବ ଅନାଟନକୁ ପ୍ରତିକୂଳ ଅବସ୍ଥା ନଭାବି ପ୍ରକୃତିର ତାଳେ ତାଳେ ଚାଲି ସୁଖରେ କାଳାତିପାତ କରୁଥିଲେ । ଗାଁ ଗହଳିରେ ବିଦ୍ଯୁତ ସରବରାହ ନଥାଏ । ଲୋକମାନେ ସୂର୍ଯ୍ଯାସ୍ତ ପୂର୍ବରୁ ରାତ୍ରଭୋଜନ କରୁଥିଲେ । କେବେ କେମିତି ଜମିରୁ ଫେରୁ ଫେରୁ ସନ୍ଧ୍ଯା ହୋଇଗଲେ ଲୋକେ ରାଶି, ବାଦାମ କିମ୍ବା ଟୋଲ ତେଲରେ ବଇଠା, ଜାଗର ବା ଡ଼ିବିରିରେ ସଳିତା ଜାଳି ସେହି ଆଲୋକରେ ରାତ୍ରଭୋଜନ କରନ୍ତି । ବିଦ୍ଯାର୍ଥୀମାନେ ସେହି ଆଲୋକରେ ରାତ୍ର ସମୟରେ ପାଠ ମଧ୍ଯ ପଢ଼ିଥାନ୍ତି । 


ମା ଜୟନ୍ତକୁ କହିଲେ, “ତୁ ମୋ କଥା ଶୁଣ୍‌ । ବାପା ଯେଉଁ କାମ କରିବାକୁ କହୁଛନ୍ତି, ସବୁ କାମ କର । ସଞ୍ଜ ହେଲେ ଡିବିରି ଲଗେଇଦେବି । ମୁଁ ପାଖରେ ବସିଥିବି, ଅନ୍ଧାରକୁ ତୋତେ ଡ଼ର ଲାଗିବ ନାହିଁ । ମନ ଦେଇ ପାଠ ପଢ଼ । ଯଦି ତୁ ବୃତ୍ତି ପାଇବୁ ମୁଁ ବାପାଙ୍କୁ ମନେଇ ଦେବି “।


ବାପା ସକାଳ ୫ ଘଟିକା ସୁଦ୍ଧା ନିତ୍ଯକର୍ମ ଶେଷକରି କ୍ଷେତକୁ ଯାଆନ୍ତି । ଜୟନ୍ତକୁ ସାଙ୍ଗରେ ନିଅନ୍ତି । କେତେବେଳେ ଗୋବର ନୋଦରଭରା ଶଗଡ଼ରେ ବସାଇ ବଳଦ ଅଡ଼େଇବାକୁ କହନ୍ତି ତ କେତେବେଳେ ଗାଁ ତଳ ଶୁଖିଲା ପଡ଼ିଥିବା ନଈଶେଯରୁ ପଟୁମାଟି ଝୁଡ଼ିରେ ମୁଣ୍ଡେଇ ନେଇ ପ୍ରାୟ ଏକ କି ମି ଦୂରରେ ଥିବା ଜମିରେ ସାର ନିମନ୍ତେ ପକାଇବାକୁ କହନ୍ତି । ଗାଁର ଅଧିକାଂଶ ଜମି ପାହାଡ଼ିଆ ହୋଇଥିବାରୁ ବର୍ଷକୁ ଥରେ ମାତ୍ର ଚାଷ ହୁଏ । କେତେ ଖଣ୍ଡ ଜଳଜମି ଛାଡ଼ିଦେଲେ, ପ୍ରାୟ ସମସ୍ତ ଜମିରେ ଧାନ ବୁଣା ଯାଏ । ଧାନ ବିହନର ଛୋଟ ବୋଝଟା ଜୟନ୍ତ ମୁଣ୍ଡରେ ମୁଣ୍ଡେଇ ଜମିକୁ ନିଏ । ଧାନ ଚାଷର ବିଭିନ୍ନ କାମ, ଯଥା ବାଟିଆ, ଖେଳୁଆ, ବାଳୁଙ୍ଗାବଛା, କତିହଣା, ଧାନକଟା, ଧାନବିଡ଼ା ଶଗଡ଼ଦ୍ୱାରା ହେଉ ବା ମୁଣ୍ଡରେ ମୁଣ୍ଡଇ ହେଉ ଖଳାରେ ମଳା ମାରିବା, ବେଙ୍ଗଳା, ଧାନ କୋଠିରେ ରଖିବା, ବିହନ ପୋଡ଼ଗ ବାନ୍ଧିବା ଆଦି ସମସ୍ତ କାମରେ ଜୟନ୍ତ ବାପାଙ୍କୁ ସାହାଯ୍ୟ କରେ । ରବି ଫସଲ ଚାଷ ଓ ଅମଳ, ପନିପରିବା ଚାଷରେ ମଧ୍ଯ ଜୟନ୍ତ ଯୋଗ ଦିଏ । ଠିକ ସମୟରେ ବାପା କହନ୍ତି, ଜୟନ୍ତ! ବେଳ ଦୁଇ ବାଉଁଶ ଉପରକୁ ଉଠିଲାଣି, ତୁ ଏବେ ଯା’, ବାଟରେ ନାଳବନ୍ଧରେ ଗାଧୋଇ ଘରକୁ ଯିବୁ । ଖାଇକରି ସ୍କୁଲ ଯିବୁ । ଜୟନ୍ତ ବସ୍ତାନି ଧରି ଠିକ୍ ସମୟରେ ସ୍କୁଲରେ ପହଞ୍ଚି ଯାଏ ।


ସେତେବେଳେ ୨୦-୨୫ ଗାଁ’ର ବିଦ୍ଯାର୍ଥୀଙ୍କ ପାଇଁ ଗୋଟିଏ ମଧ୍ଯ-ଇଂରାଜୀ ବିଦ୍ଯାଳୟ ଓ ପ୍ରାୟ ୫୦ରୁ ଅଧିକ ଗାଁ ପାଇଁ ଗୋଟିଏ ଉଚ୍ଚ ବିଦ୍ଯାଳୟ ଥାଏ । ଜୟନ୍ତ ଭାବୁଥାଏ ସର୍ବାପେକ୍ଷା ନିକଟତମ ମି ଇ ସ୍କୁଲଟି ଗାଁ ଠାରୁ ୫ କି ମି ଦୂରରେ । ଏତେ ଦୂରରେ ଥିବା ସ୍କୁଲରେ ପାଠପଢ଼ି ବାପାଙ୍କୁ ସାହାଯ୍ଯ କରିବା କେମିତି ସମ୍ଭବ ହେବ? ତେଣୁ ମା’ଙ୍କ କହିବା ଅନୁସାରେ ଛାତ୍ରବୃତ୍ତି ମିଳିଲେ ହୁଏ ତ ବାପା ପାଠ ପଢ଼େଇବା ପାଇଁ ରାଜି ହୋଇ ପାରନ୍ତି । ସେହି ଲକ୍ଷ୍ୟ ନେଇ ସେ କାମ ସଙ୍ଗେ ସଙ୍ଗେ ପାଠ ପଢ଼ି ଚାଲିଲା ।


ପଞ୍ଚମ ଶ୍ରେଣୀର ଛାତ୍ରବୃତ୍ତି ନିମନ୍ତେ ପରୀକ୍ଷା ଦେବାପାଇଁ ଜୟନ୍ତକୁ ଚୟନ କରା ଯାଇଥିଲା । ମାତ୍ର ସେହି ପରୀକ୍ଷାଫଳ ଓ ବୃତ୍ତିପ୍ରାପ୍ତିର ପରିଣାମ ପରୀକ୍ଷା ଦେବାର ପ୍ରାୟ ସାତ ଆଠ ମାସ ପରେ ପ୍ରକାଶ ପାଇବ । ତେଣୁ ବାପା ବାଧ୍ଯ ହୋଇ ସେହି ନିକଟତମ ମି ଇ ସ୍କୁଲରେ ପଢ଼ିବା ନିମନ୍ତେ ଜୟନ୍ତକୁ ଅନୁମତି ଦେଲେ । ପୁଅ ଚାଲି ଚାଲି ସ୍କୁଲ ଯିବ । ପାଞ୍ଚ କିମି ରାସ୍ତାକୁ ଅତି କମ୍‌ରେ ଏକ ଘଣ୍ଟା ଲାଗିଯିବ । ତେଣୁ ଏବେ ବାପା ସକାଳେ ଜୟନ୍ତକୁ ଚାଷକାମରୁ ଶୀଘ୍ର ମୁକ୍ତ କରି ଦିଅନ୍ତି ଓ ସମୟ ଅଭାବରୁ ଉପରବେଳା ପ୍ରାୟ ସାଙ୍ଗରେ ନିଅନ୍ତି ନାହିଁ ।


ପାଞ୍ଚ କି ମି ଦୂରରେ ମଧ୍ଯ ଈଂରାଜୀ ବିଦ୍ଯାଳୟ ।ନୂତନ ସ୍କୁଲ, ନୂତନ ପରିବେଶ, ଗାଁ ଠାରୁ ପୃଥକ, ଟିକିଏ ସହରିଆ । ଜୟନ୍ତକୁ ଅଡ଼ୁଆ ଲାଗୁଥାଏ । ପୁଣି ନୂତନ ବେଶଭୂଷା, ସହରୀ ଚାଲିଚଳନ, ଏଣେ ପ୍ରାୟ ସମସ୍ତ ସହପାଠୀ ଅଚିହ୍ନା, ମନରେ ତା’ର ଏକ ନିରାଶାଭାବ ସୃଷ୍ଟି ହେଉଥାଏ ।ଷାଣ୍ମାସିକ ପରୀକ୍ଷା ହେଲା । ଜୟନ୍ତକୁ ଦୁଇଟି ସେକ୍‌ସନ ଥିବା ଷଷ୍ଠ ଶ୍ରେଣୀର ୭୨ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ଯରେ ଦ୍ୱିତୀୟ ସ୍ଥାନ ମିଳିଲା । ଏହାପରେ ତା’ ପ୍ରତି ସହପାଠୀ ମାନଙ୍କର ନଜର ବଦଳିବାରେ ଲାଗିଲା । ସେମାନେ ତା’ର ନୋଟ୍‌ବୁକ୍‌ ଗୁଡ଼ିକ ମାଗିନେଇ ପଢ଼ନ୍ତି ଓ ଖୁସି ପ୍ରକାଶ କରନ୍ତି । ଶିକ୍ଷକମାନେ ମଧ୍ଯ ତା’ ପ୍ରତି ବିଶେଷ ଧ୍ଯାନ ଦେଲେ । ଏ ସମସ୍ତ ଜୟନ୍ତ ମନରେ ଏକ ଆତ୍ମବିଶ୍ୱାସ ସୃଷ୍ଟି କରିବାରେ ଲାଗିଲା । 


ଷାଣ୍ମାସିକ ପରୀକ୍ଷାର ପ୍ରାୟ ଦୁଇମାସ ପରେ ଜୟନ୍ତକୁ ଜାତୀୟ ମେଧାଛାତ୍ର ବୃତ୍ତି ମିଳିଛି ବୋଲି ସ୍କୁଲରେ ଘୋଷଣା କରାଗଲା । ସେଦିନ ଘରକୁ ଫେରି ଏକା ଦେଖି ମା’ଙ୍କୁ ଯେତେବେଳେ ଏ କଥା ଜଣାଇଲା, ତାଙ୍କ ଆଖିରୁ ଦୁଇଧାର ଅଶ୍ରୁ ଝରି ପଡ଼ିଲା । ପୁଅର ମନକଥା ସିନା ମା’ ଜାଣେ, ମାତ୍ର ମା’ର ମନ ଭିତରେ ପୁଅ ନିମନ୍ତେ କି ପ୍ରକାର ସୁନେଲି ସ୍ୱପ୍ନ ସଜେଇ ହୋଇ ରହିଥାଏ ତାର କଳନା କରିବ କିଏ?


ମା ଆନନ୍ଦ ମନରେ ଅପେକ୍ଷା କରିଥାନ୍ତି ବାପା କେତେବେଳେ କ୍ଷେତରୁ ଫେରିବେ । ଗାଁ ମଝିରେ କ୍ଷେତରୁ ଫେରୁଥିଲା ବେଳେ ଅନ୍ଯ ଛାତ୍ର ମାନଙ୍କଠାରୁ ଖବର ପାଇ କିଛି ମାନ୍ଯଗଣ୍ଯ ଲୋକଙ୍କ ମୁଖରୁ ବାପା ଜୟନ୍ତର କୃତିକୁ ନେଇ ବହୁତ ପ୍ରଶଂସା ଶୁଣିଲେ । କେହି କେହି କହୁଥାନ୍ତି, ତୁମ ପୁଅ ଏ ଖଣ୍ଡମଣ୍ଡଳରେ ଆମ ଗାଁ ନାଁ ଉଚ୍ଚା କରିବ । 


ସେଦିନ ମା ଯେତେବେଳେ ଆନନ୍ଦରେ ବାପାଙ୍କ ଆଗରେ ଏ କଥା ପ୍ରକାଶ କଲେ, ମା ହୁଏତ ବାପାଙ୍କ ପ୍ରତିକ୍ରିୟା ଅନୁଭବ କରିଥିବେ, ହେଲେ ଦୂରରେ ଥାଇ ଜୟନ୍ତ ବାପାଙ୍କର ଆନନ୍ଦ ଲକ୍ଷ୍ୟ କରି ପାରିଲା ନାହିଁ । ସେ କେବଳ ବାପା କହୁଥିବାର ଶୁଣିପାରିଲା, “ତାହା ହେଲେ ଜୟନ୍ତ ଭଲ ପଢ଼ୁଛି”।


ବାପାଙ୍କ ମୁହଁରୁ ଏ ସ୍ୱିକାରୋକ୍ତି ଶୁଣି ସେ ମନେ ମନେ ବହୁତ ଖୁସି ହେଉଥିଲା, ବୃତ୍ତି ତ ଦୁଇ ବର୍ଷ ମିଳିବ, ତେଣୁ ସେ ଆଶ୍ୱସ୍ତି ବୋଧ କରୁଥିଲା, ଷଷ୍ଠ ଓ ସପ୍ତମ ପଢ଼ିବାରେ ଆଉ କୌଣସି ବିଘ୍ନ ନାହିଁ । ତେଣୁ ବାପାଙ୍କୁ ଯଥାବିଧି ସାହାଯ୍ଯ କରେ ଓ ମନଦେଇ ପାଠ ପଢ଼େ । ଏବେ ବଡଭାଇ ଖୁସିରେ ତା ପାଇଁ ଗଡ଼ରୁ ଲଣ୍ଠନଟିଏ ଆଣି ଦେଇଛନ୍ତି । ବାପା କଣ୍ଟ୍ରୋଲରେ କିରୋସିନି କିଣି ଆଣନ୍ତି । ରାତିରେ ଯେତେବେଳ ଯାଏ ସେ ପଢ଼େ ମା ତାକୁ ଜଗି ବସିଥାନ୍ତି । ବେଳେ ବେଳେ ଜୟନ୍ତ କହେ, ମା, ତୁମେ ଶୋଇପଡ଼। ଡର ଲାଗିଲେ ମୁଁ ଡାକିବି”। କିନ୍ତୁ ମା ଜୟନ୍ତ ବସିଥିବା ସପ ଉପରେ ଗଡ଼ପଡ଼ ହୁଅନ୍ତି, ଶୁଅନ୍ତି ନାହିଁ । ପଢ଼ା ଶେଷହେଲେ ଏକାବେଳେ ଶୋଇବାକୁ ଯାଆନ୍ତି । ଷଷ୍ଠ ବାର୍ଷିକ ପରୀକ୍ଷାଠାରୁ ଜୟନ୍ତ ସମଗ୍ର ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରେ ।


ଦିନେ ସ୍କୁଲର ପ୍ରଧାନ ଶିକ୍ଷକ ବାପାଙ୍କୁ ଡକାଇ ପଠାଇଲେ । ଦୁଇ ଦିନ ପରେ ଶଗଡ଼ ଗାଡ଼ିରେ ଦୁଇ ଅଖା ଚାଉଳ, ଅଧ ଅଖାଏ ଡାଲି, ଦୁଇ ଝୁଡ଼ି ପରିବା ନେଇ ବାପା ସ୍କୁଲ ଅଭିମୁଖେ ଯାତ୍ରା କଲେ । ସେ ସବୁ ସ୍କୁଲ ହଷ୍ଟେଲରେ ରଖି ସାଥିରେ ନେଇଥିବା ଗୋଟିଏ ବଡ଼ ବ୍ଯାଗରେ ବଛା ବଛା ପରିବା ଓ ଚାରି ଦଣ୍ଡା ଆଖୁ ପ୍ରଧାନ ଶିକ୍ଷକଙ୍କ ଘରେ ପହଞ୍ଚାଇ ଦେଲେ । ପ୍ରଧାନ ଶିକ୍ଷକ ଜଣେ ପ୍ରଧାନମନ୍ତ୍ରୀ ପୁରଷ୍କୃତ ଆଦର୍ଶ ଶିକ୍ଷକ ଓ ଆମାୟିକ ବ୍ଯକ୍ତି ଥିଲେ । ସେଦିନ ବାପାଙ୍କୁ ବାଧ୍ଯ କରି ତାଙ୍କ ଘରେ ନିଜ ସାଥୀରେ ମଧ୍ଯାହ୍ନ ଭୋଜନ କରାଇଥିଲେ ।


ରାତି ପାହିଲେ ହେବ ତା ୦୧.୦୧.୧୯୭୦ । ବାପା ଜୟନ୍ତକୁ ସେଦିନ ସକାଳୁ ଉଠାଇ କହିଲେ, “ଦେଖ୍, ଆଜି ଗୁରୁବାର, ବିଦ୍ଯାରମ୍ଭେ ଗୁରୁ ଶ୍ରେଷ୍ଠ । ପ୍ରଧାନ ଶିକ୍ଷକ କହିଲେ ମେ ମାସ ପ୍ରଥମ ସୋମବାର ଠାରୁ ବୃତ୍ତି ପରୀକ୍ଷା ହେବ । ତୁ ସେ ପର୍ଯ୍ଯନ୍ତ ଉତ୍ତମ ପଢ଼ାପଢ଼ି ନିମନ୍ତେ ସ୍କୁଲ ହଷ୍ଟେଲରେ ରହିବୁ । ମୁଁ ଚାରିମାସ ପାଇଁ ଚାଉଳ, ଡାଲି ଓ ମାସକୁ ତିନି ଟଙ୍କା ହିସାବରେ ପରିବା ଓ ରୋଷେୟା ଖର୍ଚ୍ଚ ଜମା କରି ଦେଇଛି । ତୋର ପୋଷାକପତ୍ର, ଶେଯ, ତକିଆ, ସପ, ଢ଼ାଳ, ବାସନ ଆଦି ହଷ୍ଟେଲ ସାରଙ୍କ ଜିମାରେ ଦେଇ ଆସିଛି । ଏଇ ନେ ତୋର ବାକ୍ସ ଚାବି । ବହିପତ୍ର ହେପାଜତରେ ରଖିବୁ, ମନଦେଇ ପାଠ ପଢ଼ିବୁ”। 


ସେଦିନ ମା ଏବଂ ବାପା ଦୁଇ ଜଣ ମିଶି ଜୟନ୍ତକୁ ସାହିମୁଣ୍ଡ ପର୍ଯ୍ଯନ୍ତ ବାଟୋଇ ନେଇଥିଲେ ।କିଛି ପାଦ ଆଗେଇଲା ପରେ ପଛକୁ ମୋଡ଼ି ଚାହିଁଲା ଜୟନ୍ତ । ସେ ବାପାଙ୍କ ମୁହଁରେ କୌଣସି ପରିବର୍ତ୍ତନ ଦେଖିଲା ନାହିଁ । ମାତ୍ର ମା’ଙ୍କ ଆଖିରେ ଏକ ସନ୍ଦେହର ଛାୟା ସେ ସ୍ପଷ୍ଟ ଦେଖୁଥିଲା । ନିଜ କୋହକୁ ଚାପି ମୁହଁ ପୋତି ସେ ଗାଁ ଦାଣ୍ଡରେ ଆଗେଇ ଚାଲିଲା । ସ୍କୁଲ ପାଖାପାଖି ହେଲା ବେଳକୁ ସେ ବେଶ୍ ଖୁସି ଥିଲା, ଏବେ ଅନ୍ଯ କିଛି କାମ ନାହିଁ, କେବଳ ପାଠପଢ଼ା ହିଁ ପାଠପଢ଼ା!


ଠିକ୍ ସମୟରେ ବୃତ୍ତି ପରୀକ୍ଷା ଦେଇ ଜୟନ୍ତ ଘରକୁ ଫେରିଲା । ପୁଣି ବାପାଙ୍କ ସହିତ ପୂର୍ବଭଳି କାମରେ ଯୋଗ ଦେଲା ।


ବୃତ୍ତି ପରୀକ୍ଷାର ପରିଣାମ ସାତ ଆଠ ମାସ ପରେ ଆସିବ । ତେଣୁ ଜୟନ୍ତର ନାମ ମି ଇ ସ୍କୁଲ ପାଖରେ ଥିବା ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ଦାଖଲ କରାଗଲା ।ବହୁତ ଦୂର ଦୂରାନ୍ତରୁ ଛାତ୍ରମାନେ ହାଇ ସ୍କୁଲରେ ପାଠ ପଢ଼ିବାକୁ ଆସନ୍ତି । ପାଞ୍ଚ ଛ’ କିମି ଦୂରରୁ ଆସୁଥିବା ଛାତ୍ରମାନେ ସ୍କୁଲକୁ ପ୍ରତିଦିନ ଯିବା ଆସିବା କରନ୍ତି । ବାକି ଛାତ୍ରମାନେ ସ୍କୁଲ ହଷ୍ଟେଲରେ ରହନ୍ତି । ଛାତ୍ରୀମାନଙ୍କ ନିମନ୍ତେ ହଷ୍ଟେଲ ନଥାଏ । ତେଣୁ କେବଳ ସ୍କୁଲର ଏକ କିମ୍ବା ଦୁଇ କିମି ଦୂରତାରେ ଥିବା ଗାଁ’ରୁ ଛାତ୍ରୀମାନେ ପଢ଼ିବାକୁ ଆସନ୍ତି । ଅଳ୍ପ କେତେକ ଛାତ୍ରୀ ଆଖପାଖ ଗାଁ’ରେ ବନ୍ଧୁଘରେ ରହି ପାଠ ପଢ଼ନ୍ତି ।


ଜୟନ୍ତର ପୁଣି ନିତିଦିନିଆ କାର୍ଯ୍ଯନିର୍ଘଣ୍ଟ ଆରମ୍ଭ ହୋଇଗଲା । ପ୍ରଭାତରୁ କ୍ଷେତରେ କାମ, ତାପରେ ପାଞ୍ଚ କିମି ଚାଲିବାପରେ ହାଇସ୍କୁଲରେ ପାଠପଢ଼ା । ରାତିରେ ମା’ଙ୍କ ପହରା ଭିତରେ ପଢ଼ାପଢ଼ି । ଅଷ୍ଟମ ଶ୍ରେଣୀରେ ମଧ୍ଯ ସେ ପ୍ରଥମ ସ୍ଥାନ ବଜାୟ ରଖିଲା । ଆଠ ମାସ ପରେ ଜଣାପଡ଼ିଲା ତାକୁ ପୁଣି ଛାତ୍ରବୃତ୍ତି ମିଳିଛି, ଏଥର ପୁଣି ସମ୍ପୂର୍ଣ୍ଣ ଚାରିବର୍ଷ ପାଇଁ, ଅର୍ଥାତ୍ ଏକାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପର୍ଯ୍ଯନ୍ତ । ଜୟନ୍ତ ବଡ ଆଶ୍ୱସ୍ତିବୋଧ କରୁଥାଏ ।ବଡ଼ଭାଇଙ୍କ ଦୟାରୁ ତାକୁ ଲଣ୍ଠନଟିଏ ମିଳିଥାଏ । କାଳକ୍ରମେ ଜୟନ୍ତ ରାତ୍ରରେ ଅଧିକ ସମୟ ପାଠ ପଢ଼େ । ଫଳରେ କଣ୍ଟ୍ରୋଲ୍‌ରେ ମିଳୁଥିବା ମାସିକ ଗୋଟିଏ ଲିଟର କିରୋସିନି ତେଲ ଯଥେଷ୍ଟ ହେଲାନାହିଁ । ତେଣୁ ଗ୍ରାମର ଆଉ ଚାରିଜଣ ଛାତ୍ର ରାତ୍ରରେ ଜୟନ୍ତ ଘରେ ରହି ପାଠ ପଢ଼ନ୍ତି ଓ ପାଳିକରି କିରୋସିନି ତେଲ ଆଣନ୍ତି । ଯେତେ ରାତ୍ର ହେଲେ ମଧ୍ଯ ପିଲାମାନେ କାଳେ ଅନ୍ଧାରରେ ଡରିବେ ଅଳ୍ପ ଦୂରରେ ମା ସପ ଉପରେ ଗଡ଼ପଡ଼ ହୁଅନ୍ତି । 


ମା’ଙ୍କର ସେହି ସମୟରେ କୌଣସି କାମ ନଥାଏ, ତଥାପି ଢ଼େର୍ ରାତ୍ରି ପର୍ଯ୍ଯନ୍ତ ଅପଲକ ନୟନରେ ସେ କେମିତି ବସିପାରନ୍ତି ତା’ର କାରଣ କେବଳ ତାଙ୍କୁ ହିଁ ଜଣା । ଅବଶ୍ଯ ଗୋଟିଏ ଚିନ୍ତା ତାଙ୍କ ମନରେ ଥାଇପାରେ, ଜୟନ୍ତ କିପରି ବଡ ହାକିମ ହେବ । ବେଳେ ବେଳେ ଜୟନ୍ତ ମା’ଙ୍କୁ ଶୋଇଯିବାକୁ କୁହେ, ମା କିନ୍ତୁ ପାଠପଢ଼ା ଶେଷ ପର୍ଯ୍ଯନ୍ତ ଚାହିଁ ବସିଥାନ୍ତି । ହୁଏତ ବାତ୍ସଲ୍ଯ ପ୍ରେମର ମହନୀୟତା ଏକ ଲୟରେ ବସିରହିବା ପାଇଁ ତାଙ୍କୁ ପ୍ରେରଣା ଯୋଗାଇଥାଏ ।


ଏକାଦଶ ଶ୍ରେଣୀ ବୋର୍ଡ଼ପରୀକ୍ଷାରେ ମିଳିଥିବା ନମ୍ବର ଅନୁସାରେ ବୃତ୍ତି ମିଳଥାଏ, ଏଥି ନିମନ୍ତେ ପୃଥକ ବୃତ୍ତି ପରୀକ୍ଷା ହୁଏ ନାହିଁ । ଇତି ମଧ୍ଯରେ ଜୟନ୍ତର ବୋର୍ଡ଼ ପରୀକ୍ଷା ଶେଷ ହୋଇଯାଇଛି । ଗ୍ରୀଷ୍ମଛୁଟିଟା ଏ ବର୍ଷ ଶୀଘ୍ର ଓ ଅଧିକ ଦିନ ନିମନ୍ତେ ହୁଏ । ଅନ୍ଯଦିଗରେ ଗ୍ରୀଷ୍ମଋତୁ ଦ୍ୱିପ୍ରହରରେ ଆମ୍ବତୋଟା ଜଗିବା ବ୍ଯତିରେକ ଅନ୍ଯ ବିଶେଷ କାମ ନଥାଏ । ବିଦ୍ଯାଳୟ ପୁସ୍ତକାଳୟରୁ ଓଡ଼ିଆ ଭାଷାର ଗ୍ରନ୍ଥାବଳୀ ଆଣି ଜୟନ୍ତ ଗୋଟିକ ପରେ ଗୋଟିଏ ଘରେ ତଥା ଆମ୍ବତୋଟାରେ ପଢ଼ିବାକୁ ଲାଗିଲା । ତାର ସମୟ ଅତି ଅନାୟାସରେ ଅତିବାହିତ ହେବାକୁ ଲାଗିଲା ।


ହଠାତ୍‌ ଦିନେ ଜୟନ୍ତର ଜୀବନରେ ଏକ ଅବିସ୍ମରଣୀୟ ଘଟଣା ଘଟିଲା । ସେଦିନ ସକାଳ ପ୍ରାୟ ୮ ଘଟିକା ବେଳକୁ ହାଇସ୍କୁଲର ୫ଜଣ ଶିକ୍ଷକ ନିଜ ନିଜର ସାଇକେଲ ଯୋଗେ ଜୟନ୍ତର ଘରେ ଆସି ପହଁଞ୍ଚିଗଲେ । 


ଯୋଗକୁ ବାପା ଘରେ ଥିଲେ । ଘରେ ଥିବା ଏକ ମାତ୍ର ଚୌକି ଉପରେ କୁଣ୍ଡା ଅଖାଟାଏ ରଖା ହୋଇଥିଲା । ବାପା ତୁରନ୍ତ ତାହା ତଳେ ରଖି ଚୌକିଟାକୁ ନିଜ ତଉଲିଆରେ ଝାଡ଼ି ଦେଲେ । ସମସ୍ତ ଶିକ୍ଷକ ମାନଙ୍କୁ ପ୍ରଣାମ କରି ଦୁଆର ମଝାମଝି ଚୌକିଟାକୁ ରଖି ସହକାରୀ ପ୍ରଧାନ ଶିକ୍ଷକଙ୍କୁ ବସିବାପାଇଁ କହିଲେ । ଅଗଣାରେ ପଡ଼ିଥିବା ଦୁଇଟା ଦଉଡ଼ିଆ ଖଟ ଚୌକିର ଦୁଇ ପାଖରେ ପକାଇ ମା’ଙ୍କ ହାତରୁ ଦୁଇଟା ପରିଷ୍କାର ଗନ୍ଥାନେଇ ଖଟ ଉପରେ ବିଛାଇଦେଲେ । ଶିକ୍ଷକ ମାନଙ୍କୁ ଖଟରେ ବସାଇଦେଇ ପାଖରେ ଛିଡ଼ାହେଲେ । 


ସହକାରୀ ପ୍ରଧାନ ଶିକ୍ଷକ କହିଲେ, “ବଡ଼ ଆନନ୍ଦର କଥା, ଜୟନ୍ତ ବହୁତ ଅଧିକ ନମ୍ବର ରଖି ପାଶ୍ କରିଛି । ଏତେ ନମ୍ବର ଆମ ସ୍କୁଲ୍‌ରେ କେହି କେବେ ରଖି ନଥିଲେ । ପୁରା ଜିଲ୍ଲାରେ ପ୍ରଥମ ସ୍ଥାନରେ ଅଛି । ଆଉ ୧୦ ନମ୍ବର ରଖିଥିଲେ ପୁରା ରାଜ୍ଯରେ ପ୍ରଥମ ଦଶଜଣଙ୍କ ଭିତରେ ରହିଥାନ୍ତା” ।


ଜୟନ୍ତକୁ ଆଗରେ ଛିଡ଼ା କରାଇ ଜଣକ ପରେ ଜଣେ ସମସ୍ତ ଶିକ୍ଷକ ପ୍ରଶଂସା କଲେ । ଜୟନ୍ତ ସମସ୍ତ ଶିକ୍ଷକଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲା । ବାପା ଶିକ୍ଷକ ମାନଙ୍କୁ ଚା’ ପରୋଷି ମଧ୍ଯଭାଗରେ ଷ୍ଟୁଲ୍‌ ଉପରେ ବିସ୍କୁଟ୍‌ଭରା ଥାଳିଟି ରଖିଦେଇ ପାଖରେ ଛିଡ଼ାହୋଇ ରହିଲେ । ଦୂରରେ ମା ଓ ପରିବାର ତଥା ସାହିର କିଛି ଲୋକ ଏ ଦୃଶ୍ଯ ଉପଭୋଗ କରୁଥାନ୍ତି । ଇତିମଧ୍ଯରେ ମା କେତେବେଳେ ଲଡ଼ୁ ପ୍ଯାକେଟ୍ ଗୁଡ଼ିଏ ମଗାଇ ଦେଇଥାନ୍ତି ।


ଜୟନ୍ତର ଘର ଗାଁ’ର ଶେଷ ଭାଗରେ ହୋଇଥିବାରୁ ଶିକ୍ଷକମାନେ ମଝିଦାଣ୍ଡରେ ଚାଲି ଚାଲି ଫେରୁଥିଲେ । ସାଥୀରେ ବାପା ଓ ତାଙ୍କର ଦୁଇଜଣ ବନ୍ଧୁ ଚାଲିଥାନ୍ତି । ଜୟନ୍ତ ଓ ଆଉ ଚାରିଜଣ ଛାତ୍ର ପଛେ ପଛେ ଶିକ୍ଷକ ମାନଙ୍କର ସାଇକେଲ ଗୁଡ଼ିକ ଗଡ଼େଇ ଗଡ଼େଇ ନେଉଥାନ୍ତି । ପ୍ରତ୍ଯେକ ସାଇକେଲର କ୍ଯାରିୟରରେ ଗୋଟିଏ ଗୋଟିଏ ଲଡ଼ୁ ପ୍ଯାକେଟ୍‌ ରଖା ଯାଇଥାଏ । ଦାଣ୍ଡର ଦୁଇ ପାର୍ଶ୍ୱରେ ଗ୍ରାମବାସୀ ମାନେ ଶିକ୍ଷକ ମାନଙ୍କୁ ପ୍ରଣାମ କରୁଥାନ୍ତି ।


ଗାଁ’ର ଶେଷ ପର୍ଯ୍ଯନ୍ତ ଏକ ଅଭିନବ ଦୃଶ୍ଯ ସୃଷ୍ଟି ହୋଇଥିଲା ସେଦିନ । ଗାଁ ଶେଷରେ ଶିକ୍ଷକମାନେ ନିଜ ନିଜର ସାଇକେଲ ଧରିଲେ । ସହକାରୀ ପ୍ରଧାନ ଶିକ୍ଷକ ବାପାଙ୍କୁ କହିଲେ, “ଜୟନ୍ତ ବହୁତ ମେଧାବୀ ଛାତ୍ର । ତାକୁ ରାଜଧାନୀରେ ଥିବା ରାଜ୍ଯର ସର୍ବୋତ୍ତମ କଲେଜରେ ପାଠ ପଢ଼େଇବେ । ନିଶ୍ଚିତ ରୂପେ ତାକୁ ବୃତ୍ତି ମିଳିବ । ଗତ ବର୍ଷ ଆମ ସ୍କୁଲ୍‌ର ସନ୍ଦୀପ ସେ କଲେଜରେ ପଢ଼ୁଛି । ଆସନ୍ତାକାଲି ଜୟନ୍ତକୁ ତା ପାଖକୁ ପଠାଇ ଦିଅନ୍ତୁ । ସେ ଜୟନ୍ତର ନାମଲେଖା ବନ୍ଦୋବସ୍ତ କରିଦେବ”। ତା’ପରେ ଶିକ୍ଷକମାନେ ସ୍କୁଲ୍ ଅଭିମୁଖେ ପ୍ରସ୍ଥାନ କଲେ ।


ବାପା, ତାଙ୍କ ବନ୍ଧୁମାନେ ଓ ଜୟନ୍ତ ତଥା ଅନ୍ଯ ଛାତ୍ରମାନେ ଘରକୁ ଫେରିଲେ । ରାସ୍ତାସାରା ଗ୍ରାମବାସୀମାନେ ବାପାଙ୍କ ସହିତ ହସଖୁସି କରି ଜୟନ୍ତର ପ୍ରଶଂସା କରି ଚାଲିଥାନ୍ତି । ଏ ସବୁରେ ବାପା ବିମୋହିତ କି ନୁହଁ ଜୟନ୍ତ କିଛି ଆଭାସ ପାଉ ନଥିଲା । ବାପା ତାକୁ କଲେଜ ପଠାଇବେ କି ନାହିଁ ସେ ବିଷୟରେ ସେ ସନ୍ଦିହାନ ଥିଲା ।


ଘରେ ପହଁଞ୍ଚି ବାପା ଆଉ ମା’ଙ୍କ ମୁହଁକୁ ସିଧା ଚାହିଁ ପାରୁ ନଥାନ୍ତି । ମା କହି ଚାଲିଲେ, “ବୁଝିଲୁ ଜୟନ୍ତ! ମୁଁ ଭଲ ଭାବରେ ଜାଣିଥିଲି, ପରିଣତି ଏଇଆ ହିଁ ହେବ । ହାତୁଡ଼ିରେ ସୁନାରୀ ଯେଉଁପରି ପିଟି ପିଟି ସୁନାକୁ ଏକ ମନଲୋଭା ସୁନ୍ଦର ଅଳଙ୍କାରରେ ପରିଣତ କରିଥାଏ, ତୋର ବାପା ଠିକ୍ ସେହିପରି କାମ ଓ ପାଠ ମାଧ୍ଯମରେ ତୋତେ ଏକ ଉଜ୍ୱଳ ସୁନା ବନେଇ ଦେଇଛନ୍ତି । ତୁ ସାରା ଜୀବନ ସୁନା ଭଳି ଚମକୁଥିବୁ” ।


ଜୟନ୍ତ ବାପାଙ୍କ ଅଣ୍ଟାକୁ କୁଣ୍ଢାଇ ଧରିଲା । ବାପା ମା’ଙ୍କ ମୁହଁକୁ ଚାହିଁଲେ । ଏକ ଚପାହୁଆ ହସ ବାପାଙ୍କ ମୁହଁରେ ଉଙ୍କି ମାରୁଥିଲା । ତାଙ୍କ ଦୁଇ ଆଖିରେ ଦୁଇଟୋପା ଆନନ୍ଦାଶ୍ରୁ ନିମ୍ନଗାମୀ ହେବାନିମନ୍ତେ ଅପେକ୍ଷାରେ ଥିଲେ ।



Rate this content
Log in

Similar oriya story from Classics