Bibhutibhusan Majhi

Romance Tragedy Fantasy

4.5  

Bibhutibhusan Majhi

Romance Tragedy Fantasy

କପର୍ ସଲ୍‌ଫେଟ୍‌

କପର୍ ସଲ୍‌ଫେଟ୍‌

6 mins
222


“ହେଇଟି, ଶୁଣିଲଣି, ନୟନା ଚାଲିଗଲେ”, ଅଧାଆଉଜା କବାଟଟା ଖୋଲି ଘରେ ପଶୁପଶୁ ନିବେଦିତା କହିଚାଲିଲେ । “ବିଚାରୀର ଶେଷସମୟରେ ପାଖରେ କେହି ନାହାନ୍ତି । ଏଇ କେତେଟା ଦିନ ହେଲା ଗାଁରୁ ପୁତୁରା ଓ ପୁତୁରାବୋହୁ ଆସି ପାଖରେ ଅଛନ୍ତି । ପୁଅ ଆଉ ଝିଅ ପାଖକୁ ଆଇଏସଡି ଲଗଉଛନ୍ତି, ଅପେକ୍ଷା କରିବେ, ନା ସିଧା ସ୍ୱର୍ଗଦ୍ୱାର ଯିବେ ।“ କହୁ କହୁ ଆଖି ଛଳଛଳ ହୋଇ ଯାଉଥାଏ ତାଙ୍କର ।


ବିକାଶ ଅପଲକ ନୟନରେ ଚାହିଁ ରହିଥାନ୍ତି ନିବେଦିତାଙ୍କୁ । ତାଙ୍କ କଥା ଶୁଣୁଥାନ୍ତି କି ନାହିଁ ଜଣାପଡୁ ନଥାଏ । ମାତ୍ର ଲୁହଟୋପାଟା ନିବେଦିତାଙ୍କ ମସୃଣ ଗଣ୍ଡଦେଶରେ ଏକ ଭାବୁକ ଧାର ସୃଷ୍ଟି କରୁଥିବା ଦେଖି ସେ ପ୍ରକ୍ରୁତିସ୍ଥ ହେଲେ । ପାଟିରୁ ସ୍ୱତଃସ୍ଫୁତ ବାହାରି ପଡିଲା, “ଆହା, ବିଚାରୀ ଚାଲିଗଲା, ଏକାକିନୀ, ନିଃସହାୟ ।“ ସତେ ଯେମିତି ଏ ଶବ୍ଦଗୁଡାକ ଅତି ଆପଣାର ବୋଧ ହେଉଥିବାରୁ ତାକୁ ଘୋଡେଇବା ପାଇଁ ବିକାଶ ତତ୍ କ୍ଷଣାତ୍ କହିଚାଲିଲେ, “ପର୍ଶୁରାମବାବୁ ତ ଯିବାର ପାଞ୍ଚ ବର୍ଷ ହୋଇଗଲାଣି । ପୁଅ ଝିଅ ଦି’ଟା ମଧ୍ୟ ମା’ଙ୍କୁ ପାଖରେ ରଖିବାର ପ୍ରୟାସ କଲେନାହିଁ । କ’ଣ କରିବା, ଯାହା ଭାଗ୍ୟରେ ଅଛି ଭୋଗିବାକୁ ପଡ଼େ ।“ ଗଳା ଖଙ୍କାରି ବିକାଶ ଯେପରି ମନର କୋହକୁ ଲୁଚେଇ ଦେଉଥିଲେ ।


କହିଲେ, “ ଆଛା, ଚାଲ୍, ଶେଷ ଦାର୍ଶନଟା କରି ଆସିବା ।“


ନିବେଦିତା କହିଲେ, “ନାହିଁ, ଏଇ ପରା ପ୍ରଣତୀ ଫୋନ କରିଥିଲେ, ଅମ୍ବୁଲାନ୍ସରେ ଶବକୁ ଶବଗୃହକୁ ନେଇଗଲେଣି । ଝିଅ ଆସି ପହରିଦିନ ସକାଳୁ ପହଞ୍ଚିବ, ଆଉ ଶବଦାହ ସେହିଦିନ ହେବ । ପୁଅ ଆସି ପାରିବନି ବୋଲି କହିଲା ।“


ସର୍ବଭାରତୀୟ ଚାକିରିରେ ଓଡ଼ିଶା ବାହାରେ ବଡ ବଡ ସହରରେ ସମୟ କାଟି ଅବସରପ୍ରାପ୍ତପରେ ଏବେ ଭୁବନେଶ୍ୱରରେ ଡ୍ୟୁପ୍ଲେକ୍ସଘରଟିଏ କିଣିଥାନ୍ତି ବିକାଶ । ଘରଟି ପୁରୁଣାହେଲେ ବି ଭଲ ଅବସ୍ଥାରେ ଅଛି । ଗୋଟିଏ ଘର ଛାଡି ପ୍ରଣତୀର ଘର । ନିବେଦିତାର ଅନ୍ତରଙ୍ଗ ସାଙ୍ଗ ପ୍ରଣତୀ । ସେ ହିଁ ଘରଟି କିଣେଇ ଦେଇଛନ୍ତି ବିକାଶ ଆଉ ନିବେଦିତାଙ୍କୁ ।


ପ୍ରଣତୀଙ୍କ ଘରର ପରବର୍ତ୍ତି ଘରଟି ନୟନାଙ୍କର । ନୟନା ନିଜ ଘରେ ଏକା ଏକା ରହନ୍ତି । ଦୁଇଟି କାମବାଲୀ ଆସି ଘରକାମ ଓ ରୋଷେଇବାସ କରୁଥାନ୍ତି । ବଜାରରୁ ସଉଦାପତ୍ର ନେଇ ଆସନ୍ତି । କେତେବେଳେ ପରିବାବାଲା ଓ ମାଛବାଲା ଆସିଲେ ଘରର ଗେଟ୍ ପାଖରେ ନୟନାଙ୍କ ଦର୍ଶନ ମିଳେ । ବିଗତ ପାଞ୍ଚବର୍ଷ ଭିତରେ ପୁଅଝିଅ କେହି କିଛି ସମୟ ବିତେଇବାକୁ ତାଙ୍କ ପାଖକୁ ଆସିଥିଲା ଭଳି ମନେହୁଏ ନାହିଁ । ନିବେଦିତା ଓ ପ୍ରଣତୀ କେତେଥର ଚେଷ୍ଟାକରିଛନ୍ତି ନୟନାଙ୍କ ସଙ୍ଗେ ମିଶିବା ପାଇଁ, କିଟ୍ଟି ପାର୍ଟିରେ ମିଶେଇବା ପାଇଁ । ମାତ୍ର ସଫଳକାମୀ ହୋଇ ନଥିଲେ । ନୟନା ମଧ୍ୟ ଏ ଦୁଇଜଣଙ୍କୁ କେବେ ଚା’ ପିଇବାପାଇଁ ଡାକି ନାହାଁନ୍ତି । ନିବେଦିତା କେତେଥର ବିକାଶଙ୍କୁ କହିଛନ୍ତି, “ନୟନା ଏକା ଏକା ରହୁଛନ୍ତି, ଚାଲ, ତାଙ୍କ ଘରଆଡେ ବୁଲି ଆସିବା ।“ ମାତ୍ର ବିକାଶ କେବେ ରାଜି ହୋଇନାହାଁନ୍ତି । ନିଜ ଘରକୁ ନୟନାଙ୍କ ଘର ଦେଇ ସିଧା ସଳଖ ରାସ୍ତା ଥିଲେ ମଧ୍ୟ ବିକାଶ ଅନ୍ୟ ରାସ୍ତାରେ ଗାଡି ବୁଲାଇ କରି ଘରକୁ ଆସନ୍ତି । କାରଣ ପଚାରିଲେ ଚୁପ୍ ରହନ୍ତି ।


ଡିନର ଟେବୁଲରେ ନିବେଦିତା ସେଦିନ ନୟନା ଓ ପର୍ଶୁରାମବାବୁଙ୍କର ସୁଖମୟ ଦାମ୍ପତ୍ୟ ଜୀବନର ସୁନ୍ଦର ଇତିହାସ ଖୋଲିଦେଲେ । ପ୍ରଣତୀଠାରୁ ଯାହାକିଛି ଶୁଣିଥିଲେ ଏକାଧାରାରେ କହିଚାଲିଲେ । “ପର୍ଶୁରାମବାବୁଙ୍କର ଭୁବନେଶ୍ୱର ପୋଷ୍ଟିଙ୍ଗ୍ ବେଳେ ନୟନାଙ୍କ ସହିତ ବିବାହ କରିଥିଲେ । ସେହିବର୍ଷ ଏହି ନୂଆଘରଟି କିଣିଥିଲେ । ପ୍ରଥମରୁ ନୟନା ସେହି ଘରେ ରହି ଆସିଛନ୍ତି । ଆଗ ପର୍ଶୁରାମବାବୁଙ୍କର ବାପ ଓ ମା ପାଖରେଥିଲେ । ତାପରେ ପିଲାମାନଙ୍କର ଜନ୍ମ ଏହି ଘରେ ହୋଇଥିଲା । ସରକାରୀ ନୀୟମ ଅନୁସାରେ ପର୍ଶୁରାମବାବୁଙ୍କର ବିଭିନ୍ନ ସ୍ଥାନକୁ ବଦଳି ହୋଇଥିଲା । ମାତ୍ର ବାପା ଓ ମା’ଙ୍କର ବାର୍ଦ୍ଧକ୍ୟଜନିତ ଚିକିତ୍ସା ତଥା ପିଲାମାନଙ୍କର ପାଠପଢ଼ା ସୁବିଧା ନିମନ୍ତେ ନୟନା ସାରା ଜୀବନକାଳ ଭୁବନେଶ୍ୱରରେ କଟେଇଦେଲେ । ପିଲାମାନଙ୍କର ପାଠପଢ଼ା, ଚାକିରୀ, ବିବାହ, ବିଦେଶଗମନ, ସବୁ ନୟନାଙ୍କ ତତ୍ତ୍ୱାବଧାନରେ ହୋଇଥିଲା । ଅବଶ୍ୟ ପର୍ଶୁରାମବାବୁ ସବୁବେଳେ ନୟନାଙ୍କ ହଁ ରେ ହଁ ମିଳାନ୍ତି । ନୟନା ଯେତେବେଳେ କହନ୍ତି ପର୍ଶୁରାମବାବୁ ଭୁବନେଶ୍ୱରରେ ପହଁଞ୍ଚି ଯାଆନ୍ତି । ପର୍ଶୁରାମବାବୁ ପହଁଞ୍ଚିଗଲେ କାଳେ ତାଙ୍କ ଘର ଉତ୍ସବମୁଖର ହୋଇଉଠେ । ଅଧରାତିଯାଏ ଘରଭିତରୁ ହସର ସୁଅ ଛୁଟୁଥାଏ । ପର୍ଶୁରାମବାବୁଙ୍କ ବାପା ଓ ମା ନୟନାଙ୍କୁ ତ ନିଜ ଝିଅଠାରୁ ଅଧିକ ସ୍ନେହ କରୁଥିଲେ । ଗୋଟିଏ ମାସ ଭିତରେ ଉଭୟଙ୍କର ସ୍ୱର୍ଗବାସ ନୟନାଙୁ ବହୁତ କଷ୍ଟ ଦେଇଥିଲା । ଦୁଃଖରେ ଭାଙ୍ଗି ପଡ଼ିଥିଲେ । ପିଲାମାନଙ୍କର ବିଦେଶଗମନଜନିତ ବିଛେଦ ମଧ୍ୟ ତାଙ୍କୁ ଏତେ ବାଧି ନଥିଲା । ପର୍ଶୁରାମବାବୁ କାଳେ ନୟନାଙ୍କୁ ସମ୍ଭାଳିବା ପାଇଁ ଦୁଇମାସ ଛୁଟି ନେଇ ଭାରତବର୍ଷର ସମସ୍ତ ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଇଥିଲେ । ଏତେ ସୁଖଶାନ୍ତିର ଜୀବନରେ କାର ବୋଧହୁଏ ନଜର ଲାଗିଗଲା । ପର୍ଶୁରାମବାବୁ ଚାଲିଯିବା ପରଠୁଁ ବିଚାରୀ ସ୍ଥାଣୁ ପାଲଟି ଯାଇଛି ।“ ଅନର୍ଗଳ କହି ଚାଲିଥିଲେ ନିବେଦିତା । ବିକାଶ ତଳକୁ ମୁହଁ ପୋତି ସବୁ ଶୁଣିବାର ଅଭିନୟ କରୁଥାନ୍ତି । ସେ କ’ଣ ଖାଉଥାନ୍ତି ହୁଏତ ଜାଣିପାରୁ ନଥାନ୍ତି । ଲୁହଗୁଡାକ ମର୍ଯ୍ୟଦାର ବନ୍ଧ ଭାଙ୍ଗିଦେବା ଆଗରୁ ସେ ଉଠିଯାଇ ୱାସିଙ୍ଗବେସିନରେ ମୁହଁ ଧୋଇଦେଲେ ।


ରାତିରେ ବିକାଶଙ୍କୁ ନିଦ ହେଲାନାହିଁ । ବିଛଣାରେ ଛଟପଟ ହେଉଥାନ୍ତି । ବେଡଲ୍ୟାମ୍ପର ଅସ୍ପଷ୍ଟ ଆଲୋକରେ କେତେବେଳେ ନିବେଦିତାଙ୍କର ଚିନ୍ତାହିନ, ପ୍ରଶାନ୍ତ ସୁନ୍ଦର ମୁଖମଣ୍ଡଳରେ ଦୃଷ୍ଟି ପକାଉଥାନ୍ତି ତ କେତେବେଳେ ଶୂନ୍ୟ ଛାତଟାକୁ । ନିଜ ବାହୁ ଉପରୁ ନିବେଦିତାଙ୍କ ମୁଖମଣ୍ଡଳକୁ ଧୀରେ ତକିଆ ଉପରକୁ ଖସେଇଦେଇ କଡ ଲେଉଟେଇଲେ ସେ । ମନଭିତରେ ଏକ ଶୁନ୍ୟତା ଭରି ରହିଥିଲା । ସେହି ଶୁନ୍ୟତାଭିତରେ ନିଜର ଅତୀତକୁ ଖୋଜୁ ଖୋଜୁ କେତେବେଳେ ତାଙ୍କର ଆଖି ଲାଗିଯାଇଥିଲା ।


“ଦିନ ଆଠଟା ହେଲାଣି, ଉଠିବନି ନା କ’ଣ‌ ।” ନିବେଦିତାଙ୍କର ଉଚ୍ଚ ଆବାଜରେ ବିକାଶଙ୍କର ନିଦ ଭାଙ୍ଗିଲା । କହିଲେ, “ମୁଣ୍ଡଟା କାହିଁକି ଭାରି ଭାରି ଲାଗୁଛି । ଆଜି ଦିନଟା ଛୁଟି ନେଇଯାଉଛି ।“


ପ୍ରତ୍ୟେକ ମୂହୁର୍ତ୍ତଗୁଡିକ ବିକାଶଙ୍କପାଇଁ ଅସହ୍ୟବୋଧ ହେଉଥାଏ । ସେ ପ୍ରାୟ ଅନ୍ୟମନଷ୍କ ରହୁଥାନ୍ତି । ମାତ୍ର ପର ମୂହୂର୍ତ୍ତରେ ପ୍ରକୃତିସ୍ଥ ହୋଇ ସ୍ୱାଭାବିକ ବ୍ୟବହାର କରୁଥାନ୍ତି । ମଧ୍ୟାହ୍ନଭୋଜନ ପରେ ନିବେଦିତାଙ୍କୁ କହିଲେ, “ତୁମେ ବିଶ୍ରାମ କର । ମୁଁ ଟିକିଏ ବାହାରୁ ବୁଲି ଆସୁଛି ।“


ଗାଡି ଧରି ବାହାରି ପଡିଲେ ସେ । ଅତୀତରେ ପଢୁଥିବା କଲେଜ ପାଖଦେଇ ନିକଟବର୍ତ୍ତି କେନାଲ କୂଳେ କୁଳେ ଗାଡି ଗଡି ଚାଲିଥାଏ । କିଛିବାଟ ଗଲାପରେ କେନାଲଉପରକୁ ଝୁଙ୍କି ପଡିଥିବା ଗୋଟିଏ ବିରାଟ ପଥର ପାଖରେ ଗାଡି ରଖିଲେ । ଦ୍ରୂତଗତିରେ ଯାଇ ପଥର ଉପରେ ବସିପଡିଲେ । ସତରେ ଯେମିତି ତାଙ୍କର ମନ ଉତଫୁଲ୍ଲିତ ହୋଇଉଠିଲା । କେନାଲ ଜଳ ଭିତରେ ତାଙ୍କୁ ଯେମିତି ଦ୍ଦୁଇଟି ପ୍ରତିଛବି ଦେଖାଗଲା । କେମିଷ୍ଟ୍ରି ଲବୋରେଟୋରୀରୁ ଆରମ୍ଭ ହୋଇଥିବା ଦୋସ୍ତି ପ୍ରତ୍ୟେକ ଶନିବାର ଅପରାହ୍ଣରେ ଉଭୟଙ୍କୁ ଏହିଯାଗାକୁ ଟାଣି ଆଣୁଥିଲା । ନୟନା ଏକ ସମ୍ଭ୍ରାନ୍ତବଂଶୀୟ ଝିଅ ଥିଲେ । ବିକାଶଙ୍କ ଗାଁ ପାଖ ଗାଁର । କଲେଜରେ ପଢ଼ିବାପାଇଁ ନିଜ ଭାଇ ଓ ଭାଉଜଙ୍କ ପାଖରେ ରହୁଥିଲେ । ଭାଇ ଓ ଭାଉଜଙ୍କ ଭିତରେ ବେଶ୍ ମଧୁର ସମ୍ପର୍କ ଥାଏ । ସେମାନଙ୍କର ପ୍ରେମଜନିତ ଦୁଷ୍ଟାମୀ ନଦେଖିଲା ଭଳି ନାଟକକରି ନୟନା ବେଶ୍ ଉପଭୋଗ କରୁଥିଲେ । ସେଥିରେ ସେ ଏତେ ଆତ୍ମବିଭୋର ହୋଇଯାଆନ୍ତି ଯେ କାହା ଆଗରେ ପ୍ରକାଶ କରିବାକୁ ଉତ୍ସୁକ ହେଉଥାନ୍ତି । ଶନିବାର ଦିନ ସେହି ସୁନ୍ଦର ମୂହୁର୍ତ୍ତ ଗୁଡିକ ବିକାଶଙ୍କ ଆଗରେ ଅନର୍ଗଳ ଗାଇଚାଲନ୍ତି । କେତେବେଳେ ଖୁସିରେ ଅଧୀରା ହୋଇ ବିକାଶଙ୍କ ଉପରେ ଲୋଟି ପଡନ୍ତି ତାହା ସେ ଜାଣିପାରନ୍ତି ନାହିଁ ।


ଭାଇ ଓ ଭାଉଜଙ୍କର ଅତ୍ୟନ୍ତ ଗେଲବସର ଥିଲେ ନୟନା । ଯେତେବେଳେ ଯାହା ଚାହାନ୍ତି ଯୋଗାଇ ଦିଅନ୍ତି । କଲେଜଠାରୁ ଅଳ୍ପ ଦୂରରେ ଘର ହୋଇଥିଲେ ମଧ୍ୟ ନୟନା କଲେଜ ଯିବାପାଇଁ ଲୁନାଟିଏ କିଣିଦେଇଥାନ୍ତି । ନୟନା ନିଜ ରୁଚିର ଡ୍ରେସ୍ ପିନ୍ଧନ୍ତି । ତାଙ୍କର ପସନ୍ଦର ରଙ୍ଗ ଥିଲା ଗାଢ ନୀଳ, ଯାହା ନାରୀ ମହଲରେ କପର ସଲଫେଟ୍ ନାମରେ ପ୍ରଚଳିତ । ଶାଢ଼ି, ଡ୍ରେସ୍, ପର୍ସ – ସବୁ କିଛି କପର ସଲଫେଟ୍ ରଙ୍ଗର । ନୟନାଙ୍କର ଗୋରା ଦେହକୁ ସେ ରଙ୍ଗଟା ବହୁତ ସୁନ୍ଦର ଦେଖାଯାଏ । ସବୁବେଳେ ସେହି ଗୋଟିଏ ରଙ୍ଗର ପରିଧାନ ବ୍ୟବହାର କରୁଥିବାରୁ ନୟନାଙ୍କୁ କଲେଜରେ କପର ସଲଫେଟ୍ ବୋଲି ଆଖ୍ୟା ଦେଇଥାନ୍ତି । ଅନେକଥର ଏ ବିଷୟରେ ଦୁହିଁକ ମଧ୍ୟରେ ଆଲୋଚନା ହୋଇଛି । କଲେଜରେ ପିଲାମାନେ କେମିତି କାନ୍ଥ, ବାଡ, ବ୍ଲାକବୋର୍ଡ ଆଦିରେ ନୟନାଙ୍କୁ ଆକ୍ଷେପକରି କପର ସଲଫେଟ୍ ଲେଖିଥାନ୍ତି ତାହା ବିକାଶ ପ୍ରକାଶ କଲାବେଳେ ନୟନା ହସରେ ଲୋଟି ପଡ଼ନ୍ତି । ବିକାଶ ମଧ୍ୟ ନୟନାଙ୍କ ସାନିଧ୍ୟ ଉପଭୋଗ କରନ୍ତି । ଧୀରେ ଧୀରେ ବିକାଶ ନୟନାଙ୍କୁ ଭଲପାଇବାକୁ ଲାଗିଲେ । ମାତ୍ର ଗାଁ ପାଖ ଗାଁର ଝିଅ, ଚିହ୍ନା ଜଣା ପରିଜନ । ପୁଣି ଉଚ୍ଚ ଖାନଦାନର । ବିକାଶ ମୁହଁ ଖୋଲି ମନକଥା କହିପାରୁ ନଥାନ୍ତି । ମନ ଭିତରେ ବି ଡର ଥାଏ, କାଳେ ନୟନାଙ୍କ ମନରେ ଆଉ କ’ଣ ଥିବ?


ବିକାଶଙ୍କ ମନ ଭିତରେ ଜାଗିଉଠିଥିବା ବାସନା ପ୍ରେମର ରୂପ ନେବାପୂର୍ବରୁ କଲେଜକାଳ ଶେଷ ହୋଇଗଲା । ଗୋଟିଏ ସପ୍ତାହ ପୂର୍ବରୁ ନୟନା ହସି ହସି କହିଥିଲେ, “ଦେଖ, କଲେଜ ଶେଷ ହେବାକୁ ଯାଉଛି, ମୋତେ କିଛି ଗିଫ୍ଟ ଦେବ ନି?” କଥାଟି କହିଲାବେଳେ ନୟନା କେତେ ଗଭୀରତାର ସହିତ କହିଥିଲେ କିଏ ଜାଣେ, ମାତ୍ର ବିକାଶଙ୍କ ପ୍ରେମପିପାସୂ ମନକୁ କଥାଟି ଛୁଇଁ ଯାଇଥିଲା । ବିଦାୟ ଦିନ ସୁନ୍ଦରଭାବରେ ସଜ୍ଜିତ ଛୋଟ ଗିଫ୍ଟ ପ୍ୟାକେଟଟି ନୟନାଙ୍କ ହାତକୁ ବଢାଇ ଦେଇଥିଲେ ବିକାଶ । ଅତ୍ୟନ୍ତ ଆନନ୍ଦରେ ଉଛୁଳିପଡି ନୟନା କହିଥିଲେ, “ବହୁତ ଧନ୍ୟବାଦ ।“ ମନିପର୍ସରେ ପ୍ୟାକେଟଟିକୁ ରଖୁ ରଖୁ ସେ କହିଥିଲେ, “ଅତି ଯତ୍ନରେ ରଖିବି । ବହୁତ ବହୁତ ଧନ୍ୟବାଦ ।“ ହସରେ ହସରେ ଉଭୟେ ବିଦାୟ ନେଇଥିଲେ । ସେ ଦିନର ନୟନାଙ୍କ ସେହି ହସ ହସ ମୁହଁଟି ବିକାଶଙ୍କ ଆଖିଆଗରେ ଭାସିଊଠିଲା । ସେ ଟିକିଏ ଆଶ୍ୱସ୍ତି ବୋଧକଲେ । ମନେପଡିଗଲା କଲେଜପଢ଼ାପରେ ଗାଁରେ ବାପାଙ୍କର ସେହି ପ୍ରଶ୍ନ, “ବୃତ୍ତିଟଙ୍କାରୁ ଶହେଟଙ୍କା ଉଣା କାହିଁକି, କ’ଣ କଲୁ?” ସେ କେମିତି ଚୂପ ରହିଥିଲେ, କିଛି କହି ନଥିଲେ । ନିଜର ବିବଶତାକୁ ମନେପକେଇ ବହେ ହସିଲେ । 

ତାପରେ ନୟନାଙ୍କ ସହିତ କେବେ ଦେଖା ହୋଇ ନଥିଲା । ବିଧି ନିର୍ଦ୍ଧାରିତ ଗନ୍ତବ୍ୟ ପଥରେ ଉଭୟେ ଆଗେଇ ଯାଇଥିଲେ । ଏତେ ବର୍ଷପରେ ଏତେ ପାଖରେ ନୟନାଙ୍କ ଉପସ୍ଥିତି ତାଙ୍କୁ ଅସ୍ଥିର କରୁଥିଲା । ମାତ୍ର ନୟନାଙ୍କ ମୃତ୍ୟୁପରେ ସେ ଅଧ୍ୟାୟର ପରିସମାପ୍ତି ହେଲା । ଗାଡିଟି ଧରି ସିଧାରାସ୍ତାରେ ବିକାଶ ଘରକୁ ଫେରିଲେ ।


ପରଦିନ ନୟନାଙ୍କ ଝିଅ ଆମେରିକାରୁ ଆସି ଶେଷକୃତ୍ୟ ପାଇଁ ଶବ ଘରକୁ ଅଣାଗଲା । ବିକାଶ ନିଜକୁ ରୋକି ପାରୁ ନଥିଲେ। ନିବେଦିତାଙ୍କ ସାଙ୍ଗରେ ନୟନାଙ୍କ ଶେଷଦର୍ଶନ ପାଇଁ ଆଗେଇ ଯାଇଥିଲେ । ନୟନାଙ୍କ ଝିଅ କାନ୍ଦିକାନ୍ଦି ମା’ଙ୍କ ଶବ ଉପରେ ଲୋଟି ପଡିଥିଲେ । ଶବ ଢ଼ଙ୍କା ଯାଇଥିବା ଶ୍ୱେତବସ୍ତ୍ରଟି ଟିକିଏ ଖସିଯାଇଥିବାରୁ ନୟନାଙ୍କ ବାମ ହାତଟି ଦେଖାଯାଉଥିଲା । ବିକାଶ ହତବାକ୍ ହୋଇ ନୟନାଙ୍କ ଆଙ୍ଗୁଳିରେ ଥିବା କପର ସଲଫେଟ୍ ରଙ୍ଗର କାଚ-ବସା ସେହି ଶହେ ଟଙ୍କିଆ ଷ୍ଟିଲ୍ ମୂଦିଟିକୁ ଚାହିଁ ରହିଥାନ୍ତି ।


Rate this content
Log in

Similar oriya story from Romance