STORYMIRROR

Bibhutibhusan Majhi

Tragedy Classics Inspirational

4  

Bibhutibhusan Majhi

Tragedy Classics Inspirational

ଗାଁ ମାଟି ପାଣି ପବନ

ଗାଁ ମାଟି ପାଣି ପବନ

12 mins
62


ରାତିସାରା ତନୀଶାକୁ ନିଦ ହେଉ ନଥାଏ । ବାରମ୍ବାର କଡ଼ ଲେଉଟାଉ ଥାଏ । ପାଖରେ ଗଭୀର ନିଦରେ ଶୋଇଥିବା ନିଶିକାନ୍ତଙ୍କ ନିଦରେ ଯେପରି ବ୍ଯାଘାତ ସୃଷ୍ଟି ନ ହେବ ଖଟ ଉପରେ ଟିକିଏ ଦୂରରେ ଶୋଇ ଥାଏ ସେ । ଅସ୍ଥିର ମନରେ ମଝିରେ ମଝିରେ ଵେଡ୍‌ଲାଇଟ୍‌ର ଅସ୍ପଷ୍ଟ ଆଲୋକରେ କାନ୍ଥଘଡ଼ିଟାକୁ ଦେଖୁ ଥାଏ । ରାତି ଗୋଟାଏ, ଦି’ଟା, ତିନିଟା, ଚାରିଟା, ଚାରିଟା ପନ୍ଦର ହେଲାଣି । ନିଶିକାନ୍ତ ପ୍ରାୟ ସକାଳ ଘ୪.୩୦ ବେଳକୁ ଉଠନ୍ତି । ତେଣୁ ନିଶିକାନ୍ତଙ୍କ ପ୍ରସାରିତ ବାମ ବାହୁ ଉପରେ ମୁଣ୍ଡ ରଖି ଦେହକୁ ଲାଗି ଶୋଇପଡ଼ିଲା ତନୀଶା । ତାଙ୍କ ମୁଣ୍ଡରେ ଧୀରେ ଧୀରେ ବାମ ହସ୍ତର ଅଙ୍ଗୁଳି ଚାରଣ କରିବାରୁ ନିଶିକାନ୍ତଙ୍କ ନିଦ୍ରାଭଗ୍ନ ହେଲା । 

“କଥା କ’ଣ, ଆଜି ଏଡ଼େ ସକାଳୁ କ’ଣ ଉଠି ପଡ଼ିଲଣି?” ପଚାରିଲେ ନିଶିକାନ୍ତ ।

“ନାଁ ମ, ରାତିସାରା ଶୋଇନି । ଆଜି ଶନିବାର ଆଉ କାଲି ରବିବାର । ଦୁଇ ଦିନ ଛୁଟି ଅଛି । ଗାଁ ଆଡ଼େ ବୁଲି ଆସିଲେ କେମିତି ହୁଅନ୍ତା? ନୂଆଁ କାର୍, ଲ’ଙ୍ଗ୍ ଡ୍ରାଇଭ୍,‌ ମଜା ଲାଗନ୍ତା ।”

ନିଶିକାନ୍ତଙ୍କର ଇଛା ହେଉଥାଏ ତନୀଶାକୁ ଚିଡ଼େଇବା ପାଇଁ ଟିକେ ଚିହିଁକି କରି କହିବାକୁ, କ’ଣ ସବୁବେଳେ ତ ବୁଲିଯିବା ପ୍ରୋଗ୍ରାମରେ ଗାଁ’ ନାଁ’ଟା କେବେ ନଥାଏ, କିମ୍ବା ଥିଲେ ଶେଷରେ ଥାଏ, ଆଜି ହଠାତ୍‌ କ’ଣ ହେଲା?

ମାତ୍ର ସେ ତନୀଶାକୁ ଆଉ ଟିକିଏ ନୀବିଡ଼ ଭାବରେ କୋଳେଇନେଇ କହିଲେ, “ତମେ ସକାଳୁ ସକାଳୁ ମୋ ମୁହଁରୁ କଥାଟା ଛଡ଼େଇ ନେଲ । ଚାଲ, ଜଲ୍‌ଦି ବାହାର, ଆଜି ଗାଁକୁ ଯିବା ।”

ନିଶିକାନ୍ତ ଓ ତନୀଶା ପ୍ରଥମେ ନିତ୍ଯକର୍ମ ଶେଷକରି ପୁଅ ସୋହନ୍ ଓ ଝିଅ ରିଧିମାକୁ ଜଲ୍‌ଦି ପ୍ରସ୍ତୁତ ହେବାକୁ କହିଲେ । ତନୀଶା ଜଳଯୋଗ ପ୍ରସ୍ତୁତ କରିବାରେ ଲାଗିଲେ ଓ ନିଶିକାନ୍ତ ନିଜ ନୂଆ କାର୍ ପରଖି ନେଲେ । ସମସ୍ତେ ଜଳଯୋଗ ଶେଷକରି ସକାଳ ଘ୮.୦୦ ସୁଦ୍ଧା ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲେ ।

୧୨୦କିମି ଦୂରରେ ଗାଁ, ପ୍ରଶସ୍ତ ରାଜରାସ୍ତା, ତଥାପି ଦୁଇ ତିନି ଘଣ୍ଟା ଲାଗିଯାଏ ଗାଁ’ରେ ପହଁଞ୍ଚିବାକୁ । ରାସ୍ତା ସାରା ନିଶିକାନ୍ତ ଓ ତନୀଶା ପିଲାମାନଙ୍କୁ ବୁଝାଇ ଚାଲିଥାନ୍ତି - ଯେଉଁମାନେ ତୁମଠାରୁ ବଡ ସେମାନଙ୍କୁ ପାଦ ଛୁଇଁ ନମସ୍କାର କରିବ, ଯାହା ପଚାରିବେ ଧୀର ସ୍ୱରରେ ହସ ହସ ମୁହଁରେ ଉତ୍ତର ଦେବ । କାହାକୁ ଉଚ୍ଚ କଣ୍ଠରେ ପ୍ରଶ୍ନ କରିବ ନାହିଁ । ଏକାଠି ସମସ୍ତେ ଭୋଜନ କରୁଥିବା ବେଳେ ଆଗୁଆ ଉଠି ଚାଲିଯିବ ନାହିଁ, ସମସ୍ତଙ୍କର ସ୍ନେହ ଶ୍ରଦ୍ଧାକୁ ସମ୍ମାନ କରିବ, ଇତ୍ଯାଦି, ଇତ୍ଯାଦି । ଗାଁ ଆଉ ଦଶ କିମି ଦୂରରେ ଅଛି, ଗୋଟିଏ ଛୋଟକାଟର ସହରଟିଏ ପଡ଼ିଲା । ନିଶିକାନ୍ତ ଗାଡ଼ିକୁ ପିଚୁ ରାସ୍ତା ତଳକୁ କରି ପାର୍କ କଲେ ।

ନିଜେ ଗାଡ଼ିରୁ ଓହ୍ଲାଇ ବିଭିନ୍ନ ପରିବା ଅଖାଏ କିଣିଲେ । ଗାଙ୍ଗୁରାମ ସୁଇଟ୍‌ସରୁ ଦୁଇ କେଜି ଛେନାପୋଡ଼ ଓ ୧୦୦ଟା ଲଡ଼ୁ ପ୍ଯାକ୍‌ କରେଇ ନେଇ ଗାଡ଼ି ଡ଼ିକିରେ ରଖିଲେ । ମାଛବାଲା ଠାରୁ ଅଢ଼େଇ କେଜିଆ ମାଛଟାଏ କଟେଇ ଆଣିଲେ ।

ତାପରେ ଗାଡ଼ି ଚଲାଉ ଚଲାଉ ପିଲାମାନଙ୍କ ଉଦ୍ଦେଶ୍ଯରେ କହିଲେ, “ଆମର ଯୁଗ୍ମ ପରିବାର ହେଲେ ମଧ୍ଯ ଗାଁରେ କେବଳ ତୁମ ବଡ଼ବାପା, ବଡ଼ମା, ତାଙ୍କର ସାନ ଦୁଇ ପୁଅଙ୍କ ପରିବାର, ସବୁ ମିଶି ନଅ ଜଣ ରହନ୍ତି । ତେବେ ଏତେ ଗୁଡ଼ାଏ ଲଡ଼ୁ କିଣିବାର କାରଣ କ’ଣ ଜାଣିଛ? ବହୁତ ବରଷ ପରେ ଆମେ ଗାଁକୁ ଯାଉଛନ୍ତି ନା, ସାହିର ସମସ୍ତେ ଆମକୁ ଦେଖିବାକୁ ଆସିବେ । ତୁମ ମାମା(ବଡମା) ସମସ୍ତଙ୍କୁ ଲଡ଼ୁ ଖୁଆଇବେ ଆଉ ସାହିରେ ସମସ୍ତଙ୍କ ଘରକୁ ଲଡ଼ୁ ପଠେଇବେ ।”

ନିଶିକାନ୍ତଙ୍କ କଥା ନସରୁଣୁ ଗାଁ ମୁଣ୍ଡରେ ଆସି କାର୍ ପହଁଞ୍ଚିଗଲା । ସେ ପିଲାମାନଙ୍କୁ ଏକ ଆମ୍ବତୋଟା ପାଖରେଥିବା ଗୁଡ଼ିଏ କୋଠାଘରକୁ ଦେଖାଇ କହିଲେ , “ଏଇ ଦେଖ, ଗାଁ ଆରମ୍ଭରେ ଆମ ଗାଁ ହାଇସ୍କୁଲ । ମୁଁ ପଢ଼ିଲାବେଳେ ଏଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ଥିଲା । ଏବେ ଦଶମ ଶ୍ରେଣୀ ପର୍ଯ୍ଯନ୍ତ ଚାଲିଛି ।‌ ଗାଁର ଏ ମୁଣ୍ଡରେ ସ୍କୁଲ୍, ଆଉ ଆମ ଘର ଗାଁର ସେ ମୁଣ୍ଡରେ । ପାଖାପାଖି ଗୋଟେ କିମି ଦୂରରେ ।”

ହଠାତ ନିଶିକାନ୍ତ ଦେଖିଲେ ରାସ୍ତା ଉପରେ ଏକ ବିରାଟ ତୋରଣ । ତୋରଣର ଦୁଇ ଖମ୍ବରେ ଜଣେ ମହିଳାଙ୍କର ଫଟୋ, ଆଉ ଫଟୋ ଉପରେ ଗେଣ୍ଡୁ ଫୁଲର ବିରାଟ ବିରାଟ ହାର ଲଗା ହୋଇଛି ।ଫଟୋ ତଳେ ଲେଖା ହୋଇଥିବା ନାମଟି ଫୁଲରେ ଅଧା ଅଧି ଆବୃତ ହୋଇଯାଇଛି । ନିଶିକାନ୍ତ ସେହି ଦିଗରେ ଦୁଇ ପାଦ ଆଗେଇଛନ୍ତି କି ନାହିଁ ଦୁଇଜଣ ମଧ୍ଯମ ବୟସ୍କ ଯୁବକ ଆସି ତାଙ୍କ ପାଦଛୁଇଁ ନମସ୍କାର କଲେ । କହିଲେ, “ଦାଦା ଜାଣି ନଥିବେ, ଆମ ସାବି ମା ଚାଲିଗଲା ତ, ଆଜି ତାର ଏକାଦଶାହ ପୁରା ଗାଁ ସାରା ସମସ୍ତେ ମିଶି ପାଳନ କରୁଛୁ । ଗାଁର ଏ ମୁଣ୍ଡରୁ ଶେଷ ପର୍ଯ୍ଯନ୍ତ ରାସ୍ତା ଦୁଇ ପାଖରେ ଚୌକି ଟେବୁଲ ପଡ଼ିଛି । ପିଲାମାନଙ୍କ ବ୍ଯାଚ୍‌ଟା ଭୋଜି ଖାଇ ସାରିଲେଣି, ପୁରୁଷ ମାନଙ୍କ ପ୍ରଥମ ବ୍ଯାଚ୍‌ଟା ଅଧା ଖାଇସାରିଲେଣି । ପୁରୁଷ ସ୍ତ୍ରୀ ମିଶି ଆଉ ଦୁଇ ବ୍ଯାଚ୍‌ ହେବ । ଏଇ ଦୁଇଘଣ୍ଟା ହେବ ଆପଣଙ୍କ ଘରଯାଏ ଗାଡ଼ି ଯାଇ ପାରିବନି । ଗାଡ଼ିଟା ଏଇଠି ଥାଉ । କଣ ଜିନିଷପତ୍ର ଥିଲେ କୁହନ୍ତୁ ଆମେ ଘରେ ପହଁଞ୍ଚେଇ ଦେବୁ । ଆପଣ ପିଲାମାନେ ସମସ୍ତେ ଘରେ ଫ୍ରେଶ୍‌ହୋଇ ଆସନ୍ତୁ, ଏଇ ଭୋଜିରେ ଯୋଗଦିଅନ୍ତୁ ।”

ନିଶିକାନ୍ତ କହିଲେ, “ସେମିତି କିଛି ଜିନିଷପତ୍ର ନାହିଁ । ଆମେ ଟିକିଏ ପରେ ଆସୁଛୁ”, ଏହାକହି ସେ ଗାଡ଼ି ରାସ୍ତା କଡ଼ରେ ପାର୍କ୍‌କରି ସପରିବାରେ ଚାଲି ଚାଲି ଘରେ ପହଁଞ୍ଚିଲେ । ସାଥିରେ କେବଳ ମିଠା ଓ ମାଛ ବ୍ଯାଗ୍‌ ନେଇଥାନ୍ତି, ପରିବା ଓ ଡ୍ରେସ୍‌ପତ୍ର ଗୁଡ଼ାକ ଗାଡ଼ିରେ ଥାଏ । 

ନିଶିକାନ୍ତଙ୍କ ଭାଉଜ ସମସ୍ତଙ୍କୁ ଦେଖି ଆନନ୍ଦରେ କୁରୁଳି ଉଠିଲେ, ତନୀଶା ଓ ପିଲାମାନଙ୍କୁ କୋଳେଇନେଇ ବହେ ଗେଲ କରି ପକାଇଲେ । ବଡ଼ଭାଇ ମଧ୍ଯ ଖୁସିରେ ଅଧୀର ହୋଇ ପଡ଼ୁଥିଲେ । 

“ଏଇ କିଛିଦିନ ତଳେ ତ ଆମ ଗାଁ ଜମେଶ୍ୱର ତମ ବସାକୁ ଯାଇଥିଲା, ଖବର କାହିଁକି ଦେଲୁନାହିଁ । ଆଜି ସାବି ମା ଏକାଦଶାହ ଯୋଗୁ ଗାଁରେ ସମସ୍ତଙ୍କଘରେ ସକାଳବେଳା ରୋଷେଇ ବନ୍ଦ ।” 

ଉପରେ ପଡ଼ି ଭାଉଜ ନିଶିକାନ୍ତଙ୍କୁ ଚିଡ଼େଇକରି କହିଲେ, “ଆଜି ସାବି ମା ପାଇଁ ସମସ୍ତେ ପାଳନ କରୁଛୁ, ତମେ ଆମିଷ ଖାଇ ପାରିବନି । ହେଉ, କ’ଣ ଗୋଟାଏ ବନ୍ଦୋବସ୍ତ କରୁଛି ।”

ନିଶିକାନ୍ତ କହିଲେ, “ନାହିଁ ଭାଉଜ! ଆମ ପାଇଁ ବ୍ଯସ୍ତ ହୁଅନ୍ତୁ ନାହିଁ । ଆପଣମାନେ ତ ଏ ପର୍ଯ୍ଯନ୍ତ ଭୋଜି ଆଡ଼େ ଯାଇ ନାହାଁନ୍ତି । ଆମେ ଟିକେ ମୁହଁ ହାତ ଧୋଇ ହୋଇପଡ଼ୁ, ସାଥୀ ହୋଇ ଭୋଜି ଖାଇବାକୁ ଯିବା ।”

ସେଇଆ ହିଁ ହେଲା । ସମସ୍ତେ ମିଶି ଘରୁ ବାହାରିଲେ । ପ୍ରଥମେ ସାବି ମା ଘରକୁ ଗଲେ । ଅଗଣାରେ ଜାମୁଡ଼ାଳର ଛାମୁଣ୍ଡିଆ ତଳେ ସାବି ମା’ର ଏକ ଫୁଲହାର ବେଢ଼ା ଫଟୋ । ପାଖରେ ଦୁଇଫୁଟ ଉଚ୍ଚର ଦୁଇଟା ଧୂପକାଠି ଲାଗିଛି । ଗୋଟାଏ ବଡ଼ ଡାଲାରେ ବିଭିନ୍ନ ଫୁଲର ପାଖୁଡ଼ାଗୁଡ଼ାଏ ରଖା ଯାଇଛି । ନିଶିକାନ୍ତଙ୍କ ପରିବାର ସାବି ମା’କୁ ପୁଷ୍ପାଞ୍ଜଳି ଅର୍ପଣ କରି ଶେଷ ପ୍ରଣାମ ଜଣାଇଲେ । ତାପରେ ଯଥାକ୍ରମେ ସ୍ତ୍ରୀ ଓ ପୁରୁଷ ଗୋଷ୍ଠିରେ ବସି ଭୋଜନ ସମାପ୍ତ କରି ଘରକୁ ଫେରିଲେ । 

ସେଦିନ ସନ୍ଧ୍ଯାରେ ପରିବାରର ସମସ୍ତେ ବସି ହସଖୁସି ହେଉଥାନ୍ତି, ସୋହନ୍‌ ପଚାରିଲା, ବାବା, ସାବି ମା କ’ଣ ଗାଁ’ର ଭିଆଇପି ଥିଲେ ଯେ ତାଙ୍କ ଏକାଦଶାହ ପୁରା ଗାଁ ଏତେ ବଡ଼ ଆୟୋଜନ କରି ପାଳନ କଲେ । ହଠାତ ହସଭରା ବାତାବରଣରେ ଏକ ନୀରବତା ଛାଇଗଲା । ବଡ଼ବାପା, ମାମା ଓ ତନୀଶା ପରସ୍ପରକୁ ଚାହିଁ ରହିଲେ । ନିଶିକାନ୍ତ ନୀରବତା ଭଙ୍ଗକରି ସାବି ମା ବିଷୟରେ କହିବାକୁ ଆରମ୍ଭ କଲେ ।

“ଉଣେଈଶ ଷାଠିଏ ଦଶକର କଥା । ଗାଁ ଗଣ୍ଡାରେ ମଣିଷର ଜୀବନ ସହରୀ ମଣିଷଙ୍କ ଜୀବନ ଭଳି ବାସଗୃହର ଚାରି କାନ୍ଥ ଭିତରେ ସୀମାବଦ୍ଧ ନଥିଲା । ‘ଗାଁ’ରେ କ’ଣ କହିବେ’ ଥିଲା ପ୍ରତ୍ଯେକ କର୍ମର ମୂଲ୍ଯ ନିର୍ଦ୍ଧାରକ । ନିଜ ଘର ପରିବାରର ହିତ ଅପେକ୍ଷା ସାହି ପଡୋଶୀଙ୍କ ସୁଖ ସ୍ୱାଛନ୍ଦ୍ଯ ନିମନ୍ତେ ହିତୋପଦେଶ ଦେବାକୁ ଲୋକେ ପ୍ରାଧାନ୍ଯ ଦେଉଥିଲେ । କେବଳ ଉପଦେଶ ନୁହେଁ, ସାହି ଭାଇଙ୍କ ପ୍ରତ୍ଯେକ ଭଲମନ୍ଦରେ ପ୍ରତ୍ଯକ୍ଷରୂପେ ହସ୍ତକ୍ଷେପ କରୁଥିଲେ । ସେହି ହସ୍ତକ୍ଷେପ କେବେ କେମିତି ଛନ୍ଦ-କପଟ ଉପରେ ଆଧାରିତ ହେଉଥିଲା । ମାତ୍ର ଅନେକାଂଶରେ ଏହା ସରଳ ନିଷ୍କପଟ ସ୍ନେହ ଓ ଶ୍ରଦ୍ଧା ଉପରେ ପର୍ଯ୍ଯବସିତ ପରୋପକାରର ରୂପ ନେଉଥିଲା । ଏହି ରୀତିନୀତି ଗ୍ରାମ୍ଯଜୀବନର ଏପରି ଏକ ଅପରିହାର୍ଯ୍ଯ ଅଙ୍ଗ ହୋଇଯାଇଥାଏ ଯେ ପରିବାରର ସମସ୍ତ ସଦସ୍ଯ ଏଥିରେ ଅନାୟାସରେ ପ୍ରଭାବିତ ହେଉଥିଲେ ଏବଂ ପରିବାରର ଆନ୍ତରିକ ମାମଲାରେ ବାହାର ଲୋକଙ୍କ ହସ୍ତକ୍ଷେପ ପ୍ରତିବାଦରେ କେହି ସ୍ୱର ଉତ୍ତୋଳନ କରୁ ନଥିଲେ।” 

ନିଶିକାନ୍ତ କହି ଚାଲିଲେ, “ମାତ୍ର ସବୁ ଯୁଗ ଭଳି ଗାଁ’ର ଗୋଟେ ଦି’ଟା ପରିବାର ଏହାର ବ୍ଯତିକ୍ରମ ଥା’ନ୍ତି, ଯେଉଁମାନଙ୍କୁ ଗାଁ ଲୋକେ ଏକସିଂଘିଆ ପରିବାର ବୋଲି କହନ୍ତି । ସାବି ମା’ର ପରିବାର ସେହିପରି ଏକ ଏକସିଂଘିଆ ପରିବାର ଥିଲା, କେବଳ ତା’ ପୁଅର ବୁଦ୍ଧି ଯୋଗୁଁ । ବୁଦ୍ଧି କହିଲେ ହୁଏତ ଠିକ୍ ହେବନି, ବରଂ ଦୁର୍ବୁଦ୍ଧି ଯୋଗୁଁ ।

ସାବିତ୍ରୀ ଜନ୍ମ ହେବାର ପାଞ୍ଚବର୍ଷ ପରେ ସାବି ମା’ର ଗୋଟିଏ ପୁଅ ଜନ୍ମ ହେଲା । ପୁଅ ଜନ୍ମ ହେବା ଆଗରୁ ବାପ ଚାଲି ଯାଇଥିଲା ବୋଲି ସାବି ମା ତା ନାଁ ରଖିଥିଲା ମୂଳିଆ । ମୂଳିଆ ପୁଅଟା ବୋଲି କେତେ ଗେଲବସରରେ ବଢ଼େଇ ଥିଲା । ବାର ଦୁଆରେ କାମଧାମ କରି ପାଠ ପଢେଇଲା । ଥାନାବାବୁଙ୍କ ଗୋଡ଼ହାତ ଧରି ହୋମ୍‌ଗାର୍ଡ ଚାକିରୀଟିଏ କରେଇଦେଲା । କାଳେ ପ୍ରଥମେ ଏକ ସୁନାପିଲା ଥିଲା ମୂଳିଆ, ତା ମା କଥାରୁ ଗାରେ ଡ଼େଉଁ ନଥିଲା । ମାତ୍ର ରୋଜଗାର କଲା ଦିନଠାରୁ ସେ ବିଗିଡ଼ି ଯାଇଥିଲା । ଗାଁ’ର ସମସ୍ତଙ୍କ ସଙ୍ଗେ ଝଗଡ଼ାଝାଟି, ଗଣ୍ଡଗୋଳ ଓ ବାଡ଼ିଆପିଟା ମୂଳିଆର ନିତିଦିନିଆ କାମ ହେଲା । ଜିଦ୍‌ ଧରି ଗାଁ’ଘରେ ଗୋଟେ ଝିଅକୁ ବିବାହ ହେଲା । କାଳକ୍ରମେ ଗାଁ ଲୋକେ ତା ସଙ୍ଗେ କେହି ମିଶିଲେ ନାହିଁ । ତାଙ୍କ ଘରକୁ ଲୋକେ ଯିବା ଆସିବା ବନ୍ଦ କରିଦେଲେ । ଦିନେ ମାକୁ ଏକା ଏକା ଗାଁ’ରେ ଛାଡ଼ି ଦୁଇ ମାଇଲ ଦୂରରେ ଥିବା ଥାନା ପାଖରେ ଘର ଭଡ଼ାରେ ନେଇ ପରିବାର ରଖିଲା । ତା’ପରେ ତା ବାଟରେ ସିଏ, ଘରକୁ ଆସେନାହିଁ କି ମା’କୁ ପଚାରେ ନାହିଁ । ପଚାରିଲେ ସାବି ମା କହେ, ‘ପର ଝିଅକୁ କାହିଁକି ଦୋଷ ଦେବି, ଆପଣା ସୁନା ତ ଭେଣ୍ଡି’, କହୁ କହୁ ତା’ର ଆଖିରୁ ଲୁହ ଦୁଇ ଧାର ଗଡ଼ିଯାଏ । ତାପର ଠାରୁ ସାବି’ ମା ସଙ୍ଗେ ଗାଁ ଲୋକେ ମିଶିବାକୁ ଆରମ୍ଭ କଲେ । ଆଗ ସାହିର ଆପଣା ଲୋକକୁ ଏକା ଏକା ଦେଖିଲେ ତାଙ୍କ ଆଗରେ ଏ କଥା କହୁଥିଲା । କଥା କହୁ କହୁ କାନ୍ଦି ପକାଏ, ବହେ ଲୁହ ଗଡ଼ାଏ । ଧୀରେ ଧୀରେ ଏ କଥା ପ୍ରକାଶ କରିବାର ଗତି ବହୁତ କମିଗଲା, ସତେ ଯେମିତି ତା ଆଖିର ଲୁହର ପରିମାଣ ଧୀରେ ଧୀରେ ଶେଷ ହୋଇ ଯାଇଥିଲା । 

ତାପରେ ମୂଳିଆ ମଧ୍ଯ କୁଆଡ଼େ ବଦଳି ନେଇ ଚାଲିଗଲା ତା’ର ପତ୍ତା ନାହିଁ । ଲୋକେ କହୁଥିଲେ ତା ମା’ର ମୃତ୍ଯୁ କଥା ହୁଏତ ସେ ଜାଣି ନଥିବ ।

କିଛି ବର୍ଷ ପରେ ବର୍ଷା ଅଭାବରୁ ଆମ ଅଞ୍ଚଳରେ ଲଗାତର ତିନି ବର୍ଷ ଧରି ମରୁଡ଼ି ପଡ଼ିଲା, ଖାଦ୍ଯ ଶସ୍ଯ ଉତ୍ପାଦନ ପ୍ରଥମ ବର୍ଷ ତିରିଶ ପ୍ରତିଶତ ହୋଇଥିଲା ବେଳେ ଶେଷ ଦୁଇ ବର୍ଷ ପ୍ରାୟ ଅମଳ ହୋଇ ନଥିଲା । ଗଛିତ ଧାନ, ଚାଉଳ, ମୁଗ, ମାଣ୍ଡିଆ ଆଦି ସାହାଯ୍ଯରେ ଲୋକେ ପ୍ରଥମ ବର୍ଷଟା ଚଳେଇ ନେଲେ । ଆଛା ଆଛା ଚାଷୀମାନେ ଅତି କଷ୍ଟରେ ଦୁଇ ବର୍ଷ ଚଳିଗଲେ, ମାତ୍ର ଆଠ ଦଶ ଘର ଛାଡ଼ି ଦେଲେ ଚାରି ଶହ ପରିବାର ବିଶିଷ୍ଟ ଏତେ ବଡ଼ ଗାଁ’ର ଲୋକେ ବଡ଼ କଷ୍ଟ ପାଇଲେ । ସେତେବେଳେ ସରକାରଙ୍କ ତରଫରୁ ଲୋକଙ୍କୁ ମାଗଣାରେ ଖାଦ୍ଯ ଯୋଗାଇବାର କୌଣସି ଯୋଜନା ନଥିଲା । କେବଳ ପଞ୍ଚାୟତ ପୋଖରୀରୁ ଶୁଖିଲା ପଙ

୍କ ଖୋଳି ପୋଖରୀ ବାହାରେ ପକାଇବାର କାମ ସରକାର ଯୋଗାଇ ଦେଇ ମୂଲ ଆକାରରେ ସାହାଯ୍ଯ ଦେଉଥିଲେ । ଲୋକେ ସେହି ମୂଲ ପଇସାରେ ସରକାରଙ୍କର ପିଡିଏସ୍‌ ଯୋଜନାରେ କଳା ରଙ୍ଗର ପଚା ଚାଉଳ କିଣି ନିଜର ପେଟପୋଷଣ କରୁଥିଲେ । ଆମେରିକାରେ ସେମାନଙ୍କର ଘୁଷୁରୀ ନିମନ୍ତେ ଉଦ୍ଦିଷ୍ଟ ଖାଦ୍ଯ ପୋକ ଲାଗିଯାଇ ଅନୁପଯୋଗୀ ହେବାପରେ ସମୁଦ୍ରକୁ ଫୋପାଡ଼ି ଦେବାପାଇଁ ବସିଥିଲେ । ମାତ୍ର ଆମ ସରକାର ସେହି ଖାଦ୍ଯକୁ କିଣି ଆଣିଲେ । ସେଥିରେ ହାଲୁଆ ତିଆରିକରି ବିଦ୍ଯାର୍ଥୀମାନଙ୍କୁ ମଧ୍ଯାହ୍ନଭୋଜନ କରାଇଲେ । 

ମୂଳିଆ ଘର ଛାଡ଼ି ଚାଲିଯିବା ଦିନଠାରୁ ସାବି ମା ବଡ଼ କଷ୍ଟରେ ଚଳୁଥିଲା । ତା ଘରକୁ ବୁଲି ଆସୁଥିବା ସ୍ତ୍ରୀଲୋକମାନଙ୍କ ଭିତରୁ କେହି ଜଣେ ସାବି ମା’ର ଦୁଃଖ କଥା ଗାଁ ପ୍ରଧାନଙ୍କ ସ୍ତ୍ରୀକୁ ଜଣେଇବାରୁ, ତାକୁ ସ୍କୁଲରେ ହାଲୁଆ ତିଆରି କାର୍ଯ୍ଯରେ ନିଯୁକ୍ତି ମିଳିଲା । ସାବି ମା ସକାଳୁ ସ୍କୁଲ ଯାଇ ମକ୍‌କା ଗୁଣ୍ଡରୁ କୁଣ୍ଡାପୋକ ବାଛେ, ପିଲାମାନେ ଟିକିଏ ଭଲରେ ହାଲୁଆ ଖାଇବେ ବୋଲି ବହୁତ ମେହେନତ କରେ । ତଥାପି ପ୍ରତ୍ଯେକ ଛାତ୍ରଛାତ୍ରୀଙ୍କୁ ଦିଆ ଯାଉଥିବା ଚାରିକଣିଆ ଦୁଇ ଇଞ୍ଚିଆ ହାଲୁଆଖଣ୍ଡରେ ଚାରି ପାଞ୍ଚଟା ପୋକ ରହି ଯାଆନ୍ତି । ସାବି ମା ସେଥିପାଇଁ ନିଜକୁ ଦୋଷୀ ବୋଲି ମାନେ, ମନ ଊଣା କରେ । ଆଉ ମଧ୍ଯ ମନଦୁଃଖ କରି କହେ, “ପିଲାମାନେ ଶାନ୍ତିରେ ଦୁଇ କଳ ଖାଇ ପାରୁନାହାନ୍ତି । ମୁଳିଆ ପିଲାମାନେ ତ ବାହାରେ ରହିଲେ, କ’ଣ ଖାଉଥିବେ କିଏ ଜାଣେ? ଏବେ ଗାଁ ପିଲାମାନେ ଟିକିଏ ଖୁସିରେ ଖାଇଲେ ମୋ ପେଟ ପୂରିଯାଏ ।”

ପ୍ରତିଦିନ କିଛି କିଛି ବଳି ପଡ଼ିଥିବା ହାଲୁଆ ସେ ଘରକୁ ନେଇଯାଏ । ହେଲେ ପାଠ ପଢ଼ୁ ନଥିବା ପିଲାମାନେ ଗାଁ ଦାଣ୍ଡରେ ତା ଫେରିବା ବାଟକୁ ଚାହିଁ ବସିଥାନ୍ତି । ସମସ୍ତଙ୍କୁ ଗୋଟେ ଅଧେ ହାଲୁଆ ଦେଇ ଦେଇ ତା ଘରେ ପହଁଞ୍ଚିଲା ବେଳକୁ ପାଚିଆଟା ଖାଲି ହୋଇଯାଏ । ନିଜ ପାଇଁ କିଛି ବଞ୍ଚିଲା ନାହିଁ ବୋଲି ସାବି ମା କେବେ ମନଦୁଃଖ କରେ ନାହିଁ । ଲୋକେ କହନ୍ତି ଦକ୍ଷିଣ ହସ୍ତରେ ଦାନ କଲେ କାଳେ ପୁଣ୍ଯ ହୁଏ, ତାହା ସରଗ ଯିବା ରାସ୍ତାରେ ସାହା ହୁଏ । ହେଲେ ସାବି ମା ମନରେ ଏ ସବୁ ଚିନ୍ତାଧାରା କେବେ ଆସେ ନାହିଁ । ବରଂ ସେ ପର ଦିନ ପାଇଁ ମନେ ରଖେ ଆଜି କେଉଁ କେଉଁ ପଲାମାନଙ୍କୁ ହାଲୁଆ ଦେଇ ପାରିଲା ନାହିଁ । କାଲିକୁ ତାଙ୍କପାଇଁ ବଳକା ହାଲୁଆ ପ୍ରଥମେ ଦେବ ।

ଘରେ ପହଁଞ୍ଚି ପାଚିଆଟି ଧୋଇ ଦେଇ ପରଦିନ ପାଇଁ ଖରାରେ ଶୁଖାଇ ଦିଏ । ଦୁଆରର ଗୋଟିଏ କୋଣରେ ଥିବା ପାଣି ହାଣ୍ଡି ପାଖରେ ଦୁଇଟା ଲଙ୍କା ଗଛ ଲଗାଇ ଥାଏ । ଲଙ୍କା ଗୋଟିଏ ଛିଣ୍ଡେଇ ଆଣେ, ଚାଳରୁ ଝୁଲି ରହିଥିବା ପିଆଜ ପେଣ୍ଡା ଗୁଡ଼ିକରୁ ତିନି ଚାରିଟା ସରୁ ପିଆଜ ନେଇ ଆସେ, ଲୁଣ ଡବାଟା ପାଖକୁ ଟାଣି ଆଣି ସକାଳୁ ରୋଷେଇ କରିଥିବା କଳାରଙ୍ଗ ପଖାଳ ଭାତ କଂସାଟାଏ ଧରି ବସିପଡ଼େ । ଗାଁ ପିଲାମାନଙ୍କର ହାଲୁଆ ଖିଆ ହସ ହସ ମୁହଁ ମନେପକାଇ ଆନନ୍ଦରେ ନିଜ ଖାଦ୍ଯ ଖାଇନିଏ । ତାପରେ ଦଉଡ଼ିଆ ଖଟଟାରେ ଚିତ୍‌ ହୋଇ ଶୋଇଯାଏ । ଚାଳର କଢ଼ି ବରଗା ଆଡ଼କୁ ଚାହିଁ ରହେ । ଦେଖେ କେତୋଟା ବରଗାରେ ପୋକ ଲାଗିଲାଣି । କିଛି ବ୍ଯସ୍ତ ହୁଏ ନାହିଁ । ଭାବେ ନିଜ କପାଳରେ ତ ଅସଂଖ୍ଯ କଣା, ଆଉ କଢ଼ି ବରଗାକୁ ପୋକ କଣା କଲେ ଯେ କେଉଁ ବଡ଼ କଥା? ଏମିତି ଭାବୁ ଭାବୁ କେତେବେଳେ ନିଦ ଆସିଯାଏ, ସାବି ମା ଶୋଇଯାଏ ।

ଘଣ୍ଟେ ଅଧଘଣ୍ଟେ ଶୋଇ ସାବି ମା ତାର କୋଷଣୀ ଧରି ଘରର ପଛ ପାଖରେ ଥିବା ବଗିଚାରେ କ’ଣ ନା କ’ଣ କାମ କରେ । ସମୟ ପାଇଲେ ଦାଣ୍ଡପିଣ୍ଡାରେ ବସି ଅପେକ୍ଷା କରେ କାଳେ କିଏ ଆସିବ, ଦି ପଦ ହସ ଖୁସି କଥା ହେବା ପାଇଁ । ମାତ୍ର କିଏ ଆସନ୍ତୁ ନଆସନ୍ତୁ, ସେଦିନ ହାଲୁଆ ପାଇ ନଥିବା ପିଲାମାନେ ଆସି କହିଯାଆନ୍ତି, “ଜେଜେମା! କାଲି ମୋତେ ନିଶ୍ଚୟ ହାଲୁଆ ଦେବୁ ।”

ପିଲାମାନଙ୍କର ଏହି ଅଳି ଅର୍ଦ୍ଦଳି ଶୁଣି ସାବି ମା ଆନନ୍ଦରେ କୁରୁଳି ଉଠେ, ନିଜ ନାତି ନାତୁଣୀଙ୍କ ଅନୁପସ୍ଥିତି ଜନିତ ହତାଶା ଭୁଲିଯିବାକୁ ଚେଷ୍ଟାକରେ ।

କାଳକ୍ରମେ ସାବି ମା ପ୍ରତି ଗାଁ ଲୋକଙ୍କର ଧାରଣା ପରିବର୍ତ୍ତନ ହେବାକୁ ଲାଗିଲା । ସାହି ପଡୋଶୀ ସ୍ତ୍ରୀ ଲୋକମାନେ ତା ଘରକୁ ଯିବା ଆସିବା କଲେ ।

ମରୁଡ଼ି ସମୟରେ ଆମ୍ବ ଗଛରେ ପ୍ରଚୁର ପରିମାଣରେ ଫଳ ଫଳେ । ଏପ୍ରିଲ ବେଳକୁ ଆମ୍ବ ଫଳ ପାକଳ ହୁଏ, ଆମ୍ବୁଲ କରିବାପାଇଁ ଯୋଗ୍ଯ ହୁଏ । ତେଣୁ କାଳେ କିଏ ଚୋରି କରିନେବ ଆମ୍ବତୋଟା ଜଗିବାକୁ ପଡ଼େ ।ସାଧାରଣତଃ ସକାଳ ଓ ସନ୍ଧ୍ଯାରେ ତୋଟା ନିକଟସ୍ଥ ଜମିରେ ଲୋକମାନେ କାମ କରୁଥିବାରୁ ତୋଟାରୁ ଚୋରୀ ହୁଏ ନାହିଁ । ତେଣୁ ଦ୍ୱିପ୍ରହରରେ ତୋଟା ଜଗିବାକୁ ପଡ଼େ ।

ଭୀଷଣ ଖରା ଯୋଗୁଁ ସ୍କୁଲ ମଧ୍ୟ ସକାଳୁଆ ହୁଏ । ତେଣୁ ସ୍କୁଲ ପରେ ଘର ଠାରୁ ପ୍ରାୟ ଦୁଇ କିମି ଦୂରରେ ୪୦ ଆମ୍ବଗଛ ଥିବା ଆମର ଯୁଗ୍ମ ପରିବାରର ଆମ୍ବ ତୋଟା ଜଗୁଆଳ ଦଳରେ ମୁଁ ଯୋଗ ଦେଇଥାଏ।

ସେତେବେଳେ ସମସ୍ତେ ଖରାଦିନେ ଚାରି ବକ୍ତ ଅନ୍ନ ଭୋଜନ କରିଥାନ୍ତି । ମଧ୍ଯାହ୍ନ ଭୋଜନ ଏବଂ ରାତ୍ର ଭୋଜନରେ ଗରମ ଭାତ, ଡ଼ାଲି, ତରକାରୀ, ଭଜା ଆଦିର ଅଳ୍ପ ବହୁତ ବ୍ଯବସ୍ଥା ଥାଏ । ମାତ୍ର ସକାଳ ଓ ଅପରାହ୍ନ ୪ଟା ବେଳେ ପଖାଳ, ବାଇଗଣ ପୋଡ଼ା, ଭଜାଭଜି, ଶୁଖୁଆ ଆଦି ଭୋଜନ କରନ୍ତି । ସ୍କୁଲରୁ ଫେରି ମଧ୍ଯାହ୍ନ ଭୋଜନ ପରେ ଆମ୍ବତୋଟାକୁ ଯିବାକୁ ପଡ଼େ । ତେଣୁ ୪ଟା ବେଳର ଖାଦ୍ଯ କଂସା, ତା ଉପରେ ଚକିଆ ଓ ଗିନା ଆଦିରେ ଭର୍ତ୍ତିକରି ଶିକାରେ ସଜାଇ ଆମ୍ବତୋଟାକୁ ନିଆଯାଏ । ସାଥୀରେ ପିଇବାପାଣି ଲୋଟାଟିଏ ନିଆ ଯାଇଥାଏ । ଚାରିଟା ବେଳକୁ ଆମ୍ବଗଛ ଛାଇରେ ସମସ୍ତ ଆମ୍ବ-ଜଗୁଆଳିମାନେ ଗୋଲାକାରରେ ନିଜ ନିଜର ଖାଦ୍ଯଧରି ବସି ଯାଆନ୍ତି । ସାବି ମା ଠିକ୍‌ ତା’ର ବାମ ପାଖରେ ମୋତେ ବସାଏ । ସମସ୍ତେ ହସ ଖୁସିରେ ନିଜ ନିଜର ଖାଦ୍ଯ ପାଗ କରୁ କରୁ ସାବି ମା ମୋ କଂସାରେ ଥିବା ତୋରାଣି ମିଶା ଭାତରେ ହାତ ବୁଲାଇ ଦିଏ । କହେ, “ଦେଖିବା, ମୋ ଭାଉଜ ତୋତେ କେତେ ଭାତ ଦେଇଛି? ଆରେ ବହୁତ ସରୁ ଚାଉଳ ଭାତ ହେଇଛି ।” ଏହା କହୁ କହୁ ତା କଂସାରୁ ବଡ଼ ମୁଠାଏ ଭାତ ଆଣି ସମସ୍ତେ ନ ଜାଣିଲା ଭଳି ମୋ କଂସାରେ ମିଶାଇ ଦିଏ । ସମସ୍ତେ ନିଜ ନେଇଥିବା ଶାଗ ତିଅଣରୁ ଏ ପାଖ ଓ ସେ ପାଖରେ ବସିଥିବା ଦୁଇ ଜଣକୁ କିଛି କିଛି ଦେଇ ଆନନ୍ଦରେ ଭୋଜନ କରନ୍ତି । 

ମୁଁ ସମସ୍ତ ଭାତ ଖାଇସାରିବା ପରେ ପରେ ଦେଖେ ସାବି ମା ମୋତେ ଏକ ସତୃପ୍ତ ଦୃଷ୍ଟିରେ ଚାହିଁଥାଏ । ତା’ର ସେହି ସତୃଷ୍ଣ ଚକ୍ଷୁ ଦୁଇଟିରେ ମମତାର ସୁର-ତରଙ୍ଗିଣୀ ନିଶବ୍ଦରେ ପ୍ରବାହିତ ହେଉଥିବାର ମୁଁ ସ୍ପଷ୍ଟ ଦେଖେ । ତାର ମୁଖମଣ୍ଡଳରେ ସନ୍ତୁଷ୍ଟିର ଏକ ଦିବ୍ଯ ଆଭା ଫୁଟି ଉଠେ।

ମୁଁ ବୁଝିପାରେନା ମୋ କଂସାରେ ମୋ ପାଇଁ ଯଥେଷ୍ଟ ଭାତ ଥିଲେ ମଧ୍ଯ ସେ କାହିଁକି ତା’ର କଂସାରୁ ଭାତ ମୁଠାଏ ଆଣି ମୋତେ ଦେଇଥାଏ । ମୁଁ ଭାବେ, ହୁଏତ ତା ନିଜ ନାତି ନାତୁଣୀଙ୍କୁ ସେ ତ ଖୁଆଇ ପାରିଲା ନାହିଁ, ତେଣୁ ଗାଁ ପିଲାମାନଙ୍କୁ ହାଲୁଆ ଖୁଆଇବାରେ ତଥା ମୋତେ ଅଧିକ ଭାତ ଖୁଆଇବାରେ ସେ ସେହି ଆନନ୍ଦ ଉପଭୋଗ କରୁଛି । ପୁଣି ଭାବେ ଯଶୋଦା ମା’ର ସ୍ନେହ ମମତାଭରା ଆତ୍ମା ତା ହୃଦୟରେ ନିବାସ କରିନାହିଁ ତ? 

ସେ ଯାହା ହେଉ ନା କାହିଁକି, ସାବି ମା ପାଖରେ ଥିଲେ ଲାଗେ ସତେ ଯେମିତି ଏକ ନିରାପଦର ଚାଦର ସେହି ଭୟ-ସଂକୁଳ ନିର୍ଜନ ଜଙ୍ଗଲ ମଧ୍ଯସ୍ଥ ଆମ୍ବ ତୋଟାରେ ଥିବା ପତ୍ର କୁଟୀରକୁ ଆବରଣ କରିରହିଛି । ବେଳେ ବେଳେ ସେ ତାର ଅଲକ୍ଷ୍ୟରେ ସମସ୍ତଙ୍କୁ ଉପଦେଶ ଦେଇଥାଏ, “ଦେଖ, ଅଜଣା ଅଚିହ୍ନା ବାଟୋଇ ତୋଟାପାଖ ରାସ୍ତାରେ ଯାଉ ଯାଉ ଯଦି ତୋଟା ଆଡ଼କୁ ମୁହେଁଇଲା, ତେବେ ଟିକିଏ ସାବଧାନ ହୋଇ ପଡ଼ିବ, ଦୁଇ ତିନି ଜଣ ଏକାଠି ହୋଇ ତାକୁ ପଚାରିବ ଆମ୍ବ ଦି’ଟା ଖାଇବ କି? ଯଦି ସାଧା ସିଧା ହଁ କରେ, ତେବେ ଆମ୍ବ ଖାଇବାକୁ ଦେବ, ପାଣି ମାଗିଲେ ପାଣି ଦେବ । ବେଶି କିଛି କହିଲେ କହିବ, ଆମ ବାପା ଦାଦା ଏଇ ଅଳ୍ପ ସମୟରେ ଆସି ପହଁଞ୍ଚିବେ, ତାଙ୍କ ସଙ୍ଗେ କଥା ହେବ । ତା’ ମନରେ ଯଦି କିଛି ଛି’ ଥିବ ବାପା ଦାଦା ନାଁ ଶୁଣି ଡ଼ରି ପଳେଇବ ।” 

ସଜ୍ଜନକୁ ପୁରଷ୍କାର ଆଉ ଦୁର୍ଜନକୁ ପରିହାର - ସାବି ମା’ର ଏ ଉପଦେଶ ପରବର୍ତ୍ତି ଜୀବନରେ ଅନେକ ସମୟରେ ମନେ ପଡ଼ିଥାଏ।

ମୁଁ ଗାଁରେ ରହି ଏକାଦଶ ଶ୍ରେଣୀ ପଢ଼ିବା ଭିତରେ ସାବି ମା’ର ସ୍ନେହ, ଶ୍ରଦ୍ଧା, ମମତା ଓ ବଦାନ୍ଯତା ମୋର ଚାରିତ୍ରିକ ବିକାଶର ଏକ ଅଭିନ୍ନ ଅଙ୍ଗ ହୋଇ ଯାଇଥିଲା । ତା’ପରେ କଲେଜ ପାଠପଢ଼ା ଓ ସରକାରୀ ଚାକିରି ପ୍ରାରମ୍ଭ ସମୟ ଯାଏ ତା ସହିତ କେବେ କେମିତି ଦେଖା ହେଉଥିଲା । ମାତ୍ର ମନ ଭିତରେ ନିବାସ କରିଥିବା ତାର ନୈସର୍ଗିକ ଗୁଣ ଗୁଡ଼ିକ ଯୋଗୁଁ ସାବି ମା’ର ଉପସ୍ଥିତିକୁ ମୁଁ କେବେ ପାସୋରି ନଥାଏ । 

ସରକାରୀ ଚାକିରିରେ ଯେଉଁଦିନ ମୋର ପ୍ରଥମ ମାସିକ ବେତନ ରୂପେ ₹୪୫୦ ମିଳିଥିଲା, ସେଥିରୁ ₹୫୦ ଅଲଗା କରି ମୁଁ ସାବି ମା ପାଇଁ ରଖିଥିଲି । ଏବେ ବି ମୋର ମନେ ଅଛି, ସେ ଦିନ ସାବି ମା କେମିତି ଖୁସିରେ କୁରୁଳି ଉଠି ‘ମୋ ପୁତୁରାର ରୋଜଗାର, ମୋ ପୁତୁରାର ରୋଜଗାର’ କହି ବହେ ନାଚି ପକେଇଲା । ତା ପରେ କହିଥିଲା, ‘ ଆଜି ଗାଁ ସାରା ପିଲାମାନଙ୍କୁ ଲଡୁ ଖୁଆଇବି ।’ 

ପିଲାମାନଙ୍କୁ ଲଡୁ ଖୁଆଇଲାବେଳେ ମୋ ପାଟିରେ ବି ଲଡୁଟାଏ ଠୁଷି ଦେଇଥିଲା ।” କହୁ କହୁ ନିଶିକାନ୍ତଙ୍କ ଆଖିରୁ ଲୁହ ଦୁଇଧାର ବହି ଚାଲିଥାଏ । 

ତନୀଶା ଓ ପିଲାମାନେ ଏକ ଲୟରେ ମନ୍ତ୍ରମୁଗ୍ଧବତ୍‌ ନିଶିକାନ୍ତଙ୍କ କଥା ଶୁଣି ଚାଲିଥାନ୍ତି । 

ନିଶିକାନ୍ତ କହି ଚାଲିଲେ “ଗାଁ’ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣର ମହତ୍ୱ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଦେଖ, ସାବି ମା ଜଣେ ସାଧାରଣ ମଣିଷ ହୋଇ ଶେଷ ସମୟରେ କିପରି ସମ୍ମାନୀତ ହୋଇଛି । ତା ନିଜ ପରିବାର ତା’ର ଅନ୍ତିମ ସଂସ୍କାରରେ ଯୋଗ ନଦେଲେ କ’ଣ ହେଲା, ସମସ୍ତ ଗାଁ ଆଜି ତା’ର ପରିବାର ହୋଇ ଯାଇଛି ।” ଏଇଆ କହି ନିଶିକାନ୍ତ ନିଜର କଥା ଶେଷ କଲେ ।

ସେ ଦିନ ପିଲାମାନେ ତନୀଶାକୁ ପଚାରିଲେ, “ମମି, ତମେ କାହିଁକି ମଝିରେ ମଝିରେ ଆମକୁ ଗାଁକୁ ଆଣୁନାହଁ?” ତନୀଶା କହିଲେ, “ଏଥର ସମସ୍ତେ ମିଶି ଛୁଟିରେ ଗାଁ’କୁ ନିଶ୍ଚୟ ଆସିବା।”

ରାତିରେ ସମସ୍ତ ପିଲାମାନେ ଗପସପ ହୋ ହାଲା ହୋଇ ଏକତ୍ର ଶୋଇଲେ । 

ନିଶିକାନ୍ତ ଓ ତନୀଶାଙ୍କ ନିମନ୍ତେ ପୁତୁରାମାନେ ଗୋଟିଏ ରୁମ୍‌ ସଜାଡ଼ି ଦେଲେ । ରାତିରେ ତନୀଶା ନିଶିକାନ୍ତଙ୍କ ଅତି ପାଖକୁ ଆସି ଚପା ଚପା କଣ୍ଠରେ କହିଲେ, “ଆଜି ସକାଳେ ଗାଁକୁ ଆସିବାକୁ ମୁଁ କାହିଁକି କହିଥିଲି ଏବେ ବୁଝିଲ?” 

ନିଶିକାନ୍ତ ଅବାକ୍‌ ହୋଇ ତନୀଶାକୁ ଚାହିଁଲେ ।

ତନୀଶା କହିଲେ, “ଗଲା ରାତିରେ ମୋତେ ଜମା ନିଦ ଆସୁ ନଥିଲା । ମୁଣ୍ଡରେ ଗୋଟାଏ ଅଯଥା ଚିନ୍ତା ପଶି ଯାଇଥିଲା । ନମିତା ମାଡାମ୍‌ଙ୍କ ପୁଅଝିଅ ଭଳି ଆମର ଇଏ ଦୁଇଜଣ ଆମେରିକା ଚାଲିଗଲେ କ’ଣ କରିବା? ସ୍ନେହ ମମତା ବନ୍ଧନ ଏ ସବୁ ତାଙ୍କ ପ୍ରୋଫେସନ୍‌ ଆଗରେ କିଛି ନୁହେଁ ।

ମନରେ ଗୋଟେ ଖିଆଲ୍‌ ଆସିଲା ଟିକିଏ ଭିନ୍ନ ବାତାବରଣକୁ ପିଲାମାନଙ୍କୁ ନେଇଯିବାକୁ । ତେଣୁ ସକାଳେ ଗାଁକୁ ବୁଲିଯିବା କଥା ତୁମକୁ କହିଥିଲି । ଆଜି ଯାହା ଯାହା ସବୁ ଘଟିଗଲା ଆଉ ତୁମେ ଯାହା କିଛି ବର୍ଣ୍ଣନା କଲ, ଏ ସମସ୍ତ କଥାରୁ ଆମର, ପିଲାମାନଙ୍କର, ସମସ୍ତଙ୍କର ହୃଦବୋଧ ହେଲା ନା - ଗାଁ’ର ବାତାବରଣ, ଗାଁ’ର ମାଟି, ପାଣି, ପବନ ମନରେ ଏକ ଭିନ୍ନ ଭାବନା ସୃଷ୍ଟି କରେ, ସହଜନମାନଙ୍କୁ, ପରିବାରକୁ ଏକ ଅନୋଖା ବନ୍ଧନରେ ବାନ୍ଧିରଖେ, ଯାହାକୁ ସ୍ୱାର୍ଥାନ୍ୱେଷୀ ମନ ସହଜରେ କଳୁଷିତ କରି ପାରେନାହିଁ।”

ନିଶିକାନ୍ତ ଆଶ୍ଚର୍ଯ୍ଯ ହୋଇ ସମ୍ପୂର୍ଣ୍ଣ ସହରୀ-ମାଡାମ୍‌ ତନୀଶାର ସନ୍ତୁଷ୍ଟିଭରା ମୁଖମଣ୍ଡଳ‌କୁ ଏକଲୟରେ ଚାହିଁ ରହିଥାନ୍ତି ।



Rate this content
Log in

Similar oriya story from Tragedy