ରୋବର୍ଟ
ରୋବର୍ଟ
ଗାଁ ରେ ପହଁଚି ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ହାତ ପତେଇଲା ମୋ ଅମାନତ ମତେ ଫେରାଇ ଦିଅ ଭାଇ. ବହୁ ସଂଘର୍ଷ କରିବା ପରେ ଆଜି ମୁଁ ସବୁ ପାଇଯାଇଛି କେବଳ ତୁମ ସାହାଯ୍ୟ ସହଯୋଗ ପାଇଁ. କଣ କରିଛି ମୁଁ ତୋ ପାଇଁ କିଛି ବି କରିନି ଅନୁ. ଆଉ କଣ କରିଥାନ୍ତ ଭାଇ. ମୋ ପୁଅକୁ ସମ୍ଭାଳି ରଖିବାରୁ ମୁଁ ପାଠ ପଢି ଟ୍ରେନିଂ ନେଇ ଆଜି ଶିକ୍ଷୟିତ୍ରୀଟିଏ ହେବାକୁ ଯୋଗ୍ୟ ବିବେଚିତ ହୋଇଛି କେବଳ ତୁମରି ପାଇଁ. ମୋ ପୁଅକୁ ତୁମେ ଓ ଭାଉଜ ସେତେବେଳେ ନରଖିଥିଲେ ମୁଁ ଆଜି ନିଜ ଗୋଡ଼ରେ ସମର୍ଥ ହୋଇ ପୁଅକୁ ଫେରାଇନେବାକୁ ଆସି ପାରିନଥାନ୍ତି ଭାଇ. ଭାଇ ଅନିରୁଦ୍ଧ ଅନ୍ୟ କଥା ଭାବୁଥିଲେ. ଅନୁର ପୁଅକୁ ନିଜ କୋଳରୁ ସେ ପୁଣି ଭଉଣୀ ହାତକୁ ଟେକି ଦେଇପାରିବେ କିନ୍ତୁ ଅନସୂୟାକୁ କେମିତି ସମ୍ଭାଳିବେ. ସେଦିନ ରାସ୍ତା ଦୁର୍ଘଟଣା ପରେ ଡାକ୍ତର ଯେବେ କହିଥିଲେ ଅନସୂୟା ଆଉ କେଵେ ବି ମାଆ ହୋଇପାରିବେ ନାହିଁ ସେ ଏକଥା ଅନସୂୟାଙ୍କୁ ଲୁଚେଇ ରଖିଥିଲେ କିନ୍ତୁ ଅନୁ ତା ପୁଅକୁ ଦେଇଯିବା ପରେ ଅନିରୁଦ୍ଧଙ୍କୁ ଚମକେଇ ଅନସୂୟା କହିଥିଲେ କିଏ କହିଲା ମୁଁ ମାଆ ହୋଇପାରିବିନି ନୀତିଶ ହିଁ ମୋ ପୁଅ. ଏପଟେ ଭଉଣୀର ଏକମାତ୍ର ଅମାନତକୁ ସେ ଆଜି ନେବାକୁ ଆସିଛି. ଏକମାତ୍ର ସାହା ଭରସା ତା ଜୀବନର. ସ୍ୱାମୀ ଚାଲିଯିବା ବେଳେ ପୁଅ ପେଟରେ ଥିଲା. ଏଇଠି ରହି ପୁଅ ହେବା ପରେ ନିଜେ ସୁସ୍ଥ ହେଉ ନହେଉଣୁ ଅନୁ ବାହାରିଥିଲା ନିଜ ଗୋଡ଼ରେ ନିଜେ ଠିଆ ହେବାକୁ. ଆଜି ସେ ସକ୍ଷମ. ଝିଅ ଅବଳା ଦୁର୍ବଳା ନୁହେଁ ବୋଲି ସେ ପ୍ରମାଣିତ କରି ଫେରିଆସିଛି ତାର ଏକମାତ୍ର ବଳ, ସାହାରାକୁ ଫେରାଇନେବ.
ଅନୁ ଦେଖାଉଥିଲା ତା ଭାଇ ଭାଉଜଙ୍କ ପାଇଁ କେତେ ସାରା ଜିନିଷ ଆଣିଛି ସେ. ତା ଭିତରେ ତା ପୁଅ ପାଇଁ ଆଣିଛି ଗୋଟେ ନୂଆ କୌଶଳ ପଦର୍ଶନ କରୁଥିବା ରୋବର୍ଟ. ଯିଏ କେବଳ ଯୋଗ ବା୍ୟାମ କରି ପିଲାଙ୍କୁ ସୁସ୍ଥ ନିରୋଗ ଜୀଵନ ଜାପନ କରିବାକୁ ଯୋଗ ଶିଖାଇ ଚାଲିଛି. ରୋବର୍ଟଟିକୁ ଦେଖି ଅନିରୁଦ୍ଧ ଖୁସି ହେବା ପରିବର୍ତ୍ତେ ଚିନ୍ତିତ ହୋଇପଡିଲେ ଓ କହିଲେ ପୁଅ ତୋ ଭାଉଜ ସଙ୍ଗେ ତା ମାମୁଁଘର ଯାଇଛି. ସେମାନେ ଏଇ ଏଇ ଫେରୁଥିବେ.ସେ ଆସିଲେ ତୁ ତୋ ପୁଅକୁ ନେବୁ. ଆଗ ଖିଆପିଆ କର. ଅନୁ ଭାବିଲା ତା ପୁଅର ମାମୁଁ ତ ତା ଭାଇ ତେବେ ତା ପୁଅର ମାମୁଁଘର କଣ ଭାଉଜଙ୍କ ବାପଘର ବୋଲି ଭାଇ କହୁଛନ୍ତି ନା କଣ. ଏମିତି ଏଣୁ ତେଣୁ ଚିନ୍ତା କରୁ କରୁ ଭାଉଜ ଆସିଲେ ତାଙ୍କ ପଛେ ପଛେ ଅନୁର ପୁଅ. ସପ୍ତମ ଶ୍ରେଣୀର ଛାତ୍ର ପୁରା ତା ବାପାଙ୍କ ଚେହେରା ଆଣିଛି. ଦଉଡି ଗଲେ ଅନୁ ମତେ ଜାଣିଛୁ ଧନ ମୁଁ ତୋ ମାଆ. ପୁଅ ଘୁଞ୍ଚିଗଲା ଭାଉଜଙ୍କ ପାଖକୁ କହିଲା ଏ କିଏ ମାଆ, ପୁଣି ଅନୁର ଭାଇଙ୍କୁ ପଚାରୁଥିଲା ତୁମର ଭଉଣୀ ଅଛନ୍ତି ବୋଲି ମତେ କହିନଥିଲ କାହିଁକି ବାପା. ଅନୁ ନିରବୀ ଗଲା. ଖାଇଲା, ପିଇଲା, ନୂଆ ଶାଢ଼ୀ ପିନ୍ଧିଲା ଆଉ ସେହିଦିନ ହିଁ ଫେରିଗଲା ପୂର୍ବରୁ ରୋବର୍ଟଟିକୁ ପୁଅକୁ ଦେଇ କହିଲା ବାପା ମାଆଙ୍କ କଥା ମାନି ଏ ରୋବର୍ଟ ଭଳି ଯୋଗ ବାୟାମ କରିବୁ. ତମେ ଖୁବ ଭଲ ଅପା. ଆମ ଘରକୁ ଏମିତି ଆସିବ ନା ଏଣିକି. ହଁ ଧନ କହି ଫେରିପଡ଼ୁ ପଡ଼ୁ ଭାଇଙ୍କ ପାଦ ଛୁଇଁଲା ବେଳେ ଦୁହେଁ ଦୁହିଁକୁ ଧରି କଇଁ କଇଁ କାନ୍ଦୁଥିଲେ. ଅନୁ ପ୍ରକୃସ୍ଥିତ ହୋଇ କହୁଥିଲା ମୋ ଶାଶୁଘର ଗାଁ ସ୍କୁଲରେ ଅନେକ ପିଲା ମତେ ଅପେକ୍ଷା କରିଥିବେ ଭାଇ ମୁଁ ଯାଉଛି.ଭାଇ ଭଉଣୀ ଦୁହେଁ ରୋବର୍ଟ ଵନିଯାଇଥିଲେ ।
