Lopamudra Parida

Action Inspirational

3  

Lopamudra Parida

Action Inspirational

ରଙ୍ଗ

ରଙ୍ଗ

3 mins
169



ମୁଁ ଷଷ୍ଠ କି ସପ୍ତମରେ ପଢିଲା ବେଳକୁ ତାର ଜନ୍ମ ।ଏଇ ଆମ ଘରଠୁ ଚାରିଟା ଘରଛାଡି ଯୋଉ ବିନୁଭାଇ ଆଉ ମାମୀଭାଉଜ , ହଁ .... ତାଙ୍କ ପୁଅ, ଅଭି....ଅବିନାଶ ।


ସିଏ ଯେତେବେଳେ କୋଳରେ ଧରିଲା ପରି ହେଇଥିଏ ମୋର ସେତେବେଳେ ପାଠ,ଖେଳ, ଛବି ସହ ବଡ ହେବାର ବୟସ ।ବଡ ମାନେ ଶୈଶବତ୍ବ ରୁ ଅନୁଢା କିରୋରୀ ଫଗୁଣର ରଙ୍ଗ ମାଖି କୋଷାରୁ ପ୍ରଜାପତି ସାଜିବାର ଅୟଆରମ୍ବ ।ଗଭାଠୁ ତଳିପା ଯାଏ ସବୁ ଗୋଲାପି ।ଗାଲର ଭଉଁରୀ ଦିଟା ଟିକେ ବେଶୀ ଲଜ୍ଜାରୁଣା .... ଗାଢ ସଜ ଗୋଲାପ ପରି ।ଆଖି..... ଭରା ଭରା ନୀଳିମା ।ଇସ୍ ଏବେ ନିଜକୁ ଦେଖିଲେ ବିଶ୍ବାସ ଯାଏନି ମୁଁ ଦିନେ ସିଏ ଥିଲି ବୋଲି ।ଏବେ ବି ମନେ ଅଛି ଦଶମ ସାରି ନୂଆ ନୂଆ କଲେଜ ଯିବା ବେଳେ ଅପଲକେ ଚାହିଁଥିବା ପଲକ ସବୁର ଭାର ଏତେ ହୁଏ ଯେ ପାଦ ଆପେ ଛନ୍ଦୁଣୀ ହୁଅନ୍ତି କ୍ଲାସରେ ପହଞ୍ଚିବା ଯାଏ ।ମୋର କିନ୍ତୁ ମନ ହୁଏ ଉଡିଯାନ୍ତି କି ଡେଣା ମେଲେଇ .... ଭରି ଆଣନ୍ତି ମୁଠା ମୁଠା ଫଗୁ ସବୁ ବାଦଲରଙ୍ଗରୁ ।ହଳଦୀ, ସବୁଜ,କେଶରୀ,ନାରଙ୍ଗୀ, ଲାଲ୍,ଜାମୁକୋଳିଆ, ବାଇଗିଣୀ ।ଆଖିମୁଦି ଆସ୍ତେ କି କପାଳରୁ ଚିବୁକ ଯାଏ ଅନୁଭବ ସବୁକୁ ରଙ୍ଗେ ଭରନ୍ତି ।


ତା' ଭିତରେ ଭାଉଜ ଘରକାମରେ ବ୍ଯସ୍ତ ଥିବା ସମୟ ତକ ଅଭି କୁ କୋଳରେ ଧରିବା, ଚାଲିଶିଖେଇବା, କଥାକୁହେଇବା, ଖୋଇଦବା,ଖଣ୍ଡି ଖଣ୍ଡି ଗୀତ ଗାଇ ଶୁଏଇବା, ଜହ୍ନ ଦେଖେଇବା, ମିଠେଇ,ବେଲୁନୁ କିଣେଇଦବା ବି ମୋର ପ୍ରିୟ କାମ ଭିତରେ ଥିଲେ ।ସେ ଆମ ଘରେ ବଡ ହଉଥିଲା ଜାଣି ।ମତେ ମିଳିଥିଲା ଚଳନ୍ତି କଣ୍ଢେଇ ଟିଏ ସତେ ।


ଫଗୁଣ ପରେ ଫଗୁଣ ।ଷୋଳଟି ଫଗୁଣ ।

ଫଗୁଣ ପରେ ଫଗୁଣ ।ଅଠର ଟି ଫଗୁଣ।

ଫଗୁଣ ପରେ ଫଗୁଣ ।ଛବିଶି ଟି ଫଗୁଣ ।


ପାଠ ସାରି ଚାକିରି କଲିଣି ମୁଁ ।ଅଭିର ସପ୍ତମ ସରି ଅଷ୍ଟମ ହେଲାଣି ।ହେଲେ ଏବେ ବି ତାର ମାନୁନାନୀ ସବୁ କରିବ ।ମୋ ଭିତରରେ ସେ ପିଲାଦିନର କଣ୍ଢେଇ ଖେଳ ବୟସ ଆଉ ନଥିଲା ।ଏବେ ମୋ ଭିତରେ ତା' ପାଇଁ ବଡ ଭଉଣୀ ଟିଏ କାମ କରୁଥିଲା, ଆକଟୁଥିଲା ମାଆ ଟିଏ ପରି ।ତା ' ଭିତରେ କିନ୍ତୁ ଡେଣା ମେଲୁଥିଲା ସେଇ ଜାଦୁଗରୀ ପ୍ରଜାପତି ଟି ଏବେ ଏବେ ।ସେ ଏବେ ସମୟ କୁ ଫଲ୍ଗୁ କରି ଉଡେଇଦବାର ସ୍ବପ୍ନ ସବୁକୁ ଆଖିରେ ଭରି ବେଫିକର ହେଉଥିଲା ଦିନୁ ଦିନ ।ଏବେ ଏବେ ତାର ଚାହାଣୀ ବଦଳୁଥିଲା ଅଦ୍ଭୁତ ଭାବେ ।ସେ ଲାଜଉଥିଲା ଓଠ କାମୁଡି ।ହସ ଟା ବେଶ୍ ଧରିରଖୁଥିଲା ଗୋଟେ ମାଧୁର୍ଯ୍ୟକୁ ଅଧରରକୁ ଛୁଇଁ ।ନଟଖଟ ହେଉଥିଲା ମନଟା ତାର ।


ମତେ ସେ କୃଷ୍ଣ କୃଷ୍ଣ ଲାଗୁଥିଲା ।ନୀଳ ଆଭାରେ ଉଦଭାସିତ ।


ଦୋଳ ଆସିଲେ ପାଞ୍ଚ ଦିନକାଳ ବିମାନବଡୁ ସେବାରେ ଥିବା ବାପା ଆମର ବିମାନ ସହ ରାଇଦାମୋଦର ଙ୍କୁ ପରିକ୍ରମା କରାନ୍ତି ଗ୍ରାମ ପାଟଣା ।ଦିବସ ରଜନୀ କୃଷ୍ଣ ରଙ୍ଗରେ ରଙ୍ଗାୟିତ ହୋଇଯାଏ ଆପେ ।ସବୁ ଘର ନନ୍ଦପୁର, ନଗରୀ ବୃନ୍ଦାବନ ଓ ବାଳା ରାଧିକା ପାଲଟନ୍ତି ଅନ୍ତରୁ ।ମହମହ ବାସ୍ନା ଛିଟା ପ୍ରେମର ପଲ୍ଲବିତ ହୁଏ କୁସୁମେ କୁସୁମେ ।ଭାଙ୍ଗପଣା ମାଦକତାରେ ଝୁମି ଝୁମି ରଙ୍ଗ ବୁଣିହେଇଯାଏ ପାଦେ ପାଦେ।


ସେଦିନ ହୋଲି ।ସେ ଆସିଲା ରଙ୍ଗ ଢାଳିହେଇ ।ଗାଲଠୁ ପାଦଯାଏ ଗୋଲାପୀ, ହଳଦୀ, ସବୁଜ, କେଶରୀ ।ହାତ ଦୁଇଟି ପଛକୁ ରଖିଥାଏ କିଛି ଲୁଚେଇଲା ପରି ।ମୁଁ ବୁଣୁଥାଏ କ୍ରସଷ୍ଟିଚର ରେଶମୀ ଫୁଲଟେ ହଲକା ସମୁଦ୍ରି ରଙ୍ଗ ପରଦାକନାରେ ।ତା 'ଆଖି ଆଜି କିଛି ଅଲଗା ଦିଶୁଥାଏ ଗଭୀର ଗଭୀର, କିନ୍ତୁ ତା ଓଠ ନୀରବ ।ମୋ ଠିକ୍ ସାମ୍ନାରେ ବସି ସେ ମତେ ଏମିତି ଚାହିଁଲା ଯେ ମୁଁ ଫେରିଗଲି ଫଗୁଣର ଆରମ୍ଭ ବେଳାକୁ ଅଜାଣତେ ।ଚେନାଏ ପ୍ରଶ୍ନ ନେଇ ଚାହିଁଲି ଖାଲି ।


କିଛି ଶବ୍ଦ ବିନିମୟ ନଥିଲା ।ସେ ଧିରେ କି ମୋ ମୁହଁ ସାରା ଅବିର ଲଗେଇଆଣି କହିଲା, " ତତେ ବହୁତ ଭଲପାଏ ମାନୁ, ବହୁତ ଭଲପାଏ ।" ଫେରିଗଲା ଝଡ ପରି ଖୋଲା ଦରଜା ଦେଇ ଦଲକାଏ ପବନ ପରି ...... ହଲୁଥିଲା କବାଟରୁ ଫାଳେ ।


ମୁଁ ସେମିତି ବସିଥିଲି ।ଆଖି ମୁଦି ।


କମ୍ପୁଥିଲା ହୃଦୟ ।ଶୁଭୁଥିଲା,  


" ଆକର୍ଷୟତି ଇତି କୃଷ୍ଣ 

ଆରାଧୟତି ଇତି ରାଧା "


Rate this content
Log in

Similar oriya story from Action