ରନ୍ଧା ବନ୍ଧା
ରନ୍ଧା ବନ୍ଧା
ଏ ଭିତରେ ସାନଭାଇ ଆସି ମୋ ସାର୍ଟିଫିକେଟ ସବୁ ଦେଇଯାଇଥିଲା.ଆଉ ମୋ ଶାଶୁ ଘରର ଅଜବ କାଇଦା କଟକଣାରେ ଆଶ୍ଚର୍ଯ୍ୟ ଚକିତ ସହ ତା ପିଲାଳିଆମିରେ କହୁଥିଲା ଅପା ତୋର ଦିଟା ଶାଶୁ ଗୋଟେ ମୋଟା ଗୋରା ବୁଢ଼ୀ ଆଉ ଜଣେ ପତଳା ସୁନ୍ଦରୀ ବୁଢ଼ୀ ମୁଁ ତାକୁ ଠାରି କି ପାଟିକରନା କହୁଥିଲି ତ, ସେ ଗପ ଯୋଡି ଦେଇଥିଲା ମୋ ସହ ବାହାଘରରେ ଆସିକି ଭାଇକୁଣିଆ ହୋଇ ରହିଥିବା ମଝିଆଁ ମାମୁଁଙ୍କ ପୁଅ ମୁନା ସହ, ସେ ତ ସବୁବେଳେ ମଜ୍ଜା ମସ୍ତି କରେ, "ଆରେ ଶଳା ମତେ ଧରା ପକେଇଦେଲାରେ "ଉକ୍ତି ଟି ଆଜି ବି ମୋ କାନ ରେ ପ୍ରତିଫଳିତ ହୁଏ, ଆଚାର ବୋତଲ ଖାଲି ହେଇଯାଉଥିବାର ଦେଖି ବୋଉ ଯେବେ କୁହେ, ଚଟ କିନା ମୋ ତଳ ଭଉଣୀ କୁହେ ସେଇ ରୋଷେଇ ଘରେ ଥିବ, ତ ମୋର ଏଇ କୌତୁକିଆ ସାନ ଭାଇ କହେ, "ଆରେ ଶଳା ମତେ ଧରା ପକେଇ ଦେଲାରେ ".
ଖାଇବା ବେଳକୁ ଢେର ଡେରି, ଶାଶୁ ମୋ ସାନଦୁଇଭାଇଙ୍କ ପାଖେ ବସି କହୁଥିଲେ, ଆମ ଏଠା ତରକାରୀ କୋଉଠି ନାହିଁ, ରାଗ ଲୁଣ ମସଲା ସବୁ ଠିକ ଠାକ, କଥାଟା ଶୁଣି ମୋ ସାନଭାଇ ତରକାରୀ ଖାଇବ କଣ ଖାଲି ପାଣି ପିଉଥିଲା ରାଗରେ ପାଟି ପୋଡୁଥିଲା ବୋଲି , ହେଲେ ମାଛ ବେସର କିନ୍ତୁ ଥିଲା ସ୍ୱତନ୍ତ୍ର, ପୁରୀ ପଟେ ବା ଆମ ଘରେ ଯେବେ ମାଛ ବେସର ହୁଏ, ମୁଁ ଦେଖିଛି କଞ୍ଚା କଦଳୀ ଓ ଆଳୁ କଟା ଗୁଡିକ ମାଛ ସହ ସୋରିଷ, ଜିରା, ପାନମଧୁରୀ ଅଳ୍ପ, ଶୁଖିଲା ଲଙ୍କା, କାଜୁ ଅଳ୍ପ, ରସୁଣ ପିଆଜ, ଅଦା ବଟା ସହ, ଫୁଟଣ ଭୁର୍ସୁଙ୍ଗା ପତ୍ର ଛୁଙ୍କ ହୋଇ, ଶିଝି ଗଲାପରେ ଟମାଟ ଓ ଧନିଆଁ ପତ୍ର ପକାଇ କରାଯାଏ ଯାହାକୁ ଆମେ ମାଛ ବେସର କହିଥାଉ, ହେଲେ ଶାଶୁ ଘରେ ମାଛ ବେସର ବୋଲି ଯାହାକୁ କୁହା ଯାଉଥିଲା, ସେ ସମ୍ପୂର୍ଣ୍ଣ ଭିର୍ନ୍ନ ଶୈଳୀର ଥିଲା, ଆଳୁକୁ ପ୍ରଥମେ ସିଝାଇ, ଚୋପା ଛଡାଇ ରଖାଯାଏ, ତାପରେ ମସଲା ଅର୍ଥାତ ପିଆଜ, ଅଦା, ରସୁଣ, ଶୁଖିଲା ଲଙ୍କା, ଜିରାଅଳ୍ପ, ଧନିଆଁଅଳ୍ପ କିଛି ବାଟାଯାଇ କଷାଯାଏ, କଷି ହୋଇ ଗଲା ପରେ ପରେ ଶିଝା ଆଳୁ ଗୁଡିକ ଦୋ ଦୋ ଖଣ୍ଡ କରି ହାତରେ ଛୋଟ ଛୋଟ ଖଣ୍ଡ ସହ ମସଲାରେ ଗୋଳେଇ ପାଣି ସହ ଲୁଣ ହଳଦୀ ଦିଆଯାଏ, ଫୁଟି ଆସିଲା ବେଳକୁ ମାଛ ପିସ ଗୁଡିକୁ ଖଣ୍ଡ ଖଣ୍ଡ କରି ଛଡାଯାଏ, ତାପରେ କଞ୍ଚା ଟମାଟ ପକେଇ, ଧନିଆଁ ପତ୍ର ତଥା ଡାଲଚିନି ବଟା ଦେଇ ଓଲ୍ହେଇ ଖିଆଯାଏ, ହେଲେ ଶାଶୁଘରେ ଯୋଉ ଉଚ୍ଚ ରାଗ ଲୁଣ ତରକାରୀ ଓ ତାହାକୁ ବି ଖୁବ ଡେରିରେ ଖାଇ ମୋ ସାନଭାଇ ଟୁଟୁ ଫେରିଲା ଭୁବନେଶ୍ୱର ତ ହେଲା ଝାଡା, ସେ ଝାଡା ବନ୍ଦ ହେବାର ନାମ ଗନ୍ଧ ଧରୁନଥିଲା ତ ବାପା ଆସି ତାକୁ ନେଇଗଲେ ବ୍ରହ୍ମପୁର ରୁ ବାଣପୁର, ହେଲେ ଘରୋଇ ଡାକ୍ତର ଙ୍କ ହେପାଜତ ରେ ଭଲ ନହେବାରୁ ମୁଁ କାଂଦିବୋବେଇ ଘରକୁ ପହଂଚି ତା ମୁଣ୍ଡତଳେ ଶ୍ୟାମାକାଳୀଙ୍କ ପାଇଁ ଯାଚି ପଇସା ରଖିବା ଓ ପରବର୍ତ୍ତୀ ସମୟରେ କଟକ ଯାଇ ଟୁଟୁ ଭଲ ହୋଇ ଫେରିବା ପରେ, ପୁରୀରେ ବି ଏଡ଼ କରିବାକୁ ଯାଇ ମାମୁଁ ଘର ପାଖାପାଖି ଭଡା ନେଇ ସ୍ବାମୀଙ୍କ ପ୍ରଚେଷ୍ଟା ର ପାଠ ପଢ଼ିଲି ମୁଁ ଆଉ ସେତିକି ବେଳେ ଆଇ ଶ୍ୟାମାକାଳୀଙ୍କ ପାଖରେ କରିଥିଲେ ଭୋଗ, ଶାଶୁ ମୋ ପଢିବା ନେଇ, ଆସନ୍ତୁଷ୍ଟ ହେଲେ ବି ସ୍ୱାମୀ ମୋର ପଢିବା ମାନସିକତା କୁ ପୂରଣ କରିଥିଲେ, ଆଉ ପ୍ରାୟେ ମାମୁଁ ଘରୁ ଆସୁଥିଲା ଖାଇବା, ବୋଉ ବାପା ବି ଆସନ୍ତି ମୋ ଅନ୍ୟ ଭାଇ ଭଉଣୀ ମାନଙ୍କୁ ଧରି, ମୁଁ ବି ସ୍ବାମୀଙ୍କ ସଙ୍ଗେ ଶାଶୁଘର ଗାଁ କୁ ଯାଇ ଶ୍ରାଦ୍ଧ, ମାଣବସା ଗୁରୁବାର ଇତ୍ୟାଦିରେ,ତାଙ୍କ ଘରେ କେତେ ଜାତିର ରୋଷେଇ ଓ ପିଠାପଣା ଖାଏ ଓ ଶିଖେ ଆଉ ବୋଉ ପାଖକୁ ଗଲେ ତ କେତେକଥା କରେ ବୋଉ ଆଉ ତା ଭିତରୁ ଚୁଙ୍ଗୁଡ଼ି ବରା ସ୍ୱାଦ ବହୁତ ନିଆରା ଥିଲା ସ୍ବାମୀଙ୍କ ପାଇଁ.
ଅରୁଆ ଚାଉଳ ବଟାରେ ଜିରା ଅଦା, ରସୁଣ ପକେଇ ପୀଠାଉ ବାଟି ତା ସହ କିଛି ଆଳୁ ଶିଝା ଓ ଭଜା ଚୁଙ୍ଗୁଡ଼ି କୁ ଦର ଦର ଛେଚା କରି ଗୋଳାଇ, ପିଆଜ କଟା, ଧନିଆଁ ପତ୍ର କାଟି ପକାଇ, ସ୍ୱାଦ ଅନୁଯାୟୀ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ମିଶାଇ, ଗୁଳା ଗୁଳା କରି ବରା ଆକାରରେ ତେଲ ର ଛଣା ବା ଦୁଇପଟ ତେଲ ଦେଇ ପଚେଇ କରାଯାଏ ଚୁଙ୍ଗୁଡ଼ି ବରା ଯାହା ବହୁ ସ୍ୱାଦିଷ୍ଟପୂର୍ଣ୍ଣ ତଥା ସୁସ୍ୱାଦୁ.
ବାଣପୁର ପାଖା ପାଖି ଚିଲିକା, ସେଠିକୁ ବୁଲିଯାଉ ଆଉ ଦର୍ଶନ କରୁ ମାଆ କାଳିଜାଇ, ପ୍ରତ୍ୟକ୍ଷ ଠାକୁରାଣୀ କାଳିଜାଇଙ୍କ ନାମ ଅନୁଯାୟୀ, ମୋ ପରେ ଭଉଣୀ, ତା ପରେ ଯାଚଜ୍ଞାର ଜନ୍ମ ହୋଇଥିବା ଭାଇ ର ଭଲ ନାମ କାଳିକିଙ୍କର ଓ ଚିଲିକା ଭିତରେ ନୂଆପଡା ବୋଲି ଗୋଟିଏ ଜାଗାରେ ଥିବା ପ୍ରତ୍ୟକ୍ଷ ଠାକୁରାଣୀ ଚଣ୍ଡିମାଆଙ୍କ ନାମ ଅନୁଯାୟୀ ତା ଡାକ ନାମ ମୋ ପିଇସୀ ଅପା ରଖିଥିଲେ ଚଣ୍ଡୁ, ତ ସେହିକଥା ସବୁ ଶୁଣି ଖୁସିରେ ଆମେ ଡ଼ଙ୍ଗା ର ଯାଉ କାଳିଜାଇ, ଆଉ ରୋଷେଇ ହୁଏ ଡଙ୍ଗାରେ, କୋଇଲା ଚୁଲାର ଡଙ୍ଗାରେ ରୋଷେଇର ମଜ୍ଜା ଭିତରେ ଚୁଙ୍ଗୁଡ଼ି ଛଣା ସ୍ୱତନ୍ତ୍ର, ଖୁବ ବଡ ସାଇଜର ଚୁଙ୍ଗୁଡ଼ିକୁ ମୁଣ୍ଡ ଅଲଗା କରି ଚୋପା ଛଡେଇ ସାରିଲା ପରେ ଖଡି଼କାରେ ପ୍ରତିଟି ଚୁଙ୍ଗୁଡ଼ିକୁ ସିଧା ଭାବରେ ଫୋଡି, ଲୁଣ ହଳଦୀ ଓ ସ୍ୱାଦ ଅନୁଯାୟୀ ଲଙ୍କା ଓ ମସଲା ହିସାବରେ ଅଦା ରସୁଣ ପେଷ୍ଟ ଦେଇ ତେଲ କଡେଇରେ ଛାଣି ଖାଇବାର ମଜ୍ଜା ଆଉ କୋଉଠୁ ମିଳେନା, ପୁଣି ଆମେ ନୂଆପଡା ରେ ଥିଲା ବେଳେ ମାଆ ଚଣ୍ଡୀ ଠାକୁରାଣୀଙ୍କ ପାଖରେ ହେଉଥିବା ବାଲିଭୋଗ ମାଛପୋଡା କଥା ଶୁଣି ମୋ ସ୍ୱାମୀ ବି ଖାଇବାକୁ ଚାହିଁଥିଲେ ତ ଡଙ୍ଗାରେ କୋଇଲା ନିଆଁରେ ପୋଡା ହୋଇଥିଲା ଖଙ୍ଗା ମାଛ, ତାପରେ ସେହି ମାଛକୁ ସଂଗ୍ରହ କରି ତାଦେହରେ କଞ୍ଚା ଶୋରିଷ ତେଲ, କଞ୍ଚା ରସୁଣ, କଞ୍ଛା ପିଆଜ, କଞ୍ଚା ଲଙ୍କା ସବୁକୁ ଛୋଟ ଛୋଟ କରି କାଟି ମିଶେଇ ଚକଟି ପ୍ରସ୍ତୁତ କରାଯାଇଥିଲା ମାଛ ପୋଡା, ସେସବୁ ଖାଦ୍ୟ ର ମଜ୍ଜା ଆଉ କାହିଁ???
ଏମିତି ପ୍ରତିଥର ବାଣପୁର ଗଲେ ଆମେ ବୁଲିବାକୁ ଯାଉ ନାରାୟଣୀ ପୀଠ, ତାରାତାରିଣୀ ପୀଠ, ସେଠାରେ ରନ୍ଧା ବଢ଼ା କରି ଖାଇ ପିଇ ପୁଣି ଫେରୁ ଘରକୁ, ଆଉ ନାରାୟଣୀ ପୀଠର ସ୍ୱତନ୍ତ୍ର ଉପବେଶନ ସାଙ୍ଗକୁ ପ୍ରାକୃତିକ ଝରଣା ବଡ଼ ମନ ମୁଗ୍ଧକର, ମାଆ ଉପବେଶନ କରିଥିବା ସ୍ଥାନଟି ମନ୍ଦିର ପରି ଓ ତାହାର ଦ୍ୱାର ରହିଛି, ତା ଆଗକୁ ଥିବା ଚଉତରା ପୀଠର ଶେଷ ଭାଗକୁ ଶିବଶଙ୍କର ଶ୍ରୀମୁଖ ତାଙ୍କର ମାଆ ନାରାୟଣୀଙ୍କ ଦିଗକୁ, ସେହି ସ୍ଥାନର ମହତ୍ଵରେ ଛନ୍ଦି ହେଇଯାଏ ମୁଁ ଆଉ ଫେରିଲା ବେଳକୁ ବାଣପୁର, ବାଟରୁ ବାଲୁଙ୍ଗାରୁ ନେଇଆସିଥାଉ ଚିଲିକା କଙ୍କଡା, ଚିଲିକା କଙ୍କଡା କେଳେଇବାରେ ସିଦ୍ଧହସ୍ତ ମୋ ବୋଉ, ଆଉ ତାଠୁ ଶିଖିଯାଇଛି ମୁଁ, ହୁସିଆର ହୋଇ ଆଗ ଭାଙ୍ଗିଦେବାକୁ ପଡେ କଙ୍କଡା ର ଦୁଇ ଗୋଡ଼, ତାପରେ ଟାକୁ କେଳେଇକୁଟି ସୋରିଷ ତେଲ, ରସୁଣ ଛେଚା ଦିଆଯାଇ ଭଜାଯାଏ, ତାପରେ ବଟା ମସଲାରେ, ପିଆଜ, ରସୁଣ ଅଦା ଶୁଖିଲା ଲଙ୍କା ବାଟାଯାଇ ମାଛ କାଲିଆ ପରି ହୁଏ କଙ୍କଡା ତରକାରୀ, କଙ୍କଡା ଗୋଡ଼ ଭାଙ୍ଗି ଆଉ ଦେହରୁ ରୁଆ ରୁଆ ମାଂସ ଛଡେଇ ଖାଇବା ମଜା ନେଇଜାଣିଲେ ହେଲା.
ବୋଉ କିନ୍ତୁ କଙ୍କଡାରେ ଗୋଟେ ନୂଆ ବ୍ୟଞ୍ଜନ କରେ ଯାହା ଅନନ୍ୟ, କଙ୍କଡା ଭଜା ସାରିବା ପରେ, କେବଳ ମିଠା କଖାରୁ ଓ ଆଳୁ ପଡି ବୋଉ କରେ କଙ୍କଡା ମହୁର ଯାହା ଆମେ ତ ହାତ ଚାଟି ଖାଉ, ଏଵେ ମୋ ବର ବି, ଆଉ ଯେବେ କଙ୍କଡା ନେଇ ଶାଶୁଘର ଯାଉ, ମୋ ବଡ଼ଜା ସେଗୁଡିକୁ ପ୍ରଥମେ ସିଝାଇ, ତାପରେ କେଳେଇ ଭାଜି କରନ୍ତି ତରକାରୀ, ହେଲେ କଞ୍ଚା ବା ଜୀବନ୍ତ କେଳେଇଥିବା କଙ୍କଡା ର ସ୍ୱାଦ ବହୁତ ଅଲଗା, ପୁଣି ଏମିତିଯେ ମରିଯାଇଥିବା ଚିଲିକା କଙ୍କଡା ଖାଇ ହେଉନଥିବା ବେଳେ ସମୁଦ୍ର ରୁ ଧରା କଙ୍କଡା ମଲା କଙ୍କଡା ହେଲେ ବି ଖିଆ ଯାଇପାରେ, ଚିଲିକା କଙ୍କଡା ତ ସହଜେ ଆସିପାରିବନି ତେଣୁ ସହଜ ରେ ମିଳୁଥିବା ସମୁଦ୍ର କଙ୍କଡା ରେ କଖାରୁ ଆଳୁ ମହୁର କରି ଅନେକ ଥର ଶାଶୁ ଘରେ କରି ଖୁଆଇ ସାବାସୀ ତ ପାଇଯାଇଛି ଶାଶୁଙ୍କ ଠାରୁ, ନହେଲେ ପ୍ରଥମେ ଯେବେ ଭାତ ବାଢି ବଡ଼ଜାଙ୍କ ନିର୍ଦେଶରେ ଏଙ୍କୁ ବିଂଚିଦେଇଥିଲି ତ ଆରପଟ ଖଂଜାରୁ ଶାଶୁଙ୍କ ରଡି ଏ ଯାଏଁ କର୍ଣ୍ଣ ପଟଳ ରେ ଗୁଂଜାରିତ ହୁଏ, କାଲିକା ବୋହୁ ଆଜି ଆସି ସ୍ୱାମୀର ଗୁଣ୍ଡା ଗଣିଲାଣି !, ତାଳପତ୍ର ବିଞ୍ଚଣା ଟା ଖସିପଡିଥିଲା ହାତରୁ, ସେଇକଥା ଯେବେ କେବେ ସୁବିଧା ସୁଯୋଗ ପାଇ ସ୍ବାମୀଙ୍କ ଆଗରେ ଅଭିଯୋଗ ସ୍ୱରୂପ କହିଥିଲି ତାଙ୍କର ଉତ୍ତର ଥିଲା ମୋ ଖାଇବା ପାଖେ ମୋ ବୋଉ ବିଲେଇ ପିଲା ବି ପାଖ ପୁରେଇ ଦିଏ ନାହିଁ, ତ ଯେତେ ଯେତେ କଥା ଜୀବନରେ ଘଟିଛି, ତାକୁ ନିଜ ଭିତରେ ରୋକି ଦେବାକୁ ବାଧ୍ୟ ହୋଇଛି, କାରଣ ଘରେ ବାପାଙ୍କ ଆଗରେ ଏସବୁ କିଛି କହିବୁନି ବୋଲି ବୋଉର ତାଗିଦା ଦୁଇରେ ଯେଉଁ ଘର ଯେମିତି ତାଙ୍କ ଚଳଣୀ ସହ ସାମିଲ ହୋଇ ଚଳି ଶିଖିବାକୁ ବୋଉର ନିର୍ଦ୍ଧେଶ ଶାଶୁ ଅସହଜ ନୁଁହ ବରଂ ନିଜ ଭୁଲ କୋଉଠି ନା କୋଉଠି ରହିଗଲାକି ଭାବିବାକୁ ପଡେ ଶହେ ହଜାରେ ଥର.
