ରକ୍ଷା କବଚ
ରକ୍ଷା କବଚ
ଏକୁଟିଆ ଥିଲା ବେଳେ ।ଚଢେଇ ଉଡ଼ିଗଲେ, ବିଲେଇ ମ୍ୟାଉଁ କହିଲେ, ବେଙ୍ଗ କେଁ କଟର ରଡ଼ି କଲେ, କୁକୁର ଅସ୍ବାଭାବିକ ଭାବେ ବୋବେଇଲେ ଡର ନିଶ୍ଚୟ ଲଗିବ ଏଥିରେ ସନ୍ଦେହ ନାହିଁ କିନ୍ତୁ ଗହଳି ଭିତରେ କିଛି ଅସ୍ବାଭାବିକ ଶବ୍ଦ କୋଉଠୁ ,କିପରି ,କାହିଁକି ଆସୁଛି ଅନୁସନ୍ଧାନ କରାଯାଏ। କାରଣ କିଛି ଜଣାପଡେ କିଛି ଜଣା ନପଡ଼ିଲେ ଅନୁମାନ କରି ଚୁପ ରହିବାକୁ ହୁଏ। ରାତି କଥା ନିଆରା। ନିଶ୍ଚୟ ମୂଷା ହୋଇଥିବ ବା ବିଲେଇ ବା କୌଣସି ସରୀସୃପ । ଏଇ ଯେମିତକି ଶିଆଳିଆପତନୀ, ଅଜଣା ପକ୍ଷୀ ହୋଇଥିବ ବୋଲି ଭାବିଲେବି ଡର ଥାଏ। ଭୂତ ନୁହେଁ ତ ??
ଘରଟା ଖାଲି ଥିଲା ବର୍ଷ ବର୍ଷ ଧରି। ଭଡ଼ା ନେବା ବେଳେ ସମସ୍ତେ କହିଲେ ଘରଟି ଅବ୍ୟବହୃତ ଦେଖି ଚାହିଁ ଚଳିବେ। ପୁଣି ପାଖ ଘରେ ମର୍ଡର ହୋଇଥିଲା। ମହାନ୍ତି ବାବୁ ପଛେଇଗଲେ। ମିସେସ୍ ମହାନ୍ତି କିନ୍ତୁ ରାଜି। ଛୋଟ ପୁଅକୁ ନେଇ ଚଳିବାରେ ତାଙ୍କର କିଛି ଅସୁବିଧା ହେବନି ବୋଲି ସିଧା ସିଧା ଜଣେଇ ଦେଲେ। ପୁରୁଣା କାଳିଆ ଘରେ ବାଡିପଟକୁ ନିତ୍ୟକର୍ମ କରିବାକୁ ଗଲାବେଳେ, ଭାବନ୍ତି, ପର ଭୂତ କଣ କରିବ ତାଙ୍କର?ତାଙ୍କ ନିଜ ଲୋକଙ୍କ ଭୂତମାନେ ନିଶ୍ଚୟ ପର ଭୂତମାନଙ୍କ ସହ ମୁକାବିଲା କରି ତାଙ୍କୁ ସୁରକ୍ଷା ଦେଇପାରିବେ। ମହାନ୍ତି ବାବୁ, ଘରକୁ ଆସୁ ଆସୁ ବହୁତ ଡେରି କିନ୍ତୁ ମିସେସ ମହାନ୍ତି ଚଳେଇ ନିଅନ୍ତି ସବୁକିଛି।
ମହାନ୍ତି ବାବୁ ଫସିଯାଇଛନ୍ତି ଗୋଟେ କେଶରେ। ମହକିଲ ଦୁହେଁ ଜଣେ କ୍ରେତା ଜଣେ ବିକ୍ରେତା। କ୍ରେତା ପଇସା ପତ୍ର ଦେଇ ସାରି ପୁରୁଣା କୋଠାର ମାଲିକାନା ନେବା ପରେ ଘରେ ପ୍ରବେଶ ପରେ ଭୂତ ପ୍ରେତଙ୍କ ସ୍ଥିତି ତାଙ୍କୁ ଅସ୍ଥିର କରିଛି ତେଣୁ ସେ ଘରଟି ଫେରେଇ ନେଇ ବିକ୍ରେତାଙ୍କ ଠାରୁ ଟଙ୍କା ଫେରେଇ ନେବାକୁ ଚାହୁଁଛନ୍ତି ହେଲେ ବିକ୍ରେତା ଧରା ଛୁଆଁ ନଦେବାରୁ କ୍ରେତା କେସ କରିଛନ୍ତି। ଶେଷକୁ ବିକ୍ରେତା ମହକିଲ ରୂପେ ମହାନ୍ତି ବାବୁଙ୍କ ସହାୟତା ଲୋଡିଛନ୍ତି, କିନ୍ତୁ ଭୂତ ନଥିବାର ଠୋସ ପ୍ରମାଣ ଯୋଗାଇବା ସମ୍ଭବ ହୋଇ ପାରୁ ନାହିଁ । ମହାନ୍ତି ବାବୁ ଚାହିଁଲେ ମିସେସ ମହାନ୍ତିଙ୍କୁ ଆଉ ମାଗୁଥିଲେ ସହାୟତା। ନିଜେ ଭଡ଼ା ରହୁ ରହୁ କିଣିଥିବା ଘରେ ଭୂତ ପ୍ରେତ ଥିବା ଅସ୍ତିତ୍ୱକୁ ଭୂଲ୍ ପ୍ରମାଣିତ କରିଥିବା ମିସେସ ମହାନ୍ତି କହୁଥିଲେ ସେ ନିଜେ ସେ ଘରେ ପ୍ରବେଶ କରି ପ୍ରମାଣିତ କରି ଦେଇ ପାରିବେ ଭୂତ ଫୁତ କିଛି ନାହିଁ।
ଭାବିଚିନ୍ତି ହେଲେ ମହାନ୍ତି ବାବୁ। ଆସନ୍ନ ପ୍ରସବା ମିସେସ ମହାନ୍ତି ନିଜ ସ୍ତ୍ରୀଙ୍କୁ ପ୍ରମାଣ ଆଧାରରେ ଭୂତ ଥିବା, ବହୁବର୍ଷର ପୁରୁଣା କୋଠାକୁ ଛାଡି କେସ ଜିତିବାକୁ ଚାହୁଁନଥିଲେ ସେ। ତଥାପି ସ୍ତ୍ରୀଙ୍କ ଅତ୍ୟଧିକ ଆଗ୍ରହକୁ ଆଗ୍ରାହ୍ୟ କରିପାରିନଥିଲେ ମହାନ୍ତି ବାବୁ। ନିର୍ଦ୍ଧିଷ୍ଟ ଦିନ ମିସେସ ମହାନ୍ତି ରାତିରେ ଏକୁଟିଆ ଛୋଟ ପୁଅ ସହ ପହଞ୍ଚିଲେ ସେ କୋଠାରେ। କୋଠାରେ ଛାଡ଼ି ଦେବା ପରେ ସମସ୍ତେ ଫେରିଆସିଲେ।
ମିସେସ୍ ମହାନ୍ତିଙ୍କୁ ଜଣେ ବୃଦ୍ଧା ସ୍ଵାଗତ କରିବା ଦେଖି ସେ ପ୍ରଥମେ ସେ ଆଶ୍ଚର୍ଯ୍ୟ ହେଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସନ୍ଦେହ କୁହେଳିକାରେ ନିଜ ପିତୃପୁରୁଷଙ୍କୁ ଆମନ୍ତ୍ରଣ କଲେ,ସହାୟତାର କୃପା ଭିକ୍ଷା କରି। ବୃଦ୍ଧାଙ୍କ ସାହଚର୍ଯ୍ୟରେ, ସେ ଚମତ୍କୃତ ହେଉ ହେଉ ଜଣେ ସୁନ୍ଦରୀ ତରୁଣୀଙ୍କ ଆତିଥେୟତାରେ ଆହୁରି ମୁଗ୍ଧ ହେଉ ହେଉ ଲକ୍ଷ୍ୟ କଲେ ତାଙ୍କ ମୃତ ବିଧବା ଆଈ ଓ ସଧବା ମାଇଁ ଦୁହେଁ ତାଙ୍କ ପାଖେ ପାଖେ ରହି ତାଙ୍କୁ ମନୋବଳ ଯୋଗାଇ ଚାଲିଛନ୍ତି। ପୁଅକୁ ଧରି ଶାନ୍ତିରେ ଶୋଇଗଲେ ସେ। ମନରେ ଥିଲା ଅଦମ୍ୟ ସାହାସ ଓ ପିତୃପୁରୁଷଙ୍କୁ ଅତ୍ୟନ୍ତ ନିର୍ଭର କରୁଥିବା ମିସେସ ମହାନ୍ତିଙ୍କ ଦୃଢ ଚେତନା ଶକ୍ତି, ତାଙ୍କୁ ସେଦିନ ଭଲରେ ଭଲରେ ରାତି ପାହିବାକୁ ଦେଇଥିବାରୁ ସ୍ଵାମୀ କେସ ଜିତିଗଲେ ସତ କିନ୍ତୁ ମହକିଲଙ୍କ ପରିବାର ସେହି ବହୁଦିନରୁ ଖାଲି ପଡ଼ିଥିବା କୋଠାରେ ପ୍ରବେଶ ପୁର୍ବରୁ ନିଜ ପୁର୍ବଜଙ୍କ ଆଶୀର୍ବାଦ ଓ ସହାୟତା ଶକ୍ତି ନେଇ ଗୃହ ପ୍ରବେଶ କରିବାକୁ କହିଥିଲେ ମିସେସ ମହାନ୍ତି। କାରଣ କ୍ରେତାଙ୍କ ବୃଦ୍ଧା ମାଆ ଓ ପତ୍ନୀଙ୍କ ମୃତ୍ୟୁ ପରେ ସେମାନେ ସେ ଘରେ ଥିବାର ପ୍ରମାଣ ମିସେସ ମହାନ୍ତିଙ୍କ ଠାରୁ ଅଧିକ ଅନୁଭବ କାହାର!

