Sulagna Mohanty

Drama Abstract

2.1  

Sulagna Mohanty

Drama Abstract

ରଜ ପାଗ

ରଜ ପାଗ

6 mins
15K


ଗାଡି ଗାଁ ମୁଣ୍ଡରେ ପଶିଲା ବେଳକୁ ବି ଖରା। ମେଘ କାହିଁ? ଲୀନା ଆଶ୍ଚର୍ଯ୍ୟ ହେଲା। ଆଜି ପରା ରଜ!! ପୁରା ପାଞ୍ଚବର୍ଷ ପରେ ଗାଁକୁ ଆସୁଛି ସେ। ସ୍ୱାମୀ ଅଫିସ୍ କାମରେ ବ୍ୟସ୍ତ। ଆସି ପାରିଲେନି। ଲୀନା ନିଶାନ ଜନ୍ମର ତିନିମାସ ପରେ ସେ ଯେଉଁ ଗାଁ ଛାଡିଥିଲା ଆଜି ଆସିଛି। ଆଉ ଯୋଗକୁ ଆଜି ରଜ। ଗାଁ ରଜ ବୋଧେ ଆଜି ସେ ଦଶବର୍ଷ ପରେ ଦେଖିବ। ବାହାଘର ପରେ ରଜ ସମୟରେ କେବେ ଆଉ ସେ ଆସିପାରିନି। ଆମେରିକାରେ ରହି ଫେସବୁକରେ ଦେଖେ ସାଙ୍ଗଙ୍କ ରଜ ଫଟୋ ସବୁ। କିନ୍ତୁ ଆଜି ଗାଁ ମୁଣ୍ଡ ତୋଟାରେ ଝିଅଙ୍କ ଦୋଳିଖେଳ ଦେଖି ଲୀନାର ମନ ସେଇ ପୁରୁଣା ଦିନକୁ ଚାଲିଗଲା। କାଲି ଭଳି ଲାଗୁଛି। ରଜ ସଜବାଜ। ସାଙ୍ଗ ସବୁ ସଜ ହେଇ ଲୀନାଘରେ ପହଞ୍ଚନ୍ତି। ନୂଆ ଲୁଗା। ମୁଣ୍ଡରେ ମଲ୍ଲୀ ମାଳ। ପାଦରେ ଅଳତା। ଏବେ ଆଉ ମୁଣ୍ଡରେ ଟିପି ଟିପି ଦିଆହୁଏନି। ବଡ ହେଲେଣି ଏମାନେ ସବୁ। ନୂଆ ନୂଆ ଏବେ ହାତରେ ମେହେନ୍ଦି ଲଗେଇବା ଷ୍ଟାଇଲ ହେଇଚି। ଲୀନା ସମସ୍ତଙ୍କ ଓଠରେ ଆଉ ଟିକିଏ ନାଲି ବୋଳିଦିଏ ଆଉ ଆଖିରେ କଳା। ବୋଉ ଆଣି ଥୋଇଦିଏ ଥାଳିଏ ପିଠା। ତାପରେ ବୁଲା ହୁଏ ସାହିରୁ ସାହି। ବାଟରେ ଜଗିଥାନ୍ତି ରୋମିଓ ଦଳ। ସୁନ୍ଦରୀ ଝିଅଙ୍କ ରାସ୍ତାକୁ ଚାହିଁ ବସିଥାନ୍ତି ସବୁ। ଆଖିରେ ଆଖିରେ କେତେ କଥାବାର୍ତ୍ତା। ସବୁ ଘରେ ହୁଏ ପିଠାପଣା। ଖାଇପିଇ ଯାଆନ୍ତି ଝିଅଦଳ ଯାଆନ୍ତି ଆମ୍ବତୋଟାକୁ। ଚାଲେ ପୁଣି ଦିପହର ଯାଏଁ ଦୋଳିଖେଳ। ଆଉ ଜଗିଥାନ୍ତି ଅମର ଭାଇ ତାଙ୍କ ସାଙ୍ଗମାନଙ୍କ ସାଙ୍ଗରେ। ଆଖି ଦୁଇଟା ତାଙ୍କର ଖାଲି ଖୋଜୁଥାଏ ଲୀନାକୁ। ଲୀନା ଜାଣେ। ହେଲେ ନିଜ ଖୁମାଣରେ ରହିଥାଏ। ପୁଅମାନେ ସବୁ ଝିଅଙ୍କ ଦୋଳି ଠେଲିବାରେ ସାହାଯ୍ୟ କରନ୍ତି। ଲୀନା ଅମର ଭାଇ ଆଖିରେ ଆଖି ମିଶେଇ କେବେ ଚାହେଁନି କିନ୍ତୁ ଅମର ଭାଇ ଆଉ କାହା ଦୋଳି ଠେଲିଦେଲେ ସେ ମନେ ମନେ ରାଗିଯାଏ।

ଗାଁରେ ମେଳା ବସେ। ରାମଦୋଳି ଆସେ। ଝିଅ ସବୁ ବସିବାକୁ ଯାଆନ୍ତି। ବହୁତ ଉଚ୍ଚରେ ଦୋଳି। ହାତଗୋଡ ପାଏନି। ପୁଅଗୁଡା ଆଗଭର ହେଇ ସାହାଯ୍ୟ କରିବାକୁ ଦଉଡି଼ ଆସନ୍ତି। ଅମର ଭାଇ ସେଇ ବାହାନାରେ ତା ନରମ ହାତକୁ ଧରି ତାକୁ ହସିହସି ଦୋଳିରେ ବସେଇ ଦିଅନ୍ତି। ଦୋଳି ରହିଲେ ତାକୁ ଓହ୍ଲେଇ ଦିଅନ୍ତି। ସେ ବି କଣେଇ କି ଦେଖେ ଅମର ଭାଇର ମନଲୋଭା ହସ। ତା ପରଦିନ ଅମର ଭାଇର ମାଁ ଘରକୁ ଡାକିଥାନ୍ତି ତାକୁ ଆଉ ତା ସାଙ୍ଗ ମାନଙ୍କୁ। ତାଙ୍କର ଝିଅ ନାହିଁ। ଲୀନା ସଜବାଜ ହେଇ ଯାଇଥାଏ। ଲୀନାକୁ ପୋଡପିଠା ମାଂସ ତରକାରୀ ବଢିଆ ଲାଗେ। ମାଉସୀ ବଢିଆ ପିଠା ତରକାରୀ ବାଢ଼ିଦେଲେ। ଲୀନା ଆଗ ଖାଇଦେଇ ହାତ ଧୋଇବାକୁ ଚାଲିଗଲା। ହାତ ଧୋଇ ସାରିଲା ବେଳକୁ ଦେଖିଲା ପଛରେ ଅମର ଭାଇ। ହାତକୁ ବଢେଇ ଦେଲେ ମିଠା ରଜ ପାନ। ବଢଉ ବଢ଼ଉ କହିଲେ, “ବହୁତ ସୁନ୍ଦର ଦିଶୁଛୁ ଲୀନା। ପରୀଟିଏ ଭଳି।” ଲୀନା କିଛି କହିଲାନି। ଅମର ଭାଇ ଆଉ କିଛି କହିଥାନ୍ତେ ବୋଧେ କିନ୍ତୁ ଲୀନାର ସାଙ୍ଗମାନେ ଆସିଗଲେ। ଅମର ଭାଇ ତାଙ୍କୁ ବି ପାନଦେଇ ବାହାରକୁ ଚାଲିଗଲେ। କଣ ଆଉ କହିଥାନ୍ତେ କି ସେ??

ସେଇ ଖରାଛୁଟି ପରେ ଲୀନା ସହରକୁ ଆସିଗଲା ପଢିବାପାଇଁ । ଶୁଣିଲା ଅମର ଭାଇ ଚାକିରୀ ପାଇ ଦୁବାଇ ଚାଲିଯାଇଥିଲେ। ତାପରେ ତାଙ୍କ ସାଙ୍ଗେ ଆଉ ଦେଖା ହେଇନି। ଏବେ ଶୁଣିଛି ମାଉସୀଙ୍କ ଦେହ ଖରାପ ପରେ ଅମର ଭାଇ ଗାଁକୁ ଚାଲିଆସି ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ଏତିକି ଭାବୁଭାବୁ ଗାଡି ହର୍ଣ୍ଣ ଦେଲା। ଲୀନା ଦେଖିଲା ସେ ଘର ସାମ୍ନାରେ। ବଡଭାଇ ଆଗ ସିଟରୁ ତାକୁ ଡାକୁଛନ୍ତି। ନିଶାନ ବି ନିଦରୁ ଉଠିପଡ଼ିଲାଣି। ଲୀନା ଗାଡିରୁ ଓହ୍ଲେଇ ଘର ଭିତରକୁ ପଶୁଛି ଘର ଭିତରୁ ଗୋଟିଏ ଚିହ୍ନାମୁହଁ ବାହାରି ଆସିଲା। ସାଙ୍ଗରେ ସଜବାଜ ହେଇ ସୁନ୍ଦର ଝିଅଟିଏ। ଲୋକଟି ମୁଣ୍ଡରୁ ଚୁଟି ଟିକିଏ ଝଡି ଯାଇଛି କିନ୍ତୁ ହସଟି ସେଇ ମନଲୋଭା। ଲୀନା ନମସ୍କାର କଲା। ପୁଅକୁ କହିଲା ନମସ୍କାର କରିବାକୁ। ତାପରେ ପୁଅ ଅମର ଭାଇର ଝିଅ ସାଙ୍ଗେ ହେଣ୍ଡଶେକ୍ କଲା। ବଡ଼ ଭାଇ କହିଲେ, “ଆରେ ଅମର। ଲୀନା ଆସିଲା ଆଉ ତୁ ଚାଲିଯାଉଚୁ ଯେ?” ଅମର ଭାଇ କହିଲେ, “ମଉସାଙ୍କୁ ଦେଖିବାକୁ ଆସଥିିଲି। ଆସିବି ପରେ। ଲୀନା ସାଙ୍ଗେ ତ ଦେଖା ହେଲା। ଝିଅ ତୋଟାକୁ ଯିବ ଦୋଳିଖେଳି। ଯାଉଛି ଛାଡିବାକୁ। ମେଘ ବି ଆସିଲାଣି।” ତାଙ୍କ କଥା ଶୁଣି ଲୀନା ଆକାଶକୁ ଚାହିଁଲା। ତା’ ଛାତି ଧଡ଼ ହେଲା କି? ମନ ପୁଣି ପଛକୁ ଫେରିଗଲା କି?? କେଜାଣି!!

ଅମର ଭାଇ ତାଙ୍କ ଝିଅକୁ ନେଇ ଚାଲିଗଲେ। ବଡ଼ଭାଇ ତା’ ବ୍ୟାଗ ନେଇ ଭିତରକୁ ଗଲେ। ଲୀନା ତା’ ପୁଅ ହାତକୁ ଟାଣିଲ।l ପୁଅ ଅମର ଭାଇ ଯିବା ରାସ୍ତାକୁ ଚାହିଁଥାଏ। ଲୀନା ପଚାରିଲା, “ଆରେ କଣ ଦେଖୁଛୁ?” ଲୀନାକୁ ଦେଖି ନିଶାନ କହିଲା, “ମାମା, ସି ଇଜ୍ ସୋ ପ୍ରୀଟି। ସି ଲୁକ୍ସ ଲାଇକ୍ ଏନ ଏଞ୍ଜେଲ।” ଲୀନା ତା ପାଞ୍ଚବର୍ଷର ପୁଅ କଥା ଶୁଣି କଣ କହିବ ଜାଣିପାରିଲାନିି। ସେ ଟିକିଏ ହସିଦେଇ ଘର ଭିତରକୁ ପାଦ ବଢ଼େଇଲା। ବାହାରେ ବହୁତଦିନ ପରେ ଆଜି ପୁଣି ଥରେ ରଜ ପାଗ ଆସି ଯାଇଥିଲା। ଲୀନା ପୁଅକୁ ନେଇ ଘର ଭିତରକୁ ଗଲା। ବୋଉ ସେତେବେଳକୁ ବାହାରକୁ ଆସୁଥାଏ ଲୀନା ଆସିଲାଣି କି ନାହିଁ ଦେଖିବାକୁ। ବାପା ବିଛଣାରେ ଅଧଶୁଆ ଅବସ୍ଥାରେ ବସିଥାନ୍ତି। ଭାଉଜ ରୋଷେଇଘରେ ବ୍ୟସ୍ତ। ତାକୁ ଦେଖି ସବୁ ଖୁସି ହେଲେ। ନିଶାନକୁ କୋଳକୁ ନେଲେ। ବାପା ବୋଉଙ୍କୁ ଦୁଇବର୍ଷ ତଳେ ସେ ଆମେରିକା ଡକେଇଥିଲା। ତାପରେ ଖାଲି ଭିଡ଼ିଓ ଚାଟ। କିନ୍ତୁ କାହାରିକୁ ନ ଭେଟି ବି ନିଶାନ ସମସ୍ତଙ୍କ ସାଙ୍ଗେ ମିଶିଯାଏ। ପୁରା ତା’ ବାପା ଭଳି। ଭାଉଜ ଆରିଶା କାକରା ପୋଡପିଠା ବନେଇଥାନ୍ତି। ବହୁତ ଆଦରରେ ସେ ଆଉ ବୋଉ ତାକୁ ଆଉ ନିଶାନକୁ ପିଠା ଖୁଏଇଲେ। ଏତେଦିନ ପରେ ଭାଉଜଙ୍କ ହାତ ତିଆରି ପିଠା ଖାଇଲା ଲୀନା। ତା’ ଝିଆରୀ ସାନୁ ତେର ବର୍ଷର। ସେ ଅପା ଅପା ବୋଲି ଲୀନାର ପିଛା ଛାଡୁନଥାଏ। କେତେ ସ୍ନେହ ପ୍ରେମକୁ ପଛରେ ଛାଡି ଦୁନିଆ ବୁଲୁଛି ସେ। ଲୀନାର ମନଟା ଭାରି ହେଇଯାଉଥିଲା। ଝିଆରୀ ପାଇଁ ତା ରୁମରେ ରଜ ବିଛଣା ପାରିଥାନ୍ତି ଭାଉଜ। ସେଇଠି ରଜରେ ତା ସାଙ୍ଗମାନେ ଆସିଲେ ମଉଜ କରନ୍ତି ସେମାନେ। ସେଇଟା ଦିନେ ଲୀନାର ରୁମ ଥିଲା। ଅତୀତ ତା’ ଆଖି ଆଗରେ ଖାଲି ନାଚି ଯାଉଛି। ପିଠା ଖାଇସାରି ଭାଉଜଙ୍କ ସାଙ୍ଗେ ସେ ଛାତ ଉପରକୁ ଗଲା। ଛାତରୁ ଦେଖିଲା ଏବେ ବି ପୁଅମାନେ ଡୁଡୁ ବାଗୁଡି ଖେଳୁଛନ୍ତି। ଝିଅମାନେ ବୋହୁଚୋରି। ଗୀତ ଭାସି ଆସୁଛି।।” ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ”।। ।। “ଦୋଳି କଲା କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟଝଟ”।। ଓଡ଼ିଆ ଗାଁରେ ଏବେ ବି ଓଡ଼ିଶାର ସଂସ୍କୃତିଟି ବଞ୍ଚିରହିଛି। ଦୁନିଆ ଯେତେ ଆଗକୁ ଯାଉନା କାହିଁକି!! ଏଇ ଗାଁର ଝିଅ ସେ। ଏଇ ପାଣି ପବନରେ ବଢିଛି। ଆଉ ଏଇ ଗାଁ ଏବେ ବି ବଞ୍ଚିଛି। ଲୀନାର ମନ ଏକ ଅଜଣା ପୁଲକରେ ଭରିଗଲା।

ଶେଷ ରଜଦିନ ବୋଉ କହିଲା ସନ୍ଧ୍ୟାରେ ଅମର ଭାଇଙ୍କ ମା ତାଙ୍କୁ ସବୁ ଖାଇବାକୁ ଡାକିଛନ୍ତି। ଲୀନା ମନ ଦୁକୁଦୁକୁ। ଯିବ କି ନ ଯିବ!! ଏତେଦିନ ଧରି ତାଙ୍କ ଘରକୁ ଯାଇନି। ଆଉ ଯେବେ ବି ଯାଇଛି ମାଉସୀ ମଉସା ଏକୁଟିଆ। ହେଲେ ଏବେ? କିନ୍ତୁ ବୋଉକୁ କଣ କହି ମନା କରିବ! ଆଉ କାହିଁକି ବା ମନା କରିବ? କଣ ବା ସେମିତି ଥିଲା? କିନ୍ତୁ କାହିଁକି କେଜାଣି ଅମର ଭାଇର ସୁଖୀ ସଂସାର ଦେଖି ସେ ନିଜେ କେତେ ଯେ ସୁଖୀ ହେବ ସେଇଟା ନେଇ ତା’ର ନିଜ ଉପରେ ବିଶ୍ୱାସ ନଥିଲା। ସେ ଯାହା ହଉ ସନ୍ଧ୍ୟାରେ ଭାଉଜ ସାନୁ ସେ ଆଉ ନିଶାନ ଅମର ଭାଇ ଘରକୁ ଗଲେ। ଭାଇ କାମରେ ବାହାରକୁ ଯାଇଥାନ୍ତି। ବୋଉ ବାପାଙ୍କ ପାଖେ ଘରେ ରହିଲା। ଅମର ଭାଇ ଘରେ ନଥିଲେ ସନ୍ଧ୍ୟାବେଳକୁ। ତାଙ୍କ ଝିଅ ବି ସାଙ୍ଗମାନଙ୍କ ସାଙ୍ଗେ ବାହାରେ ଥିଲା। ତାକୁ ନିଶାନ ଖୋଜୁଥାଏ। ଘରେ ମଉସା ମାଉସୀ ଆଉ ମାନି ଭାଉଜ। ମାନି ଭାଉଜ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ l ଝିଅ ତାହେଲେ ୟାଙ୍କର ପ୍ରତିଛବି!! ମାନି ଭାଉଜ ଗୋଟିଏ ମିନିଟରେ ପରକୁ ଆପଣା କରି ପାରୁଥିବା ମଣିଷ। ସାଙ୍ଗେ ସାଙ୍ଗେ ନିଜର କରିନେଲେ। ତା’ ଓଠ ଧରି କହିଲେ, “ବହୁତ ଶୁଣିଚି ତୁମ କଥା l ଭେଟିବାକୁ ବହୁତ ଇଚ୍ଛା ଥିଲାl ” ଲୀନା ଭାବିଲା, “କିଏ କହେ ତା’ କଥା?? ମାଉସୀ? ନା ଅମର ଭାଇ?? କିନ୍ତୁ କାହିଁକି?” ମାନି ଭାଉଜ ପାଖରେ ବସେଇ ଗପିଲେ। ବଢିଆ ବାଡି ଆମ୍ବ, ପଣସ ଆଉ ଲିଚୁ ଖୁଏଇଲେ। ତାଙ୍କ ହାତତିଆରି କ୍ଷୀରି ଖୁଏଇଲେ। ଲୀନା ତାଙ୍କୁ ଦେଖୁଥାଏଁ। ଦେଖୁଥାଏ ନା ତଉଲୁଥାଏ? ନା ଖୁସି ହେଉଥାଏ ଅମର ଭାଇ ତାଙ୍କ ଜୀବନରେ ସୁଖୀ ହେଇଛନ୍ତି ବୋଲି? କେଜାଣି!!

କିଛି ସମୟପରେ ଅମର ଭାଇ ଝିଅ ରୋମାକୁ ନେଇ ଘରକୁ ଆସିଲେ। ନିଶାନ ଆଉ ରୋମା ଖେଳରେ ମଜିଗଲେ। ଅମର ଭାଇ ଲୀନା ପାଖରେ ବସିଲେ। ତା’ ଭଲମନ୍ଦ ପଚାରିଲେ। ତା’ ସ୍ୱାମୀଙ୍କ ବିଷୟରେ ପଚାରିଲେ। ତାଙ୍କୁ ନେଇ ପୁଣି ଗାଁକୁ ଆସିବାକୁ କହିଲେ। ଲୀନା ତାଙ୍କୁ ତାଙ୍କ ବ୍ୟବସାୟ ବିଷୟରେ ପଚାରିଲା। ତାଙ୍କୁ ଡ଼ାକିଲା ଆମେରିକାକୁ। ଭାଉଜଙ୍କୁ ଧରି ବୁଲି ଆସିବାକୁ। ସେ ହଁ ମାରିଲେ। କାଇଁ ଡ଼ାକିଲା ସେ? ତାଙ୍କୁ କଣ ଲୀନା ବି ନିଜ ସୁଖୀ ସଂସାର ଦେଖେଇବାକୁ ଚାହୁଁଥିଲା?? କେଜାଣି!! ଆଠଟା ବେଳକୁ ସମସ୍ତେ ଖାଇବାକୁ ବସିଲେ। ଚକୁଳି ପିଠା, ଘାଣ୍ଟ, ମାଂସ ଝୋଳ, ଆଉ ଛେନା ଗଜାର ମଜା। ଲୀନା ତଣ୍ଟିଯାଏଁ ଠୁଙ୍କିଦେଲା। କେବେ ପିଠା ଖାଉନଥିବା ନିଶାନ ବି ସବୁଖାଇ ପ୍ଲେଟ ସଫା କରିଦେଲା। ଖାଇସାରି ଉଠିଲେ ସବୁ। ନିଶାନ ଆଉ ରୋମା ପୁଣି ଖେଳରେ ମାତି ଯାଇଥାନ୍ତି। ମାନି ଭାଉଜ ଫେର୍ ଦୁଇଟି ରସଗୋଲା ଆଣି ଧରେଇଲେ। ନାହିଁ ନାହିଁ କରୁ କରୁ ମୁହଁରେ ପୁରେଇ ଦେଲେ ରସଗୋଲାଟିଏ। ଲୀନା ଖାଇଲା। ଆର ରସଗୋଲାଟି ଖାଉଖାଉ ଲୀନାର ଶାଢୀରେ ପଡିଗଲା ରସ। ସାଙ୍ଗେ ସାଙ୍ଗେ ନ ଧୋଇଲେ ଦାଗ ଯିବନି। ସେ ଧୋଇବା ପାଇଁ ଉଠିଗଲା। କିଚେନ ପାଖ ସିଙ୍କରେ ଶାଢ଼ୀଟା ପାଣିରେ ପୋଛିଲା। ବୁଲିପଡ଼ିଲା ବେଳକୁ ଅମର ଭାଇ। ହାତରେ ସେଇ ରଜର କୋଟିକମକରା ଲବଙ୍ଗମରା ଖିଲିପାନ। ସେଥିରେ ଗୁଆ ଖଇର, ମିଠା ମସଲା, ଗୁଜୁରାତି, ନଡ଼ିଆପାତି। ମୁହଁରେ ସେଇ ହସ। ଲୀନାକୁ ସେ ପାନଟି ବଢେଇଦେଲେ। ଆଜିର କଥା ନା ପନ୍ଦର ବର୍ଷ ତଳ କଥା?? ଲୀନାର ଗଉଁ ଆଜି ତା’ ଉପରେ ହସୁଥାଏ। କିନ୍ତୁ ଆଜି ସେ ଛାଡ଼ିବନି। ମନରେ ବହୁତ ସାହସ ବାନ୍ଧି ପଚାରିଲା, “ଅମର ଭାଇ ସେଦିନ ପାନ ଦେଇ ତୁମେ ମତେ କଣ କହିବାକୁ ଚାହୁଁଥିଲ?” ତା’ କଥା ଶୁଣି ଅମର ଭାଇ ଟିକିଏ ଥମ ହେଇକି ଠିଆହେଲେ। ଖୁମାଣିଆ ଆଉ ମଉନାମୁହିଁ ଏଇ ଲୀନାଠୁ ସେ ବୋଧେ ଏମିତି ପ୍ରଶ୍ନଟିଏ ଆଶା କରିନଥିଲେ l

ସେ କିଛି କହିବା ପୂର୍ବରୁ ସେପଟୁ ନିଶାନ ଦଉଡି଼ ଆସିଲା ଆଉ କହିଲା, “ମାମା, ଆମେ ରୋମାକୁ ଆମ ସାଙ୍ଗରେ ଆମ ଘରକୁ ନେଇଯିବା। ନାଓ ସି ଇଜ୍ ମାଇ ବେଷ୍ଟ ଫ୍ରେଣ୍ଡ। ଆଇ ଲାଇକ ହର। ସେ ଆମ ଘରେ ରହିବ। ସେ ମାମା ହବ ଆଉ ମୁଁ ପାପା।” ଲୀନା ତା’ କଥା ଶୁଣି ଅପ୍ରତିଭ ହେଇଗଲ।l ପିଲାଟା ଏମିତି କଣ ଅଭଦ୍ରଙ୍କ ଭଳି କହୁଚି?? ରାଗରେ ସେ ନିଶାନର କାନ ମୋଡ଼ିବାକୁ ଯାଉଛି ଅମର ଭାଇ ନିଶାନକୁ ନିଜ ଆଡକୁ ଟାଣିନେଲେ। ତା’ପରେ କହିଲେ, “ରାଗୁଛୁ କାହିଁକି ଲୀନା? ପିଲାବେଳେ ହିଁ ବୋଧହୁଏ ମଣିଷ ନିଜ ମନକଥା ଏତେ ମନଖୋଲି କହିପାରେ। ବଡ ହେଲା ପରେ ଖାଲି ଡର, ଖୁମାଣ ଆଉ ଅଙ୍କକଷା। ନୁହେଁ କି??” ତାପରେ ସେ ନିଶାନକୁ ଦେଖି କହିଲେ, “ତୁ ଯା ନିଶାନ।” ନିଶାନ ଦଉଡି଼ କି ଭିତରକୁ ପଳେଇଲା। ବାହାରେ ବର୍ଷା ଆରମ୍ଭ ହେଇଯାଇଥିଲା। ବର୍ଷା ବିନା କି ରଜ?? ଲୀନା ଅମର ଭାଇଙ୍କ ମୁହଁକୁ ଚାହିଁଲ। l ଅମର ଭାଇ ନିଶାନର ପକ୍ଷ ନେଉଥିଲେ ନା ତା’ ପ୍ରଶ୍ନର ଉତ୍ତର ଦେଉଥିଲେ ସେଇଟା ଜାଣିବାକୁ ତାକୁ ବେଶି ସମୟ ଲାଗିନଥିଲା। ବର୍ଷାର ବେଗ ବଢିବାକୁ ଲାଗିଥିଲା। ବଢ଼ୁ। ବର୍ଷା ସରିଗଲେ ରଜ ବି ସରିଯିବ। ଆଉ ରଜ ସରିଗଲେ ତା’ ସାଙ୍ଗକୁ ସରିଯିବ ସ୍ମୃତିର ଚଳଚ୍ଚିତ୍ର!!!

By Sulagna Mohanty


Rate this content
Log in

Similar oriya story from Drama