Lopamudra Parida

Classics Inspirational

3.8  

Lopamudra Parida

Classics Inspirational

ରଜ ମଉଜ

ରଜ ମଉଜ

7 mins
243



ଘରକାମ କରୁ କରୁ .......


ବନସ୍ତେ ଡାକିଲା ଗଜ 

ବରଷକେ ଥରେ ଆସିଛି ରଜ 

ଆସିଛି ରଜ ଲୋ ଘେନି ନୂଆ ସଜବାଜ 

ବଉଳଲୋ! 


_ମାଆ ଏ ବଉଳ କିଏ କି ? କାହାକୁ ମନେ ପକଉଛ ଗୁଣୁଗୁଣୁ ହୋଇ ?


_ ଆରେ ଆଉ ଚାରିଦିନେ ପରା ରଜ ।ହଁ ତମେ ସବୁ ଭଲା କେମିତି ମନେରଖନ୍ତ ? ତମ ପିଲାଦିନ ଆମ ପିଲାଦିନୁ କେତେ ଅଲଗା ।କାଇଁ ସେ ମଉଜ, ସେ ଆଗ୍ରହ ଆଜିକାଲି ଆଉ ?


_ ହଁ ମାଆ ମନେଅଛି ଆର ବର୍ଷ ଯୋଉ ଆମେ ଆମ ତଳ ଖେଳପଡିଆରେ ଦୋଳିରେ ଖେଳୁଥିଲେ ଆଉ ତମେ ଘରେ ଗୋଟେ ବଢିଆ କେକ୍ ତିଆରି ଥିଲ ସେଇ ପର୍ବ ତ ? କ'ଣ ତ ତା' ନାଁ ... ହଁ ପୋଡପିଠା ।ବହୁତ ସୁଆଦିଆ ଥିଲା ।ଏଥର ବି ବନେଇବ ନା ମାଆ?


ଝୁନୀ, ରେନୀ ଆଉ ମାନୁର ଉତ୍ସାହ ଦେଖି କସ୍ତୁରୀ ଖୁସି ହୋଇଗଲେ ।ଗିନାରେ ବଟା ହଳଦୀରେ ସର ପକେଇ ଆଣି ଝିଅ ମାନଙ୍କ ପାଦରେ ଲଗଉ ଲଗଉ କହିଲେ, ହେ ସେଇଟା କେକ୍ କ'ଣ ? ପିଠା ସିନା । ଶୁଣିବ କିରେ ମୋ ପିଲାଦିନ ରଜମଉଜ କଥା ? 


_ ହଁ ମାଆ ।ଏକାସାଙ୍ଗେ କହିଉଠିଲେ ଝିଅ ମାନେ ।


ଭାବବିହ୍ବଳା କସ୍ତୁରୀ ହଳଦୀ ମରୁକୁଟି ଛଡଉ ଛଡଉ ଆରମ୍ଭ କଲେ ....


_ ଆରେ ରଜ ଆମ ଓଡିଆ ମାନଙ୍କ ମାଟିର ପରବ, କୃଷି ର ପରବ ।ଜୁନ୍ ମାନର ୧୪ |୧୫ | କି | ୧୬ ଏମିତି ତାରିଖ ମାନଙ୍କରେ ପ୍ରାୟ ରଜ ପଡେ ।ରଜ ପରବ ତିନିଦିନ ।ପହିଲି ରଜ, ରଜ ସଙ୍କରାନ୍ତି ଆଉ ଭୁଇଁଦଳନ ।ପହିଲି ରଜ ଆଗ ଦିନ ସଜବାଜ ।ସେଦିନ ଭୋରୁ ଆମ ଜେଜେମା ମତେ ଆଉ ତମ ମାଉସୀ ମାନଙ୍କୁ ସବୁ ଉଠେଇ ହଳଦୀ ଲଗେଇ ଘସିମାଜି ଗାଧଉଥିଲା ।ରିଠାଫଳ କି ବନମାଟିରେ ଆମେ ମୁଣ୍ଡ ସଫା କରୁଥିଲୁ ।ଝୁଣାଧୂଆଁ ଦେଇ ଶୁଖେଇ କଦଳୀ ବେଣୀ ପାରୁଥିଲୁ ମଝିସୁନ୍ଥାଣୀ କରି । ପାଦରେ ଅଳତା, ମଥାରେ ସିନ୍ଦୁର ଚନ୍ଦନ ଟିପିଟିପା ଲବଙ୍ଗ ରେ ଆଙ୍କୁଥିଲେ ବୋଉ ଆଉ ଖୁଡି ମାନେ ।ପାପୁଲିରେ ମଞ୍ଜୁଆତି ପତରରେ ଖଇର ପକେଇ ଗାଢାକି ଟେଳା ଟେଳା ରଖି ସଜଲାଲିପଚା ହାତ ସୁନ୍ଦର ଦିଶୁଥିଲା ।ଆଜଠୁ ତିନିଦିନ ଗାଧୁଆ ମନା ଥାଏ ।


ତା ' ପରଦିନ ସକାଳୁ ନୂଆ ଜାମାଜୋଡ, ନୂଆ ପାଉଁଜି,ରଂଗୀନ ରିବନ,ହାତକୁ ଚୁଡି ବାପା, କକା ଆଣୁଥିଲେ ।ତିନି ଦିନରେ ତିନୋଟି ନୂଆ ଜାମା ।ଜେଜୀ ଗୁଆଖୋଳପାରେ ଯତନେଇକି ପାଦକୁ ମାପକରି ଚପଲ ଗଢଉଥିଲା ଘରହଳିଆ ମଦନାକା ଙ୍କୁ କୁହେଇ ।ବସୁଧାରେ ପରା ପାଦ ଥାପିବା ମନା ।ରଜସ୍ବଳା ଧରଣୀ ।ଓଠ ନାଲା କରିବାକୁ ବଢିଆ ମସଲା ଦିଆ ରଜପାନ ଜେଜେ ବାପା ଆଣିଦେଉଥିଲେ ।ଏ ତିନିଦିନେ କଟା, ବଟା,ସିଲେଇ, ଆଦି କାମ ବାରଣ ଥାଏ ।ପୋଡପିଠା ର ବାସ୍ନା ଘରୁ ଘରୁ ଆସେ ।ନଡିଆ ପାତ ପକା, ଗୁଡ ଆଉ ବାସ୍ନା ମସଲାଦିଆ ଚାଉଳଚୂନାର ପୋଡପିଠା ତ ଆମ କାଳିଆ ଠାକୁରର ବି ଭାରି ପ୍ରିୟ ।ଗୁଣ୍ଡିଚାକୁମାଉସୀ ଘରେ ଖାଏ, ରଥରେ ବୁଲି ଯାଏ ।

ବାରିପଟେ ଆମ୍ବ, ଗଛରେ ପଟ୍ଟାଦୋଳି ଟାଇଟ୍ କରି ଭାଇ ବାନ୍ଧିଦିଏ ନଡିଆ କତାବଳା ରସିରେ ।ଦୋଳିରେ ଝୁଲିବାର ମଜା ନିଆରା ।ଆକାଶ କୁ ହେଇ ଛୁଁ ଛୁଁ କରି ମାଟିରେ ପାଦ ଲାଗେ ।ଫୁଲ ଗଜରାରେ ଦୋଳି ଆମେ ସଜଉ ।ଭାଇ ଆଉ ତା' ସାଙ୍ଗ ମାନେ ଲୁଡୁ, ତାସ, ବାଗୁଡି, କବାଡି, ବାଘ_ ଛେଳି ଆଦି ଖେଳନ୍ତି ।ଗାଁ ଗାଁ ଭିତରେ ପ୍ରତିଯୋଗିତା ହୁଏ ।ହାରଜିତ ସବୁଥିରେ ଖୁସି ସମାନ କରି ବଣ୍ଟାହୁଏ ।ରାତିରେ ରଜମେଲଣ ପଡିଆରେ ଗୋଟିପୁଅ ନାଚ,ଯାତ୍ରାପାଟି ଆସନ୍ତି ।ଆମେ ସବୁ ଦରି ପାରି ଆଗରୁ ଯାଇ ଯାଗା ରଖୁ ଭଲସେ ଦେଖିବୁ ବୋଲି ।ଆମ୍ବ, କଦଳୀ, ପଣସ, ନଡିଆ ସାଙ୍ଗେ କେତେ ମିଠା ଭାର ବୋହି ଆମ ଗାଁ ରୁ ବଡଦେଇ ଶାଶୁଘରଗାଁ କୁ ଆଉ ଭାଉଜ ଘର ଗାଁ ରୁ ଆମ ଗାଁ କୁ ଭାରୁଆଭାଇ ସହ ବନ୍ଧୁ ଘର ଯା'ଆସ ଲାଗିଥାଏ ।ପାଟି ମିଠା, ମନ ମିଠା ।


ତୃତୀୟ ରଜଦିନ ପ୍ରତ୍ଯୁଷରୁ ଅଗଣା ମଝି ଗୋବରରେ ଲିପି ଚୂନପାଣି ସିନ୍ଚି ଲଙ୍ଗଳ ଲୁହା ଖଣ୍ଡ ରଖି ହଳଦୀ ପାଣିରେ ସ୍ନାନକରାଇ " ମାଆ ମୋ ହାଣ୍ଡି ପୂର୍ଣ୍ଣ ରଖିଥା " କୁହେ ବୋଉ ତା'ହାତେ ଓଢଣୀ କୁ ଆଉ ହାତେ ଆଗକୁ ଟାଣିଦେଇ ।ପ୍ରକୃତି ନିକଟେ ନତଶିର ହୋଇ ଭକ୍ତି ବାଢେ ତାର ଅଭୟ ବରଦା ହସ୍ତ ସଦା ତାର କୁଟୁମ୍ବ, ସନ୍ତାନର ଶ୍ରୀ ପାଇଁ ।ଚାଷବାସ କାମ ତିନିଦିନରୁ ବନ୍ଦ ଥାଏ ।ଆଜି ପୁଣି ହଳଦୀ ଚାଲେ ।ଅଣ୍ଟା ରେ ଗାମୁଛା ଭିଡି ଚଷା ଭାଇ ଜଗତ ମୁହଁ ରେ ହାତ ଦେବାକୁ ତୟାର ହୁଏ ।


ଆମେ ସଖି ମାନେ ଏକାଠି ହେଇ କେତେ ପ୍ରକାରେ ରଜଗୀତ ଶିଖୁ, ଗାଉ, ନାଚୁ ।ସେ ଦିନ କାହିଁ ଆଉ ? ସେ ସଖି ମାନେ ବି ସବୁ କିଏ କୁଆଡେ ରହିଲେଣି । ଏତେ କୁଟୁମ୍ବୀ ଘର ବି କାଇଁ ? ଘରରେ ଘରେ ଲୋକ ଆଜିକାଲି ବିରଳ ।


ଆକାଶ କୁ ଚାହିଁ ଅନ୍ଯମନସ୍କ ଦିଶିଲେ କସ୍ତୁରୀ ।ପୁଣି କହିଲେ, 


ଭୁଇଁଦଳନ ପରଦିନ ବସୁମତୀ ସ୍ନାନ ।ସେଦିନ ସକାଳୁ ଶିଳଶିଳପୁଆ କୁ ବସୁମାତା ଙ୍କର ସଙ୍କେତ ରୁପେ ହଳଦୀ ଲଗେଇ ଗାଧୁଆ ହୁଏ ।ସଜ କରେଇ ନୂଆ ବସ୍ତ୍ର, ସିନ୍ଦୁର, ଫୁଲ ଲଗେଇ ଆଳତୀ କରି ଭୋଗରାଗ କରାହୁଏ ।ଆମେ ଆନନ୍ଦେ ଖାଉ ।ଶ୍ରଦ୍ଧା ପୂର୍ଣ୍ଣ ଆଦାନପ୍ରଦାନ, ଉତ୍ତମ ବନ୍ଧୁତ୍ବ ବାତାବରଣ,ହସଖୁସି, ଥଟ୍ଟା ମଜା, ପାରମ୍ପରିକ ଐକ୍ଯ, ଆତ୍ମୀୟତା, ଭଲପାଇବା ର ନିବିଡତା, ମାଟିର ମହନିୟତା ଆଦିର ଉପଲବ୍ଧି କରିବା ଏତେ ଭଲଲାଗେ ଯେ ଏବେ ଆମେ ତାକୁ ଝୁରୁଛୁ ।


 ସୂର୍ଯ୍ୟ ମାସ ଆରମ୍ଭ ।ଆଦ୍ଯ ଆଷାଢେ ମେଘମେଦୁର ଘନନୀଳାଭ ଗଗନ ଛାତ ତଳେ ଗୁରୁ ଗମ୍ଭୀର ନାଦ ଶୁଣି ରୌଦ୍ରତପ୍ତା ଧରଣୀର ବୁକୁରେ ଆସେ ପୁଲକର ଜୁଆର ।ମେହୁଲ ଖସେ ନୀଳ ଛାତିକୁ ଭେଦି, ଝରିଯାଏ ରେଣୁ ରେଣୁ କୁ ଛୁଇଁ ।ନୂତନ ସ୍ବପ୍ନେ ବିଭୋର ହୁଏ ଧୂସର ଧରଣୀ ।ନିଦାଘ ଦାଉରେ ନୀରସ ବକ୍ଷେ ତାର ବର୍ଷିଯାଏ ଜଳଦୁ ସୃଜନତା ।ଅନାଦିକାଳୁ ରହିଆସିଛି ଏ ପରମ୍ପରା ।ଚାଷୀ ଭାଇ ଶ୍ଯାମଳିମାରେ ମଣ୍ଡିତା ପୃଥିବୀ ର ସ୍ବପ୍ନ ନେଇ ଆବାହନ କରେ ଈଶ୍ବରୀୟ ଶକ୍ତି କୁ ।ମାଟିମଟାଳ ମଣିଷ ସହ ମାଟିର ସଂପର୍କ ଚିରନ୍ତନ ।ମାଟିରମଣିଷ ର ଆବାହନ କୁ ଚାହିଁ ଥାଏ ଦେବତା ।ଅନ୍ନମୟୀ ପିଣ୍ଡ ।

ଅନ୍ନ ମୁଠାଏ ଅନ୍ନପୂର୍ଣ୍ଣା ଜୀବନ ଅବଲମ୍ବନ ପାଇଁ ମଣିଷ କରେ କର୍ମ ।କର୍ମ ହି ଯଜ୍ଞ ।କୃଷିକେନ୍ଦ୍ରିକ ରାଜ୍ଯରେ ଆମର ଋତୁଚକ୍ରର ସାମ୍ବତ୍ସରିକ ପରିକ୍ରମଣ ହି ପର୍ବପର୍ବାଣୀ ର ବିଧାନ ।ସୃଷ୍ଟି ଉନ୍ମୁକ୍ତ ଧରା ।ଅପୂର୍ବ ଆବେଗ ।ଆଳସ୍ଯ ପରିହାର ପୂର୍ବକ ଅଶେଷ କର୍ମ ପ୍ରେରଣାରେ ଭରି ଚଷା ପୁଅ ଧରେ ଲଙ୍ଗଳ ।ଅସୀମ କରୁଣା _ବାରିସିକ୍ତ ମାଟି ।ନବତନ ଅଙ୍କୁରର ଉନ୍ମେଷ ।ସସଧରାଗରା ସୃଜନିକା ଆନନ୍ଦେ ଅଭିଭୂତ ।


ଓଡିଶା, ଉତ୍କର୍ଷ ପାର୍ବଣର ମାଟି ।ଉତ୍କର୍ଷତା ତା ମାଟିରେ ଭରା ।ଆମର ଏଇ ମାଟି ଧରିରଖେ ଆମର ପରମ୍ପରା, ସଂସ୍କୃତି । ଚାଲିଚଳନର ଆଧାର କରି ଖଞ୍ଜି ଥାଏ ବାର ମାସରେ ତେର ପର୍ବର ଆୟୋଜନ ।ଏଇ ପର୍ବ ସବୁ ଆମର ପରିବେଶ, ବାୟୁମଣ୍ଡଳ, ପାଣିପାଗ, ଚାଷବାସ କୁ ନେଇ ଆମରି ଉପକାରରେ ଖଞ୍ଜା ।କେଉଁ ପରବରେ କେମିତି ପୂଜିବା ଓ ପାଳିବା ,କଣ ଭୋଗ ଲଗେଇବା, କେଉଁ ବିଧିବିଧାନ ରହିବ ସବୁର ପଛରେ ଏକ ଆର୍ଶିବାଦ ପରି ବିଜ୍ଞାନ ସମ୍ମତ ସତ୍ଯ ରହିଛି ।ଆମେ କୃଷିପ୍ରଧାନ ରାଜ୍ଯର ବାସୀ ।କୃଷି ଆମର ପ୍ରଧାନ ବେଉସା, ଆମର ଲକ୍ଷ୍ମୀ ।ଏହି ସବୁ ପର୍ବ ଭିତରୁ ଆମର ରଜ ପର୍ବ ଅନ୍ଯତମ ।ଏହା ଆମ ଓଡିଆ ଝିଅ ମାନଙ୍କର ପ୍ରିୟ ପର୍ବ ।


ସଜବାଜରୁ ଆରମ୍ଭ କରି ବସୁମତୀ ସ୍ନାନ ଯାଏ ଆମେ ଚାରିଦିନ ଲାଗି ଏହା ପାଳୁ ।


* ସଜବାଜ _* ପହିଲି ରଜ * ରଜ ସଂକ୍ରାନ୍ତି, ଭୁଇଁଦଳନ ବା ବସୁମତୀ ସ୍ନାନ ।


 ଅଳତା, କୁଙ୍କୁମ ନାଇ,

ଦୋଳିରେ ହସନ୍ତି ଦେଈ ।।


ଷୋଳ କି ଚଉଷଠି ଶୃଙ୍ଗାରରେ ସଜେଇ ହୋଇ ଝିଅ ମାନେ ଲକ୍ଷ୍ମୀ ପ୍ରତିମା ପରି ଦିଶୁଥାନ୍ତି ।ହଳଦୀ ମାଖି ଚାନ୍ଦ ମୁହଁ ସବୁ ଘର ଅଗଣାରେ ଝଲସୁଥାନ୍ତି ।ମିଠା କଲି ମୋଡା ପାନରେ ଲବଙ୍ଗ ଖୋସି ସମସ୍ତେ ସମସ୍ତଙ୍କ ଓଠକୁ ରଙ୍ଗଉଥାନ୍ତି ଆଉ ହସ ଖିଲିଖିଲିରେ ଫୁଲ ପରି ମହକୁଥାନ୍ତି ।ପ୍ରଜାପତି ମାନେ କୋମଳ ପ୍ରସୂନ ବଗିଚାରେ ଉଡିବୁଲିଲା ପରି ନୂତନ ବସ୍ତ୍ର ଆଭୁଷଣରେ ଲାଦି ହୋଇ କନ୍ଯା ମାନେ ଏ ବାରି ରୁ ସେ ବାରି ଘୁରୁଥାନ୍ତି ଦୋଳି ଝୁଲିଝୁଲିକା ।ବାଟ ଘାଟରେ ରଜର ଫୁଆରା ଝରୁଥାଏ ।ପୋଡପିଠା, ମିଠା, ଖଜା ଭାର ପାଟିକୁ ମଧୁର କରୁଥାଏ ।ତାଳ ପତ୍ରର ଚପଲ ମଡେଇ ଟିପିଟିପା କମକୂଟିଆ ହାତିଘୋଡା ସଜରେ ଫୁଲଫୁଲିଆ ଫ୍ରକ୍ ପିନ୍ଧି କୁନି କଣ୍ଢେଇ ପରି ଟିକି ଝିଅ ମାନଙ୍କୁ ଦେଖିଲେ ମନ ପୁରିଯାଏ ।ବୋଉ ଓ ଘରର ମାଆ, ଖୁଡି, ଆଈ, ମାଉସୀ, ପିଉସୀ ଆଦି ଝିଅ ମାନଙ୍କ ପାଇ ନାନା ସୁନ୍ଦର ବ୍ଯବସ୍ଥା କରିଥାନ୍ତି ।ବିଭିନ୍ନ ପ୍ରକାରେ ସୁଆଦିଆ ବ୍ଯଞ୍ଜନ ସହ ବିଭିନ୍ନ ପ୍ରକାରେ ଖେଳ ଜମେ ।ତାସ,ଲୁଡୋ ଠୁ ଆରମ୍ଭ କରି କଉଡି ଖେଳ ଯାଏ ସବୁ ସାଙ୍ଗସାଥି ଏକମେଳ ହେଇ ଖେଳନ୍ତି ।ହରଗୌରା, ମଞ୍ଜୁଆତି ବାଟି ଗୋଲ ଗୋଲ କି ହାତ ପଚାନ୍ତି ।


ଆମ ଗାଆଁ ଆଡେ ହଳଦିଆ ସୁନାରଙ୍ଗି କୁଟାର ଭିତର ସରୁ ଭାଗ ସବୁକୁ ଏକାଠି କରି ଏକ ଗୋଲାକାର ପେଣ୍ଡୁ କରାଯାଏ ।ସେଥିରେ ପାଚିଲା ହଳଦୀଗଣ୍ଠିଆ ରସାଳ ଖୋସା ଖୋସା ପଣସରୁ ମେଞ୍ଚେ ରଖି ଚକଟି ଚିପୁଡି ଦେଲେ ସିଠା ସବୁ କତା ପରି ଅଲଗା ହୋଇ ମିଠା ରସ ସବୁ ପାତ୍ରରେ ଏକତ୍ରିତ ହୋଇଥାଏ ।ସେଥିରେ ଗରମ ଗରମ ଘରଭଜା ମୁଢି, ଲିଆଖଇ,ଚିନି ଉଖୁଡା ପକେଇ ଚକଟି ଦିଆଯାଏ ।ସେ ଗୋଳାକୁ ଆଞୁଳି ଭରି ଭରି ବାଣ୍ଟି ଦିଅନ୍ତି ଘରର ଜେଜେ, ଜେଜୀ ମାନେ ।ପିଲାଙ୍କ ଆନନ୍ଦ କହିଲେ ନ ସରେ ।ବର୍ଷା ର ସ୍ପର୍ଶ ରେ ରଜସ୍ବଳା ପୃଥିବୀ ମାଆ ହୁଏ ଉର୍ବରା ।ଆର୍ଶିବାଦ ବରଷୁଥାଏ ।


ନଡିଆ ପାତ ,ନଡିଆ କୋରା,ଗୁଜୁରାତି ,ଛେନା, କଳାଗୁଡ, ଗୋଲମରିଚ,ଖିରସର, ତେଜପତ୍ର, ଦେଇ ଚାଉଳଚୁନାର ପୋଡପିଠା ଖଣ୍ଡ ଖଣ୍ଡ କି କାଟି ଖାଇଲା ବେଳେ ଅତି ମଧୁର ଲାଗେ ।


ଆମ ପୁରୀ ଚଳଣୀରେ ରଜ ସମୟରେ ଝିଅ ମାନଙ୍କର " ରଜଘର " ବୋଲି ବଖରାଏ ଘର ଏଇ ତିନିଦିନକୁ ହସଖୁସି ଭରି ଅକ୍ତିଆର ହୁଏ ।ସେଇଠି ସବୁ କୁଆଁରୀ ମାନେ ସଜବାଜ, ଟାହିଟାପରା, ଲଜ୍ଜା ରୁଣା ହେବା ଶିଖୁଥାନ୍ତି ।ବେଳବୁଡିବା ଆଗରୁ ସଂଧ୍ୟା ଦୀପ ଲାଗିବା ଆଗରୁ ବଡ ଛାତ କି ଅଗଣା ଉପରେ ସବୁ ଝିଅ, ବୋହୁ ମାନେ ମେଳ ହୋଇ ଖାଇବା ପର୍ବ ସାରନ୍ତି ।ସମସ୍ତଙ୍କ ଘରୁ ବିଭିନ୍ନ ପ୍ରକାରେ ପ୍ରକାରେ ସୁଆଦିଆ ଖାଦ୍ଯର ପସରା ମେଲିଥାଏ ।ସମସ୍ତେ ସମସ୍ତଙ୍କୁ ଖୁଆଇ ଦେଉଥାନ୍ତି ।ଚାରିଦିନର ରଜ ପରବ ଚାରି ମୂହୁର୍ତ୍ତକେ ସରିଗଲା ପରି ଲାଗେ ।ଖୁସି ପସରା ମୁଣ୍ଡ ରେ ଥୋଇ " ଆର ବରଷ ଆସିବି " କହି ରଜରାଣୀ ପ୍ରତିକ୍ଷା ର ଫୁଲ ଧରେଇ ଫେରିଯାଏ ସମୟ ସହ ।


ରଜ ,ଚାଷି ଭାଇର ଅପେକ୍ଷା ର କଣ୍ଟ ଥାଏ ।ଅକ୍ଷିମୁଠି ବୁଣିଥିଲା ଅକ୍ଷିତୃତୀୟାକୁ ।ଏବେ ଝିପିଝିପି ମେଘରେ ମାଟିରୁ ବିହନ ସବୁ ବୀଜ ମେଲି ଗଜୁରି ସାରିଥାନ୍ତି ।ତଳି ରୁଆ ସରିଥାଏ ।ଏବେ ହେଲା ବେଉଷଣ ସମୟ ।ଜମି ପଙ୍କ କାଦୁଅ ଲସଲସ ହୋଇଥାଏ ।ସରୁ ଛୋଟ ବେଉଷଣ ଲଙ୍ଗଳ ରେ ଜମି ଖେଳିଆ ହୁଏ ।

ଅନାବନା ଘାସ ସବୁ ଉପୁଡି ଯାନ୍ତି । ଚେର କଟିଯାଏ ।ଜମିରେ ମଇ ଚଲାହୁଏ ।ଜାକୁଜାକୁଆ ବିଲରେ ନୂଆ ଧାନ ଗଛର ଚେର ଟାଣ ଧରେ ।ପତ୍ରରେ ସବୁଜିମା ଭରେ ।ସୁସ୍ଥ ସୁନ୍ଦର ଗଛ ସବୁ ଗୁଜୁରିଉଠେ ।ଚାଷୀଭାଇ କହେ , 


ଚଢେଇଲୁଚା ଡେଙ୍ଗେଇଲା ଧାନ ମୋର

ମାଆ ଲକ୍ଷ୍ମୀ ସାହା ହୁଅ ଧନେ ମୋର ।।


ଆଜିକାର ସମୟ ଓ ତା'ଉପରେ ପୁଣି ମହାମାରୀ ର ପ୍ରକୋପରେ ରଜମଉଜ ତ ଫିକା ପଡିଛି ହି ।ତଥାପି ପର୍ବ ସବୁର ରଙ୍ଗକୁ ନେଇ ଜୀଁ ବାର ଇଛ୍ଛା ଓ ଆଗ୍ରହ ଘରେ ଘରେ ସକାରାତ୍ମକତା ଭରୁ । ଜୀବନ କୁ ଫେରେଇ ଦେଉ ତାର ଚିରାଚରିତ ଚଞ୍ଚଳତା ।ବାସ୍ନାପଣ ଲେଉଟୁ ।


ଆମ ଛୋଟା ଅଜାଙ୍କୁ ଦେଖିଛ ଟି ପିଲେ? ସିଏ ଯେତେବେଳେ ତିନି/ ଚାରି ବର୍ଷ ର ହେଇଥାନ୍ତି । ଏଇ ରଜକୁ ପରା ।ଗେଲବସର ସାନ ଭାଇ ବୋଲି ପାଞ୍ଚ ଭଉଣୀ ଯାକ ତାଙ୍କର ବଡ ଦୋଳିରେ ବସେଇ ସରାଗରେ ଝୁଲେଇଦେଲେ ଯେ ବସୁ ହସୁ ଆକାଶେ ଉଚ୍ଚ ଦୋଳିରୁ ଖସି ପଡି ତାଙ୍କ ପାଦ ପରା ଛୋଟେଇ ଗଲା ।ନହେଲେ କ'ଣ ଜନମରୁ ତାଙ୍କ ପାଦ ଛୋଟା କି ? ସେଇଦିନୁ ପରା ତାଙ୍କୁ ସମସ୍ତେ ଛୋଟା ଡାକନ୍ତି ।ତାଙ୍କ ନାଁ ତ ଆଈ ଦେଇଥିଲା ସୌମ୍ଯଦର୍ଶନ ।


ସେଥିଲାଗି ଦୋଳି ଖେଳା ବେଳେ ସାବଧାନ ରହିବାକୁ ହୁଏ ।ଜୀବନ ରେ ସବୁ କାମରେ ସତର୍କତା ଅବଲମ୍ବନ କଲେ ଆସନ୍ନ ବିପଦ ଟଳେ ।କଣ ବୁଝିଲଟି? ଏବେ କୁହ ଆମ ପିଲାଦିନ ରଜ ବଢିଆ ଥିଲା ନା ।


 _ ଆରେ ବାଃ ସତରେ ତ ତମେ ମାନେ ବହୁତ ମଜା କରୁଥିଲ ।ମାଆ ଚାଲ୍ ଏ ବର୍ଷ ର ରଜ ପୁରା ତୁମ ପିଲା ଦିନ ପରି ପାଳିବା ।ପୁରା ସେମିତି ନହେଲେ ତାରି ପରି ତ ଟିକେ ହଉ ।ଆମକୁ ବି ହାତୀଘୋଡା ଚନ୍ଦନ ଟିପିଟିପା ଲଗେଇ ସଜେଇଦିଅ ।ଅଳେଇଚ ଦିଆ ପାନରୁ ଖଣ୍ଡେ ଭାଙ୍ଗ ।


_ ହଉ ହେଲା ।ଏବେ ଗାଇଲ ଦେଖି 


ରଜ ଦୋଳି କଟମଟ 

ଆସ ଲୋ ସହି ମୋ ଆସ ସଙ୍ଗାତ 

ଝୁମି ଝୁଲି ଆସ ଖେଳିବା ଦୋଳି ଗୋ

ବଡ ଦେଉଳରେ ନେତ ।।


ହସ ସବୁ ଫୁଆରା ସାଜୁଥିଲା ।



ପିଲାଙ୍କ ଖୁସି ରେ ଖୁବ୍ ଖୁସି ହେଉଥିଲେ କସ୍ତୁରୀ ।ପିଲାଙ୍କ ଉତ୍ସାହ ରେ ଫେରିପାଉଥିଲେ ନିଜ ପିଲା ଦିନକୁ ।


Rate this content
Log in

Similar oriya story from Classics