ରାସ୍ତା
ରାସ୍ତା
"ତୁମେ କାହିଁକି ଏମିତି ସବୁ କରିବାକୁ ଭଲ ପାଅ? " - ସେ ପଚାରିଲା । "କେମିତି ?" - ଉତ୍ତର ଦେଲି ମୁଁ । ନିଜ ଲକ୍ଷ୍ୟରେ ଦୃଷ୍ଟି ସ୍ଥିର କରି ଆମେ ଦୁହେଁ ଚାଲୁଥିଲୁ ପାଖାପାଖି ଦୁଇଟି ସମାନ୍ତରାଳ ରାସ୍ତାରେ ଯାହା ସରୁ ନଥିଲା । ମୋ ରାସ୍ତାଟି ଭୟଙ୍କର ଭାବେ ନିର୍ଜନ ଥିଲାବେଳେ, ତା ଆଖପାଖରେ ଥିଲା ଖୁବ ଗହଳି । ମୋ ଆଗରେ ବେଶ କିଛି ଦୂରରେ ମୋତେ କିଛି ଝାପ୍ସା ଛାଇ ଦେଖା ଯାଉଥିଲେ, ଆଉ ପଛରେ ଏକ ଅଖଣ୍ଡ ଶୂନ୍ୟତା।
"କେମିତି କରିବାକୁ ଭଲ ପାଏ ମୁଁ?" ପୁଣି ଥରେ ପଚାରିଲି ।
"ଏଇ ଯେମିତି, ଭିଡଠୁ ଅଲଗା ଭାବିବା, ଅଲଗା କରିବା, ଅଲଗା ଦୃଷ୍ଟି ଭଙ୍ଗୀରେ ଦେଖିବା, ପୁରାତନକୁ ପ୍ରଶ୍ନବାଣରେ ଆକ୍ତାମାକ୍ତା କରିବା । " ଶେଷ ବେଳକୁ କିଞ୍ଚିତ ବିରକ୍ତିକର ଥିଲା ତା’ ସ୍ୱର ।
ମୁଁ ତାକୁ ଚାହିଁଲି। ସେ ମୋର ପାଖାପାଖି ଚାଲୁଥିଲେ ବି ଲାଗିଲା ତା’ର ଆଉ ମୋ ଭିତରେ ଅଛି ଏକ ସଭ୍ୟତାର ଦୂରତା।
"ସ୍ରୋତର ଦିଗରେ ଭାସିବା ନା ସ୍ରୋତର ବିପରୀତରେ ପହଁରିବା, କେଉଁଟି ବେଶି ସହଜ ବୋଲି ଭାବୁଛ? ତୁମ ଚାରିପାଖରେ ଗହଳି ଥିଲାବେଳେ ମୁଁ ପ୍ରାୟତଃ ଏକ ନିର୍ଜନ ପଥ ବାଛି ନେଇଛି କାହିଁକି? ଏହା ଚିନ୍ତା କରିବା ପାଇଁ ନିଜ ମସ୍ତିଷ୍କର କିଛି ସ୍ନାୟୁ ବ୍ୟବହାର କରିବା ଉଚିତ ବୋଲି ତୁମକୁ ମନେ ହୁଏ ନାହିଁ କି? ଜନାରଣ୍ୟ ଥିବା ତୁମ ରାସ୍ତାଟି ତୁମ ପାଇଁ ବେଶ ସୁରକ୍ଷିତ, ମୁଁ ଚାହିଁଲେ ତୁମ ସହ ସେଇ ରାସ୍ତାରେ ଚାଲି ପାରନ୍ତି, କିନ୍ତୁ ଚାଲୁନି କାହିଁକି? କାହିଁକି ଏକ ଅସୁରକ୍ଷିତ ନିକାଂଚନ ପଥ ବାଛିନେଇଛି । ଏହା ଭଲ ଭାବରେ ଜାଣି ବି ଯେ ଏ ପଥର ପଥିକମାନେ କେବଳ ଯେ ସମାଜ ଦ୍ୱାରା ତିରସ୍କୃତ ହୁଅନ୍ତି ତାହା ନୁହେଁ ବିଭିନ୍ନ ବାଧା ବିଘ୍ନ ଏପରିକି ଜୀବନ ପ୍ରତି ବିପଦର ଶିକାର ହୁଅନ୍ତି । ମୋ ଆଗରେ ଅନେକ ଉଦାହରଣ । ଖାଲ ଖମା ଉଚ୍ଚା ନିଚା ପୂର୍ଣ୍ଣ ଏ ରାସ୍ତାଟି ଭୟଙ୍କର ଭାବେ କଣ୍ଟକିତ, ତଥାପି ମଧ୍ୟ ଏହି ରାସ୍ତାରେ ଚାଲିବାକୁ କାହିଁକି ବା ସ୍ଥିର କରିଛି? ଏସବୁ କାହିଁକି ର ଅନୁଶୀଳନ କରିବା ଉଚିତ ବୋଲି ତୁମେ ଚିନ୍ତା କରୁ ନାହଁ କି? ସୁବିଧାଜନକ ଓ ସୁରକ୍ଷିତ ହେବ ବୋଲି ମେଣ୍ଡା ପଲ ପରି ଆବହମାନ କାଳରୁ ଚାଲିଆସିଥିବା ପ୍ରଥା ପରମ୍ପରା ନାଁରେ ସେଇ ଗୋଟିଏ ରାସ୍ତାର ହୋ ହାଲ୍ଲାର ଅଂଶ ହେବ ନା କେଉଁ ରାସ୍ତାରେ ଚାଲିଲେ ସତ୍ୟକୁ ଉଜାଗର କରିହେବ, ସମଗ୍ର ମାନବତାର ସେବା କରିହେବ ସେ ରାସ୍ତା ବାଛି ନେବ, ଏହା ନିର୍ଣ୍ଣୟ କରିବାର ଦାୟିତ୍ୱ କେବଳ ତୁମର । " - ସ୍ମିତ ହସି ଉତ୍ତର ଦେଲି ମୁଁ ଆଉ ଆଗକୁ ମାଡି ଚାଲିଲି।
ସେ ସେହି ଜାଗାରେ ଅଟକି ଯାଇଥିଲା। ମୋତେ ଲାଗିଲା ତା ମନ ଭିତରକୁ ଯେମିତି ଓହ୍ଲେଇ ଆସିଛି ନିଜ ଯାତ୍ରା ପଥ ଓ ଗନ୍ତବ୍ୟ ସ୍ଥଳକୁ ନେଇ ସନ୍ଦେହର ବାଦଲଟିଏ। ବିନ୍ଦୁ ବିନ୍ଦୁ ବର୍ଷିବା ଆରମ୍ଭ ହୋଇଯାଇଛି ଏ ଭିତରେ । ତା ପାଖରେ ଏବେ କେବଳ ଦୁଇଟି ଅପ୍ସନ, ହୁଏତ ସେ ସେହି ବର୍ଷା ଛିଟାକୁ "ହଁ ଯେ କିନ୍ତୁ " ଦ୍ୱାହିରେ ପୋଛି ଦେଇ ନିଜ ରାସ୍ତାରେ ଆଗେଇ ଚାଲିବ, ନଚେତ ସେହି ସନ୍ଦେହର ବର୍ଷାରେ ତର୍କ ଓ ଜ୍ଞାନକୁ ଫେଣ୍ଟି ମନ ଭିତରୁ ରୁଢିବାଦର ସବୁତକ ମଇଳା ଧୋଇଦେଇ ମୁଁ ଚାଲୁଥିବା ରାସ୍ତାରେ ପାଦ ଦେବ।
"ହେଉ ପଛେ ନିର୍ଜନ, ଅସୁରକ୍ଷିତ, କଣ୍ଟକମୟ ପଥ, ଲକ୍ଷ୍ୟ କିନ୍ତୁ ଖୁବ ମଧୁର" ନିଜକୁ ନିଜେ ଶୁଣେଇ ପାଦର ଗତି କ୍ଷିପ୍ର କଲି ମୁଁ । ଚାଲୁ ଚାଲୁ ଅଜାଣତରେ ଓଠରୁ ଝରିପଡ଼ିଲା । " ହମ ହୋଙ୍ଗେ କାମୟବ ଏକ ଦିନ ।"