ପୁରୁଣା ଫଟୋ
ପୁରୁଣା ଫଟୋ
ପୁରୁଣା ଫଟୋ
ଗୋଲକ ବିହାରୀ ସାହୁ
ଶ୍ରୀମତୀ ଦାସଙ୍କର ଘର ସଜାସଜି କରିବାରେ ଭାରି ସଉକ । ମଝିରେମଝିରେ ଘରର ଆସବାବପତ୍ର ଗୁଡିକୁ ବଖରାର ଏ କୋଣରୁ ସେ କୋଣକୁ, ଏ ବଖରାରୁ ସେ ବଖରାକୁ ଘୁଞ୍ଚାଇ ସାଜସଜ୍ଜାରେ ପରିବର୍ତ୍ତନ ନକଲେ ତାଙ୍କୁ ଭଲଲାଗେନା ।
ଦିନେ ଶ୍ରୀମତୀ ଦାସ କହିଲେ- "ହଇଏ ଶୁଣୁଛ ! ଏ କାନ୍ଥରେ ଯେତେ ସବୁ ପୁରୁଣାଫଟୋ ଟାଙ୍ଗିଛ ତାହା କ'ଣ ସୁନ୍ଦର ଦିଶୁଛି ? ଭାଇଭାଉଜଙ୍କ ଚାଳିଶି ବର୍ଷର ପୁରୁଣାଫଟୋ ବାହାରକରି ତାଙ୍କୁ ଦେଇଦିଅ, ନହେଲେ ମୁଁ ବାହାରେ ଫିଙ୍ଗାଡି ଦେବି । ଭାଇଭାଉଜ ତ ଅଲଗା ହୋଇରହିଲେ । ତାଙ୍କ ଫଟୋ ଆମଘରେ କାହିଁକି ରଖିଛ ଯେ !" ଦାସ ବାବୁ କହିଲେ- "ଭାଇଭାଉଜଙ୍କ ପୁରୁଣାଫଟୋ ପାଖରେ ମୋର ପିଲାଦିନର ଫଟୋଟିଏ ଅଛି । କାହିଁ ତା' ବିଷୟରେ ତ କିଛି କହୁନ ।"
ଶ୍ରୀମତୀ ଦାସ କିନ୍ତୁ ନଛୋଡବନ୍ଧା । କହିଲେ- "କେଉଁ ମାନ୍ଧାତା ଅମଳର ଫଟୋ ଧରି ବସିଥାଅ । ଆଧୁନିକ ସୁନ୍ଦର ଫଟୋ ନ ଟାଙ୍ଗି ଘରର କାନ୍ଥଟାକୁ କଦାକାର କରି ରଖିଥାଅ । ପୁରୁଣା ଫଟୋ ରୁମ୍ ର ସୌନ୍ଦର୍ଯ୍ୟକୁ କୁତ୍ସିତ କରିରଖିଛି । ମୁଁ ଏସବୁ ବାହାର କରିନେବି ।"
ଦାସବାବୁ ବି କମ ନୁହନ୍ତି । ସେ ତାଙ୍କ ଜିଦିରେ ଅଟଳ । କହିଲେ- "ପୁରୁଣାଫଟୋର ଅଲଗା ମହତ୍ଵ ରହିଛି । ଏହା ପୁରୁଣାଦିନର ସ୍ମୃତି ଜାଗରଣ କରେ । ପୁରୁଣାଦିନର ସ୍ମୃତି ମନ୍ଥନ କରିବାକୁ ବେଳେବେଳେ ଭଲଲାଗେ । ତା'ଛଡା ପୁରୁଣାଫଟୋ ଥରେ ହଜାଇଦେଲେ ତାହା ଆଉଥରେ ତିଆରି କରାଯାଇ ପାରେନା । ତାହା ଦୁର୍ଲଭ ଓ ଦୁର୍ମୂଲ୍ୟ ହୋଇ ଯାଏ । ଏଭଳି ଦୁର୍ଲଭ ଜିନିଷକୁ ଲୋକେ ଘରେ ସାଇତି ରଖନ୍ତି ।"
ଦୁଇଦିନ ପରେ ବଡଭାଇ ନିଜବିଲରୁ ଚଣାଶାଗ ଓ ବାଡିରୁ ପୋଟଲ ନେଇ ଆସିଲେ । ଶ୍ରୀମତୀ ଦାସ ଚଣାଶାଗକୁ ରସୁଣ ଓ ସୋରିଷ ଛୁଙ୍କଦେଇ ଭାଜିଲେ । ଖାଇବା ସମୟରେ କହିଲେ- "ଶାଗଭଜା ଖୁବ୍ ଭଲଲାଗୁଛି । ମୁଁ ପିଲାଦିନେ ଅଜାଘରେ କେତେ ଖାଉଥିଲି । ନିଜେ ବିଲକୁ ଯାଇ ଖୁଣ୍ଟି ଆଣୁଥିଲି।"
ଦାସବାବୁ କହିଲେ- "ଦେଖିଲ, ବଡଭାଇଙ୍କ ଆମ ପ୍ରତି କେତେ ଶ୍ରଦ୍ଧା ଓ ସ୍ନେହ ଅଛି ବୋଲି ସେ ନିଜ ହାତରେ ଖୁଣ୍ଟିଖୁଣ୍ଟି ଶାଗ ଆଣିଛନ୍ତି । ଆଉ ଯାହା ଚଣାଶାଗ ଅଛି କାଲି ତାକୁ ଖରଡି ଦେବ । ଏହି ଶାଗର ସ୍ଵାଦ ଓ ବାସ୍ନା ଅଲଗା । ଖାଇବାକୁ ଭାରି ଭଲଲାଗେ ।"
ଖାଇସାରି ଶ୍ରୀମତୀ ଦାସ ଓ ଦାସବାବୁ ନିଜ କମରାକୁ ଗଲେ । ଦାସବାବୁ କହିଲେ- "ଆଛା କହିଲ, ଆଜି କେମିତି ଭାଇଭାଉଜଙ୍କ ପୁରୁଣା ଫଟୋଟି ଝଲସି ଉଠୁଛି । ତୁମେ କ'ଣ ତାକୁ ପୋଛି ସଫାକରି ଦେଇଛ ନା କ'ଣ ? ଏ ଫଟୋ କ'ଣ ସତରେ ଘରର ପରିପାଟିକୁ ଅସୁନ୍ଦର କରି ଦେଉଛି ?"
ଶ୍ରୀମତୀ ଦାସ କିଛି ନକହି ଦାସବାବୁଙ୍କ ମୁହଁକୁ ଖାଲି ଅନାଇ ରହିଲେ ।
**********