Lopamudra Parida

Action Inspirational

4  

Lopamudra Parida

Action Inspirational

ପୁରୁଣା ଡବାର ଘିଅ

ପୁରୁଣା ଡବାର ଘିଅ

7 mins
297



ଜୁହାରେ ଆଜ୍ଞା ।ଓଳିଗି, ହେଁ ହେଁ ହେଁ ।ମୁଁ ଆଜ୍ଞା ମଲ୍ଲ ।ନାଇଁ ମ ଆଜ୍ଞା ସେ ବୀରବଳୁଆ ମଲ୍ଲ ନୁହେଁ ।ଘଟସୂତ୍ର ପୋଥିପଞ୍ନି ଧରା ଯତିପାତ ଖଞ୍ଜା ପ୍ରଜାପତି ବ୍ରହ୍ମା ଙ୍କର କାମକୁ ହାଲୁକା କରୁଥିବା ମଲ୍ଲ ଆଜ୍ଞା ।ସୁକାନ୍ତ ମଲ୍ଲ ସାରେ ...... ଚିହ୍ନି ପାରୁଥିବେ ତ ! 


ଆଜ୍ଞା ଏଇ ପାନ କଳେ ନ ହେଲେ ଦିହକୁ ଜୋର୍ ଆଉ କୋଉଁଥୁ ଭଲା ।ଜରଦା ଖିଆ ଛାଡିଦେଲିଣି ମ କୋ' ଦିନୁ ।ଏଇ ସାଦା ଟେ ,ଟିପେ ଭଜାଗୁଣ୍ଡି ପକା ।


ଏଇ କଳା ବାକ୍ସଟାରେ ଆଜ୍ଞା ଯେତେ ଫଟ ଆଗରୁ ପଡିଛି ସେଇ ପଡିଛନ୍ତି ।ଏବେ ତ ଭଲ କଣ ବା'ଘର ସବୁ ବି କମ୍ପୁଟରରେ ଠିକ୍ କରାକରି ହଉଛନ୍ତି ।ଆମ କାଟତି ଆଉ କାଇଁ ?

ଆମେ ତ ଛୋଟିଆ ଅଫିସ୍ ର ଆହୁରି ଛୋଟିଆ କିରାଣୀ ଚାକିରିଆ ।ଏଇ ବା'ଘର ଯୋଗାଡଟାରେ ଯା ଟିକିଏ ଦି ପଇସା ଆସୁଥିଲା ।ଏବେକା କଥା କି କହିବି, ଖଜୁରୀ ଗଛର କି ଗୁଣ ଗାଇବି ।


" ଅକାଳେ ମାଇଲେ ଘାଏ, ଧାରା ଶାରବଣ ଯାଏ " ହଉଥିଲା ଗୋ ଆଗକାଳେ ।ଥରଟେ ଜାଲ ପକେଇ ଦିନାକେତେ ସୁରୁଖୁରେ କଟୁଥିଲା ।ଇଏ କି କାଳ ଆଇଲା କେଜାଣେ? କି ମହରଗ ଲୋ ବାପୋ ।ପାଣି ,ଲୁଣ ଠୁ ତୁଣ ଯାଏ ସବୁ କିଣା ।ସେଥିରେ ପୁଣି ବେପାର ମାନ୍ଦା ।ଢିଲେଇ ଯାଇଛି କହିଲେ ଚଳେ ।


ଯଃ ଧାତା ଲିଖିତଂ ଭାଲପଟେ, କର୍ମାନୁସାରେ ଫଳଂ ।।ତଥାପି ଅଛନ୍ତି କେତେ ଯଜମାନ ଯାହାଙ୍କ କୋଷ୍ଠି ଏ ଯାଏ ମୋ ଥଳିରେ ।ସେ ଭରସାଟି ସାଉଁଟିବା କଣ କମ କଥା ହେଁ ! ଗୋଟେ ଘରକୁ ଭଲ ବୋହୂ ଦବା ଆଉ ଗୋଟେ ଝୁଅକୁ ଭଲ ଜୋଇଁ ଟିଏ ଯୁଟେଇବା କ'ଣ ସହଜ ବ୍ଯାପାର ।ନାଃ ।ଗମ୍ଭୀର କଥା, ଗୁରୁ ଦାୟିତ୍ୱ ।ଭଲ ନ ପଡିଲେ କାଲିକି ଠେଙ୍ଗା ଭାଙ୍ଗିବ କାହା ପିଠିରେ କହୁନ? ମେରୁହାଡ ରହିବ ଟି ?


ବାଁ ପଟେ ଶବ ,ଦକ୍ଷିଣେ ଶୃଗାଳ 

ସମ୍ମୁଖେ ଭଦଭଦଳିଆ 

ଦିଶିଲେ ଗୋ ମିତ 

ଲଙ୍କା କରିଯିବ ପାରି

ନ ହୋଇ ବିପଦ ଆଗତ ।। 


ଏଇମିତି ଗଣ୍ଡେ ନିୟମ କୁ ଗଣ୍ଠି କରି ସକାଳୁ ଅନୁକୂଳ କରିଥିଲି ଆଜି ଶୁଭମାଛ ଶେଉଳ ଝୋଳ ହାପୁଡି ଦେଇ ।ଆଉ ,ହେ ହାକୁଟି ଟା ବୋ ।ଦି ଚାରିଟା ଥାନରେ ଝୁଅ ଦେଖା ଥିଲେ, ତଳକୁ ତଳ ଥାକ କରି ଫଟୋ ସବୁ ରଖିଥିଲି ।ଯୋଉ ପୁଅଟିକି ନେଇକି ଯାଉଥିଲି ସିଏ ଏକୋଇରବଳା ।ଭାଆରି ଭଲ ମଣିଷ ମାଆବାପ ତାର ,ଭାରି ସରଳ,ସିଧାସାଦା ।ପିଲା ବି ହୀରାମୁଣ୍ଡା ଖଣ୍ଡେ ତ ଆଉ ,ମାଛିକୁ ମ କହିବ କି ଆଗେ ! ପାଠ ବହୁତ ପଢିଛି, ବଡ ଚାକିରୀ ଖଣ୍ଡେ ବି କରିଛି ।ସରକାରୀ ଠୁ କାଳେ ଆହୁରି ଭଲ ପଇସା ।ଆଜିକାଲିଆ ଯୁଗରେ ଏତେ ନିର୍ମାୟା, ଶାନ୍ତ ପିଲା ଭାଗ୍ୟ ଯୋଗକୁ ଯୁଟେ ।ଯୋଉ ଝିଅ ତା ହାତ ଧରିବ ଜାଣ କୋଟିଲିଙ୍ଗ ପୁଜିଥିବ ।ରାଜରାଣୀ ମିତି ଚଳିବ ।ନା ଆଗକୁ ନା ପଛକୁ ।ଗୋଟିଏ ବୋଲି ସାନ ଭଉଣୀ ଅଛି ତାର ।ସେଇଟିକୁ ଭଲପାତ୍ରଟିଏ ଦେଖି ଉଠେଇଦେଲେ ଗଲା ।ଆଉ କଣ ବୋଝ ଦାୟିତ୍ୱ କିଛି ! ନାଃ ।ନିଜ ଦୋ'ଘର ଖଣ୍ଡେ ସହର ମଝିରେ, ଭଡା ଦେଇଛନ୍ତି ଉପର ଘର ।ତଳେ ରହନ୍ତି ।ସେତକ ହାତକୁ କଞ୍ଚା ଉପୁରି ।ବାପର ଚାକିରି ଆଉ ପାଞ୍ଚ ବର୍ଷ ଅଛି ।ତାରି ଭିତରେ ପୁଅଝୁଅ ଦିହିଁଙ୍କ ବାହାତୋଳା ସାରିବେ କି ନାହିଁ ।ମୋ ଠି ତାଙ୍କର ଭରସା କାହିଁରେ କ'ଣ ।ତାଙ୍କ କୁଟୁମ୍ବରେ କେତେ ବାହାଯୋଡି ମୁଁ ବାନ୍ଧିଛି ତ ସେଇନାଗି ।ଏଥର କେମିତି ମାଆ ଗୁରୁବାରୀଙ୍କ କୃପାରୁ ଏଇ ପୁଅଟି ନାଗି ବି ମନଲାଖି କନ୍ଯାପାତ୍ର ଟିଏ ମିଳିଯାଉ ତା ପରେ ପାଉଣା କଥା ସିଏ ମନ ଜାଣି କରନ୍ତି ଯେ ।ହେଁ ହେଁ ।ଧୋତି ଦୋଷଡା ଆଉ କ'ଣ କିଏ ମଡଉଛି ? ତଥାପି ଦିଅନ୍ତି ପ୍ୟାଣ୍ଟ ସାଟ କପଡା ସହ ।ଖୁସିବାସି କଥା ।ଆଉ ପାଉଣା ବାବଦ କୁ ଦଶ ଗଣା ଥୁଆ ।ତା'ଛଡା ଏଇ ଚା'ପାଣି ବଦଭ୍ଯାସ ପାଇଁ ବି ଟୁଣୁକା ନହକା ଶହେ ପାଆଁଶ ବି ଅଜାଚିତ ହେଇ ଦିଅନ୍ତି ଯେ ।କହିବାକୁ ପଡେନି ।ଟିକିଏ ଠିଆ ଠିଆ ହେଲେ, କାନ ମୂଳି ଖସଖେସେଇଲେ, କସରା ଦାନ୍ତ ନିକୁଟିଲେ ମିଳିଯାଏ ।ହ ପଇସା ଟା ଆସୁଛି ଯେତେବେଳେ ସବୁ ହପ୍ତା ଟିକେ ତ ଉତ୍ତୁରା ମୁହଁ ସହି ନବାକଥା ।


ଯୋଉ ଦିନ ମିଳିଲା ହସଖୁସି, ନ ମିଳିଲା ଦିନ ଏକାଦଶୀ ।


ଦୁନିଆ ଘରୁ ପ୍ରଶଂସା ମିଳେ, ଦୁନିଆ ଯାଗାରୁ ନିନ୍ଦା ହକାରୁ ଆମ ଗୋଷ୍ଠୀ ।ଥରେ ପରା ଏଡେ ସୁନ୍ଦର ଝୁଅଟିଏ ଜଣଙ୍କ ଘରକୁ ବୋହୂ କରି ପଠେଇଲି ।ଶହେ ଗୁଣରେ ଗୁଣି ପିଲା ।ତା ଶଶୂର ଖୁସି ହେବେ କ'ଣ ଓଲଟି ମତେ ଧିକାରି ଧିକାରି କହିଲେ, " ହଁ ଚଳିବ ।ଏତେ ସରଳିଆ ହେଲେ କ'ଣ ଚଳେ? ଟିକେ ଖାପ ଖାଉନି ଏବେକା ରଙ୍ଗଢଙ୍ଗ ସହ ।ଏତେ ପଢିଛି, କରୁଛି ହେଲେ ସେଇ ଗାଉଁଲି ପରି ତ ଦୁଶୁଛି ।" 


କୋଉଠି କେତେ ପ୍ରକାରରେ ଲୋକଚରିତ୍ର ,କେତେ ପ୍ରକାର ଆଶା, ଭଳିକି ଭଳି ଭାଗ୍ୟ ବି ।


ପ୍ରଥମ ଝିଅ ଘର


ଦେଖୁ ଦେଖୁ ଲାଗିଲା କୋଉଠି ଦେଖିଛି ।ଭାଳି ହଉଥାଏ ।ପୁଅ ଘର ଆଗରେ ନୀରିହ ହରିଣୀ ପରି ବସିଥାଏ ଆଣ୍ଠୁ ମାଡି ।ହୁଁ ହୁଁ କି ଉତ୍ତର ଦଉଥାଏ ।ଆହା କି ଗୁଣୀ, ନିରିମାଖି ଝିଅ । ଏତେ ପାଠ ପଢା ପିଲା ପୁଣି ଏତେ ନିଚିପର ସୁଚିମନ୍ତ ଗୁଣ ନିରିମାଖି ନୟନା ।ଖୁସି ବାସି ହେଇ ଲେଉଟିଲୁ ।


ଦି ଦିନେ ଅଜଣା ନମ୍ବର ରୁ ସିଧା ପୁଅପାତ୍ରକୁ ଫୁନୁ ( ଫୋନ) ।ବାଟ କାଟିଦେରେ ପୁଅ, ନହେଲେ ବେକ କଟେଇବୁ ।


ମୂଳୁ ମାଇଲେ ଯିବ ସରି, 

ଦେବଙ୍କ ସଙ୍ଗେ କିମ୍ପା କଳି ।।


ଖବର ମୋ କାନକୁ ଆଇଲା ।ଖୋଳତାଡ ଗୁଇନ୍ଦାଗିରି ଅଳପକେ ଜଣା ପଡିଲା ଝିଅ ଗୁଣମଣିଙ୍କର ଗୁଣ ଅସାର ।ଏ ନାଳେ, ସେ ପୋଖରୀରେ ମୁହଁ ଧୋଇଛନ୍ତି ହଜାରେ ଥର ।ସେଇଠୁ ମନେ ପଡିଲା, ଆରେ ହେ ହଁ ହଁ ଠିକ୍ କଥା ,ଏଇଆକୁ ପରା ଟିକିଟକ ଭିଡିଓ ରେ ଶହେ କୋଡିଏ ଥର ଦେଖିଛି ।


ଆଜି କାଲି ଇଏ ଗୋଟେ କଣ କଥା ।ବଏଫ୍ରେଣ୍ଡ ଥିବା ପରା କାଳେ ମେରିଟ୍ ପଏଣ୍ଟ ।କ୍ରେଡିଟ କଥା ।ନହେଲେ ତମେ ଗୋଟେ କି ଝିଅ ରେ ଗଣା ମ ! ଛିଆ ଛିଆ ।ଲିଭ୍ ଇନ୍ ଠୁ ସେଫ୍ଟିପିନ୍ ସବୁକୁ ତ ହଁ କଲେ ଏ ସଭ୍ୟ ସମାଜ ବାଲା ବଡ ଲୋକି ଦେଖେଇ ।ଏବେ ଭୋଗ ।ପିଲେ ପଢିବାକୁ ଯିବେ, ଚାକିରୀ କରିବେ ବୋଲି କଣ ନାଆଁ ବି ପକେଇବେ ।କି କଥା କିଓ !


ଭଲ ଦୁଶୁଥିବା ଝୁଅ ମାନେ ଆଗରୁ ସ୍ଥିର ।ଠିକଣା କରିନେଇଥିବେ ।ବଛାବଛି ସରିଥିବ ।ବୋପାମାଆ ନାଚାର ।ହଁ କଲେ ହବ ,ନାଇଁ କଲେ ହବ ।


ଭାଇ ଆଇଚି, ବୋଉ ପଠେଇଚି .... ତମେ ହଁ କଲେ ଯିବି ,ନାଇଁ କଲେ ଯିବି ।ତ ନାଇଁ କରିବ କିଆଁ କିଏ କୋଉ ବୁଦ୍ଧି ରେ ।ସମସ୍ତେ ଏନଗେଜ୍ଡ ।ପ୍ରତିଜ୍ଞା ,ପ୍ରଣ ଦିଆନିଆ ସରିଛି ।ତମେ ଖାଇବ ଯଦି ଭୋଜି ପତରକୁ ନିମନ୍ତ୍ରଣ ରହିଲା ।ଆସିଲେ ଭଲ ନ ଆଇଲେ ବି ଚଳେ ।ବଳେନି କିଛି ।


ଆଉ ଗୋଟା ଉତ୍କର୍ଷ ପଏଣ୍ଟ ବି ବାହାରିଲା ଯେ ଯୋଉ ପୁଅପାତ୍ର ଟି ସରଳ, ନୀରିହ.... ମାନେ ଆଜିକାଲିଆ ୟୋ ୟୋ ହନି ସିଂ ନୁହେଁ ସେମାନେ ସବୁ ପାଣିଫାଟ୍ ।ତାଙ୍କ କପାଳରେ ଦୂବଚାଉଳ ପଡିବା ଭାରି କଷ୍ଟ ।


ସେ ଫୋନକଲା ଲୋକଟାକୁ ଠାକୁରେ କୋଟି ପରମାୟୁ ଦିଅନ୍ତୁ ।ସିଏ ଏ କୋମଳ ସୁଧାର ଗାଈ ପରି ପୁଅଟିକୁ ହାଣମୁହଁ କୁ ଯିଆ ଆଗରୁ ରୋକିଦେଲା ବୋଲିସିନା ।ନହେଲେ ...... ହରି ହରି ।



ଦିନ ଦ୍ୱିତୀୟ ଝିଅ ଘର .............


ଆଗ ଘଟଣା ପରେ ଏବେ ଟିକେ ସତର୍କ ଆମେ ।ପହଞ୍ଚିଲୁ ।ଆଗରୁ ତା ବିଷୟରେ ଖବର ନେଲୁ ବୁଝାବୁଝି କଲୁ ।ପୁଣି କିଏ ଇଲେଇତି ହନ୍ତା ସେଇ ଯୋଗେରେ ସାଧୁ ସାବଧାନ ।


ପହଞ୍ଚିଲୁ ।ବେଶୀ ପଢା ଝୁଅ ନୁହଁ।ଭିତରି ଗାଁ ।ତଥାପି ବିଏ ଖଣ୍ଡ ଡେଇଁଛି ।ଏ ମାଆ ତା ଘର ଦୁଆର ଠୁ ପାଛୋଟି ନେଲେ ଘର ଯାକ ମଣିଷ ।ବହେ ରଙ୍ଗ ଲଗେଇ ପେଶ୍ କଲେ ପିଲାକୁ ।ଠିଆ ଢିଙ୍କି ପରି ଚେହେରା ।ଫଟୋରେ ଏଡେ ଚିକଣ ଦୁଶୁଥିଲା ।ଇଏ ପୁଣି କି କଥା ।ବଦଳ କରଉଛନ୍ତି କି ଆଉ ? ଗୋଟେ ଦେଖେଇ ଆଉ ଜଣଙ୍କୁ ପାରି?କାଇଁ ପଂଟୋରେ ଏମିତି ଦୁଶୁନଥିଲା ।ତୋଫା ଚହଟ ଦିଶୁଥିଲା ।ହେଲା କଣ ରାତାରାତି? ହଁ କହିଥିଲେ ଆଗରୁ ଝୁଅ ର ଜାତକ ହଜିଯାଇଛି ବୋଲି ଆଉ ତ କିଛି ଖୁଣ କହିନାହାନ୍ତି । 


ବେଶୀ ସମୟ ନ ନେଇ ଲେଉଟିଲୁ ।


କଥା କଣ ବୁଝୁ ବୁଝୁ ଆଳୁ ଖୋଳୁ ଖୋଳୁ ମହାଦେବ ।ଆୟେ ଝୁଅ କୁ ବୟସ ଗଡି ସଞ୍ଜ ରେ ।ମେଟ୍ରିକ ରେ ଚାରିଦଫା ଗଡିଛନ୍ତି ।ଆଉ ରୂପ କଥା ? ଏବେ ପରା ପାର୍ଲର ପାଠ ଆଇଲାଣି ।ମୂହୁର୍ତ୍ତକେ ରମ୍ଭା, ମୂହୁର୍ତ୍ତକେ ମେନକା ।ଖୋଳପା ପଛରେ ତେଣିକି ହିଡିମ୍ବା କି ସୂର୍ପନଖା ଯା ଥାଉ ।ପ୍ରଭୁ ହେ ।ଇଏ କି ବିଚାର! ସେଥିକୁ ପୁଣି ଫୁନୁ ରେ ଯୋଉ ସବୁ ଆପ_ସାପ କଣ ସେଥିରେ କୋତରୀ ପୁରା ଚମ୍ପା ଗୋରୀ ଆ ।


କିଓ ରୂପ କଥା ନାରାୟଣ ବିଚାର ।ସମସ୍ତେ କଣ ଆଉ ଅପସରୀ ହନ୍ତେ! ହେଲେ ଯାହା ସତ ତାହା ନ ଦେଖେଇ ଏତେ ଫନ୍ଦିଫିକର ମିଛ ସତ କିଆଁ? ଆମ ଚାକିରି ଖାଇବାକୁ?


ଆହା ସାତ ସାନ ପୁଅପାତ୍ର ଟି ବେକରେ ଫାଶ ପଡୁପଡୁ ରହିଗଲା ସିନା ।


ତୃତୀୟ ଝୁଅ ଘର .....................


ବହୁତ ବୁଝାସୁଝା ପରେ ପୁଅପାତ୍ର ଟି ରାଜି ହେଲା ।ଉପରୋକ୍ତ ଦିଟି ଘଟଣା ନେଇ ତା ମନ ଛାଡିଯାଇଥିଲା ।ମୋ ମନ ତ ପିତେଇ ଯାଇଥିଲା ଆଉ ।ତଥାପି ଗଲୁ ।ଝୁଅ ଟି ଆମେ ଆଇଲା ବେଳୁ ଏକମୁହାଁ ତଳକୁ ଅନେଇ ବସିଥାଏ ବସିଥାଏ ,ଯେମିତି ହଜିଯାଇଛି କୋଉ ଭାବନା ରାଜ୍ଯରେ ।ଚାନ୍ଦ ଚେନେ ପରି ଚେହେରା ।କାଠ କଣ୍ଢେଇ ପରି ଚୁପ୍ ।କିଛି ଅଡୁଆ ନାହିଁ ଭାବି ' ହଁ ' ମାରି ଆସିଲୁ ।ମୁଦି ପିନ୍ଧା ଦିନ ଧାର୍ଯ୍ୟ ହେଲା ।ମୁଦି ପିନ୍ଧା ଦିନ ବି ସେମିତି ଚିତ୍ର ପ୍ରତିମା ପରି ବସିଥାଏ ।ଉଁ ,ଚୁଁ, ହଲ୍ ଚଲ୍ ନାହିଁ । ଭଲ କଥା ।ରୂପ କାନ୍ତି ଉଜ୍ବଳ ଝଟକ ରେ ଆଉ କିଛି ଭେଜାକୁ ଧଇଲାନି ଜାଣି ।


ଏ ଭାଇ, ଆଜିକାଲି ସବୁ କଣ ଆଗୁଆ କଥା,ଦେଖା, ଫଟୋସୁଟୁ ସବୁ କରୁନାହାନ୍ତି ନା ,ସେଥିପାଇଁ କାଇଁ କିଛି ଝୋଲ୍ ଦିଶିଲାନି ।ପୁଅ ଘର ତ ଏ ସବୁର ଧାର ଧରୁନଥିଲେ ।ଝୁଅ ଘର ବି ଅସମ୍ଭବ ନୀରବ ।କିଛି ବୁଝା ପଡିଲାନି ।ଦିନେ ଝୁଅ ଘର ଆଡେ ନ ଜଣେଇ ମାଡିଗଲି କି ,ହେ ବିଧାତା ବଞ୍ଚି ଥିଲେ ଏ ଆଖି କିସ ନ ଦେଖେ ! ଝିଅ ତାର ମୁହଁ ସାରା ହନୁ ପରି ଡିବାଏ ସିନ୍ଦୁର ବୋଳି ହେଇ ଡେଉଁଛି ଏ ଖଟରୁ ସେ ଚଉକି, ସେ ଚଉକିରୁ ଦାଣ୍ଡ ମେଲା ଯାଏ ।ହାଁ ହାଁ କରି ବାପ ,ମାଆ ଯୋଡା କାନ୍ଦ କାନ୍ଦ ହେଇ ଗୋଡେଇଛନ୍ତି ।ମତେ ଦେଖି ଥମ୍ କରିଗଲେ ଦିହେଁ ।କଥା କ'ଣ ବୁଝୁ ବୁଝୁ କ'ଣ ନା ଝୁଅଟିର ମୁଣ୍ଡ ବାୟାଣୀ ଦୋଷ ଅଛି ଅଳପ ।ବାହାତୋଳା କରିଦେଲେ ସୁଧାର ହେଇଯିବ ଭାବି ବିଭା କରେଇ ଗଙ୍ଗା ଦରଶନେ ଯିବେ ବୋଲି ବିଚାର ।ହେଇ ଶୁଣ! ଆଉ ଯାହା ବେକରେ ଛନ୍ଦିକି ଯିବ ସିଏ କ'ଣ ଅଖା ଧୋଉଥିବ ଗୁଣ ଗାଉଥିବ କିଓ ? ଭଲ ଭାଲୁ ଧରେଇ ଦେଇ ଫେରାର ଯନ୍ତ୍ର ଟିଏ ଖଞ୍ଜୁଥିଲେ ଆଉ ! ମୋ ଭେଳିକି ବୁଡିଥାନ୍ତା ହୋ ।ମୋ ଚୁଟି ମୁଠାକ ଘୋସରା ହେଇ କଟିଥାନ୍ତା ସିନା ।ମଣିମା ବଡ ଲୋକ ।ଅଳପକେ ଉଦ୍ଧାରି ଦେଲେ ।


" ଡାକ୍ତର ଦେଖାଅ, ଡାକ୍ତର " । କହି ବିରକ୍ତିରେ ବାହାରି ଆସିଲି ।


ସିଧା ଯାଇ ପୁଅ ଘରେ ପହଞ୍ଚିଲି ।କହିଲି, " ବାପ ନିଜେ ଖୋଜି ହାତ କୁ ଦି ହାତ ହୁଅ । ସେଇ ସୁବିଧା ଜାଣି । ନ ହେଲେ ତମ ଯୋଗରେ ବାଆଜୀ ହବା ଲେଖା ।" ମୁଁ ଭାବିଲି ତା ବାପମାଆ ମୁଣ୍ଡ ପିଟିଦେବେ ସବୁ କଥା ଶୁଣି ,କେମିତି ବୋଧ ଦେବି ?


ସିଏ କିନ୍ତୁ ଓଲଟା ମତେ କହିଲା, " ଭାଗ୍ୟ ଟାଣ ବୋଲି ସବୁଠୁ ଆଗରୁ ବର୍ତ୍ତିଗଲି ।ଭଲ ହେଲା ।ଆପଣ ସେ ଝିଅ ଘରେ ଏଇ କ୍ଲିନିକ୍ ଠିକଣା ଟା ଦେବେ ।ଏଇଟି ରଖନ୍ତୁ ।"


କହି ମୋ ହାତକୁ ବଢେଇଦେଇ ଗଲା ଚାରିକୋଣିଆ ଛୋଟିଆ ପଟା କାଗଜଟେ ଯୋଉଥିରେ ଲେଖାଥିଲା " ଡାକ୍ତର ଅରୁଣାଭ ସାମନ୍ତ । ମୁଣ୍ଡ ରୋଗ ବିଶେଷଜ୍ଞ " ।


ମୁଁ ଭାବୁଥିଲି ....


ଜାଣୁ ନାହାନ୍ତି ଯେଣୁ ନର ପ୍ରଭାବ, ତେଣୁ ତାଙ୍କର ଏ ଅନାସ୍ଥା ଭାବ ।ମୁଁ ଯାଏ ଆଗେ ମୋ କଟ କଟ କରୁଥିବା ମୁଣ୍ଡ ଟା ସଜାଡି ଆସେ , କାହାକୁ ଠିକଣା ଦବା ପରେ ।




Rate this content
Log in

Similar oriya story from Action